କବିତା

ନାରୀ

Dr. Jyotsnarani Kar's odia poem Naree

ତାକୁ ବଞ୍ଚିବାକୁ ହୁଏ ଜୀବନ ଅନ୍ୟର ଖୁସିରେ
ତାକୁ ମଧ୍ୟ ଲୋଡା ଗୋଟେ ପ୍ରଶସ୍ତ ଆକାଶ, ତାରା ଭର୍ତ୍ତି ରାତି,ସ୍ୱପ୍ନମୟ ନିଦ୍ରା
ସେ ବି ଖୋଜେ ସୁମନର ସୁଗନ୍ଧ, ଭଲପାଇବାର ବେହରଣ, କାହାର ଏକାନ୍ତ ନିରୁତା ମନ।

ନିରିମାଖି ଆଖିରେ ତାର ସଞ୍ଚିତ ସ୍ୱପ୍ନ
ନିର୍ବିକାର ମନରେ ସେ ସହିନିଏ ସବୁ ଯାତନାକୁ
ବୁଝେ ସେ ସବୁ କଥା ଯାହା ଅକୁହା,
ପରଖିନିଏ ସଭିଙ୍କ ମନକୁ,
ପରଶି ଦିଏ ବରାଭୟ ମୁଦ୍ରାରେ ।

ସେ ଲାବଣ୍ୟା, ସେ ସୁକନ୍ୟା,
ସେ ମନୋହାରିଣୀ ପ୍ରିୟତମା
ସେ ଅଭୟଦାୟିନୀ, କଳ୍ମଷନାଶିନୀ, ରୁଦ୍ରାଣୀ
ତ୍ୟାଗ ସବୁର ହିସାବ କେହି ରଖେନା ଏଠି
ନିଜକୁ ତିଳତିଳ କରି ଜାଳି ଅମୃତ ସିଞ୍ଚିଲା ତ ଦେବୀ,
ପ୍ରତିବାଦର ସ୍ୱର ତାର ଗହଣା ନୁହେଁ ଯେମିତି !

ତାକୁ ବଞ୍ଚିବାକୁ ହୁଏ ଜୀବନ ଅନ୍ୟର ଖୁସିରେ
ତାକୁ ମଧ୍ୟ ଲୋଡା ଗୋଟେ ପ୍ରଶସ୍ତ ଆକାଶ, ତାରା ଭର୍ତ୍ତି ରାତି,ସ୍ୱପ୍ନମୟ ନିଦ୍ରା
ସେ ବି ଖୋଜେ ସୁମନର ସୁଗନ୍ଧ, ଭଲପାଇବାର ବେହରଣ, କାହାର ଏକାନ୍ତ ନିରୁତା ମନ ।

ସଂସାରର ଖଣ୍ଡାଧାରରେ ନିରନ୍ତର ଅଗ୍ନି ପରୀକ୍ଷା
କେତେ ଦିନ ଆଉ ?

ସେ ବି ପାଉ ତାର ମନୋନୀତ ଜୀବନ
ସେ ଲେଖୁ ତାର ସ୍ୱର୍ଣ୍ଣାଭ ଜୀବନ ଲିପି
ସେ ହେଉ ନିଜ ଜୀବନର ନିୟନ୍ତ୍ରକ
ତେବେ ତାର ଅମୃତ ଦୃଷ୍ଟିରେ ସଂସାର ହେବ ରମଣୀୟ ସ୍ନିଗ୍ଧ ନିର୍ଜର ଚିରକାଳ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top