ଚିଠି ନୁହେଁ ସିଏ ଚିହ୍ନା ମଣିଷର
ଅନ୍ତର ନିଗିଡ଼ା ଭାଷା
ଚିଠି ନୁହେଁ ସିଏ କେତେ ଅପେକ୍ଷାର
ନିରବ ଅଧୀର ଆଶା ।।
ମନର ଭାବକୁ କଲମ ମୁନରେ
କାଗଜେ ଫୁଟାଇ ଦେଇ
ଠିକଣା ଲେଖିଲେ ଠିକଣା ଜାଗାରେ
ପହଞ୍ଚାଏ କିଏ ନେଇ ??
ସ୍ନେହ ପ୍ରୀତି କଥା ସୁଖ ଦୁଃଖ ବ୍ୟଥା
କୁଶଳ ଜିଜ୍ଞାସା ଥାଏ
କାଗଜ ସିନା ସେ ମୂଲ ତା’ ଅମୂଲ
ଯଦି ଦିଏ ଯିଏ ପାଏ ।।
ପ୍ରିୟ ଜନଠାରୁ ଚିଠିଟିଏ ପାଇ
ଅବା ଲେଖି ଚିଠିଟିଏ
ଭରିଯାଏ ମନ କଟେ ଅବସାଦ
ହୃଦୟ ହାଲୁକା ହୁଏ ।।
ପଢୁଥିଲେ ଲାଗେ ଦେଇଥିବା ଲୋକ
ଚିଠିଟି ଭିତରୁ ଚାହିଁ
ଆଖିରେ ଆଖିକୁ ମିଶାଇ ଦେଇ ତା’
ମନ କଥା ଯାଏ କହି ।।
ମନଛୁଆଁ ଚିଠି ସାଇତା ସନ୍ତକ
ସାତ ସିନ୍ଦୂକର ଧନ
ବେଳେବେଳେ ତାକୁ କାଢ଼ି ଦେଇ ଟିକେ
ପଢ଼ିବାକୁ ହୁଏ ମନ ।।
କେଡ଼େ ନିବିଡ଼ ଏ ଚିଠି ଦିଆନିଆ
ସମ୍ପର୍କର ଭାବଧାରା
ବିଜ୍ଞାପନ ଅବା ପ୍ରମାଣ ପତ୍ର ଏ
ସ୍ନେହ ସରାଗର ପରା ।।
ହେଲେ ଏବେ ଆଉ ମନକଥା ଲେଖି
ହେଉନି କାହାକୁ କିଏ
କାନରୁ କାନକୁ କଥା ଭାସିଲାଣି
ଚିଠିକୁ ପଚାରେ କିଏ ???
