ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ଗୋରା ତକତକ ଚେହେରା, ସୁଢ଼ଳ ମନୋହର ମୁହଁ, କୁନିକୁନି ଭଅଁର ପରି ଆଖି ଯୋଡ଼ିଏ, ପଦ୍ମକଢ଼ି ପରି ଅଙ୍ଗୁଳି ଓ ସର୍ବୋପରି ରାଜକୁମାର ଭଳି ପୁଅଟିକୁ ପାଇବା ପରେ ସେମାନଙ୍କ ଖୁସି କାହିଁରେ କ’ଣ !

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

କିନ୍ତୁ ମାଲିକାଣୀ ତା’ ଦୁଃଖରେ ସାମିଲ୍ ହୋଇ ତାକୁ କୋଳେଇ ନେଲେ । ତା’ ଆଖିର ଅବାରିତ କୁହଧାରାକୁ ସେ ନିଜ ହାତରେ ପୋଛି ଦେଇ କହିଲେ- ପାର, ମୁଁ ଅଛି ପରା । ମୋ ଉପରୁ ତୁ କ’ଣ ବିଶ୍ୱାସ ତୁଟାଇ ଦେଲୁ । ତୁ ମୋ ଘରେ ଯେତେ କାମ କଲେ ବି ତୁ ଯେ ମୋର ସାଥୀ ସହଚରୀ. . . ଏକଥା କ’ଣ ମୁଁ କେବେ ଭୁଲିଛି । ତୁ ବ୍ୟସ୍ତ ହ’ନି । ଏଭଳି ଦୁଃସ୍ଥିତିରେ ହାରିଯାଇ କିମ୍ୱା ଭାଙ୍ଗିପଡ଼ି ଏ ପିଲାଟି ଉପରେ ଅବିଚାର କରନି । ଚାଲ୍ ଏବେ. . . ଘରକୁ । ସେଇ ହବ ତୋର ଓ ମୋର ଘର. . . ହେଲା । ଏଥର ଲୁହତକ ପୋଛି ପକା । ଯିବା ଲୋକ ତ ଚାଲିଗଲେ, ପଛକୁ ଫେରି ଚାହିଁଲେନି । ତାଙ୍କ ଦୁଃଖରେ ଏ ଛୋଟିଆ ଛୁଆଟାକୁ କେତେଦିନ ଆଉ ଭୋକିଲା ରଖିବୁ କହି ତା’ର ଲଙ୍ଗଳା ଓ ଧୂଳିଧୂସରିତ ଦେହଟାକୁ କୋଳେଇ ନେଲେ । ତା’ ସହିତ ତା’ର ସମସ୍ତ ଦାୟିତ୍ୱକୁ ନିଜ ମୁଣ୍ଡକୁ ନେଇଗଲେ । ଅନାଦି ଦେଖାଇଥିବା ସୁଖକର ସ୍ୱପ୍ନମାନଙ୍କୁ ପଦାଘାତ କରି ପାର ଏକା ଏକା ଆଗେଇଲା ଆଗକୁ । ଜାଣିଥିବା ଲୋକମାନେ ପାରକୁ ଢେର୍ ବୁଝାଇଲେ । ଆଉ ଥରେ ସଂସାର ବାନ୍ଧିବାର ରାସ୍ତା ଦେଖାଇଲେ । ହେଲେ ପାର ସେତେବେଳେ କ’ଣ ସେସବୁ ବୁଝିଲା ନା ତା’ ଭବିଷ୍ୟତକୁ ଦେଖିପାରିଲା । କେତେ ଅବା ହବ ଦୁହିଁଙ୍କ ବୟସ । ଅନାଦିକୁ ପଚିଶ ହେଲେ ପାରକୁ ଉଣେଇସି ବର୍ଷ ମାତ୍ର ।

ଜୀବନ ଚାଲିବାର ଅନ୍ୟନାମ । ତେଣୁ ଅନାଦି ପଛକଥା ସବୁ ଭୁଲି ଜୀବନକୁ ପୁଣି ଥରେ ପାର ସହିତ ନୂଆ କରି ଜୀଇଁବାକୁ ଚାହେଁ । ତା’ ସହିତ ସୁଖଦୁଃଖକୁ ଆପଣେଇ ନେବାକୁ ଚାହେଁ । ଅଥଚ ପାର ଭିନ୍ନ ଏକ ଦୁନିଆଁରେ ରହି ନିଜକୁ ଭୁଲିଯାଇଛି ସମ୍ପୂର୍ଣ୍ଣ ଭାବେ । ଭାଗ୍ୟର ଏତେ ନିର୍ଦ୍ଦୟ ପ୍ରହାରକୁ ସେ ସହଜରେ ଭୁଲିପାରୁନି । ଏକାବେଳକେ ସେ ନିଜ ମାଆ ଓ ସ୍ୱାମୀ, ଦୁହିଁଙ୍କ ମୃତ୍ୟୁ ଦେଖିଛି । କେମିତି ଭୁଲିଯିବ ଏତେ ସହଜରେ । ତଥାପି ପୁଅ ମୁହଁକୁ ଚାହିଁ ସେ ଦୁର୍ବଳ ହୋଇ ପଡୁଥିଲା । କିଛି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିବାକୁ ଚେଷ୍ଟା କରୁଥିଲା । ହେଲେ ଏଇ ମହାର୍ଘ ବେଳାରେ ପହଞ୍ଚିଗଲେ ମାଲିକାଣୀ । ନିଜ ସମ୍ପର୍କର ଦ୍ୱାହି ଦେଇ. . . ବିଶ୍ୱସ୍ତତାର ନଡ଼ିଆ ଭାଙ୍ଗି ତା’ ମନକୁ ଏକବାରେ ଚହଲାଇ ଦେଲେ । ପୁଣି ଥରେ ଲକ୍ଷ୍ୟ ବିଚ୍ୟୁତ କରିପକାଇଲେ । ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚିବାକୁ ଦେଲେ ନାହିଁ । ନିଜ ଅକ୍ତିଆର ଭିତରକୁ ପୁଣି ଥରେ ନେଇଗଲେ ତାକୁ । ଗଦ ସୁଙ୍ଘାଇ ବଶୀଭୁତ କଲା ଭଳି ବିଚାରି ପାର ଏକଥାର ଗୂଢ଼ ରହସ୍ୟ ଭେଦ କରିପାରିଲାନି । କକ୍ଷବିଚ୍ୟୁତ ହୋଇ ଛିଟିକି ପଡ଼ିଲା ମନ ଭିତରର ଓ ସଂସାରର କୋଉ ଗୋଟାଏ କଣକୁ । ସେଦିନଠାରୁ ସେ ଏମିତି ଏକା ଏକା ଚାଲିଛି । ପରଘରର ଅଇଁଠା ବାସନ ଭିତରେ ନିଜର ଅସ୍ପଷ୍ଟ ଓ ମଇଳା ପ୍ରତିଫଳନକୁ ଦେଖିବାର ଚେଷ୍ଟା କରିଛି । ଅନ୍ୟର ଆଦେଶକୁ ମଥାପାତି ଆଦରି ନେଇଛି ନିଜ ପିଲାଟିକୁ ଏକ ସୁଖକର ଭବିଷ୍ୟତ ଦେବାର ଆଶ୍ୱାସନାରେ । ଗାଡ଼ିରେ ବସିବାବେଳେ ମାଲିକାଣୀ ବାଟସାରା ତା’ ପିଲାଟିକୁ କୋଳରେ ଧରିଥିଲେ, ନିଜ ପିଲାଟି ଭଳି । ପାରର ମନ ବି କିଛି ପରିମାଣରେ ବୁଝିଯାଇଥିଲା ସେତେବେଳକୁ । ପାଣିରେ ବୁଡ଼ିଯାଉଥିବା ଲୋକର କୁଟାଖିଅକୁ ଆଶ୍ରା ଭଳି । ତା’ପରେ ସେ ମନ ଓ ଶରୀରକୁ ପଥର କରି ଆଖିରୁ ଲୁହ ପୋଛିଲା । ମାଲିକାଣୀଙ୍କ ମହୁଝରା ଦି’ପଦ କଥାରେ ସେ ନିଜକୁ ସମ୍ଭାଳିଲା । ତାଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଲା । ନିଜ ଘର ପରି ସେ ସବୁକିଛି ଆପଣେଇ ନେଲା । ସେଇଠି ବଡ଼ ହେଲା ତା’ ପୁଅ । ଆଉ ସବୁଦିନ ପାଇଁ ଜେଜେମା’ ଏଇଠି ହିଁ ରହିଗଲା । ଛାତିକୁ ଦୃଢ଼ କରି ଏତେ ବଡ଼ ଝଡ଼କୁ ସହିନେଲା । ପୁଅ ବି ବଡ଼ ହୋଇ ତା’ ବାପ ପରି ଯୋଗ୍ୟ ହେଲାଣି । ମାଆ ହାତରୁ କାମ ଛଡ଼େଇଲାଣି । ନିଜ ରୋଜଗାର କରିବ ବୋଲି ସ୍ୱପ୍ନ ଦେଖାଇଲାଣି । ଜେଜେମା’ର ଆଖିରେ ଆନନ୍ଦାଶ୍ରୁ । ସତରେ ତା’ ପୁଅ ଯୋଗ୍ୟ ହେବ କେବେ । ସ୍ୱାଭାବିକ୍ ଜୀବନଟେ ପାଇଁ ସେ କଠୋର ତପସ୍ୟା କରିଛି ।

ସବୁ ଦୁଃଖର ସାମ୍ନା କରିଛି । ଅଥଚ ସେ ବେଳକୁ ସଠିକ୍ ଭାବେ ଗ୍ରହଣ କରିପାରିନାହିଁ । ମାଲିକାଣୀଙ୍କ କୁହୁକଭରା କଥାରେ ତା’ର ରାସ୍ତା ବଦଳିଯାଇଛି । ଆଉ କେତେବେଳେ ଅନାଦି ଓ ସେ ଦୁହେଁ ପୃଥକ୍ ହୋଇଯାଇଛନ୍ତି, ସେ କଥା ସେ ବୁଝିପାରିନି । ଏବେ ତ ସେ ସମୟ ବି ଅତିକ୍ରାନ୍ତ । ଅନେକବର୍ଷ ବିତିଯାଇଥିଲେ ବି ମାଲିକାଣିଙ୍କ ପିଲାପିଲି ହେଉନଥାନ୍ତି । ସେଥିପାଇଁ ମାଲିକ ଓ ମାଲିକାଣୀ ନିଜର ଜାତକ ଦେଖାଇ ଗ୍ରହରିଷ୍ଟ ଶାନ୍ତିକରି, ଶିବ ମନ୍ଦରରେ ପାଣିଢ଼ାଳି, ଅନେକ ପୂଜାଅର୍ଚ୍ଚନା ଓ ମାନସିକ କରିବା ପରେ ପୁଅଟିଏ ଜନ୍ମ ହେଲା । ଗୋରା ତକତକ ଚେହେରା, ସୁଢ଼ଳ ମନୋହର ମୁହଁ, କୁନିକୁନି ଭଅଁର ପରି ଆଖି ଯୋଡ଼ିଏ, ପଦ୍ମକଢ଼ି ପରି ଅଙ୍ଗୁଳି ଓ ସର୍ବୋପରି ରାଜକୁମାର ଭଳି ପୁଅଟିକୁ ପାଇବା ପରେ ସେମାନଙ୍କ ଖୁସି କାହିଁରେ କ’ଣ ! ଗୋଡ଼ ଆଉ ତଳେ ଲାଗୁନଥାଏ ମାଲିକ ଓ ମାଲିକାଣୀଙ୍କର । ସେମାନଙ୍କ ଆଖିରେ ଆନନ୍ଦାଶ୍ରୁ । ଗହଳିରେ ପୁରି ଉଠିଥାଏ ଘର । ଚାରିଆଡୁ ଶୁଭେଚ୍ଛାର ସୁଅ । ଅନେକବର୍ଷର ତପସ୍ୟାର ଫଳ । ଚାରିଆଡ଼େ ଉତ୍ସବ. . . । କେହି ଦୁଃଖୀ ରଙ୍କି ଖାଲିହାତରେ ଫେରୁନଥାନ୍ତି ତାଙ୍କ ଘରୁ । ଏ ଖଣ୍ଡ ମଣ୍ଡଳରେ ଏମିତି ଭୋଜି କେହି ଖାଇନଥିବେ । ଖୁବ୍ ଜାକଜକମରେ ପାଳନ କରାଗଲା ସାନବାବୁଙ୍କ ଏକୋଇଶା, ଜନ୍ମଦିନ । ସେ ଜନ୍ମଠାରୁ ଚାଲିଶିଖିବା ଯାଏ ଜେଜେମା’ ହିଁ ତାଙ୍କର ସବୁ କାମ କରୁଥିଲା । ତେଲ ହଳଦି ମଖା ଠାରୁ ଆରମ୍ଭ କରି କପଡ଼ାଲତା ସଫା ପର୍ଯ୍ୟନ୍ତ ସବୁକାମ । ତା’ ଭିତରେ ବି ଜେଜେମାଆ ପାଇଁ ବଡ଼ଘରର କେତେ ଆକଟ ଓ ଆଦବ କାଇଦା । ଏସବୁ ସତ୍ତ୍ୱେ ସାନବାବୁଙ୍କର ଚନ୍ଦ୍ର ଉଦିଆ ମୁହଁଟିକୁ ଦେଖି ସେ ପାଶୋରି ଯାଉଥିଲା ସମୟ ଜ୍ଞାନ, ନିଜର ଅବ୍ୟକ୍ତ ଓ ଅପାସୋରା ଦୁଃଖ । ପାର ଭାରି ଭଲ ପାଉଥିଲା ଆଉ ସ୍ନେହ କରୁଥିଲା ସାନବାବୁଙ୍କୁ । କେବେ ବି ତାଙ୍କ ନାଁ ଧରି ଡାକୁନଥିଲା, ତା’ର ତ ଅତି ପରିଚିତ ଗେହ୍ଲା ଡାକ ହେଉଛି- ସାନବାବୁ ! ଆକଟ କଲେ କି ଆଦର କଲେ ସେଇ ଏକା ନାଁ ହିଁ ପାଟିରୁ ବାହାରୁଥିଲା ତା’ର । ଗଳାମାଳି ପରି ଅହରହ ଜପୁଥିଲା ତାଙ୍କୁ, ନୟନପିତୁଳି ପରି ତାଙ୍କର ବିଶେଷ ଯତ୍ନ ନେଉଥିଲା ।

ମାଲିକାଣୀ ବି ସ୍ୱୀକାର କରୁଥିଲେ- “ପାର, ମୁଁ ସିନା ତାକୁ ଜନ୍ମ ଦେଇଛି । କିନ୍ତୁ ପ୍ରକୃତରେ ତୁ ହିଁ ତା’ର ମାଆ ।” ୟା’ ଭିତରେ ଅନେକବର୍ଷ ବିତିଲାଣି । ସାନବାବୁ ବଡ଼ ହେଲେଣି । କଥା କହି ଶିଖିଲେଣି । ବାପା, ମାଆ, ଧାଇମାଆ ବୋଲି ଦରୋଟି ଅକ୍ଷର କେଇଟା ଡାକିଲେଣି । ସ୍ୱାଭାବିକ୍ ରୀତିରେ ସେ ବଡ଼ ହେଉଛନ୍ତି । ପ୍ରଥମାଷ୍ଟମୀ ଦିନ କେତେ ପ୍ରକାରର ପିଠା ପ୍ରସ୍ତୁତି ଚାଲିଲା ଘରେ । ଚକୁଳି, ଛଣା ମଣ୍ଡା, ସିଝା ମଣ୍ଡା ଆଉ ହଳଦୀପତ୍ର ପିଠା । କେତେ ପ୍ରକାରର ପୁର ଦେଇ ପିଠା ପ୍ରସ୍ତୁତି ଆରମ୍ଭ ହେଲା । ମାଲିକାଣୀ ତେଲ କଡ଼େଇକୁ ସଳଖୁ ସଳଖୁ ସାନବାବୁ କାନ୍ଦି ଉଠନ୍ତି । ଆଉ ପାର ସାନବାବୁଙ୍କୁ ଶେଯରୁ ଉଠାଇ ନେଇ କୋଳରେ ଜାକି ପକାଏ ଆଉ ଖେଳଣାଟିଏ ଧରାଇ ଦେଇ ଗୀତଗାଏ- “ଝୁଲରେ ହାତୀ ଝୁଲ୍ । ବାଆ ପାଣି ଖାଇ ଫୁଲ୍. . .” ସେପଟୁ ମାଲିକାଣୀଙ୍କ ହୁକୁମ୍- “ପାର ଶୀଘ୍ର ଆସି ମଣ୍ଡା ତିଆରି କର । ପାଣି ଗରମ ହୋଇ ଫୁଟିଲାଣି ।” ସାନବାବୁଙ୍କୁ କାଖରେ ଜାକି ସେ ପିଠା ତିଆରି କରେ । ମାଲିକାଣୀ କହନ୍ତି- “କେମିତି ତୁ ଏତେ ଗୁଡ଼ିଏ କାମ ଏକା ସାଙ୍ଗରେ କରିପାରୁ କିଲୋ ?” ଏଣେ ଘର କାମ ସାଙ୍ଗକୁ ପିଲାମାନଙ୍କ ଦେଖାଶୁଣା. . . । ପାର ହସି ଦେଇ କହେ- “ଅଭ୍ୟାସ ହେଇ ଗଲାଣି ।” ସାନବାବୁ ପାରହାତରୁ ପିଠା ଛଡ଼ାନ୍ତି । ଆଉ ପାର ବି କିଛି ପିଠା ଚକଟା ତାଙ୍କ ହାତରେ ଧରାଇ ଦିଏ । ଏସବୁ ଭିତରେ ସେ ଖେଳନ୍ତି ପାର କୋଳରେ । ଆଉ ପିଠାଗଢ଼ା ବି ସରିଯାଏ । ନୂଆଡ୍ରେସ୍ ପିନ୍ଧାଇ ସାନବାବୁଙ୍କୁ ବନ୍ଦାପନା କରନ୍ତି ସମସ୍ତେ । ପାର କେତେ କ’ଣ ଗୀତ ଗାଏ ଖୁସିରେ । ତା’ ପୁଅ ପାଇଁ ବି ନୂଆ ପୋଷାକ କରିଥାନ୍ତି ମାଲିକାଣୀ । ହେଲେ କାହିଁକି କେଜାଣି ପାର ମନଟା ଅଶାନ୍ତ ହୋଇ ବିଳପି ଉଠେ । ଓଦାହୁଏ ଆଖି …।

xxxxxx

କିଛିର ଅସୁବିଧା ନଥିଲା । ସବୁ କିଛି ଠିକ୍ ଚାଲିଥିଲା । ପାର ମାଲିକାଣୀଙ୍କ ଘରେ କାମଧନ୍ଦା କରି ପୂର୍ବଝଡ଼କୁ ପାଶୋରିବାକୁ ଅହରହ ଚେଷ୍ଟା ଜାରି ରଖିଥିଲା । ବେଗାବେଗି ତା’ ପୁଅର ବାହା କାମ ସାରି ସେ ଶାନ୍ତିରେ ରହୁ ବୋଲି ପୁଅକୁ ତା’ର କୋଡ଼ିଏ ବର୍ଷ ଛୁଉଁଛୁଉଁ ଭଲ ରୂପ ଓ ଗୁଣସମ୍ପନ୍ନା ଝିଅ ଦେଖି ତାକୁ ବିବାହର ବନ୍ଧନରେ ଛନ୍ଦି ପକେଇଲା । ଏଥର ତା’ ଦାୟିତ୍ୱ ସରିଗଲା । ସେ ଏଥରମୁକ୍ତି ନିଜ ସାଂସାରିକ ଜଞ୍ଜାଳରୁ । ଏବେ ଖାଲି ମାଲିକଙ୍କ ଘରର ଜଞ୍ଜାଳ ଓ ନିଜ ପୁଅର ସୁଖୀ ସଂସାରକୁ ଦେଖି ସେ ଚାଲିଯିବ ଆରପାରିକୁ । ଆଉ ଦୁଃଖ କି ଚିନ୍ତା କ’ଣ ? ପୁଅବୋହୂଙ୍କୁ ସଂସାର କରିବା ପାଇଁ ସେ ପାଚେରୀ ପାଖ ବଖୁରିକିଆ ଘରଟାରେ ଛାଡ଼ି ସେ ଚାଲିଆସିଲା ମାଲିକାଣୀଙ୍କ ଡ୍ରଇଂରୁମ୍ ପାଖରେ ଥିବା ଷ୍ଟୋର୍ ଘରକୁ । କର୍ମ ଓ ଜଞ୍ଜାଳ ଭିତରେ ବି ପୁଅ ବୋହୂଙ୍କ ସୁଖସଂସାରକୁ ଦେଖି ମନ ତା’ର ପୁରି ଉଠିଲା । ଦୁହେଁ ଲକ୍ଷ୍ମୀ ନାରାୟଣ ଭଳି ଚଳୁଥାନ୍ତି । ସ୍ନେହ ଓ ଆଦରରେ ଦିନ ବିତୁଥାଏ । ପୁଅ ତା’ର ଭଲ ଜାଗାରେ କାମଟିଏ ପାଇଗଲେ, ନିଜଘରଟିଏ ତୋଳି ଚାଲିଯିବ ସେଠିକୁ । ଆଜିଯାଏ ଦୁଃଖ କଷ୍ଟ କରି ପର ଘରେ ମୂଲ ଲାଗି ନିଜକୁ ଓ ନିଜର ସୁଖକର ସ୍ୱପ୍ନକୁ ମାରିଦେଇଥିବା ମାଆକୁ ବି ସେଠିକୁ ନେଇଯିବ ବୋଲି ଭାବିଛି ।

ସାନବାବୁଙ୍କୁ ଦଶବର୍ଷ ହେଲାଣି । ସେ କେତେ ପାଠ ପଢ଼ିଲେଣି ସ୍କୁଲ୍‌ରେ । ବୋହୂ ଆସିବା ପରଠାରୁ ସାନବାବୁ ବି କେବେ କେମିତି କିଛି କିଛି ବାହାନା କରି ତାଙ୍କ ଛୋଟ କୁଡ଼ିଆଟିକୁ ଚାଲିଆସୁଛନ୍ତି । ମନତଳେ ଅନେକ ପ୍ରଶ୍ନ ନେଇ କଣେଇ କଣେଇ ଚାହୁଁଛନ୍ତି ବୋହୂଟିକୁ । ବୋହୂଟି ତାଙ୍କୁ ଆଦରରେ ଡାକିବା ବେଳକୁ ଧାଇଁ ଯାଇ ଜେଜେମା’ କୋଳରେ ମୁହଁ ଲୁଚାଇ ଦେଉଛନ୍ତି । ପିଲାଟି ଦିନରୁ ଖୁବ୍ ଲାଜକୁଳା ସ୍ୱଭାବ ଆଉ ଅଳ୍ପ କୁହା, ଗମ୍ଭୀର । ବିଶେଷ କିଛି କଥା ହୁଅନ୍ତିନି । ଏମିତିକା ନାତିଟିଏ ମିଳନ୍ତାନି ତାକୁ- ଭାବି ଜେଜେମା’ ଓଠରେ ହସକେରାଏ ଉଙ୍କିମାରିଲା ଦିନେ । ସେ ଆଶାରେ ପାଖ ଶିବମନ୍ଦିରକୁ ଯାଇ ସେ ଘିଅ ଦୀପ ଜାଳିଲା । ପୁଅ ବୋହୂଙ୍କର ସୁଖ ମନାସି ଲୁହଝରା ଆଖିରେ କାନି ପତେଇଲା । ଆଉ ବା କେତେଦିନ ବଞ୍ଚିବ । ପିଲାଟି ଦିନରୁ ପର ଘରେ ଖଟି ଖଟି ଆଜି ସେ କ୍ଳାନ୍ତ । ହେଲେ ଆଜିକାଲି ସେ ମାଲିକଙ୍କ ଘରେ ଖାଉ ନାହିଁ । ବରଂ ନିଜର ବଖୁରିକିଆ ଘରକୁ ଆସି ସେ ବୋହୂ ପରଶା ଖାଉଛି । ସେଇ କ’ଣ ତା’ର କମ୍ ବଡ଼ଭାଗ୍ୟ ? ସେ ଯାହା ଭାତତିଅଣ ରାନ୍ଧି ଦେଉଛି ସେଇଥିରେ ତା’ର ପରମ ଖୁସି । ଅମୃତ ଭଳି ସୁଆଦ ତା’ର । ଏଥର ସେ ତା’ ନାତିନାତୁଣୀମାନଙ୍କୁ କୋଳରେ ଖେଳାଇବ । ତେଲ ହଳଦିମାଖି ଆଖିରେ କଜ୍ଜଳଗାର ଦେଇ ଗୀତ ଗାଇବ- “ଧୋ’ରେ ବାଇଆ’ ଧୋ’. . . ଯୋଉ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ’ ।” ନ ହେଲେ “ମୋ ଧନ ପରି କିଏ ହବ ? ଉଡ଼ିଯାଉଥିବ ସୁବର୍ଣ୍ଣ ଚଢ଼େଇ ଧରିଆଣି କିଏ ଦବ ?” ଏମିତି ଗୀତ ଗାଉ ଗାଉ ନାତିଟି ଶୋଇପଡ଼ିବ କୋଳରେ । ଏଇଭଳି ଅଜସ୍ର ସ୍ୱପ୍ନ ବୁଣି ହୋଇଯାଉଥିବ ମନ ତଳେ । ସେ ଆତ୍ମହରା ପାଲଟୁଥିବ । ଜୀବନର ସବୁତକ ଖୁସି ତ କୋଉଦିନଠାରୁ ଚାଲିଯାଇଥିଲା । ଆଜି ତା’ ଶ୍ରମସାର୍ଥକ ହୋଇଛି । ତା’ର ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୂପ ସେ ଆଜି ତା’ ଘରକୁ ଲକ୍ଷ୍ମୀପ୍ରତିମାଟି ପରି ବୋହୂଟିଏ ଆଣିଛି । ଖୁବ୍ ସରଳ, ସ୍ନେହୀ, ରୂପବତୀ ଓ ହସକୁରୀ । ସମସ୍ତଙ୍କୁ ଆପଣେଇ ନେବାକୁ ସତେ ଯେପରି ସବୁବେଳେ ତତ୍ପର ସେ । କିଛି ନ କହୁଣୁ ସେ ଘରର ସବୁତକ କାମ କରିପକାଉଛି । ମାଆ ପୁଅଙ୍କ ପାଇଁ ଭଲ କରି ଗଣ୍ଡାଏ ଫୁଟାଉଛି । ମନଜାଣି ସବୁକାମ କରୁଛି । ମାଲିକାଣି ଦିନେ ହସି ହସି ପଚାରୁଥିଲେ ତାକୁ- “କ’ଣ ବୋହୂର ହାତପରଶା ଖାଇ ମାଲିକାଣୀକୁ ଭୁଲିଗଲୁଣି କି ?” ପାର୍ବତୀ ମୁହଁରେ ଆତ୍ମତୃପ୍ତିର ଝଲକ ଖେଳାଇ ତଳକୁ ମୁହଁ ପୋତି ପାଦରେ ଗାରଟାଣି କହିଲା- “ନାଇଁ ବା ମାଆ, ପିଲାଟାଏ ସେ କ’ଣ ବା କରିଦବ, ଯାହା ପାରୁଛି କରୁଛି । ହେଲେ ଭାରି ସରଳ ଝିଅଟିଏ । ମଥାରୁ ଲୁଗା ଖସୁନି, ସଣ୍ଠଣା ଶିଖିଥିବା ଝିଅଟିଏ । ଠାକୁରେ ସେମାନଙ୍କୁ ଆୟୁଷ ବଳ ଦିଅନ୍ତୁ । ସେମାନେ ତିନିରୁ ଚାରି ହୁଅନ୍ତୁ । କଲମ କାଠି ହଲୁଥାଉ ସେମାନଙ୍କର ପାଞ୍ଚକୁ ପଚାଶ କରନ୍ତୁ ଜୀବନରେ”- ଏତକ ଆଶୀର୍ବାଦ ଦେଇ ସେ ଠାକୁରଙ୍କୁ ଶୂନ୍ୟରେ ହାତ ଯୋଡ଼ିଲା । ତା’ କଣ୍ଠ ଓଜନିଆ ହୋଇ ଥରି ଉଠିଲା । ହଅ ଏତେ ଦିନରେ ସୁଖ ଟିକେ ପାଇଛି ଯେତେବେଳେ. . . ଖୁସିରେ ଆତ୍ମହରା ତ ନିଶ୍ଚୟ ହେବ । ଜୀବନଟା ସାରା ଏତେ କଷ୍ଟ କରିଆସିଛି । କାହାର ନଜର ନ ଲାଗୁ ବୋଲି ପୁଅ ବୋହୂଙ୍କ ହାତରେ କଳାସୂତାରେ ଡେଉଁରିଆଟିଏ ବାନ୍ଧିଛି । ଶନି ଓଷା କରୁଛି । ସନ୍ତୋଷୀମାଆଙ୍କ ବ୍ରତ କରୁଛି । କେତେବେଳେ ଶୁଭଖବରଟିଏ ବୋହୂ ଦେବ ତାକୁ । ତା’ ବଂଶରେ ନୂଆ ଅତିଥିଟିର ଆଗମନ ଘଟିବ କେବେ । ମନଟା ଉଚ୍ଚାଟ ହେଉଛି । ଦିନ ଗଡୁଛି, ତା’ ସହିତ ପାର୍ବତୀର ମନତଳର ଆଶାମାନେ ପସରା ମେଲାଉଛନ୍ତି ଅର୍ହନିଶ ।

ଆଜିକାଲି ତା’ ବୋହୂର ମୁଣ୍ଡ ବୁଲାଉଛି, ବାନ୍ତି ବାନ୍ତି ଲାଗୁଛି । କେତେବେଳେ କେମିତି ବାନ୍ତି ହୋଇଯାଉଛି । ପେଜ ବାସ୍ନା ନ ହେଲେ ଛୁଙ୍କ ବାସ୍ନା ତାକୁ ଅତିଷ୍ଠ¤ କରିପକାଉଛି । ସବୁବେଳେ ଖାଲି- ବାନ୍ତି ! କିଛି ବି ପାଟିକୁ ନେଉନି । ଦେହ ଅଳସେଇ ଉଠୁଛି, ପାଦରେ ବି ଶକ୍ତି ନାହିଁ ଚାଲିବାକୁ । ଜେଜେମା’ ଭାରି ବ୍ୟସ୍ତ । ଭାବିଲା ସକାଳୁ ସକାଳୁ ଡାକ୍ତରଖାନାକୁ ନେଇ ତାକୁ ଡାକ୍ତରଙ୍କୁ ଦେଖାଇ ଆଣିବ । ପୁଅକୁ କହି ପ୍ରସ୍ତୁତ ହେଲାବେଳକୁ ମାଲିକାଣୀ ଆସୁଥିଲେ ମନ୍ଦିରରୁ । ସେ ଏକଥା ଶୁଣି କହିଲେ- “କେଡ଼େ ବୋକୀଟାଏ କିଲୋ ତୁ. . . ? ସଂସାର କରି ଏତିକି ବି ବୁଝିପାରୁନୁ ।” ଜେଜେମା’ ଆଖିରୁ ଲୁହ ଝରିପଡ଼ିଲା । ମାଲିକାଣୀ ନିଜ ହାତରେ ତା’ ଲୁହ ପୋଛି ଦେଇ କହିଲେ- “ଶୁଭ ଖବରରେ କ’ଣ କାନ୍ଦନ୍ତି କିଲୋ !” ଆଜି ଘରେ କ୍ଷୀରି ତିଆରି କର । ଏଥର ହସିଦେ’ ତୁ ପରା ଜେଜେମାଆ ହବାକୁ ଯାଉଛୁ । ଜେଜେମା’ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ମାଲିକାଣୀଙ୍କ ମୁହଁକୁ । ତା’ ଆଖିରେ ପ୍ରଶ୍ନ- “ତମେ ମିଛ କହି ମତେ ବହଲାଉନ ତ ? ସତ କହୁଛ ମାଆ ?” ସେ ହସି ପକାଇ କହିଲେ- “ନୁହଁ ତ ଆଉ କ’ଣ ?” ଏତିକି କହି ସେ ଭୋଗ ବଢ଼ାଇ ଦେଲେ ବୋହୂ ହାତକୁ । ବୋହୂ ତାଙ୍କ ହାତରୁ ଭୋଗ ନେଇ ଲାଜରେ ଚାଲିଗଲାଣି ଘର ଭିତରକୁ । ପୁଅ ବି ଆଡ଼ ହୋଇ ପଳାଇଲାଣି ଆଖିଆଗରୁ । ପାର ମନ ଆଜି ପୁରା ଖୁସ୍ । ଏତେ ଦିନ ପରେ ଠାକୁରେ ଆଜି ତା’ ମନକଥା ଶୁଣିଛନ୍ତି । ତା’ ବଂଶ ରକ୍ଷା ଲାଗି ବ୍ୟବସ୍ଥା କରିଦେଇଛନ୍ତି । ସେ ଧାଇଁଲା ମନ୍ଦିର, ଦୀପ ଜାଳିବାକୁ । ପୁଅ ବୋହୂ ମିଶି ଡାକ୍ତରଖାନା ଯାଇଛନ୍ତି । ଆଜିକାଲି ସେ ଖୁବ୍ ଖୁସି । କାମ କରିଲା ପରେ ବି ବାଧା ଲାଗୁନି ତାକୁ । ଗୋଟେ ସୁଖକର ସ୍ୱପ୍ନରେ ଅଧୀରା ହୋଇ ସେ ସବୁ ଦୁଃଖ ଆଜି ଭୁଲିଯାଇଛି । କିଛି ମାସ ପରେ ଲୀନାର ଜନ୍ମ. . . ପ୍ରଥମରୁ ମନଟା ଟିକେ ଖଟା ଥିଲେ ବି ଧୀରେ ଧୀରେ ସେ ମନକୁ ଖୁସି କରୁଛି ।

ତା’ର କୁନି କୁନି ଆଖି ଯୋଡ଼ିକ ଭିତରେ ସେ ସବୁତକ ଦୁଃଖ ପାଶୋରି ଦେଇଛି । ହଅ ଆଉ ବର୍ଷଟାଏ ପରେ ଠାକୁର ଚାହିଁଲେ ସେ ନାତି ବକଟକର ମୁହଁ ବି ଦେଖିପାରିବ । ସେଟା ବି ଗୋଟାଏ କିବା କଥା. . . । ଲୀନା ଜନ୍ମବେଳକୁ ସାନବାବୁଙ୍କ ବୟସ ବାରବର୍ଷ । ସେ ବି ଲୀନାର ଜନ୍ମରେ ଆମୋଦିତ । ସ୍କୁଲ୍‌ରୁ ଫେରି ତାରି ପାଖରେ ବସି ରହନ୍ତି ଖାଇବା ପିଇବା ଭୁଲି । ତା’ର କୁନି କୁନି ଆଖିକୁ ଚାହିଁ ପଚାରନ୍ତି ଜେଜେମା’କୁ- “ସେ ତ ସବୁବେଳେ କାନ୍ଦୁଛି । କେବେ କଥା କହିବ ? କେବେ ଚାଲିବ, ହସିବ ?” ଜେଜେମା’ ହସେ ତାଙ୍କ ପ୍ରଶ୍ନରେ । ଆଉ କହେ- “ସେ ବଡ଼ହେଲେ ତମକୁ ହଇରାଣ କରିବ ଯେ ।” ସେ କିନ୍ତୁ ନିର୍ଭୀକ ସ୍ୱରରେ କହିବେ- “ନା ନା ସେ ସେମିତି କିଛି କରିବ ନାହିଁ । ମୋ ସହିତ ସେ ଖେଳିବ, ଗପିବ । ମୋ ବହିପତ୍ର ସଜାଡ଼ି ରଖିଦବ ଆଉ ମୋ ସାଙ୍ଗ ହବ । ହେଲେ ସେ ମୋତ ହଇରାଣ କରିବ ନାହିଁ ।” ଜେଜେମା’ ନିଠେଇ ହୋଇ ପଚାରିବ- “ଆଚ୍ଛା ବାବୁ, ତୁମେ କେମିତି ଜାଣିଲ ଯେ ସେ ତୁମର ସବୁକଥା ମାନିବ ବୋଲି ? ଯଦି ସେ ଦୁଷ୍ଟ ହୋଇ ତୁମର ସବୁତକ ଖେଳନା ଓ ବହିପତ୍ର ନଷ୍ଟ କରିଦେବ, ତେବେ. . . ?” ସେ ଆଉ କିଛି ନ କହି ଲାଜରେ ଉଠି ଚାଲିଯିବେ ପାଖରୁ । ସେ ଜନ୍ମରୁ ଏମିତି-ଭାରି ଲାଜକୁଳା । ବହୁତ କଥା ପଚାରିଲେ ପଦୁଟିଏ କହିବେ ।

ଲୀନା ଠୁକୁଠୁକୁ ହୋଇଚାଲିଲାଣି । ବର୍ଷଟେ ନ ପୁରୁଣୁ ସେ ବାପା, ମାଆ,ବୋଉ ଡାକିଲାଣି ଖନେଇ ଖନେଇ । ଝିଅମାନେ ଖୁବ୍ ଶୀଘ୍ର ବଡ଼ ହୋଇଯାନ୍ତି ପରା । ଭାରି ବୁଦ୍ଧିଆ ହୋଇଛି, ଜେଜେମା’କୁ ନ ଦେଖିବା ଯାଏ ଶୋଉ ନାହିଁ ତା’ ମାଆକୋଳରେ । ଜେଜେମା’ର ଗୀତ ଶୁଣି ଶୋଉଛି । ସେ ଅଗଣାରେ ଟାଙ୍ଗି ଦେଇ ଥିବା ଲୁଗାଦୋଳିରେ । ସାନବାବୁଙ୍କ ପୁରୁଣା ଖେଳଣାରେ ଖେଳୁଛି । ଘରେ ପଡ଼ିଥିବା ସାନବାବୁଙ୍କ କଳଙ୍କି ଲଗା ଦୋଳିରେ ଶୋଇ ଝୁଲିଲାବେଳେ ସେ ଡରିଯାଉଛି । ସାନବାବୁଙ୍କ ଛାଇକୁ ବି ସେ ନିରେଖି ଦେଖୁଛି । ସେ ଆସିଲେ ଗୋଡ଼ ବାଡ଼େଇ ଖେଳୁଛି ଖୁସିରେ । ତାଙ୍କ ସ୍କୁଲ୍‌ବସ୍‌ର ହର୍ଣ୍ଣ ସହିତ ସେ ଏତେ ପରିଚିତ ଯେ ହର୍ଣ୍ଣ ଦେଉ ଦେଉ ସେ ତା’ ଖେଳନାକୁ ଛାଡ଼ି ଗେଟ୍ ଆଡ଼କୁ ଚାହୁଁଛି । ଆଉ ସାନବାବୁ ଆସି ତା’ ଆଗରେ ମୁହଁ ହଲାଇ ଦେଲେ ସେ ଖୁସିରେ ଅଧିରା ହୋଇଯାଉଛି । ଜେଜେମା’ ଭାବୁଛି ଆହା କେତେ ମମତା ସତରେ ଦୁହିଁଙ୍କ ଭିତରେ । ତାକୁ ଏବେ ତିନିବର୍ଷ ହେଲାଣି । ସେ ମମତା ଆଜିଯାଏ ବି ଅତୁଟ । ଦିନକୁ ଦିନ ସେ କଳାଜାଇଟିଏ ପରି ବଢ଼ି ଚାଲିଛି । ସେ ଏବେ ତା’ ମନକୁ ମନ ସାନବାବୁଙ୍କ ଛୋଟ ଛୋଟ କାମ ସବୁ କରିଯାଉଛି । ଯେତେ ମନା କଲେ ବି ସେ ମାନୁନାହିଁ । ପ୍ରତିବଦଳରେ ତା’ ବଧୂଲି ଓଠରେ ହସର ଫୁଲ ଝରିଟିଏ ଖେଳାଇ ସେ ମହୁଝରା ହସଟିଏ ବୁଣି ଦେଉଛି । ସେ ହସ ଦେଖି ପାର୍ବତୀର ମନ ପୁରି ଉଠୁଛି ଗହଗହ ଆନନ୍ଦରେ । ଆଉ କ’ଣ ବା ତାକୁ ସେ ବାରଣ କରିବ ?

ତା’ପରେ

ଲୋକପ୍ରିୟ ଲେଖା

To Top