ଜୀବନ, ଅଶାନ୍ତ ସମୁଦ୍ରରେ, ଅକାତ କାତ ପାଣିରେ ଆଗକୁ ବଢିଚାଲିଥିବା ବୋଇତ ପରି। ଆମେ କେବେ ବି ଜାଣନ୍ତିନି ଯେ କେବେ ଆମ ଜୀବନର କଣ ବଦଳି ଯିବ। ଏହି ବଦଳିବା ପ୍ରକ୍ରିୟା ହିଁ ହେଉଛି ଜୀବନର ସବୁଠାରୁ କୌତୁହଳପ୍ରଦ ବିଷୟ। ଆମେ କେବେ ବି ଏହାକୁ ଏକ ସଠିକ, ଯୋଜନାବଦ୍ଧ ପଥ ଦେଇ ଆଗକୁ ବଢେଇ ପାରିବା ନାହିଁ। ଏହା ପ୍ରତି ସମୟରେ ବଦଳିଥାଏ ଓ, ଯୋଜନା ଅନୁସରଣ କରି ନଥାଏ। ତୀଖ ପର୍ବତରୁ ଆରମ୍ଭ ହୋଇ, ବନ୍ଧୁର ପ୍ରସ୍ତର ପଥ ଦେଇ ଯେପରି ଝରଣା ବଢିଚାଲିଥାଏ ନିଜ ଲକ୍ଷ୍ୟସ୍ଥଳ ସମୁଦ୍ର ନିକଟକୁ, ଠିକ ସେହିପରି ମନୁଷ୍ୟ ମଧ୍ୟ ଜୀବନ ରୂପକ ଜଟିଳ ପଥକୁ ଅତିକ୍ରମ କରେ। ବୋଧ ହୁଏ ମୋ ଚିନ୍ତାଧାରା ଭୁଲ ହେଇପାରେ, ମାତ୍ର ଜୀବନ ମଧ୍ୟ ଏକ ଝରଣା ପରି। ଅନେକ କଷ୍ଟ, ଯନ୍ତ୍ରଣା ସହି ମଧ୍ୟ ମାନବ ନିଜ ଲକ୍ଷ୍ୟ ପଥରେ ବଢିଚାଲିଥାଏ। ଯେତେ ଝଡ ଝଞ୍ଜା ଆସିଲେ ମଧ୍ୟ ମଣିଷ ନିଜ ପଥରୁ ବ୍ୟତିକ୍ରମ ହୁଏନାହିଁ।
ତେବେ ଏହି ଲକ୍ଷ୍ୟ ପଥରେ ଚାଲିବା ବେଳେ ମଣିଷ କିଛି ଭୁଲିଯାଏନି ତ ? କେବେ ଆପଣଙ୍କୁ ଲାଗିଛି କି ନିଜ ଲକ୍ଷ୍ୟର ଅନୁସନ୍ଧାନ ରେ ଆପଣ ନିଜ ମଧ୍ୟରେ କୌଣସି ପ୍ରତିଭା କିମ୍ବା ଉତ୍ସାହକୁ ହଜେଇ ଦେଇନାହାନ୍ତି ତ ? ତେବେ ସେ କଥାର ଗହ୍ୱର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ କିଛି ନିତିଦିନ ଦେଖୁଥିବା ଘଟଣା ଉପରେ କିଛି ଚର୍ଚ୍ଚା କରିବି। ସମସ୍ତଙ୍କ ପାଇଁ ସାଧାରଣ କଥା ଯେ ଆମେ ସକାଳୁ ଉଠିବା, ଗାଧୋଇବା, ଜଳଖିଆ କରି ଖାଇବା, ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା, ସନ୍ଧ୍ୟାରେ ଘରକୁ ଫେରିବା, ସପିଂ କରିବା କିମ୍ବା ସାଙ୍ଗ ସାଥୀଙ୍କ ସହ ବାର୍ତ୍ତାଳାପ କରିବା, ଏକ ସ୍ୱାଦିଷ୍ଟ ରାତ୍ରିଭୋଜନ କରିବା, ଘର ଲୋକଙ୍କ ସହ ବସି ଟିଭି ଦେଖିବା ବା କିଛି କଥାବାର୍ତ୍ତା ଓ ପରେ ଶୋଇବାକୁ ଯିବା। ମାତ୍ର ମନରେ ସ୍ଵତଃ ପ୍ରଶ୍ନ ସୃଷ୍ଟି ହୁଏ,
“କଣ ଜୀବନ ପ୍ରକୃତରେ ଏଇ କିଛି କଥା ମଧ୍ୟରେ ସୀମିତ ?”
ମୋ ପାଇଁ ମୁଁ ଜଣେ ଛାତ୍ର, ମୋର ଡିଗ୍ରୀ ଅନୁସରଣ କରୁଛି | ମୋ ଜୀବନରେ ମୋର ସେତେ ଅଭିଜ୍ଞତା ନାହିଁ କିନ୍ତୁ ଏହି ସବୁ ତଥ୍ୟ ଯାହା ମୁଁ ସମାଜରୁ ଦେଖେ | ମୁଁ ସବୁବେଳେ ଅନୁଭବ କରେ ଯେ ଲୋକମାନେ ସେମାନଙ୍କ ଜୀବନରେ କିଛି ହରାଉଛନ୍ତି | ସେମାନେ ନିଜ ଜୀବନକୁ ଆରାମଦାୟକ କରିବା ପାଇଁ, କିଛି ଆବଶ୍ୟକତା ପାଇଁ ଟଙ୍କା ରୋଜଗାର କରନ୍ତି | କିନ୍ତୁ ଶୀଘ୍ର ଏହି ଆବଶ୍ୟକତା ଏକ ପାଗଳାମି ହୋଇଯାଏ | ମୁଁ ଏହା ଲେଖିବା ବେଳକୁ, ମୁଁ ଜାଣେ ନାହିଁ ଯେ ମୁଁ ମଧ୍ୟ ସେପରି ହେବି, କି ଆହୁରି ଖରାପ ମଧ୍ୟ ହୋଇପାରେ | ବୋଧହୁଏ ମୋର ଆବେଗ ପାଇଁ କେବେବି ସମୟ ପାଇବ ନାହିଁ | କିମ୍ବା ମୁଁ ମୋ ପରିବାର ପାଇଁ ସମୟ ଯୋଗାଇବାରେ ବିଫଳ ହେବି | କିନ୍ତୁ ସମାଜର ବିଚାର କରିବାବେଳେ, ଆପଣ ନିଶ୍ଚିତ ଭାବରେ ଜାଣିବେ ଯେ ଆପଣ ମଧ୍ୟ ଏହାର ଏକ ଅଂଶ ଅଟନ୍ତି | ତେଣୁ, ମୁଁ ସ୍ୱୀକାର କରେ, ମୁଁ ମଧ୍ୟ ସମାନ ହୋଇପାରେ। ମୋର ବି ଭବିଷ୍ୟତ ରହିଛି ଓ ମୁଁ ବି ମଧ୍ୟ ଏକ ସମୟରେ ପରିବାର ତଥା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମନଯୋଗ ଦେବି। ମୁଁ କାହାର ସମାଲୋଚନା କରିବାକୁ ଚାହୁଁନି ମାତ୍ର ମୁଁ ସମାଜରେ ଏପରି କିଛି ତଥ୍ୟ ଉପରେ ଆଲୋକପାତ କରିବାକୁ ଚାହୁଁଛି। ତେବେ ମୁଁ ବିଜ୍ଞ ପାଠକପାଠିକାବୃନ୍ଦଙ୍କ ଠାରୁ ସମ୍ୟକ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିବି।
ତେବେ ମନରେ ସ୍ୱତଃପ୍ରବୃତ୍ତ ଏକ ପ୍ରଶ୍ନ ଆସେ, “ଏହି ଟଙ୍କାପଇସାର ଲୋଭ ତଥା ବସ୍ତୁବାଦୀ ମନୋଭାବ ହିଁ କଣ ଜୀବନର ମୂଳ ଲକ୍ଷ୍ୟ?” ନିଶ୍ଚିତ ଭାବେ ଅନେକ ନା ଉତ୍ତର ଦେବେ। ମାତ୍ର ପାଖାପାଖି ଶତକଡା ୯୯% ଲୋକ ଜାଣତରେ ବା ଅଜାଣତରେ ହିଁ ଏହି କାର୍ଯ୍ୟ କରନ୍ତି। ତେବେ ଏହି ବସ୍ତୁବାଦିତା କେତେକ ସମୟରେ ଠିକ ମଧ୍ୟ ଲାଗେ। ତାର କାରଣ ହେଲା, ପ୍ରତି ମଣିଷ ଚାହେଁ ଯେ ସେ ଓ ତାର ପରିବାର କେମିତି ସୁଖରେ ରହୁ, ଭଲମନ୍ଦ କିଛି ଖାଉ ଓ ଆରାମଦାୟକ ଜୀବନଟିଏ ବଞ୍ଚୁ। ଆମେ କେବଳ ଆମ ନିଜ ପିଢ଼ି ପାଇଁ ସଞ୍ଚୟ କରୁନା, ଆମେ ନିଜ ସହ ଆମ ପରବର୍ତ୍ତୀ ୨ ରୁ ୩ ପିଢ଼ି ଯାଏ ସଞ୍ଚୟ କରିଥାଉ। ଆମେ କେବେ ବି ଚାହୁଁନା ଯେ ଆମ ପିଲାଛୁଆ କେବେ ଅସୁବିଧାରେ ରୁହନ୍ତୁ କିମ୍ବା ଆମ ସନ୍ତାନ ଆମକୁ କେବେ ଏମିତି ନ କହୁ ଯେ, “ଆମ ବାପା ମା ଆମ ପାଇଁ କଣ କରିଥିଲେ କି ?” ତେବେ ଏ ପ୍ରକାର କଟାକ୍ଷରୁ ବଞ୍ଚିବା ତଥା ଲୋକଲଜ୍ୟା ନିବାରଣ ପାଇଁ ଆମେ ଟଙ୍କା ସଞ୍ଚୟ କରୁ। ମାତ୍ର ଏହି ସଞ୍ଚୟ ବେଳେ ବେଳେ ଏକ ପ୍ରକାର ନିଶା ହୋଇଯାଏ। ଆମେ ଅର୍ଥ ପାଇଁ ଅନେକ ପନ୍ଥା ଅନୁସରଣ କରୁ। ସାଧାରଣ ଅର୍ଥ ଉପାର୍ଜନ ପ୍ରକ୍ରିୟାକୁ ଛାଡିଦେଲେ ଏ ସମାଜରେ ଦୁର୍ନୀତିର ବି ପନ୍ଥା ଦେଖିବାକୁ ମିଳେ। ଆଉ ଏମିତି ବି ଲୋକ ଦେଖାଯାଆନ୍ତି ଯେଉଁମାନେ ସେହି ପନ୍ଥା ଅନୁସରଣ କରନ୍ତି। ତେବେ ମୋ ମନରେ ଏକ ପ୍ରଶ୍ନ ଉଠେ ଯେ, “ଜଣେ ମଣିଷକୁ ବଞ୍ଚିବା ପାଇଁ କେତେ ଅର୍ଥ ଯଥେଷ୍ଟ?”ଯଦିବା ସେ ଇହଧାମ ତ୍ୟାଗ କଲା ପରେ ସେ ଅର୍ଥ ବି ତାର ନୁହଁ, ହେଲେ ବି ସେ ଅଧିକ ଅର୍ଥ ପାଇବାକୁ ଅଧ୍ୟବସାୟ କରେ ଓ ବେଳେବେଳେ ଦୁର୍ନୀତିକୁ ମଧ୍ୟ ନିଜ ପନ୍ଥା ରୂପେ ଗ୍ରହଣ କରେ। ତେବେ ସେ କେତେ ଯଥେଷ୍ଟ, ତାର ଉତ୍ତର ମଧ୍ୟ ନାହିଁ ମୋ ପାଖରେ। ହେଲେ ଆଜିକାଲି ଯେହେତୁ ଆଜିକାଲି ଦୁନିଆରେ ସାମାନ୍ୟ ନିଆଁ ଟିକେ ପାଇଁ ଯେଉଁଠି ଦିଆସିଲି ବାକ୍ସ ଖଣ୍ଡେ ନ କିଣିଲେ ଅଚଳ ସେଠି ଅର୍ଥର ମୂଲ୍ୟ କେତେ କହିବାର ଆବଶ୍ୟକତା ନାହିଁ ବୋଧହୁଏ। ତେବେ ଆମ ପ୍ରଶ୍ନକୁ ଫେରିଯିବା।
“ଆପଣଙ୍କ ଜୀବନରେ କେବେ କିଛି ମନଲୋଭା ବସ୍ତୁ ବା ମଣିଷକୁ ହରାଇଛନ୍ତି କି?”
ସେ ହୁଏତ ଆପଣଙ୍କ କର୍ତ୍ତବ୍ୟ ପାଇଁ ହେଉ ଅଥବା ପାରିବାରିକ ଚାପ ପାଇଁ ହେଉ। ହେଇପାରେ ସେ ଆପଣଙ୍କ ପ୍ରିୟତମ ବା ପ୍ରିୟତମା ହେଇପାରନ୍ତି କିମ୍ଭା ଏକ ଅନ୍ତର୍ନିହିତ ପ୍ରତିଭା ହେଇପାରେ ଯାହାକୁ ଆପଣ କେବେ ପରିପ୍ରକାଶ କରିପାରିନାହାନ୍ତି। କିଛି ସମୟରେ ଚାକିରୀର ଆବଶ୍ୟକତା, ପାରିବାରିକ ଚାପ କିମ୍ବା ଅସଫଳ ହେବାର ଭୟ ଆମକୁ ଆମର ଉତ୍ସାହ ଆମକୁ ନିଜ ପ୍ରେମ ତଥା ଉତ୍ସାହ ଠାରୁ ଦୁରେଇ ନେଇଥାଏ। ତେବେ ବସ୍ତୁବାଦିତାକୁ ଛାଡି ମଧ୍ୟ ଆହୁରି ଅନେକ ବସ୍ତୁ ଅଛି ଯାହା ମଣିଷ ପାଇଁ ଆବଶ୍ୟକ। ହେଲେ ବସ୍ତୁବାଦିତା ଓ ମଣିଷତ୍ୱ ଭିତରୁ ଆମେ ସବୁ ସମୟରେ ବସ୍ତୁବାଦିତାକୁ ହିଁ ବାଛିଥାଉ। ଏହା ଆପଣଙ୍କ କିମ୍ବା ଆପଣଙ୍କ ସଂସ୍କାରର ଭୁଲ ନୁହଁ, ଏହା ମାନବିକ ଚିନ୍ତାଧାରା ଓ ପ୍ରଗତିଶୀଳ ସମାଜର ଏକ ବଡ ସତ୍ୟ। ତେବେ କହିବାକୁ ଗଲେ ଆମେ ବସ୍ତୁବାଦିତା ଓ ଜୀବନରେ ସଫଳ ହେବା ପାଇଁ ଚେଷ୍ଟା କରି ନିଜ ପ୍ରତିଭା, ନିଜ ପ୍ରେମ ଓ ସର୍ବୋପରି ନିଜ ଇଚ୍ଛା କରିବାର ଶକ୍ତି କୁ ହରାଇବସନ୍ତି। ନିଜ ପରିବାର ତଥା ଆଗାମୀ ପିଢ଼ି ପାଇଁ ସଞ୍ଚୟ କରୁ କରୁ ଆମେ ନିଜ ପାଇଁ କିଛି କରିବାକୁ ଭୁଲିଯାଆନ୍ତି। ଏକ ସମୟରେ ଯେଉଁ ମନ କେବେ ଉଡ଼ାଜାହାଜରେ ବସି ଉଡିବା କଥା ଭାବୁଥିଲା, ଆଜି ସେ କାଠ ଚେୟାର ଖଣ୍ଡିକରେ ବସି ଘର ର ଖର୍ଚ୍ଚ ହିସାବ କରୁଛି। ଯିଏ କେବେ ସଜେଇ ହୋଇ ଦୁନିଆ ଆଗରେ ନର୍ତ୍ତକ ନାୟକର ନାୟିକା ହେବାର ସ୍ବପ୍ନ ଦେଖୁଥିଲା, ସେ ଆଜି ଫୋନରେ ଗୀତ ଲଗେଇ, ଛୁଆ କାଖେଇ ରୋଷେଇ ଘରେ ଭଜା ଭାଜୁଛି। ତେବେ କଣ ଏହା ହିଁ ଜୀବନ ମାଗେ। ନା ଏହାହିଁ ଆମର ଭାଗ୍ୟ। ଯେବେ ସେ ମହାପୁରୁଷ ଲେଖିଥିଲେ ଯେ, “ମଣିଷ ତା ଭାଗ୍ୟ ନିଜେ ଲେଖେ।” ସେଥିରେ ତିଳେମାତ୍ର ଭୁଲ ନଥିଲା। ଆମେ ଆଜି ଯାହା ବି କରୁଛନ୍ତି ତାହା ଆମର ପୂର୍ବ ଅର୍ଜିତ କର୍ମର ଫଳ। ଆଉ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ ଜଣେ ଚାହିଁଲେ ତାକୁ ପରିବର୍ତ୍ତନ କରିପାରିବ। ହେଲେ ଆଜିକାଲି ର ଦୁନିଆ ଯେଉଁ ସ୍ଥିତିରେ ଆସି ପହଞ୍ଚିଲାଣି, ସେଥିରେ ଏହି ପରିବର୍ତ୍ତନ କେହି ଆଣିବାକୁ ଚାହଁନ୍ତିନି। ତାର କାରଣ ହେଲା, ଆଜିକାଲି ଯୁଗରେ ଅର୍ଥର ପ୍ରାଦୁର୍ଭାବ। ହେଇପାରେ ଅର୍ଥ ଆମ କିଣାବିକାର ଜରିଆକୁ ବଦଳେଇ ଦେଇଛି, ହେଲେ ସେ ଗୋଟେ ବଡ ସମସ୍ୟା ସୃଷ୍ଟି କରିଛି ଏଇ ମଣିଷ ପାଇଁ। ସେ ମନୁଷ୍ୟର ମନୁଷ୍ୟତ୍ୱକୁ କିଣାବିକାର ଧାରାରେ ବିକି ଦେଇଛି।
ହେଇପାରେ ଏମିତି ବି ଲୋକ ଥାଇପାରନ୍ତି ଯେଉଁମାନେ ମୋ ସହ ରାଜି ନ ହେଇପାରନ୍ତି, ହେଲେ ଏହା ହିଁ ସତ୍ୟ। ଓ ତାର ଏକ ନିଚ୍ଛକ ଉଦାହରଣ ହେଲା “ଲାଞ୍ଚ”। ଜଣେ ଅଧିକାରୀ ମାସକୁ ୬ ଅଙ୍କ ବିଶିଷ୍ଟ ଦରମା ପାଇ ମଧ୍ୟ ଲାଞ୍ଚ ନେବାକୁ କୁଣ୍ଠାବୋଧ କରନ୍ତିନି ଓ ଲାଞ୍ଚ ନେଲାବେଳେ ମଣିଷର ସ୍ଥିତି, ପରିସ୍ଥିତି ଦେଖନ୍ତିନି। ସେ ମହାପୁରୁଷ ସଠିକ କଥା କହିଥିଲେ,”ଅର୍ଥ ହିଁ ଅନର୍ଥ ର ମୂଳ।”
ତେବେ ଏତେ ଅର୍ଥ ପାଇଁ ଆମେ ଦିନରାତି ଲଗେଇ ପାଉଛନ୍ତି କଣ? ଆମେ ଏହି ଭବିଷ୍ୟ ଚିନ୍ତା କରି ଆମର ବର୍ତ୍ତମାନ ର ଇଚ୍ଛାକୁ ଜଳାଞ୍ଜଳି ଦେଇଦେଉଛନ୍ତି । କିଛି ବ୍ୟକ୍ତି ନିଜ ଇଚ୍ଛା ପ୍ରତି ପଦକ୍ଷେପ ନିଅନ୍ତି, ସେହି କିଛି ମଧ୍ୟରୁ ବହୁତ ଅଳ୍ପ ସେ ଇଚ୍ଛାକୁ ସତ୍ୟତାରେ ପରିଣତ କରିପାରନ୍ତି, ବାକି କିଛିଙ୍କ ପାଇଁ ସେସବୁ ହେଇଯାଏ ଅଧା ଗଢା ସ୍ୱପ୍ନର କୋଣାର୍କ। ଯେଉଁ କୋଣାର୍କ ପଥରରେ ନୁହଁ ମାତ୍ର ତିଆରି ହୋଇଥାଏ ମୃତ ସ୍ୱପ୍ନର ସ୍ମୃତି ଶାମୁକାରେ। ଏହି କିଛି କଥା ପଦ ଦୁଃସହ୍ୟ ହେଲେ ବି ସତ୍ୟ। ଆମେ ଚାହିଁଲେ ବି ତାକୁ ବଦଳେଇ ପାରିବାନି କାରଣ ସମାଜ ଏବେ ବସ୍ତୁବାଦୀ, ଅର୍ଥବାଦୀ ହୋଇଗଲାଣି। ତେବେ ଏହି ଜୀବନ ସତରେ ସ୍ୱପ୍ନର ଅଧାଗଢା କୋଣାର୍କ ନୁହଁ ତ ଆଉ କଣ?