ଏ ସହରରେ ମୋର ନିହାତି ଗୋଟିଏ ଘର ଦରକାର ଏବଂ ମତେ ଜଣାଥିଲା ସେ ବୁଢା ଲୋକଟା ମତେ କେବେହେଲେ ଏତେ ଶୀଘ୍ର ଗୋଟାଏ ଘର ଦେବ ନାହିଁ । ଅଥଚ ଏ ସହରର ସବୁ ସରକାରୀ ଘର ବୁଢାର କଲମ ମୁନରେ ।
– ସରକାରୀ ଘର ପାଇବା ପାଇଁ କେତେଗୁଡିଏ ନିୟମ ଅଛି । ତମେ ନିୟମର ସର୍ତ୍ତ ଭିତରକୁ ଆଦୌ ଆସୁ ନାହଁ । ମୁଁ କଣ କରି ପାରିବି ? ବୁଢା ମତେ କଥା କହୁଥିବା ବେଳେ ମଧ୍ୟ ଫାଇଲ୍ ଉପରେ ନୋଟ୍ ଲେଖୁଥିଲା । ଚଷମା ଟେକି ମତେ ଅନାଉ ମଧ୍ୟ ନ ଥିଲା ।
ମୁଁ ସଂକ୍ଷେପରେ ପଚାରିଲି , ଯଥା …
– ଯଥା ତମେ ଆଦୌ ସରକାରୀ କର୍ମଚାରୀ ନୁହଁ । ଏ ଘର ସବୁ ମୁଖ୍ୟତଃ ସରକାରୀ କର୍ମଚାରୀମାନଙ୍କ ପାଇଁ ।
– ମୁଁ ଜଣେ ସାମ୍ବାଦିକ ମଧ୍ୟ ହୋଇପାରେ । ସାମ୍ବାଦିକମାନଙ୍କୁ ତ ସରକାରୀ ଘର ପାଇବାର ଅଗ୍ରାଧିକାର ଦିଆଯାଏ ବୋଲି ଶୁଣିଛି ।
– ଏ ସିକ୍ରେଟ୍ ତମକୁ କିଏ ବତାଇ ଦେଲା ? ତମେ ଖୁବ ବିପଦଜନକ ଲୋକ । ତମକୁ ଘର ଦେବା ନିରାପଦ ନୁହେଁ । ହୁଁ … ସବୁ ସାମ୍ବାଦିକଙ୍କୁ ସରକାରୀ ଘର ସହଜରେ ମିଳେ ନାହିଁ, ସେଥିପାଇଁ ବିଶେଷ ଯୋଗ୍ୟତା ଥିବା ଦରକାର । ଆଉ ତମେ ତ ମୂଳରୁ ସାମ୍ବାଦିକ ମଧ୍ୟ ନୁହଁ । ଯାଅ ମତେ ବିରକ୍ତ କର ନାଇଁ ।
ଇଷ୍ଟେଟ ଅଫିସର ବୃଦ୍ଧ ଏଥର ଖତେଇ ହେବା ବଳି ମୁଖଭଙ୍ଗୀ କରି ତା ଡ୍ରଇଂ ରୁମ୍ରୁ ମତେ ଏକ ପ୍ରକାର ବେଦଖଲ କରିବା ପାଇଁ ଶେଷ ନୋଟିସ୍ ଦେଇ ଦେଲା ।
ମୁଁ କହିଲି ଯିବି କୁଆଡେ ? ଏ ସହରରେ ଯେ ମୋର ଘର ନାଇଁ ।
– ଗୋ ଟୁ ହେଲ୍ … ବଟ ଲିଭ୍ ମାଇଁ ରୁମ୍ । – ବୁଢା ଏଥର ମନୋଭାବ ସମ୍ପୂର୍ଣ୍ଣ ରୂପେ ଇଂରାଜୀ ଭାଷାରେ ବ୍ୟକ୍ତ କଲା ।
ମୁଁ ନିରୁପାୟ ଭାବରେ ଅଗତ୍ୟା ଉଠି ଠିଆ ହେଲି । ବୁଢା ଶୁଣିପାରିଲା ଭଳି ବଡ ପାଟିରେ କହିଲି – ଆପଣଙ୍କମାନଙ୍କ ଶୁଶାସନରେ ଏ ଦେଶଟା ପୂରା ସ୍ୱର୍ଗ ହୋଇ ଯାଇଛି । ନର୍କ କାହିଁ ? ମୁଁ ଆଉ ଯିବି କୁଆଡେ ?
ବୁଢାର କ୍ବାର୍ଟର କୁ ଲାଗି ବିରାଟ ବଗିଚା । ସରକାରୀ ମାଳୀମାନଙ୍କ ରକ୍ତର ରଙ୍ଗରେ ବଗିଚା ସାରା ଅନେକ ତାଜା ଲାଲ ଫୁଲ ଆଉ ଗେଟ୍ ପାଖରେ ଗୋଟେ ବଉଳ ଗଛ ।
ମୁଁ ସେ ବଉଳ ଗଛ ମୂଳେ ଠିଆ ହୋଇ ଗୋଟେ ଶସ୍ତା ସିଗାରେଟ୍ରେ ନିଆଁ ଲଗାଇଲି । ଯିବାକୁ ତ ହେବ । କିନ୍ତୁ ଏତେ ଶୀଘ୍ର ଯାଇ ଲାଭ କ’ଣ ? ବରଂ ଏ ବଉଳ ଫୁଲର ବାସନାକୁ ଆକଣ୍ଠ ଆଘ୍ରାଣ କଲେ ମନରେ ଫୂର୍ତ୍ତି ବଢ଼ିବ । ଘର ପାଇଁ ନ ଥିବାରୁ ଯନ୍ତ୍ରଣା କିଛି ପରିମାଣରେ ହୁଏତ କମିଯିବ ।
କିନ୍ତୁ ତାହା ମଧ୍ୟ କେତେ ସମୟ ? ପାଞ୍ଚ ସାତ ମିନିଟ୍ ସେ ବଉଳ ଗଛ ମୂଳେ ଠିଆ ହୋଇ ଦୁଇ କଳ ସିଗାରେଟ୍ ଟାଣିଛି କି ନାହିଁ , ହଠାତ୍ ସେ ଲୁହା ଗେଟ୍ ଖୋଲା ହେବାର ଶବ୍ଦ ମତେ ଶୁଣିବାକୁ ହେଲା । ଯେଉଁ ମଧ୍ୟ ବୟସ୍କା ମହିଳା ଜଣଙ୍କ ବୁଢା ପାଖରେ ବସି ସର୍ଟ ହ୍ୟାଣ୍ଡ୍ରେ ଡିକ୍ଟେସନ ନେଉଥିଲେ, ସେ ଗେଟ୍ ବାହାରକୁ ଆସି ମତେ ପଚାରିଲେ – କ’ଣ ହେଲା ? ଏଠାରେ ଏମିତି ଠିଆ ହୋଇଛନ୍ତି କାହିଁକି ? ନର୍କକୁ ଯିବାପାଇଁ ରାସ୍ତା ପାଉ ନାହାନ୍ତି ?
ଅନ୍ୟଦିନ ହୋଇଥିଲେ ମୁଁ ଖୁବ୍ ରାଗିଯାଇଥାନ୍ତି । କିନ୍ତୁ ଭଦ୍ର ମହିଳାଙ୍କ ମୁହଁରେ ହସର ସେ ଛବିଳ ଚିତ୍ରାଙ୍କନ ଦେଖି ମନ ମନରେ କ୍ରୋଧର ଉଦ୍ରେକ ହେଲା ନାଇଁ । ବରଂ ଘର ନ ପାଇଁ ଅପମାନିତ ହୋଇଥିବା ଜଣେ ଲୋକଙ୍କୁ ଦେଖି ସେ କାହିଁକି ହସୁଛନ୍ତି – ସେ କଥା ଜାଣିବା ପାଇଁ ମନରେ ଖୁବ କୌତୁହଳ ହେଲା ।
– ହସୁଛନ୍ତି କାହିଁକି ? ନର୍କକୁ ଯିବା କଣ ଏପରି ଏକ ହାସ୍ୟକର ଘଟଣା ?
– ନାଁ ନାଁ ମତେ ଭୁଲ୍ ବୁଝୁଛନ୍ତି କାହିଁକି । ମୁଁ ହସୁଛି କାରଣ ବୁଢ଼ାକୁ ଆପଣ ଯେମିତି ନାଟକୀୟ ସଂଳାପ ଶୁଣାଇ ଆସିଲେ ଏତେ ଦିନ ଚାକିରୀ କଲା ଭିତରେ ମୁଁ ସେଭଳି ଆଉ କେବେଏ କାହା ମୁହଁରେ ଶୁଣି ନ ଥିଲି । ଏପରିକି ଏମ୍.ଏଲ୍.ଏ ମାନେ ଘର ବଦଳାଇବା ପାଇଁ ଆବେଦନ ପତ୍ର ନେଇ ଆସିଲେ ବୁଢା ପାଖରେ କାନ କୁଣ୍ଡାଇ କଥାବାର୍ତ୍ତା କରନ୍ତି –
ନିଜ ବଡ଼ ହାକିମଙ୍କୁ ଭଦ୍ର ମହିଳା ମୋ ଭଳି ଜଣେ ଅପରିଚିତ ଆଗରେ ବୁଢା ବୋଲି ସମ୍ବୋଧନ କରୁଛନ୍ତି – ଏ କଥା ଲକ୍ଷ୍ୟ କରି ମୁଁ ବେଶ୍ ଆମୋଦିତ ହେଲି । ଭଦ୍ର ମହିଳାଙ୍କ ସହିତ ମନ ଭିତରେ ଏକ ପ୍ରକାର ଆତ୍ମିୟତା ଆସିଗଲା ।
ସିଗାରେଟ୍ଟିର ଶେଷ ଦମ୍ ଶୋଷି ନେଇ ଧୂଆଁର କୁଣ୍ଡଳୀ ତିଆରି କରିବାକୁ ଗଲାବେଳେ ତଣ୍ଟିରେ ଲାଗିଲା । କାଶ ପରେ କାଶ ।
ଭଦ୍ର ମହିଳା ସାମାନ୍ୟ ଇତସ୍ତତଃ ହୋଇ କହିଲେ କଅଣ ହେଲା ? ସିଗାରେଟ୍ ଧୂଆଁ ଢୋକୁଥିଲେ କାହିଁକି ? ଜାଣନ୍ତି ନିକୋଟିନ୍ର ସଂସ୍ପର୍ଶରେ ଶ୍ବାସନଳୀ ଆସିଲେ – ଏନି ଥିଂ କ୍ୟାନ୍ ହାପେନ !
ମୋର ସେତେବେଳକୁ କାଶ ବନ୍ଦ ହୋଇ ଯାଇଥିଲା । ନିଶ୍ବାସ ନେବାରେ ସାମାନ୍ୟ କଷ୍ଟ ହେଉଥିଲେ ସୁଦ୍ଧା ମୁଁ ନିଜକୁ ସମ୍ଭାଳି ନେଇ କହିଲି – ସେ ବୁଢା ନିଜକୁ କ’ଣ ବୋଲି ଭାବୁଛି ? ବାଦ୍ଶାହା ଔରଙ୍ଗ୍ଜେବ ? ତାକୁ ଆମେ କେହି ତା ନିଜ ଘର ମାଗୁ ନାହୁଁ ? ସରକାରୀ ଘର ଚାହୁଁଛୁ – ତା ପୁଣି ନିୟମିତ ମାର୍କେଟ ରେଟ୍ରେ ଭଡା ଦେବା ସର୍ତ୍ତରେ ! ତାକୁ ଡରିବାରେ କଅଣ ଅଛି ?
– ତଥାପି ଲୋକ ଡରନ୍ତି । କାରଣ ଖାଲି-ଘର ତୁଳନାରେ ଘର ପାଉନଥିବା ଲୋକଙ୍କ ସଂଖ୍ୟା ଖୁବ୍ ବେଶି । ଆଉ ଖାଲି ଘରର ଆଲଟ୍ମେଣ୍ଟ ବୁଢ଼ାର କଲମ ମୂନରେ । ଭଦ୍ରମହିଳା ବୁଢାର କାଲାମ ମୂନ କଥାଟା ଖୁବ୍ ଗାଢ଼ ସ୍ୱରରେ ଉଚ୍ଚାରଣ କଲେ ।
– ଆଜି ତ ରବିବାର । ଅଫିସ୍ ଛୁଟି । ଆପଣମାନେ ହିଁ ବୁଢାର ମୁହଁ ବଢ଼ାଇଦେଇଛନ୍ତି । – ମୁଁ ଅନ୍ୟମନସ୍କ ଭାବରେ ଭଦ୍ରମହିଳାଙ୍କ ବିରୋଧରେ ଏକ କାଳ୍ପନିକ ଅଭିଯୋଗ ଉପସ୍ଥାପିତ କରିଦେଲି ।
ସେତେବେଳକୁ ଆମେ ଦୁହେଁଯାକ ବଉଳ ଗଛ ସୀମା ଛାଡ଼ି ପିଚୁ ଢଳା ରାସ୍ତା ଉପରେ ଚାଲିବାକୁ ଆରମ୍ଭ କରୁଛୁ । ଦୁଇଟି ସମାନ୍ତର ସରଳ ରେଖାର ଭାଗମାପରେ ପାଦକୁ ପାଦ ମିଳାଇ ଅନେକ ଦିନର ପରିଚିତ ବନ୍ଧୁ ଭଳି କଥାବାର୍ତ୍ତା ହେଉଛୁ । ସାଇକେଲ, ସ୍କୁଟର, ରିକ୍ସା ଓ କାର୍ରେ ବସି ଯେଉଁମାନେ ଆମ ଆଡକୁ ଅନେଇ ଅନେଇ ଆମକୁ ଅତିକ୍ରମ କରି ଆଗକୁ ଚାଲିଯାଉଛନ୍ତି , ସେମାନଙ୍କୁ ସନ୍ଦେହ କରିବାକୁ ଦେଉ ନାହୁଁ ଯେ ଆମେ କେହି କାହାର ନାମ ସୁଦ୍ଧା ଏ ପର୍ଯ୍ୟନ୍ତ ଜାଣୁ ନାହୁଁ ।
ଭଦ୍ର ମହିଳା ମୋ ଆଡକୁ ତୀର୍ଯକ୍ ଦୃଷ୍ଟିରେ ଚାହିଁ କହିଲେ – ଆପଣଙ୍କ ଘର ନାହିଁ କି ଚାକିରୀ ମଧ୍ୟ ନାହିଁ । ସରକାରୀ ଚାକିରୀ କିପରି ଝଅକମାରି ସେ କଥା ଜାଣିଥିଲେ ମେତେ ଏଭଳି ପ୍ରଶ୍ନ ପଚାରନ୍ତେ ନାହିଁ । ବାରବର୍ଷ ଚାକିରୀ କରି ଗ୍ରେଡ ଟୁ ରେ ଝୁଲୁଛି । ଆଗକୁ ପାଦେ ଯିବାକୁ ହେଲେ ସତର ଜଣଙ୍କୁ ବାଟରେ ଝୁଣ୍ଟିବାକୁ ପଡ଼ିବ । ଅଥଚ ବୁଢା ଯଦି ସୁପାରିସ କରେ ; ବାଟରେ ଝୁଣ୍ଟି ନ ପଡି ମଧ୍ୟ ୭ ଜଣଙ୍କ ମୁଣ୍ଡ ଉପରେ ପାଦ ଥୋଇ ମୁଁ ଗ୍ରେଡ଼୍ ୱାନ ହୋଇଯାଇ ପାରେ । ଆଉ ଛ ମାସ ପରେ ବୁଢ଼ା ରିଟାୟାର୍ କରିବ । ଏଇ ଛଅ ମାସ ବଡ଼ ସଂଘାତିକ ସମୟ । ଖୁବ୍ ଜଗିରଖି ଚାଲିବାକୁ ହେଉଛି । ବୁଢା ଚାହିଁଲେ ରବିବାର ସକାଳବେଳା କାହିଁକି, ଛୁଟିଦିନ ରାତିବେଳା ମଧ୍ୟ ତା ପାଖରୁ ମୁଁ ଶୃତଲିଖନ ନେବାକୁ ପ୍ରସ୍ତୁତ ! କଥା କହିସାରି ଭଦ୍ରମହିଳା ଜିଭ କାମୁଡି ପକାଇଲେ । ବୋଧହୁଏ ମୋ ଭଳି ଜଣେ ଖୁବ୍ ଅପରିଚିତ ଲୋକ ଆଗରେ ରାତିବେଳା ଅଫିସ୍ କରିବା କଥାଟା ତାଙ୍କର କହିଦେବା ଉଚିତ ନ ଥିଲା । ଅସାବଧାନତା ଯୋଗୁଁ କହୁ କହୁ କଥାଟା କହି ହୋଇଗଲା । ମୁଁ କଇନ୍ତି ତାଙ୍କ କଥାରେ ଆଶ୍ଚର୍ଯ୍ୟ ହେଲି ନାହିଁ । ଯେଉଁ ସ୍ତ୍ରୀଲୋକ ୭ ଜଣଙ୍କ ମୁଣ୍ଡ ଖାଇ ଆଗକୁ ଯିବାକୁ ଚାହୁଁଛି, ଜଣଙ୍କ ପାଖରେ ନିଜ ମୁଣ୍ଡ ତଳକୁ କରି ଦେବାପାଇଁ ତାର ଆପତ୍ତି ନ ରହିବା କଥା ।
ଭଦ୍ରମହିଳା କିନ୍ତୁ ଘଟଣାକୁ ଅନ୍ୟପ୍ରକାର ବୁଝାଇବାକୁ ଚେଷ୍ଟା କଲେ ।
ବୁଢ଼ା ଲୋକଙ୍କ ପାଖରେ କାମ କରିବାପାଇଁ ଦିନ ରାତି କଣ ? ବୟସର ଚାପରେ ଦାନ୍ତ ସବୁ ମାଢ଼ିରୁ ହୁଗୁଳି ଯାଇଛି । ଚୋବେଇ ଖାଇବାକୁ ଲୋଭ ଥିଲେ ମଧ୍ୟ ମାଢିରେ ବଳ ନାହିଁ ।
– ଦାନ୍ତରେ ଜୋର୍ ନାହିଁ , କିନ୍ତୁ କାଲାମ ମୂନରେ ଧାର ଅଛି । ମୁଁ ମନ୍ତବ୍ୟ ଦେଲି ।
ଭଦ୍ର ମହିଳା ହସିଲେ । ଚମତ୍କାର ତାଙ୍କର ହସିବାର ଭଙ୍ଗୀ । ଦାନ୍ତ ଗୁଡିକ ବେଶ୍ ଶୁଭ୍ର ଓ ସୁନ୍ଦର । ସକାଳର ଖରାରେ ମୁହଁର ବର୍ଣ୍ଣ ମଧ୍ୟ ଖୁବ ଉଜ୍ଜ୍ୱଳ ଦେଖାଯାଉଛି । ବୁଢା ପାଖରେ ଶୃତଲିଖନ ନେଉଥିଲା ବେଳେ ସେ ଯେପରି ଦେଖାଯାଉଥିଲେ, ବର୍ତ୍ତମାନ ତା’ଠାରୁ ଦଶବର୍ଷ କମ୍ ବୟସ୍କ ମାନେ ହେଉଛନ୍ତି ।
ଭଦ୍ରମହିଳା ବିବାହିତ ନା ଅବିବାହିତ ଏ ପ୍ରଶ୍ନର ଉତ୍ତର ଖୋଜି ପାଇବା ଆଗରୁ ଆମେ ଗୋଟିଏ ସରକାରୀ ଶିଳ୍ପ ପ୍ରତିଷ୍ଠାନର ପାଞ୍ଚ ମହଲା କୋଠାଘର ସାମ୍ନାରେ ପହଞ୍ଚି ଯାଇଥିଲୁ ।
– ଜାଣନ୍ତି ନା , ଏ ସରକାରୀ ବିଲଡିଙ୍ଗ ମୋ ନକ୍ସା ଅନୁସାରେ ତୋଳା ହୋଇଛି । – ମୁଁ କୋଠାଘର ଆଡକୁ ଆଙ୍ଗୁଠି ଦେଖାଇ ଭଦ୍ରମହିଳାଙ୍କୁ ଚମକାଇ ଦେବାକୁ ଚେଷ୍ଟା କଲି ।
କିନ୍ତୁ ସଂସାରରେ ଜଣେ ଜଣେ ଏପରି ହିସାବୀ ଲୋକ ଥାଆନ୍ତି ଯେଉଁମାନେ ସହଜରେ ଚମକନ୍ତି ନାହିଁ । ଭଦ୍ରମହିଳା ସେହିପରି ଜଣେ ହିସାବୀ ଲୋକ ଭଳି ମୁଖ ଭଙ୍ଗୀ କରି କହିଲେ – ଏ ବିଲଡିଙ୍ଗ ଇଂଜିନିୟର ଅନ୍ୟ ଜଣେ ଲୋକ । ଆପଣଙ୍କ ନାମ ତ ଏ କୋଠାଘରର ନିର୍ମାଣ ଇତିହାସର ଫାଇଲ୍ରେ କେଉଁଠି ଲେଖା ହୋଇନାହିଁ ।
ମନ୍ଦିର ତୋଳା ଇତିହାସରେ ଶିବେଇ ସାନ୍ତରାମାନଙ୍କ ନାମ ଲେଖା ହୁଏ କିନ୍ତୁ ଯେଉଁ ବୁଢୀମାନେ ଶିବେଇ ସାନ୍ତରାମାନଙ୍କୁ ଥାଳିଆରେ ତତଲା ଯାଉ ପରଷି ମନ୍ଦିର ତୋଳାର ମୂଳକଥା ଶିଖାଇ ଥାଆନ୍ତି ; ଇତିହାସ ସେମାନଙ୍କ ନାମ ଲେଖେ ନାହିଁ । ଠିକ୍ ନା ? – ମୁଁ ମୋ ନିଜ ଯୁକ୍ତିର ସତ୍ୟତା ସମ୍ପର୍କରେ ଭଦ୍ରମହିଳାଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କଲି ।
ସେ କିଛି ସମୟ ମୋ ମୁହଁ କୁ ଚାହିଁ କୋୖଣସି ପ୍ରାଚୀନ ଶିଳା ଲେଖ ବହୁ କଷ୍ଟରେ ପଢ଼ୁଥିବା ଭକି ମୁଖଭଙ୍ଗୀ କଲେ । କିନ୍ତୁ ମୁହଁ ଖୋଲି ମନ୍ତବ୍ୟ କଲେ ନାହିଁ ।
ମୁଁ ବାଟ ଭାଙ୍ଗି ଅନ୍ୟ ରାସ୍ତାରେ ଚାଲିଗଲା ବେଳେ ଭଦ୍ର ମହିଳାଙ୍କୁ ନମସ୍କାର କରିବା ମଧ୍ୟ ଭୁଲିଯାଇଥିଲି । ନମସ୍କାର କରିବା କଥା ମନେ ପଡିଲା ବେଳକୁ ସେ ରିକ୍ସାରେ ଉଠି ସାରିଥିଲେ ।
ମୁଁ ଯେ ଏ ସହରରେ ଗୋଟେ ଘର ଖୋଜୁଛି ସେ କଥା ନିଜ ଘରେ କାହାକୁ କହି ନାହିଁ । କହିବା ଅବା ଦରକାର କ’ଣ ? ମୁଁ ଯେଉଁ ଘରେ ଶୁଆ ବସା କରୁଛି ସେ ଘରର ଦୈର୍ଘ୍ୟ ପ୍ରସ୍ଥ କିଛି ଉଣା ନୁହେଁ । ତଳର ଚଟାଣ ମୋଜାଇକ୍ କରା ଯାଇଛି । ଝରକାର ଗ୍ରିଲ୍ ମଧ୍ୟ ଖୁବ୍ ନୂଆ ଡିଜାଇନ୍ର ପ୍ରଚୁର ପବନ ଆସେ । ଚାହିଁଲେ ମୁଁ ରହୁଥିବା କୋଠରୀରେ ଗୋଟାଏ ଏୟାର କଣ୍ଡିସନର ମଧ୍ୟ ଖଞ୍ଜା ଯାଇପାରେ । କିନ୍ତୁ ମୁଁ ଏ ଘରେ ରହିବାକୁ ଚାହେଁ ନାହିଁ । କାରଣ ଏଆଇଟିଆ ମୋର ଘର ନୁହେଁ ।
ମଣିଷର ଏଭଳି ଏକ ସମୟ ଆସେ ଯେତେବେଳେ ସେ ନିଜର ଗୋଟିଏ ଘର ଚାହେଁ । ସେ ଘରର ଚଟାଣ ମୋଜାଇକ୍ କରାଯାଇଛି କି ନାହିଁ । ଝରକାର ଗ୍ରିଲ ସୁନ୍ଦର କି ଅସୁନ୍ଦର – ସେଇଟା ତା ପାଇଁ ବଡ଼ କଥା ନୁହେଁ । ଅସଲ କଥା ହେଉଛି ସେ ଘରଟା ଉପରେ ତାର ନିଜର କର୍ତ୍ତୁତ୍ୱ ଅଛି – ଘର କାନ୍ଥ ସାରା କାଳି ଚାଟିଲେ ମଧ୍ୟ କେହି ଗାଳି ଦେବାକୁ ନାହାନ୍ତି – ଏମିତିଆ ଗୋଟାଏ ଘର ।
ଯାହାର ଜମି କିଣି ଘର କରିବାର ପୁଞ୍ଜି ଅଥବା ଧର୍ଯ୍ୟ ନାହିଁ । ଏ ସହରରେ ଅଳ୍ପ ଭଡାରେ ସରକାରୀ ଘର ତା ପାଇଁ ଏକମାତ୍ର ବିକଳ୍ପ କିନ୍ତୁ ସେ ବିକଳ୍ପର ରାସ୍ତାରେ ବାଡ଼ି ପାକରେଇ ବସିଛି ସେଇ ବୁଢା …
ମୁଁ ଜାଣେ, ମୁଁ ସେ ବୁଢ଼ାକୁ ଅକାରଣରେ ଦୋଷ ଦେଇଛି । ସବୁ ବୁଢ଼ା ଲୋକ ସେମିତି । ବୟସ ଆଉ ଅଭିଜ୍ଞତା ସମାନଙ୍କୁ ସେଇଭଳି ହିସାବୀ ଆଉ ସ୍ୱାର୍ଥପର କରି ଦେଇଛି ଏବଂ ଆଉ ଏ ବୁଢ଼ାର ଅତିରିକ୍ତ ଗୁଣ ହେଲା, ସରକାରୀ ନୀତିନିୟମ ତାର କଣ୍ଠସ୍ଥ । ବେଆଇନ କାମ କରିବାକୁ ହେଲେ ଯେପରି ନୀତିନିୟମ ମୁଖସ୍ଥ ଥିବା ଦରକାର, ଲୋକ ମାନଙ୍କୁ ପଡେ କଥାରେ ବିଦା କରିବାପାଇଁ ମଧ୍ୟ ସେହିପରି ନୀତିନିୟମ ମୁହେଁ ମୁହେଁ ଉଦ୍ଧୃତି ଦେଇପାରୁଥିବା ଜରୁରୀ । ବୁଢା ହେଲେ ସବୁ ସରକାରୀ କର୍ମଚାରୀଙ୍କ ଅବସର ନେବାର ବିଷର୍ଣ୍ଣ ମୁହୂର୍ତ୍ତ ଆସିଯାଏ ଏବଂ ସେଇ କେଇ ବର୍ଷ , ମାସ ସେମାନେ ଖୁବ ନିଷ୍ଠୁର ଆଉ ଲୋଭୀ ହୋଇଯାଆନ୍ତି । ଘର ବଣ୍ଟା ଦାୟିତ୍ୱରେ ଥିବା ବୁଢ଼ା ଲୋକକୁ ସେଥିପାଇଁ ଏକାକୀ ଦାୟୀ କରି କିଛି ଲାଭ ନାହିଁ । କିନ୍ତୁ ମୋର ଯେ ଏ ସହରରେ ଜରୁରୀ ଗୋଟିଏ ଘର ଦରକାର । ଏ ବୁଢା ଗଲେ ଆଉ ଜଣେ ବୁଢ଼ା ତା ଜାଗାରେ ଘର ବାଣ୍ଟିବା ଦାୟିତ୍ୱ ନେବ । ମତେ ଆଉ ଘର ମିଳିବ କେବେ ?
ତାକୁ ଜଣେ କେହି ଖବର ଦେଇଛି । ବୁଢାର ସେଇ ଷ୍ଟେନୋ ଭଦ୍ରମହିଳା ଚାହିଁଲେ ତାକୁ ସାହାଯ୍ୟ କରିପାରନ୍ତି । ଶୁଖିଲା କାଠରୁ ପାଣି ବାହାର କରିବାର ଆଶ୍ଚର୍ଯ୍ୟ କ୍ଷମତା କେବଳ ଦୟାମୟୀ ଦାସଙ୍କର ଅଛି ।
ଦୟାମୟୀ !
ନାମଟା ଶୁଣିବା ମାତ୍ରେ ମୋ ମନରେ ନୂତନ ଆଶାର ଉଦ୍ଭିଦ ଗଜୁରି ଉଠିଛି । ବୁଢ଼ା ଉପରେ ଭଦ୍ରମହିଳାଙ୍କର ଯାଦୁକାରୀ ପ୍ରଭାବ ଥିବା ଅସମ୍ଭବ ନୁହେଁ । କିନ୍ତୁ ସେ ମୋ ପାଇଁ ଅବା ନିଜର କାଉଁରୀ କାଠି ବ୍ୟବହାର କରିବେ କାହିଁକି ? ମୁଁ ତାଙ୍କର କିଏ ?
ମୁଁ ଜାଣେ , ମୋ ମୁଣ୍ଡ ଭିତରେ ଗୋଟେ ଇଲେକ୍ଟ୍ରୋନିକ କାଲ୍କୁଲେଟର ରହିଛି । ସେଇ ମେସିନକୁ କାମରେ ଲଗାଇଲେ ଅନେକ ସମୟରେ ସୁଫଳ ମିଳିପାରେ ।
ଦୟାମୟୀଙ୍କ ମନରେ ମୋ ନିଜ ପାଇଁ କିଛି ସହାନୁଭୂତି ସଂଚାର କରିବା ଲାଗି ମୁଁ ସେଇ କାଲ୍କୁଲେଟରକୁ ବ୍ୟବହାର କଲି ।
ତା ଆରଦିନ ରବିବାର । ଆକାଶରେ କନିଅର ଫୁଲ ରଙ୍ଗର ଖରା ଥିଲା । ଇଲେକ୍ଟ୍ରିକ୍ ଖୁଣ୍ଟ ଉପରେ ଗୋଟିଏ ନୀଳ ରଙ୍ଗର ଚଢ଼େଇ କାକୁସ୍ଥ ହୋଇ ବସିଥିଲା । ଘର ଖୋଜି ବାହାର କରିବା ପାଇଁ କଷ୍ଟ ହେଲା ନାହିଁ ।
ମତେ ଦେଖି ଦୟାମୟୀ ଦାସ ପ୍ରଥମେ ଅପ୍ରତିଭ ଓ ପରେ ଅବାକ୍ ହୋଇଯାଇଥିବା ଭଳି ମୁଖ ଭଙ୍ଗୀ କଲେ ।
ପଚାରିଲେ – ଆପଣ ମୋ କ୍ବାଟର ଖୋଜି ପାଇଗଲେ ?
: ହଁ ମତେ ଜଣେ କିଏ କହିଥିଲା ଆପଣଙ୍କ ଟାଇପ୍ ଫାଇଭ୍ ଘର ଆଗରେ ଗୋଟିଏ ଇଲେକ୍ଟ୍ରିକ୍ ଖୁଣ୍ଟ ଅଛି ଏବଂ ସେ ଖୁଣ୍ଟ ଉପରେ ଗୋଟିଏ ନୀଳ ଚଢେଇ ବସିଥାଏ । ତା’ପରେ ଆଉ ଘର ଖୋଜି ପାଇବାରେ କଷ୍ଟ କ’ଣ ?
ଦୟାମୟୀ ଦାସ ପ୍ରଥମେ ମୋ ମୁହଁକୁ ଏବଂ ଆଉ ଠାରେ ଘର ସାମ୍ନାରେ ଥିବା ଇଲେକ୍ଟ୍ରିକ୍ ଖୁଣ୍ଟକୁ ଅନେଇଲେ । ସେ ନୀଳ ଚଢ଼େଇଟି ତଥାପି ସେ ଖୁଣ୍ଟି ଉପରେ ସେଇପରି କାକୁସ୍ଥ ହୋଇ ବସିଥିଲା ।
– ଆପଣ ରିଟାୟାର୍ଡ଼୍ ଚିଫ୍ ଇଞ୍ଜିନିୟର ଶାନ୍ତନୁ ବାବୁଙ୍କ ପୁଅ ନା ?
– ଆପଣ କେମିତି ଜାଣିଲେ ?
– ସେ କଥା ଆଉ ଜାଣିବା କଷ୍ଟ କ’ଣ ? ସେ ପାଞ୍ଚ ମହଲା ସରକାରୀ ଶିଳ୍ପ ପ୍ରତିଷ୍ଠାନ ତୋଳିବା ଦାଇତ୍ୱରେ ଥିଲେ ଚିଫ୍ ଶାନ୍ତନୁ ଦାଶ ମହାପାତ୍ର । ଆଉ ଆପଣ ବାଙ୍ଗାଲୋର୍ର କେଉଁ ଏକ ବିଖ୍ୟାତ ଇଂଜିନିୟରିଂ କଲେଜ୍ରେ ପଢୁଥିଲେ । ଖୁବ ମେଧାବୀ ଛାତ୍ର ଥିଲେ । ମୁଣ୍ଡ ଭିତରେ ଯନ୍ତ୍ରପାତି ସବୁ ଗଣ୍ଡଗୋଳ ହୋଇଗଲା ବୋଲି ଇଂଜିନିୟରିଂ ଶେଷ ବର୍ଷ ପରୀକ୍ଷା ନ ଦେଇ ଘରକୁ ଚାଲିଆସିଲେ । ସେ ପାଞ୍ଚ ମହଲା ସରକାରୀ କୋଠା ଘରର ନକ୍ସା ହୁଏତ ପ୍ରସ୍ତୁତ କରିବାରେ ଆପଣ ବାପାଙ୍କୁ ସାହାଯ୍ୟ କରିଥିଲେ । ମୁଁ ଠିକ୍ କହୁଛି ନା ।
– ସବୁ ଠିକ୍, କେବଳ ଗୋଟିଏ କଥା ଭିନ୍ନ – ମୋ ମୁଣ୍ଡର ଯନ୍ତ୍ରପାତି କିଛି ଅସଜ ହୋଇ ନାହିଁ । ସେଇଟା ବାପାଙ୍କ ଭୁଲ ଧାରଣା … ଅପ -ପ୍ରଚାର ।
– ମୁଁ ପ୍ରତିବାଦ କଲି ।
– ଯାହାର ମୁଣ୍ଡ ଗୋଳମାଳ ହୋଇଯାଏ । ସେ କଥା ସେ ନିଜେ ଜାଣିପାରେ ନାହିଁ । ମୁଣ୍ଡ ଠିକ୍ ଥିଲେ ଆପଣଙ୍କ ବାପାଙ୍କର ଏ ସହରରେ ଦୁଇ ଦୁଇଟା ଅଟ୍ଟାଳିକା ଥାଉ ଥାଉ ଆପଣ ଗୋଟିଏ ସରକାରୀ କ୍ୱାର୍ଟର୍ସ ପାଇଁ ବୁଢା ଇଷ୍ଟେଟ୍ ଅଫିସର ପାଖରେ ଗୋଡ଼ ଭାଙ୍ଗି ଠିଆ ହୁଅନ୍ତେ ନାଇଁ । ଯାଏ ଆପଣଙ୍କ ପାଇଁ କପେ ଚା କରି ଆଣେ । ଦୟାମୟୀ ଯିବାପାଇଁ ବାହାରିଲେ ।
ମୋ ମୁଣ୍ଡରେ ଥିବା କାଲ୍କୁଲେଟର ଟିକ୍ ଟିକ୍ ଶବ୍ଦ କଲା । ମୁଁ ତାଙ୍କୁ ବାଧା ଦେଇ କହିଲି –
– ଆପଣ ମୋ କଥା ନ ଶୁଣି ଉଠିଗଲେ ମୁଁ ଆପଣଙ୍କ ହାତରୁ ଚା ଖାଇବି ନାହିଁ । ମୋ ବାପାଙ୍କର ଦୁଇଟା ଅଟ୍ଟାଳିକା ଏ ସହରରେ ଥାଇପାରେ, କିନ୍ତୁ ମୋର ନିଜର କୌଣସି ଘର ନାହିଁ ।
– ଆପଣଙ୍କ ନିଜର ଘର କଣ ଦରକାର ?
– ଛବି ଆଙ୍କିବାପାଇଁ ।
– ଛବି ?
– ହଁ ମୁଁ ଜଣେ ଚିତ୍ରଶିଳ୍ପୀ, ଆର୍ଟିଷ୍ଟ । ଉତ୍କଳ ଉତ୍କୃଷ୍ଠ କଳାର ଦେଶ । କିନ୍ତୁ ଏ ସହରରେ ଚିତ୍ରକର, କବି, ଭାସ୍କରମାନଙ୍କ ଛବି ଆଙ୍କିବା, କବିତା ଲେଖିବା ଆଉ ମୂର୍ତ୍ତି ଗଢିବା ଲାଗି ସରକାରୀ ଘର ମିଳେ ନାହିଁ । ଏ ସହର କେବଳ କାଲମ-ଚାଷୀ, ବ୍ୟବସାୟୀ ଆଉ ମନ୍ତ୍ରୀ, ଏମ.ଏଲ.ଏ. ମାନଙ୍କ ବାସଗୃହରେ ଭର୍ତ୍ତି ହୋଇ ଯାଇଛି । ଫୁଲଗଛ ନ ଥିଲେ ବଗିଚା ସୁନ୍ଦର ଦିଶେ ନାହିଁ, ଆଉ କବି, ଚିତ୍ରକର ନ ଥିଲେ ସହର ସୁନ୍ଦର ଦେଖାଯାଏ ?
ମୋ କଥା ଶୁଣି ଦୟାମୟୀ ଦାସ ଗୋଟିଏ ହାତ ଖସିଯାଇଥିବା କାଠ ଚେୟାର ଉପରେ ଲଥ୍କିନା ବସି ପଡିଲେ ।
– ଆପଣ ଛବି ଆଙ୍କନ୍ତି ?
– ହଁ – ଭଲ, ଛବି ଆଙ୍କିବା ପାଇଁ ଇଂଜିନିୟରିଂ ଶେଷବର୍ଷର ପରୀକ୍ଷା ନ ଦେଇ ମୁଁ ବାଙ୍ଗାଲୋର ଛାଡ଼ି ଏ ସହରକୁ ପଳାଇଆସିଲି । ଇଂଜିନିୟର ହେବା ଅପେକ୍ଷା ଜଣେ ଆର୍ଟିଷ୍ଟ ହେବା ଯେ ବଡ କଥା, ତା ମୋ ବାପା ବୁଝନ୍ତି ନାହିଁ । ତାଙ୍କର ଧାରଣା ମୋ ମୁଣ୍ଡ ଖରାପ ହୋଇଯାଇଛି ।
– ଇଂଜିନିୟର ଅପେକ୍ଷା ଜଣେ ଆର୍ଟିଷ୍ଟ କ’ଣ ବଡ଼ ?
– ବଡ଼ ଛୋଟ କଥା ନୁହେଁ – ଚିତ୍ରଶିଳ୍ପୀର କୌଣସି ବିକଳ୍ପ ନାହିଁ । ବାପା ଚିଫ୍ ଇଂଜିନିୟର କାର୍ଯ୍ୟରୁ ଅବସର ନେଲା ପରେ ଆଉ ଜଣେ ତାଙ୍କ କାମ ଚଳାଉଛନ୍ତି, କିନ୍ତୁ ଶିଳ୍ପୀ ବି. ବର୍ମା ଆଉ ଗୋପାଳ କାନୁନ୍ଗୋଙ୍କ ଭଳି ଆଉ ଜଣେ କିଏ ଛବି ଆଙ୍କୁଛି ?
ଅଥଚ ଏ ସହରରେ ଇଞ୍ଜିନିୟରମାନଙ୍କୁ ମିଳେ, କିନ୍ତୁ ଜଣେ ବି. ବର୍ମା କିମ୍ବା ଗୋପାଳ କାନୁନ୍ଗୋଙ୍କୁ ନର୍କକୁ ଯିବାପାଇଁ ରାସ୍ତା ଦେଖାଇ ଦିଆହୁଏ …
ମୋ କଣ୍ଠସ୍ୱର ମୋ ନିଜ କାନକୁ ଉତ୍ତେଜନାମୟ ଆଉ କର୍କଶ ଶୁଣାଗଲା ।
ଦୟାମୟୀଙ୍କ ଆଖିର ଚାହାଣି କୋମଳ ଏବଂ ଆର୍ଦ୍ର ହୋଇ ଉଠିଲା ।
ମୁଁ କହିଲି ଆପଣ ଚାହିଁଲେ ହୁଏତ ସେ ବୁଢ଼ା ମତେ ଗୋଟେ ଘର ଦେଇପାରେ , ଛବି ପାଇଁ ଘର । ବାପାଙ୍କ ଘରେ ଛବି ଅଙ୍କା ଯାଇପାରେନା –
ଦୟାମୟୀ ବିହ୍ଵଳିତ କଣ୍ଠରେ କହିଲେ –
– ସେ ତ ଚିଡ଼ିଆଖାନାର ଜୀବ । ସେ କଅଣ ବୁଝେ ବି.ବର୍ମା , ସେ କଅଣ ବୁଝିବ ଗୋପାଳ କାନୁନ୍ଗୋ ! ଜୀବନରେ ସେ ହୁଏତ ଅନେକ ବଧୂ ଦେଖିଛି । କିନ୍ତୁ ସେ କଅଣ କେବେ ଦେଖିଛି ବି.ବର୍ମାଙ୍କ ପଲ୍ଲିବଧୂ ? ମୁଁ କହିଲେ ବି ସେ ଆପଣଙ୍କୁ ଘର ଦେବ ନାହିଁ ।
ଦୟାମୟୀଙ୍କ ନିର୍ଦ୍ଦୟ ଉତ୍ତର ଶୁଣି ମୁଁ କେବଳ ହସିଲି ; କୌଣସି ପ୍ରତିବାଦ କଲି ନାହିଁ ।
