ମହାବାହୁ ହେ ମହାବାହୁ
ଚାହିଁ ମୁଖ ତୁମ ପ୍ରାଣ ଯାଉ ,
ଏତେ ସୌଭାଗ୍ୟ ମୋର କାହୁଁ ??
ଏ ଜୀବ ତୁମଠି ଲୀନ ହେଉ ।
ନୟନ ତୁମର ଅଟଇ ଚଞ୍ଚଳ
ଦେଖି ଭକ୍ତ ଲୁହ ହୁଅଇ ବିଭୋର,
ଦୃଶ୍ୟ ଏ ଦୁର୍ଲଭ ମହାମିଳନର
ବର୍ଷା ନୁହେଁ ଏ ଯେ ଲୋତକ ତୁମର ।
ଭକ୍ତ ଭକ୍ତି ଦେଖି କାନ୍ଦ ଦୀନବନ୍ଧୁ
ଭକ୍ତ ସମାଗମ ସତେ ନୀଳ ସିନ୍ଧୁ,
ତୁମ ନାମ ଜପେ ପ୍ରତି ରକ୍ତ ବିନ୍ଦୁ
ରଥ ଧୁଳି ତୁମ ମଥାରେ ଯେ ପିନ୍ଧୁ ।
ହଜିଯାଏ ଆଖି ସେ ଚକାଡୋଳାରେ
ଆକାଂକ୍ଷା ସବୁ ମୋ ଯାଏ ମୁଁ ଭୁଲି,
ପାଇଗଲେ ତୁମ ଦର୍ଶନ ଥରୁଟେ
ଯାଏ ରୋଗ ଶୋକ ଦୂରକୁ ଚାଲି ।
ଏ ସାରା ସଂସାର ହୁଏ ଯେ ଅସାର
ଦେଲେ ଚାହିଁ ତୁମ ଶ୍ରୀମୁଖ ଖାଲି,
କର ଦୟା କରି ନିଜର ଏ ଆତ୍ମା
ଯାଆନ୍ତି ତୁମ ସହ ମୁଁ ଚାଲି ।
