ସମ୍ପାଦକୀୟ

ହସ୍ତତନ୍ତ ଶିଳ୍ପରେ ଓଡିଶା- କେତେ ବାସ୍ତବତା !

Dr Mousumi Parida's odia editorial article Hastanta Shilpare Odisha - Kete Bastabikata !

ଆଜିକାଲି ସଭ୍ରାନ୍ତ ବର୍ଗର ସ୍ତ୍ରୀ ପୁରୁଷ ଉଭୟ ସମ୍ବଲପୁରୀ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

“ଅତିଥି ଦେବୋ ଭବ”ଅନୁସାରେ ୨୦୨୫ ମସିହା ଜାନୁଆରୀ ୮ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବୈଶ୍ୱିକ ରାଜଦୂତମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଉଦ୍ଧେଶ୍ୟରେ ରାଜ୍ୟ ପ୍ରଶାସନ ତରଫରୁ ପ୍ରମୁଖ ସହର କଟକ ଓ ଭୁବନେଶ୍ୱରକୁ ରାଣୀ ପରି ସଜାଯାଇଥିଲା ଅତିଥିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ । ସମ୍ମେଳନ ଶେଷରେ ଅନେକ ରୋଚକ ଖବର ଭିତରୁ ଗୋଟିଏ ପ୍ରସଂଗଭିତ୍ତିକ ରୋଚକ ଖବର ଦୃଷ୍ଟି ଆକର୍ଷଣ କରିଥିଲା । ଯାହା ହେଉଛି- ୪ ଦିନରେ ବୟନିକାରୁ ୨ କୋଟି ଶାଢୀ କାରବାର ସଂପର୍କିତ ଖବର । ତାଂଜାନିଆରୁ ଆସିଥିବା ଡ. କୌଶିକ ଲକ୍ଷ୍ମୀଙ୍କ ଅନୁଯାୟୀ ଓଡିଶାର ଶାଢୀ ପ୍ରତି ବିଦେଶର ଆଦର ରହିଛି । ସୁଯୋଗ ମିଳିଲେ ଆମେ ଶାଢୀ କିଣିବାକୁ ଭୁଲି ନଥାଉ । ମିଆଁମାରର ଡ. ରାମ ନିବାସଙ୍କ ମତରେ- ଓଡିଶାର ଶାଢୀ ଦେଖି ଆମେ ବିସ୍ମିତ । ଆମ ପାଇଁ ଶାଢୀ କିଣିବାର ଏହା ଏକ ସ୍ମରଣୀୟ ଦିନ ହୋଇ ରହିବ । ଡ. ପ୍ରେମ କୁମାରଙ୍କ ସହିତ ଲେଖାରାଜଙ୍କ ପରି ଅନ୍ୟମାନେ ଓଡିଶାର ଶାଢୀକୁ ଆଗ୍ରହର ସହିତ କିଣିଛନ୍ତି । ( ସମାଜ, ୧୨ ତାରିଖ ଜାନୁଆରୀ ) । କହିବା ବାହୁଲ୍ୟ ଓଡିଶାର ଶାଢୀ ନିଜ ସ୍ୱତନ୍ତ୍ରତା ଦୃଷ୍ଟିରୁ ବେଶ୍ ଆକର୍ଷଣୀୟ ଓ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ।

ଶାଢୀର ମୂଳ ଶବ୍ଦ ଶାଟିକା । ଆନୁମାନିକ ଖ୍ରୀ.ପୂ ୨୦୦୦ର ସିନ୍ଧୁ ସଭ୍ୟତାରୁ ଜଣାଯାଏ ଯେ ସେତେବେଳର ମହିଳାମାନେ ଶାଢୀ ବ୍ୟବହାର କରୁଥିଲେ । ତନ୍ତୁରୁ ପ୍ରସ୍ତୁତ ସୂତା ଦ୍ୱାରା ଶାଢୀ ତିଆରି ହେଉଥିଲା । ପ୍ରାକୃତିକ ରଙ୍ଗ ଦିଆଯାଇ ଶାଢୀକୁ ଆକର୍ଷଣୀୟ କରାଯାଉଥିଲା । ସମୟାନୁକ୍ରମେ ବିଭିନ୍ନ ଶୈଳୀ ଓ ବିଭିନ୍ନ ସୂତା ଦ୍ୱାରା ଏହାକୁ ଅତ୍ୟାଧୁନିକ ଢାଂଚାରେ ପ୍ରସ୍ତୁତ କରାଗଲା । ବିଭିନ୍ନ ରାଜ୍ୟର ଲୋକେ ସେମାନଙ୍କ ପାରମ୍ପରିକ ଶୈଳୀରେ ଶାଢୀ ପିନ୍ଧିଥାନ୍ତି । ଶାଢୀରେ ମହିଳାମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଅନ୍ୟ ଏକ ଗବେଷଣାରୁ ଜଣାଯାଏ ଯେ ୧୯୧୩ ମସିହାରେ ଇଜିପ୍ଟର କାଏରେଠାରେ ଖନନ ଦ୍ୱାରା ମିଳିଥିବା ଗୋଟେ ସଂରକ୍ଷିତ ଶବ (ମମି) ଠାରୁ ଚିହ୍ନଟ କରାଯାଇଥିବା ତରଖାନ୍ ପୋଷାକଟି ପ୍ରାୟ ୫ ହଜାର ବର୍ଷ ତଳ ପୁରୁଣା ହୋଇଥିବାରୁ ଏହାକୁ ପ୍ରଥମ ହାତବୁଣା ପୋଷାକ ବୋଲି ଅନୁମାନ କରାଯାଏ । ଅର୍ଥାତ୍ ହାତବୁଣା ପୋଷାକର ଇତିହାସ ବେଶ୍ ପ୍ରାଚୀନ ।

ସମୟାନୁକ୍ରମେ ସଂସ୍କୃତି, ପରମ୍ପରା, ପସନ୍ଦ ଓ ଆର୍ଥିକ ସ୍ୱଚ୍ଛଳତା ଅନୁସାରେ ପୋଷାକର ଇତିହାସ ତଥା ରୂପରେଖ, ଆକାର, ପ୍ରକାର, ରଙ୍ଗ, ଭେଦ ବିବର୍ତ୍ତିତ ହେଲା । ଅବଶ୍ୟ ମଣିଷ ସେତେବେଳେ ଆଧୁନିକ ହେଲା ଯେତେବେଳେ ନିଆଁର ବ୍ୟବହାର ଜାଣିବା ସହିତ ସମାଜ ଗଠନ କରି ଛୋଟଛୋଟ ଦଳରେ ରହିବାକୁ ଲାଗିଲା । ନିରାପତ୍ତା ଓ ସହଜ ଜୀବନଯାପନ ପାଇଁ ଘର ସହିତ ଖାଦ୍ୟଶସ୍ୟ ଗଚ୍ଛିତ କରି ଶିଖିଲା । କ୍ରମଶଃ ଖାଦ୍ୟର ପ୍ରକାରଭେଦ ସହିତ ପୋଷାକ ଓ ଜୀବନ ଶୈଳୀ ମଧ୍ୟ ପ୍ରଭାବିତ ହୋଇଥିଲା । ସେହି କ୍ରମରେ ପୋଷାକ ତିଆରି ଓ ବ୍ୟବହାର ବଦଳିଲା । ଗଛରୁ ପ୍ରସ୍ତୁତ ତନ୍ତୁ, ସୂତା,ଚମଡା, ସିଲ୍କ, ଝୋଟ, ମେଣ୍ଢା ଲୋମ ବା ପଶମରୁ ପୋଷାକ ପ୍ରସ୍ତୁତ କରିବା ଆରଂଭ କଲା । ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ଅନୁସାରେ ଖ୍ରୀ. ପୂ ୭୦୦୦ରୁ ହସ୍ତତନ୍ତ ପୋଷାକ ବ୍ୟବହାର ହୋଇଆସୁଛି ।
ଆମ ଦେଶରେ ଲୁଗା/ଶାଢୀ ନାରୀ ଓ କୁର୍ତ୍ତା ପାଇଜାମା ପୁରୁଷମାନଙ୍କ ମୁଖ୍ୟ ପରିଧାନ । ଆଂଚଳିକ ସ୍ତରରେ ଏହା ସାମାନ୍ୟ ପରିବର୍ତ୍ତିତ ହୋଇ ନିଜସ୍ୱ ସ୍ୱତନ୍ତ୍ରତା ବଜାୟ ରଖିଛି । ଖାଲି ଆମ ଦେଶରେ ନୁହେଁ ଆଜିକାଲି ଦେଶବିଦେଶରେ ମଧ୍ୟ ଆମ ଶାଢୀକୁ ପସନ୍ଦ କରାଯାଉଛି । ଅବଶ୍ୟ ଅତ୍ୟାଧୁନିକ ଶୈଳୀ, ପାରମ୍ପରିକତା ସହିତ ପାଶ୍ଚାତ୍ୟ ପୋଷାକ ପ୍ରତି ଆକର୍ଷଣ ବୃଦ୍ଧି ଶାଢୀ ଶିଳ୍ପକୁ ନୂଆ ରୂପରଙ୍ଗ ଦେଇ ବିଶ୍ୱ ଦରବାରରେ ପରିଚିତ କରାଇ ସାରିଲାଣି । ସେଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ଶାଢୀର ଚାହିଦା ଅଚାନକ ବୃଦ୍ଧି ପାଇଛି । ଚଳିତବର୍ଷ ପ୍ରାରଂଭରେ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ହୋଇଥିବା ଶାଢୀବିକ୍ରୀ ଏହାର ଉଦାହରଣ । ପ୍ରକାଶ ଥାଉ କି କେବଳ ଭାରତରେ ନୁହେଁ ଶ୍ରୀଲଙ୍କା, ନେପାଳ, ବଙ୍ଗଳାଦେଶ ଓ ପାକିସ୍ତାନରେ ମଧ୍ୟ ଶାଢୀ ପିନ୍ଧାଯାଏ । କିନ୍ତୁ ଶାଢୀ ରପ୍ତାନୀ ଓ ବ୍ୟବହାରକାରୀଙ୍କ ସଂଖ୍ୟାରେ ଭାରତ ବିଶ୍ୱରେ ପ୍ରଥମ । ଶାଢୀ ରପ୍ତାନୀର ୭୩.୬୧ ପ୍ରତିଶତ ଭାଗ ଆମେରିକା, ମାଲୟେସିଆ, ନେପାଳ, ଶ୍ରୀଲଙ୍କା ଓ ସଂଯୁକ୍ତ ରାଷ୍ଟ୍ରକୁ ଯାଏ । ଅଷ୍ଟ୍ରେଲିଆକୁ ମଧ୍ୟ ଶାଢୀ ରପ୍ତାନୀ ହୁଏ ।

ଆମ ରାଜ୍ୟ ଓଡିଶାରେ ମଧ୍ୟ ବୟନ ଶିଳ୍ପର ଇତିହାସ ବହୁ ପୁରୁଣା । ସମ୍ବଲପୁରୀ ବାନ୍ଧକଳା ଖାଲି ଆମ ରାଜ୍ୟରେ ନୁହେଁ ସାରା ଦେଶରେ ପରିଚିତ ଓ ଲୋକପ୍ରିୟ । ବୟନ ଶୈଳୀ, ରଙ୍ଗ ଓ ବ୍ୟବହୃତ ସୂତାର ମାନକୁ ନେଇ ବସ୍ତ୍ରର ମୂଲ୍ୟ ପ୍ରଭାବିତ ହୁଏ । ବିଭିନ୍ନ ସ୍ଥାନର ବୁଣାକାରମାନେ ବିଭିନ୍ନ ଶୈଳୀରେ ପ୍ରସ୍ତୁତ କରୁଥିବାରୁ ସେସବୁକୁ ବିଭିନ୍ନ ନାମରେ ନାମିତ କରାଯାଏ । ସମ୍ବଲପୁରୀ ବସ୍ତ୍ର କହିଲେ ଆଖି ଆଗରେ ନାଚିଉଠେ ଭଳିଭଳି କିସମର ଚିତ୍ରିତ ଶାଢୀ । ଓଡିଶାର ପୁରପଲ୍ଲୀ ବିଶେଷ କରି ପଶ୍ଚିମ ଓଡିଶା ଓ ରାଜ୍ୟର ଅନ୍ୟ କିଛି ସ୍ଥାନରେ ବହୁ ପୁରୁଣା କାଳରୁ ହାତରେ ବୁଣାଯାଉଥିବା ଏହି ଶାଢୀଗୁଡିକ ପିନ୍ଧିବାକୁ ବେଶ୍ ଆରାମଦାୟକ ।

ଦ୍ୱାଦଶ ଶତାବ୍ଦୀର ସୁନାମଧନ୍ୟ କବି ଜୟଦେବ ସଂପୂର୍ଣ୍ଣ ଗୀତଗୋବିନ୍ଦର ପଦାବଳୀ ନିଜ ଜନ୍ମସ୍ଥାନ କେନ୍ଦୁଲିରୁ ପାଟବସ୍ତ୍ରରେ ଲେଖେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ । ପରେ ଏହା ଏତେ ଲୋକପ୍ରିୟ ହୋଇଥିଲା ଯେ ପୁରୀ ରାଜା ନୂଆପାଟଣା ଅନ୍ତର୍ଗତ ଟିଗିରିଆର ବୁଣାକାରମାନଙ୍କୁ ଏଭଳି ବସ୍ତ୍ର ତିଆରି କରିବାକୁ ଆଦେଶ ଦେଇଥିଲେ । ସମୟାନୁସାରେ ଏହାର ନବୀକରଣ ହେଲା । ଖଣ୍ଡୁଆ ପାଟ ଓ ଅନ୍ୟ ବୁଣାବସ୍ତ୍ର ମଧ୍ୟ ମହାପ୍ରଭୁଙ୍କୁ ଲାଗି ହୋଇଆସୁଛି । କାଳକ୍ରମେ ଏହାର ଡିଜାଇନ୍ ଶ୍ରୀମନ୍ଦିର ଛଡା କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର କାରୁକାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇଛି ।

ପଶ୍ଚିମ ଓଡିଶାର ବରଗଡ, ସୋନପୁର, ବରପାଲି, ରେମୁଣ୍ଡା, ବୌଦ୍ଧ, ସିଂହପାଲି, ତରଭା, କେନ୍ଦୁପାଲି, ବୀରମହାରାଜପୁର ଆଦି ସ୍ଥାନଗୁଡିକରେ ସମ୍ବଲପୁରୀ ବସ୍ତ୍ର ପ୍ରସ୍ତୁତ ହେଉଥିବାବେଳେ ଆମ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଯଥା କଟକର ନୂଆପାଟଣା, ବଡମ୍ବା, ମାଣିଆବନ୍ଧ, ନରସିଂହପୁର, ଟିଗିରିଆ, ବାଲେଶ୍ୱର ଓ ଯାଜପୁରର କିଛି ସ୍ଥାନରେ ଏଭଳି ଶାଢୀ ପ୍ରସ୍ତୁତ ହୋଇଆସୁଛି । ଆଜିକାଲି ସଭ୍ରାନ୍ତ ବର୍ଗର ସ୍ତ୍ରୀ ପୁରୁଷ ଉଭୟ ସମ୍ବଲପୁରୀ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

ବୁଣାକାରମାନଙ୍କର ପରିଶ୍ରମ-ପ୍ରସୂତ ବସ୍ତ୍ରଗୁଡିକରେ ନିହିତ ଥାଏ କଳାକୁଶଳତା, ରଙ୍ଗର ଅପୂର୍ବ ଚୟନ ଯାହାଦ୍ୱାରା ଶାଢୀଗୁଡିକ କେବଳ ସୁଦୃଶ୍ୟ ନୁହଁନ୍ତି ଖୁବ୍ ଆକର୍ଷଣୀୟ ମଧ୍ୟ । ଆଜିକାଲି ବିଭିନ୍ନ ରଙ୍ଗ, ଶୈଳୀ, ବଜାର ଚାହିଦା ସହ ଆଧୁନିକତାକୁ ବଜାୟ ରଖି ପ୍ରସ୍ତୁତ କରାଯାଉଥିବାରୁ ସମ୍ବଲପୁରୀ ବସ୍ତ୍ରର ଆବଶ୍ୟକତା ଆଗ ଅପେକ୍ଷା ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ବିଦେଶୀଙ୍କ ଧ୍ୟାନ ଆକର୍ଷଣ କରିଆସିଛି । ଦିନ ଥିଲା ପ୍ରତି ଘରେ ସମ୍ବଲପୁରୀ ବସ୍ତ୍ରର ବ୍ୟବହାର ହେଉଥିଲା । ବିଶେଷ କରି ବୟସ୍କା ମହିଳା ସମ୍ବଲପୁରୀ ସୂତାଶାଢୀ ବେଶି ବ୍ୟବହାର କରୁଥିଲେ । ଧନୀ ଗରିବ ମଧ୍ୟବିତ୍ତପ୍ରାୟ ସବୁ ଶ୍ରେଣୀର ଲୋକ ସମ୍ବଲପୁରୀ ଶାଢୀ ପିନ୍ଧିପାରିବାର କ୍ଷମତା ରଖୁଥିଲେ । ସେ ଅନୁଯାୟୀ ସେତେବେଳେ ବଜାରରେ ବିଭିନ୍ନ ମୂଲ୍ୟର ସମ୍ବଲପୁରୀ ଶାଢୀ ଉପଲବ୍ଧ ହେଉଥିଲା । ବିବାହ ବ୍ରତରେ ଦାମିକା ଶାଢୀ ହିସାବରେ ପ୍ରାୟତଃ ସମ୍ବଲପୁରୀ ପାଟ ବ୍ୟବହାର କରାଯାଉଥିଲା ।

ସମୟ ଥିଲା ନଣନ୍ଦ ପୁଟୁଳିରେ ପ୍ରଥମେ ସମ୍ବଲପୁରୀ ପାଟ ଖୋଜାପଡୁଥିଲା । ଝିଅର ବିବାହଠାରୁ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ ପାଟଶାଢୀ ହିଁ ଉପହାର ରୂପେ ବାପଘର ପକ୍ଷରୁ ଦିଆଯାଉଥିଲା । ତା ଭିତରେ ଲୁଚି ରହିଥିଲା ମାଟିର ମହକ, ବୁଣାକାରମାନଙ୍କ ସ୍ନେହଭରା ଆଶିଷ । ଆଜିକାଲି ସମୟ ସହିତ ଋଚି ଓ ଦୃଷ୍ଟିକୋଣ ବଦଳିଛି । ଆଗପରି ସମ୍ବଲପୁରୀ ଶାଢୀ ସହଜଲବ୍ଧ ହୋଇ ରହିନାହିଁ । ଏହାର ଚାହିଦା ବୃଦ୍ଧି ସହିତ ମୂଲ୍ୟ ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧିପାଇଛି ।

କିନ୍ତୁ ତନ୍ତବୁଣା ଶାଢୀ ଓ ବୟନଶିଳ୍ପ କାହିଁ କୋଉ କାଳରୁ ଓଡିଶାର ପାରମ୍ପରିକତା ବଜାୟ ରଖିଆସିଛି । କଳା-ଐତିହାସିକଙ୍କ ମତରେ ଏହି ପାରମ୍ପରିକ ତନ୍ତବୁଣା ଶାଢୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ସମ୍ବନ୍ଧାନ୍ୱିତ ଓ ମନ୍ଦିରର କାରୁକାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ । ଆରମ୍ଭରୁ ଧଳା, ହଳଦୀ, ଲାଲ୍ ଓ କଳା ଏହି ଚାରିରଙ୍ଗରେ ବସ୍ତ୍ର ପ୍ରସ୍ତୁତ ହେଉଥିବାବେଳେ ପରେ ସବୁଜ ରଙ୍ଗର ପ୍ରୟୋଗ କରାଯାଇଥିଲା । ବେଦ ଅନୁସାରେ ବ୍ୟବହୃତ ରଙ୍ଗ ଅତୀତ, ବର୍ତ୍ତମାନ, ଭବିଷ୍ୟ ତଥା ମହାକାଳର । ମନ୍ଦିର, ଗଛଲତା, ପତ୍ର, ହାତୀ, ହରିଣ, ଫୁଲପତ୍ର, ଚଢେଇ ଓ ଜ୍ୟାମିତିକ ଆକାରକୁ ନେଇ ଶାଢୀରେ ଡିଜାଇନ୍ ପ୍ରସ୍ତୁତ କରାଯାଉଥିଲା । ( ଓଡିଶାରେ ବୟନ ଇତିହାସ, ୨୬ ନଭେମ୍ବର, ୨୦୨୦) ଏବେ ସମୟ ସହିତ ଶୈଳୀ ମଧ୍ୟ ବଦଳିଛି । ତା ସହିତ ଲୋକମାନଙ୍କ ପସନ୍ଦ ବି ।

୧୯୮୦ ମସିହାରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ସମ୍ବଲପୁରୀ ଶାଢୀ ପିନ୍ଧୁଥିଲେ ଯାହା ତାଙ୍କ ବ୍ୟକ୍ତିତ୍ୱକୁ ବହୁଗୁଣିତ କରୁଥିଲା । ୨୦୦୭ ମସିହାରେ ବଲିଉଡ୍ ଫିଲ୍ମର କିମ୍ବଦନ୍ତୀ ପୁରୁଷ ଅମିତାଭ ବଚ୍ଚନ ନିଜପୁଅର ବିବାହ ପ୍ରସ୍ତାବ ନେଇ ଐଶ୍ୱର୍ଯ୍ୟା ରାୟଙ୍କ ଘରକୁ ଯିବାବେଳେ ଦୁଇଟି ସମ୍ବଲପୁରୀ ଶାଢୀ ଉପହାର ସ୍ୱରୂପ ସାଙ୍ଗରେ ନେଇଯାଇଥିଲେ । ନିକଟରେ ଲୋକସଭା ସଦସ୍ୟା ସୁପ୍ରୟା ସୁଲେ ପାର୍ଲ୍ୟାମେଣ୍ଟରେ ନିଜ ବକ୍ତବ୍ୟ ରଖିବାବେଳେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା ନକରି ରହିପାରିନଥିଲେ । ସେ କହିଥିଲେ- ସମ୍ବଲପୁରୀ ଶାଢୀ ପିନ୍ଧି ସେ କେତେ ସୁନ୍ଦରୀ ଓ ମର୍ଯ୍ୟାଦାସଂପନ୍ନ ଦିଶୁଛନ୍ତି ! ନିକଟ ଅତୀତରେ ଅଭିନେତ୍ରୀ ବିଦ୍ୟା ବାଲାନ୍ ତାଙ୍କ ଫିଲ୍ମ ଶକୁନ୍ତଳା ଦେବୀର ପ୍ରମୋସନ୍ ଅବସରରେ ସମ୍ବଲପୁରୀ ଶାଢୀ ପିନ୍ଧିଥିଲେ । ସେ ଅବସରରେ ସେ ବାନ୍ଧ ଶିଳ୍ପୀମାନଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ । ସମ୍ବଲପୁରୀ ଶାଢୀର ଚାହିଦା ବୃଦ୍ଧିର ଏସବୁ ଗୋଟେ ଗୋଟେ ଉଦାହରଣ ।

ଏହା ସତ୍ତ୍ୱେ ଓଡିଶାର ପୁରପଲ୍ଲୀରେ ଆଉ ସେଭଳି ସମ୍ବଲପୁରୀ ଶାଢୀପିନ୍ଧା ଝିଅବୋହୂ ଦେଖାଯାଉନାହାନ୍ତି ! ଚାହିଦା ବଢୁଥିବାରୁ ଏହାର ଅହେତୁକ ମୂଲ୍ୟବୃଦ୍ଧି ଲୋକଙ୍କ ପକେଟକୁ ଆଜିକାଲି ଆଗପରି ସୁହାଉ ନାହିଁ । ଅବଶ୍ୟ ପାଟଶାଢୀଟିଏ ବୁଣିବା ସମୟସାପେକ୍ଷ । ସେ ଅନୁସାରେ ମୂଲ୍ୟ ମଧ୍ୟ ବୃଦ୍ଧି ସାଧାରଣ କଥା । ସାଢେ ଚାରିହଜାରରୁ ସତୁରୀ, ଅଶୀ ହଜାର ପର୍ଯ୍ୟନ୍ତ ସମ୍ବଲପୁରୀ ଶାଢୀ ବଜାରରେ ଉପଲବ୍ଧ ଯାହା ସୁନା ଦାମ୍ ପରି ଆକାଶଛୁଆଁ । ସେଥିପାଇଁ ସମ୍ବଲପୁରୀ ପ୍ରିଂଟ୍ ଦେଇ ବନାଯାଉଥିବା ଶାଢୀ ପିନ୍ଧି ସେମାନେ ମନକୁ ବୁଝାଇ ଦେଉଛନ୍ତି !

ନିମ୍ନ ମଧ୍ୟବିତ୍ତ ବ୍ୟକ୍ତିଟିଏ ଝିଅ ବିବାହ ପାଇଁ ମନ ପସନ୍ଦର ପନ୍ଦର, କୋଡିଏ ହଜାର ଟଙ୍କାର ପାଟଶାଢୀ ନକିଣି ସେହି ଟଙ୍କାରେ ସୁନା ଗହଣା କିଣିବା ଉଚିତ୍ ହେବ । ନଣନ୍ଦ ପୁଟୁଳିରେ ଅନ୍ୟ କୌଣସି ବିକଳ୍ପ ଆପଣାଯାଇ ମନ ବୁଝାଯାଇପାରେ । ପାଞ୍ଚ ସାତ ଖଣ୍ଡ ସମ୍ବଲପୁରୀ ପାଟ ବଦଳରେ ବିବାହ ସମୟରେ ଖଣ୍ଡେ ସମ୍ବଲପୁରୀ ପାଟ କିଣାଯାଇପାରେ ।

ମୂଲ୍ୟବୃଦ୍ଧି ଦ୍ୱାରା ଯେ ବୁଣାକାରର ଭାଗ୍ୟ ବଦଳୁଛି, ତା ସତ୍ୟ ନୁହେଁ । ଭାଗ୍ୟ ବଦଳୁଛି କିଛି ଅସାଧୁ ବ୍ୟବସାୟୀଙ୍କର । ହସ୍ତତନ୍ତର ସ୍ୱାତନ୍ତ୍ର୍ୟ ବହନ କରୁଥିବା ସମ୍ବଲପୁରୀ ବସ୍ତ୍ର ଓଡିଆ ଅସ୍ମିତାର ପରିଚାୟକ, ତେଣୁ ସବୁ ଓଡିଆ ଏହାର ହକଦାର୍ ହେବା ଉଚିତ୍ । ସେଥିପାଇଁ ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖି ବ୍ୟବସାୟକୁ ପ୍ରସାରିତ କରାଗଲେ ବୁଣାକାର, ବ୍ୟବସାୟୀ ଓ ଜନସାଧାରଣ ସମସ୍ତେ ସନ୍ତୁଷ୍ଟ ହୋଇପାରନ୍ତେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top