ଜୀବନର ସଞ୍ଜ
ଭାବନାର ମଞ୍ଜ
ଅସହାୟ ଏ ଜୀବନ.. !
ଏ ଘନ କାନନ,
ମାୟା ଆସ୍ତରଣ
କୁହୁଡ଼ିର କୁଞ୍ଜବନ !!
ସେ କୁଞ୍ଜବନରେ
ଆତ୍ମ ପୀରତିରେ
ନିଜକୁ ଠକୁଚି ନୀତି,
ଅମା ଅନ୍ଧକାର
ଘନେଇ ଆସୁଛି
ଲୁହରେ ଜଳୁଚି ବତୀ !
ସଘନ ସପନ
ଯେସନେ ଦହନ
ମନକୁ ଦହୁଛି ଯାହା !
ପ୍ରାଣର ଉଚ୍ଛ୍ୱାସ
ପାପର କଳୁଷ
କେହି ନୁହେଁ କାହା ସାହା !
ବେଳ କାଳ ସିନା
ସରି ସରି ଯାଏ
ଅଧା ରହେ ପ୍ରେମ-ଗୀତି !
ଜୀବନ ସଙ୍ଗୀତ
ଆରମ୍ଭ ହୋଇନି
ଲେଖା ହେଲାଣି ମୋ ଇତି !!
ସେ ଅଧାପଣରେ
ରାଧା ଚରଣରେ
ଶରଣ ନେଇଛି ଯେଣୁ,
ଭାଂଗି ଯାଇଥିବା
ମନକୁ ପୁନଶ୍ଚ
ଗଢି, ହୁଏ ଗୁଣୁଗୁଣୁ ।