ଅନୁଭୂତି

ସ୍ମୃତି ରୋମନ୍ଥନ

Susant Purohit's cognition Smruti Romanthana

ନିସ୍ତବ୍ଦ ରାତିର ଝାପସା ଆଲୁଅ ପରିବେଶକୁ ରୋମାଞ୍ଚକର କରୁଥାଏ । ମଝିରେ ମଝିରେ ଦୂର ରେଳପଥ ଦେଇ ମାଲ ଗାଡିଟିଏ ମନ୍ଥର ଗତିରେ ଚାଲି ଯାଏ ।

ସ୍ମୃତି ରୋମନ୍ଥନ

ଦୀର୍ଘ ୪୦ ବର୍ଷ ଆଗର କଥା । ସେତେବେଳେ ନଥିଲା ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ସବୁ , ନଥିଲା କୁଲର , ବିଜୁଳି ପଙ୍ଖାର ବ୍ୟବହାର ମଧ୍ୟ ଥିଲା ସୀମିତ । ନ ଥିଲା ଆଜିକାଲି ପରି ରାସ୍ତା ଘାଟରେ ବ୍ରୟଲର କୁକୁଡାର ଦୋକାନ ସବୁ । ତେବେ ଜୀବନ ଟା ସରଳ ଆଉ ନିରାଡମ୍ବର ଥିଲା । ଜୀବନ କୁ ଖୁବ ପାଖରୁ ଅନୁଭବ କରିବାକୁ ଥିଲା ଯଥେଷ୍ଟ ଅବସର । ସେ ସମୟର ସୁଖଦ ଅନୁଭୂତି ଆଜି କାହିଁ କେତେ କାଳ ବିତି ଗଲା ପରେ ବି ମନେ ପଡେ , ଆନନ୍ଦ ଦିଏ ଭାବିଲେ ।

ନିଝୁମ ଖରା ଦିନ ଦୁଇପହର ବେଳରେ କଂସା ଖୁରୀରେ ସଜ ପଖାଳ, ବଡି ଭଜା, ସକାଳୁ ଅଜା ବାଡି ରୁ ତୋଳି ଆଣିଥିବା ତାଜା ଶାଗ ଭଜା ଆଉ ବାଇ ବୁଲେଇ ବିକି ଆଣିଥିବା ମିଠା ଲେତି ଆମ୍ବ ନେଇ ତଳେ ବସି ଖାଇବାର ଯାଉ ଆନନ୍ଦ ତାହା ଆଜିକା ଷ୍ଟାର ହୋଟେଲର କୁକୁଡା ବିରିଆନୀ, ମଟନ ଚପ ଆଉ କୋକା କୋଲା ପାନୀୟ ଠୁଁ କାହିଁ କେତେ ଗୁଣ ଭଲ ଲାଗୁଥିଲା ତାହା କେବଳ ଅନୁଭବୀ ହିଁ ଜାଣିବେ । ଆଜିକାର ଯୁବ ଗୋଷ୍ଠୀ କେବଳ ଶୁଣିବେ ଆଉ ହସିବେ । ପେଟେ ଖାଇ ସାରି ବାରଣ୍ଡାରେ ଦଉଡିଆ ଖଟ ଉପରେ ଚଦରଟେ ପକେଇ ଶୋଇଗଲେ ଆଖି ପତା ବୁଜି ହେଇ ଯାଉଥିଲା ପରମ ଶାନ୍ତିରେ । ତା ସହ କେବେ ଇଚ୍ଛା ହେଲେ ଟ୍ରାନଜିଷ୍ଟର ରେ ଆକାଶବାଣୀ ବା ରେଡିଓ ସିଲୋନ ଲଗେଇ ଦେଲେ ସେଥିରୁ ମଧୁର ସ୍ଵରରେ ଭାସି ଆସୁଥିଲା ରଫି ଆଉ ଲତାଙ୍କ ଗୀତା । ଆହା, କି ଆନନ୍ଦ ଲାଗୁଥିଲା ସେ ସମୟ ଟା । ଏବେ ଆଉ କାହିଁ ?

ଖରା ଦିନ ରାତିର ସ୍ମୃତି ଭି ଏକ ନିଆରା ଅନୁଭୂତି ଥିଲା । ଖାଇସାରି ଛାତ ଉପରେ ଦଉଡିଆ ଖଟ ଉପରେ କନ୍ଥା ଉପରେ ସଫା ଚଦର ପଡୁଥିଲା ଖାଇବା ଆଗରୁ । ରାତିର ଶୀତଳ ପବନ ରେ ତାହା ଥଣ୍ଡା ହଉଥିଲା । ଛାତ ନ ତାତିବ ବୋଲି ପାଣି ବାଲଟିଏ ଛିଞ୍ଚା ଯାଉଥିଲା । ତା ପରେ ଶୋଇବା ପର୍ବ । ଆକାଶରେ ଥାଏ ଭସା ବାଦଲର ସଂଭାର ଆଉ ଚନ୍ଦ୍ରମା ଲୁଚୁଥାଏ , ବାହାରୁ ଥାଏ । ମଝିରେ ମଝିରେ ସୁଲୁସୁଲିଆ ପବନ ପାଖରେ ଥିବା ଓସ୍ତ ଗଛର ପତ୍ର କୁ ହଲେଇ ଦେଇ ମଧୁର ଝଙ୍କାର ସୃଷ୍ଟି କରୁଥାଏ । ଦୂରରୁ ବୁଢାରଜା ପାହାଡର ଘଞ୍ଚ ଅରଣ୍ୟର ଲୁଚା ଛପା ଦ୍ରୁଶ୍ଯଭି ଦିଶୁଥାଏ । ନିସ୍ତବ୍ଦ ରାତିର ଝାପସା ଆଲୁଅ ପରିବେଶକୁ ରୋମାଞ୍ଚକର କରୁଥାଏ । ମଝିରେ ମଝିରେ ଦୂର ରେଳପଥ ଦେଇ ମାଲ ଗାଡିଟିଏ ମନ୍ଥର ଗତିରେ ଚାଲି ଯାଏ । ପ୍ରକୃତିର କୋଳରେ ନିଦ ଆସିଯାଏ କେତେବେଳେ ଜାଣି ହୁଏନି । ଭୋର ହେଇ ଆସିଲା ବେଳେ ପାଖ ନରିଆର କୁଡିଆଘରୁ ଗଞ୍ଜା କୁକୁଡାଟା ଚଢି ଆସେ ବାଡ ଉପରକୁ ଆଉ ଡାକ ଛାଡେ । ନିଦ ଭାଙ୍ଗି ଯାଏ । ପୁଣି ଏକ ଗରମ ଦିନ ର ଅୟମାରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ।

ଆଜି ଆଉ ନାହିଁ ସେ ସୁନ୍ଦର ଦିନ ସବୁ । ବଦଳି ଯାଇଛି ସବୁକିଛି । ଖରା ଦିନ ଏବେ ରୁମ ର ଝରକା କବାଟ ସବୁ ବନ୍ଧ ରହୁଛି । ଶୀତତାପ ଜନ୍ତ୍ର କରୁଛି ନକଲି ହିମର ଅନୁଭୁତି । ପ୍ରଚଣ୍ଡ ଗ୍ରୀଷ୍ମ ଦିନରେ ଭି କମ୍ବଳ ନ ହେଲେ ଚଳୁନି । ନାହିଁ ଆଉ ସେକାଳ ପଖାଳ । ତେବେ ସ୍ମୃତି ରୋମନ୍ଥନ କରିବାରେ ଆନନ୍ଦ ଅନୁଭୂତି ମିଳି ଚାଳୁଛି । ମନ ଝୁରୁଛି ସେ ପୁରୁଣା ଦିନ ସବୁକୁ । ଖରା ଦିନ ରାତିରେ ଶିତତାପ ନିୟନ୍ତ୍ରିତ ବଖୁରି ଭିତରେ ଶୋଇଲେ ଭି ନିଦ ହୁଏନି ସେଇ ପରି , ସେଇ ୪୦ ବର୍ଷ ଆଗ ବିନା ପଙ୍ଖା ରେ ଛାତ ଉପରେ ଯେମିତି ନିଦ ହେଉଥିଲା ।

ଲୋକପ୍ରିୟ ଲେଖା

To Top