ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ସବୁ ସ୍ନେହଶ୍ରଦ୍ଧା ତୋର ବେକାର ହୋଇଯିବରେ ମାଆ । ତୁ ଅବାଟରେ ପାଦ ଦେଇ ନିଜ ପ୍ରତି ଅନ୍ୟାୟ କରନି । ତୋ ଭବିଷ୍ୟତ ପାଇଁ ଏସବୁ ଭଲ ନୁହଁରେ ମାଆ ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ଆଉ ପରୀରାଜ୍ୟର ରାଜକୁମାର ତା’ ଆଖି ଆଗରେ । ସେ ଆନନ୍ଦରେ ଅଧୀରା ହୋଇପଡୁଛି । ତା’ ପାଟିରୁ ସେଇ ଚିରାଚରିତ ପଦୁଟିଏ ବାହାରି ପଡୁଛି- ସାନବାବୁ. . . । ସାନବାବୁ ତାକୁ ଚାହିଁ ହସୁଛନ୍ତି । ଆଉ ସେ ଦୁହେଁ ମନ ପବନ ଘୋଡ଼ାରେ ଚଢ଼ି ଚାଲିଛନ୍ତି ଆଗକୁ । ବାଦଲମାନଙ୍କୁ ଭେଦି ଆକାଶକୁ ଛୁଇଁବାକୁ । ପୁଣି ସେ ସ୍ଥାନଟିର ସୌନ୍ଦର୍ଯ୍ୟରେ ଅଧିର ହୋଇ ସେମାନେ ତାରାମାନଙ୍କ ମେଳରେ ଘର କରୁଛନ୍ତି, ଜହ୍ନ ସାଥିରେ ଖେଳୁଛନ୍ତି । ବାଦଲମାନଙ୍କ ଛାତ ତଳେ ସ୍ୱପ୍ନମାନଙ୍କର ମୁରୂଜ ବୁଣୁଛନ୍ତି । ସେଠି ଚିରଆଲୋକର ବର୍ଣ୍ଣାଳୀ. . . ଅନ୍ଧାରର ଲେଶମାତ୍ର ନାହିଁ । ସଂସାରର ନିତିଦିନିଆଁ ଜଞ୍ଜାଳଶୂନ୍ୟ ଇଲାକା । ନାହିଁ କର୍ତ୍ତବ୍ୟ ଓ ଦାୟିତ୍ୱର ବେଡ଼ି. . . ନାହିଁ ରୁକ୍ଷ ଜୀବନର ଅପଳାପ କିମ୍ୱା ନାହିଁ କାହା ନାଲିଆଖିର ଭୟ । ଖାଲି ସୁଖ ଓ ସ୍ୱପ୍ନଭରା ସାମ୍ରାଜ୍ୟ ଭିତରେ ସେ ଓ ତା’ର ଖୁବ୍ ନିଜର ସାନବାବୁ । ଆଉ କେହି ବି ନାହାନ୍ତି ଆଖପାଖରେ ସେମାନଙ୍କ ଚିନ୍ତାଧାରାରେ ବ୍ୟାଘାତ ଆଣିବାକୁ । ଚିରବାଞ୍ଝିତ ସୁଖକର ସମୟରୁ ସେମାନଙ୍କୁ ବଞ୍ଚିତ କରିବାକୁ । ଲୀନା ଏମିତି ଏକ ମନଲୋଭା ଓ ଆଚ୍ଛନ୍ନ ମୁଦ୍ରାରେ ଥିଲାବେଳେ ତାକୁ ଛୁଇଁ ପ୍ରଜାପତିଟିଏ ଉଡ଼ିଯିବ ଅବା ଗେଟ୍ ଡେଇଁ କ୍ଷୀରବାଲା ଘର ଭିତରକୁ ଆସି କେନ୍ ଠକଠକ କରିବ । ନ ହେଲେ କାଉଟାଏ ବଗିଚାର ସେ ବଡ଼ଗଛଟା ଉପରେ ବସି ଉତ୍କଟ ସ୍ୱରରେ ରାବ ଦେବ । ଆଉ ସେ ସ୍ୱପ୍ନରାଜ୍ୟରୁ ବିଚ୍ୟୁତ ହୋଇ ଏକବାରେ ଛିଟିକି ପଡ଼ିବ ତଳକୁ । ପୁରା ଆକାଶରୁ ପୃଥିବୀକୁ ।

ଏସବୁ ନିତିଦିନିଆ ଘଟଣା ପାଲଟି ଯାଇଥିବ । ତଥାପି ସେ ଥକୁ ନ ଥିବ । ସେ ଏମିତି ବାରବାର ପରୀରାଜ୍ୟକୁ କାହିଁକି ଯାଏ । ସ୍ୱପ୍ନ କି ବାସ୍ତବ ଜୀବନରେ ହେଉ ସେ ଖାଲି ପରୀ ରାଇଜକୁ କାହିଁକି ଦେଖେ । ଜେଜେମା’ କହେ ସବୁରାତିରେ ସେ ତା’ଠାରୁ ସେଇ କାହାଣୀ ଗୁଡ଼ିକ ଶୁଣିଶୁଣି ତାରି ଭିତରେ ନିଜକୁ ସାଉଁଟି ଚାଲିଛି । ଆଉ ସେ ଲୀନାକୁ ରାଜକୁମାର କି ପରୀରାଇଜର କାହାଣୀ କହିବନି । ଏଇସବୁ ଗପ ଶୁଣି ତା’ ମନ କୁଆଡ଼େ ଦିନକୁ ଦିନ ବିଗିଡ଼ିଯାଉଛି । ହୁଗୁଳା ହୋଇ ଏଣେତେଣେ ଧାଉଁଛି । ଲୀନା କିନ୍ତୁ ସେସବୁ ବୁଝେ ନାହିଁ । ତାକୁ ଭଲ ଲାଗେ ସେଇ ସବୁ ଗପ । ସେ କ’ଣ କରିବ । ତଥାପି ତା’ର ନିତି ଦିନିଆଁ କାମରେ ଅବହେଳା କରୁନଥିବ । ପରିବାକାଟି ଦେଉଥିବ । ରୋଷେଇଘରକୁ ତା’ର କୁନିକୁନି ହାତରେ ପାଣି ଯୋଗାଇ ଦେଉଥିବ । ଟ୍ରେରେ ଚା’କପ୍ ନେଇ ବଡ଼ ମାଲିକଙ୍କୁ ଦେଉଥିବ । ତାରରୁ ଶୁଖିଲା ଲୁଗାପଟା ଆଣି ଚଉତି ରଖୁଥିବ ଆଲଣାରେ । ସାନବାବୁଙ୍କ ପ୍ୟାଣ୍ଟସାର୍ଟ ସଫା କରୁଥିବ । ଯେମିତି କିଛିଦାଗ ରହିନଯାଏ । ବେଳହେଲେ ମାଲିକଙ୍କ ସହିତ ବଗିଚା କାମ ବି କରୁଥିବ ।

ସେ ସାନବାବୁଙ୍କ କାର୍ଯ୍ୟପ୍ରଣାଳୀ ସହିତ ଭଲ ଭାବରେ ପରିଚିତ । ସେ ଜାଣେ ତାଙ୍କର କ’ଣ କେତେବେଳେ ଆବଶ୍ୟକ ଓ କେତେ ପରିମାଣରେ ଆବଶ୍ୟକ । ତାଙ୍କ ପସନ୍ଦ, ନାପସନ୍ଦ ସବୁକିଛି ତା’ ଜିଭ ଅଗରେ । ହେତୁହେବା ଦିନଠାରୁ ସେ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଆସିଛି । ତାଙ୍କ ପ୍ରତି ଲୀନାର ଅହେତୁକ ମାୟା, ଅଦ୍ଭୁତ ଆକର୍ଷଣ, ଯାହା ବେଳକୁବେଳ ବୃଦ୍ଧି ପାଇ ଚାଲିଛି ସିନା ହେଲେ କେବେ ବି ହ୍ରାସ ପାଇନି । ପ୍ରତିବଦଳରେ ସେ ତାଙ୍କଠାରୁ ଚାହେଁ ଖାଲି ତାଙ୍କ ହସ କେରାଏ । ଯେବେ ସେ ହସଟିକକ ସାନବାବୁଙ୍କ ମୁହଁରେ କୌଣସି କାରଣରୁ ହଜିଯାଇଥାଏ, ଲୀନା ଅଦ୍ଭୁତ ଆବେଗରେ ଛଟପଟ ହୁଏ, ତା’ର କାରଣ ଖୋଜେ । ତା’ର କ’ଣ କିଛିରେ ତ୍ରୁଟି ରହିଯାଇଛି କି । ପୁଣି ଅସ୍ଥିର ଆବେଗରେ ସେ ଚାତକ ପରି ଚାହିଁ ରହେ ସାନବାବୁଙ୍କ ଫେରିବା ବାଟକୁ । ସେ ଫେରିବା ପରେ ତାଙ୍କ ପରିଶ୍ରମ ଜନିତ କ୍ଳାନ୍ତମୁହଁରୁ ସେ ପୁଣି ଖୋଜି ହୁଏ ସେଇ ମିଠା ହସ ଝଲକାଏ । ଯଦି ସେତକ ବିନାଦ୍ୱିଧାରେ ମିଳିଯାଏ ତେବେ ଦିନ ତମାମର ଦୁଃଖ, ଅବସାଦରୁ ସେ ମୁକ୍ତି ପାଇ ନିଶ୍ଚିନ୍ତ ହୋଇଯାଏ । ଆଉ ଯଦି ସେତକ ବି ନ ମିଳେ ତେବେ ରାତିସାରା ଅତନ୍ଦ୍ର ରହିଯାଏ ଅଲରା ସୂତାର ବଣ୍ଡଲ୍ ଭିତରେ । ତାରାମାନେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଥାନ୍ତି ଆଉ ଲୀନା ରାତିସାରା ଅସ୍ଥିର ଯନ୍ତ୍ରଣାରେ ଛଟପଟ ହୁଏ । ସକାଳର ପ୍ରତୀକ୍ଷା କରେ, କେତେବେଳେ ସୂର୍ଯ୍ୟକିରଣ ବିଞ୍ଚି ହୋଇପଡ଼ିବ ଚାରିଆଡ଼େ । ଆଉ ସେ କାଳ ବିଳମ୍ୱ ନ କରି ନିତ୍ୟକର୍ମ ସାରି ବଗିଚାର ସବୁଠାରୁ ସୁନ୍ଦର ଓ ସତେଜ ଫୁଲଟିଏ ଧରି ପୁନଶ୍ଚ ଅପେକ୍ଷା କରିବ ସାନବାବୁ ଅଫିସଯିବାର ସେ ମାହାନ୍ଦ୍ର ବେଳାକୁ ।

ସାନବାବୁ ଗାଡ଼ିରେ ବସିବା ପୂର୍ବରୁ ସେ ତାଙ୍କ ମୁହଁକୁ ନିରୀକ୍ଷଣ କରିବ । ତାଙ୍କ ମନକଥାକୁ ପଢ଼ିବାକୁ ଚେଷ୍ଟା କରିବ । ତାଙ୍କ ଆଶ୍ୱସ୍ତିଭରା ମୁହଁକୁ ଚାହିଁ ସେ ପୁଲକିତ ହେବ । ତା’ ମନତଳେ ଗତକାଲିର ଜମାଟବନ୍ଧା ଦୁଃଖମାନ ଅପସରି ଯାଉଥିବେ । ଲୀନା ଏଥରକ ସ୍ୱାଭାବିକ ଲାଗୁଥିବ । ସାନବାବୁଙ୍କ ମୁହଁର ସତେଜତା ତାକୁ ପୁନଶ୍ଚ ବଞ୍ଚିବାର ପ୍ରେରଣା ଯୋଗାଇ ଦେଉଥିବ । ଗାଡ଼ିର ଧୂଳିଧୂଆଁରେ ସେ ଝାପ୍ସା ପ୍ରତିମୂର୍ତ୍ତିଟିଏ ଭଳି ପ୍ରତୀୟମାନ ହେଉଥିବ ଗେଟ୍ ପାଖରେ । ତା’ର ଏଇ ଛୋଟ ଦୁନିଆଁ ଓ ସାନବାବୁଙ୍କ ଚିନ୍ତା ଚେତନା ଭିତରେ ସେ ଖୁବ୍ ଖୁସି । ଆଉ କିଛି ଖୋଜେନା, ଲୋଡ଼େନା । ଯେଉଁ ସବୁ ସୁଖ ଓ ସ୍ୱପ୍ନମାନଙ୍କର ସେ କାମନା କରେ ବା ପରିକଳ୍ପନା କରେ ସେସବୁ ବି ସାନବାବୁଙ୍କୁ ନେଇ । ତାଙ୍କ ଛାଡ଼ି ସେ ଜୀବନର ଛବି ଆଙ୍କି ପାରେନା । କଳ୍ପନାର ସୀମାକୁ ଛୁଉଁଛୁଉଁ ସମୟ ଗଡ଼ି ଚାଲିଥାଏ ତା’ର ଚିରାଚରିତ ଛନ୍ଦରେ । ଦିନଯାକର କାମଧନ୍ଦା ଭିତରେ ପେଶି ହେଲେ ବି ସାନବାବୁଙ୍କ ଝଲକ ତାକୁ ପୁନଶ୍ଚ ନବଜୀବନରେ ସ୍ପନ୍ଦିତ କରାଏ । କ୍ଳାନ୍ତ ଓ ଅବସନ୍ନ ଥିଲେ ବି ସେ ପୁନଶ୍ଚ ଜୀବନର ସେ ଗତାନୁଗତିକ ଧାରାରେ ସାମିଲ୍ ହୋଇଯାଏ । ସେ ଶରୀର ହେଲେ ସାନବାବୁ ତାର ଆତ୍ମା । ଆତ୍ମାକୁ ଛାଡ଼ି ଶରୀର କ’ଣ କେବେ ଜୀବିତ ରହିପାରେ । ସେ ଗଛଟିଏ ହେଲେ ସାନବାବୁ ପାଣି, ପୃଥିବୀ ଆଉ ସୂର୍ଯ୍ୟକିରଣ, ଯାହା ବିନା ଗଛର ଜୀବନଧାରଣ ଏକବାରେ ଅସମ୍ଭବ । ତା’ର ସେ ଛୋଟିଆ ଜୀବନରେ ଜେଜେମା’ ଓ ସାନବାବୁ ହିଁ ତା’ର ଆକାଶ ଓ ପୃଥିବୀ । ଯେଉଁମାନଙ୍କୁ କେନ୍ଦ୍ର କରି ସେ ଘୂରି ବୁଲୁଛି ଦିନ ଓ ରାତିତମାମ୍ । ସେଇଥିରେ ହିଁ ତା’ର ଆନନ୍ଦ ଓ ତା’ର ଗତାନୁଗତିକତା ହିଁ ଜୀବନ ।

ସେଦିନ ବି ପୂର୍ବଛନ୍ଦରେ ସୂର୍ଯ୍ୟ ଉଦୟ ହୋଇଥିଲେ । ଜେଜେମା’ ତା’ର ବାସିକାମରେ ଲାଗିଯାଇଥିଲା ନିର୍ଦ୍ଦିଷ୍ଟ ସମୟର ଅବ୍ୟବହିତ ପୂର୍ବରୁ । ସଂକ୍ରାନ୍ତି ଥିବାରୁ ଲୀନା ଘରଦ୍ୱାର ପୋଛି ସାରିଥିଲା । ସମସ୍ତ ଚିରାଚରିତ କାମ ଭିତରେ ଲୀନା କିନ୍ତୁ ତା’ ଦାୟିତ୍ୱ ଭୁଲି ନଥିଲା । ସବୁକାମ ଭିତରେ ସେ ସାନବାବୁଙ୍କ କାମ ବି କରପକାଉଥିଲା ତରବରରେ । ଅଳ୍ପ କିଛି କାମ ବାକିଥିଲା । ସାନବାବୁ ଅଫିସ୍ ଯିବାକୁ ଆଉ କିଛି ସମୟ ଥିଲା । ପୂର୍ବବତ୍ ସେ ବଗିଚାର ଗୋଟେ ସୁନ୍ଦର ଓ ସତେଜଫୁଲ ଆଣି ଗାଡ଼ି ପାଖକୁ ଆସିଲା । ଡ୍ରାଇଭର୍ ଗଗନଅଜା ଗାଡ଼ି ଧୋଉଥିଲେ ପୋର୍ଟିକୋରେ । କହିଲେ-ସେଇଠି ରଖିଦେ ଫୁଲତକ । ଗାଡ଼ି ପୋଛିସାରିଲା ପରେ ମୁଁ ତା’ ଜାଗାରେ ରଖି ଦେବି ସାନବାବୁଙ୍କ ପାଇଁ । ବ୍ୟସ୍ତହନା । ଲୀନା ବାରମ୍ୱାର ମନେପକାଇ ଦେଲା- ଅଜା ମନେକରି ରଖିବ ତ । ନିଶ୍ଚୟ ରଖିବ ଗାଡ଼ି ଭିତରେ, ହେଲା । ଗଗନ ଅଜା ହୁଁ ମାରି ସାରିଲା ପରେ ଲୀନା ଫେରିଲା ତା’ ବାକି ପଡ଼ିଥିବା କାମ ପାଖକୁ । ଠାକୁରଘର ବାରଣ୍ଡା ପୋଛା ହୋଇନି । ମାଲିକାଣୀ ଗାଧୋଇ ସାରିଲେଣି । ଅଧୁଆ ଦେଖିଲେ ଖୁବ୍ ରାଗିବେ ତା’ ଉପରେ । ନନା ଆସିବେ, ସଂକ୍ରାନ୍ତି ହୋମ ହେବ । ଏ ଯାଏଁ ଆମ୍ୱଡ଼ାଳ, ଦୁବ ବରକୋଳିପତ୍ର, ଶୁଖିଲା କାଠ, ଗୋବର, ପଞ୍ଚାମୃତ ଆଦି ପୂଜାସରଞ୍ଜାମ ସଜଡ଼ା ହୋଇନି । ଏମିତି ଭାବି ତରବର ହୋଇ ସେ ତା’ କାମରେ ଲାଗିଗଲା । ସେସବୁ କାମ ଭିତରେ ସେ ଆତ୍ମବିସ୍ମୃତି ଥିବାବେଳେ ହଠାତ୍ ଶୁଭିଲା ଗାଡ଼ିଯିବାର ଶବ୍ଦ । ଲୀନା ମନେ ମନେ ଭାବିଲା- ଗଗନଅଜା ଫୁଲଟିକୁ ଠିକ୍ ଜାଗାରେ ରଖି ଦେଇଥିଲେ ତ । ସାନବାବୁ ସତେଜ ମନରେ ହାତରେ ତୋଳି ଧରିଥିବେ ତ ଫୁଲକୁ । କାମ ସାରି ସେ ଆସିଲା ପଦାକୁ. . . ଆଜି ସାନବାବୁ ଯିବା ସମୟରେ ସେ ଆସି ତାଙ୍କର ସତେଜ ଚେହେରାଟି ଦେଖିପାରିଲାନି ଭାବି ମନଦୁଃଖ କଲା ।

ଆଜିର ଦିନଟି ଭାରି ଲମ୍ୱା. . . ଲାଗିବ । କିଛିରେ ମନ ଲାଗିବ ନାହିଁ ଜମା । ଜେଜେମା ଓ ମାଲିକାଣୀଙ୍କଠାରୁ ତାକୁ ଆଜି ଗାଳି ଶୁଣିବାକୁ ପଡ଼ିବ ନିଶ୍ଚେ । ଏମିତି କିଛି ଭାବୁଭାବୁ ତା’ର ନଜର ପଡ଼ିଲା. . . ଭୀଷଣ ଖରାରେ ଝାଉଁଳି ପଡ଼ିଥିବା ସେଇ ଫୁଲଟି ଉପରେ. . . ଯାହାକୁ ସେ ଅତି ଆଦର ଓ ସ୍ନେହରେ ତାଙ୍କ ପାଇଁ ତୋଳିଥିଲା ସକାଳଟାରୁ । ସାନବାବୁ କ’ଣ ତା’ ହେଲେ ଫୁଲଟିକୁ ଆଜି ନେଇନାହାନ୍ତି । ଗଗନଅଜା କ’ଣ ଦେଇନାହାନ୍ତି ସେ ଫୁଲ ସାନବାବୁଙ୍କୁ । ମନ ତଳେ କୋହ ରୁନ୍ଧି ହୋଇ ତତ୍‌କ୍ଷଣାତ୍ ତା’ ଆଖିରୁ ଲୁହ ଝରି ପଡ଼ିଲା । ସବୁ ପରିଶ୍ରମ ତା’ର ବେକାର ହୋଇଗଲା ଆଜି । ମନଟା ଓଦା ଓଦା ଲାଗିଲା । କେତେ ଆଦର ଓ ସଦିଚ୍ଛା ନେଇ ସେ ଏ ଫୁଲଟିକୁ ସାଇତି ରଖିଥିଲା ସାନବାବୁଙ୍କ ପାଇଁ । ଗଗନଅଜାଙ୍କୁ ସେ ବାରବାର ମନେପକାଇ ଦେଇଥିଲା- ଫୁଲଟିକୁ ଗାଡ଼ି ଭିତରେ ରଖିଦେବାକୁ । ହେଲେ ସେ କିପରି ଭୁଲିଗଲେ । ତା’ ଆଖିର ଲୁହରେ ତା’ ଜାମାଟି ପୁରା ଭିଜିବାକୁ ଲାଗିଲା । ସେ ଆକୁଳ ମନରେ ଧାଇଁ ଯାଇ ଜେଜେମା’କୁ କହିଲା- ମାଆ, ଗଗନଅଜା ମୋ ଫୁଲକୁ ଦେଲେ ନାହିଁ ସାନବାବୁଙ୍କୁ । ସେ ଆଜି ବିନାଫୁଲରେ ଅଫିସ୍ ଚାଲିଗଲେ । ଜେଜେମା’ ତା’ ଆଖିରୁ ଲୁହ ପୋଛି ଦେଇ କୋଳକୁ ଆଉଜେଇ ନେଇ କହିଲା- କାନ୍ଦେନି । ଗଗନଅଜା ଆସିଲେ ମୁଁ ତାଙ୍କୁ କଡ଼ା କରି ଗାଳିଦେବି । ସେ କାହିଁକି ଫୁଲ ରଖିଲେ ନାହିଁ ବୋଲି ଝଗଡ଼ା କରିବି । ଏଥର ହେଲା ତ । ତୁ ଆଉ ମନଦୁଃଖ କରନା । ଆଜି ନ ଦେଲେ କାଲିକୁ ଦେଇଦେବୁ ଫୁଲ । ସେଥିରେ କ’ଣ ଅଛି । ସବୁଦିନେ ତ ଦଉଛୁ, ପୁଣି ପାଗେଳିଟେ ପରି କାନ୍ଦୁଛୁ କାହିଁକି ? ଯାଆ, କାଲି ଗୋଟେ ନୂଆ ଫୁଲ ଫୁଟିବ । ସାନବାବୁ ଯୋଉ ନୀଳଗୋଲାପ ଗଛ ବିଦେଶରୁ ମଗାଇଥିଲେ, ସେ ଗଛରେ ପ୍ରଥମ କରି ନୂଆ କଢ଼ୀଟିଏ ହୋଇଛି । କାଲିକୁ ଫୁଟିଉଠିବ, ସେହି ଫୁଲରେ ତୁ ତୋ ଦେବତାଙ୍କୁ ପୂଜା କରିବୁ, ହେଲା ।

ଆଖିରୁ ଲୁହପୋଛି ସେ ପଚାରିଲା ଆଶ୍ଚର୍ଯ୍ୟ ହୋଇ. . . ସତରେ ଜେଜେମା’ ନୀଳ ଗୋଲାପ ଫୁଟିବ କାଲି । ଏତିକି ଶୁଣି ସେ ଖୁବ୍ ଖୁସି ହୋଇ ଧାଇଁଗଲା ଦେଖିବାକୁ ସେ ଗଛଟିକୁ । ସେଇ ନୂଆକଢ଼ୀଟିକୁ ଦେଖି ମନେ ମନେ ପୁଲକିତ ହୋଇଉଠିଲା ସେ । ପୂର୍ବ ଦୁଃଖକୁ ଭୁଲିଗଲା ଅଚାନକ । ପୁନଶ୍ଚ ବ୍ୟାକୁଳ ହେଲା ଗୋଟେ ସୁନ୍ଦର ସକାଳଟି ପାଇଁ । ହେଲେ ପୁଣି ତା’ର ନଜର ପଡ଼ିଲା ଆଜିର ସେଇ ମଉଳି ଯାଇଥିବା ଫୁଲଟି ଉପରେ । ପୁଣି ମନଟା ଉଦାସିଆ ଲାଗିଲା ତା’ର ।

ସେଠାରୁ ଫେରିଆସି ପଚାରିଲା ଜେଜେମା’କୁ- ମାଆ, ଏ ଫୁଲଟି ତେବେ କ’ଣ ହେବ । ଜେଜେମା’ କହିଲା- ନେଇଯା’ ପୂଜା ଘରେ ମାଲିକାଣୀ ଅଛନ୍ତି ତାଙ୍କୁ ଦେଇ ଦେବୁ । ତାଙ୍କ ଇଚ୍ଛା- ସେ ଯାହା କରିବେ । ଲୁହ ଡବଡବ ଆଖିରେ ଲୀନା କହିଲା- ହେଲେ ମୋ ପୂଜା ତ ଅଧା ରହିଗଲା ନା । ମୋ ଠାକୁର ତ ଫୁଲ ପାଇଲେ ନାହିଁ । ଲାଭ କ’ଣ ହେଲା ମୋର । ଜେଜେମା’ ଆଖି ଛଳଛଳ କରି କହିଲା- ମା’ରେ ସେ ଆକାଶର ଚାନ୍ଦ ଆଉ ତୁ ସାମାନ୍ୟ ଘାସ ଫୁଲଟିଏ ଯାହା ଉପରେ କେତେବେଳେ ବି ନଜର ପଡ଼େନି କାହାର । କାହିଁକି ବାଇଆଣୀଙ୍କ ପରି ହେଉଛୁ ସାନବାବୁଙ୍କ ପାଇଁ ସେ କ’ଣ ତୋତେ ଏତିକି ଆଦର କରିପାରିବେ ? ସେ କ’ଣ ତୋ ଉପସ୍ଥିତି କିମ୍ୱା ଅନୁପସ୍ଥିତିକୁ ଅନୁଭବ କରିପାରନ୍ତି ଯେ ତୋତେ ଧ୍ୟାନ ଦେବେ ? ସବୁ ସ୍ନେହଶ୍ରଦ୍ଧା ତୋର ବେକାର ହୋଇଯିବରେ ମାଆ । ତୁ ଅବାଟରେ ପାଦ ଦେଇ ନିଜ ପ୍ରତି ଅନ୍ୟାୟ କରନି । ତୋ ଭବିଷ୍ୟତ ପାଇଁ ଏସବୁ ଭଲ ନୁହଁରେ ମାଆ । ଶେଷରେ ତୁ ହିଁ ବଳି ପଡ଼ିଯିବୁ ଅନ୍ୟମାନଙ୍କ ପାଇଁ । ସେତେବେଳେ ମୋ ଅବସ୍ଥା କ’ଣ ହବ ? ମୋର ଆଉ କିଏ ଅଛି ତୋ ଛଡ଼ା ? ତୁ ଅଝଟ ହନି । ଶିଉଳିଭରା ରାସ୍ତାରେ ପାଦ ଦେଇ ରାସ୍ତାପାର ହେବା ଖୁବ୍ କଷ୍ଟ ଆଉ କେବେ କେବେ ଅସମ୍ଭବ ବି । ତୁ ଏସବୁ ପାରିବୁନି । ମୋ କଥାକୁ ବୁଝିବା ବୟସ ସିନା ତୋର ହୋଇନି ଏବେ । ତଥାପି ମୁଁ ତୋତେ ବୁଝାଇ ଦେବାକୁ ଚାହେଁ । ତୋତେ ଭଲ ରାସ୍ତାରେ ଯିବାକୁ ଅଛି । ମୁଁ ତୋତେ ଭଲ ଜୀବନଟିଏ ଦେବାକୁ ଚାହେଁରେ ମାଆ । ଯେଉଁଠି ସୁଖଭରା ଦୁନିଆଁଟିଏ ତୋତେ ଅପେକ୍ଷା କରିଥିବ । ଆଶାଥିବ, ସ୍ୱପ୍ନଥିବ, ନିଜ ପରି ଭଲ ପାଇବାକୁ ମଣିଷଟିଏ ଥିବ । ଛୋଟ ଛୋଟ ଫୁଲରେ ଭରିଥିବ ଅଗଣା । ସେଠାରେ ଆଶ୍ରୟ ନେଇଥିବେ ଜାତି ଜାତିକା ପ୍ରଜାପତି ଆଉ ଭଅଁର । ସେମାନେ ତୋ ପାଇଁ ଗୀତ ଗାଉଥିବେ । ଆଉ ତୁ ପାଲଟିଥିବୁ ସେ ଦୁନିଆଁର ରାଜକୁମାରୀ । କାହା ମନ ଭିତରେ ତ ତୁ ଦିନେ ଘର କରିବୁ, କାହା ଭିତରେ ତ ତୁ ମହକି ଉଠିବୁ କେବେ ଦିନେ । ଏ ଛୋଟିଆ କଥାଟିକୁ ତୁ ବୁଝୁନୁ କାହିଁକି ? ତୁ କାହିଁକି ମୋ କଥାକୁ ସବୁବେଳେ ଅଣଦେଖା କରିଚାଲିଛୁ ? ତୋ ବି ସ୍ୱତନ୍ତ୍ର ଜୀବନ ଅଛି, ବଞ୍ଚିବାର ଅଧିକାର ଅଛି । ହେଲେ ଭୁଲ୍‌ବାଟରେ ଯାଇ ନିଜକୁ ହଜାଇ ଦେବା ଠିକ୍ ନୁହେଁ । ମୋ ଭଳି ତୁ ଅନ୍ୟମାନଙ୍କ ସେବା କରି ନିଜକୁ ସାରି ଦେ ନା । ମୁଁ ତୋତେ ଏଭଳି ଅନ୍ୟ ପାଇଁ କ୍ଷୀଣ ହେବା ଦେଖି ସହିପାରିବିନି ଜମା । ଜେଜେମା କୋହଭରା କଣ୍ଠରେ ଆକଟ କରେ । ତାକୁ ବୁଝାଇବାର ଚେଷ୍ଟା ଜାରି ରଖେ । ସେ କିନ୍ତୁ ତା’ କଥାକୁ ଅଣଦେଖା ଓ ଅଶୁଣା କରି ତନ୍ମୟ ହେଉଥାଏ ଆସନ୍ତାକାଲିର ପରିକଳ୍ପନା ଭିତରେ ।

ସେ ପଟେ ମାଲିକାଣୀ ଡାକ ଦେଲେଣି ଲୀନାକୁ ପୂଜା ପାଇଁ ଫୁଲ ଦେବାକୁ ଠାକୁରଙ୍କ ପାଇଁ । ସେଇ ନିର୍ଦ୍ଦିଷ୍ଟ ଫୁଲଟିକୁ ଛାଡ଼ି ସେ ଭୋର୍‌ରୁ ତୋଳିଥିବା ଡାଲା ଭର୍ତ୍ତି ଫୁଲମାନଙ୍କୁ ନେଇ ଦେଇ ଆସିଛି ପୂଜା ଘରେ । ଗୋଟେ ଛୋଟିଆ ଗ୍ଲାସ୍‌ରେ ପାଣି ଭର୍ତ୍ତି କରି ସେଇ ଫୁଲଟିକୁ ସେ ପକାଇ ରଖିଛି ଦିନଯାକ । ଫୁଲଟି ସତେଜ ଦିଶୁଛି ସାମାନ୍ୟ । ସାନବାବୁ ଏ ଯାଏ ଫେରିନାହାନ୍ତି । ଆଜି ବହୁତ୍ ଡେରି ହେଲାଣି । ଅଫିସ୍‌କାମରେ କୁଆଡ଼େ ବାହାରକୁ ଯାଇଛନ୍ତି ବୋଲି ମାଲିକାଣୀ କହୁଥିଲେ । ଆସୁ ଆସୁ ଡେରି ହୋଇପାରେ । ଘରୁ ବାହାର ହୋଇ ତା’ର ପାଦ ଦୁଇଟି ଥକି ପଡ଼ିଲାଣି । ଆଖି ଦୁଇଟି କ୍ଳାନ୍ତ. . . ଏବେ । ଦେହକୁ ବିଶ୍ରାମ ଲୋଡ଼ା । ଅଥଚ ସେ ଚାହିଁ ରହିଛି ସାନବାବୁଙ୍କ ଫେରିବା ବାଟକୁ । ନିତିଦିନର ସିରିୟଲ୍ ସବୁ ସରିଗଲାଣି । ସନ୍ଧ୍ୟା ବିତି ରାତି ହେଲାଣି । ନଅଟା ବେଳର ସମାଚାର ଦେଲାଣି ଟି.ଭି.ରେ । ମାଲିକାଣୀଙ୍କ ପାଦରେ ଉଷମ୍ ସୋରିଷ ତେଲ ଘଷି ତାଙ୍କୁ ମୋଡ଼ି ଦେଉଛି ଜେଜେମା’ । ଆଉ କିଛି ସମୟ ପରେ ସେ ଟି.ଭି. ପାଖରେ ବସି ଢୁଳାଇବ । କ୍ଳାନ୍ତ ଶ୍ରାନ୍ତ ଅବସନ୍ନ ଚେହେରା ତା’ର ମଉଳି ଗଲେ ବି ସମସ୍ତେ ଖାଇ ସାରିବା ପରେ ସେମାନଙ୍କ ଅଇଁଠା ବାସନ ଗୋଟାଇବା ପାଇଁ ସେ ଜଗି ବସିଥିବ । ଆଉ ତା’ ସହିତ କିଛି କାମ ନ ଥାଇ ବି ଲୀନା ବି ଚେଇଁଥିବ ।

ମାଲିକ ଚ୍ୟାନେଲ୍ ବଦଳାଇ ଇଂରାଜୀ ସମ୍ୱାଦ ଶୁଣୁଛନ୍ତି । ଆଜିକାଲି ଅଫିସ୍‌ର କାମଗୁଡ଼ିକରୁ ସେ ତ୍ରାହି ପାଇଯାଇଛନ୍ତି । ଏକା ସାନବାବୁ ସବୁ କାମ ବୁଝୁଛନ୍ତି । ତାଙ୍କ କାମରେ ଘରେ ବି ସମସ୍ତେ ଖୁସି । ଅଫିସ୍ ବି ସୁରୁଖୁରୁରେ ଚାଲିଛି ଆଗଭଳି । ମାଲିକାଣୀଙ୍କ ଦେହ ସବୁବେଳେ ଅସୁସ୍ଥ । ହେଲେ ବଡ଼ବାବୁ ପୁରା ଫିଟ୍ । ବାହାରର ମିଟିଙ୍ଗ୍, ସମାଜସେବାରେ ସେ ପ୍ରାୟ ସବୁବେଳେ ବ୍ୟସ୍ତ । ଘରେ ବାପ, ମାଆ ଓ ସାନବାବୁ, ତାଙ୍କ ସହିତ ଜେଜେମା’, ଲୀନା । ଗଗନ ମଉସାଙ୍କ ଘରେ ଏଇ ପାଖରେ ବୋଲି ସେ ନିତି ଯିବା ଆସିବା କରନ୍ତି । ଯେତେ ରାତି ହେଲେ ବି ସେ ଘରକୁ ଫେରନ୍ତି । ପୁଣି ସକାଳଟାରୁ ପହଞ୍ଚି ଗାଡ଼ିକୁ ସଫା କରି ସାନବାବୁଙ୍କ ଅଫିସ୍ ଯିବା ପାଇଁ ପ୍ରସ୍ତୁତ କରିଦିଅନ୍ତି । ଭାରି ବିଶ୍ୱସ୍ତ ଓ ସ୍ନେହୀ ମଣିଷଟିଏ ସେ । ହେଲେ ବେଳେବେଳେ ଲୀନାକୁ ଚିଡ଼ାନ୍ତି ବୋଲି ସେ ଭାରି ରାଗେ ତାଙ୍କ ଉପରେ । କେବେକେବେ ସେ ଲୀନା ପାଇଁ ନେଇ ଆସନ୍ତି ଗରମ ଗରମ ଜିଲାପି । ଲୀନାକୁ ଜିଲାପି ଭାରି ଭଲ ଲାଗେ । ଖୁବ୍ ଖୁସିରେ ଲୀନା ଜିଲାପି ଖାଏ । ହେଲେ ତା’ ପୂର୍ବରୁ ସେଥିରୁ କିଛି ସେ ସାନବାବୁଙ୍କ ପାଇଁ ବି ରଖିଦିଏ । ସାନବାବୁ ବି ଖୁବ୍ ଜିଲାପି ପ୍ରିୟ । କିଛି ନ କହିଲେ ବି ସେ ଯେଉଁ ଆତ୍ମତୃପ୍ତିରେ ଜିଲାପି ଖାଆନ୍ତି ସେସବୁକୁ ଲୀନା ଲକ୍ଷ୍ୟ କରିଛି ଆଗରୁ । ହେଲେ କେବେ କିଛି କୁହନ୍ତିନି । ସେ କାହିଁକି ଏତେ ଗମ୍ଭୀର । ବଡ଼ଲୋକମାନେ କ’ଣ ଏମିତି ସବୁବେଳେ ଚୁପଚାପ୍ ରହିବାକୁ ପସନ୍ଦ କରନ୍ତି । ପଦୁଟିଏ କଥାବାର୍ତ୍ତା ହେଲେ କ’ଣ ଏମାନଙ୍କ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହୁଏ ? ଏମାନେ ମାରା ହୋଇଯାନ୍ତି ନା କ’ଣ ? ବେଳେବେଳେ ଲୀନା ସାନବାବୁଙ୍କ ଉପରେ ଅଭିମାନ କରେ । ହେଲେ ତା’ ବି କ୍ଷଣିକ ପାଇଁ । ତାଙ୍କର ଅସହ୍ୟ ନୀରବତା ଲୀନାକୁ ଆଘାତ ଦିଏ । ସେ କାହିଁକି ନିଜ ମନତଳର ଇଚ୍ଛା ଜାହିର୍ କରନ୍ତିନି ? ସେ କାହିଁକି ଗଗନଅଜାଙ୍କୁ ସବୁଦିନ ଜିଲାପି ଆଣିଦେବାକୁ ଆଦେଶ କରନ୍ତିନି ? ତାଙ୍କ ମନ ତଳେ ଇଚ୍ଛାମାନଙ୍କ ଜନ୍ମ ହୁଏ ନାହିଁ ? ସେ ରୁନ୍ଧି ହୁଅନ୍ତିନି କାମନାମାନଙ୍କ କୋଳାହଳ ଭିତରେ ? ସେ ତ ରାଜାପୁଅ. . . ଇଚ୍ଛାଟିଏ ଜାହିର୍ କରୁ କରୁ ପୂର୍ଣ୍ଣ ହୋଇସାରିଥିବ । ସେଥିରେ ପୁଣି ଅବାସ୍ତବ କ’ଣ ? ନା ସାନବାବୁ ନିଜକୁ କାହା ପାଖରେ ଛୋଟ କରିବାକୁ ଚାହାନ୍ତି ନାହିଁ ? ଇଚ୍ଛା କରିବା ଓ ତା’ ପାଇଁ ଅନ୍ୟ ଆଗରେ ନ୍ୟୁନ ହେବାଟା କ’ଣ ଏକାକଥା କି ? ହେଲେ ସେ ଖୁବ୍ ଭଲ ଭାବରେ ଜାଣେ- ସାନବାବୁ ଏତେ ଚୁପ୍‌ଚାପ୍ ଯେ ତାଙ୍କ ଆଖପାଖର ଗହଳ ପୃଥିବୀ ଭିତରେ ସେ ପୁରାପୁରି ଏକାଟିଆ । ଜାଣି ଜାଣି ନିଜକୁ ସେ ସମସ୍ତଙ୍କଠାରୁ ପୃଥକ୍ କରି ନେଇଛନ୍ତି । ହୁଏତ ସେଇଆ ହିଁ ତାଙ୍କର ବିଶେଷତ୍ୱ. . . ! ସେ ଯାହା ହେଲେ ବି ସାନବାବୁଙ୍କ ପାଇଁ ଲୀନାର ଅକୁଣ୍ଠଶ୍ରଦ୍ଧା, ଅନାବିଳ ଓ ଅମାପ ସ୍ନେହ ।

ତା’ପରେ

ଲୋକପ୍ରିୟ ଲେଖା

To Top