ଗଳ୍ପ

ଅବିନୀତା ବିଦୁଳା

Dr Archana Nayak's odia story Abaneetaa Bidulaa

ଚେଷ୍ଟା କରେ ଫଳର ସିଦ୍ଧ ବା ଅସିଦ୍ଧି ହୋଇପାରେ । କିନ୍ତୁ ମୂଳରୁ ଫଳ ସମ୍ପର୍କରେ ଆଶଙ୍କା ଗ୍ରସ୍ତ ହୋଇ କର୍ମଚେଷ୍ଟା ନ କରିବା କାପୁରୁଷର ଲକ୍ଷଣ । ତେଣୁ ସଫଳତା ନିଶ୍ଚୟ ମିଳିବ ଭାବି ଜ୍ଞାନୀ ବ୍ୟକ୍ତି କର୍ମ ତତ୍ପର ହୋଇଥାନ୍ତି ।

ଅବିନୀତା ବିଦୁଳା

-: ପୂର୍ବରୁ :-

ବିଦୁଳା ସଞ୍ଜୟଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବାକୁ କହିଲେ, “ହେ ପୁତ୍ର, ସିନ୍ଧୁରାଜା ଯେତେ ପରାକ୍ରମଶାଳୀ ହେଲେ ମଧ୍ୟ ମିଳିତ ଉଦ୍ୟମ ନିକଟରେ ସେ ପରାହତ ହେବାକୁ ବାଧ୍ୟ ହେବେ । ତୁମେ ତାଙ୍କର ବର୍ତ୍ତମାନର ଶକ୍ତି ଦେଖି ଆଦୌ ମନେକରନା ଯେ ସେ ଅଜର, ଅମର !”

ଦେଖ ପୁତ୍ର, ମୁଁ ନିଶ୍ଚିତ ରୂପେ ଜାଣିଛି, ଯେଉଁ ବ୍ୟକ୍ତି, ନିଜେ ନ୍ୟାୟପୂର୍ଣ୍ଣ ଭାବରେ ଓ ଧର୍ମାନୁସାରେ କାର୍ଯ୍ୟ କରେ ଅନ୍ୟ ଉତ୍ତମ ବ୍ୟକ୍ତିମାନେ ମଧ୍ୟ ତାକୁ ସାହାଯ୍ୟ କରିବାକୁ ଆଗେଇଆସନ୍ତି । ତେଣୁ ଆମର ପୂର୍ବରୁ ସଞ୍ଚିତ ଥିବା ସମ୍ପତ୍ତିର ବୃଦ୍ଧି ହେଉ ବା କ୍ଷୟ ହେଉ ତାହା ଏ କ୍ଷେତ୍ରରେ ବିଚାରଣୀୟ ନୁହେଁ । ଲାଭକ୍ଷତିକୁ ସମାନ ଜ୍ଞାନ କରି ନିଷ୍ପତ୍ତି ନିଅ ଯେ ପରିସ୍ଥିତି ଯାହା ହେଲେ ବି ଯୁଦ୍ଧରୁ ନିବୃତ୍ତ ହେବ ନାହିଁ ।

ମୁଁ ଏକ ସଦ୍‌କୁଳରେ ଜନ୍ମଗ୍ରହଣ କରିଥିବା କ୍ଷତ୍ରିୟକନ୍ୟା ଓ ଜଣେ କ୍ଷତ୍ରିୟ ବୀରଙ୍କୁ ବିବାହ କରିଥିଲି । ତୁମ୍ଭର ପିତା ଏହି ରାଜ୍ୟର ସୁଶାସନ କରୁଥିଲେ । କୌଣସି ଧନପ୍ରାର୍ଥୀ ବ୍ରାହ୍ମଣଙ୍କୁ ଆମ୍ଭେ ନାହିଁ ବୋଲି କହିନାହୁଁ । ଲୋକସମୂହ ଆମ୍ଭଙ୍କୁ ଆଶ୍ରୟ କରି ରହିଛନ୍ତି, ଆମ୍ଭେ କାହାରି ଆଜ୍ଞାକାରୀ ହେଉନାହିଁ । ଯଦି ଅନ୍ୟଲୋକର ଆଶ୍ରୟରେ ଆମ୍ଭକୁ ରହିବାକୁ ହୁଏ, ଆମ୍ଭେ ନିଶ୍ଚୟ ପ୍ରାଣତ୍ୟାଗ କରିବୁ । ଏହା ତୁମ୍ଭର ଗ୍ରହଣଯୋଗ୍ୟ ହେବ କି ?

ତାଙ୍କର ଏତେ ଉତ୍ସାହପ୍ରଦ ବାଣୀ ଶୁଣି ମଧ୍ୟ ସଞ୍ଜୟ ନିରବ ରହିବାର ଦେଖି ବିଦୁଳା ପୁଣି କହିଲେ, “ଦେଖ ପୁତ୍ର ଶୌର୍ଯ୍ୟଶାଳୀ ବ୍ୟକ୍ତି ଗୋଟିଏ ମାତ୍ର ଶତ୍ରୁର ବିନାଶ କଲେ ବି ଲୋକରେ ସୁଖ୍ୟାତି ପାଏ । ଯେଉଁ ବ୍ୟକ୍ତି ନିଜ ଜୀବନର ଆଶା ନ ରଖି ଯୁଦ୍ଧ କରେ ଶତ୍ରୁତାର ଅଧୀନ ହୁଏ ଏବଂ ଯିଏ ନିଜ ପ୍ରାଣରକ୍ଷାର ଚିନ୍ତା କରୁଥାନ୍ତି ଶତ୍ରୁ ତାଙ୍କୁ ଅଧୀନ କରେ ।

ଅତଏବ ହେ ସଞ୍ଜୟ ରାଜ୍ୟ କେବଳ ସ୍ୱର୍ଗ ଅଥବା ଅମୃତର ପଥ । ସେହି ପଥ ରୁଦ୍ଧ ହୋଇଯାଇଛି ଜାଣି ପ୍ରଜ୍ୱଳିତ ଅଗ୍ନିରେଖା ସେ ପଥରେ ପ୍ରବେଶ କର ।

ଆହତ ସଞ୍ଜୟ ଦେଖିଲେ ତାଙ୍କର ମାତା ତାଙ୍କର ଶରୀରରେ ସୃଷ୍ଟି ହୋଇଥିବା କ୍ଷତ ପ୍ରତି ଆଦୌ ଦୃଷ୍ଟି ଦେଲେ ନାହିଁ ବା ତାଙ୍କ କଷ୍ଟଯନ୍ତ୍ରଣା କଥା ମଧ୍ୟ ପଚାରିଲେ ନାହିଁ । ମା’ଙ୍କର ଏହି କଠୋର ଆଚରଣ ତାଙ୍କୁ ବିସ୍ମିତ କରିଥିଲା ।

ସେ ନିଜର କ୍ଷୋଭ ପ୍ରକାଶ କରି କହିଲେ “ହେ ଜନନୀ, ତୁମ୍ଭର ହୃଦୟକୁ ବିଧାତା ଅତି କଠିନ ଲୌହପିଣ୍ଡରେ ନିର୍ମାଣ କରିଛନ୍ତି । ତୁମେ କ୍ଷତ୍ରିୟ ଧର୍ମର ବ୍ୟାଖ୍ୟା କରିଚାଲିଛ ଅଥଚ ପୁତ୍ରର ମରଣାନ୍ତକ କଷ୍ଟ ଦେଖି ପାରୁନାହିଁ । ଯୁଦ୍ଧରେ ମୋର ଅନ୍ୟ ଭ୍ରାତାମାନେ ନିଧନ ହୋଇଛନ୍ତି । ମୁଁ ଆପଣଙ୍କର ଏକମାତ୍ର ପୁତ୍ର ଜୀବିତ ଅଛି । ଯଦି ମୁଁ ମଧ୍ୟ ମୃତ୍ୟୁମୁଖକୁ ଚାଲିଯିବି, ତେବେ ଆପଣଙ୍କର ଏ ରାଜ୍ୟ, ଧନସମ୍ପତ୍ତି ଓ ପ୍ରାଣର ବା କି ମୂଲ୍ୟ ରହିବ ?”

ବିଦୁଳା ତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ “ଦେଖ ପୁତ୍ର ମୁଁ ତୁମକୁ ଅପଯଶରେ ଗ୍ରସ୍ତ ହୋଇଥିବାର ଦେଖି ମଧ୍ୟ ଯଦି ସ୍ନେହବଶରୁ ତାହାର ନିରାବଣ ନିମିତ୍ତ କିଛି କହିବି ନାହିଁ ତେବେ ସେ ସ୍ନେହ ଅର୍ଥହୀନ, କ୍ଷତିକାରଣ ! କାରଣ ଆମର ଶାସ୍ତ୍ରଜ୍ଞମାନେ ସ୍ପଷ୍ଟଭାବରେ କହିଛନ୍ତି ଯେଉଁ ବ୍ୟକ୍ତି ନିଜ ଧର୍ମାନୁରୂପ କାର୍ଯ୍ୟ କରେ ସଦାଚରଣ କରେ ସେପରି ପୁତ୍ର ପ୍ରତି ପ୍ରୀତି ରଖିବା ଉଚିତ୍ ଅଟେ । କିନ୍ତୁ ଯେଉଁ ବ୍ୟକ୍ତିମାନେ ଅନୁଦ୍ୟମୀ, ଅବିନୟୀ, ମନ୍ଦବୁଦ୍ଧି ପୁତ୍ରଠାରେ ପ୍ରୀତି ରଖନ୍ତି ସେମାନଙ୍କର ସନ୍ତାନ ଭାଗ୍ୟ ବିଫଳ ହୁଏ ।

ମୁଁ ତୁମକୁ ଏପରି ଆହତ ଅବସ୍ଥାରେ ସାନ୍ତ୍ୱନା ନ ଦେଇ ଯୁଦ୍ଧ କରିବାକୁ ଉତ୍ସାହିତ କରୁଥିବାରୁ ତୁମ ମନରେ ମୋ ପ୍ରତି ସଂଶୟ ସୃଷ୍ଟି ହେଉଛି । କିନ୍ତୁ ତୁମେ ଜାଣିରଖ କେବଳ ଯୁଦ୍ଧ ଓ ଜୟ ନିମିତ୍ତ ହିଁ ପୃଥିବୀରେ କ୍ଷତ୍ରିୟ ବର୍ଣ୍ଣର ସୃଷ୍ଟି ହୋଇଛି । ଯୁଦ୍ଧ ବିମୁଖ ହେବା ବା ପରାଜିତ ହେବା କ୍ଷତ୍ରିୟର ସ୍ୱଭାବ ବିରୋଧୀ ! ଯୁଦ୍ଧରେ ମୃତ୍ୟୁବରଣ କ୍ଷତ୍ରିୟକୁ ଯଶସ୍ୱୀ କରେ । ମୁଁ ତାହା ହିଁ ତୁମକୁ ବୁଝାଇବାକୁ ଚେଷ୍ଟା କରୁଛି ।”

“କିନ୍ତୁ ମାତଃ ଯୁଦ୍ଧ କରିବା ପାଇଁ ମୋର ଶରୀରରେ ସାମର୍ଥ୍ୟ ନାହିଁ, ଧନ ନାହିଁ ବା ସହାୟ ବଳ ନାହିଁ । ଏହିସବୁ କାରଣରୁ ଆମ୍ଭେ ଜୟଲାଭର ଆଶା ସମ୍ପୂର୍ଣ୍ଣ ତ୍ୟାଗ କରିଛୁ ଯଦି ଜୟଲାଭର କିଛି ଉପାୟ ଆପଣଙ୍କୁ ଜଣାଅଛି ତାହା ଦୟାକରି ପ୍ରକାଶ କରନ୍ତୁ ।” ବିନୀତ ଭାବରେ କହିଲେ ରାଜପୁତ୍ର ସଞ୍ଜୟ ।

“ହେ ପୁତ୍ର ! ସବୁପ୍ରକାର କର୍ମ ଫଳସିଦ୍ଧ ନିଶ୍ଚୟ ହେବ ଏକଥା ନୁହେଁ । ଚେଷ୍ଟା କରେ ଫଳର ସିଦ୍ଧ ବା ଅସିଦ୍ଧି ହୋଇପାରେ । କିନ୍ତୁ ମୂଳରୁ ଫଳ ସମ୍ପର୍କରେ ଆଶଙ୍କା ଗ୍ରସ୍ତ ହୋଇ କର୍ମଚେଷ୍ଟା ନ କରିବା କାପୁରୁଷର ଲକ୍ଷଣ । ତେଣୁ ସଫଳତା ନିଶ୍ଚୟ ମିଳିବ ଭାବି ଜ୍ଞାନୀ ବ୍ୟକ୍ତି କର୍ମ ତତ୍ପର ହୋଇଥାନ୍ତି । ତୁମେ ସର୍ବପ୍ରକାର ଯତ୍ନ ଦ୍ୱାରା ଅଭିପ୍ରେତ ପୁରୁଷାର୍ଥ ପାଇବା ନିମିତ୍ତ ଆଗ୍ରହୀ ହୁଅ ।”

ସିନ୍ଧୁରାଜାଙ୍କୁ ବିରୋଧ କରୁଥିବା କ୍ଷତ୍ରିୟମାନଙ୍କୁ କିପରି ଏକତ୍ର କରାଯାଇପାରିବ, ସୈନ୍ୟବଳ କିପରି ଗଠନ, କରାଯିବ ଧନସଂଗ୍ରହ କେଉଁ ସୂତ୍ରରୁ କରାଯିବ ସେ ସମ୍ପର୍କରେ ବିଦୁଳା ପୁତ୍ରକୁ ସବିଶେଷ ତଥ୍ୟ ପ୍ରଦାନ କଲେ । ସଞ୍ଜୟଙ୍କର କ୍ଷମତା, ପୌରୁଷ, ବୁଦ୍ଧିବୃତ୍ତି, ତେଜ ଓ ଧୈର୍ଯ୍ୟ ବର୍ଦ୍ଧନ ନିମିତ୍ତ ତାଙ୍କୁ ଯଥୋଚିତ ପରାମର୍ଶ ପ୍ରଦାନ କରେ ।

ତଥାପି ସଞ୍ଜୟଙ୍କ ମନରୁ ଶତ୍ରୁର ବଳ ସମ୍ପର୍କରେ ଭୟ ଦୂର ହେଉନଥିଲା । ସେ ଇତସ୍ତତଃ ହେଉଥିବାର ଲକ୍ଷ୍ୟ କରି ରାଜମାତା ବିଦୁଳା କହିଲେ, “ଦେଖ ପୁତ୍ର, ଏ ସଂସାରରେ ଏପରି କୌଣସି ରାଜ୍ୟ ନାହିଁ ଯେଉଁଠାରେ କେବେ ବି ବିପଦ ଦେଖାଦେଇନି । ରାଜ୍ୟ କ୍ଷେତ୍ରରେ ଓ ବ୍ୟକ୍ତି ଜୀବନରେ ଆପଦ ବିପଦ ତ ବରାବର ଲାଗି ରହିଥାଏ । ଯେଉଁ ରାଜ୍ୟ ଯେତେ ଶକ୍ତିଶାଳୀ ହେଲେ ବି ସବୁକାଳ ପାଇଁ ଆପଦରହିତ ନିଷ୍କଟକ ହୋଇପାରେ ନାହିଁ । ତେଣୁ ରାଜ୍ୟର କୌଣସି ଆପଦ ଉପସ୍ଥିତ ହେଲେ ସେଥିପାଇଁ ଭୟହୀନ ହେବାର କାରଣ ନାହିଁ । ମନେରଖ ଉକ୍ତ ରାଜ୍ୟର ରାଜା ଭୟଗ୍ରସ୍ତ ହେଲେ ତାଙ୍କର ପ୍ରଜା, ସୈନ୍ୟ ଓ ଅମାତ୍ୟବର୍ଗ ମଧ୍ୟ ଭାୟାବିତ ହୁଅନ୍ତି । ପ୍ରଜାମାନେ ନିଜର ଧନ ଓ ଜୀବନର ସୁରକ୍ଷା ପାଇଁ ଶୋଚନା କରନ୍ତି ସୈନ୍ୟମାନେ ଶତ୍ରୁପକ୍ଷର ତାଡ଼ନାକୁ ଭୟକରି ଦୂର ହୋଇଯାନ୍ତି ଓ ଅମାତ୍ୟଗଣ ମଧ୍ୟ ନିଜ ନିଜର ଆତ୍ମରକ୍ଷାର ପଥ ସନ୍ଧାନ କରନ୍ତି । କିନ୍ତୁ ଯଦି ଆପଦଗ୍ରସ୍ତ ରାଜ୍ୟର ରାଜା ନିର୍ଭୟ ହୋଇ ବିପଦର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଅନ୍ତି, ତେବେ ରାଜ୍ୟର ପ୍ରଜାବୃନ୍ଦ, ସୈନ୍ୟବଳ, ଅମାତ୍ୟବର୍ଗ ମଧ୍ୟ ଦୃଢ଼ ରୁହନ୍ତି । ରାଜ୍ୟର ମିତ୍ରମାନେ ସାହାଯ୍ୟ କରିବାକୁ ଆଗେ ଆସନ୍ତି ।

ମନେରଖ ପୁତ୍ର, ଭୀରୁର କେହି ବନ୍ଧୁ ନାହିଁ । ନିଜର ଭୀରୁତା ପ୍ରକାଶ କଲେ ତୁମ୍ଭ ନିକଟରୁ ସମସ୍ତେ ଦୂରେଇ ଯିବେ । ବର୍ତ୍ତମାନ ମଧ୍ୟ ଆମ୍ଭ ରାଜ୍ୟର ବହୁ ମିତ୍ରରାଜ୍ୟ ଅଛନ୍ତି, ଅନେକ କ୍ଷତ୍ରିୟ ବନ୍ଧୁ ରହିଛନ୍ତି । ତୁମେ ସେମାନଙ୍କ ସହ ସମ୍ପର୍କ ରକ୍ଷା କରିବାର ପ୍ରୟାସ କର ।

ଧନ କଥା ଚିନ୍ତା କରନାହିଁ । ତୁମେ ଜାଣନାହିଁ ତୁମ୍ଭ ପିତୃକୁଳର ବୀରପୁରୁଷମାନେ କେତେ ଧନ ସଂଗ୍ରହ କରିଥିଲେ । ତାହା ଅମାପ ! ସେ ସମସ୍ତ ଧନଭଣ୍ଡାର କେଉଁଠାରେ ଗୁପ୍ତ ରଖାଯାଇଛି, ତାହା ମୁଁ ଜାଣେ । ତୁମେ ଯଦି ଏ ଦିଗରେ ଯତ୍ନଶୀଳ ହେବ ତେବେ ମୁଁ ତୁମକୁ ବିପୁଳ ଧନ ପ୍ରଦାନ କରିବି ।”

ସଞ୍ଜୟ ଶଯ୍ୟାତ୍ୟାଗ କରି ଉଠି ଠିଆ ହେଲେ । ମାତା ବିଦୁଳାଙ୍କୁ ଉଦ୍ଦେଶ୍ୟ କରି କହିଲେ, “ମାତଃ ! ଅଳ୍ପ ବୟସ ହେତୁ ଓ ବିଶେଷ ଅଭିଜ୍ଞତା ନ ଥିବାରୁ ମୁଁ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିଲି । କିନ୍ତୁ ଆପଣଙ୍କ ପରି ମାତା ଲାଭ କରିଥିବା କାରଣରୁ ଅତ୍ୟନ୍ତ ସୌଭାଗ୍ୟବନ୍ତ ।

ଆପଣ କ୍ଷତ୍ରିୟଧର୍ମର ମର୍ମ କେବଳ ଜାଣନ୍ତି ନାହିଁ, ତାହା ପାଳନ ମଧ୍ୟ କରନ୍ତି । ଯୁଦ୍ଧକ୍ଷେତ୍ରରେ ଆପଣଙ୍କର ଅନ୍ୟ ପୁତ୍ରମାନଙ୍କର ମୃତ୍ୟୁ ଆପଣଙ୍କୁ ବିଚଳିତ କରିନାହିଁ, ମୋର ଆହତ ଅବସ୍ଥାରେ ଯୁଦ୍ଧ ପରିତ୍ୟାଗ କରି ଗୃହରେ ଆଶ୍ରୟ ନେବା କଥା ଆପଣଙ୍କୁ ବ୍ୟଥିତ କରିଛି ।

ମୋର ହୃଦ୍‌ବୋଧ ହୋଇସାରିଛି ଆପଣ ଜଣେ ସାଧାରଣ ଜନନୀ ପରି ପୁତ୍ରର ପ୍ରାଣରକ୍ଷା ନିକଟରେ ସବୁକିଛିକୁ ବିସର୍ଜନ କରିନାହାନ୍ତି । ପ୍ରାଣ ଅପେକ୍ଷା ସମ୍ମାନ ରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ।

ମୁଁ ବୁଝିପାରିଛି ଯେଉଁ ରାଜ୍ୟରେ ପ୍ରଜାମାନେ ତାଙ୍କର ରାଜାଙ୍କୁ ତାଙ୍କର ରକ୍ଷକ ମନେକରି ନିଶ୍ଚିନ୍ତରେ କାଳାତିପାତ କରନ୍ତି ସେଠାରେ ରାଜା ନିଜର ଆତ୍ମରକ୍ଷା ପାଇଁ ତା’ର ପ୍ରଜାମାନଙ୍କୁ ବିପଦକୁ ଠେଲିଦେବା କେତେ ବଡ଼ ଅପରାଧ !

ଯୁଦ୍ଧକରି ପ୍ରାଣ ହରାଇଥିବା ରାଜା, ପ୍ରଜାଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୁଅନ୍ତି । ସେମାନେ ତାଙ୍କୁ ଓ ତାଙ୍କର ସୁଶାସନକୁ ସର୍ବଦା ସ୍ମରଣ ରଖନ୍ତି । କିନ୍ତୁ ପୃଷ୍ଠପ୍ରଦର୍ଶନ କରି ଆସିଥିବା ରାଜା କେବେ ବି କାହାର ପ୍ରିୟପାତ୍ର ହୁଅନ୍ତି ନାହିଁ । ବରଂ ଏକ ଭୀରୁବ୍ୟକ୍ତିର ଅଧୀନରେ ରହିଥିବାରୁ ସେମାନେ ଶୋଚନାଗ୍ରସ୍ତ ହୁଅନ୍ତି । ଏହି ବ୍ୟକ୍ତି ମୃତ୍ୟୁପରେ ମଧ୍ୟ ନିନ୍ଦାର ପାତ୍ର ହୋଇଥାଏ ।

ହେ ଜନନୀ, ଏଇ ମୁହୂର୍ତ୍ତରୁ ଆପଣ ଚିନ୍ତା ପରିହାର କରନ୍ତୁ । ଆପଣ ମୋର ପରାମର୍ଶଦାତ୍ରୀ ରୂପରେ ରାଜ୍ୟର ମଙ୍ଗଳ ପାଇଁ ଯାହା ନିଷ୍ପତ୍ତି ନେବେ ତାହା ମୋର ଗ୍ରହଣୀୟ ହେବ !

ମୁଁ ଅନୁଭବ କରିପାରୁଛି ଶରୀରର ଏ କ୍ଷତ ମୋର କ୍ଷତ୍ରିୟପଣର ବାଧକ ହେବ ନାହିଁ । ଆପଣଙ୍କ ଆଶୀର୍ବାଦ ବଳରେ ମୁଁ ଶତ୍ର୍ରକୁ ନିଶ୍ଚୟ ମୋର ପଦାନତ କରିବି ।”

ବିଦୁଳାଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇ ଉଠିବା ସହ ମନ ପ୍ରସନ୍ନ ହୋଇଗଲା । ତାଙ୍କର କ୍ଷତ୍ରିୟ ପୁତ୍ର ଭୀରୁତା ପରିହାର କରି ବୀର ଯୋଦ୍ଧା ରୂପେ ନିଜକୁ ପରିଗଣିତ କରାଇବାକୁ ଚାହାନ୍ତି ଜାଣି ବିଦୁଳା ଗର୍ବ ଅନୁଭବ କଲେ । ସେ ଜାଣିଥିଲେ ତାଙ୍କର ତରୁଣ ପୁତ୍ରର ଶରୀରରେ କ୍ଷତ୍ରିୟର ରକ୍ତ ପ୍ରବାହିତ ହେଉଛି । ତାଙ୍କର ପିତା ଓ ପିତାମହଙ୍କର ବୀରତ୍ୱ ତାଙ୍କର ଅସ୍ଥି ମଜ୍ଜାଗତ ରହିଛି । ତେଣୁ ସାମୟିକ ଭାବରେ ସେ ନିସ୍ତେଜ ଓ ଯୁଦ୍ଧ ବିମୁଖ ହୋଇଥିଲେ ବି ନିଶ୍ଚିତ ଭାବରେ ଜାଗ୍ରତ ହୋଇଉଠିବେ ଓ କ୍ଷତ୍ରିୟର ଧର୍ମ ନିର୍ବାହ କରିବେ ।

ବିଦୁଳା ତାଙ୍କର ସୈନ୍ୟ ଦଳକୁ ସଂଗଠିତ କରିବା, ଶୁଭେଚ୍ଛୁ ରାଜଶକ୍ତିଙ୍କୁ ନିଜ ଦିଗରେ ଆକର୍ଷିତ କରିବା ଓ ଅପରାଜେୟ ମନେ ହେଉଥିବା ସିନ୍ଧୁରାଜାଙ୍କର ଦୁର୍ବଳତାର ସନ୍ଧାନ କରି ସେହି ସ୍ଥାନରେ ଆଘାତ କରିବାର ଯୋଜନା ଭିତରେ ବୁଡ଼ି ରହିଥିଲେ ।

ହଠାତ୍ ସଚେତନ ହୋଇ ଦେଖିଲେ ରାଜପୁତ୍ର ସଞ୍ଜୟ ଯୋଦ୍ଧୃବେଶରେ ହସ୍ତ ଉନ୍ମୁକ୍ତ ଖଡ୍ଗଧରି ଅଶ୍ୱପୃଷ୍ଠରେ ଆରୋହଣ କରିଛନ୍ତି ଓ ତାଙ୍କୁ ଅନୁସରଣ କରିବା ପାଇଁ ତାଙ୍କର ସୈନ୍ୟମାନେ ମଧ୍ୟ ଅନୁରୂପ ଯୋଦ୍ଧୃବେଶ ଧାରଣ କରି ଅଶ୍ୱ ଆରୋହଣ କରିଛନ୍ତି । ପଦାତିକ ବାହିନୀ ମଧ୍ୟ ପ୍ରସ୍ତୁତ ହୋଇସାରିଛନ୍ତି ।

ନିମିଷକ ମଧ୍ୟରେ ଅଶ୍ୱକ୍ଷୁରାରୁ ଉତ୍ଥିତ ଧୂଳିପଟଳ ଭିତରେ ରାଜା ସଞ୍ଜୟ ଓ ତାଙ୍କର ସେନାବାହିନୀ କାହିଁ ଦୂରକୁ ଚାଲିଯାଇଥିଲେ ।

ଲୋକପ୍ରିୟ ଲେଖା

To Top