ପ୍ରବନ୍ଧ

ଯୋଗ୍ୟତାର ମାପକାଠି

Dr Chhayakanta Sarangi's odia prose Jogyatara Maapakaathi

ନିଜକୁ ଜଣେ ଆଦର୍ଶ ଓ ଉତ୍ସର୍ଗୀକୃତ ନେତା ଭାବରେ ଯିଏ ଯେତେ ସଫଳ ଅଭିନୟ କରିପାରୁଛି, ସେ ସେତେ ଯୋଗ୍ୟ ବିବେଚିତ ହେଉଛି । ସଫଳ ଅଭିନୟ ଆଜି ଯୋଗ୍ୟତାର ମାପକାଠି ।

ଯୋଗ୍ୟତାର ମାପକାଠି

ନିର୍ବାଚନ ଆସୁଛି । ଭାରତର ଜନସାଧାରଣ ଯୋଗ୍ୟତମ ବ୍ୟକ୍ତିକୁ ସାଂସଦ ଓ ବିଧାୟକ ଭାବରେ ନିର୍ବାଚିତ କରିବାକୁ ସଜବାଜ ହେଲେଣି । ରାଜଧାନୀରେ ଧାରଣା ଓ ଆନ୍ଦୋଳନ ଚାଲିଛି, କାରଣ ଏଇଟା ହିଁ ଉପଯୁକ୍ତ ସମୟ । ସେମାନେ ଠିକ୍ ବୁଝିଛନ୍ତି “ଷ୍ଟ୍ରାଇକ ହ୍ୱାଇଲ ଦି ଆଇରନ ଇଜ ହଟ ” । ଲୁହା ଗରମ ଥିବାବେଳେ ତାକୁ ପ୍ରହାର କଲେ ଇଚ୍ଛାନୁଯାୟୀ ତା’ର ଆକୃତିକୁ ପରିବର୍ତ୍ତନ କରିହୁଏ । ଏବେ ଯେଉଁ ଦଳ ଶାସନରେ ଅଛନ୍ତି ସେମାନେ ନିଶ୍ଚୟ ଚାହିଁବେ ଆଉଥରେ ଶାସନକୁ ଆସିବା ପାଇଁ । ଶାସନକୁ ଆସିବା ପାଇଁ ମତଦାତା (ଭୋଟର)ମାନଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ । ଏଣୁ ସେମାନେ ମତଦାତାଙ୍କ ସମସ୍ତ ଦାବିକୁ ଗ୍ରହଣ କରିନେବେ । ଏହି ଧାରଣାରେ ନିର୍ବାଚନ ପୂର୍ବରୁ ବିଭିନ୍ନ ଶ୍ରେଣୀର କର୍ମଚାରୀମାନେ ରାଜଧାନୀରେ ଧାରଣା ଦିଅନ୍ତି । ବିଧାୟକମାନେ ସେମାନଙ୍କୁ ସମର୍ଥନ କରି ବିଧାନସଭା ଗୃହରେ ପାଟିତୁଣ୍ଡ କରନ୍ତି ଓ ବିଧାନସଭାକୁ ଅଚଳ କରିଦିଅନ୍ତି । ସାଧାରଣ ସଭାରେ କେହି ପାଟିତୁଣ୍ଡ କଲେ, ମାଇକ୍ ଭାଙ୍ଗିଲେ ବା ମୁଥ ମାରିଲେ ଆଇନ୍ ଅନୁସାରେ ଦଣ୍ଡିତ ହୁଏ । ମାତ୍ର ବିଧାୟକ ହୋଇଗଲେ ବିଧାନସଭା ଗୃହରେ ମାଇକ୍ ଛଡ଼ାଇ ଫିଙ୍ଗି ହୁଏ, ମୁଥ ମରାମରି କରିହୁଏ, ବାଚସ୍ପତିଙ୍କ ଟେବୁଲ୍ ଉପରକୁ ଚଢ଼ିବା ପାଇଁ ପ୍ରଚେଷ୍ଟା କରାଯାଏ । ଏହିସବୁ କରିପାରିବା ହେଉଛି ବିଧାୟକ ହେବାପାଇଁ ଯୋଗ୍ୟତାର ମାପକାଠି । ଏହିସବୁ କରିପାରୁଥିଲେ ଉଚ୍ଚଶିକ୍ଷା ଲାଭ କରିବାର ଆବଶ୍ୟକତା ନାହିଁ । ମନେପଡ଼େ ଏକ ମଜା କଥା । ଶିଶୁଟିଏ ପ୍ରଥମଥର ପାଇଁ ବିଦ୍ୟାଳୟକୁ ଗଲା । ମାଆ ପ୍ରତିଦିନ ତାକୁ ବିଦ୍ୟାଳୟ ଛାଡ଼ନ୍ତି ଓ ପଢ଼ା ସରିବା ପରେ ଆଣନ୍ତି । ଦିନେ ଶିଶୁଟି କହିଲା, “ମାଆ, ତୁମେ ଆଉ ଏତେ କଷ୍ଟ କରି ମୋତେ ଏଠାକୁ ନେବା ଆଣିବା କରିବା ଦରକାର ନାହିଁ ।” ମାଆ ପଚାରିଲେ “କାହିଁକି ?” ଶିଶୁଟି ଉତ୍ତର ଦେଲା, “ବିଦ୍ୟାଳୟରେ ସମସ୍ତେ ଚାହାନ୍ତି ମୁଁ ଅନର୍ଗଳ ଲେଖିପାରିବି ଓ ପଢ଼ିପାରିବି । କିନ୍ତୁ ମୋତେ ଲେଖି ଆସୁନି କି ପଢ଼ି ଆସୁନି । କେବଳ ଅନର୍ଗଳ କଥା କହିଆସୁଛି । ମାତ୍ର ଏହା ସେମାନଙ୍କ ପସନ୍ଦ ନୁହେଁ । ଏଣୁ ବିଦ୍ୟାଳୟକୁ ଯାଇ ଲାଭ କ’ଣ ?” ମାଆ କହିଲେ, “ତା’ହେଲେ ତୁ ବିଧାୟକ ବା ସାଂସଦ ହେବା ପାଇଁ ଯୋଗ୍ୟ ।” ଏକଥା ମନେ ପକାଇବାର ତାତ୍ପର୍ଯ୍ୟ ହେଉଛି ଯେ ସାଂସଦ ବା ବିଧାୟକ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ । ଖାଲି ଅନର୍ଗଳ କଥା କହିପାରୁଥିଲେ ହେଲା । ଏହି ଦୃଷ୍ଟିରୁ ସେହି ଶିଶୁ ଲେଖିପଢ଼ି ନ ପାରୁଥିଲେ ମଧ୍ୟ ବିଧାୟକ ବା ସାଂସଦ ଭାବରେ ନିର୍ବାଚନ ହୋଇଥିବାର ନଜିର ବି ଅଛି । ବହୁ ବ୍ୟକ୍ତି ଜେଲ୍ ଭିତରେ ଥାଇ ନିର୍ବାଚନ ଲଢ଼ିଛନ୍ତି ଓ ଜିତିଛନ୍ତି । ବହୁ ଅପରାଧରେ ଜଡ଼ିତ ହୋଇ ମଧ୍ୟ ଅନେକ ବିଧାୟକ ବା ସାଂସଦ ହୋଇଛନ୍ତି । ଅପରପକ୍ଷରେ ବିଦ୍ୱାନ୍, ସମ୍ୱିଧାନବିତ୍ ବ୍ୟକ୍ତି ମଧ୍ୟ ନିର୍ବାଚିତ ହୋଇପାରିନାହାନ୍ତି । ଓଡ଼ିଶାରେ ଶ୍ରୀରାମଚନ୍ଦ୍ର ଦାଶ, ବୈଦ୍ୟନାଥ ମିଶ୍ର ଭଳି ଜ୍ଞାନୀମାନେ ମଧ୍ୟ ବିଧାୟକ ଭାବରେ ନିର୍ବାଚିତ ହେବା ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି ।

ସମ୍ପ୍ରତି ଯୋଗ୍ୟତା ସମ୍ପର୍କରେ ଚିନ୍ତା କଲେ ବହୁଦିନ ତଳର ଏକ ଘଟଣା ମନେପଡ଼େ । ୧୯୮୦ ମସିହାର କଥା । ଚମ୍ୱଲ ଉପତ୍ୟକାରେ ଉପଦ୍ରବ କରୁଥିବା ଡାକୁମାନେ ସ୍ୱତଃପ୍ରବୃତ୍ତ ହୋଇ ଆତ୍ମସମର୍ପଣ କଲେ । ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ସୁଯୋଗ ଦେବା ନିମନ୍ତେ ସରକାର ବ୍ୟବସ୍ଥା ପ୍ରବର୍ତ୍ତନ କଲେ । ଦିନେ ମଧ୍ୟପ୍ରଦେଶର ଥାନା ଭିତରକୁ ଜଣେ ଯୁବକ ପଶିଆସିଲା ଓ ଧରିଥିବା ବନ୍ଧୁକଟିକୁ ତଳେ ଥୋଇ କହିଲେ, “ମୁଁ ଆତ୍ମସମର୍ପଣ କଲି । ମୋତେ ଯାହା ଦଣ୍ଡ ଦେବା କଥା ଦିଅନ୍ତୁ । ମାତ୍ର ପରବର୍ତ୍ତୀ ଜୀବନରେ ଶାନ୍ତ ଶିଶୁ ଭାବରେ କିପରି ବଞ୍ଚିବି ତା’ର ବ୍ୟବସ୍ଥା କରିଦିଅନ୍ତୁ ।” ପୋଲିସ୍ ଅଫିସର୍ ପୁଲକିତ ହେଲେ ଓ ଥାନାରେ ଥିବା ଡାକୁ ତାଲିକାଟିକୁ ତନ୍ନ ତନ୍ନ କରି ତା’ର ନାମଟିକୁ ଖୋଜିଲେ । ମାତ୍ର ନାମଟି ନ ପାଇବାରୁ ସେ କହିଲେ, “କାହିଁ ଦୁର୍ଦ୍ଧର୍ଷ ଡାକୁ ତାଲିକାରେ ତୁମ ନାମ ନାହିଁ । ତୁମେ କେତେ ଜଣକୁ ହତ୍ୟା କରିଛ ?” ଯୁବକଟି କହିଲା, “ଆଜ୍ଞା ! ମୁଁ କୌଣସି ହତ୍ୟାକାଣ୍ଡରେ ସମ୍ପୃକ୍ତ ନୁହେଁ । ମୁଁ କେବଳ ଲୁଟ୍ ପାଟ୍ କରେ । ମୋ ବିରୋଧରେ କୌଣସି ହତ୍ୟା ଅଭିଯୋଗ ନାହିଁ ।” ପୋଲିସ୍ ଅଫିସର୍ କହିଲେ, “ତୁମ ବିରୋଧରେ ଗୁରୁତର ଅଭିଯୋଗ ନଥିବା ହେଉଛି ଆମ ପାଇଁ ସମସ୍ୟା ।” ଯୁବକଟି କିଛି ବୁଝି ନ ପାରିବାରୁ ଅଫିସର୍ କହିଲେ, “ଶୁଣ ବାବୁ, ତୁମେ ଭୟଙ୍କର ଡାକୁ ପର୍ଯ୍ୟାୟରେ ଯିବ ନାହିଁ । ତୁମେ ଜଣେ ଅତି ସାଧାରଣ ଦସ୍ୟୁ  । ଦୁର୍ଦ୍ଧର୍ଷ ଡାକୁମାନଙ୍କ ପାଇଁ ସିନା ଆତ୍ମସମର୍ପଣ କଲେ ସରକାରୀ ବ୍ୟବସ୍ଥା ଅଛି । ତୁମ ପରି ଛୋଟ ଦସ୍ୟୁ ମାନଙ୍କ ପାଇଁ ସେ ସୁଯୋଗ ନାହିଁ ।” ପୋଲିସ୍ ମୁହଁରୁ ଏହା ଶୁଣି ଯୁବକଟି ବିଚଳିତ ହେଲା ଓ ପଚାରିଲା, “ଆଜ୍ଞା ! ତେବେ କ’ଣ ଯୋଗ୍ୟତା ପାଇଁ ମୋତେ ମଣିଷ ମାରିବାକୁ ପଡ଼ିବ ?” ଅଫିସର୍ ଏହି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ । ଯୁବକଟି ଗିରଫ୍ ହେଲା । ଯୋଗ୍ୟତା ସମ୍ପର୍କରେ ଏହି ଘଟଣା ହାସ୍ୟକର ମନେ ହୋଇପାରେ । ମାତ୍ର ରାଜନୈତିକ ଜୀବନରେ ଏହି ଶୈଳୀରେ ଯୋଗ୍ୟତା ନିରୂପିତ ହୁଏ । ସାଂସଦ ବା ବିଧାୟକ ହେବା ପାଇଁ ଉଚ୍ଚଶିକ୍ଷା ଯୋଗ୍ୟତାର ମାପକାଠି ହୁଏ ନାହିଁ । ଏହି ପଦ ପାଇଁ ପ୍ରାର୍ଥୀ ହେଲେ ଆନ୍ଦୋଳନ କରିପାରୁଥିବା ଦରକାର । ଆବଶ୍ୟକ ପଡ଼ିଲେ ଟେବୁଲ୍ ବାଡ଼େଇ ମାଇକ୍ ଛଡ଼େଇ ହୋ’ ହାଲ୍ଲା କରି, ନିଜ ନିଜ ଭିତରେ ମୁଥ ମରାମରି ହୋଇ, ଘଣ୍ଟ ଝାଞ୍ଜ ବଜାଇ ବିଧାନସଭାକୁ ଅଚଳ କରିପାରୁଥିବା ସାମର୍ଥ୍ୟ ଥିବା ଆବଶ୍ୟକ । ଏହା ହିଁ ଏହି ପଦ ପାଇଁ ଯୋଗ୍ୟତାର ମାପକାଠି ।

ଜନସାଧାରଣଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ନେତାଙ୍କ ବିଷୟରେ ବିଶିଷ୍ଟ କଥାକାର ମନୋଜ ଦାସ ଏକ ସୁନ୍ଦର ଉଦାହରଣ ଦେଇଛନ୍ତି । ଥରେ ଜଣେ ନେତା ନିର୍ବାଚନ ପ୍ରଚାରରେ ଆସି କହିଲେ, “ବିରୋଧୀମାନେ ପ୍ରଚାର କରୁଛନ୍ତି ମୁଁ କୁଆଡ଼େ ଏକ ଗୁଣ୍ଡା । ଏଠି ସିନା ସେମାନେ ମୋର ବଦନାମ କରୁଛନ୍ତି । ଥରେ ମୋ ଇଲାକାକୁ ଯାଇ ଏକଥା କୁହନ୍ତୁ, ସେମାନେ କେମିତି ଅକ୍ଷତ ଅବସ୍ଥାରେ ଫେରିବେ ଦେଖିବା ।” ନେତାଜଣକ ନିଜକୁ ଗୁଣ୍ଡା ନୁହେଁ ବୋଲି ପ୍ରମାଣ କରିବାକୁ ଯାଇ ଆଚରଣରେ ସେ ଜଣେ ଗୁଣ୍ଡା ବୋଲି ପ୍ରମାଣ କରିଦେଲେ । ମାତ୍ର ସେ ଥିଲେ ଜଣେ ନିଜକୁ ଯୋଗ୍ୟ ଭାବୁଥିବା ଜଣେ ନେତା । ନିର୍ବାଚନ ରଣାଙ୍ଗନରେ ଏହିଭଳି ନେତାମାନେ ବିଜୟୀ ହୋଇଥିବାର ଅନେକ ଦୃଷ୍ଟାନ୍ତ ବି ରହିଛି । ଅଭିନୟ କରିପାରିଲେ ନିର୍ବାଚନ ରଣାଙ୍ଗନରେ ଗୁଣୀ ଜ୍ଞାନୀ ବ୍ୟକ୍ତିଙ୍କୁ ମଧ୍ୟ ପଛରେ ପକାଇ ହୁଏ । କଥିତ ଅଛି, ଥରେ ଚାର୍ଲି ଚାପ୍ଲିନ୍‌ଙ୍କୁ ଅନୁକରଣ କରିବାରେ କିଏ କେତେ ସଫଳ ହେବ, ତାହା ଦେଖିବା ପାଇଁ ଏକ ପ୍ରତିଯୋଗିତା ହେଲା । ସେହି ପ୍ରତିଯୋଗିତାରେ ଅନେକ ଅଭିନେତା ଅଂଶ ଗ୍ରହଣ କଲେ । ମଜା ଦେଖିବା ନିମନ୍ତେ ସ୍ୱୟଂ ଚାପ୍ଲିନ୍ ବିଭିନ୍ନ ନାମରେ ପ୍ରତିଯୋଗିତାରେ ଭାଗ ନେଲେ । ପ୍ରତିଯୋଗୀମାନେ ଘରୁ ଚାପଲିନ୍ ଭଳି ବେଶରେ ସଜ୍ଜିତ ହୋଇ ଆସିଲେ । ବେଶଭୂଷା ଏତେ ପ୍ରାକୃତିକ ଥିଲା ଯେ ଅସଲ ଚାପ୍ଲିନ୍‌ଙ୍କୁ କେହି ଚିହ୍ନିପାରିଲେ ନାହିଁ । ପ୍ରତିଯୋଗିତା ସରିଲା । ମାତ୍ର ଚାପ୍ଲିନ୍‌ ଦ୍ୱିତୀୟ ସ୍ଥାନ ଅଧିକାର କଲେ, ଆଜି ଭାରତୀୟ ଗଣତନ୍ତ୍ରରେ ଏହିଭଳି ଅସଲି ନେତା ନିର୍ବାଚନରେ ହାରୁଛନ୍ତି ଓ ନକଲି ନେତା ଜିତୁଛନ୍ତି । ନିଜକୁ ଜଣେ ଆଦର୍ଶ ଓ ଉତ୍ସର୍ଗୀକୃତ ନେତା ଭାବରେ ଯିଏ ଯେତେ ସଫଳ ଅଭିନୟ କରିପାରୁଛି, ସେ ସେତେ ଯୋଗ୍ୟ ବିବେଚିତ ହେଉଛି । ସଫଳ ଅଭିନୟ ଆଜି ଯୋଗ୍ୟତାର ମାପକାଠି । ଜନତାଙ୍କ ପାଇଁ ସତକୁ ସତ ଲୁହ ଝରାଇ କ୍ୱଚିତ୍ ଲୋକ ନେତା ହୋଇପାରୁଛନ୍ତି । ମାତ୍ର ଲୁହ ଢାଳିବାର ଅଭିନୟ କରି ନିଜକୁ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ଅବସ୍ଥାପିତ କରି ଜନପ୍ରିୟ ହେଉଥିବା ନେତାଙ୍କ ସଂଖ୍ୟା ବେଶି । ମନେପଡ଼େ ଏକ ଘଟଣା । ଆମେରିକାରୁ ଫେରିଆସି ବିବେକାନନ୍ଦ ବେଲୁଡ଼ ମଠରେ ଏକ କୋଠରୀରେ ଶୋଇଥାନ୍ତି । ଐଶ୍ୱର୍ଯ୍ୟଶାଳୀ ଆମେରିକା ଦେଖିସାରିବା ପରେ ଭାରତରେ କ୍ଷୁଧାର୍ତ୍ତ ଦୁଃଖକ୍ଳିଷ୍ଟ ଜନସାଧାରଣଙ୍କ କଥା ଭାବି ଭାବି ରାତି ଅଧରେ ସେ ଲୁଚି ଲୁଚି କାନ୍ଦୁଥାନ୍ତି । ତା’ର ସାକ୍ଷୀ ଥିଲେ ସ୍ୱାମୀ ବିଜ୍ଞାନାନନ୍ଦ । ଅପର ପକ୍ଷରେ ଆଉ ଏକ କାହାଣୀ ଶୁଣାଯାଏ ରୋମ୍ ସମ୍ରାଟଙ୍କ ସମ୍ପର୍କରେ । ଦିନେ ସେ ହଠାତ୍ ଲୋକଙ୍କ ଦୁର୍ଦ୍ଦଶା ଭାବି କାନ୍ଦିବାର ପ୍ରେରଣା ଅନୁଭବ କଲେ । ଜଣେ ରାଜକର୍ମଚାରୀଙ୍କୁ ସେ କହିଲେ, “ମୂର୍ଖ ! ଦେଖୁଛ କ’ଣ ? ମୋ ଲୁହ ତଳେ ପଡ଼ି ନଷୁ ହେବା ପୂର୍ବରୁ ଧରି ରଖ ।” ରାଜକର୍ମଚାରୀଜଣକ ସୁନାର ଏକ ପାତ୍ର ନେଇ ଆସିଲା । ସୁନାର ପାତ୍ର ଆସିବାବେଳକୁ ଲୁହ ଆଖିରେ ଥିଲା କି ନା ସେ କଥା କାହାଣୀରେ କୁହାଯାଇନାହିଁ । ମାତ୍ର ସେତେବେଳେ ଯଦି କେମେରା ଥାନ୍ତା, ସମ୍ରାଟ୍ ନୀରୋ ନିଶ୍ଚୟ ଫଟୋ ଉତ୍ତୋଳନକାରୀ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ଅଶ୍ରୁପାତ କରିଥାନ୍ତେ । କାହାଣୀଟି ଅତିରଞ୍ଜିତ ହୋଇଥାଇପାରେ । ମାତ୍ର ଭାରତର ବହୁ ନେତା ଯେ ଏହି ଶ୍ରେଣୀୟ, ଏଥିରେ କୌଣସି ସନ୍ଦେହ ନାହିଁ ।

ଲୋକପ୍ରିୟ ଲେଖା

To Top