ଅନୁବାଦ ସାହିତ୍ୟ

ଛୋଟ ସହରର ସମୁଦ୍ର

ସେ ଆମକୁ ଅନେକ ଉପହାର ଆଣିଦେଉଥିଲେ, ପ୍ରାୟ ଅତର ଓ ଖଜୁରି କେବେ କେବେ ସାବୁନ ଓ ପିସ୍ତାବାଦାମ, କିନ୍ତୁ ଯେବେଠାରୁ ଭାପ୍ପା ଅସୁସ୍ଥ ହୋଇ ବହୁତ କ୍ଷୀଣକାୟ ହୋଇପଡ଼ିଲେଣି, ସେ ଉମ୍ମାଙ୍କୁ ଅର୍ଥରାଶି ଦେଉଥିଲେ ଆଶ୍ୱାସନାଭରା ଆଲିଙ୍ଗନ ବି

ପୂର୍ବରୁ

ବଡ଼ ଇଦ୍ ଲାଗି ନିମନ୍ତ୍ରଣ ରହିଲା, ମିଃ ଅନୱିନ । ତୁମ ଲାଗି ମୁଁ କାଢ଼ି ରଖିଥିବା ମୋର କଳ୍ପିତ ଚଉକିରେ ବସନ୍ତୁ । ଏଇ ନିଅନ୍ତୁ କଳ୍ପିତ କଣ୍ଟାଚାମୁଚ । ଏଇଟା ଆପଣଙ୍କ ନାପକିନ୍ । ଆପଣଙ୍କ ପ୍ରତିକାତ୍ମକ ଭୋଜନ ପ୍ରସ୍ତୁତ ଅଛି, ଉପଭୋଗ କରନ୍ତୁ ।

ସାନ ଇଦ୍‌ର ଏକ ମାସ ପରେ ବଡ଼ ଇଦ୍, ଇଦ୍-ଉଲ-ଅଧା ପାଳନ ହେଲା ଏବଂ ଦୁଇଟି ଇଦ୍ ମଝିରେ ଭାପ୍ପା ପ୍ରାୟ ଅନେକବାର ମୃତ୍ୟୁ ଦ୍ୱାରଦେଶରେ ପହଞ୍ଚୁ ପହଞ୍ଚୁ ଫେରି ଆସିଥିଲେ । ଗତ ଦୁଇ ମାସ ଅନ୍ତରାଳରେ ଆମ ବନ୍ଧୁଙ୍କ ସଂଖ୍ୟା କିଛିଟା ବଢ଼ିଥିଲା । ବଡ଼ ଇଦ୍ ପାଇଁ ଛୋଟିଆ ଡାଇନିଂ ଟେବୁଲ ଚାରିପଟେ ସମସ୍ତଙ୍କ ବସିବା ଲାଗି ଚଉକି ପର୍ଯ୍ୟାପ୍ତ ନଥିଲା । ତେଣୁ ଆମେ ଅନ୍ୟ କୋଠରୀରୁ କେତୋଟି ଚଉକି ଆଣିବାକୁ ପଡ଼ିଲା । କୁଞ୍ଜୁମନକୁ ଭାପ୍ପା ନିମନ୍ତ୍ରଣ କରିଥିଲେ ଓ ଟାର୍ଜନକୁ ବି, ଉମ୍ମାଙ୍କ ଅନାଗ୍ରହ ସତ୍ୱେ । ମୁଁ ବିଲାଲକୁ ନିମନ୍ତ୍ରଣ କରିଥିଲି ଯଦିଓ ଏହି ନିମନ୍ତ୍ରଣର କୌଣସି ଆବଶ୍ୟକତା ନଥିଲା; ଗୋଟିଏ ଡଲାରରେ ସେ ମୋ ପାଇଁ କିଣିଦେଇଥିବା କେକ୍ ଓ କୋକ୍‌ର ଭରଣା ପାଇଁ ଗୋଟିଏ ଭୋଜି ଯଥେଷ୍ଟ ଥିଲା ।

ଦୀର୍ଘ ସମୟ ବାଦ୍ ଆମେ ଘରେ ଯଥାଯଥ ଅତିଥିଙ୍କ ଆଗମନ ପ୍ରସନ୍ନପ୍ରଦ ଥିଲା । (ସାଧାରଣତଃ ଏହି କେତେ ଦିନ ହେଲା ଆମ ଘରକୁ କେବଳ କରୁଣ ମୁଖଭାବ ନେଇ ସମ୍ପର୍କୀୟ ଅତିଥି ଆସୁଥିଲେ, ଯେଉଁମାନେ ମୋତେ ଓ ଲିଟିଲକୁ ଅନୁକମ୍ପାଭରା ଆଖିରେ ଦେଖୁଥିଲେ ।) ଭାପ୍ପା ଲିଟିଲକୁ ଗୋଲାପି ଫ୍ରକ୍ ପିନ୍ଧାଇ ତା’ ମଥାରେ ଏକ ଗୋଲାପି କେଶବ୍ୟାଣ୍ଡ ବି ପିନ୍ଧାଇ ଦେଇଥିଲେ । ସେ ଏଇ ବେଶରେ ଦିଶୁଥିଲା ଗୋଟିଏ କଣ୍ଢେଇ ସଦୃଶ । କିନ୍ତୁ ବେଳେବେଳେ ତା ନାକରୁ ସିଙ୍ଗାଣି ବହୁଥିଲା ଓ ସେ ଅଖାଡ଼ୁଆ ଦିଶୁଥିଲା । ଉମ୍ମା ସମସ୍ତଙ୍କୁ ହସି ହସି ସ୍ୱାଗତ କରୁଥିଲେ । କିନ୍ତୁ ଅନ୍ତରରୁ ସେ ଟାର୍ଜନକୁ ବୋଗେନଭିଲ୍ଲିଆର ଆଖପାଖରେ ବି ଦେଖିବାକୁ ଚାହୁଁନଥିଲେ । ଭୋଜନ ଟେବୁଲରେ ତାକୁ ଦେଖିବା ତ ଦୂରର କଥା ସେ ଭାପ୍ପାଙ୍କୁ ଘର ମାଲିକ ସହିତ କଥା ହୋଇ, ଗଛ ଚଢ଼ିବା ପାଇଁ ଅନ୍ୟ କୌଣସି ଲୋକ ବନ୍ଦୋବସ୍ତ ଲାଗି ରାଜି କରାଇବାକୁ ମଧ୍ୟ ପ୍ରଯତ୍ନ କରିଥିଲେ । କିନ୍ତୁ ଭାପ୍ପା ସିଧାସଲଖ ମନା କରିଦେଇଥିଲେ । ତାଙ୍କ ଅନୁସାରେ ଘର ଭିତରେ ଗାଧୁଆଘର ବା ବାହ୍ୟ ଗାଧୁଆଘରେ ଛାତ ନିର୍ମାଣ ହିଁ ଗଛଚଢ଼ାଳିଙ୍କ ବିପକ୍ଷରେ ଯଥାର୍ଥ ପ୍ରତିକାର । କେହି କେବେ ନଡ଼ିଆ ଗଛ ଚଢ଼ାଳିଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରିନଥିଲେ କାରଣ ଏହାଦ୍ୱାରା ଚଢ଼ାଳି ରୋଷ କରି ଅମଙ୍ଗ ହେବେ ଏବଂ ଯଥା ସମୟରେ ନଡ଼ିଆ ତୋଳା ନହେଲେ, ଫଳ ଶୁଖିଯିବ ଓ ପତ୍ର ବି ବାଦାମୀ ପଡ଼ି ଶୁଖିଯିବ । ଏକ ଡ୍ରାଇଭର ବା ଜଗୁଆଳୀ, ଏମିତି କି ଚାକରାଣୀର ବଦଳରେ କେହି ମିଳିଯିବେ କିନ୍ତୁ ଟାର୍ଜନ ଭଳି ଲୋକଙ୍କର ବିକଳ୍ପ ନାହିଁ, କାରଣ ବାଘ ଭଳି ସେମାନେ ନିଜ ପରିସୀମାକୁ ଚିହ୍ନିତ କରିଥାଆନ୍ତି ଯେଉଁଠି କାହାର ଅନୁପ୍ରବେଶ ସମ୍ଭବ ହିଁ ନୁହେଁ ।

ଆମ ସହିତ ଟାର୍ଜନ ଭୋଜନ ଟେବୁଲରେ ଏକତ୍ର ହେଉ ଏହା ମୁଁ ବି ଚାହୁଁ ନଥିଲି । ଯଦିଓ ମୁଁ ଗାଧୁଆ ଘରେ ଥିଲା ବେଳେ ସେ କେବେ ତଳକୁ ଉହୁଁକି ଚାହେଁ ନାହିଁ । ତାକୁ ମଧ୍ୟ ମୁଁ ଅନ୍ୟ ଏକ କାରଣ ଯୋଗୁଁ ଘୃଣା କରୁଥିଲି, ସେ ଏକ ଚଢେ଼ଇ ପରିବାରର ବସା ଭାଙ୍ଗି ଧୂସରିଆ ପକ୍ଷୀଟିକୁ ମର୍ମାହତ କରି ଗଛରୁ ଗଛ ବିକଳରେ ଉଡ଼ି ବୁଲି ନିଜ ଭବିଷ୍ୟତଙ୍କୁ ଖୋଜିବାକୁ ବାଧ୍ୟ କରିଥିଲା ।

ଏକ ଦୀର୍ଘ ମୌସୁମୀ ଅନ୍ତେ – ଏପରି ଋତୁରେ ଟାର୍ଜନ ଗଛ ଚଢ଼ିବାକୁ କୁଣ୍ଠିତ ହୁଏ, ଗୋଡ଼ ଖସି ଯିବାର ଭୟ ଥାଏ ଠିକ୍ ଯେପରି ତା’ର ଭାପ୍ପା ଗଛରୁ ପଡ଼ି ମୃତ୍ୟୁବରଣ କରିଥିଲେ । ତେଣୁ ସମସ୍ତେ ଏହି ସମୟରେ ପବନ ଉପରେ ଆଶ୍ରିତ ଥାଆନ୍ତି, ଫଳ ଖସାଇବା ପାଇଁ । ବର୍ଷା ଋତୁ ଅତିକ୍ରାନ୍ତେ ସେ ଏକ ବଡ଼ ନଡ଼ିଆ ଗଛରେ ଚଢ଼ିଲା, ଗାଧୁଆ ଘର ସମୀପରେ, ତା ଦାଆ ରୂପୀ ଖଣ୍ଡାକୁ ଏକ ବସାରେ ଖେଞ୍ଚିଦେଲା, ସେଥିରେ କେହି ଅଛି କି ନା ତନଖି ବି କଲାନି । ବସାଟି ନଡ଼ିଆ ଗଛର ଡାଳ ଦେଇ ଖସିଆସି ଓଦା ଘାସ ଉପରେ ପଡ଼ିଲା । ସବୁକିଛି ଧୀର ମନ୍ଥର ଗତିରେ ଥିଲା । ମୁଁ ଆଶଙ୍କା କରୁଥିଲି ଯେ ଏବେ ପରଗୁଡ଼ିଏ ବିକ୍ଷିପ୍ତ ଉଡ଼ିବୁଲିବେ ପବନରେ ଓ କିଛି ମିିନିଟରେ ଚିଆଁମାନେ ବାହାରି ଆସିବେ ଠିକ୍ ଓଲଟି ପଡ଼ିଥିବା କାର ମଧ୍ୟରୁ ଯେପରି ଆହତ ବାହାରି ଆସନ୍ତି । କିନ୍ତୁ ସେମିତି କିଛି ହେଲାନାହିଁ । ଗଛରୁ ନଡ଼ିଆ, ନଡ଼ିଆ ଖୋଳ ଓ ହଳଦିଆ ପତ୍ରମାନ ଝଡ଼ିବା ବନ୍ଦ ହେବା ମାତ୍ରକେ ମୁଁ ତଳେ ପଡ଼ିଥିବା ଚଢେ଼ଇ ବସା ଆଡ଼େ ଦୌଡ଼ିଗଲି । ମୁଁ ଆଶଙ୍କା କରୁଥିଲି ସେ ସେଥିରେ ମୃତ ଚିଆଁଗୁଡ଼ିଏ ଦେଖିବି । ବସାଟି ଖାଲି ଥିଲା, ସେଥିରେ କିଛି ଧୂଳିମୁଣ୍ଡା ପଡ଼ିଥିଲା ଓ ଦୁଇଟି ଅଣ୍ଡା ଯାହା ଦୈବାତ୍ ବର୍ତ୍ତିଯାଇଥିଲେ ଏତେ ଉଚ୍ଚରୁ ପଡ଼ିବା ସତ୍ୱେ । ଅଣ୍ଡାଗୁଡ଼ିକ ହାଲ୍କା ହଳଦିଆ ରଙ୍ଗର, ବିନ୍ଦୁବିନ୍ଦୁଆ ଏବଂ ବହୁତ କୁଟକୁଟ ଓ ବହୁ ଆଡ଼ମ୍ବରରେ ଭାପ୍ପୁମ୍ମାଙ୍କ କୁକୁଡ଼ା ଦେଉଥିବା ଅଣ୍ଡାଠୁ ବି ଛୋଟିଆ ଥିଲା । ଅଣ୍ଡା ଭିତରେ ସୁପ୍ତ ଚିଆଁଗୁଡ଼ିକ କଥା ଭାବିଲି । ସେମାନଙ୍କଠି ଖୁବ୍ ଶୀଘ୍ର ପର ଧରିଯିବ ଏବଂ ସେମାନେ ଉଡ଼ିଯିବେ, ନିଜ ଭାଗ୍ୟର ପୃଥିବୀ ଦିଗେ । ମୁଁ ଭାବିଲି ଅଣ୍ଡାଗୁଡ଼ିକୁ ଘରକୁ ନେଇ କୁୁକୁଡ଼ା ବା ପାରାକୁ ଧୋକା ଦେଇ ସେଗୁଡ଼ିକୁ ଉଷୁମେଇବି । ତା’ ଦ୍ୱାରା ଅଣ୍ଡା ଫୁଟି ସେଥିରୁ ଚିଆଁ ବାହାରିବେ । ଭାପ୍ପାଙ୍କୁ ଏପରି ବୁଦ୍ଧି ବହୁତ ପସନ୍ଦ ଆସିବ । ଭାପ୍ପା ବିଚିତ୍ର କୌଶଳସବୁ ବହୁତ ଭଲ ପାଆନ୍ତି ।

ଅଣ୍ଡାଗୁଡ଼ିକ ନରମ ଲାଗୁଥିଲେ, ଖଡ଼ଖଡ଼ିଆ ବି ଯେମିତି ବିଲାଲର ଡଲାଲ ବିଲ ଯାହା ବଦଳେଇ ସେ ୪୧ ଟଙ୍କା ପାଇଲା । ମୁଁ ଅଣ୍ଡାଗୁଡ଼ିକୁ ସତର୍କତାର ସହ ବସାରୁ ଉଠାଇ ଆଣି ଛାତବିହୀନ ଗାଧୁଆ ଘରକୁ ନେଇଗଲି । ସେଠାରେ ସେଗୁଡ଼ିକୁ ପାଣି ଡ୍ରମରେ ଲାଇଫବଏ ସାବୁନରେ ନଡ଼ିଆ କତା ସାହାଯ୍ୟ ଘଷି ଧୁଆଧୁଇ କଲି । ଏବେ ଅଣ୍ଡାସବୁ ଗୋପନ ବିଚ୍‌ରୁ ସଂଗୃହିତ ଶାମୁକା ପରି ଚିକ୍ ଚିକ୍ କଲେ । ମୋ ପାପୁଲିରେ ମୁଁ ଅମୂଲ୍ୟ ଜୀବନ ଧରିଛି ବୋଲି ଭାବିବା ମାତ୍ରକେ ମୋ ହାତ ଥରିିଲା । ମୁଁ ମୋ ସାର୍ଟଧାରରେ ସେଗୁଡ଼ିକକୁ ପୋଛି ଶୁଖାଇଲି । ମୁଁ ଭୟ କଲି ଏଭଳି ବେଶି ଯତ୍ନ କରିବା ଦ୍ୱାରା ମୋ ହାତ ହୁଏତ ଅସାବଧାନତା ବଶତଃ ସେଗୁଡ଼ିକ ଭାଙ୍ଗି ଦେଇପାରେ । ଅଜନ୍ମା ଜୀବନ ପତଳା ହଳଦିଆ କେଶର ରୂପରେ ନିର୍ଗତ ହୋଇଯିବ ।

ମୁଁ ଭାବିହେଲି କେଉଁ ଜାତିର ଚଢେ଼ଇ ଜନ୍ମ ହେବା ପାଇଁ ଅପେକ୍ଷା କରିଛନ୍ତି । ବୋଧହୁଏ ଶୂଆ, କାରଣ ଭୋରରେ ଆମ ଘର ସଂଲଗ୍ନ ଜାଗା ଅନେକ ଶୂଆଙ୍କ କଳରାବରେ ଜୀବନ୍ତ ହୋଇଉଠୁଥିଲା । ଦଳ ଦଳ ହୋଇ ସେମାନେ ପିଜୁଳି ଗଛ ଆକ୍ରମଣ କରି ପିଜୁଳିକୁ ଅଧାଖାଇ ବିକୃତରୂପ କରି ଉଡ଼ିଯାଇଥିଲେ ।

ବା ହୋଇପାରେ ପେଚା – ନଡ଼ିଆ ବଗିଚା ଦେଇ ହେଲିପାଡ଼ ଯିବା ରାସ୍ତାରେ ଧାଡ଼ି ଧାଡ଼ି ତେନ୍ତୁଳି ଗଛରେ ପେଚାଦଳ ରହୁଥିବାର ମୁଁ ଦେଖିଛି । ଥରେ ବିଳମ୍ବିତ ସନ୍ଧ୍ୟାରେ ବେଳାତୀରରୁ ଘରକୁ ଫେରିବା ବେଳେ ଗଛ ଡାଳରୁ ଚାରିଟି ଜୁଳୁଜୁଳିଆ ଆଖି ଆମକୁ ତୀକ୍ଷ୍ମ ନଜର କରୁଥିବା ଆମେ ଦେଖିଛୁ ।

ବା ମଇନା – ପର୍ବତତୀଖରେ ସାଧାରଣତଃ ସେମାନେ ଦେଖାଯାଆନ୍ତି । କିନ୍ତୁ ତାଙ୍କ ସରୁଆ ମଳଦ୍ୱାର ଦ୍ୱାରା କ’ଣ ସେମାନେ ପିଙ୍ଗ-ପଙ୍ଗ ଆକାରର ଅଣ୍ଡା ଦେଇପାରିଥିବେ ?

ବା ପାରା – ଅଣ୍ଡାର ରୂପ ଦେଖି ସେଗୁଡ଼ିକୁ ପାରା ଅଣ୍ଡା ହୋଇଥିବେ ବୋଲି କୁହାଯାଇପାରେ । କିନ୍ତୁ କ’ଣ ପାରାମାନେ ଗଛ ଉପରେ କେବେ ଅଣ୍ଡା ଦିଅନ୍ତି ? ସେମାନଙ୍କ ପସନ୍ଦ ହେଉଛି ଛାତ, ଛାୟାବୃତ ସ୍ଥାନ, ଅବ୍ୟବହୃତ ଆସବାବ୍ପତ୍ର ପଛରେ ଥିବା ସରୁଆ ରାସ୍ତା । ବୋଗେନଭିଲ୍ଲିଆ ଅଗଣାରେ ସଦାବେଳେ ଦଳ ଦଳ ପାରା ଭର୍ତ୍ତି ହୋଇଥାନ୍ତିି । ଘର ମାଲିକ ତ ପାରାମାନଙ୍କ ଜୀବନ୍ତ ଜ୍ଞାନକୋଷ । ସେ ଉମ୍ମାଙ୍କୁ ପାରାମାନଙ୍କଠୁ ତ୍ୱରିତ୍ ଏବଂ ସଦା ପାଇଁ ରକ୍ଷା ନିମିତ୍ତକିଛି କୌଶଳ ବତାଇଥିଲେ, ଯଦି ପାରା ତାଙ୍କ ପାଇଁ ଆଲର୍ଜି ହୋଇଥାନ୍ତିି । ଉମ୍ମା କିନ୍ତୁ ପାରାମାନଙ୍କୁ ନେଇ ବିଚଳିତ ହେଲେ ନାହିଁ, ସେମାନେ ସେମିତି ଅଗଣାରେ ଖେଳି ବୁଲିଲେ । କିନ୍ତୁ ରୋଷେଇ ଘରକୁ ପଶିଆସିଲେ, ଖାଦ୍ୟ ଖୁମ୍ପିଲେ ବା ମାଠିଆ ଅସନା କଲେ ସେ ବହୁତ ଚିଡ଼ିଯାଉଥିଲେ, ଅଭିସମ୍ପାତମାନ ବର୍ଷୁଥିଲେ । ଦିନେ ଏକ ପାରା ଉଡ଼ିଆସି ଲୁଗାଧୁଆ ମେସିନ ପଛପଟେ ବସିରହିଲା, ଯେତେ ହୁସ୍ ହୁସ୍ କଲେ ବି ଗଲାନାହିଁ । ଉମ୍ମା ୱାସିଙ୍ଗ ମେସିନରେ ଛାଟମାରି ଶବ୍ଦ କଲେ, ତଥାପି ବି ସେ ଡରିଲା ନାହିଁ କି ଗଲା ନାହିଁ । ଛାଞ୍ଚୁଣି ଧରି ତାକୁ କେଞ୍ଚା କେଞ୍ଚି କଲେ ତଥାପି ସେ ଉଡ଼ିଗଲାନି । କିନ୍ତୁ ଯେତେବେଳେ ସେ ଜାଣିଲେ ସେ ପାରାଟି ଅଣ୍ଡା ଦେଉଛି ସେ ନରମିଗଲେ । ସେ ଦୈନିକ ତାକୁ ଦାନା ଦେଲେ ଓ ପାଣି ଦେଲେ । କିନ୍ତୁ ଏକ ସପ୍ତାହ ପରେ ଯେବେ ସେ ଅଣ୍ଡାକୁ ଛାଡ଼ି ଉଡ଼ିଗଲା ଉମ୍ମା ନିରାଶ ହେଲେ ।

ବା ସେ ଅଣ୍ଡାଗୁଡ଼ିକ କୌଣସି ଅଜଣା ନାମହୀନ ବିଦେଶୀ ପକ୍ଷୀର ହୋଇପାରେ । ସହର ଉପରେ ଦଳ ଦଳ ହୋଇ ଇଂରେଜୀ ଅକ୍ଷରାକୃତିରେ ଉଡ଼ିଯାଉଥିବାବେଳେ କୌଣସି ଏକ ପକ୍ଷୀ ଦଳରୁ ବାହାରି ଆସି ନଡ଼ିଆ ବଗିଚାରେ ଅଣ୍ଡାଗୁଡ଼ିକ ଦେଇଯାଇଥିବ । ଅଣ୍ଡାଗୁଡ଼ିକ ବୋଧେ ବହୁତ ଓଜନିଆ ହୋଇଯାଇଥିବ ବୋହିନେବା ପାଇଁ; ତେଣୁ ।

“ପୁଅ”, ଟାର୍ଜନ ପଛରୁ ଡାକିଲା, ତା’ର କଣ୍ଠସ୍ୱରରେ ଡି୍ରଲ ମାଷ୍ଟରଙ୍କ ପରି ଅନୁଶାସନପ୍ରବଣ କଠୋରତା ଥିଲା । ତା’ ପାଟି ଶୁଣି ମୋ ଗୁପ୍ତାଙ୍ଗ ଅଗ୍ର ଜଳାପୋଡ଼ା ହେଲା ଯେମିତି ମୁଁ ମରିଚ ଧରିଥିବା ହାତରେ ତାକୁ ଛୁଇଁଦେଇଛି । ମୁଁ ଦୌଡ଼ି ପଳାଇବାକୁ ଉଦ୍ୟତ ହେଲି, ହାତରେ ଅଣ୍ଡାକୁ ଧରି, ଯେମିତି ମୁଁ ଚୋରି କରୁଥିବା ଅବସ୍ଥାରେ ଧରାପଡ଼ିଯାଇଛି । ଟାର୍ଜନ ଗଛରୁ ଓହ୍ଲାଇସାରିଥିଲା, ବଗିଚାସାରା ନଡ଼ିଆ ଫଳ ବିଛାଇ ପଡ଼ିଥିଲା । ତା ଲୋମଶ ଛାତିରେ ଓ ପିଚାସାରା ନଡ଼ିଆ ଫୁଲର କେଶର ବିଞ୍ଚି ପଡ଼ିଥିଲା । ଏକ ଓଲଟା ପ୍ରଶ୍ନଚିହ୍ନ ପରି ତା’ ଦାଆ ଅଣ୍ଟାରୁ ଝୁଲୁଥିଲା । “ସେ ଅଣ୍ଡାଗୁଡ଼ିକ ମୋତେ ଦେ”, ସେ କହିଲା ।

ଯେମିତିକି ମୁଁ ସେ ଅଣ୍ଡାଗୁଡ଼ିକରୁ ତ୍ରାହି ପାଇବା ପାଇଁ ଅପେକ୍ଷାରେ ଥିଲି, ଜଲଦ ଜଲଦିି ତାକୁ ସେଗୁଡ଼ିକ ବଢ଼ାଇଦେଲି । ମୋର ଅନେକ ଦିନର ଏକ ସ୍ୱପ୍ନ ଥିଲା, ଏକ ଚଢେ଼ଇରେ ରୂପାନ୍ତରିତ ହେବା ପାଇଁ । କିନ୍ତୁ ପର ମୁହୂର୍ତ୍ତରେ ଯାହା ମୁଁ ଦେଖିଲି , ତାହା ମୋର ଏହି ସ୍ୱପ୍ନକୁ ପରିତ୍ୟାଗ କରିବାକୁ ବାଧ୍ୟ କରିଥିଲା । ଟାର୍ଜନ ଅଣ୍ଡାଗୁଡ଼ିକ ନିଜ ପାପୁଲିରେ ଘୁରାଇ ଚାଲିଲା । ବିଚରା ଭ୍ରୁଣଗୁଡ଼ିକ । ମୁଁ କଳ୍ପନା କରୁଥିଲି ଅଣ୍ଡାର ଖୋଳପା ଭିତରେ ସେମାନେ କିପରି ତଳ ଉପର ହେଉଥିବେ ଠିକ୍ ରୋଲର କୋଷ୍ଟରରେ ଚଢ଼ିବା ପରି । ମୁଁ ତାକୁ ଅଟକାଇବାକୁ ଚାହିଁଲି କିନ୍ତୁ ମୋ ମୁହଁରୁ ବାକ୍ୟ ସ୍ଫୁରିଲା ନାହିଁ । ସଦାଭଳି ଯେବେ ମୁଁ କିଛି କହିବାକୁ ଚାହିଁଲାବେଳେ ସାହସ ଜୁଟାଇ ପାରେ ନାହିଁ ମୋ ଅନ୍ତର ବିଳାପି ଉଠେ, ଭିତରେ ଭିତରେ ଚିତ୍କାର କଲି । ଏପରି ଅନ୍ତଚିତ୍କାର ଏତେ ଅପମାନଜନକ ଅପଶବ୍ଦରେ ଭରା ଥିଲା ତାହାକୁ ଲେଖିବାକୁ ମୁଁ ଆସ୍ଟରିକ୍ ଓ ହାଶ ଚିହ୍ନ ବ୍ୟବହାର କରେ, ପ୍ରକୃତ ଶବ୍ଦ ନୁହେଁ । ତା’ପରେ ସେ ଅଣ୍ଡାଗୁଡ଼ିକ ଘୁରାଇବାରେ ବନ୍ଦ କଲା ଓ ମୁଁ ଚିତ୍କାର କରିବା ବନ୍ଦ କଲି କିନ୍ତୁ ସେ ଏହା ଲକ୍ଷ୍ୟ କରିପାରିଲା ନାହିଁ କାରଣ ସେ ତ ମତେ କିଛି କହିବାର ଶୁଣି ହିଁ ନଥିଲା । ଗୋଟିଏ ଅଣ୍ଡା ଟେକି ଧରିଲା ଯେମିତି କି ସେ ଖୋଳପାର ଘନତ୍ୱକୁ ସୂର୍ଯ୍ୟାଲୋକରେ ପରୀକ୍ଷା କରୁଛି । ତା’ପରେ ସେ ଦାଆକୁ କାଢ଼ି ତା’ ଧାରରେ ଅଣ୍ଡାକୁ ସାମାନ୍ୟ ଆଘାତ ଦେଲା । ଅଣ୍ଡାଟି ଭାଙ୍ଗିଗଲା ଓ ମୋ ହୃଦୟ ବି । ପୁଣି ଅନ୍ତରରେ ମୁଁ ଚିତ୍କାର କରିବାକୁ ଚାହିଁଲି । ଯେମିତି ସେ ଏକାଥରକେ ଅଣ୍ଡାର ଅଂଶକୁ ପାଟିରେ ଢାଲିଲା, ଚଢେ଼ଇଟିଏ ଉଡ଼ିଆସିଲା, ଚି ଚି ରାବ କରି । ସେ ସମୁଦ୍ର ଦିଗରୁ ଉଡ଼ିଆସିଥିଲା ଓ ସେ କ୍ଷୀବ୍ରଗତିରେ ତଳକୁ ଆସିଲା ଯେମିତି ଗୁଳିଘାତ ପାଇ ଖସିଆସୁଛି । ଦେଖିଲି ତା’ର କଣ୍ଟା ଚାମୁଚିଆ ଦୁଇ ଫାଳିଆ ଲାଞ୍ଜ , ଲମ୍ବା ଥଣ୍ଟ, ଏବଂ ଛୋଟ ଛୋଟ ରକ୍ତବର୍ଣ୍ଣ ଆଖି । ସେ ବସା ଚାରିପାଖେ ଡ଼େଇ ବୁଲିଲା ବ୍ୟାକୁଳ ହୋଇ । ତା’ପରେ ଗଛ ଶୀର୍ଷକୁ ଉଡ଼ିଗଲା ଯେଉଁଠାରେ ତା ନୀଡ଼ ଥିଲା । ତା’ପରେ ପୁଣି ଫେରିଆସିଲା, ଭଗ୍ନଗୃହ ଚାରିପାଖେ ବିକଳ ରାବ ରାବି ଘିର୍ ଘିର୍ ବୁଲିଲା ।

“ଏଇ ଚଢେ଼ଇଟି ହିଁ ଅଣ୍ଡା ଦେଇଥିଲା”, ମୁଁ ଟାର୍ଜନକୁ କହିଲି । “କାହିଁକି ତୁମେ ତା’ ଅଣ୍ଡା ଫେରାଇ ଦେଉନାହିଁ?”

ସେ କିଛି କ୍ଷଣ ଭାବିହେଲା, ବ୍ୟାକୁଳ ଚଢେ଼ଇକୁ ଆଖିମିଟିକା ମାରିଲା । ଓଠରେ ସାମାନ୍ୟ ଦୁଃଖ ସ୍ମିତ ଫୁଟାଇଲା । ମୁଁ ଭାବିଲି ଏହା ତା’ ହୃଦୟ ତରଳିବାର ସେଙ୍କତ । “ହଁ ଚାଲ, ତା ଅଣ୍ଡା ତାକୁ ଫେରାଇଦେବା”, ସେ କହିଲା ବାକି ଅଣ୍ଡାଗୁଡ଼ିକ ଆଲୁଅରେ ଟେକି ଧରି । ଚଢେ଼ଇଟି ଯେମତି ଟାର୍ଜନର ଭାଷା ବୁଝିପାରିଲା । ସେ କିଛି ପାଦ ଆମ ନିକଟତର ହେଲା । ଅବଶ୍ୟ ସେ କନ କନ ହୋଇ ଏପଟ ସେପଟ ଚାହୁଁଥିଲା । କିନ୍ତୁ ଟାର୍ଜନ ଅଣ୍ଡାକୁ ଦାଆରେ ମୃଦୁ ଆଘାତ ଦେଲା, ତାକୁ ଭାଙ୍ଗି ଦେଇ ସେଥିରୁ ତରଳ ଅଂଶତକ ପାଟିରେ ଢାଳିଦେଲା । ମୁଁ ଆଉ ଚଢେ଼ଇଟି ପୂରା ଆଶ୍ୱର୍ଯ୍ୟ ହେଇ ଏହି କ୍ରିୟାକୁ କେବଳ ଦେଖି ଚାଲିଲୁ । ତା’ପରେ ସେ ଖୋଳପାସବୁ ବସାରେ ରଖିଦେଇ ଚାଲିଗଲା । ସେଇକ୍ଷଣି ମୋଠି ଘୃଣାବୋଧ ଉଦ୍ରେକ ହେଲା, ଅଣ୍ଡାଭଜା, ଆମଲେଟ ଓ ଟାର୍ଜନ ନାମଧାରୀଙ୍କ ପ୍ରତି, ଏହି ବିତୃଷ୍ଣା ସାରା ଜୀବନ ପାଇଁ ରହିଲା ।

ରଙ୍ଗବେରଙ୍ଗର ଛାଇଛାଇଆ ବଗିଚା ଦେଇ , ପର୍ବତ ତୀଖରୁ ସେ ଚଢେ଼ଇଟି ଯେଉଁ ଚିକôାର କରି ଢେଉଢେଉକା ଢଙ୍ଗରେ ଉଡ଼ିଗଲା, ତାହା ମୋତେ ଏତେ ବିଚଳିତ କରିଦେଲା ଯେ ଏହି ଚିତ୍କାର ଅନେକ ସପ୍ତାହ ପର୍ଯ୍ୟନ୍ତ ମୋ କାନରେ ଗୁଞ୍ଜରିତ ହୋଇଚାଲିଥିଲା । ଚଢେ଼ଇଟି ମୋ ସ୍ୱପ୍ନରେ ବି ଅନେକବାର ଆସିଲା । ପିଜୁଳି ଗଛରେ ବସିବା ପାଇଁ ଓ ଦୋଷଭରା ଚିର୍ଚିରେଇବା ପାଇଁ । କଣ୍ଟା ଚାମଚିଆ ଲାଞ୍ଜଧାରୀ ଚଢେ଼ଇର ଅବସ୍ଥା ଯୋଗୁଁ ମୁଁ ଟାର୍ଜନକୁ ଏପରି ଘୃଣା କରୁଥିଲି ଯେ ତାକୁ ଇଦ୍ ଭୋଜି ପାଇଁ ନିମନ୍ତ୍ରଣ କରାଯିବା ମୋର ପସନ୍ଦ ନଥିଲା । କିନ୍ତୁ ଭାପ୍ପା ତ ଘରର ମୁରବୀ, ମୁଁ ନୁହେଁ ।

ସୂର୍ଯ୍ୟୋଦୟର କିଛି ମୁହୂର୍ତ୍ତ ପରେ ଯେବେ ସାରା ଜାଗାଟି ଖରାଟିଆ ହଳଦିଆ ଆଲୁଅରେ ଉଦ୍ଭାସିତ ହେଉଥିଲା ଓ ଅସଂଖ୍ୟ କଙ୍କି ଉଡ଼ି ବୁଲୁଥିଲେ, ମୁଁ ଉମ୍ମାଙ୍କୁ କୁକୁଡ଼ା ଚିଆଁସବୁ ଓଲଟାଇ ଧରି, ମାଟିଆଳୁ ବୁଦା ପଟକୁ ନେଇଯିବାରେ ସାହାଯ୍ୟ କଲି । ମୁଁ ନିଜକୁ ଏକ ମାଫିଆ ଡନ୍ ପରି ଭାବୁଥିଲି । ଲଣ୍ଡିତ ମସ୍ତକସାରା ଟାଟୁରେ ଭର୍ତ୍ତି ଏବଂ ମୋ ସହିତ ଥିଲା କେଶକୁ ବେକ ପାଖେ ପୋନିଟେଲରେ ବାନ୍ଧିଥିବା, ମୋ ଷଡ଼ଯନ୍ତ୍ରର ପ୍ରମୁଖ ସହଯୋଗୀ ଓ ବିଶ୍ୱାସପାତ୍ର, ମୋ ଉମ୍ମା । ଚିଆଁଗୁଡ଼ିକ ଆମ ଦଳର ପୂର୍ବତନ ସଦସ୍ୟ, ଯେଉଁମାନେ ଆମ ସହିତ ବିଶ୍ୱାସଘାତକତା କରି ପ୍ରତିନ୍ଦ୍ୱନ୍ଦ୍ୱୀ ଦଳରେ ଯୋଗ ଦେଇଛନ୍ତି । ପ୍ରତିନ୍ଦ୍ୱନ୍ଦ୍ୱୀ ଦଳ ମୋତେ ମୃତ ଦେଖିବାକୁ ଚାହେଁ ତାହେଲେ ସେମାନେ ମୋ ବସ୍ତା ଭର୍ତ୍ତି ଅର୍ଥରାଶି ନେବା ସହିତ ଆମ ବ୍ୟକ୍ତିଗତ ବେଳାଭୁମିକୁ ବି ଦଖଲ କରିନେବେ । ତେଣୁ ସେମାନେ ଆମକୁ ହତ୍ୟା କରିବା ପୂର୍ବରୁ ଆମେ ସେମାନଙ୍କୁ ଶେଷ କରିବାକୁ ଚାହୁଁଥିଲୁ । ତେଣୁ ଆମେ ସେମାନଙ୍କୁ ମାଟିଆଳୁ ବୁଦାଭର୍ତ୍ତି ପଡ଼ିଆକୁ ନେଇଥିଲୁ, ନିରୀହ, ଅସନ୍ଦିଗ୍ଧ ଚକ୍ଷୁକୁ ଛାତବିହୀନ ଜୀର୍ଣ୍ଣ ଗାଧୁଆଘର ପରି ଦିଶୁଥିବା ଏକ ପ୍ରାଚୀନ ଦୁର୍ଗ ସମୀପକୁ । ଦୁର୍ଗ ଭିତରେ ଗୁପ୍ତ ସିନ୍ଦୁକମାନଙ୍କରେ ଆମେ ଆମ ସମ୍ପତ୍ତି ଲୁଚାଇ ରଖୁ । ଏବଂ ଗଛଚଢ଼ାଳିର ଛଦ୍ମବେଶରେ କିଛି ଲୋକ ନଡ଼ିଆ ଗଛର ଶୀର୍ଷରେ ବସି ଆମ ଦୁର୍ଗର ରକ୍ଷା କରନ୍ତି । ମୁଁ କେବଳ ଚିଆଁଗୁଡ଼ିକ ବାନ୍ଧିଦେଲି । ସେମାନଙ୍କୁ ହତ୍ୟା କରିବା କାମଟି ଉମ୍ମା କଲେ, ସେମାନଙ୍କ ତଣ୍ଟି କାଟିଲେ, ଦାନ୍ତ ରଗଡ଼ି ଅଭିସମ୍ପାତ ବର୍ଷୁଥିଲେ । ମାଟିଆଳୁ ଗଛ ମୂଳେ ରକ୍ତାକ୍ତ ହୋଇ ସେମାନେ ମୃତ୍ୟୁ ଲଭିବା ବେଳେ ମୁଁ ସିଗାର ଫୁଙ୍କୁଥିଲି, ପବନରେ ଧୂଆଁର କୁଣ୍ଡଳୀ ଆଙ୍କୁଥିଲି । ସେମାନେ ମୋର ପରିବାର ସହିତ ଯାହା କରିଛନ୍ତିନା ସେମାନଙ୍କୁ ସମ୍ମାନଜନକ କବର ବି ମିଳିବନି; ସେମାନେ ମୋ ଶଯ୍ୟାଶାୟୀ ବାପାଙ୍କ ଗୋଡ଼ ବାନ୍ଧି ପାହାଡ଼ ଉପରୁ ତଳକୁ ପେଲି ଦେଇଛନ୍ତି । ମୋ କୁନି ଭଉଣୀର ମଥାକୁ ଗୁଳି କରି ମାରିିଛନ୍ତି । ମୋ ମାଆଙ୍କୁ ଜୀବିତ ଜଳାଇ ଦେଇଛନ୍ତିି ଓ ଜିମ୍ମିକୁ ଓହଲାଇ ମାରିଛନ୍ତି । ଜିମ୍ମି ମୋର କାଳ୍ପନିକ କୁକୁର । ଏହାର ପ୍ରତିଶୋଧ ରୂପେ ଆମେ ତାଙ୍କ ଦେହକୁ ଛୋଟ ଛୋଟ ଖଣ୍ଡରେ କାଟି, ବଡ଼ ତତଲା ତେଲ ଭର୍ତ୍ତି ହଣ୍ଡା ମଧ୍ୟକୁ ପିଙ୍ଗିଦେବୁ । ତା’ପରେ ଆମ ଘରକୁ ଆସିଥିବା ଅତିଥିଙ୍କୁ ସେମାନଙ୍କ ମାଂସ ପରଷିବୁ । ବିଲାଲ ପ୍ରଥମେ ଆସିଲା, ଇମାମ୍‌ଙ୍କ ସାଇକେଲ ଚଢ଼ି, ଅତର ମହକରେ ଜଡ଼େଇ ହେଇ । ଆମ୍ବ ଗଛ ମୂଳେ ସାଇକେଲକୁ ଥୋଇଲା ଓ ହାତଦୁଇଟିକୁ ପଛକୁ କରି ଭିତରକୁ ଆସିଲା, ସତେ ଯେପରି ମୋ ପାଇଁ କିଛି ଉପହାର ଆଣିଛି, ଆମକୁ ଆଶ୍ଚର୍ଯ୍ୟ କରିଦେବା ପାଇଁ । କିନ୍ତୁ ତା ହାତ ଖାଲି ଥିଲା । ସାନ ଇଦ୍ ପାଇଁ ବୋଗେନଭିଲ୍ଲିଆ ଆସିଥିବା ବେଳେ ଆତ୍ମସଂଶୟ, କୁଣ୍ଠିତ ବିଲାଲ ଏବେ ବେଶ୍ ଦୃଢ଼ ମନେ ହେଉଥିଲା । ଉମ୍ମା ବହୁତ ବ୍ୟସ୍ତ ଥିଲେ, ହସିବା ପାଇଁ ବି ସମୟ ନଥିଲା । କିନ୍ତୁ ଚିକେନ୍ କାଟୁଥିବା ଅବସ୍ଥାରେ ସେ ତିରିଶ ସେକେଣ୍ଡ ପାଇଁ ସେଥିରୁ ଅବ୍ୟାହତିି ନେଇ ବିଲାଲକୁ ଦେଖି ହସିଲେ ଆଉ କହିଲେ ତାକୁ ପୁଣି ଦେଖି ସେ ବହୁତ ଖୁସି । ତା’ପରେ ସେ ଚିକେନ କାଟିବାରେ ମନ ଦେଲେ, ଫ୍ରିଜ୍‌ ଉପରେ ରଖାଯାଇଥିବା ମୋବାଇଲ ବାଜି ଉଠିଲା ପରେ ହିଁ ସେ କଟାକଟି ବନ୍ଦ କଲେ । ପ୍ରତି ରିଂ ବେଳେ ମୋବାଇଲଟି ସାମାନ୍ୟ ଦୋହଲି ଦୋହଲି ଯାଇ କିଛି ବାଟ ଭିଡ଼ି ହୋଇଯାଉଥିଲା । ଉମ୍ମାଙ୍କ ହାତରେ ରକ୍ତ ଲାଗିଥିଲା ତେଣୁ ସେ ଫୋନ୍‌ ଉଠାଇ ପାରିଲୋନି । ଫୋନ୍‌ ବାଜି ଚାଲିଥିଲା । ଫୋନ୍‌ଟି ବାଜି ବାଜି ଫ୍ରିଜର ଧାରକୁ ଘୁଞ୍ଚି ଘୁଞ୍ଚି ଆସିଥିଲା, କମ୍ପନରୁ ସୃଷ୍ଟ ଗତି ଯୋଗୁଁ । ଆଉ ଦୁଇଥର ବାଜିଥିଲେ ତଳକୁ ଗଳିପଡ଼ିଥା’ନ୍ତା । ରିଂ ଟୋନରୁ ଯାହା ଅନୁମାନ କରିହେଲା ତାହା ଖାଲା ମିରିୟମ୍‌ଙ୍କ କଲ୍‌ ଥିଲା । ସେ ଉମ୍ମାଙ୍କ ଏକ ମାତ୍ର ଭଉଣୀ, ବହୁତ ଧନୀ ତେଣୁ ଉମ୍ମା ସବୁଠାରୁ ଉତ୍ତମ ରିଂ ଟୋନ୍‌ ରଖିଥିଲେ ତାଙ୍କ ଫୋନ ନମ୍ବର ପାଇଁ । ସେହିି କାରଣରୁ ମଧ୍ୟ ଉମ୍ମା ଚିକେନ୍‌କଟା ବନ୍ଦ କରି ମୋତେ କହିଲେ ତାଙ୍କ କାନ ପାଖେ ଫୋନ୍‌ଟା ରଖିବା ପାଇଁ । ଚିକେନକଟା ପରେ କରାଯାଇପାରିବ ।

ଖାଲା ମିରିୟମ ରିୟାଦରେ ରୁହନ୍ତି । ତାଙ୍କ ପୁଅଙ୍କ ନାମ ମଧ୍ୟ ରିୟାଦ – ମୁଁ ଜାଣିନଥିଲି ଏପରି ନାମକରଣ ସଂଯୋଗମାତ୍ର ବା ଐଚ୍ଛିକ । ସେ ଆମକୁ ଅନେକ ଉପହାର ଆଣିଦେଉଥିଲେ, ପ୍ରାୟ ଅତର ଓ ଖଜୁରି କେବେ କେବେ ସାବୁନ ଓ ପିସ୍ତାବାଦାମ, କିନ୍ତୁ ଯେବେଠାରୁ ଭାପ୍ପା ଅସୁସ୍ଥ ହୋଇ ବହୁତ କ୍ଷୀଣକାୟ ହୋଇପଡ଼ିଲେଣି, ସେ ଉମ୍ମାଙ୍କୁ ଅର୍ଥରାଶି ଦେଉଥିଲେ ଆଶ୍ୱାସନାଭରା ଆଲିଙ୍ଗନ ବି ଓ ପ୍ରତିଦାନରେ ଉମ୍ମା ତାଙ୍କ ଫୋନ୍‌ର ସବୁଠାରୁ ଭଲ ରିଂଟୋନ୍‌ ଖାଲାଙ୍କ ପାଇଁ ରଖିଥିଲେ ।

ଯଦି ଉମ୍ମା ବହୁତ ସମୟ ଯାଏ ଫୋନ୍‌ରେ ବ୍ୟସ୍ତ ଥିବେ, ଜାଣିହେବ ଯେ ଅପରପକ୍ଷ ନିଶ୍ଚୟ ଖାଲା ମିରିୟମ ହିଁ ହୋଇଥିବେ । କେବେ କେବେ ଉମ୍ମା ମୋତେ ରିୟାଦକୁ ହାଲୋ କହିବାକୁ ବାଧ୍ୟ କରନ୍ତି । ରିୟାଦ ବି ତା’ ମା’ଙ୍କ ତାଗିଦାରେ ବାଧ୍ୟ ମୋତେ ହ୍ୟାଲୋ କୁହେ । ମୁଁ ରିୟାଦ୍‌କୁ ତା’ର ମୋ ପ୍ରତି ଘୃଣାଠୁ ଦୁଇଗୁଣା ଅଧିକା ଘୃଣା କରୁଥିଲି । ଆଉ ମୁଁ ଚିତ୍କାର କରିବା ପାଇଁ ଚାହେଁ, ବାଡ଼େଇ ଛାଟି ହେବା ପାଇଁ ବାଧ୍ୟ ହୁଏ ଯେବେ କେହି ମୁଁ ଓ ରିୟାଦ ପାଖାପାଖି ସମାନ ଚେହେରା ବୋଲି ଟିପ୍ପଣୀ କରେ । କେବେ କେବେ ମିରିୟମ ଖାଲାଙ୍କୁ ଉମ୍ମା କୌଣସି ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ସାହାଯ୍ୟ କରନ୍ତି । ଲମ୍ବା ସମୟ ଧରି ଫୋନରେ କଥାବାର୍ତ୍ତା ଉମ୍ମାଙ୍କୁ ଚିନ୍ତିତ କରେ; ଲମ୍ବା ଫୋନ୍‌ ଆଳାପ ଅର୍ଥାତ ବଡ଼ ଫୋନ୍‌ ବିଲ ଯାହା ମିରିୟମ ଖାଲା ପଇଠ କରନ୍ତି । କିନ୍ତୁ ମିରିୟମ ଖାଲା ଉମ୍ମାଙ୍କୁ ଏହା କହି ପ୍ରଶମିତ କରାଇ ଦିଅନ୍ତି ଯେ ସେ ଏକ ବେଆଇନ ମାଗଣା ସପ୍ଟୱାର ବ୍ୟବହାର କରୁଛନ୍ତି, ଯାହା ଫୋନ ବିଲ କମାଇବାରେ ସାହାଯ୍ୟ କରୁଛି । ତେଣୁ ସେମାନେ ଗପି ଚାଲନ୍ତି, ଗପି ଚାଲନ୍ତି ସେପର୍ଯ୍ୟନ୍ତ ଖାଲୁ ରଶିଦ ଦ୍ୱିପହର ଭୋଜନ ପାଇଁ ନଆସନ୍ତି ବା ପିଜା ଡେଲିଭେରୀ ପିଲା ତାଙ୍କ ଦ୍ୱାରବନ୍ଧରେ ଡାକ ନଦିଏ । ରିଆଦକୁ ମୁଁ ଈର୍ଷା କରେ, ସେ ଏତେ ବଢ଼ିଆ ପିଜା ଖାଉଥିବାରୁ । ମୁଁ ମୋ ସଂପୂର୍ଣ୍ଣ ଜୀବନରେ ଥରୁଟିଏ ମାତ୍ର ପିଜା ଖାଇଛି । ଡବଲ ଚିଜ୍‌ ମାର୍ଗାରିଟା, ମିଡ଼ିୟମ, କଳା ପିପର ଟପିଂ । ବିଲାଲ ତ ଜମା ପିଜା ଖାଇନାହିଁ । ପିଜାଖାନା ପାଇଁ ଭାପ୍ପାଙ୍କ ସହର ବ୍ୟବସାୟିକ ଓ ଚାହିଦା ଦୃଷ୍ଟିକୋଣରୁ କ୍ଷୁଦ୍ର ଥିଲା ଯେ ।

ବିଲାଲ ବାରଣ୍ଡାକୁ ଗଲା, ପାରାମାନଙ୍କୁ ଅଗଣାରେ ଦାନା ଖୁମ୍ପୁଥିବାର ଦେଖିଲା । ଉମ୍ମା, ଖାଲା ମିରିୟମଙ୍କ ସହିତ ଗପରେ ମାତିଥିଲେ, ତାଙ୍କ ହାତ ରକ୍ତରେ ଜୁଡ଼ୁସୁଡ଼ୁ ଥିଲା । ସେ କହୁଥିଲେ ସେ ଏକ ବଢ଼ିଆ ଭୋଜି ପ୍ରସ୍ତୁତିରେ ଲାଗିଛନ୍ତି , ତିନିଜଣ ଅତିଥି, ଭାପ୍ପାଙ୍କର ଦୁଇ ଏବଂ ମୋର ଗୋଟିଏ । ଖାଲା ମିରିୟମ ଯଦି ଜାଣିଥାନ୍ତେ ଯେ ଅତିଥିମାନଙ୍କ ମଧ୍ୟରୁ ଜଣେ ମାଛଧରାଳୀ, ଅନ୍ୟ ଜଣେ ଗଛ ଚଢ଼ାଳି, ଏବଂ ଆରେକ ଏକ ଅନାଥ ବୋଲି ସେ ଗୋପନରେ ହସିଥାନ୍ତେ । ହେଇପାରେ ଖାଲା ମିରିୟମ ହସି ନଥାନ୍ତେ, କିନ୍ତୁ ମୁଁ ବାଜି ଦେଇ କହିପାରେ ଯେ ରିୟାଦ ନିଶ୍ଚୟ ହସିଥାନ୍ତା । ଏକ ମାତ୍ର ସନ୍ତାନ ଭଳି ସେ ଥିଲା, ହୃଷ୍ଟପୃଷ୍ଟ ଓ ସ୍ୱାର୍ଥପର । ମୁଁ ବି ଲିଟିଲ ଜନ୍ମ ପୂର୍ବରୁ ଗୋଲଗାଲ ଥିଲି । ଅବଶ୍ୟ ମୁଁ ସ୍ୱାର୍ଥପର ନଥିଲି । ଉମ୍ମା ଖାଲା ମିରିୟମଙ୍କୁ କହୁଥିଲେ ସେ କିଛି ମିଠା ଜାତୀୟ ଖାଦ୍ୟ ବି ପ୍ରସ୍ତୁତ କରୁଛନ୍ତି । ସେ ଏକଲା ଯେତେ ପାରିବେ ଭୋଜିକୁ ସେତେ ମନଲୋଭା କରିବାକୁ ଚେଷ୍ଟା କରିବେ କାରଣ ସେ ଜାଣିଥିଲେ ଯେ ଏହା ଭାପ୍ପାଙ୍କ ଜୀବନର ଶେଷ ଇଦ୍ । ତା’ପରେ ସେ ଅଳ୍ପ କାନ୍ଦି ଫୋନ୍‌ ବନ୍ଦ କଲେ । ତାଙ୍କ କାନରେ ଫୋନ୍‌କୁ ଟେକିଧରି ରଖି ମୋ ହାତ ପ୍ରାୟ ଅବଶ ଲାଗୁଥିଲା । ହଣ୍ଡାରେ ଚିକେନ ଚପ୍‌ଗୁଡ଼ିକ ସାମାନ୍ୟ ଲାଲ ହେବାକୁ ଲାଗିଥିଲା ଯେବେ ଟାର୍ଜନ ଆସି ପହଞ୍ଚିଲା । ବାରଣ୍ଡାରେ ଥାଇ ସେ ଗଳା ଝାଡ଼ିଲା । ଭାପ୍ପା ତାକୁ ଭିତରକୁ ଡାକି ନେଇ ଦିବାନରେ ବସାଇଲେ ଓ ଲିଟିଲକୁ ତା ସହିତ ହାତ ମିଳାଇବାକୁ କହିଲେ ।

“ତୋ ନାମ କ’ଣ ବେବି ?”, ଟାର୍ଜନ ପଚାରିଲା ।

“ସେ ଏବେ କଥା କହିବା ଶିଖିନାହିଁ”, ଭାପ୍ପା କହିଲେ ।

କୁଞ୍ଜୁମନ ଆସି ପହଞ୍ଚିଗଲା, ଯେବେ ଚିକେନ ପ୍ରସ୍ତୁତ ହୋଇ ହଣ୍ଡାରୁ କଢ଼ା ସରିଥିଲା ଓ ଘରସାରା ଏକ ସୁଆଦିଆ ମହକରେ ଭରିଯାଇଥିଲା । ସେ ବି ବାରଣ୍ଡାରେ ଥାଇ ଗଳା ଝାଡ଼ି ଚାଲିଲେ । ଭାପ୍ପା ତାକୁ ଭିତରକୁ ଡାକି ନେଲେ ଦିବାନରେ ବସାଇଲେ ଓ ଲିଟିଲକୁ ତା ସହିତ ହାତ ମିଳାଇବାକୁ କହିଲେ ।

“ତୋ ନାମ କ’ଣ ବେବି?”, କୁଞ୍ଜୁମନ ପଚାରିଲା ।

“ସେ ଏବେ କଥା କହିବା ଶିଖିନାହିଁ”, ଟାର୍ଜନ କହିଲା ।

ଡାଇନିଂ ଟେବୁଲ ଉପରେ ଅନେକ ପ୍ଲେଟ୍‌ ରଖାଯାଇଥିଲା, କ’ଣ ପାଇଁ ରଖାଯାଇଥିଲା କେଜାଣି । ତା’ପରେ ମୁଁ ଜାଣିଲି ଏହାର କାରଣ । ଉମ୍ମା ଯେତିକି ରାନ୍ଧିଥିଲେ ତାହାଠାରୁ ଅଧିକ ଆୟୋଜନ କରାଯାଇଛି ଅର୍ଥାତ୍ ବଡ଼ ଭୋଜି ବୋଲି ଦେଖାଇବା ତାଙ୍କର ଉଦ୍ଧେଶ୍ୟ ଥିଲା । ଯାହା ପାଞ୍ଚ ବା ଛଅ ପ୍ଲେଟରେ ବଢ଼ାଯାଇପାରନ୍ତା ତାହା ସେ ଚଉଦଟି ପ୍ଲେଟରେ ବାଢ଼ିଥିଲେ । ସବୁ ଖାଦ୍ୟ ଟେବୁଲରେ ସଜଡ଼ା ସରିବା ପରେ ପାଣି ଗ୍ଲାସ ବା ଜଗ ରଖିବା ପାଇଁ ବି ଜାଗା ନଥିଲା । ମୁଁ ଜାଣିନଥିଲି ଆମେ ପାଖେ ଏତେ ଖଣ୍ଡ ଚିନାମାଟି ବାସନ ଅଛି ବୋଲି । ଏତେସବୁ ବାସନ ଭିତରେ ମୁଁ ଖାଲା ମିରିୟମ ପଠାଇଥିବା ୧୨ – ପିସ୍ ବାଲା ଡ଼ିନର ସେଟ ଠଉରାଇ ପାରିଲି । ବଡ଼ ସହରର ପାର୍କ ନିକଟରେ ଆମେ ଫ୍ଳାଟ୍‌ କିଣିବା ପରେ ସେ ଆମକୁ ଏହା ଭେଟି ଦେଇଥିଲେ, ତା ସହିତ ଛ’ଟି ସମାନ ଡିଜାଇନର ବେଡ଼ସିଟ୍‌ ମଧ୍ୟ ଦେଇଥିଲେ ।

“ଚାଲ ଖାଇବା”, ଭାପ୍ପା କହିଲେ ।

ଡାଇନିଂ ଟେବୁଲରେ ଚାଲିଥିବା ଆଲୋଚନାରେ ମୁଁ ବା ବିଲାଲ ନା ଭାଗ ନେବାର ଥିଲା ନା ଆମକୁ ଏଥିରୁ କୌଣସି ଲାଭ ମିଳୁଥିଲା । ଆଲୋଚନା ଏହି ସହର ବିିଷୟରେ ଅନ୍ୟ ଏକ କାଳଖଣ୍ଡ ବିଷୟରେ ଥିଲା ଯେବେ ଏହା ଏକ ଗାଁ ସଦୃଶ୍ୟ ଥିଲା ରେଲଧାରଣା ସମୀପସ୍ଥ । ଭାପ୍ପା ଅତୀତକୁ ଖୋଳି, ଅନେକ ନାମ କହିଚାଲିଲେ, ଜଣେ ପରେ ଜଣେ, ଆଉ ତାଙ୍କ ସାଥିମାନେ କେବଳ ମୁଣ୍ଡ ଟୁଙ୍ଗାରିଲେ । ସେମାନେ ଜଣାଇବାକୁ ଚାହୁଁଥିଲେ ତିନି ଦଶକ ପୂର୍ବେ ସହପାଠୀମାନଙ୍କୁ ଖୋଜି ବାହାର କରିବାରେ ସେମାନେ ଅକ୍ଷମ ।

“ହଠାତ୍ କାହିଁକି ତୁମେ ସେମାନଙ୍କୁ ଦେଖିବାକୁ ଇଚ୍ଛା କରୁଛ?”, ଟାର୍ଜନ ପଚାରିଲା ।

ଭାପ୍ପା ଓଠକଣିଆ କ୍ଷୀଣ ହସଟିଏ ହସିଲେ ଯେମିତି ସେ ପ୍ରାୟ କରନ୍ତି ଯେବେ କାହାର ବକ୍ତବ୍ୟ ତାଙ୍କର ପସନ୍ଦ ହୁଏନି । “କାରଣ ମୁଁ ବେଶି ଦିନ ବଞ୍ଚିବି ନାହିଁ ।”, ସେ କହିଲେ ଏକ ଅବସନ୍ନ ସ୍ୱରରେ, ତାଙ୍କ ମୁଁହରେ ଖେଳୁଥିଲା ଓସାରିଆ ହସଟିଏ ।

ସମସ୍ତେ ଆଖି ବନ୍ଦ କରି ଭାପ୍ପାଙ୍କୁ ଚାହିଁ ରହିଲେ ।

“କ’ଣ ହେଲା କି?”, କୁଞ୍ଜୁମନ ପଚାରିଲା, “ତୁମ ଦେହ ଭଲ ନାହିଁ କି?”

“ଦେହ ଭଲ ନାହିଁ କ’ଣ?”, ସେ କହିଲେ ଏକ ତିକ୍ତସ୍ୱରରେ, “ମୁଁ କହିଲି ମୁଁ ମରିବାକୁ ଯାଉଛି ।”

ଟାର୍ଜନ ଏବଂ କୁଞ୍ଜୁମନ ପରସ୍ପର ଚାହାଚାହିଁ ହେଲେ । ବିଲାଲର ନଜର ମୋ ଉପରେ ଥିଲା ବୋଲି ମୁଁ ଅନୁଭବ କରିପାରିଲି ।

“ଏହା ନିଶ୍ଚିତ ରୂପେ ମୋର ଶେଷ ଇଦ୍ ।”, ଭାପ୍ପା କହିଲେ । “ମାତ୍ର କେଇ ସପ୍ତାହର କଥା । ଏବଂ ମୋ ପିଲାମାନେ ….”, ତାଙ୍କ କଣ୍ଠସ୍ୱର ଥରିଉଠିଲା, ସେ ଆଉ କିଛି କହିପାରିଲେନି । ମଥା ତଳକୁ କଲେ । ମୁଁ ଭାବୁଥିଲି ଏବେ ସେ ହସିଦେଇ କକ୍ଷ ଛାଡ଼ି ଚାଲିଯିବେ । କିନ୍ତୁ ସେ ଦୁଇ ହାତର ଆଙ୍ଗୁଠିସବୁ ନିଜ ଚିବୁକ ତଳେ ଛନ୍ଦି ଧରି, ଡାଇନିଂ କକ୍ଷ ଝରକା ଉପରେ ଥୁଆ ହୋଇଥିବା ବହିସବୁକୁ ଦେଖିଚାଲିଲେ । ତା’ପରେ ସେ ଏପରି କିଛି କରିଲେ ଯାହା ମୁଁ ଭାବି ନଥିଲି । ଏବଂ ଏହା ପାଇଁ ମୁଁ ତାଙ୍କୁ କେବେ କ୍ଷମା କରିପାରିବି ନାହିଁ । ସେ କାନ୍ଦିଲେ । ତ୍ୱଚା କୁଞ୍ଜିତ କରି, ବୁଢ଼ା ଆଙ୍ଗୁଠିକୁ ଓଠରେ ଚାପି ସେ ଅବିରତ କାନ୍ଦି ଚାଲିଲେ । ଉମ୍ମା ତାଙ୍କ ପାଖକୁ ଆସିଲେ ଏବଂ ଏକ ସ୍କୁଲ ଶିକ୍ଷକ ପରି ତାଗିଦା ସ୍ୱରରେ ଉଠିବା ପାଇଁ କହିଲେ । ସାଙ୍ଗେ ସାଙ୍ଗେ ସେ ରାଜି ହୋଇ ଉଠିଲେ ଓ ତାଙ୍କ ସାଥୀମାନଙ୍କୁ କହିଲେ, “ମୁଁ ବିଶ୍ରାମ ନେବାକୁ ଚାହେଁ । ତୁମେ ଭୋଜନ ସମାପ୍ତ କର ।”

“ଯାଅ ତୁମେ ବିଶ୍ରାମ ନିଅ ।”, ଟାର୍ଜନ କହିଲା ।

ଉମ୍ମା ତାଙ୍କୁ ଉଠିବାରେ ସାହାଯ୍ୟ କଲେ ଓ ତାଙ୍କୁ ଧରିନେଇ ଶୋଇବା କକ୍ଷକୁ ନେଇଗଲେ । ପରଦା ଟେକିଲା ବେଳେ ମୁଁ ଦେଖିଲି ଲିଟିଲ ଦୋଳନାରେ ଶୋଇଥିଲା । ଦୋଳନାର ମୁଲାୟମ କପଡ଼ା ବିପକ୍ଷରେ ତା ଗୋଳାପି ଫ୍ରକ୍ ସୁନ୍ଦର ଦିଶୁଥିଲା । ଦୋଳି ତଳେ ମେଞ୍ଚାଏ ଆଲୁଆ ଦେଖାଯାଉଥିଲା, ସତେ କି ସେ ସୂର୍ଯ୍ୟାଲୋକ ପସ୍ରାବ କରିଦେଇଛି ଶୋଇଥିବା ଅବସ୍ଥାରେ ।

ସମସ୍ତେ ଆସ୍ତେ ଆସ୍ତେ ଖାଇଲେ, ନୀରବରେ । ଅଳ୍ପ ଅଳ୍ପ କରି ସତର୍କତାର ସହ ଖାଦ୍ୟ ନିଜ ପ୍ଲେଟ୍‌ରୁ ଉଠାଇଲେ । ଉମ୍ମା ପୁଣି ପରଦା ଟେକି ଶୋଇବା କକ୍ଷରୁ ବାହାରି ଆସିଲେ । ଲିଟିଲର ଦୋଳନା ତଳେ ଆଲୁଅ ମେଞ୍ଚାକ ଏବେ ଆଉ ଦିଶୁନଥିଲା । ସେ ଡାଇନିଂ ଟେବୁଲ ପାଖକୁ ଆସିବା ପରେ ସମସ୍ତେ ଖାଇବା ବନ୍ଦ କଲେ । “ଖାଇବା ଶେଷ କର ।”, ଉମ୍ମା ବିଲାଲ ପିଠିକୁ ଧୀରେ ଥାପୁଡ଼େଇ କହିଲେ । ଗୋଟିଏ ମୁହୂର୍ତ୍ତ ପାଇଁ ମୁଁ ଭାବିଲି ସେ ଟାର୍ଜନ ଓ କୁଞ୍ଜୁମନକୁ ବି ଥାପୁଡ଼େଇବେ କାରଣ ସେମାନେ ବି ଖାଇବା ବନ୍ଦ କରି ଚାହିଁରହିଥିଲେ । “ସେ କିଛି ସମୟ ପରେ ଉଠିବେ ।”

ଭାପ୍ପା ସମସ୍ତଙ୍କ ସମ୍ମୁଖରେ କିପରି କାନ୍ଦି ପାରିଲେ, ଏହି କଥା ମୁଁ ହଜମ କରିପାରୁନଥିଲି । ତାଙ୍କର ବନ୍ଧୁମାନଙ୍କ ସମ୍ମୁଖରେ ଏବଂ ବିଶେଷକରି ମୋ ଆଗରେ, ଏହା ମୋତେ ଆଦୌ ଭଲ ଲାଗିଲା ନାହିଁ । ବର୍ଷେ ପୂର୍ବରୁ ଭାପ୍ପାଙ୍କ ଶୀଘ୍ର ମୃତ୍ୟୁ କଥା ମୁଁ ଶୁଣିଥିଲି । ମୁଁ ଡରି ଯାଇଥିଲି, ଦୁଃଖ ଅନୁଭବ ପୂର୍ବରୁ ଡରି ଯାଇଥିଲି । ତାଙ୍କ ସହିତ ଏକଲା ରହିବାକୁ ମୋତେ ଡର ଲାଗୁଥିଲା । ମୋତେ ଭୟ ଲାଗୁଥିଲା ସେ ହଠାତ୍ ମରିଯିବେ ଓ ତତ୍‌କ୍ଷଣତ ଭୂତ ପାଲଟିଯିବେ । ମୁଁ ଜାଣିପାରିବିନି , ଯେପର୍ଯ୍ୟନ୍ତ ସେ କାନ୍ଥ ଦେଇ ହଠାତ୍ ଆବିର୍ଭୂତ ହେବେ ବା ସେହିଭଳି କିଛି ଅଲୌକିକ ନ କରିବେ । ନିଜ ଅବଶମ୍ଭାବୀ ମୃତ୍ୟୁକୁ ଯେଉଁ ଉଦାସୀନତା ବା ସକରାତ୍ମକ ମନୋବୃତ୍ତିର ସହିତ ଭାପ୍ପା ସାମ୍ନା କରୁଛନ୍ତି ମୁଁ ମନେ ମନେ ଏହାର ପ୍ରଶଂସା କରୁଥିଲି । କିନ୍ତୁ ଶେଷରେ ସେ କଲେ କ’ଣ ! ଛୋଟିଆ ପିଲା ଭଳି ସୁଁ ସୁଁ କାନ୍ଦିଲେ । ପରିବାରର ମୁଖିଆ ଯେପରି ହସି ହସି ମୃତ୍ୟୁକୁ ସାମ୍ନା କରି ଏକ ପରିବାର ପରମ୍ପରା ସୃଷ୍ଟି କରେ, ଏହି ମର୍ଯ୍ୟାଦାବନ୍ତ ଧାରାକୁ ସେ ଭାଙ୍ଗି ଦେଲେ ।

“ଖାଅ”, ଉମ୍ମା କହିଲେ ପୂରା ଅନୁନୟ କରି । “ସବୁକିଛି ଜଲଦିରେ ରନ୍ଧାଯାଇଛି । ଚିକେନ ତରକାରୀ ସୁସ୍ୱାଦୁ ହୋଇଥିବ ବୋଲି ଆଶା କରେ ।”

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top