କବିତା

ଉତ୍କଳରେ ଜନ୍ମ ଆମ

Madhabananda Panda's odia poem for children Utkalare Janma Aama

ଭୁବନେଶ୍ୱର, ପୁରୀ, କୋଣାର୍କ ଗାଏ ଶିଳ୍ପୀର ଜୟ
ଜଗତନାଥ ଟେକିଛି ହାତ ଯାଚଇ ବରାଭୟ ।
ଖଣ୍ଡଗିରିରେ ଧିଆନ ରତ ଐର ଖାରବେଳ
ଧଉଳିଗିରି ଦେଇଚି ଫିଙ୍ଗି ଅଶୋକ କରବାଳ ।

ଉତ୍କଳରେ ଜନ୍ମ ଆମ

ଉତ୍କଳରେ ଜନ୍ମ ଆମ ବୀର ଓଡ଼ିଆ ଆମେରେ
ଶ୍ରମର ଜୟ ଗାଇବୁ ଆମେ ଦେଖାଇ ଦେବୁ କାମେରେ ।
ଆମ ସାଧବ ଯାଉଥିଲା ଯେ କାଟି ସାଗର ସୁଅ
ଆମ ପାଇକ ଦେଇଚି ଢାଳି ଆପଣା ଲହୁ ଲୁହ ।

ଭୁବନେଶ୍ୱର, ପୁରୀ, କୋଣାର୍କ ଗାଏ ଶିଳ୍ପୀର ଜୟ
ଜଗତନାଥ ଟେକିଛି ହାତ ଯାଚଇ ବରାଭୟ ।
ଖଣ୍ଡଗିରିରେ ଧିଆନ ରତ ଐର ଖାରବେଳ
ଧଉଳିଗିରି ଦେଇଚି ଫିଙ୍ଗି ଅଶୋକ କରବାଳ ।

ଦାୟାଦ ଆମେ ଏଇ ମାଟିର ରଖିବୁ ଉଚ୍ଚ ତାହାର ଶିର
ବୋଳିବୁ ନାହିଁ କଳଙ୍କ କାଳି କେବେ ହେଁ ତା’ର ନାମେରେ ।
ପାରାଦୀପର ସାଗର ଚିରି କେତେ ବିଶାଳ ତରୀ
ରାଉରକେଲା ଫିଙ୍ଗିଦିଏ ଲୁହାର ଫୁଲ ଝରି ।

ବୈତରଣୀ, ବଂଶଧାରା, ମହାନଦୀର ଜଳ
ପଖାଳି ଦିଏ ଯେଉଁ ମାତାର ପୂତ ଚରଣ ତଳ
ଶାରଳା ଦାସ, ଶ୍ରୀ ଜୟଦେବ ଉପେନ୍ଦ୍ର ଭଞ୍ଜ, ଶ୍ରୀ ବଳଦେବ
ଜନମିଥିଲେ କେତେ ମନୀଷି ଏହି ସେ ପୂଣ୍ୟଧାମରେ ।

କାନନ, ଖଣି ସମ୍ପଦ ଭରା, ଜଳପ୍ରପାତ ଝରା
ଆମ ଜନନୀ ହୋଇଚି କିବା ଯୋଗ୍ୟ ସନ୍ତାନ ହରା ।
କପିଳାସ ବା କାକଟପୁର ଅବା କନକପୁର
କେଉଁଝରର ଘଟଗାଁ ପୀଠେ ଆଶୀଷ ଧାର ଝରେ ।

କାହିଁକି ଆମେ ହୋଇବା ନିଃସ୍ୱ
ଦରିଦ୍ର ବୋଲି କହିବ ବିଶ୍ୱ
କରିବା ତାରେ ପ୍ରାଚୁର୍ଯ୍ୟମୟୀ
ହୋଇବା ଦିନେ ଜଗତେ ଜୟୀ ।

ସ୍ୱାର୍ଥ ତେଜି କରିବା ଋଣ କଷଣ ଅନ୍ଧକାର
ହୋଇବ ଦୂର ଉଦ୍ଭାସିବ ପୂର୍ବେ ରବିକର
ଫୁଟାଇବା ତା’ ମୁଖରେ ହସ
ଲଢ଼ିବା ଅବିରାମେରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top