ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ଲୀନା କିନ୍ତୁ ତା’ ଧୂଳିଖେଳ ଭିତରେ ଆତ୍ମମଗ୍ନ ଥିଲା । ପାଠଶାଠ କ’ଣ ସେ ବୁଝୁନଥିଲା । ତାକୁ ଖାଲି ସାନବାବୁଙ୍କୁ ଦେଖିବାକୁ ଓ ତାଙ୍କ ସହିତ କଥା ହେବାକୁ ଖୁବ୍ ଭଲ ଲାଗୁଥିଲା ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

ପୁର୍ବରୁ

ଲୀନାର ବାପା ମାଆ ଦି’ଜଣ ତା’ ମାମୁଁ ଘରକୁ ବୁଲିଯାଇଛନ୍ତି । ଏଠାରୁ ବେଶୀ ନୁହେଁ ପାଞ୍ଚକୋଶ ବାଟ ଦୂର । ଲୀନା କିନ୍ତୁ ଗଲାନି । ପିଲାଟି ବେଳରୁ ସାନବାବୁଙ୍କ ପ୍ରତି ତା’ର ଅଖଣ୍ଡ ମମତା, ଅଜସ୍ର ସ୍ନେହ । ସବୁବେଳେ ତାଙ୍କ ପଛେ ପଛେ ଚାଲେ । ତା’ ପାଦର ସରୁ ପାଉଁଜିଟି ରୁଣ୍‌ଝୁଣ୍‌ ହୁଏ । ସାନବାବୁ ତା’ ପାଇଁ କେତେବେଳେ ଚକୋଲେଟ୍ ତ ଆଉ କେତେବେଳେ ବିସ୍କୁଟ୍ ଆଣି ଦିଅନ୍ତି । ଆଉ ସେ ଖୁସି ହୋଇ ତାଙ୍କ ହାତରୁ ସେତକ ଝାମ୍ପି ଆଣେ । ସାନବାବୁ ତା’ର ଅତି ପରିଚିତ ଓ ଅତି ଆଦରର ଚେହେରାଟିଏ, ଦଣ୍ଡେ ନ ଦେଖିଲେ ଖୋଜିହୁଏ । ସେ କଥା କହି ଶିଖିବା ପରେ ପ୍ରଥମେ ଡାକିଥିଲା ଚାନବାବୁ. . . ସାନବାବୁ ତାଙ୍କ ନାମର ଏପରି ଉଦ୍ଭଟ ଉଚ୍ଚାରଣରେ କିନ୍ତୁ ହସି ଦେଇଥିଲେ । ସେ ବଢ଼ିବା ସହିତ ତା’ର ସ୍ନେହ ଓ ମମତା ବି ଦିନକୁଦିନ ବଢ଼ି ବଢ଼ି ଚାଲିଥିଲା ।

ତାକୁ ପ୍ରଥମେ ସାନବାବୁ ହିଁ ଧରାଇଥିଲେ ଖଡ଼ି, ସିଲଟ । ତା’ ହାତଧରି ତିନିଟାଶୂନ ଲେଖେଇ ଚିହ୍ନେଇ ଦେଇଥିଲେ- ବ୍ରହ୍ମା, ବିଷ୍ଣୁ, ମହେଶ୍ୱର । ଲୀନା ବି ବେଶ୍ କିଛିଦିନ ସେଇ ଗୋଲ ଉପରେ ଖଡ଼ି ଗଡେ଼ଇ ଗଡେ଼ଇ ଖନେଇ କହୁଥିଲା- “ବମା, ବିଷୁ, ମହେଶଲ. . .” ଆଉ ସମସ୍ତେ ହସି ହସି ଗଡ଼ି ଯାଉଥିଲେ ତା’ର ଏଭଳି ଉଚ୍ଚାରଣରେ । ପାର୍ବତୀର ପେଟ ପୁରି ଉଠୁଥିଲା ଆନନ୍ଦରେ । ସେ ଭାବୁଥିଲା- ତା’ ନାତୁଣୀ ପାଠ ପଢ଼ିବ, ମଣିଷ ହେବ । ତାକୁ ଆଉ ପରଘରେ କାମ କରି ପେଟ ପୋଷିବାକୁ ପଡ଼ିବନି କି ଏମିତି ଅସହାୟ ଓ ଦାରିଦ୍ର୍ୟ ଭିତରେ ସେ ଜୀଇଁବନି । ସାନବାବୁ ବେଳଉଣ୍ଡି ତାକୁ ପଢ଼େଇ ଦିଅନ୍ତି । ନ ହେଲେ ନିଜେ ଲୀନା ତା’ ଖଡ଼ିସିଲଟ ଧରି ଚାଲିଯାଏ ତାଙ୍କ ପାଖକୁ । ତଳେ ବସିଯାଏ ସେ । ଆଉ ସୁନାପିଲାଟି ପରି ତା’ ସିଲଟଟା ବଢ଼େଇ ଦେଇ କହେ- “ପାଠ. . .” । ସାନବାବୁ ମୁରୁକି ହସନ୍ତି ତା’ କଥାରେ । କହନ୍ତି- “ଇଏ ଭଲ ପାଠ ପଢ଼ିବ ଧାଈମାଆ । ୟା’କୁ କାମ ନ କରାଇ ପାଠ ପଢ଼ିବାକୁ ଦିଅ ।” ପାର୍ବତୀ ଆଖିଲୁହରେ ଜକେଇ ଆସେ । ସେ ଗୋଟାଏ ସୁନେଲୀ ଭବିଷ୍ୟତ ଭିତରେ ଉଲ୍ଲସି ଉଠେ । ଭାବେ ତା’ ବଂଶରେ କେହି ବି ପାଠ ପଢ଼ିନାହାନ୍ତି । ହେଲେ ତା’ ନାତୁଣୀ ନାଁ କରିବ । ସେ ପାଠ ପଢ଼ିବ, ଚାକିରୀ କରିବ । ଏତିକି ଭାବୁ ଭାବୁ ତା’ ମନଟା ଖସିପଡେ଼ ତଳକୁ ହଠାତ୍ । ମନତଳେ ପ୍ରଶ୍ନଟିଏ ଉଙ୍କିମାରେ- ସତରେ ତା’ ଲୀନା କ’ଣ ଦିନେ ସୁନାମ ଅର୍ଜିବ ? ଅର୍ଜନ କରିପାରିବ ସେ ? ନା ନା ସେ ପୁଅକୁ କହି ପାଖ ଇସ୍କୁଲ୍‌ରେ ତା’ ନାଁ ଲେଖାଇ ଦେବ । ବୋହୂକୁ କହି ଦେବ ଆଜିଠାରୁ ତା’ ନାତୁଣୀ କୁଟା ଖଣ୍ଡକୁ ଦି’ଖଣ୍ଡ କରିବନି । ସେ ଖାଲି ପାଠ ପଢ଼ିବ, ଖୁବ୍ ପଢ଼ିବ । ସକାଳଟାରୁ ସିଲଟ ଖଡ଼ି ନେଇ ସେ ସାନବାବୁଙ୍କ ପାଖରେ ବସିଛି ।

କ’ଣ କ’ଣ ସବୁ ଅକ୍ଷର ଲେଖି ଶିଖିଲାଣି ସେ ଧୀରେ ଧୀରେ । ସେହି ଆବେଗରେ ସେ ଆଜି ତା’ ବାପା ବୋଉଙ୍କ ସହିତ ନିଜ ମାମୁଁଘରକୁ ବି ଗଲାନି । ହେଲେ ଜେଜେମାଆ ପୁଅବୋହୂଙ୍କୁ ସେଠାରେ ଦୁଇଦିନ ରହିବାକୁ ଅନୁମତି ଦେଇଛି । ତାକୁ ହିଁ ନାତୁଣୀ କଥା ବୁଝିବାକୁ ପଡ଼ିବ ଅନ୍ୟାନ୍ୟ କାମ ଭିତରେ ବି । ସେ ବି ବଡ଼ ଅଦ୍ଭୁତ । ତାକୁ ଜୋର୍ କରି ନ ଟାଣିଲେ ସେ ଆସିବନି ଖାଇବାକୁ । ପାର୍ବତୀ ତା’ ପାଖକୁ ଗଲା । ସେ କିନ୍ତୁ ତା’ ପାଠରେ ଅନ୍ୟମନସ୍କ । ଅଙ୍କ ଶିଖୁଛି ସେ ଏବେ ସାନମାଲିକଙ୍କ ପାଖରୁ । ସାନମାଲିକଙ୍କ ପାଇଁ ପାର୍ବତୀ ଆଖିରେ ଲୁହ ଝରି ପଡୁଛି । ସତରେ ସେ ଆଜି ସବୁତକ ଦେୟ ପୂରଣ କରି ଦେଇଛନ୍ତି । ଲୀନାକୁ ପାଠପଢ଼ାଇ ସେ ତାକୁ ବି ଋଣୀ କରିଦେଲେ । ସାନବାବୁ ପାର୍ବତୀକୁ ଦେଖି କହିଲେ- “ଆଜି ପାଇଁ ପାଠ ସେତିକି. . . । ତୁ ଯାଆ ଏବେ ।” ସେ କିନ୍ତୁ ଉଠୁନି ତାଙ୍କ ପାଖରୁ । ଜେଜେମା’ ତାକୁ ଟାଣିଲା- “ଆ’ ମାଆ, ଖାଇବୁ ଆ’. . . ଏତେବେଳ ହେଲାଣି । କିଛି ଖାଇନୁ ପରା ।” ସେ ଗୁମ୍‌ସୁମ୍‌ ଆଖିରେ ଚାହିଁଲା ଜେଜେମାଆର ମୁହଁକୁ । ବୋଧହୁଏ ତା’ର ଇଚ୍ଛା ନଥିଲା ଆସିବାକୁ ପାଠ ପାଖରୁ କି ସାନବାବୁଙ୍କ ପାଖରୁ । ଜେଜେମାଆ ଆସି ନଥିଲେ ସାନବାବୁ ତାକୁ ଆଉରି ପଢ଼ାଇଥାନ୍ତେ । ହେଲେ ଏ ଜେଜେମାଆ. . . ଭାରି ଦୁଷ୍ଟ । ଖରା ପାକଳ ହେଉଥାଏ କ୍ରମଶଃ । ଲୀନାକୁ ଖୁଆଇ ଦେଇ ସଫାସଫି କରିବାକୁ ପାର୍ବତୀ ଚାଲିଯାଉଥିଲା । ସାନବାବୁ ବି କଲେଜ୍ ବାହାରୁଥିଲେ । ଆଜିକାଲି ସେ ମ୍ୟାଟ୍ରିକ୍‌ରେ ଭଲ ନମ୍ୱରରେ ପାଶ୍ କରି ନୂଆ କରି କଲେଜ୍‌ରେ ନାଁ ଲେଖାଇଛନ୍ତି । ଖୁବ୍ ଭଲ ପଢ଼ନ୍ତି । ମାଛିକୁ ମ’ କହୁନଥିବା ଭାରି ଭଦ୍ର ଓ ନମ୍ର ପିଲା ସେ । ତାଙ୍କରି କଥାରେ ଏଥର ପୁଅବୋହୂ ଫେରିଲା ପରେ ସେ ଲୀନାକୁ ସ୍କୁଲ୍‌ରେ ନାଁ ଲେଖାଇ ପଢ଼ାଇବାର ପ୍ରସ୍ତାବ ଦେବ । ସେମାନେ ରାଜି ନ ହେଲେ ସେ ନିଜେ ତା’ ପାଇଁ ସବୁତକ ବନ୍ଦୋବସ୍ତ କରିବ । ଲୀନା କିନ୍ତୁ ତା’ ଧୂଳିଖେଳ ଭିତରେ ଆତ୍ମମଗ୍ନ ଥିଲା । ପାଠଶାଠ କ’ଣ ସେ ବୁଝୁନଥିଲା । ତାକୁ ଖାଲି ସାନବାବୁଙ୍କୁ ଦେଖିବାକୁ ଓ ତାଙ୍କ ସହିତ କଥା ହେବାକୁ ଖୁବ୍ ଭଲ ଲାଗୁଥିଲା । ଏମିତିକି ସେ ପାଠ ସାରି ତାଙ୍କ ପାଖରୁ ଆସିବା ମାତ୍ରକେ ତା’ ମନ ଫିକା ପଡ଼ିଯାଉଥିଲା । ମଉଳି ଯାଉଥିଲା ତା’ ପଦ୍ମଫୁଲିଆ ଗୋରାମୁହଁଟା । ହେଲେ ଏକଥା କାହାକୁ କହିବାକୁ ଡର ଲାଗୁଥିଲା । କାଳେ କିଏ ରାଗିବ ତା’ ଉପରେ । ଯେତେ ଯାହା ହେଲେ ବି ସାନବାବୁ ବଡ଼ଲୋକ. . . ଆଉ ସେ ଖୁବ୍ ଗରିବ । କାଳେ ମାଲିକ ଏକଥାରେ ତା’ ଜେଜେମାଆକୁ ତଡ଼ି ଦେବେ ତାଙ୍କ ଘରୁ । ଲୀନାର ଏତକ ବୁଝିବାର ବୟସ ହୋଇ ନଥିଲେ ବି ଜେଜେମାଆ ତାକୁ ସେମାନଙ୍କ ଭିତରେ ଥିବା ମାଲିକ ଓ ଚାକରର ସମ୍ପର୍କକୁ ବୁଝାଇ ସାରିଥିଲା । ଆଉ ଲୀନା ବି ସଠିକ୍ ଭାବରେ ସେସବୁକୁ ଆତ୍ମସ୍ଥ କରି ଯାଇଥିଲା ଓ ସେ ଦୂରତ୍ୱକୁ ରକ୍ଷା ମଧ୍ୟ କରୁଥିଲା ।

xxxxxxxxxxxxxxxxxxxxx

ପାର୍ବତୀ ସ୍ତବ୍ଧା. . . ଏମିତି କି ପାପ କରିଥିଲା ଯେ ବିଧିର ବିଧାନ ତା’ ପାଇଁ ଏତେ ନିର୍ମମ । ତା’ ଖୁସିରେ କାହାର ନଜର ପଡ଼ିଲା କେଜାଣି ସେ ଦୁଇଜଣ ବି ସଂସାରରୁ ଚାଲିଗଲେ ତାକୁ ଏକା କରି । ତା’ର ଦୁର୍ଭାଗ୍ୟ କ’ଣ କେବେ ବି ତା’ ପିଛା ଛାଡ଼ିବ ନାହିଁ । ଛୋଟିଆ ଛୁଆଟିକୁ କେମିତି ପାଳିବ ଏ ପରିଣତ ବୟସରେ । ବାହୁନି ବାହୁନି କାନ୍ଦି ଉଠିଲା ସେ । ପୁଅବୋହୂ ଆସୁଥିବା ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କିଛିଲୋକ ମୃତୁ୍ୟବରଣ କରିଛନ୍ତି । ସେମାନଙ୍କ ଭିତରେ ତା’ ପୁଅବୋହୂ ବି ସାମିଲ୍ ଅଛନ୍ତି । ଏକଥା ଶୁଣିବା ପରଠାରୁ ପାର୍ବତୀ ଅଧୈର୍ଯ୍ୟା । ପାଗେଳୀଙ୍କ ପରି କେତେବେଳେ କାନ୍ଥରେ ମୁଣ୍ଡ ପିଟି ଦେଉଛି ତ କେତେବେଳେ ଧାଉଁଛି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବାକୁ । ତାକୁ ମାଲିକାଣୀ ଜଗିବସିଛନ୍ତି । କାଳେ କ’ଣ କରିପକାଇବ । ଏ ଦୁଃଖ କ’ଣ କମ୍ ହୋଇଛି ତା’ର । ବିଚାରୀର ହୀନିକପାଳିଟା । ହେଲେ ଲୀନାର ମୋହ ତାକୁ ବାନ୍ଧି ରଖିଲା ପୁନଶ୍ଚ । ସେତେବେଳେ ବି ସେ ତା’ ଶେଯର ପୁଅ ଭରସାରେ ଜୀଇଁଥିଲା ଆଉ ଆଜି ସେ ଏଇ ଛୋଟ ଝିଅ ପାଇଁ ଜୀଇଁବ, କାରଣ ତାକୁ ଜୀଇଁବାକୁ ପଡ଼ିବ ସବୁତକ ଦୁଃଖ ଭୁଲି । ମାଲିକାଣୀ ତାକୁ ବୁଝାଉଥାନ୍ତି, ତା’ ଆଖିରୁ ଲୁହ ପୋଛି ପକାଉଥାନ୍ତି । ପାର ଆଜିଯାଏଁ ସମସ୍ତଙ୍କ ପାଇଁ କରିଆସିଛି । ହେଲେ ତା’ ପାଇଁ ଭାଗ୍ୟରେ ଖାଲି ଦୁଃଖ ହିଁ ଦୁଃଖ । ମାସ ଗୋଟାଏ ହବ, ପାର କିଛି ଖାଉନି କି ପିଉନି । ତା’ ଦେହରେ ସାଲାଇନ୍ ଲାଗିଛି । ଗୋଟେ କୋଣକୁ ଛିଡ଼ା ହୋଇ ଲୀନା ଜୁଳୁଜୁଳୁ ଚାହିଁଛି ତାକୁ । ତା’ ନିରୀହ ଆଖିରେ ବି ହଜାରେ ଯାତନା । ସେଦିନ ସାନବାବୁ ଜେଜେମା’ର ମଥାପାଖରେ ବସି ତା’ ମଥାକୁ ଆଉଁସି ଦେଉଥାନ୍ତି । ଆଉ ଜେଜେମା’ ଆଖିରୁ ଧାରଧାର ଲୁହ ନିଗିଡ଼ି ପଡୁଥାଏ ନିରବରେ । ସାନବାବୁ ଜାଣିପାରିଲେ କି କ’ଣ ତା’ ଆଖିରୁ ଲୁହ ପୋଛି ଦେଇ କହିଲେ-

– “ଧାଈ ମା’ ତୁମେ ଜମାରୁ ବ୍ୟସ୍ତ ହୁଅନି । ମୁଁ ଅଛି ପରା । ତୁମେ ମୋତେ କ’ଣ ନିଜର ବୋଲି ଭାବ ନାହିଁ ? ମୋତେ ତ ମାଆଟି ପରି ପାଳିଥିଲ, ମୋର ପିଲାଦିନଟା ତୁମରି କୋଳରେ ବେଶି ବିତିଥିଲା ନା । ତେବେ ଏତିକି ବିଶ୍ୱାସ ନାହିଁ ତୁମ ସାନବାବୁ ଉପରେ । ଗୋଟେ ପୁଅ ଚାଲିଯାଇଛି ସିନା ହେଲେ ଆଉ ଗୋଟିଏ ପୁଅ ତ ବଞ୍ଚିଛି ନା । ତୁମର ଓ ଲୀନାର ସମ୍ପୂର୍ଣ୍ଣ ଦାୟିତ୍ୱ ଆମର । ଅବିଶ୍ୱାସ କରିବନି ଧାଈମା’, ଅନ୍ତତଃ ମୁଁ ଏ ସଂସାରରେ ଥିବାଯାଏଁ କାହାର କିଛି ଅସୁବିଧା ହେବନି । ତୁମେ ସବୁ ସୁଖ ଛାଡ଼ି ମାଆଙ୍କ ସହିତ ସାରାଜୀବନ ବିତାଇଛ, ତାଙ୍କର ଓ ଘରର ସବୁ ଦାୟିତ୍ୱ ବିନା ସ୍ୱାର୍ଥରେ ସମ୍ପାଦନ କରିଆସିଛ । ତୁମେ ତ ମୋ ପାଇଁ ଆଉ ଜଣେ ମାଆ । ସାରା ଜୀବନ ମୁଁ ଏକଥା ମନେରଖିବି, କଥା ଦେଉଛି । ତୁମର ସମସ୍ତ ତ୍ୟାଗକୁ ଆମେ ସମସ୍ତେ ବୁଝିପାରୁ । ତୁମେ ଆଉ ଦୁଃଖ କରନି । ଭରସା ରଖ ଆମ ଉପରେ ।” ସେଦିନ ଜେଜେମା’ ଆହୁରି ବେଶି କାନ୍ଦିଥିଲା ସାନବାବୁଙ୍କ ହାତକୁ ଧରି । ତାଙ୍କ ମଥାକୁ ସାଉଁଳେଇ ଦେଇ ଜଡ଼ାଇ ଧରିଥିଲା ତାଙ୍କୁ ତା’ ଛାତି ଭିତରେ । ଛୋଟ ପିଲାଟିଏ ଭଳି କଇଁକଇଁ କାନ୍ଦିଥିଲା । ଜେଜେମାଆକୁ ଦେଖି ଲୀନା ଆଖିରୁ ବି ଲୁହ ଝରୁଥିଲା । ସାନବାବୁଙ୍କ ଆଖି ବି ବୋଧହୁଏ ଓଦା ହୋଇଆସୁଥିଲା କ୍ରମଶଃ । ସତରେ ସାନବାବୁ ମଣିଷ ନୁହନ୍ତି ତ ଦେବତା ଜଣେ । ସେଦିନଠାରୁ ତାଙ୍କ ପ୍ରତି ଥିବା ଆଦର ଓ ସ୍ନେହ ଆହୁରି ବଢ଼ିଗଲା । ଲୀନା ସିନା ଛୋଟିଆ ଥିଲା ଏସବୁ କଥାକୁ ବୁଝିବାକୁ, ହେଲେ ସେ ଠଉରାଇ ପାରୁଥିଲା ସେ ମୁହୂର୍ତ୍ତର ଦୁର୍ବଳ ପରିବେଶକୁ । ସେଭଳି ଦେବତାଙ୍କର ପାଦ ସେବା କରି ଜୀବନ ଗଲେ ବି ଅବଶୋଷ ନାହିଁ । ସାନବାବୁଙ୍କର ଏଇକଥା ପଦିକରେ ଜେଜେମା’ ପୁରା ସୁସ୍ଥ ହୋଇଗଲା । ତାକୁ ଲାଗିଲା କେହି ଜଣେ ଅଛି ତା’ ପାଇଁ, ଲୀନା ପାଇଁ । ରକ୍ତ ସମ୍ପର୍କ ବିନା କ’ଣ ଆଉ କିଛି ସମ୍ପର୍କ ନାହିଁ ! ସେ ସବୁ ଦୁଃଖକୁ ପଛ କରି ପୁଣି ପୂର୍ବଭଳି ସେ ତା’ କର୍ତ୍ତବ୍ୟ ସମ୍ପାଦନ କରିବାରେ ଲାଗିଗଲା । ଅବ୍ୟକ୍ତ ଦୁଃଖ ଭାରାରେ କୁହୁଳି ଉଠୁଥିବାବେଳେ ସାନବାବୁଙ୍କ ମୁହଁ ଦେଖି ନିଜକୁ ସମ୍ଭାଳି ନେଲା । ସାନବାବୁଙ୍କ ଭିତରେ ସେ ହଜାଇ ଦେଇ ଥିବା ତା’ ପୁଅବୋହୂଙ୍କ ଛବିକୁ ଉଣ୍ଡାଳୁଥିଲା ବୋଧହୁଏ ସମସ୍ତଙ୍କ ଅଲକ୍ଷ୍ୟରେ । ସେ ଯାହା ବି ହେଉ ଭାଗ୍ୟର ଏତେବଡ଼ ଧକ୍କାକୁ ସେ ଆକଣ୍ଠ ପିଇଗଲା ।

ସେଇ ଚିରାଚରିତ ମଇଳାଗଣ୍ଠିଲି ଓ ଅଇଁଠାବାସନର ଗଦାକୁ ମନ ଭିତରେ ଗ୍ରହଣ କରିଯାଉଥିଲା । ଭାବୁଥିଲା ସତରେ କ’ଣ ଲୀନାକୁ ସେ ଆଉ ପାଠ ପଢ଼ାଇ ମଣିଷ କରିପାରିବ । ତା’ର ଦମ୍ଭ ତ ଭାଙ୍ଗିଗଲା । ଏତେ ବଡ଼ ଝଡ଼ ବତାସ ତାକୁ ବିପର୍ଯ୍ୟସ୍ତ କରି ପକାଇଲା । ଦୁହିଁଙ୍କ ପେଟ ପାଳିବା ପାଇଁ ସେ ଏବେ ସଂଘର୍ଷ କରିବ । ତାକୁ ପଢ଼ାଇବ ପୁଣି କୋଉ ସାହସରେ ? ମାଲିକ, ମାଲିକାଣୀ କ’ଣ ଭାବିବେ ? କହିବେ- “ବୁଢ଼ୀର ଭାରି ବହପ । ଏଇ ଘରକାମକୁ ପାରୁନି । ତା’ ସହିତ ଲୀନାର ବୋଝ, ମୁଣ୍ଡ ଗୁଞ୍ଜିବାକୁ ଛାତ. . . ଆଉ ଅଧିକ କ’ଣ ବା ଦେବେ ସେମାନେ । ତା’ ବୋଲି କ’ଣ ସେ ଲୀନାର ପାଠପଢ଼ାର ଦାୟିତ୍ୱ ସେମାନଙ୍କ ଉପରେ ପକାଇବ ?” ଏମିତି ଦ୍ୱିଧାରେ ବିତୁଥିଲା ତା’ର ଦିନମାନ । କିନ୍ତୁ ବୟସ ସହିତ ଲୀନା ସାନବାବୁଙ୍କ ପାଖରେ ପଢ଼ି ବସୁଥିଲା । ଇଂରାଜୀରେ ଦି’ପଦ କହୁଥିଲା । ମୋଟାମୋଟି ଭାବରେ ଆଜିକାଲି ଦୁନିଆଁରେ ଚଳିବାକୁ ଯେତିକି ଜ୍ଞାନ ଦରକାର ସେତିକି ଜ୍ଞାନ ତ ଲୀନାର ବି ହୋଇଯାଇଥିଲା । ବଜାର ସଉଦାର ହିସାବପତ୍ରଠାରୁ ଆରମ୍ଭ କରି . . . କ୍ଷୀରବାଲା, ପେପର୍‌ବାଲା, ଇଲେକ୍ଟ୍ରିକ୍ ବିଲ୍, ଧୋବାକୁ ଦେଇଥିବା ଲୁଗାପଟା ଏସବୁର ହିସାବ କରୁଥିଲା । ଏବଂ କିଛି ତ୍ରୁଟି ଦେଖିଲେ ପ୍ରତିରୋଧ କରୁଥିଲା । ତର୍କ ବି କରୁଥିଲା । ଟି.ଭି.ରେ ଦେଉଥିବା ସମ୍ୱାଦରୁ ସେ ଦେଶବିଦେଶ ସମ୍ପର୍କରେ ତା’ ଜେଜେମାଆକୁ ବୁଝାଉଥିଲା । ସେତେକିରେ ଜେଜେମାଆ ଖୁସ୍ । ଚାକିରୀ ନ କରିପାରୁ ପଛକେ ତା’ ନାତୁଣୀ ବେଶ୍ କିଛି ପାଠ ପଢ଼ିଛି । କେବେ କେମିତି ମାଲିକଙ୍କ ପାଖରେ ଚଷମା ନଥିଲେ ତାଙ୍କ ପାଇଁ ସେ ପେପର୍ ପଢ଼ି ଦେଉଛି । ତାଙ୍କ ଫାଇଲ୍ ପତ୍ର ସବୁକୁ ଠିକ୍ ଯାଗାରେ ରଖି ଦେଉଛି । ଏଇ କ’ଣ କମ୍ କଥା ! ତା’ ଚଉଦପୁରୁଷରେ ଅକ୍ଷର କେହି ଜାଣିନଥିଲେ । ସେ ସାହସ ବି ପାଉନଥିଲା କାହାର । ଆଜି ତା’ ନାତୁଣୀ ନିଜ ଇଚ୍ଛାରେ କିଛି ଅକ୍ଷର ପଢ଼ି ଶିକ୍ଷିତା ବୋଲାଇ ପାରିଛି ।

ତା’ପରେ

ଲୋକପ୍ରିୟ ଲେଖା

To Top