ଅଣୁଗଳ୍ପ

ଜୁଆନ

Dr Pradeep Kumar Panda's odia short story Juwan

ଲୋକଟି ଦେଖିବାକୁ କଳା ହେଳେ କ’ଣ ହେବ , ତା’ର ଆତ୍ମିୟତାରେ ମୁଁ ଅଭିଭୂତ ହୋଇଗଲି ।

ଗୋଟିଏ ହାତରେ ଚପଳ ହଳକ ଏବଂ ଅନ୍ୟ ହାତରେ ଛତାଟିଏ ଧରି ବନ୍ଧ ହିଡରେ ଅତି ସନ୍ତର୍ପଣରେ ପାଦ ପକାଇ ଆଗକୁ ଆଗକୁ ବଢୁଥାଏ । ପିନ୍ଧିଥାଏ ଆକାଶୀ ସାର୍ଟ ସହିତ ବାଇଗଣି ସମ୍ବଲପୁରୀ ଲୁଙ୍ଗି । କହିବା ବାହୁଲ୍ୟ ସେ ପରିସ୍ଥିତିରେ ଫୁଲ୍ ପେଣ୍ଟ ପିନ୍ଧି ଯିବା ସମ୍ଭବ ନ ଥିଲା । ଧାରା ଶ୍ରାବଣର ସ୍ପର୍ଶରେ କର୍ଦମାକ୍ତ ହେବା ସହିତ ପଥଟି ପିଛିଳ ହୋଇ ପ୍ରତି ପଦେ ଯେପରି ବିପଦ ଅପେକ୍ଷା କରିଥାଏ । ଗୋଟିଏ ପଟେ ଗଭୀର ଜଳରାଶି ଅନ୍ୟ ପଟରେ ପ୍ରାୟ ଷାଠିଏ କି ସତୁରୀ ଫୁଟର ଖାଲ । ଆକାଶରେ କଳାହାଣ୍ଡିଆ ମେଘ ରହି ସନ୍ଧ୍ୟାର ଭ୍ରମ ସୃଷ୍ଟି କରୁଥାଏ । ଅସରାକୁ ଅସରା ବର୍ଷା ହେବା ସହିତ ମଝିରେ ମଝିରେ ଦୃଷ୍ଟି ଆକର୍ଷଣକାରୀ ଶବ୍ଦ ସହିତ ବିଜୁଳି ତା’ର ଗୋରା ତକ୍‌ତକ୍ ଚେହେରା ପ୍ରଦର୍ଶନ କରୁଥାଏ । ସୂର୍ଯ୍ୟଙ୍କ ଦେଖା ନ ଥାଏ । ବିକ୍ରମାଦିତ୍ୟଙ୍କ ବେତାଳ ସାଧନା ପରି ଝଡ ବର୍ଷାର ଶୂନଶାନ ପଥ ପରେ ମୁଁ ଏକା ଏକା ଆଗେଇ ଚାଲିଥାଏ । ଏହା ହେଉଛି ୨୦୦୮ ଅଗଷ୍ଟ ମାସର ଘଟଣା । ପାହାଡ଼ର ପାଦଦେଶରେ ଜଙ୍ଗଲ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଏକ ଛୋଟିଆ ବସ୍ତି । ନାଁ ହାତୀଛାପଲ । ବସ୍ତି କହିଲେ ପନ୍ଦର କି କୋଡିଏ ଚାଳଘର । ସମସ୍ତେ ଗରିବ ଶ୍ରେଣୀର । ଜୀବନ ଜୀବିକା ପାଇଁ କେତେ ବେଳେ ବଣଜଙ୍ଗଲ ଉପରେ ତ କେତେବେଳେ ଅନ୍ୟର ମୂଳଲାଗିବାକୁ ନିର୍ଭର କରିଥାନ୍ତି । ସମସ୍ତେ ସରଳ , ଆଜିର କଳୁଷିତ ସମାଜ ନିକଟରୁ ବହୁ ଦୂରରେ ସେମାନେ । ବସ୍ତିର ସମସ୍ତେ ଖ୍ରୀଷ୍ଟିଆନ । ମୋ ନିଜ ଗାଁରେ ସ୍ଵେଚ୍ଛାସେବୀ ଭାବରେ ପିଲାମାନଙ୍କୁ ପାଠ ପଢାଉଥିଲି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେଇ ବସ୍ତିରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ କରି ଯୋଗ ଦେବାକୁ ନିର୍ଦ୍ଦେଶ ଆସିଥାଏ । ସେଥିପାଇଁ ଏପରି ଧାରାଶ୍ରାବଣରେ କିଛିକୁ ଖାତିର ନ କରି ଗନ୍ତବ୍ୟ ସ୍ଥଳକୁ ଅଗ୍ରସର ହେଉଥାଏ । ହିଡ ପାର ହେଲା ପରେ ପରେ କିଛି ଦୂର ବୁଦାଳିଆ ବଣପ୍ରାନ୍ତର। ଗଛଲତାମାନଙ୍କରେ ବର୍ଷା ଜଳ ପଡ଼ିବା ଶବ୍ଦ ପରିବେଶକୁ ଆହୁରି ଭୟଙ୍କର କରୁଥାଏ । ମନରେ ଆଶଙ୍କା ଜାତ ହେଉଥାଏ , ମୁଁ ଘଞ୍ଚ ଅରଣ୍ୟ ଆଚ୍ଛାଦିତ ସୁଉଚ୍ଚ ପାହାଡ଼ ଦିଗକୁ ଅଗ୍ରସର ହେଉ ନାହିଁ ତ ! ମନକୁ ସାହସ ଦେବା ପାଇଁ ମଣିଷ ତ ମଣିଷ କୋକିଶିଆଳିଟିଏ ମଧ୍ୟ ଦେଖାଯାଉ ନ ଥାନ୍ତି । ମନ ମଧ୍ୟରେ ବସ୍ତିର ନାମ ସ୍ମରଣ ମାତ୍ରକେ ଅଜଣା ଆତଙ୍କରେ ଦେହ ଶିତେଇ ଉଠୁଥାଏ । ପେଟପାଟଣାର କଥା । ଜୀବନରେ ସମସ୍ୟା ରହିବ । ତାକୁ ଶତ ଚେଷ୍ଟା କଲେ ସୁଦ୍ଧା ଦୂର କରିହେବ ନାହିଁ । ପଳାୟନପନ୍ଥୀ ହେଲେ ପରାଜୟ ଲଭିବାକୁ ପଡେ । ସମାଜରେ ମୁଣ୍ଡ ଟେକି ଚାଲି ହୁଏ ନାହିଁ ।

ସମ୍ମାନ ହୀନ ମଣିଷ ଚଳାବୁଳା କରିପାରୁଥିବା ଗୋଟିଏ ଜୀବନ୍ତ ଶବ ମାତ୍ର । ମନକୁ ଦୃଢ଼ କଲି । ବୀରର ଥରେ ମରଣ ହୁଏ । କିନ୍ତୁ ଭୀରୁ କାପୁରୁଷର ବାର ବାର ମୃତ୍ୟୁ ହେଉଥାଏ । ଜୀବନ ଯୁଦ୍ଧରେ ହାରି ପଳାୟନପନ୍ଥୀ ହେବି ନାହିଁ । ସଂଗ୍ରାମ ଅବଶ୍ୟ କରିବି । ମନ ମଧ୍ୟରେ ତୁହାକୁ ତୁହା ପ୍ରଶ୍ନମାନ ଉଙ୍କି ମାରୁଥାଏ । ବସ୍ତିର ଏପରି ନାମକରଣ କିପରି ହେଲା ? କିଏ ଏପରି ନାମକରଣ କଲା ? ଏହାର ପୃଷ୍ଠଭୂମି କ’ଣ ? ଏହି ଅରଣ୍ୟ ମଧ୍ୟରେ ରାସ୍ତା ନଥିବା ସ୍ଥାନରେ କିଏ କାହିଁକି ବସ୍ତି ସ୍ଥାପନ କଲା ? ସତରେ ତାଙ୍କୁ ଭୟ ଲାଗେ ନା ନାହିଁ ? ଏ ସମୟରେ ମନମସ୍ତିକରେ ମୋର ଗୋଟିଏ କାଳ୍ପନିକ ଚିତ୍ର ଝଳସି ଉଠିଲା । ପ୍ରେକ୍ଷାଳୟରେ ଦେଖାଯାଉଥିବା ହରର୍ ଚଳଚ୍ଚିତ୍ର ପରି । ଶୂନଶାନ ପଥ ଅତିକ୍ରମ କରିବାର ସମୟରେ ହଠାତ୍ ଦଳେ ବଣୁଆ ହାତୀ ଜଙ୍ଗଲ ମଧ୍ୟରୁ ବାହାରି ପଥରୋଧ କଲେ । ମତେ ଘେରି ଶୁଣ୍ଢ ଟେକି ପେଁ ପେଁ ଶବ୍ଦ କଲେ । ହୃଦୟରେ ଭୟ ଜାତ ହେବାରୁ ହରର୍ ଚଳଚିତ୍ରର ଯବନିକା ପଡ଼ିଗଲା । ବାସ୍ତବତାକୁ ଫେରି ଦେଖିଲି ସେପରି କିଛି ନାହିଁ । ଅବଶ୍ୟ ପରେ ପରେ ବଣୁଆ ହାତୀପଲ ସୈନ୍ୟବାହିନୀ ମାର୍ଚ୍ଚ କଲା ପରି ରାସ୍ତା ଅତିକ୍ରମ କରୁଥିବା ଦୃଶ୍ୟ ନିକଟରୁ ଦେଖିବାର ସୋଭାଗ୍ୟ ଲାଭ କରିଛି । ସେ ସମୟରେ ମୁଁ ମର୍ମେ ମର୍ମେ ଅନୁଭବ କରିଛି ,ବିନା କାରଣରେ ବଣରେ ବାସ କରୁଥିବା ଜୀବଜନ୍ତୁ ମଣିଷକୁ ଲାଗନ୍ତି ନାହିଁ । ଏସମୟରେ ଦୂରରେ ଗଛପତ୍ର ହଲିବା ଶବ୍ଦ ଶୁଣି ଅଜଣା ଆତଙ୍କରେ ମୋର ଦେହ ଶିତେଇ ଉଠିଲା । ଏପରି ବେଶ କିଛି ସମୟ ବିତିଗଲା । ଦେଖିଲି କଳା ରଙ୍ଗର ଲୋକଟେ ଗଛ ଉହାଡରୁ ବାହାରି ଆସୁଛି । ନଦୀରେ ଭାସିଯାଇ ଥିବା ଲୋକର କୁଟାଖିଅ ଆଶ୍ରା ପରି ଅଜ୍ଞାତ ହେଲେ ସୁଦ୍ଧା କିଛିଟା ଭୟ ଦୂର ହେଲା । ପରନ୍ତୁ ପରମୂହୁର୍ତ୍ତରେ ଅତ୍ୟଧିକ ଭୟ ଗ୍ରସ କଲା । ଲୋକମୁଖରେ ପ୍ରଚାରିତ ହୋଇଥିବା ତଥା ବହିରେ ପଢିଥିବା କଥା , ମଣିଷ ମାରି ତା’ର ତାଜା ରକ୍ତରେ ଏମାନେ ଚାଷ ଅନୂକୁଳ କରନ୍ତି । ପ୍ରବାଦ ଅଛି ,ବାହାରଲୋକଙ୍କୁ ନ ପାଇଲେ ନିଜ ଜ୍ଞାତି କୁଟୁମ୍ବ ମଧ୍ୟରୁ ଜଣକୁ ହତ୍ୟା କରନ୍ତି । ପରେ ପରେ ତାଙ୍କ ସହିତ ମିଶିଲା ପରେ ଏହାର ସତ୍ୟତା ଉପରେ ମୋର ସନ୍ଦେହ ହେଲା । ଏଲୋକମାନେ ଏତେ ନିଷ୍କପଟ ଆଉ ସରଳ ଯେ ସେପରି ଅମାନବୀୟ କ୍ରୁର କାର୍ଯ୍ୟ କରିବା ଏ ମାନଙ୍କ ପାଇଁ ସ୍ୱପ୍ନ ଅଟେ । “ଏ ବାବୁ ,ବାବୁ କେନ ଆଡେ ଯିବୁ ? କାକେ ଖୁଜୁଛୁ ? ” ତା’ର କର୍କଶ ଡାକରେ ବନଭୂମି ପ୍ରକମ୍ପିତ ହୋଇ ଉଠିଲା । ପ୍ରଶ୍ନର ପୁନରାବୃତ୍ତି କରନ୍ତେ ଭିତରେ ଭୟ ଥିଲେ ମଧ୍ୟ ସାହସ ବାନ୍ଧି ହାତୀଛାପଲ ସ୍କୁଲରେ ପାଠ ପଢାଇବାକୁ ଆସିଛି ବୋଲି କହିଲି । ଲୋକଟି ଦେଖିବାକୁ କଳା ହେଳେ କ’ଣ ହେବ , ତା’ର ଆତ୍ମିୟତାରେ ମୁଁ ଅଭିଭୂତ ହୋଇଗଲି । ମତେ ଜାଣିବା ପରେ ଆନନ୍ଦରେ ତା’ର ଚକ୍ଷୁ ବିସ୍ଫୋରିତ ହେଲା । ମୁହଁରେ ଫିକ୍ କିନା ହସଟେ ହସି ମତେ ତା ଭାଷାରେ ସ୍ୱାଗତ ଜଣାଇଲା । ମୋର ଗାଇଡ ଭାବରେ ଗାଁ କୁ ବାଟ କଢାଇ ନେଲା । ଯିବା ବାଟରେ କଥାବାର୍ତ୍ତା ଛଳରେ ଅନେକ ଅନେକ କଥା କହିଲା । ତା ନାଁ ଜୁଆନ । ବୟସର ଅପରାହ୍ନରେ ହେଲେ ମଧ୍ୟ ଶରୀରରେ ଭରି ରହିଛି ଅଫୁରନ୍ତ ଶକ୍ତି , ମନରେ ଅମାପ ବଳ । କାହାକୁ ଜୀବନରେ ମିଛ କହି ନାହିଁ କି କପଟ କରିନି । ମଣିଷର ପ୍ରକୃତ ଧର୍ମ କ’ଣ ଜାଣି ନଥିଲେ ବି ମଣିଷ ପଣିଆ ଉଦ୍ଭାଷିତ ହୋଇ ଉଠୁଥାଏ ତା’ଠାରେ । ସେ ବାହା ହୋଇ ପୁଅଝିଅ ଦୁହିଁଙ୍କୂ ବାହା କଲାଣି । ତଥାପି , ଆଜି ବି ସେ ଜୁଆନ (ଯୁବକ , Young ) । ପରବର୍ତ୍ତୀ ସମୟରେ ସେ ହୋଇଥିଲେ ମୋର ଅତି ବିଶ୍ଵସ୍ତ ତଥା ଆଦରର ସମ୍ମାନୀୟ ଗୁରୁଜନ । ସଂସାର ସାଗର ପାର ହେବା ପାଇଁ ପ୍ରତିକ୍ଷେତ୍ରରେ ସେ ପରାମର୍ଶ ଦେଇଛନ୍ତି , ସାହାଯ୍ୟ ସହଯୋଗ ଦେଇଛନ୍ତି । ରୋଷେଇ ଠାରୁ ଆରମ୍ଭ କରି ଦେହ ଅସୁସ୍ଥ ହେଲେ ବନୋଷଧିର ବ୍ୟବହାର , ଶିକ୍ଷକତା ଠାରୁ ସମାଜ ମଝିରେ ବସି ବିଭିନ୍ନ ସମସ୍ୟାର ସମାଧାନ ପରି ଅନେକ କଥା ତାଙ୍କ ନିକଟରୁ ଶିକ୍ଷା ଲାଭ କରିଛି । ହଠାତ୍ ଦିନେ ଶୁଣିଲି ଯେ ଦିନେ ସମସ୍ତଙ୍କୁ ବନୋଷଧି ଚିକିତ୍ସାରେ ଭଲ କରୁଥିଲେ , କୋୖଣସି ଏକ ଅଜଣା ରୋଗରେ ହଠାତ୍ ପୀଡିତ ହୋଇ ସ୍ଵର୍ଗାରୋହଣ କଲେ । ସେ ଦିନ ସ୍କୁଲ ଛୁଟି ଥିବାରୁ ମୁଁ ତାଙ୍କର ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରି ପାରିଲି ନାହିଁ । ପରବର୍ତ୍ତୀ ଦିନ ଶୁଣିଲା ପରେ ଲୋତକ ପୂର୍ଣ୍ଣ ଚକ୍ଷୁରେ ତାଙ୍କ କବର ନିକଟକୁ ଯାଇ ପୁଷ୍ପାଞ୍ଜଳି ପ୍ରଦାନ କରି ସ୍ବଗାରୋକ୍ତି କରି କହିଲି ,” ଜୁଆନ , ତୁମେ ମରି ପାରିବ ନି , ତୁମେ ଅମର । ତୁମେ ପାର୍ଥିବ ଶରୀରକୁ ତ୍ୟାଗ କରିଥିଲେ ମଧ୍ୟ ମୋ ମନରେ ତୁମେ ସଦାସର୍ବଦା ଜୀବିତ ରହିବ ।” ପୁନଶ୍ଚ ଜୁଆନଙ୍କ ଉଦେଶ୍ୟରେ ତାଙ୍କ କବରକୁ ପ୍ରଣାମ ଜଣାଇ ଧିରେ ଧିରେ ଫେରିଆସିବା ବାଟରେ ଭାବୁଥିଲି ଜୁଆନଙ୍କ ପାର୍ଥିବ ଶରୀର ତ୍ୟାଗ ସହିତ ସେଇ ବସ୍ତି ପାଇଁ ଗୋଟିଏ ଯୁଗର ଅବସାନ ହୋଇଗଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top