କବିତା

ବୋଉକୁ ଜମ୍ମା ବୁଝି ହେଲାନି

Pradip Nayak's odia poem Bouku Jamma Bujhi Helani

କେଉଁ ଧାତୁରେ ଗଢ଼ିଛି ଧାତା
ତା ଆଦି ଅନ୍ତ ଖୋଜି ହୁଏନି ।

ବୋଉକୁ ଜମ୍ମା ବୁଝି ହେଲାନି
ନା କାଲି ବି, ନା ବି ଆଜି
ତା’ରି ହାତୁ ମାଡ ଖାଇବି
ତା କୋଳ ମୋହ ଛାଡ଼ି ହେଲାନି କି
ବୋଉ ଠୁ ଦୂରେ ଯାଇ ହେଲାନି ।

ତା କାନି ଧରି କାନ୍ଦୁରା ଦିନ
କେମିତି ଗଲା ଜାଣି ହେଲାନି
ଯେତେ ବି ବଡ଼ ହେଲେ କି ଯାଏ
ତା ଧନ ଡାକ ଜମ୍ମା ଗଲାନି ।

ଘୋରି ସିଲଟ ପଢ଼ିଲି ପାଠ
ହାକିମ ହୋଇ ବଢ଼ାଇ ଥାଟ
ପଢ଼ା ସବୁ ମୋ ଚୁଲିକି ଗଲା
ତାକୁ ତ ଜମ୍ମା ପଢି ହେଲାନି ।

ବୋଉକୁ ଦେଖେ
ପରିବା କାଟେ, ମସଲା ବାଟେ
ପିଆଜ ଛେଚେ ଲୁହକୁ ପୋଛେ
ଶୁଭ ମନାସୀ ମାଜଣା ଦିଏ
ପାଦୁକ ଦେଇ ଲୁହକୁ ପିଏ
ସଭିଙ୍କୁ ଗଢ଼େ ସଭିଙ୍କୁ ପଢେ
କେଉଁ ଧାତୁରେ ଗଢ଼ିଛି ଧାତା
ତା ଆଦି ଅନ୍ତ ଖୋଜି ହୁଏନି ।

ବାପାଙ୍କ ପାଇଁ ଖାଇବା ଥୁଏ
ପାଖରେ ବସି ବିଞ୍ଚଣା ବାଏ
ବିଛଣା ଧାରେ ଜରୁଆ ଦେହେ
ତାର ଶୀତଳ ହାତ ଟି ଥୁଏ
ଅଭାବ ଆସେ ଅଭାବ ଯାଏ
ବାଡ଼ି ଦୁଆରେ ବାଟେଇ ଦିଏ
ପଣତ ଚିରି ରୁମାଲ କରି
ସବୁ ଲୁହର ପାଖରେ ଥୁଏ
ଦାମୀ ଗହଣା ଶାଢ଼ୀ ନପିନ୍ଧି
ତା ଠୁ କେହି ଭଲ ଦିଶେନି ।

ବଳକା ତାର ଆୟୁଷ ଯେତେ
ଯାଚିଛି ସିଏ ଯମକୁ କେତେ
କହିଛି ନେ..ରେ ନେ..ଏ
ମୋ ପିଲା କବିଲା ଆଡେ ଚାହାଁନା
ପଛେ ମତେ ମରଣ ଦେ
କି ପୂଜା ଜାଣେ କି ମନ୍ତ୍ର ପଢେ
ସେକଥା କେବେ ବୁଝା ପଡ଼େନି ।

ଭୂତ ସପନ ଦେଖି ମୁଁ ଡରେ
ଲୁଚାଏ ମୁହଁ ତା କୋଳରେ
ଗାଆଁ ମଶାଣି ତା’ରି ପାଇଁ
ତୀର୍ଥ ହେଲା ଡରିବି କାଇଁ
ଡାହାଣୀ ଡର ଭୂତର ଥର
ପିଁଛା ଛାଞ୍ଚୁଣୀ ତା କରିଛି ଦୂର
ମରାଭୂଇଁର ସେ ତୁଳସୀ ଗଛ
ତା ପାଇଁ କେବେ ଦୀପ ଜାଳିନି ।

ସକାଳ ପରି ଶୀତଳ ସିଏ
ସଂଜ ପରି ପୁଣ୍ୟ
ସବୁ ମହୁ ଠୁ ମଧୁର ସିଏ
ମମତା ତାର ଭିନ୍ନ
ଶହେ ଫଗୁଣ ଗଲାଣି ବିତି
ତା ଦେହ ବାସ ଭୁଲି ହୁଏନି ।

ବୋଉ କୋଳରେ କେତେ ଶୋଇଛି
ଚାନ୍ଦକୁ ଦେଖି ବଡ ହୋଇଛି
ତାକୁ ମୁଁ କେବେ କୋଳେ ଶୁଆଇ
ତା ଦୁଃଖ କଥା କେବେ ହୋଇନି
ଏମିତି ଦିନ ମନେ ପଡୁନି
ବୋଉ କାହିଁକି ବୋଉ ସେ ମୋର
ଆଜି ଯାଏ ତ ବୁଝି ପାରିନି ।

ଶୁକୁଟା ମାଆ, ନନ୍ଦିନୀ ବୋଉ
ଡାକିଲେ ସିଏ ଜମ୍ମା ରାଗେନି
ବୋଉର କାଳେ ନାଆଁଟେ ଥିଲା
ଏକଥା ଜମ୍ମା ମନେ ରହେନି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top