ତମେ ମୋ ଉପକୂଳରେ ଛିଡ଼ା ହେଇଚ ମାତ୍ର ।
ତମ ଭିତରେ ଶିଶୁ ଶୁଲଭ କେମିତି ଏକ ଅଦମ୍ୟ ଉତ୍ସାହ । ମୋତେ ଛୁଇଁବାକୁ ଅସ୍ଥିର, ଅସମ୍ଭାଳ ତମ ମନ । ମୋ ଭିତରକୁ ପଶିଆସି, ତମକୁ ଲାଗୁଛି ତମେ ମୋତେ ପାଇଯାଇଛ ଯେମିତି ।
ମୋ ଜୁଆରରେ କୁରୁଳି ଉଠି, ଲହରୀସବୁକୁ ଗଣି ଶିଖୁଛ ତମେ । ତମେ ଭାବୁଛ – ଲହରୀ ପରି ମୋ ହୃଦୟ ନାଚୁଛି । ତମେ ଭାବୁଚ ସୂର୍ଯ୍ୟ ଘୁରୁଛି, ମୋ ସୀମାରେ ପୂର୍ବରେ ଉଇଁ, ପଶ୍ଚିମରେ ଅସ୍ତ ହେଇଯାଉଛି । ତମେ ଉପଭୋଗ କରୁଛ ସେ ଦୃଶ୍ୟ, ସେମିତି ଛିଡ଼ା ହେଇଚ ମୋ ଉପକୂଳରେ, ଅସ୍ଥିର, ଚଞ୍ଚଳ ।
ଲହରୀ ସବୁକୁ ତମେ ଭାବୁଛ, ମୋ ହୃଦୟର, ମୋ ଅନ୍ତସ୍ଥଳର ଆନ୍ଦୋଳନ ବୋଲି । ତମକୁ ଲାଗୁଛି, ତମେ ମୋତେ ଚିହ୍ନିଛ ବୋଲି, ମୋତେ ବୁଝିପାରୁଛ ବୋଲି । ମୋ ସଙ୍ଗେ ଭିଜିବାକୁ ଚାହୁଁଛ ତମେ ।
ମୋ ଦୁର୍ବଳତାକୁ କୋଳେଇ ନେବାକୁ ଇଚ୍ଛା କରୁଛ ତମେ । ଭାବୁଛ ମୁଁ ଯେମିତି ଚିରଦିନ ଦୁଃଖୀ, କାନ୍ଦି କାନ୍ଦି ଲୁହରେ ମୁଁ ଲୁଣିଆ ହେଇଯାଇଥିଲା ପରି । ସାନ୍ତ୍ଵନାରେ ପିଠି ଥାପୁଡେଇ ଦେଉଛ ମୋର, ମୋ ଦୁଃଖକୁ ଟିକେ ଊଣା କରିଦେବ ବୋଲି, ସତେ ଯେମିତି ତମର ଇଚ୍ଛା ।
ତମ ଭିତରେ ଭୟଟେ ଛପିଛି । ମୋ ପାଇଁ । କାଳେ ତମକୁ ମୁଁ ଆବୋରି ବସିବି ବୋଲି । ସମ୍ଭ୍ରମରେ ଦୂରେଇ ରହୁଛ ତମେ, ନିଜର ଆଶ୍ଵସ୍ତି ପାଇଁ, ସୁରକ୍ଷା ପାଇଁ, ଯେମିତିକି କାଳେ ମୁଁ ତମକୁ ଆତ୍ମସାତ କରିଦେବି କ୍ଷୁଧାଗ୍ରସ୍ତ ହିଂସ୍ର ଜନ୍ତୁରେ ପରି । ହସି ସହଜ ହେବାକୁ ଚେଷ୍ଟା କରୁଛ ତମେ । ଚେଷ୍ଟା କରୁଛ ସବୁ କଥା ସାବଲୀଳ ହେଇଯିବା ପାଇଁ । ସମୟ କଟିଯିବା ପାଇଁ, ସୁରୁଖୁରୁରେ, ମୋ ପାଖରେ ତମ ସମୟ ।
ଲହରୀ ସବୁ ମୋର ଛଳନା – ମୋ ଗର୍ଜନ, ମୋ ଶବ୍ଦ, ମୋ ଚିତ୍କାର, ମୋ ହସ କାନ୍ଦ, ମୋ ହୃଦୟର ଭାଷା ନୁହେଁ । ଶବ୍ଦର ଯାଦୁରେ ତମେ ଭୂଲିଯାଇଛ ବାସ୍ତବତା, ତମେ ଭୂଲିଯାଇଛ ତମ ଚାରିଆଡ଼ର କୁହେଳି, ମାୟା, ମରୀଚିକା । ସବୁ ଆଡ଼େ ଭ୍ରମ ଓ ସଂଶୟର ଛାଇ ।
ଦୃଶ୍ୟରେ, ପରିପାଟୀରେ ହିଁ ସନ୍ତୁଷ୍ଟ ହେଇ ଯାଉଥିବା ମଣିଷ ତମେ, ଲହରୀର ଦୈର୍ଘ୍ୟ ପ୍ରସ୍ତ ଉଚ୍ଚତାରେ ସମ୍ମୋହିତ ହେଇଯାଇଥିବା ମଣିଷ କଣ ସମୁଦ୍ରର ଗମ୍ଭୀରତାକୁ, ଆତ୍ମାକୁ ବୁଝି ପାରିବ ! ପ୍ରତିଟି ଲହରୀ ପରେ, ନୀରବରେ ଫେରିଯାଉଥିବା, ଭାଙ୍ଗିଯାଉଥିବା ଭଟ୍ଟାକୁ ଅନୁଭବ କରିପାରୁନ ତମେ ? ତମ ଆଖିରେ ପଡ଼ୁନି ତା କଥା ? ଆଉ ଗୋଟେ ଲହରୀ ମୋହରେ, ତମେ ଛିଡାହେଇଛ, ଅପେକ୍ଷା କରୁଛ, ଘଡ଼ି ପରେ ଘଡ଼ି, ସେମିତି ପ୍ରତୀକ୍ଷାରେ ବିତଉଛ ଜୀବନ ତମର ।
ତମେ ଭାବୁଛ ତମ ପାପସବୁ ଛାଡ଼ି ଦେଇଯିବ ବୋଲି ମୋ’ଠି । ଏ ବିଶ୍ଵାସରେ ପୁଷ୍ଟ ହେଇ ତମେ ସହଜ ହେଇ ଯାଉଛ । ଦମ୍ଭ ବଢିଯାଉଛି ତମର । ପାପ ସବୁ ଧୋଇହେଇ ଯିବ ବୋଲି । ହୁଏତ ଜାଣିଶୁଣି, ନ’କହିବା କଥା କହିଦେଉଛ ତମେ, ନ’କରିବା କାମ କରିବସୁଛ । ମନ ଇଚ୍ଛା । ଭାବୁଛ ଜାଣତରେ କରୁଥିବା ପାପ ବି ଧୋଇ ହେଇଯିବ ଏଠି ।
ଏ ସବୁ ମିଛ କଥା, ମୁଁ କିଛି ନିଏନି, କିଛି ରଖେନି ମୋ ଭିତରେ, ସବୁ ଫେରେଇଦିଏ ।
ହୁଏତ ତମ ଦୁଃଖର ଘଡ଼ାସବୁ ନିଗିଡ଼େଇ ଦେଇଯିବ ଏଠି, ପୋଛିଦେଇ ଲୁହ ସବୁ ମୋ’ଠି । ସେ ଖୁବ ସମ୍ଭବ ।
ତମେ ଭାବୁଛ, ତମ ଲୁହରେ ଭିଜି ଭିଜି ମୁଁ ଲବଣାକ୍ତ ହେଇ ଯାଇଛି ? ତମ ଭିତରେ ଗ୍ଲାନି ଯୁଗ ଯୁଗର, ତମେ ଦୁଃଖ ଦେଇଛ ବୋଲି ମୋତେ । ସେସବୁ ମିଛ କଥା । ତମେ ହୁଏତ ଦେବାକୁ ଚେଷ୍ଟା କରିଛ ମୋତେ, ତମର ଆଉ ସହି ହେଉ ନଥିବା କଥାସବୁକୁ, ଫରୁଆରେ, ଗୋପନରେ, ଅନ୍ଧାରରେ ଘୋଡ଼େଇଥିବା, ଆଉ ଲୁଚେଇ ରଖିହେବନି ବୋଲି, ହୁଏତ ତମେ ଢାଳି ଦେଇଛ ତମେ କେଉଁ କାଳେ । କିନ୍ତୁ, ନା’ ମୁଁ କିଛି ନେଇନି, ମୋ ଭିତରେ, ତମେ ତମର ନିଜର ବୋଲି, କିଛି ଖୋଜି ପାଇବନି । ତମେ ବାଢ଼ି ଦେଇଥିବା ସେ ଅତୀତ ତମର, ମୁଁ ବଦଳେଇ ବଦଳେଇ ପରଷି ଦେଇଛି, ସକାଳର ଈଷତ୍ ଲୋହିତ ବର୍ଣ୍ଣାଳୀରେ, ମୋ ପୃଷ୍ଠରେ, ମୋ ଭିତରେ କିଛି ନାହିଁ । ତମେ ଚିନ୍ତା କରନି, ତମ ଦୁଃଖର ଲେଶ ମାତ୍ର ଚିହ୍ନ ନାହିଁ ମୋ ଭିତରେ ।
ମୁଁ କେବେ କୁଳ ଲଙ୍ଘି ନାହିଁ ବୋଲି ତମର ଏ ବିଶ୍ଵାସରେ ହୁଏତ ତମେ ସମର୍ପି ଦେଇଛ ତମ ମନର ଗୂଢ ଅଭ୍ୟନ୍ତର । ମୁଁ ସେସବୁକୁ ଲୁଚେଇ ରଖିନି, ସେସବୁ ମିଳେଇ ଯାଇଛି, ଅଭ୍ୟନ୍ତରରେ, ଆଉ ଖୋଜି, ପାଇ ନହେବା ଜାଗାରେ । ମୁଁ ଭାରୀ ଦେଇଯାଇନି ତମ ଦୁଃଖର ଭାରାରେ । ତମ କଥା ସବୁ ବହିହେଇ ଯାଇନି, ଭାସି ଯାଇନି ଆଉ କାହାକୁ । ତମ ମୋ ସମ୍ପର୍କର ବିଶ୍ଵାସ, ଗରୀମା ଅତୁଟ, ରହିଛି, ରହିବ ।
ତେବେ ମୋର ବି ସୀମା ଅଛି । ତମେ ଦେଖିନ ହୁଏତ ମୋ ପରିଧି, ଚକ୍ରବାଳ ସେପଟେ, ଆକାଶ ଡେଇଁ, ବେଳେବେଳେ ମନର ମଳୟ ପରେ, ମୋ ସୀମା ଅଛି । ମୁଁ କୂଳ ଲଙ୍ଘି ପାରେ । ଲଙ୍ଘିବାର ସାମର୍ଥ୍ୟ ଅଛି ମୋ’ଠି ।
ମୋ କଥାରେ, ହୁଏତ ତମେ ବିଶ୍ଵାସ କରି ନ ପାର । ଏଣିକି ମୋତେ ଚିହ୍ନିଛ ବୋଲି, ତମ ଦମ୍ଭ ଚହଲି ଯାଇପାରେ ହୁଏତ ।
ତେବେ, ତମେ ମୋ ଆଗରେ ମୂହୁର୍ତ୍ତଟେ ମାତ୍ର । ସୁନ୍ଦର, ଅନୁପମ, ଅଦ୍ଵିତୀୟ ।
ତମକୁ ଚାହିଁନି ମୁଁ, ମୋ ପାଇଁ, ମୋ ଭିତରେ । କେବଳ ଦେବାକୁ ଚାହିଁଛି, ଯେତିକି ଖୁସି ଚାହିଁଛ ତମେ । ସେତିକି, ମୋ କୂଳରେ, ମୋ ସୀମାରେ । ତମେ ଛୁଇଁଛ ମୋତେ, ଭିଜିଛ, ଭିଜେଇଛ, ନିଜ ପାଦ, ମୋ ମନ, ମୋ ଅଗଣା । ଗୋଟେଇଛ ରତ୍ନ ମୋ ଭିତରୁ । କୋଳେଇଛ ଅନନ୍ତକୁ, ଅନ୍ତହୀନ ପ୍ରଶାନ୍ତିରେ ହଜିଛ, ମୋ ଆଗେ ।
ମୁଁ ସମୁଦ୍ର, ମୁଁ ପ୍ରଶାନ୍ତ, ମୁଁ ଅବିଚଳ, । ମୋ ବ୍ୟାପ୍ତ ବିଶାଳତା, ଅଚିନ୍ତନୀୟ, ଅକଳ୍ପନୀୟ ତମ ପାଇଁ ।
ତେବେ ତମେ ମୋତେ ଯେତିକି ଦେଖିଛ, ଯେତିକି ଜାଣିଛ, ଯେତିକି ବୁଝିଛ, ମୁଁ ସେତିକି ତମ ପାଇଁ, ତମ ଆଖିରେ, ତମ ହୃଦୟରେ, …
ମୋ ହୃଦୟ କେବେ ଥରିନାହିଁ । ମୋ ପୃଷ୍ଠଭାଗ, ମୋ ପରିପାଟୀ; ମୋ ପରିଚୟ ନୁହେଁ । ତା’ଠୁ ଅନେକ ଦୂରରେ, ସମ୍ପୂର୍ଣ୍ଣ ଅଲଗା, ଅଜଣା ଭାବେ, ମୋ ଆତ୍ମା – ତାକୁ ତମେ ଚିହ୍ନି ନାହଁ !
ମୁଁ ତମ ହୃଦୟର ଅଛି । ତମ ଜୀବନରେ ଅଛି । ପୁଣି ନାହିଁ ବି କେଉଁଠି । ଏମିତିକି ମୋ ଭିତରର, ମହାସାଗରର ଅଗାଧ ଜଳରାଶି ଭିତରେ ବି, ମୋ ସତ୍ତା ତମେ ଖୋଜି ପାଇବନି ।
ମୁଁ ଅଛି । ମୁଁ ନାହିଁ ।
ମୁଁ ମୋ ଭିତରେ ବନ୍ଧା । ମୋ ଆତ୍ମାକୁ କେବେ ମୁଁ ତମକୁ ଦେଇ ନାହିଁ –
