ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ଜାଣୁ ଜେଜେମା’, ସାନବାବୁ ଆଜି ମୋତେ ଚାହିଁଲେ, ଆଉ ଟିକେ ହସିଲେ ବି । ଏତିକି କହୁ କହୁ ତା’ ଆଖିରେ ହଜାରରେ ସ୍ୱପ୍ନ ବୁଣି ହୋଇଯାଇଥିବ ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ପାର ଦମ୍ଭ ଦେଲା ଭଳି କହେ- କାଲିକୁ ପରା କଡ଼ା ହୋଇ ଶୁଖିଯିବ । ଆଜି ମଞ୍ଜିଟା ଟିକେ କଞ୍ଚା ରହିବ । ମାଲିକାଣୀ ନିର୍ଦ୍ଦେଶ ଦିଅନ୍ତି-ଶୀଘ୍ର ଶୀଘ୍ର ହାତଚଲା । ଖରାପଡ଼ି ଗଲାଣି । ପାର ଆହୁରି ବେଶୀ ଫୁର୍ତ୍ତି କରେ ହାତ । କାନ୍ଧଟା ଘୋଳା ବିନ୍ଧାରେ କଟମଟ ହୁଏ । ତଥାପି ମାଲିକାଣୀ ତାକୁ ଜଗନ୍ତି । ଆଉ ସେ ବିଶ୍ୱସ୍ତା ଭୃତଟିଏ ପରି ହାତ ଚଲାଏ ।

ସକାଳଟାରୁ ଫୁଲ ଚାଙ୍ଗୁଡ଼ି ଧରି କେତେ କିସମର ଫୁଲ ତୋଳେ ଲୀନା । ତା’ ଚାଙ୍ଗୁଡ଼ି ପୂର୍ଣ୍ଣ ହେବା ପରେ ସେ ଫେରେ ଘରକୁ । କେବେ କେମିତି ଭଅଁରଟିଏ ଉଚ୍ଚସ୍ୱରରେ ଆୱାଜ୍ କରି ଉଡ଼ି ବୁଲେ ଫୁଲମାନଙ୍କ ଉପରେ । ଏତେ ବଡ଼ ଭଅଁରକୁ ଦେଖି ଲୀନା ଭୟରେ ଜଡ଼ସଡ଼ ହୋଇ ଲୁଚିଯାଏ ଗ୍ୟାରେଜ୍ ଘରେ । ଭଅଁରଟା ଗଲାପରେ ସେ ବାହାରକୁ ବାହାରେ । କିଛି ନ ହେଲେ ତାଜାଟି ପାଖରେ ଥିବା ବଡ଼ ନଗି ସାହାଯ୍ୟରେ ଫୁଲ ତୋଳିବାକୁ ଚେଷ୍ଟା କରେ । ବେଳେବେଳେ ପାଦରେ ପାଦ ବାଜି ଝୁଣ୍ଟି ପଡ଼େ ସେ । ତଥାପି ଖୁବ୍ ସନ୍ତର୍ପଣରେ ସେ ଚାହେଁ ଚାରିଆଡ଼କୁ । ପୋକଟାଏ ତା’ ଗୋଡ଼ରେ ଚଢ଼ି ଯାଇନି ତ ? ତା’ ଫୁଲଡ଼ାଲାରେ ପତ୍ରରୁ ଆସି ତା’ ଦେହରେ ନିରାପଦ ଜାଗାଟିଏ ଖୋଜି ବସିନି ତ ? ପୋକମାନଙ୍କୁ ତା’ର ଭାରି ଘୃଣା । ଅନେକ ପ୍ରତିକୂଳତା ସତ୍ତ୍ୱେ ସେ ଫୁଲ ତୋଳେ । ତାରି ଭିତରେ ଛୋଟବଡ଼ ଦୁର୍ଘଟଣାମାନ ଅନୁଷ୍ଠିତ ହୁଅନ୍ତି । ତା’ର ଛୋଟ ଛୋଟ ଚୂଟିମାନ ମୁହଁରେ ପଡ଼ି ତାକୁ ଅସ୍ତବ୍ୟସ୍ତ କରାନ୍ତି । ତା’ ଡ୍ରେସ୍ କେତେବେଳେ କେମିତି ଡାଳରେ ଲାଖି କଣା ହୋଇଯାଏ । କାମ ସରିବାବେଳକୁ ଅଧାମୁକୁଳା ପିଠିଟା ଖରାରେ ତାତିଯାଏ । ଜେଜେମା’ ଆଖିକୁ ଭଲ ଦିଶୁନି ବୋଲି ସେ ତା’ ସାର୍ଟରେ ବୋତାମ ଲଗାଇପାରେନି । ଲୀନା ଏତେ ବଡ଼ ଫାଙ୍କା ଜାଗାରେ ସେଫ୍ଟିପିନ୍ଟିଏ ଲଗାଇଦିଏ ସିନା, ହେଲେ ସାରା ପିଠିଟାକୁ ଲୁଚାଇ ହୁଏନି । ଗହମ ରଙ୍ଗର ହାଡୁଆ ଦେହଟା ଠାଏ ଠାଏ ହୋଇ ବାରି ହୋଇଯାଏ ଶୂନ୍ୟସ୍ଥାନମାନଙ୍କ ଦ୍ୱାରା । ଗୋଲାପ ବଗିଚାର ସତେଜଫୁଲ ଦେଖି ସେ ବିମୋହିତ ହୁଏ । ସେତେବେଳକୁ ଯାଇ ତା’ ଫୁଲତୋଳା ପୂର୍ଣ୍ଣ ହେଲା ବୋଲି ମନେ କରେ । ସେ ଗୋଲାପ ଲୋଭରେ ତ ଜେଜେମା’ଠାରୁ ଚାଙ୍ଗୁଡ଼ି ଛଡ଼େଇ ସେ ଫୁଲ ତୋଳେ । ତା’ ଚାଙ୍ଗୁଡ଼ିରେ ଜାତି ଜାତିକା ଫୁଲ-ଧଳା, ନାଲି, ହଳଦି, ନୀଳ, ଗୋଲାପୀ ଏମିତି କେତେ ରକମର । ସେ ସେମାନଙ୍କୁ ନେଇ ପୂଜା ଘର ବାରଣ୍ଡାରେ ରଖି ଆସେ । ଆଉ ସଦ୍ୟ ପ୍ରସ୍ଫୁଟିତ ଗୋଲାପକୁ ଅତି ଆଦରରେ ରଖି ଦିଏ ଗୋଟେ ମହାର୍ଘବେଳାର ଅପେକ୍ଷା କରି । ନିତ୍ୟକର୍ମ ଓ ଘରର ଅନ୍ୟାନ୍ୟ କାମ ସାରି ସେ ଚାହିଁଥାଏ ସେ ଅମୃତମୟ ମୁହୂର୍ତ୍ତଟିକୁ ।

ସେ ସମୟରେ ଭୋକ କି ଶୋଷର ପ୍ରାବଲ୍ୟ ନ ଥାଏ । ଠିକ୍ ଭୁଲ୍‌ର ନୀତିନୟମ ନ ଥାଏ ମନ ତଳେ । କୌଣସି ଚିନ୍ତା ତାକୁ ସେତେବେଳେ ଆଚ୍ଛନ୍ନ କରିପାରେ ନାହିଁ । ଗୋଲାପ ଫୁଲଡ଼େମ୍ଫରୁ କଣ୍ଟା ଭାଙ୍ଗୁ ଭାଙ୍ଗୁ ବହୁବାର କଣ୍ଟା ଫୁଟି ତା’ କଅଁଳିଆ ହାତରୁ ରକ୍ତ ଝରିପଡ଼େ । ବଗିଚାରୁ ଫୁଲ ତୋଳିବା ବେଳେ କଣ୍ଟାଳିଆ ଡାଳରେ ତା’ ହାତ, ଗୋଡ଼ ଛେଲି ହୋଇଯାଏ । ଦେହର କୋମଳ ଚମ ଆଞ୍ଚୁଡ଼ା ଦାଗରେ ଭରିଯାଏ । କଷ୍ଟରେ ବିଳପି ଉଠିଲେ ବି ସେ ଫୁଲ ତୋଳିବା ଛାଡ଼ିନି । ଜେଜେମା’ ରକ୍ତ ପୋଛି ଓଷଦ ଲଗାଇ ଫୁଲ ତୋଳିବାକୁ ଯେତେ ମନା କଲେ ବି ସେ କ’ଣ କେବେ ଶୁଣିଛି ତା’ କଥା ! ଦେହରେ ଯେତେ କ୍ଷତ ହେଲେ ବି ମନ ଉପରେ ତା’ର ପ୍ରଭାବ ସେ କେବେ ବି ପଡ଼ିବାକୁ ଦେଇନାହିଁ । ସେ ଆଉ ତା’ର ଅସଂଖ୍ୟ ଖିଆଲ, ଅଜସ୍ର ସ୍ୱପ୍ନ. . . ଭିତରେ ନିମଗ୍ନା ସରଳିଆ ଝିଅଟିଏ. . . ଲୀନା । ଅନେକ ବାଧା ଓ ପ୍ରତିବନ୍ଧକ ସତ୍ତ୍ୱେ ସେ ସ୍ୱପ୍ନ ସାଉଁଟେ, ମନେ ମନେ ଆମୋଦିତା ହୁଏ । ଘଣ୍ଟାକୁ ଚାହିଁ ବ୍ୟସ୍ତ ହୋଇପଡ଼େ । ଠିକ୍ ଏତିକି ବେଳେ ମାଲିକାଣୀ ଛୋଟବଡ଼ କାମ ଦିଅନ୍ତି । ମାଲିକ ଖବରକାଗଜ ମାଗନ୍ତି । ଗାଡ଼ି ଡ୍ରାଇଭର୍ ଗଗନଅଜା ପାଣି ମାଗନ୍ତି । କ୍ଷୀରବାଲାଠାରୁ କ୍ଷୀର ନେଇ ସେ ଡେକ୍ଚିରେ ଛାଣି ରଖେ । ଏବେ ଚା’ ପାଇଁ ଜେଜେମା’ ଡାକ ପକାଇବ ଚିନି ଡ଼ବା ଖୋଜି ଦେବାକୁ । ଉପର ମହଲା ଠାକୁର ଘରେ ଥାଇ ମାଲିକାଣୀ ଡାକ ଦେବେ ତଳୁ ଝୁଣାଦାନୀ ଦେବାକୁ । ତେନ୍ତୁଳିରେ ଠାକୁରଙ୍କ ପିତ୍ତର ବାସନ ସବୁ ମାଜି ଦେବାକୁ । ହେଲେ ସେସବୁକୁ ଏକା ନିଶ୍ୱାସକେ ସାରିଦେଇ ସେ ପୁଣି ଫେରିଆସେ ତା’ର ଚିରାଚରିକ ଯାଗାଟିକୁ । ଜେଜେମା’ ଖାଇବାକୁ ଯାଚେ । ଚୁଟିରେ ତେଲ ମାରି ଗାଧୋଇ ଯିବାକୁ ଆଦେଶ କରେ । ତା’ ପୁରୁଣା ମଇଳା ଫ୍ରକ୍‌କୁ ସଫା କରିବାକୁ କହେ । ସଫା କରିବା କଥାରୁ ଲୀନାର ମନେପଡ଼େ ସାନବାବୁଙ୍କ ସେ ଟି-ସାର୍ଟ କଥା. . . ତାଙ୍କ ହାଲ୍କାଗୋଲାପୀ ରଙ୍ଗର ହାଫ୍ସାର୍ଟ . . . ପୁଣି ଆକାଶୀ ନୀଳରଙ୍ଗର ଗାରପକା ଫୁଲହାତ ସାର୍ଟକଥା. . . ସେସବୁ ତ ମଳି ହେବଣି ! ସାନବାବୁ ସେଗୁଡ଼ିକୁ ପିନ୍ଧୁନାହାନ୍ତି ମାନେ ମଇଳା ବାଲ୍ଟିରେ ପକାଇ ଦେଇଥିବେ ସେଗୁଡ଼ିକୁ । ଅଥଚ କେବେ ବି ମୁହଁ ଖୋଲି କାହାରିକୁ କିଛି କହିବେନି । କହିବା ପୂର୍ବରୁ ବି ଲୀନା ତା’ କାମ ସାରି ଦେଇଥିବ । ଆଗରୁ ଧୋବା ଆସି ନେଇ ଯାଉଥିଲା ଲୁଗାପଟା । ଦିନେ ସେ ସଫା ହୋଇଥିବା ପୋଷାକ ମଧ୍ୟରୁ କୌଣସି ଏକ ସ୍ଥାନଟିରେ ଅଲିଭା ଦାଗ ଦେଖି ସାନବାବୁ ଖୁବ୍ ବିରକ୍ତ ହେଲେ ବି କିଛି କହିଲେନି । ତା’ପରେ ଦିନେ ନିଜର ମଇଳା ସାର୍ଟପ୍ୟାଣ୍ଟ୍ ସବୁକୁ ଏକାଠି କରି ସଫା କରିବାକୁ ଯାଉଥିଲେ । ଅଥଚ ଲୀନା ଜୋର୍ କରି ଛଡ଼ାଇ ଆଣିଥିଲା ସେସବୁକୁ ନିଜେ ସଫା କରିଦେବ ବୋଲି । ସେ ଥାଉ ଥାଉ ସାନବାବୁ ସଫା କରିବେ, ଏକଥାଟି ତା’ ମନକୁ ପାଇଲାନି ସେତେବେଳେ । ଅବଶ୍ୟ ଜେଜେମା’ ତାକୁ ସାନବାବୁଙ୍କ ପୋଷାକପତ୍ର ସଫା କରିବା ଶିଖାଇଛି । ହେଲେ ସେ ଜେଜେମା’ଠାରୁ ଭଲ କରି ଶିଖିଯିବା ପରେ ନିଜେ ଲୀନା ତାଙ୍କ ଦାୟିତ୍ୱ ଗୁଡ଼ିକୁ ସ୍ୱୀକାର କରି ନେଇଛି ଆଗ୍ରହରେ । ସାନବାବୁଙ୍କ ଆବଶ୍ୟକ ଜିନିଷ ସେ ନ କହିବା ପୂର୍ବରୁ ସାଇତି ରଖେ ନିଜ ଖୁସିରେ । ସାନବାବୁଙ୍କ ସଫା ପୋଷାକ ଗୁଡ଼ିକୁ ଆଜି ଆଇରନ୍ କରିବାକୁ ବଜାରକୁ ପଠାଇବାକୁ ପଡ଼ିବ ନିଶ୍ଚୟ । କାଳେ କେତେବେଳେ ତାଙ୍କର ସେସବୁ ଦରକାର ପଡ଼ିପାରେ ! ଏତେ ସବୁକଥା ଭିତରେ ଲୀନା ଜେଜେମା’ର କଥାକୁ ଗୁରୁତ୍ୱ ଦେଉନଥିବ । ସେ କିନ୍ତୁ ଚିରାଚରିତ ଭାବେ ତା’ ନାତୁଣୀ ପାଇଁ ବ୍ୟସ୍ତ ହେଉଥିବ । ନିଜର ଯତ୍ନ ନେବାକୁ ଆକଟ କରୁଥିବ ।

ହେଲେ ଲୀନା ତା’ର ସମସ୍ତ ଅନୁରୋଧକୁ ଅଗ୍ରାହ୍ୟ କରି ଚାଲିଆସିବ ସେଇ ନିର୍ଦ୍ଦିଷ୍ଟ କାମଟି ପାଇଁ. . . । ପ୍ରତୀକ୍ଷା ଜନିତ ଜ୍ୱଳନ ଓ ଦହନର ପରିଣତି ଭୋଗିବା ପାଇଁ । ସତରେ ଜଳିବାରେ ବି ଶାନ୍ତି ଅଛି । ଗୋଟେ ପ୍ରାପ୍ତିଜନିତ ଆନନ୍ଦ ବି ଅଛି । ସେଥିପାଇଁ ଲୀନା ବ୍ୟଥିତା ହେବାକୁ ଚାହେଁ । ଆକୁଳତା ଭିତରେ ନିଜକୁ ହଜାଇବାକୁ, ହଜାଇ ଦେଇ ପୁନଶ୍ଚ ଖୋଜିବାକୁ ସେ ଭାରି ଖୁସି ପାଏ । ଲାଗେ – ସେ ଯେପରି ଅନ୍ୟ କାହା ଭିତରେ ଜୀଉଁଛି । ଅନ୍ୟ କାହା ପାଇଁ ହସୁଛି, ବ୍ୟାକୁଳ ହେଉଛି । ପୁଣି ତାରି ଭିତରେ ହିଁ ଖୋଜି ନେଉଛି ନିଜ ପାଇଁ ସବୁତକ ଆନନ୍ଦ । ଆଜିକାଲି ସେ ନିଜ ପାଇଁ ଚିନ୍ତା କରୁନି ? ସେ ଏ ଫୁଲ ପାଇଁ ଚିନ୍ତା କରୁଛି, ସେ ବଢ଼ି ଉଠୁଥିବା ଗଛ ପାଇଁ ଚିନ୍ତା କରୁଛି, କୌଣସି ଏକ ଟି.ଭି. ସିରିୟଲ୍‌ର ନାୟିକା ପାଇଁ ଚିନ୍ତା କରୁଛି, ପ୍ରଜାପତି, ଭଅଁର, ପବନ, ସକାଳ, ରାତି ଓ ଦ୍ୱିପ୍ରହର, ସାନବାବୁ. . . ଏ ସମସ୍ତଙ୍କ ପାଇଁ ଚିନ୍ତା କରି ଘାରି ହେଉଛି । ହେଲେ ତା’ ପାଇଁ ଖାଲି ଜେଜେମା’ଟି. . . ବ୍ୟସ୍ତ ! ଠିକ୍ ସେ ନିର୍ଦ୍ଦିଷ୍ଟ ସମୟ ଏବେ ଉପନୀତ ! ପୂର୍ବଭଳି ଠିକ୍ ସେ ଯାଗାରେ ଘଣ୍ଟାକଣ୍ଟା ଅଛି, ମିନିଟ୍ କଣ୍ଟା ବି ଅଛି । ହୃଦୟର ସ୍ପନ୍ଦନ ବେଗଟା ବଢ଼ିଯାଉଛି !

ସେ ଘର ଭିତରକୁ ଗଲା । ଏଇ ତ ! ସାନବାବୁ ଅଫିସ୍ ବାହାରିଲେଣି । ବ୍ରେକ୍‌ଫାଷ୍ଟ୍ ସାରି ଡ୍ରେସ୍ ପିନ୍ଧୁଛନ୍ତି । ତା’ପରେ ତାଙ୍କ ଫାଇଲପତ୍ର ଓ ବ୍ୟାଗ୍‌ଧରି ଆସି ସୋଫା ଉପରେ ବସି ପଡ଼ିବେ । ଜୋତାଷ୍ଟାଣ୍ଡରୁ ଜୋତା ଓ ମୋଜା ଆଣି ଲୀଳା ସଯତ୍ନରେ ରଖି ଦେଇଥିବ ଯଥା ସ୍ଥାନରେ । ସାନବାବୁ ସେସବୁକୁ ପିନ୍ଧି ପକାଇ ଯୋତା ମସ୍‌ମସ୍‌ କରି ବାହାରିଯିବେ ବାହାରକୁ, ଗାଡ଼ି ପାଖକୁ । ପୁରୁଣା ଡ୍ରାଇଭର୍ ଗଗନଅଜା ଯଥେଷ୍ଟ ପୂର୍ବରୁ ଗାଡ଼ିକୁ ସଫା କରି ଚକାଚକ୍ କରି ଦେଇଥିବେ । ସାନବାବୁ ପହଞ୍ଚିବା କ୍ଷଣି ଗାଡ଼ି ଷ୍ଟାର୍ଟ ହେବ ଆଉ ସେ ଚାଲିଯିବେ ଦୂରକୁ । ତା’ପରେ ଛୋଟ ବିନ୍ଦୁଟିଏ ଭଳି ସେ ଅଦୃଶ୍ୟ ହୋଇ ଯାଉଥିବେ ଗଛପତ୍ରମାନଙ୍କ ଗହଳି ଭିତରେ । ଅଥଚ ଯଥେଷ୍ଟ ପୂର୍ବରୁ ଲୀନା ବଗିଚାର ବେଶ୍ ସଦ୍ୟ ଓ ସତେଜ ଗୋଲାପଟିଏ ଆଣି ରଖି ଦେଇଥିବ ଗାଡ଼ି ଭିତରେ, ସାନବାବୁଙ୍କ ନଜର ପଡ଼ିବା ଜାଗାଟିରେ । ସାନବାବୁ ଗାଡ଼ିରେ ବସିବା କ୍ଷଣି ସେ ଗୋଲାପଟିକୁ ତାଙ୍କ କୋମଳ ହାତରେ ଧରି ପକାଇ ତାକୁ ଆଘ୍ରାଣ କରି ପୁଲକିତ ହେବେ, ସେତିକିବେଳେ ଗଗନଅଜା ଗାଡ଼ି ଷ୍ଟାର୍ଟ କରି ଚାଲିଯିବେ ଅଫିସ୍‌କୁ । ଦୂରରେ ଥାଇ ସତୃଷ୍ଣନୟନରେ ଲୀନା ଚାହିଁଥିବ ସାନବାବୁଙ୍କୁ । ଗାଡ଼ିର ଧୂଆଁରେ ସେ ଗାଧୋଇ ପଡ଼ିଥିବ ସମ୍ପୂର୍ଣ୍ଣ ଭାବେ ଆଉ ସାନବାବୁଙ୍କ ଗାଡ଼ି ଦୂରେଇ ଯାଉଥିବ ତା’ର ଦୃଷ୍ଟିଆଢୁଆଳରୁ । ଲୀନା ଫୁଲତୋଳି ସାରି କଣ୍ଟା ଗୁଡ଼ିକୁ ଆଗରୁ କାଢ଼ି ଦେଇଥିବ । କାଳେ ସାନବାବୁଙ୍କ ହାତରେ ପଶି ତାଙ୍କୁ କଷ୍ଟ ଦେବ । ଆଉ ସେ କଷ୍ଟ ପାଇଲେ ଲୀନାକୁ ସବୁଠାରୁ ବେଶୀ ଆଘାତ ହେବ । ଏମିତି ଅନାବନା କଥା ଭାବୁଭାବୁ ସଂସାରରେ ତା’ର ଏକମାତ୍ର ନିଜର ଜେଜେମା’ ଆସି ପହଞ୍ଚିଯିବ ତା’ ପାଖରେ ଆଉ ପଚାରିବ –

– ଏ ଯାଏଁ ଖାଇନୁ ଟି ? ସାନବାବୁ ତ ଫୁଲ ନେଇ ଚାଲିଗଲେଣି । ଏଥର ତୋ ମୁଖ୍ୟପରୀକ୍ଷା ସରିଗଲା । ଏଥରକ ଯାଆ ଆଉ ଡେରି ନ କରି. . . ଖାଇବୁ ଯାଆ । ଗଣ୍ଡାଏ ଖାଇବାକୁ ତୋତେ କ’ଣ ସବୁବେଳେ କହିବାକୁ ପଡ଼ିବ ? ତୋତେ କ’ଣ ଭୋକ ଶୋଷ ହୁଏ ନାହିଁ ଜମ୍ମା ? ମୁଁ ଥକି ଗଲିଣି ତୋ ପିଛାରେ . . . ! ସମସ୍ତଙ୍କ କଥା ବୁଝୁବୁଝୁ ତୁ ସବୁବେଳେ ନିଜକୁ ଭୁଲିଯାଉ । ନିଜ ପ୍ରତି ଅନ୍ୟାୟ କରୁ । ଅଥଚ ତୋତେ ଯେତେ କହିଲେ ବି ଲାଭ ହୁଏନି କିଛି । ଏମିତିକା ଜିଦିଆପିଲାଟାକୁ ମୋ ବେକରେ ବାନ୍ଧି ଚାଲିଗଲା ସେ । ମୁଁ ଯାହା ବିକଳ ହେଉଛି ତୋ ପାଇଁ ଜୀବନଟା ସାରା ! ଏତିକି କହୁ କହୁ ଜେଜେମା’ର କଣ୍ଠ ଥରି ଉଠେ ବେଦନାରେ । କୋହରେ ଭାରି ହୋଇ ଆସେ ତା’ ସ୍ୱର । ଲୀନା କିନ୍ତୁ ଜେଜେମା’ର ସେ ଭାବନାକୁ ବୁଝିପାରେନାହିଁ । ଓଲଟି ତନ୍ମୟତାର ସହିତ କହିପକାଏ- ମୋ ପାଇଁ ବ୍ୟସ୍ତ ହନି ତୁ । ଜାଣୁ ଜେଜେମା’, ସାନବାବୁ ଆଜି ମୋତେ ଚାହିଁଲେ, ଆଉ ଟିକେ ହସିଲେ ବି । ଏତିକି କହୁ କହୁ ତା’ ଆଖିରେ ହଜାରରେ ସ୍ୱପ୍ନ ବୁଣି ହୋଇଯାଇଥିବ । ତା’ ଆଖପାଖର ମଳୟ ତାକୁ ଛୁଇଁ ବହିଯାଉଥିବ ନୀରବରେ, ଆଉ ସେ ଆନମନା ପାଲଟୁଥିବା କ୍ଷଣିକ ଭିତରେ । ସାନବାବୁଙ୍କ ହସକେରାଟାଏ ବି ଦିନଟାଯାକ ତାକୁ ବିଭୋର କରୁଥାନ୍ତି । ସେ ଗୋଟେ ତଲ୍ଲୀନତା ଭିତରେ ହଜିଯାଉଥାଏ । ସେ ନିଶାର ପ୍ରାବଲ୍ୟ ଏତେ ଅଧିକ ଯେ ତାରି ଭିତରେ ସେ ଡେଣା ଝାଡ଼ି କ୍ଳାନ୍ତହୀନା ପ୍ରଜାପତିଟିଏ ଭଳି ଉଡ଼ି ବୁଲୁଥାଏ ଦିନ ତମାମ । ତାକୁ ସଠିକ୍ ଭାବେ ଖାଇବା ପିଇବାକୁ ତାଗିଦ୍ କରୁଥିବ ଜେଜେମା’ ଅଥଚ ସେ ଥିବ ଭିନ୍ନ ଏକ ଦୁନିଆଁର ପରିସୀମା ବାହାରେ. . . ବେଳେବେଳେ ସେ ଭାବେ ସେ ଖାଇ ଦେଲେ କ’ଣ ଜେଜମା’ର ପେଟ ପୁରିଯାଏ କି ? ସେ କାହିଁକି ଏତେ ନିବିଡ଼ ଭାବରେ ତା’ ଖାଇବା, ପିଇବା, ଶୋଇବା, ହସିବା, କାନ୍ଦିବାକୁ ଜଗି ରହିଥାଏ ? ଯାହା ଆଉ କେହି କରନ୍ତିନି ଏ ଦୁନିଆଁରେ ? ତା’ ପାଇଁ ଭଗବାନ୍ ବୋଧହୁଏ ଜେଜେମା’କୁ ପଠାଇଛନ୍ତି ଏ ସଂସାରକୁ, ତା’ର ଖିଆଲ ନେବାକୁ । ତା’ ଭଳି ତାକୁ ଏତେ ଆଦରରେ କିଏ ଖୁଆଇବ ? କିଏ ତା’ ଖାଦ୍ୟ ସରିବା ଯାଏଁ ପାଖରେ ଜଗି ବସିବ ! ସତରେ ଜେଜେମା’ ପରି କିଏ ହବ ଆଉ ! ସେ ହିଁ ତ ତା’ ବାପା, ମାଆ ସାଙ୍ଗ ସବୁକିଛି । ତାକୁ ଅଜଣା କ’ଣ ଅଛି ଯେ ! ତା’ ହାତ ଧରି ସେ ଚାଲି ଶିଖିଛି । ତା’ କାନ୍ଧରେ ଝୁଲି ସେ ବଡ଼ ହୋଇଛି । ଆକାଶର ତାରା ଗଣିଛି । ପୁଣି ତା’ କୋଳରେ ଢୁଳାଇ ପଡ଼ିଛି । ସେ ହିଁ ତ ତା’ର ଆଶ୍ରୟ ଓ ଏକମାତ୍ର ସାହାରା । ତା’ ବିନା ସେ କ’ଣ ବଞ୍ଚିପାରିବ କେବେ ? ଜେଜେମା’କୁ ଦେଖି ଦେଲେ ମାଆ, ବାପା କିଏ ମନେ ପଡ଼ନ୍ତି ନାହିଁ । ସେ ତ ସମସ୍ତ ଅଭାବକୁ ପୂର୍ଣ୍ଣ କରିଛି ଏ ଜୀବନରେ । ବଞ୍ଚିବାକୁ ଯାହା ବି ଦରକାର ସବୁ ଯୋଗାଇ ଦେଇଛି । ତା’ ମନ ବୁଝିଛି । ହସ ଲୁହରେ ତାକୁ କୋଳେଇ ନେଇଛି । ତାକୁ ବି କେବେ କେମିତି କଷ୍ଟ ହେଉଥିବ । ହେଲେ ସେ ସବୁ ଲୁଚାଇ ପକାଏ ତା’ ଆଗରେ । ତା’ ଲୁହ ଜକଜକ ଆଖି ଦେଖି ଲୀନା ବୁଝିପାରେ-ଜେଜେମା’ର ମନରେ କଷ୍ଟ ହୋଇଛି ନିଶ୍ଚେ । ତା’ ହୃଦୟକୁ କ’ଣ କିଏ ଆଘାତ କରିଛି କି ? ହେଲେ ସେ ତ ବଡ଼ମଣିଷ. . . ତା’ ପୁଣି କି କଷ୍ଟ ଅଛି ? ତାକୁ ଏମିତି କି ଦୁଃଖ ଆବୋରି ପକାଏ ବେଳେବେଳେ ? ସେ ପଚାରି ବସେ ତା’ ଜେଜେମା’କୁ-କହନା ଜେଜେମା’ ତୋର କ’ଣ ହୋଇଛି ? ତୋତେ କ’ଣ ମାଲିକ କି ମାଲିକାଣୀ କିଏ କିଛି କହିଛନ୍ତି ନା ତୁ ଆଉ କାମକୁ ପାରୁନୁ ବୋଲି ତୋତେ କଷ୍ଟ ହେଉଛି ? ତେବେ ତୁ ମୋ ପାଖରେ ବସ । ମୁଁ ତୋ ପାଦ ମୋଡ଼ି ଦେବି । ତୋ ମୁଣ୍ଡ ବି ଚିପି ଦେବି । ଏତିକି କହୁ କହୁ ସେ ଜେଜେମା’କୁ ଜୋର୍ ଜବରଦସ୍ତ ପାଖରେ ବସାଇ ତା’ ମୁଣ୍ଡକୁ ତା’ କୁନିକୁନି ହାତ ପାପୁଲିରେ ଚିପି ଧରେ । ଆଉ ଜେଜେମା’ ତା’ ଚପଳତା ଓ ନିରୀହତାରେ ହସି ପକାଏ । ତା’ର ସେଇ ଚିରାଚରିତ ପିଲାଳିଆମୀକୁ ଦେଖି ଜେଜେମା’ ପାଟିରୁ ବାହାରି ପଡୁଥାଏ ଚିରାଚରିତ ଶବ୍ଦମାନ- “ବାୟାଣୀଟାଏ, ସାନବାବୁଙ୍କ ମୁହଁରେ ହସଟିକିଏ ଦେଖିଲେ କ’ଣ ତୋ ପେଟ ପୁରେ କିରେ ମାଆ ? ସବୁବେଳେ କ’ଣ ଖାଲି ସେଇକଥା, ତା’ ଭିତରେ ତୁ କ’ଣ ନିଜ କଥା କେବେ ବି ଭାବୁ ନାହିଁ ?” ଏ ସବୁକଥା କିନ୍ତୁ ଲୀନାକୁ ପରିବର୍ତ୍ତିତ କରିପାରୁନଥିବ । ତାକୁ ତା’ ନିଶାଠାରୁ ପୃଥକ୍ କରିପାରୁ ନଥିବ । ସେ ଥିବ ଆପଣା ଧୂନ୍‌ରେ ମଗ୍ନ । ତା’ ପୃଥିବୀରେ କାହାର ବି ଅନଧିକାର ପ୍ରବେଶ ନାହିଁ । ଏମିତିକି ଜେଜେମା’ ବି ତା’ ସ୍ୱପ୍ନଠାରୁ ଢେର୍ ଦୂରରେ । ସେ ସ୍ୱପ୍ନମାନଙ୍କ ଆଖପାଖର ପରିଧିରେ ସେ କାହାକୁ ସହ୍ୟ କରେ ନାହିଁ । ଖାଇବାକୁ । ବେପରୁଆ ଭାବରେ “ହୁଁ” ଟିଏ କହି ଲୀନା ବୁଡ଼ିଯାଏ ଜେଜେମା’ର ସେଇ ପରୀରାଇଜର ଗପ ଭିତରେ । ତାକୁ ଲାଗେ ସେ ପୁନଶ୍ଚ ପରୀଟିଏ ପାଲଟି ଯାଉଛି !

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top