ଗଳ୍ପ

ଅବିନୀତା ବିଦୁଳା

Dr Archana Nayak's odia story Abaneetaa Bidulaa

କ୍ରୋଧୀ ବିଷଧର ସର୍ପର ମୁଖରେ ଅଙ୍ଗୁଳି ପ୍ରବେଶ କରାଇ ତା’ର ଦନ୍ତଉତ୍ପାଟନ କରି ମରିଯିବା ଶ୍ରେୟସ୍କର । କିନ୍ତୁ କେବଳ ଜୀବ ରକ୍ଷା କରିବା ପାଇଁ ଶ୍ୱାନ ସଦୃଶ ନୀଚ ବୃତ୍ତି ଅବଲମ୍ୱନ କରିବା ଉଚିତ୍ ନୁହେଁ ।

ଅବିନୀତା ବିଦୁଳା

ଯୁଦ୍ଧରେ ପରାଜିତ ! ଯୁଦ୍ଧକ୍ଷେତ୍ରରେ ପୃଷ୍ଠ ପ୍ରଦର୍ଶନ ! ଯୁଦ୍ଧରେ ଆହତ ! ମୃତ ନୁହେଁ ? ଏବେ ବି ଜୀବିତ ? ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ? ପ୍ରାସାଦର ଅଭ୍ୟନ୍ତରରେ ବିଶ୍ରାମ ଗ୍ରହଣ ?

ରାଜକୁମାର ସଞ୍ଜୟଙ୍କ ସମ୍ପର୍କରେ ଏତେଗୁଡ଼ିଏ ମର୍ମାନ୍ତିକ ତଥା ନିମିଷକରେ ହସ୍ତଗତ ହେଲା ରାଜମାତା ବିଦୁଳାଙ୍କର । ସେ ବିଶ୍ୱାସ କରିପାରୁନଥିଲେ ଯେ ସେ ପାଇଥିବା ସମ୍ୱାଦ ସତ୍ୟ ହୋଇପାରେ !

ଯୁଦ୍ଧରେ ଯେ ପରାଜୟ ଘଟିପାରେ, ତାହା ସେ ସ୍ୱୀକାର କରନ୍ତି ନାହିଁ । ସେ କେବଳ ସ୍ୱୀକାର କରନ୍ତି ଯୁଦ୍ଧରେ ବିଜୟ ଅଥବା ମୃତ୍ୟୁ ।

ସେ ମନେ କରନ୍ତି ଶତ୍ରୁ ଦ୍ୱାରା ଆକ୍ରାନ୍ତ କ୍ଷତ୍ରିୟର ଯଦି ପଡ଼ିଯିବାର ବା ବୁଡ଼ିଯିବାର ହୁଏ ତେବେ ସେ ଶତ୍ରୁର ଜଙ୍ଘ ଧରି ପଡ଼ିବ ବା ବୁଡ଼ିବ, ଏକାକୀ ନୁହେଁ । ମୂଳ ଛିନ୍ନ ହେଲେ ବି ସେ ଶେଷ ପର୍ଯ୍ୟନ୍ତ କେବେ ବି ଉଦ୍ୟମ ଛାଡ଼ିବ ନାହିଁ ।

କ୍ଷୁଦ୍ରନଦୀ ଅଳ୍ପ ଜଳରେ ଓ ମୂଷିକର ଅଞ୍ଜଳି ଅଳ୍ପ ଦ୍ରବ୍ୟରେ ପୂର୍ଣ୍ଣ ହୋଇଯିବା ପରି ଭୀରୁ ପୁରୁଷ ଅଳ୍ପକରେ ସନ୍ତୁଷ୍ଟ ହୋଇଯାଏ ଯାହା ବୀର ପୁରୁଷର ଲକ୍ଷଣ ନୁହେଁ । କ୍ରୋଧୀ ବିଷଧର ସର୍ପର ମୁଖରେ ଅଙ୍ଗୁଳି ପ୍ରବେଶ କରାଇ ତା’ର ଦନ୍ତଉତ୍ପାଟନ କରି ମରିଯିବା ଶ୍ରେୟସ୍କର । କିନ୍ତୁ କେବଳ ଜୀବ ରକ୍ଷା କରିବା ପାଇଁ ଶ୍ୱାନ ସଦୃଶ ନୀଚ ବୃତ୍ତି ଅବଲମ୍ୱନ କରିବା ଉଚିତ୍ ନୁହେଁ ।

ଯେଉଁ ଉଚ୍ଚକୁଳଜାତ ବ୍ୟକ୍ତିର କାର୍ଯ୍ୟ ଉତ୍କୃଷ୍ଟ ବୋଲି ପରିଗଣିତ ନ ହୁଏ, ସେ କେବଳ ଲୋକସଂଖ୍ୟା ବର୍ଦ୍ଧନରେ ସାହାଯ୍ୟ କରେ; ସେ ସ୍ତ୍ରୀ ବା ପୁରୁଷ ଭାବରେ ପରିଗଣିତ ହୁଏନାହିଁ ।

ଶତ୍ରୁମାନଙ୍କ ବିଷୟରେ କ୍ଷତ୍ରିୟ ଅମର୍ଷ ଓ ଅସହିଷ୍ଣୁ ଭାବ ପୋଷଣ କରେ । ଯେଉଁ ବ୍ୟକ୍ତି ସର୍ବଦା କ୍ଷମାଶୀଳ, ଅମର୍ଷଶୂନ୍ୟ ହୁଏ ସେ ବୀର ଭାବରେ ପରିଗଣିତ ହୁଏନାହିଁ । କାରଣ ସନ୍ତୁଷ୍ଟ ହୋଇ ରହିବା, ଉଦ୍ୟମ ନ କରିବା, ଭୟପ୍ରକାଶ କରିବା ପୁରୁଷର ଲକ୍ଷ୍ମୀନାଶ ହୁଅନ୍ତି ।

ପୁରାତନ ଅକ୍ଷୟ କ୍ଷତ୍ରିୟ ଧର୍ମ ସମ୍ପର୍କରେ ସବିଶେଷ ଭାବରେ ଅବଗତ ଥିଲେ ସଦ୍‌କୁଳଜାତା ବିଦୁଳା । ସେ ଜାଣନ୍ତି ଯେଉଁ ବ୍ୟକ୍ତି କ୍ଷତ୍ରିୟ ବଂଶରେ ଜନ୍ମଗ୍ରହଣ କରି ଉକ୍ତ ଧର୍ମର ମର୍ମ ଜାଣିଥାଏ ସେ କେବେବି ନିଜର ପ୍ରାଣରକ୍ଷା କରିବା ନିମିତ୍ତ ଶତ୍ରୁନିକଟରେ ନମ୍ରହୁଏ ନାହିଁ । ସେ ମତ୍ତହସ୍ତି ସଦୃଶ ନିରାପଦରେ ବନରୁ ବନାନ୍ତର ଭ୍ରମଣ କରେ । ସଞ୍ଚାଣ ପରି ପକ୍ଷ ବିସ୍ତାର କରି ଆକାଶର ସର୍ବତ୍ର ଭ୍ରମଣ କରିଥାଏ ।

ଅନ୍ୟସମୟରେ ଶକ୍ତିଶାଳୀ ଶତ୍ରୁର ଦୁର୍ବଳତା ସନ୍ଧାନ କରି ତା’ର ବିନାଶର ଉପାୟ କରୁଥାଏ । ସେ ଗୋଟିଏ ମୁହୂର୍ତ୍ତ ମଧ୍ୟ ନିର୍ବେଦ ହୋଇ ବସିରହେ ନାହିଁ ।

ରାଜବଂଶରେ ଅତି ଦୟାଳୁ ବା ଅତି ନିର୍ଦ୍ଦୟ ପୁତ୍ରର ଜନ୍ମ ସ୍ୱାଗତଯୋଗ୍ୟ ନୁହେଁ । ଯୁଦ୍ଧ ବିଶାରଦ ବୀରପୁରୁଷ ଅଯଥା ଦୟାର ବଶବର୍ତ୍ତୀ ହୋଇ ଚରମ ଶତ୍ରୁକୁ କ୍ଷମା କରେନାହିଁ ବା ନିର୍ଦ୍ଦୟ ହୋଇ ଧର୍ମାନୁଶାସନକୁ ଉପେକ୍ଷା କରେନାହିଁ । ଶତ୍ରୁକୁ ସମ୍ମୁଖ ଯୁଦ୍ଧରେ ହିଁ ପରାସ୍ତ କରିବାର ପ୍ରୟାସ କରେ । କାପୁରୁଷ ପରି ଗୋପନରେ ପୃଷ୍ଠପଟରେ ଆଘାତ କରେନାହିଁ । ଯୁଦ୍ଧ ସମାଗତ ହେଲେ କ୍ଷତ୍ରିୟ ସେଥିରେ ତତ୍‌କ୍ଷଣାତ୍ ପ୍ରବୃତ୍ତ ହୁଏ । ଜୟପରାଜୟର ବିଚାର କରେ ନାହିଁ । ଶକ୍ତି ପ୍ରଦର୍ଶନ କରି ଶତ୍ରୁକୁ ନିଧନ କରେ ବା ଶତ୍ରୁଦ୍ୱାରା ନିହତ ହୁଏ । କିନ୍ତୁ ପ୍ରାଣରକ୍ଷା ପାଇଁ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରେନାହିଁ ।

ଆଜି ସେ କ୍ଷତ୍ରିୟ କୁଳଜାତା କନ୍ୟା, କ୍ଷତ୍ରିୟପତ୍ନୀ ଓ କ୍ଷତ୍ରିୟର ମାତା ହୋଇ ଏହି ବିପରୀତ ଅବସ୍ଥାକୁ କିପରି ବା ଗ୍ରହଣ କରିପାରିବେ ।

ବିଦୁଳା ରାଜପ୍ରାସାଦର ଅଭ୍ୟନ୍ତରକୁ ତ୍ୱରିତ ବେଗରେ ଗମନ କଲେ । ସେଥିରେ ଥିବା ଏକ ଗୋପନ ପ୍ରକୋଷ୍ଠରେ ଆହତ କ୍ଳାନ୍ତ ରାଜପୁତ୍ର ସଞ୍ଜୟ ଶଯ୍ୟାଶାୟୀ ହୋଇ ରହିଥିଲେ ।

ବିଦୁଳା ପୁତ୍ର ସଞ୍ଜୟଙ୍କୁ ସେହି ଅବସ୍ଥାରେ ଦେଖି କ୍ରୋଧରେ ପ୍ରଜ୍ୱଳିତା ହୋଇ କହିଲେ, “ରେ ଭୀରୁ ତୁ ଶତ୍ରୁମାନଙ୍କର ଆନନ୍ଦ ବର୍ଦ୍ଧନ କରିଛୁ ଓ ବନ୍ଧୁମାନଙ୍କର ଶୋକର କାରଣ ହୋଇ ଏଠାରେ ପରାଜିତ ଓ ମାନହୀନ ଅବସ୍ଥାରେ ଆତ୍ମଗୋପନ କରିଛୁ ? ତୁ ଶତ୍ରୁଦ୍ୱାରା ପରାସ୍ତ ହୋଇ ବଜ୍ର ଆଘାତରେ ମୃତବ୍ୟକ୍ତି ସଦୃଶ କାହିଁକି ଶଯ୍ୟାରେ ପଡ଼ିଛୁ ? ଏହା ଶୟନ ସମୟ ନୁହେଁ । ତୁ ଦୁର୍ବଳ ଭାବକୁ ଆଶ୍ରୟ ନ କରି ବୀରପଣ ପ୍ରକାଶ କର । ଧୂମଯୁକ୍ତ କାଷ୍ଠ ହୋଇ ଦୀର୍ଘକାଳ ରହିବା ଅପେକ୍ଷା ଅଳ୍ପକ୍ଷଣମାତ୍ର ପ୍ରଜ୍ୱଳିତ ହୋଇ ନିଃଶେଷ ହୋଇଯିବା ଶ୍ରେୟସ୍କର ।”

“ଏକଥା ମନେରଖ ପୁତ୍ର ! ସନ୍ତୋଷ, ଦୟା, ଅନୁଦ୍ୟମ ଓ ଭୟ ପ୍ରଭୃତି ପୁରୁଷର ଲକ୍ଷ୍ମୀନାଶର କାରଣ ହୁଅନ୍ତି । ଏସବୁ ଦୋଷରୁ ନିଜକୁ ମୁକ୍ତ କର । ହୃଦୟକୁ ଲୌହ କଠିନ କରି ପୁନଶ୍ଚ ଜୟଲାଭ କରିବା ପାଇଁ ଯତ୍ନଶୀଳ ହୁଅ । ପୁରୁଷ କାହାକୁ କୁହାଯାଏ ଜାଣ ତ ? ମନୁଷ୍ୟ ପରର ପରାକ୍ରମ ସହ୍ୟ କରିପାରେ ବୋଲି ତାକୁ ପୁରୁଷ କୁହାଯାଏ । ସେହି କାରଣରୁ ଯେଉଁ ଲୋକ ସ୍ତ୍ରୀ ସଦୃଶ ବ୍ୟବହାର କରି ପ୍ରାଣଧାରଣ କରେ ତାକୁ ବ୍ୟର୍ଥନାମ କୁହାଯାଏ । ତେଣୁ ଏପରି ମଣିଷର ଜୀବନ ମୂଲ୍ୟହୀନ ହୋଇଯାଏ । କାରଣ ପକ୍ଷୀସମୂହ ପକ୍ୱ ଫଳପୂର୍ଣ୍ଣ ବୃକ୍ଷମାନଙ୍କୁ ଆଶ୍ରୟ କରି ଜୀବନଧାରଣ କରିବା ପରି ସାଧାରଣ ମଣିଷମାନେ ଜଣେ ଜଣେ ସମର୍ଥ ପୁରୁଷର ଆଶ୍ରୟରେ ନିଜନିଜର ଜୀବିକା ନିର୍ବାହ କରି ନିଶ୍ଚିନ୍ତରେ ରୁହନ୍ତି । ସେହି ପୁରୁଷର ଜୀବନ ସାର୍ଥକ ଅଟେ ।”

କିନ୍ତୁ ବିଦୁଳାଙ୍କର ଏହିସବୁ ଉତ୍ସାହପୂର୍ଣ୍ଣ ବାକ୍ୟର ପ୍ରଭାବ ତାଙ୍କର ପୁତ୍ର ସଞ୍ଜୟଙ୍କ ଉପରେ ପଡ଼ିଲାନାହିଁ । ରାଜମାତା ବିଦୁଳା ବୁଝିପାରିଲେ ଯେ ଜଣେ ମୁମୂର୍ଷୁ ବ୍ୟକ୍ତି କ୍ଷେତ୍ରରେ ଯେପରି ଔଷଧ ହିତକାରକ ହୋଇପାରେନି ସେହି ପ୍ରକାର ପରାସ୍ତ ହୋଇଥିବା ଯୁଦ୍ଧବିମୁଖ ସଞ୍ଜୟଙ୍କ ମନରେ ତାଙ୍କ କଥାର ମଧ୍ୟ କୌଣସି ପ୍ରଭାବ ପଡୁନାହିଁ ।

ସଞ୍ଜୟ ଯେଉଁ ରାଜାଙ୍କଠାରୁ ପରାଜୟ ଲାଭ କରିଥିଲେ ସେ ଥିଲେ ସିନ୍ଧୁରାଜା । ବିଦୁଳା ନିଜ ପୁତ୍ରଙ୍କର ରାଜ୍ୟକୁ ନିଷ୍କଣ୍ଟକ ରଖିବା ପାଇଁ ପ୍ରତିବେଶୀ ରାଜାମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ସେ ଜାଣନ୍ତି ସିନ୍ଧୁରାଜାଙ୍କର ଅନେକ ସହଯୋଗୀ ଅଛନ୍ତି କିନ୍ତୁ କେହି ତାଙ୍କପ୍ରତି ଅନୁରକ୍ତ ନୁହଁନ୍ତି । କେହି ତାଙ୍କୁ ଶ୍ରଦ୍ଧା ବା ବିଶ୍ୱାସ କରନ୍ତି ନାହିଁ । ସମସ୍ତେ ତାଙ୍କ ଉପରେ ଅସନ୍ତୁଷ୍ଟ ଅଟନ୍ତି, କିନ୍ତୁ ସେମାନେ ଦୁର୍ବଳ ହୋଇଥିବାରୁ ତାଙ୍କ ବିରୋଧରେ ଠିଆ ହୋଇ ପାରୁନାହାନ୍ତି । ତାଙ୍କ ନିକଟରୁ ମୁକ୍ତି ଚାହୁଁଥିଲେ ବି ନିଜର ଅସାମର୍ଥ୍ୟ କାରଣରୁ ବାଧ୍ୟ ହୋଇ ତାଙ୍କର ବଶ୍ୟତା ସ୍ୱୀକାର କରିଛନ୍ତି । କିନ୍ତୁ ସେ ଜାଣନ୍ତି ଏପରି କେତେକ କ୍ଷତ୍ରିୟ ବୀର ଅଛନ୍ତି ଯେଉଁମାନେ ସିନ୍ଧୁରାଜାଙ୍କୁ ପ୍ରତ୍ୟକ୍ଷ ଭାବରେ ବିରୋଧ କରନ୍ତି । କିନ୍ତୁ ସେମାନେ ଆବଶ୍ୟକ ସୈନ୍ୟବଳ ଅଭାବରୁ ତାଙ୍କ ସହ ସଂଗ୍ରାମ କରିପାରୁନାହାନ୍ତି । ତେଣୁ ଏହି ସମୟରେ ତାଙ୍କର ପୁତ୍ର ସଞ୍ଜୟ ନିଜର ପରାକ୍ରମ ପ୍ରକାଶ କଲେ ଅନ୍ୟମାନେ ନିଶ୍ଚୟ ଉତ୍ସାହିତ ହୋଇ ସେମାନଙ୍କ ସୈନ୍ୟବଳ ବୃଦ୍ଧି କରି ତାଙ୍କ ସହିତ ଯୋଗ ଦେବେ । ତେଣୁ ସେହି ବ୍ୟକ୍ତିମାନଙ୍କ ସହ ପ୍ରଥମେ ବନ୍ଧୁତା କରିବା ଆବଶ୍ୟକ ।

ତା’ପରେ

ଲୋକପ୍ରିୟ ଲେଖା

To Top