ଗଳ୍ପ

ଆଶ୍ଚର୍ଯ୍ୟ ଚିତ୍ରକର

Dr Bibhuti Pattanaik's odia story Aascharjya Chitrakar

ପନ୍ଦର ମିନିଟ୍‌ରେ ବାବା ଆଙ୍କି ଦେଇ ପାରୁଛନ୍ତି ଯେକୌଣସି ଲୋକଙ୍କର ଅବିକଳ ପ୍ରତିକୃତି । କଳା, ଧଳା ରଙ୍ଗର ପୋଟ୍ରେଟ୍ ପାଇଁ ନେଉଛନ୍ତି ଶହେ ଟଙ୍କା, ଆଉ ରଙ୍ଗିନ୍ ପ୍ରତିକୃତି ଲାଗି ପାଞ୍ଚଶହ ଟଙ୍କା ।

ଆଶ୍ଚର୍ଯ୍ୟ ଚିତ୍ରକର

-: ପୂର୍ବରୁ :-

ଭାଇ ଭାଉଜ, ସାନଭାଇ, ସାନବୋହୂ, ଭଉଣୀ ଓ ଭିଣୋଇ ବାରବର୍ଷ ବିତି ବତିଶ ବର୍ଷ ବିତିଗଲା ପରେ ଧରିନେଲେ ଯେ ଅଜୟ ଆଉ ନାହିଁ ଅଥବା ଆଉ କେବେ ଘରକୁ ଫେରିବ ନାହିଁ ।

ସେମାନେ ତା’ ନାମ ବାକି ଖାତାରେ ଲେଖିଦେଲେ ।

ଶ୍ରାବଣ ପୂର୍ଣ୍ଣମୀ ଆସିଲେ ମନ୍ଦାକିନୀ ମଧ୍ୟ ଆଉ ମଝିଆ ପୁଅ ପାଇଁ ମନ୍ଦିରକୁ ପୂଜା ଦେବାକୁ ଗଲେ ନାହିଁ । ସେ ବଞ୍ଚିଥିବ, ଦିନେ ନା ଦିନେ ଫେରି ଆସିବ- ଏକଥା ଭାବି ସେ ନିଜକୁ ଆଉ କଷ୍ଟ ଦେବାକୁ ଚାହିଁଲେ ନାହିଁ । ବଞ୍ଚିଥିଲେ ନିଶ୍ଚୟ ଫେରି ଆସିଥାଆନ୍ତା । ଯେଉଁ ବାପାଙ୍କ ନିଷ୍ଠୁର ବାଣୀ ଶୁଣି ସେ ଘର ଛାଡ଼ି ଚାଲିଯାଇଥିଲା, ସେ ଏ ପୁର ଛାଡ଼ି ସେ ପୁରକୁ ଚାଲିଗଲା ପରେ ସେ ଆଉ କାହା ଉପରେ ଅଭିମାନ କରି ଘର ଛାଡ଼ି ଦୂରରେ ରହୁଛି ।

ସେ ନାହିଁ, ସେ ନାହିଁ ।

ସେ ନ ଥିବା କଥାଟା ସତ୍ୟ ବୋଲି ଧରିନେଲା ପରେ ମନ୍ଦାକିନୀଙ୍କର ମଧ୍ୟ ଆଜିକାଲି ମଝିଆ ପୁଅ ପାଇଁ ମନ କଷ୍ଟ ହୁଏ ନାଇଁ ।

ନାତି, ନାତୁଣୀ, ପୁଅ, ବୋହୂଙ୍କ ଗହଳି ଚହଳିରେ ସେ ନିଜକୁ ହଜାଇ ଦିଅନ୍ତି, ହଜି ଯାଇଥିବା ମନକୁ ଖୋଜିବା ପାଇଁ ତାଙ୍କ ଦେହରେ ବଳ ନ ଥାଏ । ମନରେ ଆଗ୍ରହ କମିଯାଏ ।

ମନ ଧୀରେ ଧୀରେ ସାଂସାରିକ ମାୟା ଜଞ୍ଜାଳଠାରୁ ଆଧ୍ୟାତ୍ମିକ ଭାବନା ଆଡ଼କୁ ବନ୍ୟାଜଳ ଭଳି ମାଡ଼ିଯାଏ । ସେ ମନ୍ଦିରରେ ପୂଜା ଦେବାକୁ ଯାଆନ୍ତି ନାହିଁ, କିନ୍ତୁ ସନ୍ଧ୍ୟା ଆଳତି ଦେଖିବାକୁ କୌଣସି ଦିନ ଭୁଲନ୍ତି ନାହିଁ । ସେ ତୁଳସୀମାଳି ଧରି ଜପ କରନ୍ତି ନାହିଁ, ମନ୍ଦିର ବାହାରେ ଧାଡ଼ି ବାନ୍ଧି ବସିଥିବା ଛୋଟା, କଣା, ଅନ୍ଧ, ରୋଗୀ ଏବଂ ଭିକାରୀମାନଙ୍କୁ ହାତ ଖୋଲା ଦାନ ଦିଅନ୍ତି ।

ଆଗେ ଆଇଁଷ ନ ହେଲେ ଭାତ ରୁଚୁ ନଥିଲା, ଏବେ ଆଇଁଷ ଗନ୍ଧ ଆସିଲେ ତାଙ୍କ ପେଟରୁ ଭାତ ବାହାରି ଆସେ ।

ନିଜ ସହର ଛାଡ଼ି କେବେ ଦିଅଁ ଦେଖିବାକୁ ସେ ଅନ୍ୟ ତୀର୍ଥ ଯିବାକୁ ମନ ବଳାଇ ନ ଥିଲେ, ସେ ବର୍ଷ କେଜାଣି କାହିଁକି କୁମ୍ଭମେଳା ଦେଖି ଯିବା ପାଇଁ ମନ୍ଦାକିନୀଙ୍କର ମନ ଅଥୟ ହେଲା ।

ଦୀପରୁ ତେଲ ସରି ଆସୁଛି, କେଉଁଦିନ ଅଚାନକ ଜୀବନଦୀପ ଲିଭିଯିବ, ତା’ର କିଛି ଠିକ୍ ଠିକଣା ନାହିଁ । ଏ ଜନ୍ମରେ ଥରେ ହେଲେ କୁମ୍ଭମେଳା ନ ଦେଖି ସ୍ୱାମୀଙ୍କ ପାଖକୁ ଫେରିଯିବେ, ଏ କଥା ଭାବିଲେ ମନ୍ଦାକିନୀଙ୍କୁ କେମିତି କାନ୍ଦ ମାଡ଼ିଲା ।

ସ୍ୱାମୀଙ୍କ ସହ ସାତ ଆଠଥର ସେ ପୁରୀ ଯାଇ ରଥଯାତ୍ରା ଦେଖିଛନ୍ତି । କିନ୍ତୁ ପ୍ରଥମ ଓ ଶେଷଥର କୁମ୍ଭମେଳା ଗଲାବେଳେ ସ୍ୱାମୀ ତାଙ୍କ ପାଖରେ ନ ଥିବେ- ଏକଥା ମନେ ପଡ଼ିଯିବାକୁ ତାଙ୍କ ଛାତି ଭିତରୁ କୋହ ଉଠି ଆସୁଥିଲା ।

ସଞ୍ଜୟ କିମ୍ୱା ଅକ୍ଷୟ ନୁହେଁ- ତାଙ୍କ କୁମ୍ଭମେଳା ଦେଖିବାକୁ ଯିବାର ଇଚ୍ଛା ଟେଲିଫୋନ୍‌ରେ ଝିଅ ଇତିକୁ କହୁ କହୁ କହିଦେଲେ ।

ଇତି ଆଶ୍ୱାସନା ଦେଲା- ତୁ କିଛି ଚିନ୍ତା କରନା । ତୋ ଜ୍ୱାଇଁ ଏହ୍ଲାବାଦ ପୋଲିସ୍ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି କହିଦେବେ । କୁମ୍ଭ ଦର୍ଶନ, ଗଙ୍ଗାସ୍ନାନ ବ୍ୟବସ୍ଥା ସେମାନେ କରିଦେବେ ।

ବ୍ୟବସ୍ଥା ହୋଇଗଲା ।

ଝିଅ ଓ ନାତିକୁ ସାଙ୍ଗରେ ନେଇ ମେଳା ଦେଖି ବାହାରିଲେ ମନ୍ଦାକିନୀ । ଏହ୍ଲାବାଦ ସଙ୍ଗମସ୍ଥଳ ଜନସମୁଦ୍ର । ସାଧୁ, ସନ୍ଥମାନଙ୍କ ଆଖଡ଼ାସ୍ଥଳ । ତମ୍ବୁର ସହର, ତୀର୍ଥଯାତ୍ରୀମାନଙ୍କ ଅପେକ୍ଷା ଦେଖଣାହାରିଙ୍କ ସଂଖ୍ୟା ଅଧିକ । ବିଦେଶ ପର୍ଯ୍ୟଟକଙ୍କ ଉପରେ ଟେଲିଭିଜନ କ୍ୟାମେରାର ବେଶି ନଜର ।

ଏଥର ପୂର୍ଣ୍ଣକୁମ୍ଭ । ମେଳା ଦେଖି ପାପ ପ୍ରକ୍ଷାଳନ କରିବା ପାଇଁ ଭାରତବର୍ଷର କୋଣଅନୁକୋଣରୁ ଯେପରି ଲକ୍ଷ ଲକ୍ଷ ଲୋକଙ୍କ ସୁଅ ଛୁଟିଛି । ପାହାଡ଼ କନ୍ଦର, ବଣ ଜଙ୍ଗଲ, ମଠ ମନ୍ଦିର ଛାଡ଼ି ସେହିପରି ସାଧୁ ସନ୍ଥମାନେ ଦଳବଳ ସହ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଆସି ତମ୍ବୁ ପକାଇଛନ୍ତି ପୁଣ୍ୟତୋୟା ଗଙ୍ଗାକୂଳରେ ।

ଗଙ୍ଗାସ୍ନାନ ସାରି ସାଧୁଦର୍ଶନ ପାଇଁ ତମ୍ବୁରେ ଭିଡ଼ ।

ନାତିର ହାତଧରି, ଭିଡ଼ ଠେଲି ଧୀରେ ଧୀରେ ଆଗକୁ ଅଗ୍ରସର ହେଉଥିଲେ ମନ୍ଦାକିନୀ । ପଛେ ପଛେ ଇତି । ହଠାତ୍ ଯୋଗେଶ୍ୱର ବାବାଙ୍କ ତମ୍ବୁ ପାଖରେ ଗହଳି ଦେଖି ଇତିର ପାଦ ସ୍ଥିର ହୋଇଗଲା ।

ଏଇ କେଇଦିନ ହେଲା ଏହ୍ଲାବାଦର ସବୁ ହିନ୍ଦୀ ଖବରକାଗଜରେ ଏଇ ଯୋଗେଶ୍ୱର ବାବା ଜଣେ ଆଶ୍ଚର୍ଯ୍ୟ ଚିତ୍ରକର ବୋଲି ବିଜ୍ଞାପନ ଛପା ହେଉଛି । ପନ୍ଦର ମିନିଟ୍‌ରେ ବାବା ଆଙ୍କି ଦେଇ ପାରୁଛନ୍ତି ଯେକୌଣସି ଲୋକଙ୍କର ଅବିକଳ ପ୍ରତିକୃତି । କଳା, ଧଳା ରଙ୍ଗର ପୋଟ୍ରେଟ୍ ପାଇଁ ନେଉଛନ୍ତି ଶହେ ଟଙ୍କା, ଆଉ ରଙ୍ଗିନ୍ ପ୍ରତିକୃତି ଲାଗି ପାଞ୍ଚଶହ ଟଙ୍କା ।

ଅନ୍ୟ ଆର୍ଟିଷ୍ଟଙ୍କ ଅପେକ୍ଷା ଚିତ୍ରକର ବାବାଙ୍କର ପୋଟ୍ରେଟ୍‌ର ବୈଶିଷ୍ଟ୍ୟ ହେଲା ମୁହଁର ଛବିରେ ମନର ଚିତ୍ର ମଧ୍ୟ ଫୁଟି ଉଠୁଛି । ବାବାଙ୍କ ଅନ୍ତର୍ଭେଦୀ ଦୃଷ୍ଟି ଯୋଗୁଁ ମନଗହନର କଥା ମୁହଁର ପ୍ରତିକୃତିରେ ପ୍ରତିବିମ୍ୱିତ ହୋଇ ଉଠୁଛି ।

ସେଥିପାଇଁ ଗୋଟିଏ ହିନ୍ଦୀ ଖବରକାଗଜ ହିମାଳୟ ଯୋଗାଶ୍ରମ ଆଖଡ଼ାର ବାବା ଯୋଗେଶ୍ୱରଜୀଙ୍କୁ ଚିତ୍ରର ଯାଦୁକର ବୋଲି ଉଲ୍ଲେଖ କରିଛି ।

ହଠାତ୍ ଇତି ମୁଣ୍ଡରେ ପଶିଲା ମାଆର କୌଣସି ଜଣିକିଆ ଫଟୋ ନାହିଁ । ସବୁ ଗ୍ରୁପ୍‌ ଫଟୋରେ ଅନେକଙ୍କ ମଧ୍ୟରେ ସେ ଏକ । ଯଦି ଯୋଗେଶ୍ୱର ବାବାଙ୍କ ହାତରୁ ସେ ମାଆର ଗୋଟାଏ ପୋଟ୍ରେଟ୍ ଅଙ୍କେଇ ନେଇପାରନ୍ତା ।

ପ୍ରଥମେ ମନ୍ଦାକିନୀ ଆଦୌ ରାଜି ହେଇ ନ ଥିଲେ ।

ବାବାଙ୍କ ସାମ୍ନାରେ ଗୋଟିଏ ଟୁଲ୍‌ରେ ପନ୍ଦର ମିନିଟ୍ ସ୍ଥିର ହୋଇ ବସି ରହିବାକୁ ହେବ ବୋଲି ସେ ଖୁବ୍ ଅସ୍ୱସ୍ତି ବୋଧ କରୁଥିଲେ । କିନ୍ତୁ ନାତି ଟୋକାର ଜବରଦସ୍ତ ଅନୁରୋଧ ସେ ଏଡ଼ାଇ ପାରିଲେ ନାହିଁ ।

ଜଟାଧାରୀ ପକ୍ୱ ଶ୍ମଶ୍ରୁ ଗୈରିକ ବସନ ପରିହିତ ଯୋଗେଶ୍ୱରବାବା ହାତରେ ରଙ୍ଗତୂଳି ଧରି କାନଭାସ୍‌ରେ ତାଙ୍କ ପୋଟ୍ରେଟ୍ ଆଙ୍କିବା ପାଇଁ ଚାହିଁଦେବା ମାତ୍ରେ ମନ୍ଦାକିନୀଙ୍କ ସାହା ଦେହରେ ଏକ ଉଷ୍ମ ଶିହରଣ ଖେଳିଗଲା । ବାବାଙ୍କ ପ୍ରତି ଭକ୍ତିଭାବ ବଦଳରେ ଏକ ଅପ୍ରତିରୋଧ୍ୟ କୌତୂହଳ ତାଙ୍କ ମନକୁ ଆଚ୍ଛନ୍ନ କରିଦେଲା ।

ସେ ସ୍ୱଗତୋକ୍ତି କରି ଉଠିଲେ, ଅଜୁ । ଇତି କଣ୍ଠରୁ ସ୍ୱତଃ ଉଚ୍ଚାରିତ ହେଲା- “ଅଜୁଭାଇ ! ତତେ ଆମେ ବତିଶ ବର୍ଷ ହେଲା ଖୋଜି ହେଉଛୁ ।”

ଯୋଗେଶ୍ୱର ମନ୍ଦାକିନୀଙ୍କ ପୋଟ୍ରେଟ୍ ଆଙ୍କିବା ବଦଳରେ ତାଙ୍କର ଅଜୁ ସମ୍ୱୋଧନରେ ଯୋଗେଶ୍ୱରଙ୍କର ଅସଲ ପ୍ରତିକୃତି ଆଙ୍କି ହୋଇଗଲା । ମୁଣ୍ଡରୁ ଅଦୃଶ୍ୟ ହୋଇଗଲା ଜଟିଳ ଜଟାଜୁଟ । କାହାର ଅଦୃଶ୍ୟ ହାତ ତାଞ୍ଛି ନେଲା । ତାର ମୁହଁରୁ ଅର୍ଦ୍ଧପକ୍ୱ ନିଶ ଦାଢ଼ି । ବତିଶି ବର୍ଷ ତଳର ପଳାତକ ଅଜୟ ମୁଣ୍ଡ ତଳକୁ କରି ବସି ରହିଲା । ମନ୍ଦାକିନୀଙ୍କୁ ମାଆ ବୋଲି ଡାକିବାକୁ ତା’ ତୁଣ୍ଡରୁ କଥା ବାହାରିଲା ନାହିଁ କି ସେ ନୀଳମାଧବଙ୍କ ପୁଅ ନୁହେଁ ବୋଲି କହିବା ପାଇଁ ତା’ର ପାଟି ଫିଟିଲା ନାହିଁ ।

ଲୋକପ୍ରିୟ ଲେଖା

To Top