ଗଳ୍ପ

ବ୍ୟର୍ଥ ଜୀବନ

ପୁରୋହିତ ଅପେକ୍ଷାରତ; କିନ୍ତୁ ରୀନା ଗତ ରାତିରେ ପ୍ରମିଜ୍ କରି ବିଦାୟ ନେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦିନ ୯ଟା ପର୍ଯ୍ୟନ୍ତ ଆସି ପହଞ୍ଚିଲା ନାହିଁ । କ’ଣ ହେଲା ? ସମସ୍ତେ ବ୍ୟସ୍ତ ହୋଇ ପଡୁଥିଲେ ।

ବ୍ୟର୍ଥ ଜୀବନ

ଧାରା ଶ୍ରାବଣ । ବର୍ଷା ଝରୁଛି ଅବିଶ୍ରାମ ଗତିରେ । ବର୍ଷାର ଧାରାରେ ମୁହଁକୁ ମୁହଁ ଦେଖାଯିବା ଅସମ୍ଭବ । ଏହି ଅସମ୍ଭବ ଭିତରେ ସମ୍ଭବ ହୋଇଛି ବିନୟର ଭାବନାର ଗତି । ବିନୟ ଅବିଶ୍ରାନ୍ତ ଭାବେ ଭାବି ଚାଲିଛି “ରୀନା” କଥା । ରୀନା ଏପରି କରିବସିଲା କାହିଁକି ? କ”ଣ ଅସୁବିଧା ହେଲା ସେ ନିଜକୁ ଏପରି ଅବସ୍ଥାରେ ଛାଡ଼ିଗଲା ବିନୟକୁ । ସବୁ ଠିକ୍‌ଠାକ୍ ହୋଇଥିଲା । ବିନୟ ଏବଂ ରୀନା ଉଭୟ ଏକତ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ସେ ପୁଣି କଟକ କିମ୍ୱା ପୁରୀ ନୁହେଁ ବହୁ ଦୂରରେ ଧରି ନିଆଯାଉ ବୃନ୍ଦାବନ ବା ହରିଦ୍ୱାର ପରି ସ୍ଥାନରେ । କିନ୍ତୁ ଏପରି ହୋଇପାରିଲା ନାହିଁ । ବିନୟ ଜୀବନରେ ଘୋଟି ଆସିଲା ଏକ କଳା ମେଘର ଆବରଣ ।

“ରୀନା ରାୟ” ବେଙ୍ଗଲି ଓ “ବିନୟ ସାହୁ” ଓଡ଼ିଆ ବ୍ରାହ୍ମଣ । ଏ ଦୁହିଁଙ୍କ ମଧ୍ୟ ବିବାହ ହେବା ସମ୍ଭବ ନୁହେଁ । ଉଭୟଙ୍କ ବାପା ଏ ପ୍ରକାର ବିବାହକୁ ଆଦୌ ସ୍ୱୀକୃତି ଦେଇନଥିଲେ; କିନ୍ତୁ ଉଭୟ ପରସ୍ପରକୁ ପାଇବା ନିମନ୍ତେ ଏକା ଜିଦ୍ । ବାପା ଏବଂ ମା”ଙ୍କୁ ଆବଶ୍ୟକ ପଡ଼ିଲେ ଛାଡ଼ି ଦେଇ ପାରନ୍ତି । ଏ ଦୀର୍ଘଦିନର ସମ୍ପର୍କକୁ ସାମାନ୍ୟ କଥାରେ ଛାଡ଼ି ଦିଆଯାଇ ପାରେନା ।

ରୀନା କଲେଜ୍‌ରେ ଯୁକ୍ତ ଦୁଇ ପାଠ ପଢ଼ିଲାବେଳେ ବିନୟ ସ୍ନାତକୋତ୍ତର ପାଠ ପଢୁଥିଲା ଏବଂ ପରେ ସେହି କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲା । ପାଠ ପଢୁଥିବାବେଳେ କଲେଜ୍‌ର ବିଭିନ୍ନ ଉତ୍ସବରେ ଗୀତ ଗାଇବା ଗୋଟାଏ ସଉକ୍ ଥିଲା । ସେମିତି ରୀନା ସେହି ଉତ୍ସବରେ ନାଚିବାର ମଧ୍ୟ ଦେଖାଯାଇଛି । ରୀନା ନାଚରେ ବିଶାରଦ । ତେଣୁ ତାକୁ ନାଚିବାର କୌଣସି ଅସୁବିଧା ନ ଥିଲା । ଅସୁବିଧା ଥିଲା ବିନୟର । ସେ ବିଧିବଦ୍ଧ ଗୀତ କୌଣସି ଅନୁଷ୍ଠାନରୁ ଶିକ୍ଷା କରିନଥିଲା, ହେଲେ ଗୀତ ଉପରେ ଥିଲା ଅଶେଷ ଲୋଭ । ଅଧ୍ୟାପକ ହେଲେ ମଧ୍ୟ ଗୀତ ବୋଲିବାର ଅଭ୍ୟାସ ରଖିଥିଲା ବିନୟ ।

କଲେଜରେ ପଢ଼ିଲାବେଳେ ବହୁତ ଝିଅ ପଢୁଥିଲେ । ସମସ୍ତଙ୍କ ଭିତରୁ ରୀନାଙ୍କୁ ମନରେ ବହୁତ ଭଲ ଲାଗିଥିଲା । ସେହି ପାଠ ପଢ଼ିଲାବେଳକୁ ରୀନା ପ୍ରତି କେମିତି ମନରେ ଦୁର୍ବଳତା ଆସିଥିଲା । ସେହି ଦୁର୍ବଳତା ପାଇଁ କଲେଜ୍ ଗେଟ୍ ପାଖରେ, କମନ୍‌ରୁମ୍ ପାଖରେ, ଗୋଟିଏ ରୁମ୍‌ରୁ ଅନ୍ୟ ରୁମ୍‌କୁ କ୍ଲାସ୍ କରିବାକୁ ଗଲାବେଳେ ରୀନାକୁ ଚାହିଁ ରହେ ବିନୟ । ରୀନାକୁ ଡାକି ପଦେ କଥା କହିବାର ସାହାସ ନଥିଲା ବିନୟଙ୍କର । କଲେଜ୍ ଉତ୍ସବ ବେଳେ ନିଜ କଥା ହବା ସୁଯୋଗ ମିଳେନି । ସେ ନାଚିବା ପାଇଁ ଷ୍ଟେଜ୍‌କୁ ଆସିଲେ ମନର ଭାବନା ଏବଂ ହୃଦୟର ଚେତନା କେମିତି ଅଡୁଆ ହୋଇଯାଏ । ସେ ଗୀତ ବୋଲିବା କ୍ଷଣକପାଇଁ ଭୁଲିଯାଆନ୍ତି । ସ୍ୱର ଓ ଛନ୍ଦର ମିଳନରେ ଗଢ଼ି ଉଠେ ବିଶାଳ ତାଜ୍‌ମହଲ । ଏହା କେବଳ ନାଚ ସରିବା ପର୍ଯ୍ୟନ୍ତ । ନାଚ ସରିଲାବେଳକୁ ଅଡ଼ିଟୋରିଅମ୍‌ରେ କରତାଳିର କମ୍ପନ । ଏମିତି ବି ହୋଇଛି ଷ୍ଟେଜ୍ ଉପରେ ବିନୟ ଏବଂ ରୀନା କଣ୍ଠଦାନ କରି କରତାଳିରେ ସ୍ୱାଗତ ପାଇଛନ୍ତି । ସବୁ ହୋଇ ମଧ୍ୟ ବିନୟର ସାହାସ ନ ଥିଲା ରୀନାକୁ ପଦେ ସ୍ନେହର କଥା କହିବାକୁ- “ତୁମ ସହ କଥା ହବାକୁ ଚାହେଁ କି ତୁମେ ମୋତେ ବହୁତ ଭଲ ଲାଗ” ଇତ୍ୟାଦି ଇତ୍ୟାଦି । ବିନୟ ରୀନାକୁ କେବେଠାରୁ ମନରେ ଗ୍ରହଣ କରିନେଇଛନ୍ତି, ହେଲେ ରୀନାର ମନ କଥା ଜାଣିବାର ଉପାୟ ନାହିଁ । ସବୁବେଳେ ତାକୁ ଚାହିଁ ଚାହିଁ କଲେଜ୍ ସମୟ ବିତି ଯାଇଥିଲା । ବହୁ ସାଙ୍ଗସାଥୀ ବିନୟଙ୍କୁ ଉପଦେଶ ଦେଇଥିଲେ ବିନୟ ରୀନାକୁ ସିଧା ସିଧା ପଚାରିଦେବା କଥା “ମୁଁ ତୁମକୁ ଭଲ ପାଏ, ତୁମର ମନ କଥା ଟିକେ କହୁ” । ଏମିତି ପଦେ କଥା କହିବାର ସାହସ ନ ଥିଲା ବିନୟଙ୍କର । ସବୁ ଆଶାରେ ରହିଗଲା । ବିନୟ କଲେଜ୍ ଛାଡ଼ି ଅନ୍ୟ କଲେଜ୍‌ରେ ସ୍ନାତକ ପାଠ ପଢ଼ି ଶେଷ କରି ଭଲ ନମ୍ୱର ରଖି ଉତ୍ତୀର୍ଣ୍ଣ ହେଲେ । ଏବେ ଚାକିରୀର ଆବଶ୍ୟକତା । ତାଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡ଼ିନଥିଲା । ଯେଉଁ କଲେଜ୍‌ରେ ପାଠ ପଢୁଥିଲେ ସେହି କଲେଜ୍‌ରେ ଅଧ୍ୟାପକ ଚାକିରୀ ମିଳିଥିଲା । ବିନୟ ଯେ କେବଳ ନାମ ମାତ୍ର ଅଧ୍ୟାପକ ନଥିଲେ ତାଙ୍କର ଅଧ୍ୟାପନାରେ ବହୁ ସୁନାମ ଥିଲା । ଏହାଛଡ଼ା ସେ ପି.ଏଚ୍.ଡ଼ି. ହାସଲ ପାଇଁ ଗବେଷଣା କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ । ସବୁଠାରୁ ଆନନ୍ଦ କଥା ରୀନାର ସେ କଲେଜରୁ ପାଠ ଶେଷ ହୋଇ ନଥିଲା, ସେ କଲେଜ୍‌ରେ ଶେଷ ବର୍ଷ ।

ଅଧ୍ୟାପକ ଭାବେ ଦେଖା ହେଲା ବିନୟଙ୍କର ରୀନା ସହିତ । କେହି କାହାକୁ ଭୁଲିନଥିଲେ । ଭୁଲି ନଥିଲେ ବିଗତ ଦିନର ଅନୁଚିନ୍ତା ଓ ଅକୁହା କଥା । ଭୁଲି ନଥିଲେ ମନ ଭିତରର ଭଲ ପାଇବାର ନିଶା ।

ବିନୟ ଘରର ଝରକା ଦେଇ ପଦାକୁ ଚାହିଁଲେ । ବର୍ଷାର ଗତି ଆଗ ଅପେକ୍ଷା ଅଧିକ ବେଗରେ ବର୍ଷିଯାଉଛି । ଘରର ପିଣ୍ଡା ତଳକୁ ଚାହିଁଲେ, ବରଷା ପାଣିର ସୁଅ ବହୁ ବେଗରେ ଗତି କରୁଛି । କୌଣସି ନଈରେ ଭରା ପାଣି ଥିବାବେଳେ ବନ୍ଧରେ ଘନିଆ ପଡ଼ି ପାଣି ସ୍ରୋତ ଯେମିତି ଗତି କରେ । ତାଙ୍କ ମନର ଗତି ସେହି ବର୍ଷା ପାଣିର ସ୍ରୋତରେ ମିଶି କ୍ଷୀପ୍ର ଗତିରେ ଆଗେଇ ଚାଲିଛି ।

ଅଧ୍ୟାପକ ମହାଶୟ ରୀନାକୁ ପାଇ ଯେମିତି ସବୁକିଛି ଭୁଲିଯାଇଥିଲେ । ମଳୟ ପବନର ବାସ ବିନୟଙ୍କୁ ଯେମିତି ଆତ୍ମହରା କରିଥିଲା । ଏଇ କ’ଣ ଜୀବନ, ଏହି କ’ଣ ପ୍ରଣୟ ? ରୀନା ସହ ଦେଖା ହେଲା ପରେ ବିନୟ ରୀନାକୁ କହିଲେ- “ମୁଁ ତୁମକୁ ଭଲ ପାଏ । ଆମେ ଏକାଠି ମିଶି ଏକ ଜୀବନ ବିତାଇ ପାରିବା ନାହିଁ ?” ରୀନା ଧୀର ସ୍ୱରରେ ଉତ୍ତର ଦେଇଥିଲା- “ମୁଁ ତୁମକୁ ବହୁ ଦିନରୁ ଭଲ ପାଉଥିଲି । ଆମେ ଏକାଠି ହବାର ଅସୁବିଧା କେଉଁଠି ଅଛି ? ତେବେ ଆମେ ଆମର ବାପା ଏବଂ ମା’ଙ୍କୁ ଜଣାଇ ଦେବା । ଅନୁମତି ଆଣିବାର ଆବଶ୍ୟକ ନାହିଁ । ଆମ୍ଭେମାନେ ବର୍ତ୍ତମାନ ମେଜର । ଆମ ପାଇଁ ଆମେ ନିଜେ ନିଜେ ନିଷ୍ପତ୍ତି ନେଇପାରିବା ।” ରୀନାଠାରୁ ଏତେ କଥା ବିନୟ ଆଶା କରୁ ନଥିଲେ । ଏହା ଭିତରେ ରୀନା ଏ ସଂସାର ବିଷୟରେ ତାଙ୍କଠାରୁ ବହୁ ଆଗକୁ ଚାଲିଗଲାଣି । ତଥାପି ବାପା ଏବଂ ମା’ଙ୍କ ଏ ଶୁଭକାମରେ ଆଶୀର୍ବାଦ ନ ହେଲେ ମଧ୍ୟ ଅନୁମତି ନେବା ଉଚିତ୍ । ବିନୟ ବହୁ ଚିନ୍ତା କରି ବାପାଙ୍କ ଅନୁମତି ଚାହିଁଲେ ଏବଂ ଭାବିଥିଲେ ବାପା ଅନୁମତି ଦେଇ ଦେବେ ।

ରୀନା ଏବଂ ବିନୟ ନିଷ୍ପତ୍ତି ନେଲା ପରେ ଦୁହେଁ ଏକାଠି ସିନେମା ଦେଖିବା, ନଈକୂଳେ ବସି ସମୟ ବିତାଇବା ଏବଂ ପାର୍କରେ ବସି ଖୁସି ଗପ ହେବାରେ କୌଣସି ବାଧା ନଥିଲା । ଜୀବନଟା ସଂସାର ପରିଧି ଭିତରକୁ ଆସିଯାଇଛି । କେବଳ ପ୍ରଥା ଅନୁସାରେ ବିବାହ ହେବା ଦରକାର । ଉଭୟଙ୍କ ଗୁରୁଜନଙ୍କ ଉପସ୍ଥିତିରେ ବାହାଘର ହେଲେ ସବୁଠାରୁ ଆନନ୍ଦଦାୟକ ହେବ । ଉଭୟେ ବିନୟ ଏବଂ ରୀନା ସିଦ୍ଧାନ୍ତ ନେଲେ ଗୁରୁଜନମାନଙ୍କ ଆଶୀର୍ବାଦରେ ଏ ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ । ରୀନା ତାଙ୍କ ପିତାମାତାଙ୍କ ସମ୍ମୁଖରେ ପ୍ରସ୍ତାବଟା ରଖିଲେ ।

ରୀନା ସ୍ତମ୍ୱିତ ହେଲା । ସେମାନେ ପରିଷ୍କାର କହିଲେ ଅନ୍ୟ ଜାତିରେ ବାହାଘର ହେବା ସମ୍ପୂର୍ଣ୍ଣ ଅସମ୍ଭବ । ସେମାନେ ଓଡ଼ିଆ ଆମେ ବଙ୍ଗାଳି । ସେମାନେ ଥିଲେ ରକ୍ଷଣଶୀଳ ପରିବାର । ରୀନା ଏଥିରେ କୌଣସି ଉତ୍ତର ଦେଇ ନଥିଲେ । ମୁଖମଣ୍ଡଳ ସମ୍ପୂର୍ଣ୍ଣ ଲାଲ୍ ପଡ଼ିଥିଲା । ସେ ବିନୟ ସହ ଦେଖା କରି ଗୋଟାଏ ସିଦ୍ଧାନ୍ତ ନେବ । ସେ ଚାଲିଯାଇଥିଲେ ନିଜ ରୁମ୍‌କୁ । ମନରେ ଅଶାନ୍ତିର ବାତାବରଣ । ହୃଦୟଟି ରେଳ ଚାଲିଲା ଭଳି ଅନୁଭବ ହେଲା । ତାଙ୍କୁ ଆହୁରି ବ୍ୟସ୍ତ କଲା ତାଙ୍କ ମନ ଯେତେବେଳେ ବାପା ପରିଷ୍କାର କହିଲେ- “ତୋ”ର ପାଠ ଶେଷ ହୋଇଛି । ଏଣିକି ବୁଲାବୁଲି ଏତେ କରିବା ଉଚିତ୍ ନୁହେଁ । ମୁଁ ତୋର ବାହାଘର ଠିକଣା କରିବା ପର୍ଯ୍ୟନ୍ତ ଘରେ ରହିବା ଉଚିତ୍ ।” ଆହୁରି ବିରକ୍ତି ଆସିଥିଲା ରୀନା ମନରେ ।

ବିନୟ ନିଜର ବାହାଘର ପ୍ରସ୍ତାବ ଉପସ୍ଥାପନ କରନ୍ତେ ବାପା ବିରକ୍ତ ହୋଇ ଉଠିଲେ ଏବଂ କହିଲେ- “ମୋ ଇଚ୍ଛା ବିରୁଦ୍ଧରେ ଏ ବାହାଘର ଅସମ୍ଭବ । ମୁଁ ପାଠ ପଢ଼େଇଛି, ତୋ ମା’ ବହୁ କଷ୍ଟରେ ତତେ ଜନ୍ମ ଦେଇଛି କ’ଣ ଏଇ କଥା ଶୁଣିବାକୁ । ମୁଁ ତୋ ବାହାଘର ଠିକଣା କରିଛି । ସେଇଠି ବାହା ହେବାକୁ ପଡ଼ିବ ।”

ସେମାନଙ୍କ ଜୀବନ ଯମୁନାରେ ଜୁଆର ଉଠିଛି । ସାଗରର ମତୁଆଲା ଲହଡ଼ି କୂଳରେ ପିଟି ନ ହୋଇ ଏମାନଙ୍କ ଶରୀରରେ ଖୁବ୍ ଜୋର୍‌ରେ ପିଟି ହୋଇ ଯାଉଛି । ମଧୁ ମଳୟ ଯେ ଗ୍ରୀଷ୍ମର ଝାଞ୍ଜି ପବନ ପରି ଅନୁଭବ ହେଉଛି । ସେହି ପବନରେ ଏମାନଙ୍କ ଦେହ ପୋଡ଼ି ଜଳିଗଲା ପରି ଲାଗୁଛି ।

ବିନୟ ଏବଂ ରୀନା ବହୁ ସମୟ ଚିନ୍ତା କରି ଶେଷରେ ନିଷ୍ପତ୍ତି ନେଲେ ସେମାନେ ଉଭୟ ବିବାହ କରିବେ ଏବଂ ଏଠାରେ ନୁହେଁ ହରିଦ୍ୱାର ବା ହୃଷିକେଶ ପରି ସ୍ଥାନରେ । ବିବାହ ସରିଲା ପରେ ଆଉ କାହାର କିଛି କହିବାର ନଥିବ । ବାଧ୍ୟ ହୋଇ ସମସ୍ତେ ସେମାନଙ୍କୁ ବାହାଘର ପୂର୍ବର ସବୁ ଦୋଷ ତ୍ରୁଟି କେଉଁ ଅନ୍ଧକାରରେ ମିଳେଇଯିବ । ଯମୁନାର ଜଳର ଜୁଆର ନିଶ୍ଚୟ ଶାନ୍ତ ହେବ । ସାଗରର ଢେଉ ସେମାନଙ୍କ ଦେହ ଆନନ୍ଦ ଓ ଶ୍ରଦ୍ଧାରେ ଛୁଇଁଦେଇ ଯିବ । ମଳୟର ଝାଞ୍ଜି ସେମାନଙ୍କୁ ପୁଲକିତ କରିବ । ସ୍ୱର ଏବଂ ଛନ୍ଦର ମିଳନ ହେବ । ନିଶ୍ଚିତଭାବେ ସେମାନଙ୍କର ମିଳନ ଏକ ଆଦର୍ଶ ବିବାହରେ ପରିଣତ ହେବ । ସମାଜର ଚଳଣୀରେ ହେବ ଆଦର୍ଶ ପରିବର୍ତ୍ତନ । ଆଉ ପରିବର୍ତ୍ତନ ହେବ ସମାଜ ରକ୍ଷଣଶୀଳତାର ବନ୍ଧନ । ଉଭୟେ ସବୁଦିନ ପାଇଁ ନିଜର ପୁରୁଣା ନୀଡ଼ ଛାଡ଼ି ନୂତନ ନୀଡ଼ ରଚନା କରିବେ । ଆଉ ସେହି ନୀଡ଼ରେ ବସବାସ କରିବେ ବିନୟ ଏବଂ ରୀନା, ଆଉ ସେଇଠି ଶେଷ କରିବେ ତାଙ୍କ ଜୀବନର ଅସରନ୍ତି ଇତିହାସ ।

ସେମାନେ ଗୋଟାଏ ଶୁଭଦିନ ସ୍ଥିର କଲେ । ସାମାନ୍ୟ କେତେକ ବନ୍ଧୁଙ୍କୁ ଆମନ୍ତ୍ରଣ କରାଗଲା । ବିବାହ ପଦ୍ଧତିରେ କୌଣସି ପରିବର୍ତ୍ତନ ହୋଇନଥିଲା । ସେମାନେ ଏଠାରେ ବିବାହ କରି ଚାଲିଯିବେ ବହୁ ଦୂରକୁ । ସେହି ସ୍ଥାନରେ ପୁଣି ଥରେ ବିବାହ କରିବେ । କାରଣ ସେମାନେ ବହୁ ପୂର୍ବରୁ ସ୍ଥିର କରିଥିଲେ ଦୂରରେ ବିବାହ କରିବାକୁ, କିନ୍ତୁ ବନ୍ଧୁମାନଙ୍କ ଅନୁରୋଧକ୍ରମେ ସେମାନେ ଏଠାରେ ବିବାହ କରିବାକୁ ସ୍ୱୀକୃତ ହୋଇଥିଲେ ।

ସେହି ଶୁଭଦିନ ନିକଟ ହେଲା । ବିନୟଙ୍କର କୌଣସି ଅସୁବିଧା ନଥିଲା, ଅସୁବିଧା ଥିଲା ରୀନାର । କାରଣ ଥିଲା ତାଙ୍କ ବାପା ଏବଂ ମା”ଙ୍କ ପାଖରେ । ସେହି ଶୁଭଦିନର ପୂର୍ବଦିନ ରାତିରେ ରୀନା ତାଙ୍କ ମା’ଙ୍କ ପାଖରେ ବହୁତ କାନ୍ଦିଲା । ମା’ ହୁଏତ କିଛି ବୁଝିପାରି ନଥିଲେ । ମା’ ବାରମ୍ୱାର କାରଣ ଜାଣିବାକୁ ଚାହିଁଲେ ମଧ୍ୟ ରୀନା ତାଙ୍କୁ କିଛି କାରଣ ନ କହି ନିଜ କୋଠରୀ ଭିତରେ ଝଡ଼ ଭଳି ପଶିଯାଇ ଭିତରୁ ବନ୍ଦ କରିଥିଲା । ମା’ ବାପାଙ୍କୁ ଜଣାଇଲା ପରେ ଉଭୟେ ବହୁ ଚେଷ୍ଟା କରି ମଧ୍ୟ କବାଟ ଖୋଲି ନଥିଲା ରୀନା ।

ସକାଳ ହେବା ପରେ ମଧ୍ୟ ରୀନା ବିନୟ ପାଖକୁ ଆସିନଥିଲା । ବନ୍ଧୁମାନେ ଏବଂ ବିନୟ ପ୍ରସ୍ତୁତ ଥାଇ ମଧ୍ୟ ରୀନା ନ ଆସିବାର କାରଣ ଜଣାପଡ଼ି ନଥିଲା । ବାହାଘର ପାଇଁ ଯାହା ଆବଶ୍ୟକ ତାହା ଯୋଗାଡ଼ ବହୁ ଆଗରୁ ଶେଷ ହୋଇଥିଲା । ପୁରୋହିତ ଅପେକ୍ଷାରତ; କିନ୍ତୁ ରୀନା ଗତ ରାତିରେ ପ୍ରମିଜ୍ କରି ବିଦାୟ ନେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦିନ ୯ଟା ପର୍ଯ୍ୟନ୍ତ ଆସି ପହଞ୍ଚିଲା ନାହିଁ । କ’ଣ ହେଲା ? ସମସ୍ତେ ବ୍ୟସ୍ତ ହୋଇ ପଡୁଥିଲେ । ସମସ୍ତେ ଦେଖିଲେ ଦୂରରୁ ଜଣେ ପୋଲିସ୍ ସିପାହୀ ଏବଂ ସବ୍ଇନ୍ପେକ୍ଟର୍ ସେମାନଙ୍କ ଆଡ଼କୁ ଆସୁଛନ୍ତି ।

ତା’ପରେ

ଲୋକପ୍ରିୟ ଲେଖା

To Top