ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ତାକୁ ଲାଗୁଥିଲା ସେ ଯେମିତି ହାଣମୁହଁକୁ ଯାଉଥିବା ଛେଳି । କଂସେଇ ହାତର କୁକୁଡ଼ା. . . ଏଭଳି ଦୋଦୁଲ୍ୟମାନ ପରିସ୍ଥିତି ତା’ର ମାନସିକତାକୁ ଦୋହଲାଇ ପାରୁନଥିଲା କି ରୋମାଞ୍ଚିତ କରିପାରୁନଥିଲା ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ଜେଜେମାଆ ଓ ଲୀନାର ଘର କହିଲେ ଏଇ ଫାଟକ ପାଖରେ ଓ ଗ୍ୟାରେଜ୍‌କୁ ଲାଗିଥିବା ଛୋଟିଆ ଘରଟି. . . କୋଉ ଅମଳରୁ ସେଇ ଘର ହିଁ ସେମାନଙ୍କ ସମ୍ପତ୍ତି । ସେଇ ଛୋଟ ବଖୁରିକିଆ ଘରଟାରେ ସେମାନଙ୍କ ସୁଖ ଦୁଃଖ ଆଉ ଜଞ୍ଜାଳ । ମାଲିକାଣୀଙ୍କ ବାହା ସମୟରୁ ଜେଜେମାଆ ତାଙ୍କ ସହିତ ଆସି ଏଇଠି ପଡ଼ି ରହିଛି ନିଜ ସଂସାରର ମୋହ ତୁଟାଇ । ମାଲିକାଣୀ ହିଁ ପାଲଟିଛନ୍ତି ତା’ର ବଞ୍ଚିବାର ରାହା ଆଉ ସାହା । ଦୁହିଁଙ୍କ ଭିତରେ ଖୁବ୍ ଭାବ ମମତା. . . । ଜେଜେମା’ କହେ- କୁଆଡେ଼ ସେମାନେ ପରସ୍ପରକୁ ବୁଝିପାରନ୍ତି ନୀରବରେ । ହେଲେ ଲୀନା ମନ ତଳେ ଛୋଟିଆ ପ୍ରଶ୍ନଟିଏ କେବେ କେମିତି ବେଳଅବେଳରେ ଉଙ୍କିମାରେ- ଜେଜେମା’ ଭଳି ମାଲିକାଣୀ ଯଦି ତା’ ମନକଥାକୁ ପଢ଼ି ପାରିଥାନ୍ତେ ତେବେ ସେ କ’ଣ ଜେଜେମା’କୁ ତା’ ପରିବାରଠାରୁ ଛଡ଼ାଇ ଆଣି ପାରିଥାନ୍ତେ ନିଜ ସୁଖ ପାଇଁ ? ତା’ ମନତଳର ଦୁଃଖକୁ ସେ କ’ଣ ପଢ଼ି ପାରିନଥାନ୍ତେ ସେ ସମୟରେ ? ଅଥଚ ଜେଜେମା’ ମାଲିକାଣୀଙ୍କ ସୁଖଶାନ୍ତି ପାଇଁ ଅନ୍ୟ ଚିନ୍ତା ଛାଡ଼ି ସବୁଦିନ ପାଇଁ ଏଇଠି କର୍ମକୁ ଆଦରି ପଡ଼ି ରହିଛି ।

ମାଲିକାଣୀଙ୍କର ସମସ୍ତ ଖବର ଜେଜେମା’ ଛୋଟ ବେଳଠାରୁ ହିଁ ବୁଝୁଥିଲେ ପିଲାବେଳେ । ଆଉ ଆଜି ବି ଠିକ୍ ସେହି ପୂର୍ବଦିନମାନଙ୍କ ପରି ସେ ବୁଝିଆସୁଛି । ଫରକ୍ ଏତିକି ସେତେବେଳେ ତା’ ମନ ତଳେ ବି କିଛି ସ୍ୱପ୍ନ ଥିଲା । ମନ ତଳଟା କାହା ପାଇଁ ଗୁମୁରି ଗୁମୁରି କାନ୍ଦୁଥିଲା । ବିକଳ ହେଉଥିଲା । କୋଳରେ ଛୋଟିଆ ପୁଅଟି କାନ୍ଦି ଉଠିଲେ ସେ ବି ଯନ୍ତ୍ରଣାରେ କୁହୁଳି ଉଠୁଥିଲା । ଆଉ ଆଜି ତା’ ଆଖିତଳୁ ସ୍ୱପ୍ନ ସବୁ ମରିଯାଇଛନ୍ତି । ସେତେବେଳେ ତା’ ଦୁଃଖ ଶୁଣିବାକୁ ପାଖରେ କେହି ନଥିଲେ ଆଉ ଆଜି ବି କେହି ନାହାନ୍ତି । ସେତେବେଳେ ସେ ଅସହାୟା ଥିଲା ଆଉ ଆଜି ବି ସେ ଅସହାୟା । ତା’ ପାଇଁ ଜୀବନରେ ସେମିତି କିଛି ନୂତନତା ନାହିଁ । କେତେବେଳେ ନିଜ ଭାଗ୍ୟ ଓ ପୁଣି କେତେବେଳେ ଭଗବାନଙ୍କ ଦୋଷ ଦେଇ ସେ ନିଜକୁ ଆଶ୍ୱାସନା ଦେଉଛି ସିନା ହେଲେ ବୁଝାଇପାରୁନି । ନିୟତିର ଚକ୍ରବ୍ୟୁହ ଭିତରେ ସେ ଛନ୍ଦି ହୋଇ ପଡ଼ିଛି ସବୁବେଳେ । ତା’ ଭାଗ୍ୟରେ ପରଘରର ମଇଳାବିଣ୍ଡା ହିଁ ଲେଖାଥିଲା ବୋଧହୁଏ । ଅବଧାରିତ ହୋଇସାରିଥିଲା ତା’ର ଠିକଣା ବହୁ ପୂର୍ବରୁ । ସେ ତ ଖାଲି କ୍ରୀଡ଼ନକ ସାଜି ଥିଲା ଭାଗ୍ୟହାତର ! ସେତେବେଳେ ପାର୍ବତୀର ମାଆ ବି ମାଲିକାଣୀଙ୍କ ଘରକୁ ନିଇତି ଆସୁଥିଲା କାମ କରିବାକୁ । ତାଙ୍କରି ଘରୁ ହିଁ ଦାନା ପାଣି ଯୋଗାଡ଼ ହେଉଥିଲା ।

ପାର୍ବତୀ ଛୋଟ ଥିଲାବେଳେ ତାକୁ ବି ତା’ ମାଆ ନେଇ ଆସୁଥିଲା ସାଙ୍ଗରେ । ସେ ବି ତା’ କୁନିକୁନି ହାତରେ ବୋଲହାକ କରୁଥିଲା ସେଠାରେ । ସେତେବେଳେ ଖୁବ୍ ପିଲାବେଳୁ ହିଁ ଝିଅମାନଙ୍କୁ ଆବଶ୍ୟକତା ତୁଳନାରେ ବଡ଼ ହେବାକୁ ପଡୁଥିଲା । ସେଥିପାଇଁ ଜେଜେମା’ ତା’ ମାଆକୁ ସାହାଯ୍ୟ କରିବା ଜାଣିଯାଇଥିଲା । ମାଲିକାଣୀ କୁଆଡେ଼ ପାର୍ବତୀ ବୟସର ପାଖାପାଖି ଥିଲେ । ଦୁହେଁ ମିଶି ଖେଳୁଥିଲେ । କଣ୍ଢେଇ ବାହାଘର କରୁଥିଲେ ମିଛିମିଛିକା ଭାତ ତିଅଣ ରାନ୍ଧୁଥିଲେ । ସେବେ ଠାରୁ ଦୁହିଁଙ୍କ ଭିତରେ ଢେର୍ ଭାବ. . . । ସେ ଅସୁସ୍ଥ ହେଲେ କିମ୍ୱା ମାଲିକାଣୀଙ୍କ ଘରକୁ ନ ଗଲେ ସେ ତାଙ୍କ କୁଡ଼ିଆକୁ ଖୋଜି ଆସନ୍ତି । ତାଙ୍କୁ ଆସିବାକୁ ଦିଆନଗଲେ ସେ ଅଝଟ ହୋଇ କାନ୍ଦନ୍ତି ଆକାଶର ଚାନ୍ଦ ମାଗିବା ପରି । ଜେଜେମା’କୁ ତା’ର ମାଆ ପାର୍ବତୀ ନାଁରେ ଡାକୁଥିଲା । ଯାହା ପରବର୍ତ୍ତୀ ସମୟରେ ଅପଭ୍ରଂଶ ହୋଇ “ପାର’ ହୋଇଯାଇଥିଲା ।

ପାର୍ବତୀ ସମୟ ସହିତ ବଢ଼ି ଉଠୁଥିଲା । ପୋଖତୀ ହେବା କ୍ଷଣି ତା’ର ମାଆ ତାକୁ ବାହା କରି ଦେଲା ସେଇ ବସ୍ତି ପାଖରେ ଥିବା ବାପମାଆ ଛେଉଣ୍ଡ ପିଲାଟିକୁ । ସେତେବେଳେ ତା’ର ମନଟି ବିବାହ ବୟସ ହୋଇଥିବ କି ନାଁ ତାହା ଜାଣିବା ଅନାବଶ୍ୟକ ଥିଲା ତା’ ମାଆ ପାଇଁ । ଆଉ ମଧ୍ୟ ଅନାବଶ୍ୟକ ଥିଲା ତା’ ପସନ୍ଦ ଓ ନା ପସନ୍ଦ ବିଷୟରେ ଜାଣିବାକୁ । ତା’ ମା’ କେବଳ ନିଜ ମଥା ଉପରୁ ଝିଅ ନାମକ ବୋଝଟି ହଟାଇବାକୁ ଚାହୁଁଥିଲା । ତା’ ଭଳି ବେସାହାରାମାନଙ୍କ ପାଇଁ ଏପରି କରିବା ସମ୍ପୂର୍ଣ୍ଣ ରୂପେ ଅନୁଚିତ୍ ବି ନ ଥିଲା ସେତେବେଳେ । ନାଲି ଓ ସୁନେଲି ରଙ୍ଗର ଓଢ଼ଣୀ ତଳେ ପାର୍ବତୀର ଅନୁଭବ, ଭାବ, ଅଭାବ କିମ୍ୱା ମନ କଥା କେହି ଠଉରେଇବା କଷ୍ଟ କରଥିଲା । ତାକୁ ଲାଗୁଥିଲା ସେ ଯେମିତି ହାଣମୁହଁକୁ ଯାଉଥିବା ଛେଳି । କଂସେଇ ହାତର କୁକୁଡ଼ା. . . ଏଭଳି ଦୋଦୁଲ୍ୟମାନ ପରିସ୍ଥିତି ତା’ର ମାନସିକତାକୁ ଦୋହଲାଇ ପାରୁନଥିଲା କି ରୋମାଞ୍ଚିତ କରିପାରୁନଥିଲା । ସେ ସମୟରେ ବିବାହ କରିବା ତା’ର କାମ ଥିଲା ଏବଂ ସେ କାମଟିକୁ ସେ ଖୁବ୍ ବିଶ୍ୱସ୍ତ ଓ ନିଖୁଣ ଭାବରେ ତା’ ମାଆର ଇଚ୍ଛାନୁଯାୟୀ ନିଷ୍ପନ୍ନ କରୁଥିଲା । ବାସ୍. . . ଏତିକି, ୟା’ ଠାରୁ ଅଧିକ ବା କ’ଣ ଥାଇପାରେ ତା’ ଭଳି ଅଭାବୀ ଓ ପର ଘରେ ମୂଲ ଲାଗୁଥିବା ଝିଅମାନଙ୍କ ପାଇଁ ? ସେମାନଙ୍କ ଜୀବନ ତ ସେଇ ଚିରାଚରିତ । ବିବାହ. . . ତା’ପରେ ପିଲା, ଆଉ ସେମାନଙ୍କୁ ପାଳିବା ପାଇଁ ଅନ୍ୟ ଘରେ ସ୍ୱପ୍ନମାନଙ୍କୁ ବନ୍ଦୀ ବନେଇ ଦେବା । ପେଟ ଓ ମନର ଭୋକକୁ ମାରି ମାରି ପିଲାମାନଙ୍କୁ ବଡ଼ କରିବା ଓ ତା’ ଭିତରେ ବୁଢ଼ୀ ହୋଇ ମରିଯିବା । ଏଇ ତ ଜୀବନ. . . କ’ଣ ମିଳେ କେବଳ ବଂଶବୃଦ୍ଧି ବ୍ୟତୀତ ? ବିବାହ ପରେ ସେ ଚାଲିଆସିଲା ତା’ ଶାଶୁଘରକୁ ।

ଖେଳିବା ବୟସରୁ ସେ ବାହା ହୋଇ ସଂସାର ବାନ୍ଧିଲା । ତା’ ପାଦରେ ବେଡ଼ି ପଡ଼ିଲା । କର୍ତ୍ତବ୍ୟର ଶିକୁଳି ତା’ ହାତ ଦୁଇଟିକୁ ବାନ୍ଧି ପକାଇଲା । ବାଧ୍ୟ ହୋଇ ସେ ଆଦରି ନେଲା ତା’ ଭାଗର ଦୁଃଖକୁ । ଅବଶ୍ୟ ଦୁଇ ଜଣିଆ ଛୋଟ ପରିବାରଟା ଚଳିବାକୁ ସଂଗ୍ରାମ କରୁନଥିଲା । ଜେଜେ ରିକ୍ସା ଟାଣି ମୂଲମଜୁରୀ ଲାଗି ଜେଜେମା’କୁ ଭଲରେ ରଖିଥିଲେ । ସେ ଆଗଠାରୁ ଭଲ ଖାଉଥିଲା ଭଲ ପିନ୍ଧୁଥିଲା । ଭଲରେ ଚଳୁଥିଲା । ଧୀରେ ଧୀରେ ଜେଜେମା’ର ତା’ ସଂସାର ଓ ସ୍ୱାମୀ ପ୍ରତି ମୋହ ସୃଷ୍ଟି ହେଲା । ସେ ଭଲ ପାଇଲା ତା’ ଅଗଣାକୁ. . . ତା’ ମଣିଷ ପଣିଆକୁ ! ତା’ ମନତଳେ ସ୍ୱପ୍ନମାନ ଉଦୟ ଘଟିଲା । ତାରାମାନେ କିଟିମିଟି ହସିଲେ । ସେମାନଙ୍କୁ ମଳୟ ଛୁଇଁ ବହିବାରେ ଲାଗିଲା । ମୋଟାମୋଟି ଭାବେ ସେ ତା’ର ଜୀବନକୁ ଭଲ ପାଇବାରେ ଲାଗିଲା । ତା’ ସ୍ୱାମୀକୁ ଅପେକ୍ଷା କରି ସମୟ ବିତାଇବାରେ ସେ ବେଶୀ ଆନନ୍ଦିତ ହେଲା । କାହା ପାଇଁ ବଞ୍ଚିବାକୁ, ହସିବାକୁ ଓ ଦୁଃଖ କରିବାକୁ ଭଲ ଲାଗିଲା । ଧୀରେ ଧୀରେ ଜୀବନ ପ୍ରତି ତା’ର ସବୁତକ ଅଭିଯୋଗ ସମୟ ସ୍ରୋତରେ ହଜିଗଲା । ଦୃଷ୍ଟିଭଙ୍ଗୀ ବି ବଦଳିଗଲା । ତା’ର ଦୁଇବର୍ଷ ପରେ ଲୀନା ବାପାର ଜନ୍ମ. . . । ବିଚାରି ପିଲାକୁ ବି ପାଳିବା ତା’ ପକ୍ଷେ ଖୁବ୍ କଷ୍ଟକର ।

ସେବେଠାରୁ ଜେଜେମାଆ ଓ ଜେଜେ ଚାଲିଆସିଥିଲେ ତା’ ମାଆ ପାଖକୁ । ଜେଜେମା’ର ବାପା ନଥିଲା, ସେ କୋଉଦିନଠାରୁ ଆରପାରିକୁ ଚାଲିଯାଇଥିଲା । ତା’ ମାଆ ବାଧ୍ୟ ହୋଇ ପର ଘରେ କାମଧନ୍ଦା କଲା, ମୂଲମଜୁରୀ ଲାଗିଲା । ସେମାନଙ୍କ ଅଇଁଠା ଖାଦ୍ୟ ଆଉ ଅଧାରୁଆ ଲୁଗାରେ ସେମାନଙ୍କ ଅଭାବୀ ସଂସାର ଚଳିଯାଏ ଯେନତେନ ଭାବେ । ମାଲିକାଣୀଙ୍କ ପୁରୁଣା ପୋଷାକ ପିନ୍ଧି ପାର୍ବତୀ ନିଜର ଲଜ୍ଜା ନିବାରଣ କରେ । ସେଥିରେ କିଛି ଆପତ୍ତି ନଥାଏ କେବେ । ବାପଛେଉଣ୍ଡ ଝିଅର ସୁଖସରାଗ ଗୋଟାଏ କ’ଣ ? ଖାଲି କାନକୁ ଶୁଭୁଥିବା ମଧୁର ଶବ୍ଦଟିଏ. . . । ପେଟପାଟଣା ପାଇଁ ପାର୍ବତୀ ଓ ତା’ର ମାଆ ସେତେବେଳେ ଚାଲିଆସୁଥିଲେ ମାଲିକାଣୀଙ୍କ ଘରକୁ । ତାଙ୍କ ବସ୍ତିଠାରୁ ଅଳ୍ପବାଟ ମାତ୍ର । ସେଥିପାଇଁ ଯିବା ଆସିବାରେ କୌଣସି ଅସୁବିଧା ହେଉନଥିଲା । ପ୍ରକୃତରେ କହିବାକୁ ଗଲେ ପାର୍ବତୀର ମାଆ ଆଉ ଭିଡ଼ କାମକୁ ପାରୁନଥିଲା । ସେ ରୋଗୀଣା ପାଲଟି ଯାଉଥିଲା । ଆଜିଯାଏଁ ନିରନ୍ତର ମାଲିକ ଓ ମାଲିକାଣୀଙ୍କ ସେବା କରି ସେ ଖାଲି ପେଟକୁ ଗଣ୍ଡାଏ ଯୋଗାଡ଼ କରିପାରିଛି । କେତେ ଇଚ୍ଛାମାନଙ୍କ ଜୁଇରେ ସେ ନିଇତି ହାତ ସେକିଛି ! କେତେ ଅଫୁରନ୍ତ ଆବେଗର ଶବ୍ଦମାନଙ୍କ ଉପରେ ଛିଡ଼ା ହୋଇ ସେ ତାଣ୍ଡବ ନୃତ୍ୟ କରିଛି, ତା’ର ହିସାବ ଆଉ ମନେ ନାହିଁ । ନା ମନେଅଛି ଅତୀତ, ନା ବର୍ତ୍ତମାନ. . . । ସେସବୁ ମନେ ରଖିଲେ କ’ଣ ମିଳିବ ଯେ । କେବଳ ବଞ୍ଚିବା ଓ ସେଥିପାଇଁ ଖଟିବା ବ୍ୟତୀତ ଆଉ ବା କ’ଣ କରିପାରିଛି ସେ ନିଜ ପାଇଁ ? ଆଜି ତା’ର ସ୍ଥିତିକୁ ବଜାୟ ରଖିବା ପାଇଁ ସେ ନିଜର ବାରବର୍ଷର ଝିଅକୁ ବି ବୋଲହାକ କରାଉଛି । ଯେଉଁ ବୟସରେ ସେ ବୋହୂ ବୋହୂକା ଖେଳ ଭିତରେ ହଜିଯାଇଥାନ୍ତା, ପୋଖରୀର ଚହଲା ପାଣି ଭିତରେ ମୁହଁ ଦେଖୁ ଦେଖୁ ନିଜେ ବି ଚହଲି ଉଠନ୍ତା, ସେ ବୟସରେ ବି ସେ କାମ କରୁଛି ତା’ ମାଆର ଅସୁସ୍ଥତା ପାଇଁ । ଏକଥା କ’ଣ ସେ ମୁହଁ ଖୋଲି କାହାକୁ କହିପାରିବ ? କହିପାରିବ କି ଆମେମାନେ ସବୁ ପରଜୀବୀ ପ୍ରାଣୀ ପରି ବାହାରକୁ ଦିଶୁ ସିନା ହେଲେ ଅହରହ ଆମେ ଶୋଷି ହେଉଥାଉ ସବୁରି ଅଲକ୍ଷ୍ୟରେ । ପ୍ରକୃତରେ ଆମ ସ୍ଥିତି ଉପରେ ଅନ୍ୟମାନେ ନିଜକୁ ପ୍ରତିଷ୍ଠିତ କରାନ୍ତି । ନିଜେ ସୁଖ ଅୟସରେ ବଢ଼ିଲା ବେଳେ ସେମାନଙ୍କ ହାତକୁ ଚାହିଁ ଆମେମାନେ ବି ସେମାନଙ୍କ ପାଇଁ ସୁବନ୍ଦୋବସ୍ତ କରିଦେଉ । ଆମ ଭିତରେ ଚାକର ଓ ମାଲିକର ସମ୍ପର୍କ, ସେ ସମ୍ପର୍କରୁ ଆଜି ଯାଏଁ ନିସ୍ତାର କାହିଁ ?

ମାଆର ରୋଗ ବେମାରୀ ପାଇଁ ବାବୁ ଘର ଡାକରାରେ ପାର ତା’ ମାଆର ସ୍ଥାନ ନେବାକୁ ବାଧ୍ୟ ହୋଇ ରାଜି ହୋଇଥିଲା । ତାଙ୍କରି ଘରେ ପାରର ଏକମାତ୍ର ପୁଅ ମାନେ- ଲୀନାର ବାପା ଚାଲି ଶିଖିଥିଲା । ଏସବୁ ଭିତରେ ବି ତା’ ଭିତରର ଅଭାବ, ଦୁଃଖ, ଅସହାୟତା ଓ ଅସଂଖ୍ୟ ଅବଶୋଷ ତାକୁ ବେଳ ଅବେଳରେ ଘେରିଯାଉ ଥିଲେ । ଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିଲେ । ସ୍ୱାଭିମାନକୁ ଖିନ୍ଭିନ୍ କରିଦେଉଥିଲେ । ସେ ବିଁ ଚାହିଁଥିଲା ଗୋଟେ ସ୍ୱାଭାବିକ୍ ଜୀବନ. . . । ସୁଖ ଶାନ୍ତିରେ ଭରା ସହଜ ସରଳ ଜୀବନ ଯାପନ । ସେଠି ସୁଖ ଦୁଃଖ ବିରାଜୁଥିବ । ହେଲେ ପର ପାଇଁ ନୁହଁ ନିଜ ପାଇଁ ନିଜ ସ୍ୱାମୀ ପିଲାଙ୍କ ପାଇଁ ନିଜ ମାଆ ପାଇଁ । ସକାଳୁ ଉଠି ସେ ଭାବୁ ନଥିବ ଅନ୍ୟ ଘରର କାମ ବିଷୟରେ. . . ସଅଳ ବା ବିଳମ୍ୱ ହେତୁକ ତିକ୍ତ ଓ ମଧୁର ଉଲୁଗୁଣା ଶୁଣିବାକୁ ପଡୁନଥିବ । ମାଲିକ ଓ ମାଲିକାଣୀଙ୍କ ହୁକୁମ୍ ଆଗରେ ମଥାନୁଆଇଁ ସେ ନିଜ ସଂସାରକୁ ଭୁଲିବାକୁ ବାଧ୍ୟ ହେଉନଥିବ । ସେ ବି ତା’ ସଂସାରରେ ସ୍ୱାଧୀନ ଭାବରେ ଜୀଇଁବାର ଅଧିକାର ପାଆନ୍ତା । ସବୁ କାମ ସାରି ସେ ତା’ ସ୍ୱାମୀର ଆସିବା ବାଟକୁ ଚାହିଁ ବିଭୋର୍ ହୁଅନ୍ତା । ନିଜକୁ ଟିକେ ସଜାନ୍ତା । ଭଲ ଶାଢ଼ୀ ଓ ହରେକ୍ ମାଲ୍‌ର ଟଙ୍କିକିଆ ଗହଣା ସବୁକୁ ଖୁବ୍ ଯତ୍ନର ସହିତ ପିନ୍ଧନ୍ତା । ପାଦକୁ ତା’ ମାଆ ବାହାଘରବେଳେ ଦେଇଥିବା ରୂପା ପାଉଁଜି ଓ ରୂପାର ଶଙ୍ଖା ପିନ୍ଧି ସେ ବି ନିଜକୁ ଆଇନା ଆଗରେ ଦେଖି ଲାଜେଇ ଯାଆନ୍ତା ! ତା’ପରେ ତା’ ପ୍ରତୀକ୍ଷାର ଅନ୍ତ ଘଟାଇ କାମରୁ ଫେରନ୍ତେ ତା’ ସ୍ୱାମୀ । ତା’ ରୂପକୁ ପ୍ରଶଂସା କରନ୍ତେ । ସେମାନେ କେବେ କେମିତି ଗୋଟେ ଅଳସ ସନ୍ଧ୍ୟାରେ ବାହାରକୁ ବୁଲିଯାଆନ୍ତେ । ଠେଲାଗାଡ଼ିରୁ ପିଆଜି ଆଳୁଦମ୍ ଖାଇ ଘରକୁ ଫେରନ୍ତେ । ତା’ ସଂସାରକୁ ନେଇ ସେ ଅଜସ୍ର ସ୍ୱପ୍ନ ବୁଣନ୍ତା । ତା’ ମନ ଅଗଣା ସଜାନ୍ତା । ହେଲେ ସେଥିପାଇଁ ସମୟ କାହିଁ ? ଦିନଯାକର କାମ ଭିତରେ ନିଜ ପାଇଁ ସ୍ୱପ୍ନ ଦେଖିବାର ଅଧିକାର ବି ନାହିଁ । ଏତେ ବଡ଼ ବଡ଼ ଘରମାନଙ୍କୁ ସଫା କରିବାରେ ହିଁ ସବୁତକ ସମୟ ଚାଲିଯାଏ । ଆଉ ଏ ମାଲିକାଣୀ ଟିକେ ଟିକେ କଥାରେ ଖୁବ୍ ରାଗିଯାଆନ୍ତି ।

ନୀରବରେ ସବୁତକ ଝଡ଼ ସହିଯାଇ ସେ ସାମ୍ନା କରେ ନିଷ୍ଠୁର ବାସ୍ତବତାକୁ । ଆଜିକାଲି ନିଜ ପାଇଁ ସ୍ୱପ୍ନ ଦେଖିବାକୁ ଖୁବ୍ ଭୟ ହୁଏ । ତା’ ସ୍ୱାମୀ ବି ଅସୁସ୍ଥ ଠିକ୍ ମାଆ ଭଳି । ଅହରହ ଥଣ୍ଡା ଆଉ କାଶରେ ସେ ରୁନ୍ଧି ହୁଅନ୍ତି ଏକାକୀ । ଘରେ ଦୁଇ ଦୁଇଜଣ ରୋଗୀଣା ମଣିଷଙ୍କ ସେବା କରି ପଥି ରାନ୍ଧି ଦେଇ ଚାଲେ ମାଲିକଙ୍କ ଘରକୁ । ସେ ଘରଟି ହାତରୁ ଖସିଲେ ଏ ଦୁଇଜଣଙ୍କର ଚିକିତ୍ସା କିପରି କରିବ ସେ ? ଆଜିକାଲି କାମ ସେମାନଙ୍କ ଆବଶ୍ୟକତା ପାଲଟି ଯାଇଛି ! ମାଆ ପିଛାରେ ମାସକୁ ଓଷଦ ବନ୍ଧା । ତା’ ସାଙ୍ଗକୁ ସ୍ୱାମୀକୁ ନେଇ ହସ୍ପିଟାଲ୍ରେ ଦେଖାଇଛି । ଡାକ୍ତର ଅନେକ ଓଷଦ ଦେଲେଣି । ଟଙ୍କା ପାଣି ପରି ଖର୍ଚ୍ଚ ହେଲାଣି । ଅଥଚ ସ୍ୱାମୀ ତା’ର ଦିନକୁ ଦିନ ଦୁର୍ବଳ ହୋଇ ପଡୁଛନ୍ତି । କାମକୁ ଯାଇପାରୁନାହାନ୍ତି । ଠିକାଦାର ଅନିୟମିତତା ଦେଖି ତାକୁ କାମରୁ ବାହାର କରିସାରିଲାଣି । ସେପାଇଁ ପାରର କିଛି ଚିନ୍ତା ନାହିଁ । ଆରେ ଲୋକଟା ସୁସ୍ଥ ରହିଲେ ତ କାମ କରିବ । ସେ ଭଲ ହୋଇଯାଉ ଆଗ. . . କାମ କ’ଣ ପୁଣି ଥରେ ମିଳିଯିବନି ? ଏ ସଂସାରରେ କାମର କ’ଣ ଅଭାବ ଅଛି ? ଘରେ ଚାରିପ୍ରାଣୀ କୁଟୁମ୍ୱ ଆଉ ରୋଜଗାର ଏକା ତା’ର. . . ଛୋଟିଆ ଛୁଆଟିକୁ କାଖରେ ଜାକି ଧରି ସେ ସବୁ ଦୁଃଖ କଷ୍ଟକୁ ପଛକୁ ଠେଲି ଚାଲିଛି ଆଗକୁ ।

ତା’ର କିଛିମାସ ପରେ ସାନ ମାଲିକାଣୀଙ୍କ ବିବାହ । କେତେ କ’ଣ ସାଜସଜ୍ଜା, କେତେ ସୁନ୍ଦର ପାଲିଙ୍କି. . . କେତେ ଭବ୍ୟ ଆୟୋଜନ । ମାଲିକାଣୀ ଶାଢ଼ୀ ଗହଣାରେ ଠାକୁରାଣୀ ଭଳି ଦିଶୁଥାନ୍ତି । ପୋତି ହୋଇପଡୁଥାନ୍ତି ଉପହାରମାନଙ୍କରେ । ତାକୁ ଏସବୁ ଦେଖି ପାରକୁ ଲାଗୁଥାଏ- ଭାଗ୍ୟ କାହା ପାଇଁ କ’ଣ ଆଣି ଆସେ ସାଙ୍ଗରେ ସତରେ ? କିଏ ରଜା ଝିଅ ହୋଇ କ୍ଷୀରମହୁକୁ ଥୁ ଥୁ କରି ଫିଙ୍ଗୁଥାଏ ତ ପୁଣି କାହା କପାଳକୁ କ୍ଷୀର ଟୋପାଏ ବି ନ ଥାଏ । ପାର ମନ ଭିତରେ କେମିତି ଏକ ଅନ୍ତର୍ଦାହ. . . ତାକୁ ବିଭ୍ରାନ୍ତ କରୁଛି ! ମନେପଡୁଛି ତା’ର ସେ ନିରସିଆ ବାହାଘର କଥା. . . ! ଯେଉଁ ବାହାଘରରେ ଖାଲି ଦେବତା ମନ୍ଦିର ସାକ୍ଷୀ, ଆଉ ତା’ ମାଆ ସାକ୍ଷୀ, ତା’ପରେ ମାଳବଦଳ । ନନାଙ୍କ ଦ୍ୱାରା ଶହେଗ୍ରାମ ଘିଅରେ ହୋମ, କିଛି ଅରୁଆଚାଉଳ, ଦୂବ ବରକୋଳିପତ୍ର, ହୁଳହୁଳି ଆଉ ବାହାଘର ଶେଷ । ଭୋଜି କହିଲେ ବସ୍ତିରେ ଖେଚୁଡ଼ି ଆଉ ଡାଲମା । ସେଇ ତ ସେମାନଙ୍କର କାହିଁରେ କ’ଣ । ଏତେ ସପନକୁ ରାତି କାହିଁ ସେମାନଙ୍କ ଜୀବନରେ ! ଜେଜେମା’କୁ ଡାକିଲେ ମାଲିକାଣୀ- ପାର, ଦେଖିଲୁ ଏ ଶାଢ଼ୀ. . . ବାପା ଆଣିଛନ୍ତି ବନାରସରୁ ବରାଦ ଦେଇ. . . ! ଆଉ ଏ ମଣିପୁରୀ ହାରଟା ମାମୁଁଘର ଦେଇଛନ୍ତି. . . ଛଅଭରିର ହାର । ଆଉ ଦେଖ୍ ମୋର ଏ ବାହୁଟିକୁ. . . ପୁରାପୁରି ପାଞ୍ଚଭରି ଅଛି । ତା’ ସହିତ ଏ ମୋଟାଚେନ୍ ଆଉ ପାପୁଲି ଭଳି ଲକେଟ୍. . . ଏବେ କହ ମୁଁ କେମିତି ଦିଶୁଛି । ପାର କିଛି କହିପାରିଲାନି ।

କିଛି ସମୟ ପରେ କଟାକ୍ଷ କଲା- ଇଏ କ’ଣ ଗୋଟେ ପ୍ରଶ୍ନ. . . ସାନମା’ ? କହିଲେ ପରା ନଜର ଲାଗିଯିବ ସମସ୍ତଙ୍କର । ୟା’ଠାରୁ ଆଉ ବା କ’ଣ କହିବି ଅଧିକ !

ସତ କହୁଛୁ ପାର. . . ମୁଁ ଏତେ ସୁନ୍ଦର ଦିଶୁଛି ! ଆଉ ମୋ କଣ୍ଠି ହାର ଦେଖିଲୁ . . . ମୋତେ ମାନୁଛି ନା ? ମୋ ପାଦକୁ ଚାହାଁ. . . ଏତେ ମୋଟାର ପାଉଜି । ଗୋଡ଼ ଟିକେ ହଲେଇ ଦେଲେ ବି ଝୁମ୍‌ଝୁମ୍ ସ୍ୱର. . . ମାଲିକାଣୀ ଖୁସିରେ କୁରୁଳି ଉଠିଲେ । ନିଜକୁ ଆଇନାରେ ଦେଖି ମୁରୁକି ମୁରୁକି ହସିଲେ ।

ଭାଗ୍ୟରେ ଥିଲେ ଏଭଳି ସୁଖର ଝଲକ ଅନୁଭବ କରିବାକୁ ମିଳେ ! ଆଉ ତୁମେ ସତରେ ଖୁବ୍ ଭାଗ୍ୟବତୀ !

ଲାଜେଇ ଲାଜେଇ ସେ ଆଇନାକୁ ଚାହିଁ କହିଲେ- ଯାଃ, ତୁ ଏକା କହିଲେ ହବ କି ? ଅନ୍ୟମାନେ ବି ସେଇକଥା କହିଲେ ଯାଇହବ ନା !

ତା’ପରେ

ଲୋକପ୍ରିୟ ଲେଖା

To Top