ସମଗ୍ର ପୃଥିବୀରେ ପ୍ରାୟ ୪୨୦୦ ରୁ ଉର୍ଦ୍ଧ୍ୱ ଛୋଟ ବଡ଼ ଧର୍ମ ଅଛି । ସେହି ଅନୁସାରେ ଦେବୀ-ଦେବତା ମଧ୍ୟ ଅଛନ୍ତି । ଦେବୀ-ଦେବତାଙ୍କୁ ବିଶ୍ୱାସ କରୁଥିବା ଜନସଂଖ୍ୟା ବି ବହୁତ ଅଧିକ । ତଥାପି ପୃଥିବୀରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କୌଣସି ଦେବୀ-ଦେବତାଙ୍କ ଅସ୍ତିତ୍ଵକୁ ସ୍ୱୀକାର କରୁନାହାନ୍ତି । ଦେବୀ-ଦେବତାଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଆସ୍ତିକ କୁହାଯାଏ ଏବଂ ବିଶ୍ୱାସ କରୁନଥିବା ଲୋକମାନଙ୍କୁ ନାସ୍ତିକ କୁହାଯାଏ । ଏହି ଦୁଇ ଗୋଷ୍ଠୀର ବିଶ୍ୱାସ ଓ ବିଚାରଧାରା ଭିନ୍ନ ହୋଇ ଥିବାରୁ ସବୁବେଳେ ଯୁକ୍ତି ତର୍କ ଲାଗି ରହିଛି । ମୁଁହର ଯୁକ୍ତି ତର୍କ ବେଳେ ବେଳେ ହାତା-ହାତି ପର୍ଯ୍ୟନ୍ତ ଚାଲିଯାଏ । ହିଂସା ଯୋଗୁଁ ନରସଂହାର ବି ହୋଇଥାଏ । ସଂସାରରେ କାଳ୍ପନିକ ଦୈବୀ ଅବଧାରଣା ସୃଷ୍ଟି ହୋଇ ନଥିଲେ ଆସ୍ତିକ ଓ ନାସ୍ତିକ ବି ନଥା’ନ୍ତେ । ସମସ୍ତ ମଣିଷଙ୍କ ବିଚାରଧାରା ମାନବବାଦୀ ଓ ବିଜ୍ଞାନବାଦୀ ହୋଇଥା’ନ୍ତା ।
ଆସ୍ତିକମାନେ ଈଶ୍ୱର, ଆଲ୍ଲା ଓ ଗଡ଼ ଅଛନ୍ତି ବୋଲି ଦାବି କରୁଛନ୍ତି ଏବଂ ନାସ୍ତିକମାନେ ସେହି ଦାବିକୁ ଅସ୍ୱୀକାର କରୁଛନ୍ତି । ନାସ୍ତିକମାନଙ୍କ ଦାବି ହେଉଛି- ଯିଏ ଅଛି ବୋଲି ଦାବି କରୁଛି, ପ୍ରମାଣ ଦେବା ବି ତାଙ୍କର କର୍ତ୍ତବ୍ୟ । ଧରନ୍ତୁ ମୁଁ କହିବି – “ମୋ ପାଖରେ ଗୋଟିଏ ଚମତ୍କାରୀ ପକ୍ଷୀ ଲାଗିଥିବା ଘୋଡା ଅଛି । ସେ ଆକାଶରେ ଉଡ଼ିପାରିବ ଏବଂ ଭୂମିରେ ବି ଦୌଡ଼ି ପାରିବ । ” ମୋ କଥାକୁ ହୁଏତ କିଛି ଲୋକ ଚମତ୍କାର ଭାବି ବିଶ୍ୱାସ କରି ପାରନ୍ତି କିନ୍ତୁ ତର୍କଶୀଳ ବ୍ୟକ୍ତିମାନେ ପଚାରିବେ, ତୁମର ଘୋଡ଼ା କେଉଁଠି ଅଛି ଦେଖାଅ? ମୁଁ ତ ଦେଖାଇ ପାରିବି ନାହିଁ ତଥାପି ମୁଁ ଯଦି ଲୋକମାନଙ୍କୁ ବିଶ୍ୱାସ କରିବାପାଇଁ ଅନେକ ପ୍ରକାର ମନଗଢ଼ା ମିଛ କାହାଣୀ ଶୁଣାଇବି । ମୋର ମିଛ ଦିନେ ନା ଦିନେ ଧରା ପଡ଼ିଯିବ । ସେହିଭଳି ଆସ୍ତିକମାନଙ୍କ ଦାବି ମଧ୍ୟ ଦିନେ ତର୍କ ଆଗରେ ମିଥ୍ୟା ପ୍ରମାଣିତ ହେଉଛି ।
ଦେଶ ବିଦେଶରେ କିଛି ନାସ୍ତିକ ବ୍ୟକ୍ତି ହିଁ ନିଜର ତର୍କଶୀଳ ବୁଦ୍ଧି ପ୍ରୟୋଗ କରି ମାନବ ସଭ୍ୟତା, ବୈଜ୍ଞାନିକ ଉପଲବ୍ଧି ଓ ପ୍ରଯୁକ୍ତି ବିଦ୍ୟାର ବିକାଶ କରି ପାରିଛନ୍ତି । ସେମାନେ ଯଦି ଆଦିମାନବଙ୍କ ଅଜ୍ଞତା ଯୋଗୁଁ ସୃଷ୍ଟି ହୋଇଥିବା କାଳ୍ପନିକ ଦେବୀ-ଦେବତାଙ୍କ ଅବଧାରଣାରେ ଛନ୍ଦି ହୋଇ ରହିଥା’ନ୍ତେ ତେବେ ଆଜିର ଆଧୁନିକ ତଥା ବୈଜ୍ଞାନିକ ଯୁଗରେ ପହଞ୍ଚିବା କେବେ ସମ୍ଭବ ହୋଇ ନଥା’ନ୍ତା । ନିମ୍ନରେ କିଛି ମୁକ୍ତ ଚିନ୍ତକ, ଦାର୍ଶନିକ, ଲେଖକ, ବୈଜ୍ଞାନିକ ଓ ନିରୀଶ୍ୱରବାଦୀ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିବା ଉଚିତ ହେବ ।
୧. ଭାରତରେ ଜନ୍ମ ଗ୍ରହଣ କରିଥିବା ଋଷି ଚାର୍ବାକ କହିଛନ୍ତି – “ଈଶ୍ୱର ବିଶ୍ୱାସ ଏକ ରୁଗଣ ବିଚାର । ଏହାଦ୍ୱାରା ମାନବତାର କୌଣସି କଲ୍ୟାଣ ହୋଇ ପାରିବ ନାହିଁ । ” ସେ ଈଶ୍ୱର ସତ୍ତାକୁ ଅସ୍ୱୀକାର କରିଥିଲେ ।
୨. ଭାରତର ଅନ୍ୟତମ ଯୋଗ୍ୟ ସନ୍ତାନ ଗୌତମ ବୁଦ୍ଧ କହିଛନ୍ତି – ଭଗବାନ ନାମକ କୌଣସି ବସ୍ତୁ ନାହିଁ । ଭଗବାନଙ୍କୁ ଖୋଜିବା ପାଇଁ ସମୟ ନଷ୍ଟ କରନାହିଁ । ସତ୍ୟ ହିଁ ସବୁ କିଛି । ସତ୍ୟର ସନ୍ଧାନ କର । “ଅତଃ ଦିପୋ ଭବ” ନିଜର ଦୀପ ନିଜେ ହୁଅ । ବୁଦ୍ଧଙ୍କ ନିରୀଶ୍ୱରବାଦୀ ସିଦ୍ଧାନ୍ତ ଅନେକ ଦେଶର ଜୀବନ ଦର୍ଶନ ହୋଇଯାଇଛି । ଭାରତ ବୁଦ୍ଧଙ୍କ ଦେଶ ବୋଲି ସମସ୍ତେ ମାନୁଛନ୍ତି ।
୩. ଅଜିତ କେଶକମ୍ବଲ ବୁଦ୍ଧଙ୍କ ସମକାଳୀନ ବିଖ୍ୟାତ ତୀର୍ଥଙ୍କର ଥିଲେ । ତ୍ରିପିଟକ ଗ୍ରନ୍ଥରେ ତାଙ୍କର ବିଚାର ଅନେକ ସ୍ଥାନରେ ଉଲ୍ଲେଖ ଅଛି । ସେ କହିଛନ୍ତି – ପୂଜା. ପ୍ରାର୍ଥନା, ଦାନ, ଯଜ୍ଞ ଆଦି କରିବା ଆବଶ୍ୟକ ନାହିଁ । ଲୋକ-ପରଲୋକ ସବୁ ମିଥ୍ୟା ।
୪. ତାମିଲନାଡ଼ୁର ଏରୋଡ଼ ସହରରେ ଜନ୍ମ ହୋଇଥିବା (୧୭.୦୯.୧୮୭୯ – ୨୪.୧୨.୧୯୭୩) ମହାନ ଦାର୍ଶନିକ, ମୁକ୍ତ ଚିନ୍ତକ ଓ ସମାଜ ସେବକ ଇ. ଭି. ରାମସ୍ୱାମୀ ପେରିୟାର କହିଛନ୍ତି – “ଈଶ୍ୱର ନାହିଁ । ଧୂର୍ତ୍ତମାନେ ଈଶ୍ୱରକୁ ସୃଷ୍ଟି କରିଛନ୍ତି । ଗୁଣ୍ଡାମାନେ ତାକୁ ବ୍ୟବହାର କରୁଛନ୍ତି ଏବଂ ମୂର୍ଖମାନେ ତାକୁ ପୂଜା କରୁଛନ୍ତି । ”
୫. କେରଳରେ ଜନ୍ମ ହୋଇଥିବା ବାସବା ପ୍ରେମାନନ୍ଦ (୧୭.୦୨.୧୯୩୦ – ୦୪.୧୦.୨୦୦୯) ଜଣେ ଉଚ୍ଚ କୋଟିର ଦାର୍ଶନିକ ଏବଂ ବିଜ୍ଞାନ ମନସ୍କ ବ୍ୟକ୍ତି ଥିଲେ । ସେ କହିଛନ୍ତି – ଦୁନିଆରେ ଚମତ୍କାର ବୋଲି କିଛି ନାହିଁ । ସେ ଦେଶ ବିଦେଶରେ ବୁଲି ବୁଲି ପାଖଣ୍ଡି ସାଧୁ, ସନ୍ନ୍ୟାସୀ, ବାବା, ତାନ୍ତ୍ରିକ ଓ ଜ୍ୟୋତିଷଙ୍କ ଚମତ୍କାରୀ ଦାବିକୁ ପରଦାଫାସ କରିଥିଲେ । ତାଙ୍କର ଅକାଟ୍ୟ ଯୁକ୍ତି ଓ ତର୍କ ଆଗରେ କୌଣସି ଧର୍ମଗୁରୁ ସାମନା କରି ପାରୁନଥିଲେ । ପୁଟପର୍ତ୍ତିର ସତ୍ୟସାଇ ବାବା, ପ୍ରେମାନନ୍ଦଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଥିଲେ । ତୁମେ ଯେଉଁ ସବୁ ଚମତ୍କାର ଲୋକମାନଙ୍କୁ ଦେଖାଉଛ ମୋ ଆଗରେ କରି ଦେଖାଅ ବୋଲି ପ୍ରେମାନନ୍ଦ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ।
୬. ଭାରତୀୟ ପ୍ରଫେସର ଶ୍ରୀଲଙ୍କାରେ ଅଧ୍ୟାପନା କରୁଥିବା ଏ. ଟି କୁଭୁର (୧୦.୦୪.୧୮୯୮ – ୧୮.୦୯.୧୯୭୮) ସମସ୍ତ ସାଧୁ, ସନ୍ନ୍ୟାସୀ, ତାନ୍ତ୍ରିକ, ବାବା, ଜ୍ୟୋତିଷ ଓ ସ୍ଵୟଂଭୂ ଭଗବାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ ୨୨ ଗୋଟି ପ୍ରଶ୍ନରୁ ଯକୌଣସି ଗୋଟିଏ ପ୍ରମାଣିତ କରିଦେଲେ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବେ । ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ କେହି ଜଣେ ବି ଚ୍ୟାଲେଞ୍ଜ ସ୍ୱୀକାର କରିନଥିଲେ । ଆଜି ବି ହରିୟାଣା ସ୍ଥିତ ତର୍କଶୀଳ ସୋସାଇଟି ଦ୍ୱାରା ସେହି ଚ୍ୟାଲେଞ୍ଜ ରହିଛି । ପୁରସ୍କାର ରାଶି ଏକ କୋଟି ଟଙ୍କା ହୋଇ ଯାଇଛି । ଆଜି ପର୍ଯ୍ୟନ୍ତ କେହି ଚ୍ୟାଲେଞ୍ଜ ସ୍ୱୀକାର କରିନାହାନ୍ତି ।
୭. କର୍ଣ୍ଣାଟକର ମାଙ୍ଗାଲୁରୁ ସହରରେ ୦୫.୦୨.୧୯୫୧ ତାରିଖରେ ଜନ୍ମ ଗ୍ରହଣ କରିଥିବା, କସ୍ତୁରବା ମେଡିକାଲ କଲେଜର ବାଇଓକେମିଷ୍ଟ୍ରି ପ୍ରଫେସର ନରେନ୍ଦ୍ର ନାୟକ ଜଣେ ଉଚ୍ଚ କୋଟିର ବିଜ୍ଞାନମନସ୍କ ତର୍କଶୀଳ ବ୍ୟକ୍ତି । ପ୍ରେମାନନ୍ଦଙ୍କ ହେତୁବାଦୀ ବିଚାରଧାରାରେ ପ୍ରଭାବିତ ହୋଇ ସେ ମଧ୍ୟ ଦେଶ ବିଦେଶରେ ବୁଲି ବୁଲି ଅନେକ ତଥାକଥିତ ସ୍ଵୟଂଭୂ ଗଡ଼ମ୍ୟାନ, ଧର୍ମଗୁରୁ, ବାବା, ସାଧୁ, ସନ୍ନ୍ୟାସୀ, ତାନ୍ତ୍ରିକ, ଜ୍ୟୋତିଷମାନଙ୍କ ଚମତ୍କାରୀ ବିଦ୍ୟାର ପରଦାଫାସ କରୁଛନ୍ତି । ଲୋକମାନଙ୍କ ମନରୁ ଭିତ୍ତିହୀନ ବିଶ୍ୱାସ ଏବଂ ଅହେତୁକ ଭୟ ଦୂରକରି ବୈଜ୍ଞାନିକ ଚିନ୍ତନ ଜାଗ୍ରତ କରିବା ପାଇଁ ସେ ତର୍କସଙ୍ଗତ, ତଥ୍ୟ ଭିତ୍ତିକ ଓ ବୈଜ୍ଞାନିକ ପ୍ରମାଣ ଦେଇ ବୁଝାଇବାକୁ ପ୍ରୟାସ କରୁଛନ୍ତି । ସେ ଭାରତୀୟ ହେତୁବାଦୀ ସଂଘର (ଫେଡେରେସନ ଅଫ ଇଣ୍ଡିଆନ ରାସନାଲିଷ୍ଟ ଏସୋସିଏସନ)ସଭାପତି ଅଛନ୍ତି । ଭାରତର ସମସ୍ତ ରାଜ୍ୟର ହେତୁବାଦୀ ସଙ୍ଗଠନ ଏହି ସଂଘର ସଦସ୍ୟ ଅଛନ୍ତି ।
୮. ସୁକୁରାତ ଜଣେ ପ୍ରାଚୀନ ୟୁନାନୀ ଦାର୍ଶନିକ ଥିଲେ । (ଖ୍ରୀଷ୍ଟପୂର୍ବ ୪୭୦) ସେ ଈଶ୍ୱରଙ୍କ ଅସ୍ତିତ୍ଵକୁ ଦୃଢ଼ତାର ସହିତ ଅସ୍ୱୀକାର କରିଥିବାରୁ ଧର୍ମଗୁରୁମାନେ ତାଙ୍କୁ ବିଷ ପାନକରି ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ । ସେ କହିଛନ୍ତି – “ଈଶ୍ୱର କେବଳ ଶୋଷଣର ଏକ ନାମ । ”
୯. ଇବନ୍ ରଶଦ ସ୍ପେନ ଦେଶର ଗୋଟିଏ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । (୧୧.୦୪.୧୧୨୬ – ୧୦.୧୨.୧୧୯୮) ସେ ଦର୍ଶନ, ଚିକିତ୍ସା, ଖଗୋଳ ଓ ଇସଲାମ ନ୍ୟାୟଶାସ୍ତ୍ରରେ ନିପୁଣ ଥିଲେ । ଇବନ୍ ରଶଦ କୋରାନରେ ଲେଖା ଥିବା କିଛି ତଥ୍ୟକୁ ପରିବର୍ତ୍ତନ କରିବାକୁ ଚାହିଁଥିଲେ । ସେ ଇସଲାମକୁ ଗୋଟିଏ ରାଜନୈତିକ ସଙ୍ଗଠନ ବୋଲି କହିଥିଲେ । ସେହି କାରଣରୁ ମୁସଲମାନ ଧର୍ମ ଗୁରୁମାନେ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ସେ ନିର୍ଭିକ ଭାବେ ନିଜର ଦର୍ଶନ ଶାସ୍ତ୍ର ଓ ତର୍କଶୀଳ ବୁଦ୍ଧି ଦ୍ୱରା ଧର୍ମ ଗୁରୁମାନଙ୍କୁ ପରାସ୍ତ କରିଥିଲେ ।
୧୦. କୋପରନିକସ ପୋଲାଣ୍ଡରେ ଜନ୍ମ ଗ୍ରହଣ କରିଥିଲେ । (୧୯.୦୨.୧୪୭୩ – ୨୪.୦୫.୧୫୪୩) ସେ ଜଣେ ଖଗୋଳ ଶାସ୍ତ୍ରୀ ଓ ଗଣିତଜ୍ଞ ଥିଲେ । ଖ୍ରୀଷ୍ଟିୟାନ ଧର୍ମଗୁରୁ କହୁଥିଲେ – ଆମର ଧର୍ମଗ୍ରନ୍ଥ ବାଇବେଲ ଅନୁସାରେ ପୃଥିବୀ ସ୍ଥିର ଏବଂ ସୂର୍ଯ୍ୟ ପୃଥିବୀ ଚାରି ପାଖରେ ଘୁରି ବୁଲୁଛି । କୋପରନିକସ ନିଜର ଗଭୀର ଗବେଷଣା ଦ୍ୱାରା ଜାଣି ପାରିଲେ ଯେ ପୃଥିବୀ ସହିତ ଅନ୍ୟ ସମସ୍ତ ଗ୍ରହ ସୂର୍ଯ୍ୟ ଚାରି ପାଖରେ ଘୁରି ବୁଲୁଛନ୍ତି । ସୌରଜଗତର କେନ୍ଦ୍ର ପୃଥିବୀ ନୁହେଁ, ସୂର୍ଯ୍ୟ ଅଟେ । ସେହି କାରଣରୁ ଧର୍ମଗୁରୁମାନେ ତାଙ୍କୁ ତୀବ୍ର ବିରୋଧ କରୁଥିଲେ । ସେ ଲେଖିଥିବା ସିଦ୍ଧାନ୍ତ ଗୁଡିକ ପ୍ରକାଶିତ ହୋଇ ପାରୁନଥିଲା ।
୧୧. ଗ୍ୟାଲିଲିଓ ଗେଲିଲୀ ଇଟାଲୀରେ ଜନ୍ମ ଗ୍ରହଣ କରିଥିଲେ । (୧୫.୦୨.୧୫୬୪ – ୦୮.୦୧.୧୬୪୨) ସେ ଜଣେ ପ୍ରତିଭାଶାଳୀ ବୈଜ୍ଞାନିକ ଏବଂ ଆବିଷ୍କାରକ ଥିଲେ । ସେ ଗୋଟିଏ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ତିଆରି କରି ଆକାଶକୁ ନିରୀକ୍ଷଣ କରି ଜାଣି ପାରିଲେ ଯେ ପୃଥିବୀ ସୌରଜଗତର କେନ୍ଦ୍ରରେ ନାହିଁ ବରଂ ସୂର୍ଯ୍ୟର ଚାରି ପଟେ ପୃଥିବୀ ସହିତ ଆହୁରି ଅନେକ ଗ୍ରହ ନକ୍ଷତ୍ର ଘୁରି ବୁଲୁଛନ୍ତି । ଆଗରୁ କୋପର ନିକସ ମଧ୍ୟ ଏହି କଥା କହିଥିଲେ । ଗ୍ୟାଲିଲିଓ ଆହୁରି ଅନେକ ବୈଜ୍ଞାନିକ ଯନ୍ତ୍ର ଉଦ୍ଭାବନ କରିଥିଲେ । ତଥାପି ତାଙ୍କର ବୈଜ୍ଞାନିକ ସିଦ୍ଧାନ୍ତ ଧାର୍ମିକ ମାନ୍ୟତାକୁ ଖଣ୍ଡନ କରୁଥିବାରୁ ଧର୍ମଗୁରୁମାନେ ତାଙ୍କୁ ଆଜୀବନ କାରାଗାରରେ ବନ୍ଦୀ କରି ରଖିଥିଲେ ।
୧୨. ଜର୍ଦାନୋ ବୃନୋ ଇଟାଲୀରେ ଜନ୍ମ ଗ୍ରହଣ କରିଥିଲେ (୧୫୪୮ – ୧୭.୦୨.୧୬୦୦) ସେ ଜଣେ ଭୌତିକ ଶାସ୍ତ୍ରୀ, ଖଗୋଳ ଶାସ୍ତ୍ରୀ ଓ ଗଣିତଜ୍ଞ ଥିଲେ । ସେ ବହୁତ ପରିଶ୍ରମ କରି ଗବେଷଣା ଦ୍ୱାରା ଜାଣି ପାରିଥିଲେ ଯେ ରାତି ଓ ଦିନ କିପରି ହେଉଛି? ଋତୁ ପରିବର୍ତ୍ତନ କିପରି ହେଉଛି ? ପୃଥିବୀ ଚେପେଟା ନୁହେଁ ଗୋଲ । ସୌରଜଗତର କେନ୍ଦ୍ର ପୃଥିବୀ ନୁହେଁ ସୂର୍ଯ୍ୟ । ସେ କୋପର ନିକସଙ୍କ ସିଦ୍ଧାନ୍ତକୁ ସମର୍ଥନ କରୁଥିଲେ । ସେଇଥିପାଇଁ ଚର୍ଚ୍ଚର ଧର୍ମାନ୍ଧ ପାଦ୍ରୀମାନେ ଆମ ଧର୍ମଗ୍ରନ୍ଥକୁ ବିରୋଧ କରୁଛି କହି ବୃନୋଙ୍କୁ ଅମାନବୀୟ ରୂପେ ରାସ୍ତା ଉପରେ ସର୍ବ ସମ୍ମୁଖରେ କେରାସିନ ଢାଳି ଜୀବନ୍ତ ଜାଳି ଦେଇଥିଲେ । ପରବର୍ତ୍ତୀ କାଳରେ ତାଙ୍କର ସିଦ୍ଧାନ୍ତ ସତ୍ୟ ପ୍ରମାଣିତ ହୋଇଥିଲା ।
୧୩. ସାର ଫ୍ରାନସିସ ବେକନ ଲଣ୍ଡନରେ ଜନ୍ମ ଗ୍ରହଣ କରିଥିଲେ । (୨୨.୦୧.୧୫୬୧ – ୦୯.୦୪.୧୬୨୬) ଆଧୁନିକ ଯୁଗର ସେ ଜଣେ ମହାନ ଦାର୍ଶନିକ ଥିଲେ । ସେ କହିଥିଲେ – ଈଶ୍ୱର ଓ ଧର୍ମଶାସ୍ତ୍ର ଉପରେ ଅତିଶୟ ଆସ୍ଥା ରଖିବା ଦ୍ୱାରା ମଣିଷର ସ୍ୱତନ୍ତ୍ର ବିଚାର ବାଧା ପ୍ରାପ୍ତ ହୋଇଥାଏ । ନାସ୍ତିକତା ବ୍ୟକ୍ତିକୁ ବିଚାର, ଦର୍ଶନ ଏବଂ ସ୍ୱାଭାବିକ ନିଷ୍ଠା ପ୍ରଦାନ କରିଥାଏ । ପ୍ରକୃତିକୁ ପରୀକ୍ଷା ନିରୀକ୍ଷା କରିବାର ପ୍ରେରଣା ଦେଇଥାଏ ।
୧୪. ଏହି ଶତାବ୍ଦୀର ମହାନ ବୈଜ୍ଞାନିକ ଷ୍ଟିଫେନ ହକିନ୍ସ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ (୦୮.୦୧.୧୯୪୨ – ୧୪.୦୩.୨୦୧୮) ସେ ପୃଥିବୀର ଜଣେ ବିରଳ ପ୍ରତିଭାଶାଳୀ ବୈଜ୍ଞାନିକ ଥିଲେ । ସେ ଏବଂ ଅନ୍ୟ ସହଯୋଗୀ ବୈଜ୍ଞାନିକ ମାନେ ଆବିଷ୍କାର କରିଥିବା ସୁକ୍ଷ୍ମ କଣିକାର ମୂଳ ନାମ ‘ହ୍ୱିଗସ ବୋଷନ ପାର୍ଟିକଲ’ କୁ ‘ଗଡ଼ ପାର୍ଟିକଲ’ କହି ସାରା ପୃଥିବୀର ଆସ୍ତିକମାନେ ଖୁବ ହୋହାଲ୍ଲା କରିଥିଲେ । ଆସ୍ତିକମାନେ କହିଲେ – ଭଗବାନ ନାହାନ୍ତି ବୋଲି ଯେଉଁମାନେ କହୁଛନ୍ତି ଦେଖ ବୈଜ୍ଞାନିକମାନେ ‘ଇଶ୍ୱର କଣିକା’ ଖୋଜି ବାହାର କରିଦେଲେ । ଶେଷ ଜୀବନଟି ବିକଳାଙ୍ଗ ଅବସ୍ଥାରେ ରହି ମଧ୍ୟ ତାଙ୍କର ଅଭୂତପୂର୍ବ ବୈଜ୍ଞାନିକ ଉପଲବ୍ଧିକୁ ସାରା ସଂସାର ସମ୍ମାନର ସହ ସ୍ୱୀକାର କରିଛି । ତାଙ୍କ ବ୍ୟକ୍ତିତ୍ୱର ଗୋଟିଏ ବିଶେଷ ଗୁଣ ହେଉଛି ସେ ନିରୀଶ୍ୱରବାଦୀ ଥିଲେ । ତାଙ୍କର ତିନି ଗୋଟି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସେ ଅନେକ ଗାଣିତିକ ତଥ୍ୟ ପ୍ରକାଶ କରିଛନ୍ତି । ପ୍ରଶ୍ନ ଗୁଡିକ ହେଉଛି – ବିଶ୍ୱ କେଉଁଠୁ ଆସଛି? ବିଶ୍ୱ କିପରି ଏବଂ କାହିଁକି ଗଠନ ହୋଇଛି? ଏହା କ’ଣ କେବେ ନଷ୍ଟ ହୋଇଯିବ, ଯଦି ହଁ ତେବେ କିପରି ହେବ? ତାଙ୍କର ଅନ୍ତିମ ପୁସ୍ତକ “ଡୁ ଆଇ ହେଭ ଫେଇଥ?” ରେ ସେ ଲେଖିଛନ୍ତି – “କୌଣସି ଈଶ୍ୱର ନାହିଁ । ବିଶ୍ୱ ବ୍ରହ୍ମାଣ୍ଡକୁ କେହି ବି ନିୟନ୍ତ୍ରଣ କରେ ନାହିଁ । ”
ନାସ୍ତିକମାନଙ୍କ ତାଲିକାରେ ନାମ ଖୋଜିଲେ ବହୁତ ଲମ୍ବା ହେବ । ସମଗ୍ର ମାନବ ସମାଜ ପାଇଁ ଗୋଟିଏ ଭଲ ଖବର ହେଉଛି – ଆଜିର ସମୟରେ ଅଳ୍ପ କିଛି ଦେଶ ବ୍ୟତୀତ ଅଧିକାଂଶ ଦେଶର ଲୋକମାନେ ନିରୀଶ୍ୱରବାଦୀ ବା (ନନ ବିଲିଭର) ହେବାକୁ ପସନ୍ଦ କଲେଣି । ୧୦ ଗୋଟି ଦେଶରେ ନିରୀଶ୍ୱରବାଦୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ୧.ଚୀନ, ୨. ଜାପାନ, ୩.ସ୍ଵୀଡନ, ୪.ୟୁନାଇଟେଡ଼ କିଙ୍ଗଡମ, ୫. ବେଲଜିୟମ, ୬.ଇଷ୍ଟୋନିଆ, ୭.ଅଷ୍ଟ୍ରେଲିଆ, ୮. ନରୱେ, ୯. ଡେନମାର୍କ, ୧୦. ଚେକ ରିପବ୍ଲିକ । ଭାରତରେ ମଧ୍ୟ ଏହାର ଭଲ ପ୍ରଭାବ ଦେଖିବାକୁ ମିଳୁଛି । ଭବିଷ୍ୟତରେ ଜନଗଣନା ହେଲେ ନିରୀଶ୍ୱର ବାଦୀଙ୍କ ପ୍ରକୃତ ସଂଖ୍ୟା ଜଣା ପଡିବ । ଗୋଟିଏ ଆକଳନ ଅନୁସାରେ ପୃଥିବୀର ମୋଟ ଜନସଂଖ୍ୟାର ନିରୀଶ୍ୱରବାଦୀଙ୍କ ଜନସଂଖ୍ୟା ତୃତୀୟ ସ୍ଥାନରେ ପହଞ୍ଚି ଗଲାଣି । ଗୁଗୁଲ ସର୍ଚ୍ଚ କରି ଜାଣି ପାରିବେ । ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି – ପୃଥିବୀର ଇତିହାସ ଅନୁସାରେ ଆଜି ପର୍ଯ୍ୟନ୍ତ ଯେତେ ଯୁଦ୍ଧ ହୋଇଛି ତା’ର ମୂଳ କାରଣ ହେଉଛି ନିଜର ଧର୍ମର ସୁରକ୍ଷା । ଗୋଟିଏ ଧର୍ମସମ୍ପ୍ରଦାୟର ଲୋକମାନେ ଅନ୍ୟ ଏକ ଧର୍ମସମ୍ପ୍ରଦାୟ ସହିତ ଅସ୍ତ୍ର-ଶସ୍ତ୍ର ନେଇ ଯୁଦ୍ଧ କରିଛନ୍ତି । ଲକ୍ଷ ଲକ୍ଷ ନିରୀହ ଲୋକ ପ୍ରାଣ ହରାଇବା ପରେ ଯିଏ ଜିତିଲା ତାଙ୍କ ଧର୍ମର ପ୍ରତିଷ୍ଠା ବୃଦ୍ଧି ପାଇଲା । ଏହାର ବିପରୀତ ନାସ୍ତିକମାନେ କେବେ କେଉଁଠି ଅସ୍ତିକମାନଙ୍କ ଉପରେ ଅସ୍ତ୍ର ଶସ୍ତ୍ର ନେଇ ଆକ୍ରମଣ କରିନାହାନ୍ତି କିମ୍ବା ଯୁଦ୍ଧ କରିନାହାନ୍ତି । ଲୋକମାନଙ୍କ ମନର ବିଚାରକୁ ପରିବର୍ତ୍ତନ କରି ଜିତିବା ପାଇଁ ନାସ୍ତିକମାନଙ୍କର ଅସ୍ତ୍ର ହେଉଛି ‘ତର୍କଶାସ୍ତ୍ର’ । ଯେଉଁ କଟ୍ଟର ଧାର୍ମିକମାନେ ତର୍କ ବୁଝିବାକୁ ଚାହାନ୍ତି ନାହିଁ, ସେମାନଙ୍କୁ କେହି ବାଧ୍ୟ କରନ୍ତି ନାହିଁ । କିନ୍ତୁ ଆସ୍ତିକ ଯଦି କେବେ ନିଜେ ଠକି ହୁଏ କିମ୍ବା ଧୋକା ଖାଏ ତେବେ ସେ ଅଧ୍ୟାତ୍ମବାଦକୁ ତ୍ୟାଗ କରି ନାସ୍ତିକ ହୋଇଯାଏ ।