ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ଜୀବନଟା କେତେ ନିଜର ନିଜର । ଆଃ. . . ସ୍ୱପ୍ନ ଦେଖିବାକୁ ଆଉ ଟିକେ ବେଶୀ ସମୟ ମିଳନ୍ତାନି ! ନିଜ ଭିତରେ ଅନ୍ତହୀନ ମାନସାଙ୍କ କରିବାକୁ ଗୋଟେ ପ୍ରଶସ୍ତ ଅନୁଭବ ମିଳନ୍ତାନି !

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

ଜୀବନଟା ଧିମେଇ ଯାଇଛି ଯେମିତି ଏ ଘନ ଶୀତଳତାର ଗଭୀର ନୀରବତା ଭିତରେ ! ଝାପ୍ସା ହୋଇ ଆଖି ଆଗରେ ନାଚିଯାଉଛି କିଛି ସ୍ୱପ୍ନ ଓ କିଛି ବାସ୍ତବତା ! ତା’ ଭିତରେ ବଞ୍ଚିବାର ଗୋଟେ ତୀବ୍ର ଝୁଙ୍କ୍ । ସ୍ୱପ୍ନ ଦେଖିବା ଓ ହୃଦୟରେ ଗୋଟେ ସୁନ୍ଦର ଅପରୂପ ରାଜମହଲ ଗଢ଼ି ସେ ସିଂହାସନରେ ବସି ଜୀବନକୁ ଉପଭୋଗ କରିବାର ରୋମାଞ୍ଚ ଭିତରେ କେତେ ଭରପୁର ଆନନ୍ଦ ! ଜୀବନଟା କେତେ ନିଜର ନିଜର । ଆଃ. . . ସ୍ୱପ୍ନ ଦେଖିବାକୁ ଆଉ ଟିକେ ବେଶୀ ସମୟ ମିଳନ୍ତାନି ! ନିଜ ଭିତରେ ଅନ୍ତହୀନ ମାନସାଙ୍କ କରିବାକୁ ଗୋଟେ ପ୍ରଶସ୍ତ ଅନୁଭବ ମିଳନ୍ତାନି ! ଏଇ ତ. . . ରାତିର ସେ ନିରୋଳା ଅନୁଭବ. . . ଏକାକୀପଣ ଭିତରେ ବି କେତେ ଆପଣାର !

ଗୋଟେ ଅନ୍ତହୀନ ରାତିର ବେପଥୁ ଶିହରଣରେ ଶିହରିତ ହୁଏ ପୃଥିବୀ । ଗହନରାତିର ବହଳିଆ ପର୍ଦ୍ଦାତଳୁ ଦିଶୁଥାଏ ଆକାଶର ଅପରୂପ ଶୋଭା । ନାଲିନେଳି ଚୁମକିକୁ ସଜାଇ ସ୍ୱଚ୍ଛାକାଶରେ ମୁରୁଜ ବୁଣୁଥାଏ ସେ ରାତିର ସେ କୁହୁକିନୀ ପରୀଟି । ସାରାରାତି ଅନିଦ୍ରା ରହି ସେ ବୁଲୁଥାଏ ପୃଥିବୀରୁ ଆକାଶ . . . ଆକାଶରୁ ସମୁଦ୍ର. . . । ମୃଦୁ ପବନରେ ପତ୍ରଗହଳିର ଅସ୍ପଷ୍ଟ ଶବ୍ଦମାନ ଗୁଞ୍ଜରିତ ହେଉଥାନ୍ତି ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗ କରି । ଏତେ ସବୁ ହଲଚଲ୍ ଭିତରେ କିନ୍ତୁ ଶାନ୍ତମୁଦ୍ରାରେ ଶୋଇ ଯାଇଥାଏ ସଂସାର । ମୃତକୋଚିଆ ଭଳି ପଡ଼ିଥାଏ ଲୋଚାକୋଚା ଅସହାୟ ରାସ୍ତା । ହୟସାଧିକ୍ୟ କାରଣରୁ ବୁଢ଼ୀଟିଏ ପରି କୋଉଠି କେମିତି ତା’ ଦେହରୁ ନୋସଡ଼ି ପଡ଼ିଥାଏ ଚର୍ମ । ତା’ ଭିତରର ହାଡ଼, ମାଂସ ସବୁ ଉତୁରି ଦିଶୁଥାନ୍ତି ଆଖିକୁ । ତଥାପି ସେ ନିରୁପାୟ । ସତେ ଯେପରି ସେ ବି ଖୋଜେ ଟିକେ ଅନୁରାଗ, ଯତ୍ନ ଆଉ ଆଦର ! କେବେ କେମିତି ଗାଡ଼ିଟିଏ ତା’ର ନୀରବତା ଭାଙ୍ଗି ତା’ ଛାତିକୁ ଚିରୁଥାଏ ବହଳରାତିରେ । ଗଛର ଗହଳିଆ ପତ୍ରମାନଙ୍କ ଭିତରୁ ଛୋଟ ଛୋଟ କାକରବୁନ୍ଦା ଏକଜୁଟ୍ ହେବାରେ ଲାଗିପଡ଼ିଥାନ୍ତି । ବିଭିନ୍ନ ପ୍ରଜାତିର ଚଢ଼େଇମାନେ ସେମାନଙ୍କ ଶିକାର ଅନ୍ୱେଷଣ ଜାରି ରଖିଥାନ୍ତି ରାତି ତମାମ୍ । ବୁଲା କୁକୁରମାନେ ମୁହଁଜାକି ଶୋଇଥାନ୍ତି କଞ୍ଚାନିଦରେ । ଅନ୍ୟକେଉଁ ସ୍ୱଜାତି କିମ୍ୱା ବିଜାତୀୟ ଜୀବମାନଙ୍କ ଅନଧିକାର ପ୍ରବେଶକୁ ପ୍ରତିହତ କରନ୍ତି ସମ୍ମୀଳିତ ଭାବେ । ବହଳ ନିଦ ସହିତ ପରୀରାଇଜର ନୀଳପରୀଟିଏ ଆସେ ତା’ ଅଗଣାକୁ ।

ତା’ ହାତରେ ରଙ୍ଗୀନ୍ କୁହୁକବାଡ଼ିରେ ତାକୁ ବି ସୁନ୍ଦରୀପରୀ ବନାଇଦିଏ । ଆନନ୍ଦର ତରଙ୍ଗରେ ତରଙ୍ଗାୟିତ ହୁଏ ତା’ର ମନ ଓ ଶରୀର । ତାରାମାନଙ୍କ ମେଳରେ ବସି ସେମାନଙ୍କ ଚୁପିଚୁପି କଥା ଶୁଣେ । ବାଦଲମାନଙ୍କୁ ଛୁଏଁ । ଉଲ୍କାମାନଙ୍କ ସହିତ ଖେଳେ । ପୁଲକିତା ପ୍ରାଣ ତା’ର ସୁଖର ବାଲିଗରଡ଼ା ସାଉଁଟେ । ସେ ପୁଣି ଦେଖେ ଜଣେ ସୁନ୍ଦର ରାଜକୁମାରଙ୍କୁ । ସେ ଚେହେରା ତାକୁ ଚିହ୍ନାଚିହ୍ନା ମନେହୁଏ । ସେ ରାଜକୁମାର ଜଣକ କେତେ ସୁନ୍ଦର. . . ! ତାଙ୍କ ମୁଖମଣ୍ଡଳରେ କି ବିଚିତ୍ର ଆଭା ! ସେ ଖୁସିରେ ବିଭୋର ହୋଇପଡ଼େ । ସେତେବେଳେ ତା’ର ଅତି ପରିଚିତ ଓ ଅତି ଆଦରର ଘର ଅଗଣା ଆଉ ତାକୁ ଦିଶେନି । ତା’ ପ୍ରିୟ ଫୁଲ ବଗିଚା, ବଉଳଗଛ, ଘାସର ସବୁଜ ଗାଲିଚା, ପ୍ରଶସ୍ତ ଛାତ ଉପର କିଛି ବି ତ ଦିଶେନି ଅନ୍ଧାରରେ । ଯେଉଁଠି ସେ ଆନନ୍ଦରେ ବିଭୋର୍ ହୁଏ । ସେ ତା’ହେଲେ ସେ କ’ଣ ବହୁତ ଉପରକୁ ଚାଲିଆସିଛି ପରୀରାଣୀ ସହିତ ? ଉଦ୍‌ବିଗ୍ନତାରେ ଭରିଯାଏ ତା’ କୋମଳ ମନ । ନିଜଠାରୁ ନିଜର ବିଚ୍ଛେଦ ତାକୁ ଶୋକାକୁଳ କରେ । ସେ ପରୀରାଣୀଙ୍କୁ ଅନୁରୋଧ କରେ . . . ତା’ ଏସବୁ ସୁଖ ଲୋଡ଼ା ନାହିଁ । ସେ ଚାହେଁ ତା’ର ବାସ୍ତବ ଜୀବନ ! ସେ ସବୁ ବିନା ସେ ବଞ୍ଚିବ କିପରି ? ସେହିଠାରେ ଅଛି ତା’ର ପ୍ରାଣ, ହୃଦୟ ଆଉ ଚେତନା । ସେହି ସ୍ୱର୍ଗକୁ ଛାଡ଼ି କୁଆଡ଼େ ବି ସେ ରହିବାକୁ ଚାହେଁନା । ଏମିତିକି ପରୀରାଜ୍ୟ ବି ତାକୁ ସେ ସୁଖ ଦେଇପାରେନା । ସାମୟିକ ସମୟ ପାଇଁ ସେ ପରୀରାଜ୍ୟରେ ଆତ୍ମବିସ୍ମୃତ ହୋଇପାରେ । ହେଲେ ପୁଣି ମନେପଡ଼େ ତା’ ଘରଅଗଣା, ଫୁଲବଗିଚା, ତାକୁ କେନ୍ଦ୍ର କରି ଉଡ଼ି ବୁଲୁଥିବା ଛୋଟ ଛୋଟ ପ୍ରଜାପତି, ଜାତିଜାତିକା କଙ୍କି, ତା’ର ଅତିପ୍ରିୟ ଜେଜେମା’ ଏବଂ ସାନବାବୁ. . . ସେମାନଙ୍କୁ ଛାଡ଼ି ସେ କୁଆଡ଼େ ବି ରହିବାକୁ ଚାହେଁନା । ଏମିତି କି ସତସତିକା ସ୍ୱର୍ଗରେ ବି ନୁହଁ । ଏମିତି ଅନେକ ସ୍ୱପ୍ନରେ ବିଭୋର ହେଉ ହେଉ ରାତିପାହି ସକାଳ ହୋଇଯାଇଥାଏ । ଭୋର୍‌ର ପବିତ୍ରତା ନେସି ହୋଇଯାଇଥାଏ ସାରା ଦୁନିଆଁରେ । ସେତେବେଳକୁ ଅଳସେଇ ପଡ଼ିଥାଏ ଲୀନା ବିଛଣାରେ । ଜେଜେମା’ ଡାକଦିଏ ଉଠିବାକୁ ।

ହୁଁଟିଏ ମାରି ମୁହଁଜାକି ପଡ଼ି ରହେ ସେ ତକିଆରେ । ଜେଜେମା’ ପୁଣି ଡାକଦିଏ । ଏଥର ଆଖି ମିଟି ମିଟି କରି ଚାହେଁ ଲୀନା । ଶୀଘ୍ର ନ ଉଠିଲେ ଜେଜେମା’ କାଳେ ସବୁ ଫୁଲତୋଳି ଅଜାଡ଼ି ଦେବ ଠାକୁରଘର ଫୁଲଡାଲାରେ । ସମ୍ପୂର୍ଣ୍ଣ ଫୁଲ ଡାଲାଟିରେ ମାଲିକାଣୀଙ୍କ ଅଧିକାର । ତାଙ୍କୁ ନ ପଚାରି ସେ ମନ ଇଚ୍ଛା କେମିତି ଆଣିବ ତା ବାଞ୍ଝିତ ଫୁଲ. . . ! ସକାଳୁ ଆଈ କଥା ମାନି ଉଠି ନଥିବାରୁ ପସ୍ତେଇ ହେବ ମନ ଭିତରେ । ଦିନଟାଯାକ ନଷ୍ଟ ହୋଇଯିବ ତା’ର । ସେହି ଭୟରେ ତା’ ନିଷ୍ପାପ ଆଖି ଯୋଡ଼ିକୁ ଦୁଇହାତରେ ଭଲ କରି ମଳିମଳି ସେ ଚାହିଁବ ଦୁଆରବନ୍ଧ ଆଡ଼କୁ । ଖରା ପଡ଼ିନଥିଲେ ବି ସେ ଉଠିପଡ଼ିବ ଶେଯରୁ । ଜେଜେମା’ ହାତରୁ ଫୁଲଚାଙ୍ଗୁଡ଼ି ନେଇ ସେ ଧାଇଁବ ମୁହଁ ଧୋଇବାକୁ । ଜେଜେମା’ ନୀରବରେ ହସିବ । କାରଣ ସେ ଜାଣେ- ଫୁଲ ତୋଳିବା କଥା ମନେ ପଡ଼ିଲେ ଲୀନା କେତେ ଶୀଘ୍ର ବିଛଣା ଛାଡ଼ି ଉଠିଯାଏ । କୁନି ଚଢ଼େଇଟିଏ ପରି ତୋଳୁଥାଏ ଜାତି ଜାତିକା ଫୁଲ. . . କିଛି ଠାକୁରଙ୍କ ପାଇଁ ଆଉ କିଛି ତା’ ସାନବାବୁଙ୍କ ପାଇଁ । ସେପଟେ ମାଲିକାଣୀ ବଡ଼ପାଟିରେ ଡାକ ପକାନ୍ତି- ଲୀନା. . . ଏ ଲୀନା. . . ଉଠିଲୁଣି ନା ନାହିଁ ? ତୁ କେତେବେଳେ ଫୁଲ ଦବୁ ଆଉ ମୋର ଦିଅଁପୂଜା ହେବେ ? ସକାଳଟାରୁ କାଇଁ ଏତେ ମଠେଇ ହଉଚୁ ? ଯତ୍ନରେ ସବୁତକ ଫୁଲ ତୋଳିବୁ । ଯେମିତି ତଳେ ପଡ଼ିବନି । ଚୁଟିତକ ବାନ୍ଧିବୁ । ନ ହେଲେ ଫୁଲମାରା ହେବ ! ମାଲିକ ଏ ଯାଏଁ ତାଙ୍କ ମର୍ଣ୍ଣିଂୱାକ୍ରୁ ଫେରିନାହାନ୍ତି । ସେ ଛୋଟ କାମିନୀ ଗଛ ଓ କୁସୁମଚାରାମାନଙ୍କରେ ପାଣି ଦେଇ ଦେବୁ । ଆଉ ଘର ଆଡ଼େ ଟିକେ ନିଘା ରଖିବୁ । ତୋ ଜେଜେମା’ ବାରିପଟେ ଅଛି । ଲୀନା ଶୀଘ୍ର ଯାଉ ଯାଉ ଝୁଣ୍ଟି ପଡ଼େ ପଥରରେ । ଭିତରୁ ଯନ୍ତ୍ରଣାଟିଏ ଉକୁଟି ଆସିଲେ ବି ସେଆଡ଼କୁ ନଜର ନ ଦେଇ ସେ ଦୌଡ଼େ ଫୁଲ ବଗିଚାକୁ । ତା’ ଯିବାବାଟକୁ ଚାହିଁ ଜେଜେମା’ ଭିଜିଯାଏ ଦୁଃଖରେ । ତା’ କପାଳର କୁଞ୍ଚିତରେଖା ଆହୁରି ସ୍ପଷ୍ଟ ହୋଇଉଠେ ଲୀନା କଥା ଭାବି ।

ତା’ ବର୍ତ୍ତମାନ ଓ ଭବିଷ୍ୟତର ଅନିଶ୍ଚିତତା ଭିତରେ କୁହୁଳି ଉଠେ ସେ । ତା’ ନିରୀହପଣ ଭିତରେ ଆଶ୍ଳେଷି ରହିଥିବା ଅଜସ୍ର ସ୍ୱପ୍ନମାନେ ତା’ ଜେଜେମା’ ପାର୍ବତୀକୁ ବ୍ୟତିବ୍ୟସ୍ତ କରାନ୍ତି । ଯେଉଁ ବୟସରେ ସାଙ୍ଗମାନଙ୍କ ସହିତ ଧୂଳି ଖେଳ ରଚିବା କଥା, ସେ ବୟସରେ ସେ ଘରର ଛୋଟ ବଡ଼ ବୋଲହାକ କରେ । ଜେଜେମା’ ହାତରୁ କାମ ଛଡ଼ାଏ । ଗୁଣ୍ଡୁଚିମୂଷା ପରି ସେତୁ ବାନ୍ଧିବାପଣରେ ସତେ ଯେପରି ସେ ସ୍ୱୟଂ ରାମଚନ୍ଦ୍ରଙ୍କୁ ଅନୁଭୂତ କରିବାକୁ ଚେଷ୍ଟା କରେ । ପିଲାଟି ଦିନରୁ ସେ କିପରି ଏତେ ବୁଦ୍ଧି ନେଇ ଜନ୍ମ ହୋଇଛି କେଜାଣି । ଦିନଟା ସାରା କେବଳ ଅନ୍ୟପାଇଁ ଚିନ୍ତା ଓ ଅନ୍ୟ ପାଇଁ କାମ । ହେଲେ ତା’ ଭାଗ୍ୟରେ କ’ଣ ଅଛି କେଜାଣି ? ସେ ବି କ’ଣ ତା’ ଭଳି ପର ଦୁଆରେ କାମ କରି କରି ତା’ର ସମ୍ପୂର୍ଣ୍ଣ ଜୀବନଟା ବିତାଇ ଦେବ । ଅନ୍ୟର ସୁଖଦୁଃଖରେ ହଜି ନିଜର ସ୍ୱପ୍ନକୁ ମାରିଦେବ ? ଲୀନା କିନ୍ତୁ ପ୍ରଜାପତିଟିଏ ଭଳି ଉଡ଼ିବୁଲୁଥିଲା ବଗିଚାଟା ସାରା । ଲାଗୁଥିଲା ସେ ବନ୍ଧନମୁକ୍ତ । ହେଲେ ପାର୍ବତୀ ଜାଣେ ଅଦୃଶ୍ୟ ଶୃଙ୍ଖଳ ତା’ ପାଦରେ । ସେ ଉଡ଼ିବାକୁ ଚାହେଁ ଅଥଚ ଡେଣାହୀନ ତା’ର ଦେହ । ସେ ହଜିଯିବାକୁ ଚାହେଁ ଅସୀମ ଆକାଶ ବକ୍ଷରେ ହେଲେ ପଞ୍ଜୁରୀରେ ଆବଦ୍ଧ ତା’ର ଜୀବନ । ମୁକ୍ତାକାଶର ଠିକଣା ତା’ର ଭାଗ୍ୟରେ ନାହିଁ । ଶୁଦ୍ଧମଳୟର ସୁବାସ ତାକୁ କେବେ ଛୁଇଁ ଆନମନା କରିବାର ନାହିଁ । ଅଥଚ ସେ ପାଗେଳିଟା ସବୁବେଳେ ସ୍ୱପ୍ନ ବିଭୋର ! ତାକୁ ଯେତେ ତାଗିଦ୍ କଲେ ସେ ଶୁଣି ନାହିଁ କିଛି ପରିସ୍ଥିତି ବି ବୁଝେ ନାହିଁ । ହସି ହସି କହେ- ତୁ ମୋ ପାଇଁ ବ୍ୟସ୍ତ ହ’ନି ଜେଜେମା’ । ମୁଁ ଭଲ ଅଛି । ହେଲେ ଜେଜେମା’ ଭାବୁଥାଏ ଅନେକ କଥା. . . କେମିତି ଏତେ ଟିକେ ପିଲାରୁ ସେ ଆଜି ଏତେ ବଡ଼ ହୋଇଛି ? ହେଲେ ତା’ର ସେ ପିଲାଳିଆମୀ ଆଜି କାହିଁ, ଯାହା ଏ ବୟସରେ ସବୁ ସମବୟସୀ ପିଲାମାନଙ୍କ ପାଖରେ ଥାଏ ? କାହିଁ ସେ ଅଝଟପଣ ? . . . ସେ ଖୁବ୍ ବଡ଼ ହୋଇଯାଇଛି ଆଜିକାଲି । ତା’ ମନ ବି ବେଶ୍ ପରିପକ୍ୱ ପାଲଟିଛି । ତା’ର ସୁଖକର ଭବିଷ୍ୟତ ପାଇଁ ଜେଜେମା’ ହିସାବରେ ପାର୍ବତୀର ମନ ବେଶ୍ ବ୍ୟାକୁଳିତ ହୁଏ । ସେ ସଂସାରରୁ ଚାଲିଯିବା ପରେ. . . ତା’ର କ’ଣ ହେବ ? କାହା ଭରସାରେ ତାକୁ ଛାଡ଼ି ନିଶ୍ଚିନ୍ତ ହେବ ? ଏମିତି ଭାବୁ ଭାବୁ ସେପଟୁ ମାଲିକାଣୀଙ୍କ ଡାକ ପ୍ରକୃତିସ୍ଥ କରାଏ ତାକୁ । ଜେଜେମା’ ପୁଣି ତା’ର ସ୍ୱଭାବିକ ସ୍ଥିତିକୁ ଫେରେ । ଆଖିରୁ ଲୁହ ପୋଛି ସେ ପୁଣି ତା’ କାମ ଭିତରେ ନିଜକୁ ଭୁଲେ, ଭୁଲିଯିବାକୁ ବାଧ୍ୟ ହୁଏ । ଖରା ପଡ଼ିଯିବ ବୋଲି ସେ ବିରି ବାଟି ସାରି ତାକୁ ଫେଣେଇବାରେ ଲାଗେ । ହାତ, ବାହୁ ଓ କାନ୍ଧବିନ୍ଧାରେ ଝଣ୍‌ଝଣ୍‌ କରେ । ମାଲିକାଣୀ ପଚାରନ୍ତି- ପାର, ବାଟଣକୁ ଭଲ କରି ଫେଣେଇଲୁ ତ ? ଯେମିତି ବଡ଼ିକୁ ପାଟିରେ ଦେଉ ଦେଉ ମିଳାଇ ଯାଉଥିବ ! ନ ହେଲେ ତୋ ମାଲିକ ଖାଇବେନି ! ତାଙ୍କ ମନଜାଣି ଭଲ କରି ଫେଣେଉଥା’ । ଆଲୋ ଯା’. . . ଭୁଲିଗଲି ଲୀନାକୁ କହିବାକୁ ଭୃସଙ୍ଗପତ୍ର ଆଣିବାକୁ । ଆଉ ହଁ ସେ ଭୃସଙ୍ଗପତ୍ର ଆଣିସାରିଲା ପରେ ବଡ଼ିରେ ହେଙ୍ଗୁ, ଜୀରା, ଜୁଆଣୀ ଆଉ ଭୃସଙ୍ଗପତ୍ରରୁ କିଛି ଦେଇ ଆଉ ଥରେ ଫେଣେଇବୁ । ଖରା ପଡୁ ପଡୁ ଛାତ ଉପରକୁ ନେଇ ଯାଇ ବଡ଼ି ପାରିଦବୁ । ପାର ହଁ ଭରି ହାତକୁ ଫୁର୍ତ୍ତି କରେ । ଆଉ ମାଲିକାଣୀ ଲୀନାକୁ ଭୃସଙ୍ଗପତ୍ର ବରାଦ କରିବାକୁ ଅଗଣାକୁ ଯାଆନ୍ତି । ବଣି ଚଢ଼େଇଟିଏ ପରି ଲୀନା ଦୌଡ଼ି ଆସି ଜେଜେମା’କୁ ଭୃସଙ୍ଗପତ୍ର ଦେଇ ପୁଣି ଚାଲିଯାଏ ଫୁଲତୋଳିବାକୁ । ଜେଜେମା’ ପଚାରେ-ଫୁଲ ତୋଳା କ’ଣ ତୋର ସରିଲା ନାହିଁ ? “ନା” କହି ଦେଇ ସେ ଦୌଡ଼ୋ ବଗିଚାକୁ । ଛାତ ଉପରକୁ ଯାଇ ଗୋଟେ ବଡ଼ ଜରିଅଖାରେ ଶୀଘ୍ର ଶୀଘ୍ର ବଡ଼ିପାରିବାକୁ ଚେଷ୍ଟା କରେ ପାର । ମାଲିକାଣୀ କାମର ତଦାରଖ କରନ୍ତି । ଆଣରୁ ଟିକେ ଆଣି ପରଖୁଥାନ୍ତି ହାତରେ, ପୁଣି ପାଟିରେ । ସକାଳର ଖରା ବିଛେଇ ହୋଇ ପଡ଼ିଥାଏ ଛାତ ଉପର ସାରା । ବଡ଼ିରେ ଭର୍ତ୍ତି ହୋଇଯାଏ ଅଖା । ମାଲିକାଣୀ ପଚାରନ୍ତି- ଆଜିଟାରେ ଶୁଖିଯିବ ତ !

ତା’ପରେ

ଲୋକପ୍ରିୟ ଲେଖା

To Top