ସମ୍ପାଦକୀୟ

ଅର୍ଦ୍ଧନାରୀଶ୍ୱର

Dr Mousumi Parida's odia editorial article Arddhanareeshwara

ସାରା ପୃଥିବୀରେ ଯେତିକି ଅଧିକାର ପୁରୁଷର ସେତିକି ଅଧିକାର ନାରୀର କାରଣ ଅର୍ଦ୍ଧନାରୀଶ୍ୱରବାଦ ଅନୁସାରେ ଏ ସଂସାର ପରିଚାଳିତ ।

ଯତ୍ର ନାର୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ ।
ଯତ୍ରୈତାସ୍ତୁ ନ ପୂଜ୍ୟନ୍ତେ ସର୍ବାସ୍ତତ୍ୱାଫଳାଃ କ୍ରିୟାଃ ।

ଯେଉଁଠାରେ ନାରୀକୁ ପୂଜା କରାଯାଏ ସେଠାରେ ଦେବତା ବାସ କରନ୍ତି । ଯେଉଁଠାରେ ପୂଜା କରାଯାଏ ନାହିଁ ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୋଇଯାଏ । ନାରୀ ଓ ପୁରୁଷ ଉଭୟଙ୍କ ବିଶେଷତା ସ୍ଥଳବିଶେଷରେ ଭିନ୍ନାଭିନ୍ନ ହେଲେ ମଧ୍ୟ ଉଭୟଙ୍କ ପ୍ରମୁଖତା ପ୍ରକୃତି ଓ ସମାଜ ପାଇଁ ନିତାନ୍ତ ଅପରିହାର୍ଯ୍ୟ । କେହି କାହାଠାରୁ ନ୍ୟୁନ ନୁହନ୍ତି କିମ୍ବା ପରସ୍ପରର ବିରୋଧାତ୍ମକ ନୁହନ୍ତି ବରଂ ଜଣେ ଅନ୍ୟଜଣକର ପରିପୂରକ । ଜଣକ ବିନା ଅନ୍ୟର ଅବସ୍ଥିତି ଅସଂଭବ । ଏହା ହିଁ ପ୍ରକୃତିର ନିୟମ । ସୃଷ୍ଟି ଏହି କ୍ରମରେ ପରିଚାଳିତ ।

କିନ୍ତୁ ସମୟାନୁକ୍ରମେ ଏଥିରେ ବ୍ୟତିକ୍ରମ ଆସିଛି, ନାରୀ ଓ ପୁରୁଷକୁ ନେଇ ସମାଜ ଭିତରେ ବିଭେଦ ସୃଷ୍ଟି ହୋଇଛି । ସାମାଜିକ, ନ୍ୟାୟିକ ଓ ପାରିବାରିକ ବ୍ୟବସ୍ଥା ଭିତରେ ନାରୀକୁ ବହୁ ଭାବରେ ସଂକୁଚିତ କରି ଦିଆଯାଇଛି । କେବେ ଅଧିକାର ତ କେବେ ଲିଙ୍ଗ ଭିତ୍ତିରେ, କେବେ ଶାରୀରିକ ଯୋଗ୍ୟତାନୁସାରେ ତ କେବେ ଉପଭୋଗର ସାମଗ୍ରୀ ପରି ବାଣ୍ଟି ଦିଆଯାଇଛି ତା’ର ଅଧିକାର, ଅସ୍ମିତା ଓ ପରିଚୟକୁ । ଆମ ସମାଜର ପୁରୁଷତନ୍ତ୍ର ନାରୀକୁ ନିଜ ଅଧୀନରେ ନଚାଇବାର ସୁଯୋଗ କେବେ ହାତଛଡା କରିନାହିଁ । କେବେ ଆମ ପୁରାଣ, ଇତିହାସକୁ ନିରେଖି ଅନୁଧ୍ୟାନ କରିନାହିଁ ।

ସମାଜ ହୁଏତ ବିସ୍ମରି ଯାଇଛି ଆମ ସଂସ୍କୃତି ହେଉଛି ଶ୍ରୀଜଗନ୍ନାଥଙ୍କ ସଂସ୍କୃତି । ଯାହା ଆମର ପରିଚୟ ଓ ଯାହାକୁ ନେଇ ଆମେ ଗର୍ବ କରୁ । ଶ୍ରୀଜଗନ୍ନାଥ ସଂସ୍କୃତିରେ ନାରୀ ମହନୀୟା । ଯେଉଁଠାରେ ନାରୀ ବହୁ ପରିଚୟରେ ସମୃଦ୍ଧା । କହିବା ବାହୁଲ୍ୟ ପ୍ରତି ପରିଚୟର ବିଭିନ୍ନ ସ୍ୱତନ୍ତ୍ରତା ରହିଛି । ଭିନ୍ନ ଭିନ୍ନ ପରିଚୟରେ ନାରୀର ଶ୍ରେଷ୍ଠତା ପ୍ରତିପାଦିତ ହୋଇଛି । ଏହି ଗୌରବାବହ ଶ୍ରୀ ଜଗନ୍ନାଥ ସଂସ୍କୃତି ନାରୀକୁ ଅନନ୍ୟା ଓ ଅତୁଳନୀୟା ବୋଲି ପ୍ରତିପାଦିତ କରିଛି । ମାତା ଲକ୍ଷ୍ମୀଙ୍କ ଅନ୍ୟନାମ ଶ୍ରୀ ହେତୁ ମନ୍ଦିରର ନାମକରଣ ମଧ୍ୟ ଶ୍ରୀମନ୍ଦିର ହୋଇଛି । ପ୍ରବେଶ ପଥର ଗୁମୁଟର ଉଦ୍ଧ୍ୱର୍ରେ ମାତା ଗୁମୁଟ-ଲକ୍ଷ୍ମୀ ବିରାଜମାନ କରି ଦର୍ଶନ ଦେଉଛନ୍ତି ।

ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହିତ ବିରାଜମାନ ଥିବା ପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀଙ୍କୁ ପତ୍ନୀ ଓ ଭଉଣୀ ସୁଭଦ୍ରାଙ୍କୁ ଭଉଣୀ ରୂପରେ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି । ଗୁଣ୍ଡିଚା ଘରକୁ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ନବଦିନାତ୍ମକ ଯାତ୍ରା କରିବା ପ୍ରମାଣ କରେ ଭଉଣୀର ଭାଇମାନଙ୍କ ଉପରେ ଥିବା ଅଧିକାର ଓ ଅପରପକ୍ଷରେ ବଡଭାଇମାନଙ୍କ ସାନ ଭଉଣୀ ପ୍ରତି ଥିବା ଅନାବିଳ ସ୍ନେହ ଓ ମମତା ଏତେ ନିବିଡ ହୋଇପାରେ ।

ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମାସକ ପାଇଁ ମାଆ ଲକ୍ଷ୍ମୀ ବାପଘରକୁ ବୁଲି ଯାଆନ୍ତି ଅର୍ଥାତ୍ ବୋହୂଟିଏ ଝିଅ ଭାବେ ଖୁସି ହେବାର ଓ ନିଜ ବାପଘର ଲୋକଙ୍କୁ ଲୋଡିଯିବାର ଅଧିକାର ଅଛି । ବୋହୂର ଅନୁପସ୍ଥିତିରେ ମାଆ ଯଶୋଦା ଘର ସଂଭାଳି ପିଲାମାନଙ୍କ ଉପରେ ବାତ୍ସଲ୍ୟ ନିଗାଡି ଦିଅନ୍ତି । ପିଲାମାନଙ୍କୁ ନାନା ପ୍ରକାରର ଶୁଖିଲା ଭୋଗ ବନାଇ ଖୁଆନ୍ତି । ବୋହୂ ଅନୁପସ୍ଥିତିରେ ମାଆଟିଏ ପିଲାମାନଙ୍କ ପାଇଁ ପୂର୍ବପରି ଯତ୍ନଶୀଳା । ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପୂଜାବିଧି ବି ନିଆରା । ଯେତେହେଲେ ବି ସେ ମହାଲକ୍ଷ୍ମୀଙ୍କ ବଡ ଯାଆ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାଉଜ, ମାତୃସମା । ସେଥିପାଇଁ ଅନ୍ନ ପ୍ରସାଦ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଖରେ ଲାଗି କରାଯାଇ ବିମଳାଙ୍କ ପାଖରେ ସମର୍ପଣ କରାଗଲେ ହିଁ ମହାପ୍ରସାଦରେ ପରିଣତ ହୁଏ । ସେମିତି ମାଉସୀ ହାତର ପୋଡପିଠା ଖାଇବାକୁ ରଥ ତିନୋଟି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ମଝିରେ ଥିବା ଅର୍ଦ୍ଧାସିନୀ ମନ୍ଦିର ପାଖରେ ଅଟକି ଥାନ୍ତି । ମାଆ ଅର୍ଦ୍ଧାସିନୀ ଦେବୀ ହିଁ ମହାପ୍ରଭୁଙ୍କ ମାଉସୀ । ରାଣୀ ଗୁଣ୍ଡିଚାଙ୍କ ଅନୁରୋଧରେ ପ୍ରତିବର୍ଷରେ ଥରେ ନିଜ ଜନ୍ମବେଦୀକୁ ଯାଆନ୍ତି ପ୍ରଭୁମାନେ । ତେଣୁ ନାରୀକୁ ଆମ ସଂସ୍କୃତି କେତେ ମହନୀୟ କରି ଗଢି ତୋଳିଛି ! ଏ ତ ଗଲା ଆମ ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ ନାରୀର ଭୂମିକା ଓ ମହନୀୟତା ।

ପ୍ରକାଶ ଥାଉ କି ୧୯୦୩ ମାର୍ଚ୍ଚ ୮ ତାରିଖରୁ ଆମେରିକାରେ ନାରୀ ଜାଗରଣର ସୂତ୍ରପାତ ହୋଇଥିଲା । ୟା ଭିତରେ ଶତାଧିକ ବର୍ଷ ଅତିକ୍ରାନ୍ତ । ପୁରୁଷପ୍ରଧାନ ସମାଜରେ ନାରୀର ପ୍ରଗତି ବହୁ ଦ୍ୱିଧାଦ୍ୱନ୍ଦ୍ୱ ଦେଇ ଗତି କରିଆସିଛି । ନାରୀ ଆଉ ପୂର୍ବ ଭଳି ଅସୂର୍ଯ୍ୟଂପଶ୍ୟା ହୋଇ ରହିନାହିଁ । ସେ ନିଜକୁ କୋଣସି ସୀମା ଭିତରେ ପୂର୍ବ ପରି ଛନ୍ଦିବାକୁ ଚାହୁଁ ନାହିଁ । ତାର ଉଡାଣ ପୃଥିବୀରୁ ଆକାଶକୁ । ସବୁଠି ତାର ପ୍ରଶସ୍ତି । ଦେଶର ଅଭିବୃଦ୍ଧିରେ ନାରୀର ଭୂମିକା ବି କମ୍ ନୁହେଁ ।

ଏବେ ଝିଅମାନେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ନିଜ ନିପୁଣତା ପ୍ରଦର୍ଶନ କରିଆସୁଛନ୍ତି । ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ମହାକାଶରେ ପାଖାପାଖି ୯ ମାସ ଧରି ଫଶି ରହିବା ପରେ ଭଲରେ ଭଲରେ ପୃଥିବୀ ପୃଷ୍ଠକୁ ଫେରି ଆସିବା ନିହାତି ଚ୍ୟାଲେଂଜିଂ । ନିକଟରେ ପାକିସ୍ଥାନ ଉପରେ ପ୍ରତିଆକ୍ରମଣ କରିଥିବା ଅପରେସନ୍ ସିନ୍ଦୂରର ମୁଖ୍ୟ ଭୂମିକା ଦୁଇ ଝିଅ ହିଁ ତୁଲାଇଥିଲେ । ସେମାନଙ୍କ ନାଁ ଥିଲା କର୍ଣ୍ଣଲ ସୋଫିଆ କୁରୈଶୀ ଓ ୱିଙ୍ଗ କମାଣ୍ଡର୍ ବ୍ୟୋମିକା ସିଂହ । ବେଶି ଦିନ ହୋଇନି ଗୋଟେ ଘଟଣା ଆମ ସମସ୍ତଙ୍କ ଭିତରେ ଆନନ୍ଦର ଲହରୀ ଖେଳାଇ ଦେଇଥିଲା । ମହିଳା କ୍ରିକେଟ୍ ଦଳ ବିଶ୍ୱ ବିଜୟୀ ହୋଇ ସମଗ୍ର ବିଶ୍ୱକୁ ଚମତ୍କୃତ କରିବା ଛୋଟ ନଥିଲା ।

ଜାତୀୟ ସ୍ତରରେ ଆମ ନାରୀମାନେ ପଛୁଆ ନାହାନ୍ତି । ତୃଣମୂଳ ସ୍ତରର ପ୍ରଶାସନଠାରୁ ଆରଂଭ କରି ପ୍ରତିରକ୍ଷାବାହିନୀ, ବିମାନ ଚଳାଚଳ ଓ ମହାକାଶଚାରୀ ଭାବେ ନିଜକୁ ନିୟୋଜିତ କରି ଆସୁଛି । ପ୍ରଶାସନିକ ସ୍ତରରେ ଅନେକ ଯୋଜନା ହେଉଛି । ନାରୀର ସୁରକ୍ଷା, ଆତ୍ମନିର୍ଭରଶୀଳତା ପାଇଁ ବିଗତ ୧୧ ବର୍ଷ ଧରି ବିଭିନ୍ନ ସଂସ୍ଥା ନିୟୋଜିତ ହୋଇଛି । ସାମାଜିକ, ଆର୍ଥିକ, ରାଜନୈତିକ ଓ ଆଇନଗତ କ୍ଷେତ୍ରରେ ମହିଳାମାନଙ୍କୁ ଶକ୍ତ କରିବାକୁ ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରାଯାଇଛି ।

ବେଟୀ ପଢାଓ ବେଟୀ ବଚାଓ, ମିଶନ ଶକ୍ତି, ସୁଭଦ୍ରା ଯୋଜନା ସହିତ ଧୂଆଁମୁକ୍ତ ରୋଷେଇ ପାଇଁ ଗ୍ୟାସ୍ ସିଲିଣ୍ଡର୍ ଯୋଗାଇଦେବା ପରି ଅଭିନବ ପଦକ୍ଷେପମାନ ନାରୀକୁ ସୁଶକ୍ତ କରିଛି । ଏସ. ଏସ. ଜି ଗ୍ରୁପ୍ର ମହିଳାମାନେ ଟ୍ରେନିଂ ଜରିଆରେ ଆହାର କେନ୍ଦ୍ର ଓ କାଫେରେ ନିୟୋଜିତ ଅଛନ୍ତି । ଆଜିକାଲି ଗ୍ରାମାଂଚଳଗୁଡିକରେ ମହିଳାମାନେ ଆର୍ଥିକ ସମୃଦ୍ଧ ହେଲେଣି । ଛୋଟବଡ କୁଟୀର ଶିଳ୍ପ ମାଧ୍ୟମରେ ପ୍ରସିଦ୍ଧି ହାସଲ କଲେଣି । ସୁଭଦ୍ରା ଯୋଜନା ଦ୍ୱାରା ମହିଳାମାନେ ଛୋଟ ବ୍ୟବସାୟ ଆରଂଭ କରି ସ୍ୱାଭିମାନର ସହିତ ବଂଚିବା ଶିଖୁଛନ୍ତି ।

ନାରୀ ଘରକାମ ସହିତ ବାହାର କାମରେ ପୁରୁଷମାନଙ୍କ ସମକକ୍ଷ । ଯେଉଁ ଦେଶରେ ଜଣେ ସମ୍ମାନନୀୟା ମହିଳା ରାଷ୍ଟ୍ରପତି ପଦରେ ଅଭିଷିକ୍ତା ସେ ଦେଶରେ ନାରୀମାନେ ଅବଳା ଦୁର୍ବଳା ନୁହନ୍ତି । ଆଜିକାଲି ନାରୀ ପରିବାର ଓ କର୍ମକ୍ଷେତ୍ରରେ ବେଶ୍ ପାରଙ୍ଗମ । ପୂର୍ବ ପରି ସେ ଆଉ ସଂକୁଚିତ ନୁହେଁ । ଆକାଶକୁ ଉଡାଣ ତାର । ତାକୁ ଟିକେ ଉତ୍ସାହ ଓ ପ୍ରେରଣା ଲୋଡା । ପୂର୍ବ ପରି ତା ହାଦପାଦକୁ ବିଭିନ୍ନ ଶୃଙ୍ଖଳରେ ଛନ୍ଦି ସଂକୁଚିତ କରିଦିଆ ନଯାଇ ତାକୁ ମୁକ୍ତ କରିଦେଲେ ସେ ଘର ଓ ବାହାର ଉଭୟକୁ ସ୍ୱର୍ଗ ବନାଇପାରନ୍ତା । କିନ୍ତୁ ସେଥିପାଇଁ ଆବଶ୍ୟକ ଆନ୍ତରିକତା, ଉଦାର ମାନସିକତା ତଥା ପାରିବାରିକ ଓ ସାମାଜିକ ସହାନୁଭୂତି । ନାରୀ ପୁରୁଷ ଭିତରର ସଂକୀର୍ଣ୍ଣ ମାନସିକତାରୁ ମୁକୁଳି ପାରିଲେ କେବଳ ପରିବାର କାହିଁକି ଦେଶର ବି ଉନ୍ନତି ସାଧନ ହେବ । ଯେଉଁଥିପାଇଁ ସରକାର ତତ୍ପର ଅଛନ୍ତି ସେଥିପାଇଁ ସମାଜ ଓ ପରିବାର ବି ତତ୍ପର ହେବା ଆବଶ୍ୟକ । ସାରା ପୃଥିବୀରେ ଯେତିକି ଅଧିକାର ପୁରୁଷର ସେତିକି ଅଧିକାର ନାରୀର କାରଣ ଅର୍ଦ୍ଧନାରୀଶ୍ୱରବାଦ ଅନୁସାରେ ଏ ସଂସାର ପରିଚାଳିତ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top