ଜୀବନର ଶ୍ରେଷ୍ଠ
ଭୂତି ଅନୁଭୂତି
ଆଞ୍ଜୁଳାଏ ଅନୁରାଗ ସହ
ସା’ ରେ’ ଗା’ ମା’ ର
ସାତ ସ୍ୱର ଧରି ସାଧନାରେ ଥିଲି,
ଅପେକ୍ଷାରେ ରଙ୍ଗ ଲଗାଇ
ସବୁ ଉଝେଇଲି ।
ଲହଡ଼ିଭଙ୍ଗା ହସ
ଅଧାଖୋଲା ସ୍ୱପ୍ନ ଭର୍ତ୍ତି ଆଖି
ଅସରନ୍ତି ମମତାରେ
ଜୁଡୁବୁଡ ଗୋଟେ ନିରିମାଖୀ ମନ
ବିଶ୍ୱବ୍ୟାପୀ ବିଶ୍ୱାସ
ଆତ୍ମାରୁ ନିଗିଡ଼ି ପଡୁଥିବା
ଆପଣାପଣ
ଅପେକ୍ଷାରେ ଉଜାଡ଼ି ଦେଲି !
କିଏ ଆସିବ (?) କେବେ ?
ମନଲୋଭା ବେଶ ଧରି
ଉନ୍ମୋଚନ କରିଦେବ
ସାଇତା ସମ୍ପଦ
ଅଭ୍ୟନ୍ତର ଅନ୍ଧକାର ହଟିଯିବ
ଦୀପାଳି ଅଖଣ୍ଡ ଜଳିବ !
ଅପେକ୍ଷାର ରୁଗୁଝୁଗୁ ଜ୍ୱଳନରେ
ପ୍ରତି ଲୋମ କୂପ ମୋର
ଶିହରିତ, ରୋମାଞ୍ଚିତ ବେଳେ
ଗୈରିକ ବସନା କିଏ
ସୃଷ୍ଟିର ଆଦ୍ୟ ବିନାଶ
ଦୁର୍ଭାଗ୍ୟର ଭୟଙ୍କର ରୂପ
କାରୁଣ୍ୟରେ,
ନିଜେ ଭାଙ୍ଗିଯାଉଥିବ !
ଯାହା ନଥିଲା ଅପେକ୍ଷାରେ
ନଥିଲା ଭାଗ କି ଭାଗ୍ୟରେ
ଶୁଭୁଥିବା ଶବ୍ଦଠାରୁ
ଭାବୁଥିବା ଶବ୍ଦ କେତେ କହେ
ଯିଏ ବୁଝେ ବେଶୀ ବୁଝେ
ଏକାନ୍ତରେ ନିଜକୁ ବୁଝିଲେ !
ଅପେକ୍ଷାରେ ବିତିଯାଏ
ଜୀବନ ସମଗ୍ର
ବୈଶାଖ ଥାଏ, ଯାଏ
ଆଷାଢ଼ ଆସିବା ଆଶା
ଜୀଇଁବାର ମୋହକୁ ବଢ଼ାଏ !
ପୂରିଲା ପୂରିଲା ଲାଗେ
ଶୂନ୍ୟତାର ଅସରନ୍ତି ରୂପ
ଲୋଡ଼ିବାର ସମାରୋହ ଜାରିଥାଏ
ଜାରିଥାଏ ପାଇବା ବିଶ୍ୱାସ !