ନା… ଆଉ ସାଇତି
ଗଢ଼ି ପାରିବିନି ଏ ଜଙ୍କ ଲଗା
ଲୌହ ହୃଦୟର ଆଟମ୍ ବମ୍……….!
ନଚେତ୍ ଧ୍ଵଂସ କରିଦେବ ମୋର
ହସ, ପ୍ରେମର ଦୁର୍ଲଭ ରାଜ ଉଆସ ।
ସୂତାଖିଅରେ ଗୋଟି ଗୋଟି କରି
ଯୋଖିଥିବା ନିଃସଙ୍ଗ ଭାବ
ଆପଣାପର ପାଖେ ଅଜାଡ଼ି ଦେଇ
ପୁଣି ଉପହାସର ଗାଦିରେ
ମୁଣ୍ଡ ଟେକି ବସିବାର ଧୈର୍ଯ୍ୟ ଆଉ ନାହିଁ ।
ମାୟା ଈଶାରାରେ ସମାଜରେ କରୁଥିବା
ମେହେନ୍ତର କାର୍ଯ୍ୟ ତ୍ୟାଗୀ
ସଫା କରିବି ନିଜ ହୃଦୟର
ପଙ୍କ, କାଦୁଅ, ମଇଳା
ବିନଷ୍ଟ ଭଙ୍ଗା କାଚ, ପଲିଥିନ୍, ପ୍ଲାଷ୍ଟିକ ।
ନିଜକୁ ଏ ଘଞ୍ଚ ଅରଣ୍ୟରୁ ତୋଳି ନେବି
ମରୁଭୂମିର ବାଲୁକା ମଧ୍ୟକୁ….
ଯେଉଁଠାରେ ଥିବ ଜୀବନ ବଞ୍ଚିବା ପାଇଁ
ସ୍ଵଳ୍ପ ଜଳ, ମାଟି ଏବଂ ଅହରହ ସମୀର….
ମୁଣ୍ଡ ଉପରେ ନିନ୍ଦା, ଘୃଣାର ବୋଝ ନୁହେଁ
ଥିବ ଶୂନ୍ୟ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ତାରା ।
ଚତୁର୍ଦ୍ଦିଗର କୋଳାହଳ, ପ୍ରେମର ମରୀଚିକା
ମୋହ ବଳେ ବାରାମ୍ବାର ଭିଡୁଥିବ
ପୂର୍ବାଭିମୁଖୀ ହୋଇ…
ପଞ୍ଜରାର ଗୁପ୍ତ ଆଢ଼ୁଆଳରେ
ଏକାନ୍ତର ଅନ୍ତର୍ଦ୍ଧ୍ୱନି ଗୁଞ୍ଜରିତ ହେଉଥିବ…..
ଏ ଚିର ସତ୍ୟ ନୁହେଁ ସବୁ ମାୟା.. ମାୟା..ମାୟା… ।
