୧୯୫୬ ମସିହା ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଇସ୍ତଫା ଦେଇ ଚାଲିଗଲେ ଏବଂ ଡଃ. ହରେକୃଷ୍ଣ ମହତାବ ବମ୍ୱେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ଏହାର ବର୍ଷକ ପରେ ୧୯୫୭ ମସିହାରେ ମସିହାରେ ଓଡ଼ିଶାର ଦ୍ୱିତୀୟ ସାଧାରଣ ନିର୍ବାଚନ ହେଲା ଏବଂ ସେଥିରେ କଂଗ୍ରେସ ଦଳ ସଂଖ୍ୟାନ୍ୟୁନ ଦଳ ହୋଇ ଯାଇଥିଲେ ତଥାପି ଅନ୍ୟ ଦଳଠାରୁ ଅଧିକ ସଂଖ୍ୟାରେ ନିର୍ବାଚିତ ହୋଇଥିଲେ । ଗଣତନ୍ତ୍ର ପରିଷଦ ପୁଣି କଂଗ୍ରେସ ଦଳର ସମକକ୍ଷ ହୋଇ ଆସିଥିଲା । ଯାହାହେଉ କେତେକ ଗଣତନ୍ତ୍ର ପରିଷଦର ସଭ୍ୟ କଂଗ୍ରେସ ଦଳରେ ଆସି ଯୋଗ ଦେବାରୁ ଓ କମ୍ୟୁନିଷ୍ଟ୍ ଦଳର ସଭ୍ୟମାନେ କଂଗ୍ରେସ ଦଳକୁ ସମର୍ଥ କରିବାକୁ ସମ୍ମତ ହେବାରୁ ଡଃ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ଦଳ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ମାତ୍ର ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇଥିଲା । ୧୯୫୭ ମସିହାରୁ ୧୯୫୯ ପର୍ଯ୍ୟନ୍ତ ଦୁଇବର୍ଷ ମହତାବ ମନ୍ତ୍ରୀମଣ୍ଡଳ କାର୍ଯ୍ୟ କରିବା ପରେ, ଏହି ଅଣକଂଗ୍ରେସ ସଭ୍ୟଙ୍କ ସମର୍ଥନରେ ଶାସନ ଚଳେଇବା ବାଞ୍ଛନୀୟ ନୁହେଁ ବୋଲି ମତ ପ୍ରକାଶ କରି ଡଃ. ମହତାବ ୧୯୫୯ ମସିହାରେ ଇସ୍ତଫା ଦେଇଥିଲେ ମାତ୍ର ସେତେବେଳର ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିଲେ । ବିରୋଧୀଦଳର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ ସେତେବେଳେ ରାଜ୍ୟପାଳଙ୍କୁ ପତ୍ର ଲେଖି ତାଙ୍କୁ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ଡାକିବା ନିମନ୍ତେ ଅନୁରୋଧ କରିଥିଲେ । ଶେଷରେ ଜାତୀୟ କଂଗ୍ରେସର ଉଚ୍ଚ କର୍ତ୍ତୃପକ୍ଷ ଡଃ. ମହତାବଙ୍କୁ ଇସ୍ତଫା ପତ୍ର ଫେରାଇ ନେବାକୁ ପରାମର୍ଶ ଦେଲେ ଏବଂ ସେ ତାହା କରିଥିଲେ । ଏହାପରେ କଂଗ୍ରେସ ଗଣତନ୍ତ୍ର ପରିଷଦ ସହିତ ମିଶି ଏକ ମିଳିତ ମନ୍ତ୍ରୀମଣ୍ଡଳ ଗଠନ କରିବା ପାଇଁ ସମ୍ମତି ଦେଲେ ଏବଂ ୧୯୫୯ ମସିହା ମଇ ମାସରେ ଡଃ. ମହତାବଙ୍କ ନେତୃତ୍ୱରେ ଗଠିତ ଏହି ମିଳିତ ମନ୍ତ୍ରୀମଣ୍ଡଳ ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ଓଡ଼ିଶାର ଦ୍ୱିତୀୟ ମିଳିତ ମନ୍ତ୍ରୀମଣ୍ଡଳ ।
ଓଡ଼ିଶାରେ ଏହି ଦ୍ୱିତୀୟ ମିଳିତ ମନ୍ତ୍ରୀମଣ୍ଡଳ ପ୍ରାୟ ବର୍ଷେ ନ’ ମାସ ପର୍ଯ୍ୟନ୍ତ ଚାଲିବା ପରେ ୧୯୬୧ ଫେବୃୟାରୀ ମାସରେ ଇସ୍ତଫା ଦେଲେ । ଇତି ମଧ୍ୟରେ ସେତେବେଳର ଯୁବ କଂଗ୍ରେସ ନେତା ଶ୍ରୀ ବିଜୁ ପଟ୍ଟନାୟକ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ନିର୍ବାଚିତ ହୋଇ ସାରିଥିଲେ । ମନ୍ତ୍ରୀମଣ୍ଡଳ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ଜିଲ୍ଲାର ଯୁବ କଂଗ୍ରେସ କର୍ମୀମାନେ ତାଙ୍କ ନେତୃତ୍ୱରେ ସଂଗଠିତ ଭାବରେ ମତ ପ୍ରକାଶ କଲେ । ଶେଷରେ ମୁଖ୍ୟମନ୍ତ୍ରୀ ଡଃ ମହତାବ ୧୯୬୧ ମସିହା ଫେବୃଆରୀ ୨୪ ତାରିଖରେ ଇସ୍ତଫା ଦେଇଥିଲେ ।