ପ୍ରବନ୍ଧ

ସାର୍ବଭୌମତ୍ୱର ମହୋତ୍ସବ ଗଣତନ୍ତ୍ର ଦିବସ

Shri Nihar Ranjan Sabat's Odia Prose Saarbabhoumatwara Mahotsaba Ganatantra Dibasa

ଚଳିତ ୨୦୨୬ ମସିହାରେ, ଭାରତୀୟ ଗଣତନ୍ତ୍ର ଦିବସ ଉତ୍ସବର ଥିମ୍ ବା ବିଷୟବସ୍ତୁ “ବନ୍ଦେ ମାତରମ୍” ଏବଂ “ଆତ୍ମନିର୍ଭର ଭାରତ” ଆମକୁ ଦୀକ୍ଷିତ ତଥା ଅଭିମନ୍ତ୍ରିତ କରିଥାଏ ଦେଶପ୍ରେମ ଏବଂ ଆତ୍ମନିର୍ଭରତାର ପବିତ୍ର ମନ୍ତ୍ରରେ ।

ପ୍ରତିବର୍ଷ ଜାନୁୟାରୀ ମାସ ଛବିଶ ତାରିଖ ପ୍ରଭାତରେ, ଭାରତର ଆକାଶରେ ଧର୍ମଚକ୍ର ବା ଅଶୋକ ଚକ୍ର ଦ୍ୱାରା ଏକତ୍ରିତ ତ୍ରିରଙ୍ଗା ପତାକା ନାରଙ୍ଗୀ ରଙ୍ଗ ଦ୍ୱାରା ବୀରତ୍ୱର, ସବୁଜ ରଙ୍ଗ ଦ୍ୱାରା ଆଶାର ଓ ଧଳା ରଙ୍ଗ ଦ୍ୱାରା ଶାନ୍ତିର ବାର୍ତ୍ତା ବହନ କରି ସଗୌରବେ ଫରଫର ହୋଇ ଉଡ଼ି ଏକ ଅପୂର୍ବ ଶୋଭା ସୃଷ୍ଟି କରିଥାଏ । ଏହି ଦିନ ଆମ ରାଷ୍ଟ୍ରର ହୃଦୟ ଏକତାଳରେ ସ୍ପନ୍ଦିତ ହୋଇଥାଏ, ସମ୍ବିଧାନର ଅମର ଶବ୍ଦଗୁଡ଼ିକ ହୃଦୟସ୍ପର୍ଶୀ ସାର୍ବଭୌମତ୍ୱର କବିତା ମାଧ୍ୟମରେ ହୋଇଥାଏ ପ୍ରତିଧ୍ୱନିତ । ଏହା ୧୯୫୦ ମସିହାର ସେହି ପବିତ୍ର ମୁହୂର୍ତ୍ତକୁ ସ୍ମରଣ କରେ ଯେବେ ଭାରତ, ଔପନିବେଶିକ ଶାସନର ଛାୟାରୁ ଉଭା ହୋଇ, ତାହାର ସମ୍ବିଧାନକୁ ପ୍ରତିଷ୍ଠା କରିଥିଲା, ଏକ ନବାଗତ ସ୍ୱାଧୀନ ଦେଶରୁ ଏକ ଉଜ୍ଜ୍ୱଳ ଗଣତନ୍ତ୍ରରେ ପରିବର୍ତ୍ତିତ ହୋଇଥିଲା ।

ଭାରତୀୟ ଗଣତନ୍ତ୍ରରର ମୂଳ ବହୁତ ଦୃଢ଼ ତଥା ସଂଗ୍ରାମର ଉର୍ବର ମାଟିରେ ଅନେକ ଗଭୀରତା ପର୍ଯ୍ୟନ୍ତ ପରିବ୍ୟାପ୍ତ । ଯଦିଓ ଭାରତ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ସ୍ୱାଧୀନତାର ଅମୃତ ପାନ କରିଥିଲା, ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଏହାର ନିଜ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ତାରିଖ ଆକସ୍ମିକ ନୁହେଁ; ଏହା ୧୯୩୦ ମସିହାର ଜାନୁଆରୀ ମାସ ୨୬ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସ ଘୋଷଣା କରିଥିବା “ପୂର୍ଣ୍ଣ ସ୍ୱାଧୀନତା” ଦାବି ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଗଣତନ୍ତ୍ର ଦିବସ, ଏହିପରି ଆକାଂକ୍ଷା ଏବଂ ବାସ୍ତବତା ମଧ୍ୟରେ ସେତୁ ସୃଷ୍ଟି କରି, କେବଳ ଭାରତୀୟ ଗଣତନ୍ତ୍ରର ଆଇନଗତ ଔପଚାରିକ ଅୟମାରମ୍ଭକୁ ସମ୍ମାନ ଦେଇ ନାହିଁ ବରଂ ତାହାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ତିତିକ୍ଷା, ସଂଘର୍ଷ ତଥା ମହାନ ଭାବନାକୁ ସମ୍ମାନିତ କରି ସେମାନଙ୍କ ଅବିନାଶୀ ଆତ୍ମାକୁ ମଧ୍ୟ ସମ୍ମାନ ଦିଏ ।

ଏହା ଭାରତୀୟ ଐତିହ୍ୟର ଅସଂଖ୍ୟ ରଙ୍ଗକୁ ଆକର୍ଷଣୀୟ ଭାବରେ ସଜ୍ଜିତ କରି ଧାରଣ କରିଥିବା ଏକ ସୁନ୍ଦର ପଟ୍ଟଚିତ୍ର । ବୈଶ୍ଵିକ ଅସ୍ଥିରତାର ଏହି ଯୁଗରେ ନିଜର ପ୍ରାସଙ୍ଗିକତାକୁ ଅବ୍ୟାହତ ରଖି ଏହା ଆମକୁ ମନେ ପକାଇଥାଏ ଯେ ଭାରତର ସମ୍ବିଧାନ ଏକ ଉଜ୍ଜ୍ୱଳ ଜ୍ୟୋତିର୍ମୟ ପ୍ରଦୀପ, ଯାହା ଅସମାନତା ଓ ବିଭାଜନ ପରି ଅବାଂଛିତ ପ୍ରତିବନ୍ଧକଗୁଡ଼ିକର ଉପସ୍ଥିତିରେ ମଧ୍ୟ ଉଚିତ ମାର୍ଗଦର୍ଶନ କରିଚାଲିଛି । ଜାତୀୟ ଗୌରବକୁ ବର୍ଦ୍ଧିତ କରି, ନାଗରିକମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରି, ସାମାଜିକ ସୌହାର୍ଦ୍ଦ୍ୟକୁ ସୁଦୃଢ଼ କରି ସାମୁହିକ ମୂଲ୍ୟବୋଧକୁ ଉତ୍ସବର ରୂପ ଦେଇଥିବା ଗଣତନ୍ତ୍ର ଦିବସ ହେଉଛି ଭାରତର ପରିଚୟର ହୃଦସ୍ପନ୍ଦନ, ଏକ ସାଂସ୍କୃତିକ ସୁମଧୁର ସ୍ୱର ଯାହା ଅତୀତର ପ୍ରତିଧ୍ୱନିକୁ ଭବିଷ୍ୟତର ପ୍ରତିଶ୍ରୁତି ସହିତ ସମନ୍ୱିତ କରେ ।

ଆଗାମୀ କାଲିର ଭବିଷ୍ୟତ ଆମର ଛାତ୍ରଛାତ୍ରୀମାନଙ୍କ ପାଇଁ ଗଣତନ୍ତ୍ର ଦିବସ ଏକ ପବିତ୍ର ମୁକ୍ତାକାଶ ଶ୍ରେଣୀକକ୍ଷ ସଦୃଶ । ଶିକ୍ଷାନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ ସମାରୋହ, ମୌଳିକ ଗଣତାନ୍ତ୍ରିକ ଅଧିକାର ଉପରେ ବିତର୍କ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୁଏ ଯାହା ପିଲାମାନଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରେ । ଏହା କେବଳ ଇତିହାସ ନୁହେଁ ବରଂ ସମ୍ବିଧାନକୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଏକ ଢାଲ ଭାବରେ ରକ୍ଷା କରିବା, ଅଧିକାର ସହିତ ଦେଶ ପ୍ରତି କର୍ତ୍ତବ୍ୟ ପାଳନ କରିବା ଏବଂ ଏକ ସମାବେଶୀ ଭାରତର ସ୍ୱପ୍ନ ଦେଖିବା ନିମନ୍ତେ ଶିକ୍ଷା ଦିଏ । ଶିକ୍ଷାଜଗତରେ, ଏହା ସାମ୍ବିଧାନିକ ବିବର୍ତ୍ତନ ଉପରେ ବୌଦ୍ଧିକ ଚିନ୍ତନକୁ ପ୍ରୋତ୍ସାହିତ କରେ, ଗବେଷଣାକୁ ପ୍ରେରଣା ଦିଏ ଯାହା ଗଣତନ୍ତ୍ରର ଭିତ୍ତିକୁ ସୁଦୃଢ଼ କରେ । ବ୍ୟବସ୍ଥାପକ, କାର୍ଯ୍ୟପାଳିକା, ନ୍ୟାୟପାଳିକା ଏବଂ ଗଣମାଧ୍ୟମ ପରି ଗଣତନ୍ତ୍ରର ଚାରି ସ୍ତମ୍ଭକୁ ଏହା ସେମାନଙ୍କ ଉତ୍ତରଦାୟିତ୍ୱ ବିଷୟରେ ଆଇନା ଦେଖାଇ ସଚେତନ କରାଇଥାଏ । ଏପରିକି ଦେଶର ଅର୍ଥ ବ୍ୟବସ୍ଥାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେସରକାରୀ ସଂଗଠନ ତଥା ଉଦ୍ୟୋଗଜଗତ ଗଭୀର ଶ୍ରଦ୍ଧା, ଉତ୍ସାହ ତଥା ଦେଶପ୍ରେମ ଭାବନା ସହିତ ଗଣତନ୍ତ୍ର ଦିବସ ପାଳନ କରି କର୍ମଚାରୀମାନଙ୍କ ମଧ୍ୟରେ ଏକତା, ବ୍ୟବସାୟିକ ନୈତିକତା ଏବଂ ଜାତୀୟ ପ୍ରଗତି ମଧ୍ୟରେ ସୃଷ୍ଟି କରୁଛନ୍ତି ଏକ ସୁନ୍ଦର ସମନ୍ୱୟ । ଏକ ସେତୁ ରୂପରେ ବ୍ୟକ୍ତିଗତ ଆକାଂକ୍ଷାକୁ ସାମୁହିକ ହିତ ସହିତ ଯୋଡ଼ି, ଗଣତନ୍ତ୍ର ଦିବସ ସମସ୍ତଙ୍କୁ ସ୍ମରଣ କରାଇଥାଏ ଯେ ଗଣତନ୍ତ୍ର ବିଚ୍ଛିନ୍ନତାରେ ନୁହେଁ ବରଂ ସାମୁହିକ ପ୍ରଚେଷ୍ଟା ତଥା ଇଚ୍ଛାଶକ୍ତିରେ ହୁଏ ବିକଶିତ ।

ସମୟର ପରିବର୍ତ୍ତନ ସହିତ, ଐତିହ୍ୟ ଓ ଆଧୁନିକତାର ଏକ ଗତିଶୀଳ ସମ୍ମିଶ୍ରଣରେ ଗଣତନ୍ତ୍ର ଦିବସ ଉତ୍ସବର କଳେବର ମଧ୍ୟ ବିକଶିତ ହୋଇଛି । ଅତୀତରେ, ଉତ୍ସବଗୁଡ଼ିକ ନୂଆଦିଲ୍ଲୀର ରାଜପଥ (ବର୍ତ୍ତମାନ କର୍ତ୍ତବ୍ୟ ପଥ)ରେ ଚିତ୍ତାକର୍ଷକ ପ୍ୟାରେଡ଼ରେ ଆଧାରିତ ଥିଲା । ପ୍ରଜ୍ଞାପନ ମେଢ଼ଗୁଡ଼ିକ ନିଜ ରାଜ୍ୟର କାହାଣୀ ବର୍ଣ୍ଣନା କରୁଥିଲେ, ଏବଂ ମହାମହିମ ରାଷ୍ଟ୍ରପତିଙ୍କର ସାଲ୍ୟୁଟ୍ ମନରେ ଉଦ୍ରେକ କରୁଥିଲା ଜାତୀୟତାବୋଧର ଗର୍ବିତ ଭାବନା । ଆଧୁନିକ ଯୁଗରେ, ଏହି ରୀତି ଭୌଗୋଳିକ ସୀମା ଅତିକ୍ରମ କରି ଡିଜିଟାଲ କ୍ଷେତ୍ରକୁ ଆଲିଙ୍ଗନ କରିଛି । ସାମାଜିକ ଗଣମାଧ୍ୟମରେ #ରିପବ୍ଲିକ ଡେ ହ୍ୟାସଟ୍ୟାଗ, ଭର୍ଚୁଆଲ ପ୍ୟାରେଡ଼ ଏବଂ ଲାଇଭ ଷ୍ଟ୍ରିମ ଦ୍ୱାରା ବିଦେଶରେ ଥିବା ପ୍ରବାସୀ ଭାରତୀୟମାନଙ୍କ ହୃଦୟ ଦେଶପ୍ରୀତିର ଭାବନାରେ ସ୍ପନ୍ଦିତ ହୋଇ ମାତୃଭୂମି ପ୍ରତି ସେମାନଙ୍କ ମନରେ ସୃଷ୍ଟି ହୋଇଥାଏ ଅହେତୁକ ମମତା, ଆକର୍ଷଣ ଏବଂ ଦାୟିତ୍ୱବୋଧ । ବିଶ୍ୱ ମିତ୍ରତାର ପ୍ରତୀକ ବିଦେଶୀ ମୁଖ୍ୟ ଅତିଥିମାନଙ୍କ ଉପସ୍ଥିତି ଏହାକୁ ସଜାଇଥାଏ କୂଟନୀତିକ ରଙ୍ଗରେ । ଚଳିତ ୨୦୨୬ ମସିହାରେ, ଭାରତୀୟ ଗଣତନ୍ତ୍ର ଦିବସ ଉତ୍ସବର ଥିମ୍ ବା ବିଷୟବସ୍ତୁ “ବନ୍ଦେ ମାତରମ୍” ଏବଂ “ଆତ୍ମନିର୍ଭର ଭାରତ” ଆମକୁ ଦୀକ୍ଷିତ ତଥା ଅଭିମନ୍ତ୍ରିତ କରିଥାଏ ଦେଶପ୍ରେମ ଏବଂ ଆତ୍ମନିର୍ଭରତାର ପବିତ୍ର ମନ୍ତ୍ରରେ ।

ମହିମାମଣ୍ଡିତ ଗଣତନ୍ତ୍ର ଦିବସର ସବୁଠାରୁ ମର୍ମସ୍ପର୍ଶୀ ଉପହାର ହେଉଛି ଏହାର ପ୍ରେରଣାଦାୟୀ ବାର୍ତ୍ତା । ଛାତ୍ର ସମାଜ ଉଦ୍ଦେଶ୍ୟରେ ଏହାର ବାର୍ତ୍ତା ହେଉଛି ଯେ ପୂର୍ବପୁରୁଷଙ୍କ ତ୍ୟାଗ ଏବଂ ଯନ୍ତ୍ରଣାରେ ପ୍ରାପ୍ତ ସ୍ୱାଧୀନତା ରୂପକ କୋମଳ ଫୁଲକୁ ଯତ୍ନ ସହକାରେ ସାଇତି ରଖ; ସମ୍ବିଧାନର ରକ୍ଷକ ଭାବରେ ଅନୁଶାସନ ଓ ସ୍ୱପ୍ନ ବିଜଡ଼ିତ ଏକ ନ୍ୟାୟପୂର୍ଣ୍ଣ ଆସନ୍ତାକାଲିର ନିର୍ମାତା ହୁଅ । ସମାଜ ନିମନ୍ତେ ଏହା “ବିବିଧତାରେ ଏକତା”ର ବାର୍ତ୍ତା ଦେଇଥାଏ, ଆମକୁ ଭ୍ରାତୃତ୍ୱର ଯଜ୍ଞକୁଣ୍ଡରେ ଜାତି, ଧର୍ମ ଓ ଶ୍ରେଣୀ ଭିତ୍ତିକ ବିଭେଦକୁ ଆହୁତି ଦେବାକୁ ଦେଇଥାଏ ପ୍ରେରଣା । ବିଶ୍ୱ ମାନବ ଜାତି ନିମନ୍ତେ, ଭାରତର ଗଣତନ୍ତ୍ର ଦିବସ ଏକ ଉଜ୍ଜ୍ୱଳ ବତୀଘର ଭାବରେ ଦଣ୍ଡାୟମାନ ହୋଇ ସ୍ୱେଚ୍ଛାଚାରୀତାର ଝଡ଼ଝଞ୍ଝାରେ ପୂର୍ଣ୍ଣ ସମୁଦ୍ର ମଧ୍ୟରେ ପ୍ରଦର୍ଶନ କରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପଥ । ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାବରେ, ଏହା ଆଶା ସୃଷ୍ଟି କରାଇ ବାର୍ତ୍ତା ଦିଏ ଯେ ବିବିଧତା କୋଳାହଳ ସୃଷ୍ଟି କରିବା ପରିବର୍ତ୍ତେ କୋଟିକୋଟି ଜନଗଣଙ୍କ ସ୍ୱରରେ ସମତା ଆଣିପାରେ ଯାହା ଦେଶର ଏକତା ତଥା ସଂହତି ପ୍ରତିଷ୍ଠା କରିବାରେ ହୋଇଥାଏ ଅନେକ ମାତ୍ରାରେ ସହାୟକ । ପରବର୍ତ୍ତୀ ପିଢ଼ିମାନଙ୍କ ନିମନ୍ତେ, ଏହାର ମହତ ସନ୍ଦେଶ ହେଉଛି ଯେ ଗଣତନ୍ତ୍ର ରୂପୀ ପ୍ରଦୀପକୁ ପ୍ରଜ୍ଜ୍ଵଳିତ କରି ରଖ, କାରଣ ତାହାର ଜ୍ୟୋତିରେ ପ୍ରତିଶ୍ରୁତି ରହିଛି ସମସ୍ତଙ୍କ ପାଇଁ ନ୍ୟାୟର ଏବଂ ଏକ ସୁନ୍ଦର ବିଶ୍ୱର ଯେଉଁଠାରେ ମାନବଜାତିର ସାମୁହିକ ସ୍ୱପ୍ନ ବିଭାଜନ ବିଭୀଷିକାର ଛାୟାକୁ କରେ ଦୂରୀଭୂତ ।

ପବିତ୍ର ଗଣତନ୍ତ୍ର ଦିବସର ସୁନ୍ଦର ପ୍ରଭାତରେ, ଆସନ୍ତୁ ସ୍ମରଣ କରିବା “ସ୍ୱାଧୀନତା ଏକ ଅଧିକାର ନୁହେଁ, ଏକ ଦାୟିତ୍ୱ; ଗଣତନ୍ତ୍ର ଏକ ଉପହାର ନୁହେଁ, ଏକ ପ୍ରତିଶ୍ରୁତି; ଏକତା ଏକ ସଂକଳ୍ପ ନୁହେଁ, ଏକ ସଂସ୍କୃତି ଏବଂ ପ୍ରଗତି ଏକ ଲକ୍ଷ୍ୟ ନୁହେଁ, ଏକ ଯାତ୍ରା । ”

ଜୟ ହିନ୍ଦ! ଭାରତ ମାତା କି ଜୟ!ବନ୍ଦେ ମାତରମ୍!

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top