ମଦନା ଗାଁ ର ସବୁଠୁ ହୁସିଆର ପିଲା ଥିଲା।ମଦନ ପରି ପିଲା କୋଟିଏ ରେ ଗୋଟିଏ । ରାତିଦିନ ପାଠପଢି ପରିଶ୍ରମ କରି ମଦନା ବନିଲା ଡାକ୍ତର ମଦନ ମୋହନ ପାଟ୍ଟଶାଣୀ । ବାପା ର ତ ଯେମିତି ପାଦ ମାଟିରେ ଲାଗୁନଥିଲା । ଗର୍ବରେ ଛାତି ଫୁଲେଇ ମୋ ପୁଅ ଡାକ୍ତର ବୋଲି ସମସ୍ତଙ୍କ ଆଗେ କୁହନ୍ତି । ସବୁ ବାପାଙ୍କ ପରି ମଦନ ବାପା ବି ପୁଅ ପାଇଁ ସ୍ଵପ୍ନ ଦେଖିଥିଲେ । ଖୁସି ନ ହୁଅନ୍ତେ ବା କିପରି । ଘର ଆଗର ମାଟି ପିଣ୍ଡା ଉପରେ କାଠ ଆରମ ଚେୟାର ଟି ପକେଇ ବସି ବଡ ଶାନ୍ତିରେ ବସି ଯାଆନ୍ତି ସେ । ଡାକ୍ତର ବାବୁଙ୍କ ବାପାର ଗାଁ ରେ ବହୁତ୍ ସମ୍ମାନ । ଆସିବା ଯିବା ଲୋକ ଘଡିଏ ରହି ବାବୁ ଙ୍କ ସହ କଥା ହୋଇ ମୁଣ୍ଡିଆ ହୋଇ ଯାଆନ୍ତି ।
ମଦନ ଡାକ୍ତର ହେଲା ପରେ ବାକ୍ସ ରେ ଘର କୁ ଔଷଧ ପଠାନ୍ତି, ଜ୍ଵର, ଥଣ୍ଡା, କାଶ ଇତ୍ୟାଦି ସାଧାରଣ ରୋଗ୍ ବୈରାଗ ପାଇଁ । କାଗଜ ରେ କୋଉ ଔଷଧ କେତେ ପରିମାଣର କେତେବେଳେ ଖାଇବ ସବୁ ଲେଖି ଭଲକି ବାପାଙ୍କୁ ବୁଝାଇ ଦେଇ ଯାଆନ୍ତି । ପୁଅକୁ ନଜଣାଇ ଗାଁ ରେ କୌଣସି ଲୋକଙ୍କୁ ଛୋଟମୋଟ ରୋଗ ହେଲେ ଏଥର ମଦନା ବାପା ଘର ଆଗ ବାରଣ୍ଡା ରେ ସେହି ଆରାମ ଚେୟାର ଔଷଧ ବାକ୍ସ ଧରି ବସି ଯାଆନ୍ତି । ଏଥିପାଇଁ ଗାଁ ଲୋକେ ତାଙ୍କୁ ଓଷ ମଉସା ବୋଲି ଡାକୁଥିଲେ। ଗାଁ ର ଗରିବ ସାଧାରଣ ଲୋକ ଓଷ ମଉସା ଠୁ ବିନା ପଇସାରେ ଔଷଧ ପାଇଁ ଖୁସି ହେଉଥିଲ। ଏକପ୍ରକାର ଖଣ୍ଡି ବଇଦ କହିଲେ ଚଳେ। ସ୍ତ୍ରୀ ବାରଣ କଲେ କୁହନ୍ତି ମୁଁ କଣ ମୁର୍ଖ ହୋଇଛି ? ମୋ ପୁଅ ଡାକ୍ତର ହୋଇ କି ଲାଭ ? ମୋ ଗାଁ ଲୋକ ତାର ଔଷଧ ଖାଇ ଠିକ୍ ହେଲେ ସିନା ମୋ ପୁଅକୁ ଡାକ୍ତର ହେବା ସଫଳ ହେବ। ଔଷଧ ଖାଇ କାହାକୁ କିଛି ହୋଇଯିବ ଯଦି ବୋଲି କେତେ ବୁଝାଇଲେ ସେ ବୁଝିବାକୁ ନାରାଜ ।
ପ୍ରତି ଦିନ ଔଷଧ କାଚର ଦିନ ବାର ପରିକ୍ଷା କରବା, ନୂଆଁ କାଚ ଆସିଲେ ତା ଉପରେ ନାଁ ତଥା ପରିମାଣ ଓ ସମୟ ଲେଖିବା, ତା ଛଡା ପୁରୁଣା ଔଷଧ କାଚରେ ଯାହାର ଦିନ ଆଉ ଅଳ୍ପ ଥିବ ତାକୁ ସଫାକରି ପୁରୁଣା ଘର ହାତ ଭାଡି ଉପରେ ଏକାଠି କରି ରଖିବା ଏୟା ହେଉଛି ଓଷ ମଉସା ଙ୍କ ନୀତି ଦିନିଆ କାମ ।
ସଫା କରିବା ମାନେ ହେଉଛି ତାକୁ ଧୋଇ ନୁହେଁ ଖାଇ ସଫା କରିଦେବା । ହଁ ଓଷ ମଉସାଙ୍କୁ ଔଷଧ ଖାଇବା ଭାରି ପସନ୍ଦ । ଘରେ ଲୁଚାଇ ବଳିଥିବା ଔଷଧ ତକ ଆଁ କରି ଘଟଘଟ ପିଇ ଯାଆନ୍ତି ସେ କେତେ କଡା କେତେ ପିତା ଔଷଧ ହେଉ ମହୁ ପରି ଖାଇଯାଆନ୍ତି ତାକୁ । ମନେ ମନେ କହି ହୁଅନ୍ତି ମୋ ପୁଅର ପରିଶ୍ରମ ର ଫଳ ଏମିତି କେମିତି ଫିଙ୍ଗିଦେବି !
ଦିନେ ମାଉସୀ ସନ୍ଧ୍ୟାରେ ବାଡିଆଡେ ଯାଇଥିଲେ । ଗାଁ ରେ ଖରା ଦିନେ ଅନାବରତ ବିଜୁଳି କାଟେ । ସେତିକିବେଳେ ବିଜୁଳି ଚାଲିଗଲା । ମଉସା ଘରଟା ଯାକ ଅଣ୍ଡାଳି ବାରି ଘର ବିରୁଆ ରେ ତାକୁ ଲଣ୍ଠନ ଟା ମିଳିଲା । ଲଣ୍ଠନ ଆଲୁଅ ରେ ହଠାତ୍ ମଉସା ନଜର ପଡିଲା ରୋଷେଇ ଘର କାନ୍ଥ ଉପରେ ଦୁଇଟି ଔଷଧ କାଚ । ଗୋଟିକ ଅଧା ଆଉ ଗୋଟିକ ପୁରା ଭର୍ତ୍ତି ଅଛି । ମନରେ କଣ ବିଚାରିଲେ କେଜାଣି ଘଟଘଟ କରି ସେତକ ପିଇ ପକେଇଲା । ଦେହ ସାରା ଯେମିତି କଣ କଣ ହୋଇଗଲା । କାନ ମୁଣ୍ଡ ଝାଇଁ ଝାଇଁ କଲା ଆଉ କଇଁଆ ଖାଇଲା ପରି ମୁହଁ କରି ଯାଇ ଦୁଆର ମୁହେଁ ବସିଗଲେ ମଉସା ।
ରାତିରେ ଆଉ ବିଜୁଳି ଆସିଲାନି । ମାଉସୀ ଆସି କେତେ ଡାକିଗଲେ ଖାଇବାକୁ ହେଲେ ଓଷ ମଉସା ସେ ଦୁଆର ମୁହଁରେ ସେମତି ପଡି ରହିଲା । ସକାଳ ହେଉହେଉ ମଉସା ଦିମୁହଁ ହେଇଗଲାଣି । ମାଉସୀ କେତେଥର କହିଲେ ବି ମଉସା ନିଜ ଓଷଧ ବାକ୍ସ ରୁ ଔଷଧ ଖାଇବାକୁ ନାରାଜ । କିଛି ସମୟ ପରେ ସ୍ଥାନୀୟ କମ୍ପାଉଣ୍ଡର ଆସିଲେ। ଝାଡାବାନ୍ତି ପାଇଁ ଔଷଧ ଦେଇ ଗଲେ । ତେବେ ଯାଇ ମଉସା ପେଟକୁ କିଛି ଗଲା । ଏତେ ବର୍ଷରେ ଏମିତି କେବେ ହେଇନି କି ମଉସା ତାଙ୍କ ନିଜ ଓଷଧ ନଖାଇ ଆଉ କୋଉଠୁ ଖାଇଛନ୍ତି । ଶେଜ ପାଖରେ ମଉସା ର ଗୋଡ ମୋଡୁ ମୋଡୁ ନାକ ସୁଡୁସୁଡୁ କରି ମାଉସୀ କହିଲା ହେଇଟି ତମର ଶନି ଦଶା ସବୁ ଶନିବାର ଓସ୍ତଗଛ ତଳେ ଖାଣ୍ଟି ଜଡା ରେ ଦିପ ଜଳୁଥିଲି। ଏସବୁ ସେଇଥି ପାଇଁ ହେଲା ଗୋ ଆଜି କି ବୋଲି ଦୀପ ଟେ ବି ଜାଳି ପାରିଲିନି । ରାତି ରେ ବାରିପୋଡା ବିଲେଇ କାନ୍ଥ ରେ ଚଢି ମୋର ସବୁ ତେଲ ଢାଳି ଦେଇଚି। ଆଉ ଟୋପେ ହେଲେ ତେଲ ନାହିଁ ସେଥିରେ। ଜାଉଛି ଆଗ 2 ଟଙ୍କା ର ତେଲ ଆଣିକି ଦିପଟେ ଜାଳେ । ମାଉସୀ ର ଏତକ କଥା ଶୁଣି ମଉସାର କାନ ଦିଇଟା ଠିଆ ହୋଇଗଲା । ପଚାରିଲେ କୋଉଠି ରଖିଥିଲୁ ଲୋ ତୋ ଜଡା ତେଲ । ମାଉସୀ କହିଲେ ସେଇ ରନ୍ଧା ଘର କାନ୍ଥ ଉପରେ । ସେ ବାରିପଡା ବିଲେଇର ଗୋଡକୁ ଭାଙ୍ଗି ଦେବି ଏତକ କହୁକହୁ ମଉସା କହିଲେ ଆଲୋ ଥାଉ ଥାଉ ଲୋ ମଦନା ମାଆ ସେ ବାରିପଡା ଟା ବିଲେଇ ନାହିଁ ଲୋ ମୁଁ । କାଲି ରାତିରେ ସେହି କାଚ ଦିଇଟା ଥିବାର ଦେଖି ମୁଁ ହିଁ ତାକୁ ପିଇଦେଇଛି।
ମାଉସୀ ବାଲୁବାଲୁ କରି ଅନେଇ ରହିଲା ମଉସା କୁ । କିଛି ସମୟ ପରେ ମୁଣ୍ଡରେ ହାତ ବାଡ଼େଇ ସେଠୁ ଉଠି ଯାଉ ଯାଉ ଗୁଣୁ ଗୁଣୁ ହେଇ କହୁଥିଲେ ଏ ଅଳପ ବିଦ୍ୟା ବଡ ଭୟଙ୍କରୀ ଲୋ ଝିଅ । ଆର ବିରୁଆରେ କିରୋସିନ ଡିବି ରଖିଥିଲି ଏ ବୁଢା ପିଇଥିଲେ ମରିଯାଇଥାନ୍ତା ଆଜି, ମୁଁ କିସ କରିବିରେ ଦଇବ । ମଉସା କାନରେ ସବୁ ଶୁଭୁଥିଲା । ହେଲେ ଖୁନ୍ଦା ଖାଇଥିବା ବିଲେଇ ପରି ଧିରି ପଡି ରହିଥିଲେ ଯାହା ।
