ପ୍ରବନ୍ଧ

ଶିକ୍ଷା

ପ୍ଳୁତ ଠାରୁ ଅଧିକ ସମୟ ଉଚ୍ଚାରିତ ବୈଦିକ ଶବ୍ଦ “ଓ୩ମ୍’ । ଏଠାରେ ଓ ପରେ ୩ ଲେଖାଜିବାର ତାତ୍ପର୍ଯ୍ୟ ଓ…… ଦୀର୍ଘ ସମୟ ଉଚ୍ଚାରିତ ହୋଇ ମ୍ ପରେ ପାଟି ବନ୍ଦ କରିଦେଲେ ତାହା ମ୍ ହୋଇ ଶବ୍ଦଟି ଓ……ମ୍ ହେବ ।

ଶିକ୍ଷା

-: ପୂର୍ବରୁ :-

ଏକ ମାତ୍ରୋ ଭବେତ ହ୍ରସ୍ୱ, ଦ୍ୱିମାତ୍ରୋ ଦୀର୍ଘ ଉଚ୍ୟଚେ ।
ତ୍ରମାତ୍ରସ୍ତୁ ପ୍ଳୁତୋ ଜ୍ଞେୟା, ବ୍ୟଞ୍ଜନଂ ଚାର୍ଧମାତ୍ରକମ୍ ।।

ସାଧାରଣତଃ ୧ କହିବାକୁ ଯେତିକି ସମୟ ଲାଗେ, ସେହି ସମୟକୁ ଗୋଟିଏ ମାତ୍ରା କହନ୍ତି । ସେତିକି ସମୟରେ ଉଚ୍ଚାରିତ ବର୍ଣ୍ଣ ବା ଅକ୍ଷରକୁ ହ୍ରସ୍ୱ ସ୍ୱର, ବର୍ଣ୍ଣ ବା ଅକ୍ଷର କୁହାଯାଏ । ୧ ଓ ୨ କହିବାକୁ ଯେତିକି ସମୟ ଲାଗେ, ସେହି ସମୟକୁ ଦୁଇମାତ୍ରା କୁହାଯାଏ । ସେତିକି ସମୟରେ ଉଚ୍ଚାରିତ ବର୍ଣ୍ଣ ବା ଅକ୍ଷରକୁ ଦୀର୍ଘସ୍ୱର, ବର୍ଣ୍ଣ ବା ଅକ୍ଷର କୁହନ୍ତି । ୧,୨ ଓ ୩ କହିବାକୁ ଯେତିକି ସମୟ ଲାଗେ, ସେହି ସମୟକୁ ତିନି ମାତ୍ରା କୁହନ୍ତି । ସେତିକି କିମ୍ବା ତାହାଠାରୁ ଅଧିକ ସମୟ ଉଚ୍ଚାରିତ ଉଚ୍ଚାରିତ ସ୍ୱର, ବର୍ଣ୍ଣ ବା ଅକ୍ଷରହିଁ ପ୍ଳୁତ ସ୍ୱରରେ ଉଚ୍ଚାରିତ । ୧ କହିବାକୁ ଯେତିକି ସମୟ ଲାଗେ, ତାର ଅଧା ସମୟକୁ ଅର୍ଦ୍ଧମାତ୍ରା କୁହାଯାଏ । ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ଅର୍ଦ୍ଧମାତ୍ରାରେ ଉଚ୍ଚାରିତ ସ୍ୱର, ବର୍ଣ୍ଣ ବା ଅକ୍ଷର ଅଟନ୍ତି ।

ହ୍ରସ୍ୱ ଉଚ୍ଚାରିତ ସ୍ୱର, ବର୍ଣ୍ଣ ବା ଅକ୍ଷର ଗୁଡ଼ିକ ଯଥା – ଅ, ଇ, ଉ, ଋ । ଦୀର୍ଘ ଉଚ୍ଚାରିତ ସ୍ୱର, ବର୍ଣ୍ଣ ବା ଅକ୍ଷର ଗୁଡ଼ିକ ଯଥା – ଆ, ଈ, ଊ, ଏ, ଐ, ଓ, ଔ । ପୂର୍ବରୁ ପ୍ରଚଳିତ ଗୋଟିଏ ହ୍ରସ୍ୱ ବର୍ଣ୍ଣ ଓ ଦୁଇଟି ଦୀର୍ଘ ବର୍ଣ୍ଣରେ କୌଣସି ଶବ୍ଦ ନ ଥିବାରୁ ସେଗୁଡ଼ିକୁ ଆଜିକାଲି ବର୍ଣ୍ଣମାଳାରୁ ବାଦ୍ ଦିଆଯାଇଅଛି ।

ହ୍ରସ୍ୱବର୍ଣ୍ଣ ଇ, ଉ ଓ ଦୀର୍ଘବର୍ଣ୍ଣ ଈ, ଊ ଏହି ଦୁଇଯୋଡ଼ା ବର୍ଣ୍ଣର ଉଚ୍ଚାରଣ ଏକାପରି ହୋଇଥିବାରୁ ଏକମାତ୍ରା ଓ ଦୁଇମାତ୍ରାରେ ଉଚ୍ଚାରଣ ନ କଲେ ବର୍ଣ୍ଣାଶୁଦ୍ଧି ହେବାର ସମ୍ଭାବନା ବେଶୀ । ଅନ୍ୟ ବର୍ଣ୍ଣ ଗୁଡ଼ିକ ଯଥା – ଅ, ଆ, ଏ, ଐ, ଓ, ଔ ଏକ ବା ଦୁଇମାତ୍ରୀ ଯାହା ଉଚ୍ଚାରଣ କଲେ ମଧ୍ୟ ବର୍ଣ୍ଣାଶୁଦ୍ଧି ହେବାର ସମ୍ଭାବନା ଆଦୌ ନାହିଁ ।

ଆଜିକାଲିର ବିଦ୍ୟାଳୟର ଶିକ୍ଷକଗଣ ହ୍ରସ୍ୱ ଇ, ହ୍ରସ୍ୱ ଉ, ଦୀର୍ଘ ଈ, ଦୀର୍ଘ ଊ ; ଏହିପରି ପଢ଼ାଉ ଥିବାରୁ ଶିକ୍ଷାର୍ଥୀମାନଙ୍କର ବର୍ଣ୍ଣାଶୁଦ୍ଧି ହେଉଅଛି । ବୈଦିକ ଯୁଗର ଆଚାର୍ଯ୍ୟ (ଆଚରଣ ସିଦ୍ଧ ହୋଇଥିବାରୁ) ସେମାନେ ହ୍ରସ୍ୱ ବା ଦୀର୍ଘ ଏହିପରି ନ କହି, ହ୍ରସ୍ୱ/ଦୀର୍ଘ ଉଚ୍ଚାରଣ କିପରି, ତାହା ନିଜେ କରି ଶିକ୍ଷାର୍ଥୀଙ୍କୁ ଶିକ୍ଷା ଦେଉଥିଲେ । ଯଥା-ହ୍ରସ୍ୱ ଇ ଯୁକ୍ତ ଶବ୍ଦ “ଇଚ୍ଛା’ କହି ଦୀର୍ଘ ଈ ଯୁକ୍ତ ଶବ୍ଦ ଈଶ୍ୱର କୁ ଈ(ବେଶୀ ସମୟ ବା ଦୀର୍ଘ ସମୟ ଉଚ୍ଚାରଣ କରି ଅର୍ଥାତ ଏକ କହିବା ସମୟ ରେ ହ୍ରସ୍ୱ ଇ ଉଚ୍ଚାରଣ କରି, ଏକ ଦୁଇ ଉଚ୍ଚାରଣ କରିବା ସମୟ ପର୍ଯ୍ୟନ୍ତ ଦୀର୍ଘ ଈ କୁ ଉଚ୍ଚାରିତ କରି)ଶ୍ୱର କହୁଥିଲେ । ତେଣୁ ହ୍ରସ୍ୱ ଇ ଯୁକ୍ତ ଇଚ୍ଛା ଓ ଦୀର୍ଘ ଈ ଯୁକ୍ତ ଈ..ଶ୍ୱର ଶବ୍ଦ ଠିକ୍ ଉଚ୍ଚାରଣ ଯୋଗୁ ଠିକ୍ ଲେଖା ହୋଇ ପାରୁଥିଲା । ବର୍ଣ୍ଣାଶୁଦ୍ଧି ଆଦୌ ହେଉ ନ ଥିଲା । ସେହିପରି ଉଚିତ (ହ୍ରସ୍ୱ ଉ), ଊ..ହ୍ୟ (ଦୀର୍ଘ ଉ) ।

ହ୍ରସ୍ୱ ଉଚ୍ଚାରିତ ବର୍ଣ୍ଣ ଅ ଏବଂ ଦୀର୍ଘ ଉଚ୍ଚାରିତ ବର୍ଣ୍ଣ ଆ, ଏ, ଐ, ଓ, ଔ ଏଗୁଡ଼ିକର ଉଚ୍ଚାରଣରେ ହ୍ରସ୍ୱ ଓ ଦୀର୍ଘର ବ୍ୟତିକ୍ରମରେ ବର୍ଣ୍ଣାଶୁଦ୍ଧି ର ସମ୍ଭାବନା ଆଦୌ ନାହିଁ । କେବଳ ଇ, ଈ, ଉ ଏବଂ ଊ ଏହି ଚାରିଗୋଟି ବର୍ଣ୍ଣର ହ୍ରସ୍ୱ ଏବଂ ଦୀର୍ଘ ଉଚ୍ଚାରଣ ଠିକ୍ ନ ହେଲେ ବର୍ଣ୍ଣାଶୁଦ୍ଧି ହେବାର ସମ୍ଭାବନା ଅଧିକ ।

ଦୀର୍ଘଠାରୁ ଅଧିକ ଉଚ୍ଚାରିତ ପ୍ଳୁତ ଉଚ୍ଚାରିତ ସ୍ୱର, ଖୁବ୍ ଦୂରରେ ଥିବା ବ୍ୟକ୍ତି ବିଶେଷ ବା ଜନ୍ତୁକୁ ସମ୍ୱୋଧୀତ ବା ଆହ୍ୱାନ କରିବାରେ ବ୍ୟବହôତ ଯଥା – ହେ….. ରାମ ! ଏଠାକୁ ଆସ….. । ଜୀବଜନ୍ତୁଙ୍କ ଉଦ୍ଦେଶ୍ୟରେ ଆ….. ଆ….. ଇତ୍ୟାଦି । ପ୍ଳୁତ ଠାରୁ ଅଧିକ ସମୟ ଉଚ୍ଚାରିତ ବୈଦିକ ଶବ୍ଦ “ଓ୩ମ୍’ । ଏଠାରେ ଓ ପରେ ୩ ଲେଖାଜିବାର ତାତ୍ପର୍ଯ୍ୟ ଓ…… ଦୀର୍ଘ ସମୟ ଉଚ୍ଚାରିତ ହୋଇ ମ୍ ପରେ ପାଟି ବନ୍ଦ କରିଦେଲେ ତାହା ମ୍ ହୋଇ ଶବ୍ଦଟି ଓ……ମ୍ ହେବ । ଏହି ଏକାକାର ଶବ୍ଦଟିକୁ ଅନ୍ୟଭାବରେ ମଧ୍ୟ ଲେଖାଯାଏ । ମାତ୍ର ତାହା ଦ୍ୱାରା ତାହାର ଉଚ୍ଚାରଣ କିପରି ଜାଣିବା କଷ୍ଟକର । ସ୍ୱାମୀ ଦୟାନନ୍ଦ ସରସ୍ୱତୀ ପ୍ରଣିତ ପୁସ୍ତକ ମାନଙ୍କରେ “ଓ୩ମ୍’ ଲେଖାଯାଏ । ତୈତ୍ତିରୀୟ ଉପନିଷଦ ୩ୟବଲ୍ଲୀ ୧୦ମ ଅମୁବାକ୍ର ୫ମ ମନ୍ତ୍ରଟିରେ ହା୩ବୁ ହା୩ବୁ ହା୩ବୁ ର ପ୍ରଚଳନ ଅଛି । ଯାହା ହା……ବୁ ଏହିପରି ଉଚ୍ଚାରଣ ଦର୍ଶାଏ ଓ ଯାହାର ଅର୍ଥ ଆ……ଶ୍ଚର୍ଯ୍ୟ । ତେଣୁ ଠିକ୍ ଉଚ୍ଚାରଣ ପାଇଁ ଏପରି ଲେଖା ବେଶୀ ସମୀଚୀନ ।

ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକ ଅର୍ଦ୍ଧମାତ୍ରା ହୋଇଥିବାରୁ ସେ ଗୁଡ଼ିକ ଆପେ ଆପେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ । ବ୍ୟଞ୍ଜନବର୍ଣ୍ଣ ଯଥା କ୍, ଖ୍, ଗ୍, ଘ୍ ଇତ୍ୟାଦି । କେବଳ ବ୍ୟଞ୍ଜନବର୍ଣ୍ଣ ଉଚ୍ଚାରିତ ହୋଇ ନ ପାରିବାରୁ ସାଧାରଣତଃ ତାର ଶେଷରେ ଅ ଏହି ସ୍ୱର ବର୍ଣ୍ଣଟି ସଂଯୋଗ କରି କ (କ୍ ସହିତ ଅ) ଖ (ଖ୍ ସହିତ ଅ) ଗ (ଗ୍ ସହିତ ଅ) ଘ (ଘ୍ ସହିତ ଅ) କୁହାଯାଇଥାଏ । କେତେକ ଶେଷରେ ଅ କାର ଯୋଗ ନ କରି ପ୍ରଥମେ ବା ଆଦ୍ୟରେ ଯୋଗ କରି ଅକ୍, ଅଖ୍, ଅଗ୍, ଅଘ୍ ଏହିପରି କହିଥାଆନ୍ତି ।

ବର୍ତ୍ତମାନ ସଂସ୍କୃତ ଓ ହିନ୍ଦୀ ଭାଷାରେ “ବର୍ଗ୍ୟ ବ’ ର ପେଟରେ ଗୋଟିଏ ଗାର ଦିଆଯାଉଛି ଓ ଅନ୍ତଃସ୍ଥ ବ “ଅବର୍ଗ୍ୟ ବ” ମଧ୍ୟରେ ଗାର ରହୁନାହିଁ । ତେଣୁ “ବର୍ଗ୍ୟ ବ” କୁ ବ ଓ ଅବର୍ଗ୍ୟ ବ କୁ ୱ ଉଚ୍ଚାରଣ କରାଯାଉଛି । ମାତ୍ର ଓଡ଼ିଆ ଭାଷାରେ ପୂର୍ବରୁ ଅବର୍ଗ୍ୟ ବ କୁ ଜାଣିବା ପାଇଁ ତା ପେଟରେ ଏକ ବିନ୍ଦୁ ଦିଆଯାଉଥିଲା, ଯାହା ଆଜିକାଲିର ଅକ୍ଷରରେ ନାହିଁ । ତେଣୁ ଉଭୟର ଉଚ୍ଚାରଣଗତ ପାର୍ଥକ୍ୟ କିଛି ନାହିଁ । ଆମ ଭାଷାରେ “ବର୍ଗ୍ୟ ବ” ର ଶବ୍ଦ ଖୁବ୍ କମ୍ ଓ “ଅବର୍ଗ୍ୟ ବ” ଜନିତ ଶବ୍ଦ ଅଧିକ । ଅବର୍ଗ୍ୟ ବ ଘଟିତ ଶବ୍ଦ – ମାଧବ, ବାୟୁ, ବାକ୍, ପୃଥିବୀ, ଅବକାଶ, ସଂବାଦ (ସମ୍ୱାଦ ଅପଭ୍ରଂଶ), ଅବାନ୍ତର, ଆବରଣ, ବିନୟ, ବିଷ୍ଣୁ, ଅବିଶ୍ୱାସ, ଓ ବିଜ୍ଞାନ ଇତ୍ୟାଦି । “ବର୍ଗ୍ୟ ବ” ଜନିତ ଶବ୍ଦ – ବନ୍ଧୁ, ବନ୍ଧନ, ବାହୁ, ବହୁଳ, ବୃଦ୍ଧି, ବ୍ରହ୍ମ, ବ୍ରାହ୍ମଣ ଇତ୍ୟାଦି । କେତେକ ସ୍ଥଳରେ ଅବର୍ଗ୍ୟ ବ ମଧ୍ୟ ୱ ପରି ଲେଖା ହୁଏ । ୱାର, ୱାରିସ, ୱାରିଜା, ବେୱା, ରେଳୱେ ଇତ୍ୟାଦି । ହିନ୍ଦି ଭାଷାର ପୁରୁଣା ଓ ନୂଆ ଉଚ୍ଚାରଣରେ ମଧ୍ୟ ପାର୍ଥକ୍ୟ ଦେଖିବାକୁ ମିଳୁଛି । ଦେଶ ଶବ୍ଦର ହିନ୍ଦୀ “ଅବର୍ଗ୍ୟ ବ” ବତନ ଯାହାକୁ ୫୦ ବର୍ଷ ପୂର୍ବରୁ “ୱତନ” ଉଚ୍ଚାରଣ କରାଯାଉଥିଲା । ବର୍ତ୍ତମାନ “ବତନ” କୁହାଗଲାଣି, ଯାହାର ଉଚ୍ଚାରଣ ଠିକ୍ “ବର୍ଗ୍ୟ ବ” ପରି । ଭଗୱାନ ଓ ଭଗବାନ ମଧ୍ୟ ଉଚ୍ଚାରିତ ହେଉଛି ଯଦିଓ ଏହି ଶବ୍ଦର ବ ବର୍ଣ୍ଣଟି “ଅବର୍ଗ୍ୟ ବ” । ତେଣୁ ଅଭିଧାନ ଦେଖି “ବର୍ଗ୍ୟ ବ” କିମ୍ୱା “ଅବର୍ଗ୍ୟ ବ” ହିଁ ଜଣାଯାଏ । ତାହା ମଧ୍ୟ ବହୁ ସ୍ଥଳରେ ଠିକ୍ ନ ଥାଏ ।

ବିଷ୍ଣୁ ଶବ୍ଦଟି (ଅବର୍ଗ୍ୟ ବ୍ ଇ ଷ୍ ଣ୍ ଉ), ଯାହାର ଉଚ୍ଚାରଣ ୱିଷ୍ଣୁ ହେବା କଥା ମାତ୍ର ଏହା ବିଷ୍ଣୁ ଭାବରେ ବହୁଳ ପ୍ରଚଳିତ । ପୁଣି କେତେକ ଷ୍ଣୁ ନ କହି ଷ୍ଟୁ କହିଥାଆନ୍ତି, ଯେପରିକି ତାହ ଷ୍ ଟ୍ ଉ । ଏ ସମସ୍ତ ଉଚ୍ଚାରଣ ହିଁ ଆଚାର୍ଯ୍ୟଙ୍କ ଠାରୁ ଅବଗତ ହେବା ଦରକାର ।

ପୁଣି ଆମେ ଲେଖିଲା ବେଳକୁ ଲେଖୁ କାହ୍ନୁ (କ୍ ଆ ହ୍ ନ୍ ଉ) । ମାତ୍ର କହିଲା ବେଳକୁ କହୁ କାନ୍‌ହୁ (କ୍ ଆ ନ୍ ହ୍ ଉ)ଯାହା ଠିକ୍ ନୁହେଁ । ଠିକ୍ ଉଚ୍ଚାରଣ ହେବ କାହ୍ନୁ, ଅର୍ଥାତ ପ୍ରଥମେ ହ୍ ପରେ ନ୍ ।

ସେହିପରି ଜିହ୍ୱା ତାଲୁକୁ ସ୍ପର୍ଶ କରି ତାଲବ୍ୟ ବର୍ଣ୍ଣ, ଜିହ୍ୱା ମୂର୍ଦ୍ଧାକୁ ସ୍ପର୍ଶ କରି ମୂର୍ଦ୍ଧନ୍ୟ ବର୍ଣ୍ଣ ଏବଂ ଜିହ୍ୱା ଦନ୍ତକୁ ସ୍ପର୍ଶ କରି ଦନ୍ତ୍ୟ ବର୍ଣ୍ଣ ଉଚ୍ଚାରିତ । କେବଳ ତାଲବ୍ୟ “ଶ’, ମୂର୍ଦ୍ଧନ “ଷ’ ଓ ଦନ୍ତ୍ୟ “ସ’ ଏହି ୩ ବର୍ଣ୍ଣର ୩ ଗୋଟି ଶଷସ କୁ ଛାଡ଼ିଦେଲେ ଅନ୍ୟ ଅକ୍ଷର ଗୁଡ଼ିକ ଓଲଟ ପାଲଟ ହେଲେ ବର୍ଣ୍ଣାଶୁଦ୍ଧି ବା ଶବ୍ଦର ଅର୍ଥରେ ପାର୍ଥକ୍ୟ ହୁଏ ନାହିଁ । ମାତ୍ର ଏହି ୩ଗୋଟି “ଶ” “ଷ” “ସ” ର ଠିକ୍ ଉଚ୍ଚାରିତ ନ ହେଲେ ବର୍ଣ୍ଣାଶୁଦ୍ଧି ନିଶ୍ଚୟ ହେବ ।

ପଦ ମଧ୍ୟେ ପଦାନ୍ତେ ଚ “ଯ’ କାର “ୟ’ ଉଚ୍ୟତେ ।

“ଅବର୍ଗ୍ୟ ଯ” ଶବ୍ଦର ଆଦ୍ୟରେ ରହିଲେ “ଯ” ଉଚ୍ଚାରିତ ହୁଏ । ଅନ୍ୟତ୍ର ରହିଲେ “ୟ” ଉଚ୍ଚାରିତ ହୁଏ । ଯଥା – ଯତି, ଯମ, ଯାନ, ଯାତାୟତ, ଯାମ, ଯାମିନୀ, ନିୟତ, ନିୟମ, ପ୍ରୟାଣ, ବିଷୟ, ଆଶ୍ରୟ, । ମାତ୍ର କେତେକ ସ୍ଥଳରେ ଏହାର ବ୍ୟତିକ୍ରମ ମଧ୍ୟ ଦେଖାଯାଏ -ନିଯୁକ୍ତି, ପ୍ରଯୁକ୍ତ, ସଂଯୁକ୍ତ ଇତ୍ୟାଦି । କେତେକ “ଅବର୍ଗ୍ୟ ଯ” କୁ “ଅନ୍ତସ୍ଥ ଯ” ମଧ୍ୟ କହନ୍ତି । ଶବ୍ଦର ଆଦ୍ୟରେ ଥିବା “ଳ”ର ଉଚ୍ଚାରଣ “ଲ” (ହେବା ସଙ୍ଗେ ସଙ୍ଗେ “ଳ”ର ଏକ ଲାଞ୍ଜ ମଧ୍ୟ ଲେଖାଯାଏ) । ଯଥା ଲବ, ଲବଣୀ, ଲଗାଣ, ଲାଭ, ଲୁଣ, ଲେଶ, ଲୋଭ ଇତ୍ୟାଦି ।

ସ୍ଥଳ ବିଶେଷରେ ଆଦ୍ୟରେ ନ ଥାଇ ମଧ୍ୟ “ଳ” ନ ହୋଇ “ଲ” ଉଚ୍ଚାରିତ ହୁଏ । ଯଥା-କଲମ, ମୂଲ୍ୟ, ସଲସଲ, ଅଲଗା ଓ ଅଲଣା ଇତ୍ୟାଦି ।

ଳ ଫଳା (୍ଳ ) ହ ସହିତ ଯୁକ୍ତ ହେଲେ ଲ ଉଚ୍ଚାରିତ ହୁଏ ମାତ୍ର ଅନ୍ୟ ବର୍ଣ୍ଣ ସହିତ ଯୁକ୍ତ ହେଲେ “ଳ” ଉଚ୍ଚାରିତ ହୁଏ ।
ଯଥା – ଆହ୍ଲାଦ, ପ୍ରହ୍ଲାଦ, ହ୍ଲାଦିନୀ
ଅନ୍ୟତ୍ର – କ୍ଳାନ୍ତ, ଗ୍ଳାନି, ପ୍ଳାବନ, ବିପ୍ଳବ, କ୍ଳୀବ

ଶବ୍ଦର ଆଦ୍ୟରେ ରହିଲେ “ଡ” ଏବଂ “ଢ” ସେହିପରି ଉଚ୍ଚାରିତ ହୁଅନ୍ତି । ଯଥା – ଡାକରା, ଡଙ୍କ, ଡଙ୍ଗା, ଡମ, ଢମ, ଢିପ ଅନ୍ୟତ୍ର ରହିଲେ ଡ ଏବଂ ଢ “ଡ଼’ ଏବଂ “ଢ଼’ ଆକାରରେ ଲେଖା ହୁଏ ଓ ଉଚ୍ଚାରିତ ହୁଏ । ଯଥା – ଅଡ଼ୁଆ, ଅଖାଡ଼ୁଆ, ଗଡ଼, ପଇଡ଼, ବଡ଼, କଢ, ଗଢ଼, ଦୃଢ଼ ଇତ୍ୟାଦି । ଡ ଏବଂ ଢ ପୁଣି ଡ଼ ଏବଂ ଢ଼ ର ଉଚ୍ଚାରଣର ପାର୍ଥକ୍ୟ ଲକ୍ଷଣୀୟ ।

– ତା’ପରେ –

ଲୋକପ୍ରିୟ ଲେଖା

To Top