ବିବର୍ତ୍ତନବାଦ ଅନୁସାରେ ମଣିଷର ପୂର୍ବଜ ଯଦି ମାଙ୍କଡ ଥିଲେ, ତେବେ ସେହି ନିୟମାନୁଯାୟୀ ଭବିଷ୍ୟତରେ ମଣିଷର ବିବର୍ତ୍ତନ କେଉଁ ରୂପ ନେବ ? ଏବେ ଯେଉଁ ମାଙ୍କଡମାନେ ଆମ ଫୁଲଫଳ ବଗିଚାକୁ ନଷ୍ଟ କରୁଛନ୍ତି, ସେମାନେ କେଉଁଠୁ ଆସିଲେ ? ସେମାନଙ୍କର ବିବର୍ତ୍ତନ କାହିଁକି ହୋଇନି ? କେବେକେବେ ଏ କେତୋଟି ପ୍ରଶ୍ନ ମନକୁ ଭାରାକ୍ରାନ୍ତ କରେ । ହଁ ଏହା ସତ୍ୟ ଯେ ମଣିଷ ଭିତରେ ମାଙ୍କଡାମୀ ଏବେ ବି ବଳବତ୍ତର । ସେଥିରୁ ମୁକ୍ତି ନାହିଁ ! ଏମିତି ଭାବୁଭାବୁ ହସଖୁସିଆ ପାତ୍ରବାବୁଙ୍କୁ ଦେଖିଲି । ଅଥଚ ସେଦିନ ମୁହଁଟା ଶୁଖିଯାଇଥିଲା, ଆଗପରି ଚମକ ନଥିଲା ! ସହକର୍ମୀ ହିସାବରେ ଆମମାନଙ୍କୁ ଅଫିସ୍ରେ ଖୁବ୍ ହସାନ୍ତି ।
ଭାଉଜ ପଠେଇଥିବା ବାଦାମ କେକ୍ ଓ ଭେଜ୍ ମୋମୋ ଅନେକବାର ଖାଇଛୁ । ତାଙ୍କଠାରୁ ରେସିପି ନେଇ ଘରେ ବନାଇ ତାରିଫ୍ ବି ପାଇଛୁ । ଏପରି ଖୁସ୍ମିଜାଜ୍ ଲୋକଙ୍କ କଣ ହେଲା ? ଭାଉଜ ତ ଭାରି ଶାନ୍ତ, ଏମାନଙ୍କ ଯୁଗଳବନ୍ଦୀ ସମସ୍ତଙ୍କ ପାଇଁ ଉଦାହରଣ । ସେମାନଙ୍କ ପାରସ୍ପରିକ ବୁଝାମଣା ବହିର କାହାଣୀ ପରି ଲାଗେ । ଲଞ୍ଚ୍ବେଳେ ଫୁରୁସତ୍ ପାଇ ପଚାରିଲି – କି ଚିନ୍ତାରେ ଫଶିଛନ୍ତି? ସକାଳଠୁ ଦେଖୁଚି ଆପଣଙ୍କୁ । ଖୁସିର ଚିହ୍ନବର୍ଣ୍ଣ ନାହିଁ ମୁହଁରେ !
ସେ କହିଲେ- ସେଇ ଆମ୍ବଗଛ.. ।
ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି- ଆମ୍ବଗଛ କଣ କଲା?
ସେ ଅନ୍ୟମନସ୍କ ହେଇ କହିଲେ- ହଁ ..ଅଯଥାରେ ଗୁଡେ ଫଳୁଛି । ସେଇଟା ହିଁ ଦୁଃଖ !
ଫଳନ୍ତି ଗଛ ତ ଶୁଭ । ଆପଣ ତାକୁ ଦୁଃଖ ବୋଲି କାଇଁ କହୁଚନ୍ତି ? ଭାଉଜଙ୍କୁ କୁହନ୍ତୁ ଆମ୍ବରେ କେତେ କଣ ବନେଇଦେବେ ।
ତାର ସେଥିରେ ଆଗ୍ରହ ନାହିଁ । ଯେଉଁ ଚିଜଟି ଦୁଃଖର କାରଣ ସେଥିରେ ମୋହ ଲଗେଇପାରେନି ସେ । ଆଉ ବି ଖଟାଜାତୀୟ ଚିଜ ଦେହରେ ଯାଉନି । ତା ପରେ ଫଳନ୍ତି ଗଛ କେତେ ସହେ ଏ ମଣିଷ-ମାଙ୍କଡଙ୍କ ପ୍ରାଦୁର୍ଭାବକୁ ! ନା ସେ ପ୍ରତିବାଦ କରିପାରେ ନା ମାଲିକ ବୋଲାଉଥିବା ଆମେସବୁ ବିଚରାମାନେ !
ମଣିଷମାନେ କେତେ ସ୍ୱାର୍ଥପର କହିଲେ ? ଯିଏ ବାଦବିବାଦ କରି ଝଗଡା କଲା ସେ ଶକ୍ତିଶାଳୀ । ଯେ’ ଭଦ୍ରତା ଅନୁସରି ଚୁପ୍ ରହିଲା ତା ଉପରେ ବେଡି ଉପରେ କୋରଡା ମାଡ ! ପଞ୍ଝାଏ ଅସହିଷ୍ଣୁତା କି ସ୍ୱାର୍ଥପରତା ପାଇଁ ଏଭଳି ହୁଅନ୍ତି, ଜାଣିନି କିନ୍ତୁ ଯାହା କରନ୍ତି ସେସବୁ ଅଶୋଭନୀୟ । ସବୁବେଳେ ଭାବେ ଗଛଟାକୁ ହାଣିଦେବି । କି ଲାଭ ମିଳୁଚି ସେ ଗଛରେ ! ଓଲଟା ତାକୁ ନେଇ ଯାବତୀୟ କଳି ଝଗଡା । ବଉଳିବା ଦିନଠୁ ଲୋକମାନଙ୍କ ଦୃଷ୍ଟିରେ ସବୁବେଳେ ସେଇ ଆମ୍ବ ଗଛ । ସେମାନଙ୍କ ବାଡିରେ ବି ଆମ୍ବଗଛ ଅଛି ହେଲେ ଆମ ବାଡିର ଆମ୍ବଗଛ ହିଁ ସେମାନଙ୍କୁ ଦିଶେ ।
ଘଟଣା କଣ ବୁଝୁବୁଝୁ ନିଷ୍କର୍ଷ ବାହାରିଲା ଯେ’ ଆମ୍ବଗଛଟା ଅନ୍ୟମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ପାତ୍ରବାବୁଙ୍କ ମାନସିକ ଶାନ୍ତି ଭଂଗ କରୁଛି । କଥାଟା ଏମିତି ଥିଲା – ବୈଶାଖର ଉଦୁଉଦିଆ ଖରାବେଳେ ଆମ୍ବସବୁ ପେନ୍ଥାପେନ୍ଥା ହୋଇ ଲଟକିଥିଲେ ପାତ୍ରବାବୁଙ୍କ ବାରିରେ । ପତ୍ର ଯେତିକି ଫଳ ସେତିକି ! କଷି ଧରୁଧରୁ କିଛି ପିଲା ଓ ଅଧା ବୟସର ଲୋକ ନଗି, ଟେକା ପଥର ସହ ଗଛମୂଳେ ହାବୁଡି ଯାଆନ୍ତି !
ପାତ୍ରବାବୁଙ୍କ ପରିବାର ଲୋକେ କହନ୍ତି – ଆମ୍ବ ଟିକେ ବଡ ହଉ । ସେମାନେ ନିର୍ଲ୍ଲଜଙ୍କ ପରି ଦାନ୍ତ ନିକୁଟି କହନ୍ତି – ନାଇଁ କଷିଆମ୍ବ ଚଟଣୀ ହେଲେ ଭଲ ଲାଗେ ତ, ସେଇଥିପାଇଁ । ଆଉ କେହି କେହି ଭିନ୍ନ ବାହାନା କରନ୍ତି – ନିମ୍ବରେ ଆମ୍ବ ଟିକେ ଦରକାର ଥିଲା ତ ସେଥିପାଇଁ । ମଜା କଥା ହେଲା ଏମାନଙ୍କ ବାଡିଆମ୍ବ ଟିକେ ପାକଳ ହୋଇଗଲେ ଏମାନେ ସେସବୁକୁ ବିକ୍ରୀ କରିବାକୁ ହାଟକୁ ପଠାନ୍ତି ନହେଲେ ଘରେ ପଚେଇ ଖାଆନ୍ତି ।
ଏତିକି ନୁହଁ ଏମାନଙ୍କ ବାଡିରେ ବେଲ, ପିଜୁଳି, ପଣସ, କଦଳୀ, ଡାଳିମ୍ବ, ଅଁଳା ଏମିତି କେତେକଣ ଫଳନ୍ତି ଗଛ ଅଛି । କେବେ ବି ଏମାନେ ଶ୍ରଦ୍ଧାରେ ଯାଚିଦେଇନାହାନ୍ତି ନିଜ ବାଡିର ଜିନିଷ । ନିଜ ଗଛ ଛାଡି ଏଇ ଗଛରୁ ଆମ୍ବ ତୋଳନ୍ତି । ପାର୍ଥକ୍ୟ ଏତିକି ପାତ୍ରବାବୁଙ୍କ ପରିବାର ଭଦ୍ରତାର ସୀମା ଲଂଘି ପ୍ରତିବାଦ କରିପାରନ୍ତିନି ।
ଖରାବେଳେ ମାଙ୍କଡମାନେ ଆମ୍ବରୁ ପେଟେ ଖାଇ ଗଛଡାଳରେ ଥକ୍କା ମେଂଟାଉଥିବାବେଳେ ମାଙ୍କଡଙ୍କୁ ଘଉଡାଇବା ପାଇଁ ମଣିଷ ମାଙ୍କଡ – ଡିଆଁ ଆରମ୍ଭ କରେ । ଆମ୍ବ ତୋଳିବାର ଅରମାନଟି ସହଜରେ ମେଣ୍ଟିଯାଏ । କେବେ କାଳବୈଶାଖୀ ତ କେବେ ମାଙ୍କଡ ପଲଙ୍କୁ ହୁରୁଡେଇବା ବାହାନାରେ ଟେକା,ପଥର ପକାଇ ଆମ୍ବ ତୋଳାଯାଏ । ପୁଣି ମାଙ୍କଡମାନେ ବି ଏମାନଙ୍କ ମନ ଜାଣି କୁଦାକୁଦି କରି ଆମ୍ବ କିଛି ଝଡେଇ ଦିଅନ୍ତି । ରଣକ୍ଷେତ୍ର ପାଲଟିଯାଏ ପାତ୍ରବାବୁଙ୍କ ବାରିପଟ ।
ଖରାବେଳେ କିଛି ତାସ୍, ଲୁଡୁ ଖେଳିବା ବାହାନାରେ ଆମ୍ବ ଯୋଗାଡିବାରେ ଲାଗିପଡନ୍ତି । ସବୁଠୁ ବେଶି ଝାମେଲା କରନ୍ତି ମାଙ୍କଡପଲ ଆସିଲେ । ପଶୁ ଜାତି ପୁଣି ବଞ୍ଚିବେ ତ ? ଆମ୍ବରେ ତ କେହି ମଣିଷ ପେଟ ପୂରାଇବନି । କିନ୍ତୁ ଏ ମଣିଷ ମାଙ୍କଡମାନେ ମଣିଷମାନଙ୍କୁ ତ ସହିପାରନ୍ତିନି, ମାଙ୍କଡଙ୍କୁ କୁଆଡୁ ସହିବେ ! ପାତ୍ରବାବୁଙ୍କ ମାଆ ଶୋଇନପାରି ଆସି କହନ୍ତି – ବାବୁରେ ! କଷି ଧରୁଧରୁ କାଇଁ ପାଲା ଲଗଉଚ, ଶୋଇବସି ହଉନି ଶାନ୍ତିରେ ଟିକେ ! ଜବାବ୍ ଆସେ – ଭଲ କଥା ମାଉସୀ, ମଣିଷ ଖାଇଲେ ଦେହ ସହୁନି ହେଲେ ମାଙ୍କଡ ଖାଇଲେ ତୁମର ଅସୁବିଧା ନାଇଁ ? ଆମେ ମାଙ୍କଡଖିଆ ଆମ୍ବରୁ କେଇଟା ନଉଚୁ ସାଙ୍ଗରେ । ଅନ୍ୟମାନେ ତ ଗଛରୁ ଆମ୍ବ ତୋଳିନେଉଚନ୍ତି, ଦେଖାଯାଉନି ! ଏମିତି ଅନେକଙ୍କ ଅନେକ ବାହାନା ! କିନ୍ତୁ ଲକ୍ଷ୍ୟ ଏକ- ଆମ୍ବତୋଳା । ପାତ୍ର ବାବୁଙ୍କ ମାଆ ଗଛମୂଳକୁ ଯାଇ ଦେଖିଲେ ମାଙ୍କଡମାନେ ଢୁଳଉଛନ୍ତି ପତ୍ର ଗହଳିରେ । ଏ ମଉକାରେ ମାଙ୍କଡ ଖିଆ ଆମ୍ବ ନାଁରେ ବସ୍ତାଏ ନିଖୁଣ ଆମ୍ବ ଧରି ଦୁଇଜଣ ଲୋକ ନିଜ ଘରକୁ ଗଲେଣି । ଗଛରେ ଅଳ୍ପ କେଇଟା ଆମ୍ବ ଝୁଲୁଚି ମାତ୍ର । ଅଥଚ ସେମାନଙ୍କ ବାଡିର ଗଛମାନେ ନିର୍ଭୀକ ହୋଇ ହସୁଛନ୍ତି ଯେଝା ପରିସର ଭିତରେ ।
ପାତ୍ରବାବୁ ବାହାରିଆସି କହିଲେ- ଥାଉ ବୋଉ, ସେମାନଙ୍କୁ ବୁଝେଇ ଲାଭ ନାହିଁ । ସେମାନେ ପୁଣି ଆଉ କେଇଜଣଙ୍କୁ ପଠେଇ ଟେକା ପଥର ମାଡ କରିବେ ଗଛକୁ । ଜଣକ ପରେ ଜଣେ ଆସି ଗଛମୂଳେ ଆଖଡା କରିବେ । ଅଭଦ୍ରମାନଙ୍କ ସହ କଳି କଲେ ସମ୍ମାନ ଯାଏ । ପାତ୍ରବାବୁ ଭାବୁଥିଲେ- କାଳେ ଆଗରୁ ମଣିଷ ମାଙ୍କଡ ପରି ଥିଲା, ବିବର୍ତ୍ତନ ହୋଇ ମଣିଷ ହୋଇଛି । ଏବେ ବୋଧେ ସେ ପୁଣି ମାଙ୍କଡ ହୋଇଗଲାଣି ! ନିଜେ ବଞ୍ଚିବାକୁ ସବୁ ଜାତୀୟ ଜୀବଙ୍କ ନିଦ ହଜେଇଦେଇଛି । ଏଇ କାଳେ ତା’ର ଚତୁରତା । ମାଙ୍କଡମାନଙ୍କ ବେଶ୍ ଶାନ୍ତିର ସହ ବିଶ୍ରାମ ନେଉଥିଲେ । ହେଲେ ତଳେ ଗୁଡେ ମଣିଷ – ମାଙ୍କଡ ଉତ୍ପାତ ଆରଂଭ କରିଦେଇଥିଲେ ।
ପିଲାମାନେ ହୋଇଥିଲେ କଥାଟା ଚଳିଥା’ନ୍ତା ଅବଶ୍ୟ, ହେଲେ ଏମାନେ ଚାଳିଶ ପାଖାପାଖି, ଯେଉଁମାନଙ୍କ ନିଜ ଜିନିଷ ପ୍ରତି ଭୟଙ୍କର ଲୋଭ । ଅଥଚ ନଜର ଅନ୍ୟମାନଙ୍କ ଚିଜକୁ ହାସଲ କରିବା । ମଣିଷ ଭିତରର ଏ ସ୍ୱାର୍ଥପରତାକୁ ରୋକିହୁଏନି ବୋଲି ତ ସବୁତକ ଝାମେଲା ବିଚରା ଭଲଲୋକେ ହିଁ ସହନ୍ତି । ମାଙ୍କଡ ପ୍ରବୃତ୍ତିର ଲୋକେ ତ କେବଳ ମଜାମାରି ଅନ୍ୟକୁ ଲୁଟନ୍ତି !
ପାତ୍ର ବାବୁଙ୍କ ଚିନ୍ତା ଆମ ଭିତରେ ପ୍ରବେଶି ସାରିଥିଲା । ତାଙ୍କ ଚିନ୍ତା କଣ ବୁଝିଲା ପରେ ମୁଁ ଆବିଷ୍କାର କରୁଥିଲି ଏଭଳି ଲୋକେ ଆମ ଆଖପାଖରେ ଭର୍ତ୍ତି ! ଅଥଚ ଆମେ ସେମାନଙ୍କୁ ଅଣଦେଖା କରିବାକୁ ବାଧ୍ୟ । ପାତ୍ରବାବୁ କହୁଥିଲେ – ଆମମାନଙ୍କ ଜୀବନର ଅନ୍ୟତମ ମନ୍ତ୍ର ହେଉଛି ‘ନିଜେ ବଂଚ ଓ ଅନ୍ୟକୁ ବଂଚିବାକୁ ଦିଅ’ । ଆମେ କିନ୍ତୁ ଖାଲି ‘ନିଜେ ବଂଚ’ କଥାଟିକୁ ମନେରଖି ବାକି କଥା ଭୁଲିଯାଉଛେ । ସକାଳ ହେଉହେଉ କାହା ବାଡିରୁ ଫୁଲ ତ କାହା ବାଡିରୁ କଂଚା ଲଙ୍କା, ଡାଳିମ୍ବ ଆଦି ଗାୟବ । ଶ୍ରଦ୍ଧାରେ ଫୁଲକୁଣ୍ଡରେ ଲଗାଇଯାଇଥିବା ଫୁଲ ବି ରହୁନି । ପଚାରିଲେ ଓଲଟା ଜବାବ୍ ଶୁଣିବାକୁ ପଡୁଛି । ଆଜିକାଲି ଗଛମାନଙ୍କ ଉପରୁ ଲୋଭ ତୁଟିଗଲାଣି । ଚାରା କିଣି ଲଗେଇବ, ଯତ୍ନ ନେବ ପାଣି ଖତ ଦେଇ । ଅଥଚ ଭୋଗ କରିପାରିବନି !
ଆମେ ତ ମହାପୁରୁଷ ନୋହୁଁ, ତା’ ବି ନିଜ ଦଖଲରେ ଥିବା ଖୁସିଦୁଃଖକୁ ଆବୋରିଥିବା ଅସହାୟଗଣ । ଆମେ ସରକାରଙ୍କ କୌଣସି ଯୋଜନା ପରିସରଭୁକ୍ତ ନୋହୁଁ । ମଧ୍ୟବିତ୍ତଙ୍କ ଉପରେ ସବୁବେଳେ ସବୁ ପ୍ରକାରର ଜୁଲମ୍ ହୁଏ । ଅଥଚ ନିଜ ସ୍ୱାଭିମାନକୁ ଜଗି ପେଟେ ଭୋକ ମୁହେଁ ଲାଜ କରି କାନ୍ଦି କୁନ୍ଥେଇ ଚଳିବା ଶିଖିଯାଆନ୍ତି । ପାତ୍ର ବାବୁଙ୍କ ସହ ଆମେ ସମସ୍ତେ ତାଳ ମିଳାଇଲୁ – ହଁ ଆମେସବୁ ଭୁକ୍ତଭୋଗୀ । ଲୋକେ ମାଗଣାରେ ଅନେକ ଜିନିଷ ଉପଭୋଗ କରିବାରେ ଏତେ ଅଭ୍ୟସ୍ତ ଯେ ଖଟିବାକୁ ଚାହୁଁନାହାନ୍ତି । ଜମିସବୁ ପଡିଆ । କାମ କରିବାକୁ ଲୋକ ମିଳୁନାହାନ୍ତି ! ଆମ ରାଜ୍ୟରେ ଅଭାବି – ଲୋକ କଣ ସତରେ ନାହାନ୍ତି ! ଆଉ କିଛି ଲୋକ ମାହାଳିଆରେ କୋଟିପତି ହେବାର ଲାଳସାରେ ବିଭିନ୍ନ ଚିଟ୍ଫଣ୍ଡ୍ରେ ଟଙ୍କା ଜମା କରନ୍ତି, ପୁଣି ସେ ଟଙ୍କା ଉଭାନ୍ ହେଲେ ଗୁଡେ ହଇଚଇ ସୃଷ୍ଟି କରନ୍ତି, କଣ କହିବା ସେମାନଙ୍କୁ !
ଏମିତି ଅନେକ କାରଣରୁ ଆମ ନୈତିକ ମୂଲ୍ୟବୋଧ ହଜିଗଲାଣି । ପରଧନରେ ମାଲାମାଲ୍ ହେବାର ଲୋଭ ମଣିଷକୁ ନିୟନ୍ତ୍ରଣହୀନ, ଅବିବେକୀ ଓ ପରଶ୍ରୀକାତର କରିଦେଇଛି । ମଣିଷକୁ ଉଭୟ ଦାନବତ୍ୱ ଓ ପଶୁତ୍ୱ ଆବୋରିବସିଛନ୍ତି । ମାଙ୍କଡମାନେ ଅନ୍ତତଃ ନିଜ ଧର୍ମାନୁସାରେ ଆଚରଣ ତ କରୁଛନ୍ତି !
