ଗଳ୍ପ

ନଜର

Ritika Pattanaik's story Najar

ସୁ’ ତଥାପି ପଛକୁ ଅନାଇ ଦେଖୁଥିଲା ସେ ଛାୟାକୃତି ତା’ର ପିଛା କରୁନି ତ?

୨୫ ମେ’୨୦୧୬ 

ସନ୍ଧ୍ୟା ୫:୪୦ । କାଳବୈଶାଖୀର ଆଭାସ ଘେନି କୃଷ୍ଣଘନ ମେଘ ସବୁ ଫୁଲି ଫୁଲି ଯେମିତି ଧରଣୀ ଛୁଇଁବାରେ ଥିଲେ ଚେଷ୍ଟିତ ଓ ତା ସହିତ ବିଜୁଳି ବି ବିଭିନ୍ନ ରହସ୍ୟମୟ ମୁଦ୍ରାରେ ନୃତ୍ୟ ଆରମ୍ଭ କରୁଥିଲା । ଘଡ଼ଘଡ଼ିର ଗର୍ଜନରେ ଚମକି ପଡ଼ୁଥିଲା ଚଳଚଞ୍ଚଳ ପରିବେଶ । ଅଣଓସାରିଆ ଗଳିପଥ ଦେଇ ଶୀଘ୍ର ଶୀଘ୍ର ଆଗକୁ ପାଦ ବଢ଼ାଇଲା ସୁ । ରାସ୍ତା ଦୁଇପାଶ୍ୱର୍ର କୋଠାଘରର ଛାତ ଉପରେ ନାଇଲନ ତାରରେ ଶୁଖା ଲୁଗାସବୁକୁ ଗୋଟାଇବାରେ ବ୍ୟସ୍ତ ଥିଲେ ଘରର ବାସିନ୍ଦାମାନେ । ଫୁଲକୁଣ୍ଡ ଆଗରେ ଠିଆ ହୋଇ କେତେଜଣ ଭାବୁଥିଲେ ଆଜି ପାଣି ଦେବେ କି ନା ! ବର୍ଷା ହବ ବୋଧହୁଏ । କିଛିଦିନର ଅସହ୍ୟ ଗରମରୁ ତ୍ରାହି ଦେବା ପାଇଁ କେଉଁଠୁ ବୋହିଆସୁଛି ଆରାମଦାୟକ ଶୀତଳ ପବନ । କିନ୍ତୁ ଏହି ଆଶ୍ୱସ୍ତିକୁ ମନଭରି ଉପଭୋଗ କରିବା ପାଇଁ ତା’ପାଖରେ ସମୟ ନାହିଁ, ନାହିଁ ବି ମନ ।

“ଅଗଣାରେ ଲୁଗା ଶୁଖାଇଦେଇ ଆସିଥିଲି । ଓଦା ହେଇଯିବ ।” ଚିନ୍ତିତ ହେଇପଡ଼ିଲା ସୁ’ ।“ହେ ଭଗବାନ! ଘରେ ନ ପହଞ୍ଚିଲା ପର୍ଯ୍ୟନ୍ତ ବର୍ଷାଟା ଲଟକି ରହନ୍ତା କି ! ଅନ୍ଧାର ହେଲାଣିି କିନ୍ତୁ ରାସ୍ତା ଆଲୁଅଟା କାହିଁକି ଏତେ ଡେରିରେ ଅନ୍ ହୁଏ କେଜାଣି ।”

ଏହିଟା ସର୍ଟକଟ୍ ରାସ୍ତା । ରାସ୍ତା ଆଲୁଅରେ ଯାହା ଝାପସା ଆଲୋକିତ ଯଦିଓ ନିଛାଟିଆ ନୁହେଁ । ତେଣୁ ମୁଖ୍ୟରାସ୍ତାରେ ନ ଯାଇ ଏହି ସାହିଗଳି ଭିତରରେ ଦେଇ ଅଟୋ ଷ୍ଟାଣ୍ଡରେ ପହଞ୍ଚିଯାଏ ସୁ । ପାନ ଦୋକାନରୁ ଛିଟିକି ପଡ଼ୁଥିବା ଆଲୁଅ ଦେଖି ସ୍ୱସ୍ତିର ନିଶ୍ୱାସଟାଏ ନେଲା ବେଳକୁ ସେ ହଡ଼ବଡ଼େଇ ଗଲା, ସ୍ଥାଣୁ ପାଲଟିଗଲା ଯେମିତି ।

“ଏଇ ତ ପୁଣି ଛକିଛି…ଏତେ ବାଜେ ଲୋକଟା । ତା’ ସାଙ୍ଗେ ପୁଣି ସେ ଅନ୍ୟ ଜଣେ…କିଏ ସେ ଅନ୍ୟ ଲୋକଟି?”ଏକ ଭୟମିଶ୍ରିତ ବିରକ୍ତିରେ ତା ଆପାଦମସ୍ତକ କମ୍ପିଗଲା । କ୍ଳାନ୍ତ ଅବଶ ଦେହଟା ଧିମେଇ ଯାଇଥିଲା…ପାଦର ଗତି ପୁଣି ଚଞ୍ଚଳ ହୋଇଉଠିଲା । ଜଲଦି ଜଲଦି ଅଟୋ ଷ୍ଟାଣ୍ଡ ପହଞ୍ଚିଗଲେ ମୁକ୍ତି ।

ଅଟୋଟିଏ ଦେଖି ହାତ ଦେଖାଇ ଦେଖାଇ କ୍ଷିପ୍ର ଗତିରେ ଅଟୋ ଭିତରେ ପଶିଗଲା ପଛକୁ ଚାହିଁ ଚାହିଁ । ସେ ଦି’ ଜଣ ପିଛା କରିକରି ଖଣ୍ଡେ ଦୂରରେ ଆସି ଅଟକିଥିଲେ । “ଫଟୋଟେ ଉଠାଇନେବି କି ଏଇ ଦୁଇଜଣଙ୍କର । ନା ! ଥାଉ । ଆଉ କିଛି ଦିନ ସହିନେବି…ତା’ ପରେ ।” ଏମିତି ବି ଦଶ ମାସ ବିତିଗଲାଣି ।” ବ୍ୟାଗରୁ ମୋବାଇଲ ଫୋନ୍‌ କାଢ଼ୁ କାଢ଼ୁ ଅଟକିଗଲା ସୁ । ଅଟୋଟି ଗଳିମୋଡ଼ ବୁଲିଲା ବେଳେ ସେ ପଛକୁ ଦେଖିଲା, ଦୁଇଜଣ ତଥାପି ଚାହିଁ ରହିଁଛନ୍ତି ।

ଆଜି କି ପ୍ରାୟ ଛଅ ବର୍ଷ ହେଲା ଏଇ ବାଟେ ନିଜ ଗସ୍ତବ୍ୟସ୍ଥଳ ଅର୍ଥାତ୍ ମୁଖ୍ୟରାସ୍ତାରୁ ଗଡ଼ାଣିରେ କିଛି ପାହୁଣ୍ଡ ଦୂରେ ଥିବା ଏକ ସପିଂ ପ୍ଳାଜାର ନାମୀ ବିୟୁଟି ସାଲନକୁ ଯାଏ ସୁ । ଖରାଦିନିଆ ଅଘୋଷିତ ବିଜୁଳିକାଟ୍ ବେଳେ, କେତେ ବର୍ଷାରେ, ଶୀତରାତିରେ, ପୁଣି କେବେ କେବେ ରାତି ପ୍ରାୟ ୧୦:୩୦ଟା/ ୧୨ଟା ପାଖାପାଖି ସେ ଘରକୁ ଫେରେ । କେବେ କୌଣସି ଅସୁବିଧା ହେଇନି କିମ୍ବା ଭୟ ପାଇନି…କିନ୍ତୁ ଏଇ କେତେ ଦିନ ହେଲା…ସବୁ ଆତ୍ମବିଶ୍ୱାସ ତା’ର ଛିନ୍ନଭିନ୍ନ ହୋଇଯାଇଛି ଯେମିିତି ।

“ଓଃ ! ନ ଚାହିଁଲେ ବି କେତେ ନକରାତ୍ମକ କଥା ସବୁ ଭାବିହେଇଯାଏ ।” ଦୀର୍ଘନିଶ୍ୱାସଟେ ଛାଡ଼ି ଆଖିବୁଜି ଧ୍ୟାନମୁଦ୍ରାରେ ବସି ରହିଲା ସେ । ଅବସନ୍ନତାର କୁହୁଡ଼ି ନଇଁ ଆସିଲା ଆଖିପତା ଉପରକୁ ଓ ଚେତନା ଆହୁରି ଧୂଆଁଳିଆ ହୋଇଗଲା ନିଦ୍ରାରେ ଆଲିଙ୍ଗନରେ । ଜୋର୍ କରି ଆଖି ଖୋଲି ନିଜର ନଖଗୁଡ଼ିକ ଦେଖିଲା । ଆଜି ସେ ନିଜ ନଖଗୁଡ଼ିକୁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପଚାର ଦେଇଛି । ନିଜକୁ ନିଜେ ତାରିଫ୍ କଲା । ଏସବୁ ଉପଚାର ଉଦ୍ଧୀପନା ଭରିଦିଏ ମନପ୍ରାଣରେ । ଅନ୍ୟମାନଙ୍କଠୁ କିଛିଟା ଭିନ୍ନ ଦେଖାଗଲେ ଅବସାଦ କେତେକାଂଶ ହଟିଯାଏ । ଅନ୍ୟ କେଉଁ ବଡ଼ ସହରରେ, ଭଲ ସଂସ୍ଥାରେ କାମ କରିବାର ସୁଯୋଗ ପାଇଲେ ସେ କେବେ କ’ଣ ହାତଛଡ଼ା କରନ୍ତା ? ସୌନ୍ଦର୍ଯ୍ୟ ଉପଚାର କାମ ପ୍ରତି ଆଗ୍ରହ ଯୋଗୁଁ ହିଁ ପ୍ରତିଦିନ ବାର କିିମି ରାସ୍ତା ଅତିକ୍ରମ ବିୟୁଟି ସାଲନକୁ କେବେ ବସରେ ତ କେବେ ଅଟୋରେ ଯା’ଆସ କରୁଛି । ଆଉ କ’ଣ ଏହି ଲୋକଟା ପାଇଁ ଚାକିରୀ ଛାଡ଼ିଦେବ ? ଘରେ ଲୁଚି ବସିବ ? ସକରାତ୍ମକ ଭାବନା ଚେତନାକୁ ଆରାମ ଦିଏ, କର୍ମମନସ୍କ କରାଏ ସତ କିନ୍ତୁ ନକରାତ୍ମକ ଭାବନା ସବୁ ଝାଙ୍କି ଦିଏ, ସତର୍କ ରଖେ ।

ଅଟୋ ସାମ୍ନା ଆସନରେ ଜଣେ ଯୁବକ ଓ ପାଖରେ ଜଣେ ବୃଦ୍ଧ ବସିଥିଲେ । “କିନ୍ତୁ ଆଗ ସିଟ୍‌ରେ ବସିଥିବା ଯୁବକଟି କିଏ ? ତା ଭଳି ତ ଦେଖା ଯାଉଛି…ନା ନା…ସିଏ ତ ଡ଼େଙ୍ଗା…ଆଉ…ଏବେ ତ ସମସ୍ତେ ତା’ ଭଳି ହିଁ ଦେଖା ଯାଉଛନ୍ତି ।” ସୁ’ କଣେଇ କଣେଇ ଚାହିଁଲା, ମୁଣ୍ଡ ଅଳ୍ପ ଟେକି ଦେଖିଲା । ମଝି ରାସ୍ତାରେ ଓହ୍ଳାଇଗଲା ବୃଦ୍ଧ ଓ ଜଣେ ଅଳ୍ପବୟସ୍କ, କାନ୍ଧରେ ବ୍ୟାଗ ଓହଳାଇ କଲେଜ ପଢ଼ୁଆ ତରୁଣ । ପଛସିଟରେ ସୁ’ ଆଉ ଟିକେ ଜାକିଜୁକି ହୋଇ ବସିଲା । ଶୀତଳ ପବନରେ ତା ଦେହମନ ତାଜା ହେଇଆସୁଥିଲା । ତା’ର ଜଣେ ପୂର୍ବ ସହକର୍ମୀ ସୁନୀତା ଫୋନ୍‌ କରିଥିଲା ଓ ତରତର କଣ୍ଠରେ “ଦେହ ଭଲ ନାହିଁ…ଭୋଜିରେ ଯୋଗ ଦେଇପାରିବିନି, ଖରାପ ଭାବିବୁନି”, ବୋଲି କହି ତତ୍‌କ୍ଷଣାତ ଫୋନ୍‌ ସ୍ୱିଚ୍ଅଫ କଲା ସୁ ।

ପବନବେଗ ବଢ଼ୁଥିଲା, ଧୂଳି ଓ ଶୁଖିଲା ପତ୍ରମାନ ଗତିଶୀଳ ଥିଲେ, ଦୌଡ଼ ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କ କ୍ରମବହିଷ୍ଣୁ ଧାବନ ଭଳିି ।

ଅର୍ଦ୍ଧନିର୍ମିତ କିନ୍ତୁ ପ୍ରାୟ ଜରାଜୀର୍ଣ୍ଣ ଆବାସର ଦରଜାର ତାଲା ଖୋଲିଲା ବେଳେ ଗୁରୁଗମ୍ଭୀର ଘଡ଼ଘଡ଼ି ଓ ନୃତ୍ୟରତା ବିଜୁଳିର ଚମକ୍ ସହିତ ଆରମ୍ଭ ହେଇଗଲା ଅବିଶ୍ରାନ୍ତ ବର୍ଷା ।

“ଏ ଚାକିରୀ ମୁଁ ଛାଡ଼ିଦେବି…ଲୋକଟା ମୋର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖୁଛି । କେତେ ଗଳି, ଉପଗଳି ଓ ରାସ୍ତା ବାହାର କରି ମୁଁ ଲୁଚି ଲୁଚି ଫେରିବି । ବର୍ଷେ ପାଖାପାଖି ହେଇଯିବ । ପୋଲିସ୍‌ରେ ଅଭିଯୋଗ କେମିତି କରିବି? ସେମାନେ ଯଦି କହିବେ ଲୋକଟା ଦି’ଟା ତ ବେଶ୍ ମାର୍ଜିତ ଜଣାପଡ଼ୁଛନ୍ତି ଓ ନିଜ ସାହିରେ ସେମାନଙ୍କ ଭଦ୍ର ସୁନାମ ବି ଅଛି । ଯଦି କିଛି ବଦମାସି କରନ୍ତି ଆମେ କିଛି କରିପାରୁ । ନା, ତାକୁ ପାନେ ଦେବାକୁ ହେବ ।”

ମନେ ମନେ ଉପାୟ ଖୋଜୁଥିଲା ସୁ’ ।

‘ନେବି କି ମଣ୍ଟୁର ସହାୟତା । ଏବେ ଏବେ ସେ ନିର୍ବାଚନୀ ହିଂସାରେ ସଂପୃକ୍ତି ହେତୁ ଜେଲ୍‌ ଯାଇ ଜାମିନରେ ଫେରିଛି । କିନ୍ତୁ ମୋତେ ଭଉଣୀ ଭଳି ସମ୍ମାନ ଦିଏ, ଅନେକ ଅସୁବିଧାରେ ସାହାଯ୍ୟ ମଧ୍ୟ କରିଛି । ଏ ଅଯାଚିତ ନଜରରୁ ତ ତ୍ରାହି ମିଳିବ । ହେଇପାରେ ସାମାନ୍ୟ ଘଟଣାଟିଏ ଅନ୍ୟମାନଙ୍କ ସକାଶେ କିନ୍ତୁ ସେ ଯେ ମାନସିକ ଯାତନାରେ ଅସ୍ତବ୍ୟସ୍ତ ହେଇଗଲାଣି । କୌଣସି ମନ୍ଦ ଉଦ୍ଧେଶ୍ୟ ରଖି ଯଦି ସେମାନେ…’ ଅନେକ ପରସ୍ପର ବିରୋଧି ବିଚାରରେ ସେ ଆକ୍ତାମାକ୍ତ ହୋଇପଡ଼ୁଥିଲା ।

ଏଇଥିପାଇଁ ଗତ କିଛିଦିନ ହେବ ଭଲ ପୋଷାକଟିଏ ପିନ୍ଧିବାକୁ ବି ସେ କୁଣ୍ଠିତ, ପ୍ରସାଧନ ବି । ଠିକ୍ ଅଛି ସେ ଲୋକଟି ତା’ର କିଛି କ୍ଷତି କରୁନି । କିନ୍ତୁ ବେଳକାଳ ଦେଖି ନ କରିବ ବୋଲି କିଛି ମାନେ ଅଛି ? ଆଖପାଖ ଗହଳ ରାସ୍ତା, କିନ୍ତୁ ସେ ଲୋକର ହାବଭାବ, ଚେହେରା ଦେଖି କିଏ ସନ୍ଦେହ କରିବ ନାହିଁ ସେ ଏକ ‘ଅପରାଧ’ କରୁଛି ।

ଷ୍ଟକିଙ୍ଗ, ବା ବିନା କାରଣରେ ଅଯଥା କୌଣସି ଝିଅ ବା ମହିଳାଙ୍କୁ ଅନୁଧାବନ କରିବା । ଏତେ ଅସ୍ୱସ୍ତିକର କେତେ ପୀଡ଼ାଦାୟକ । ଏମିତି ଅନୁଧାବନ କରି କରି ଜଣେ ଯଦି କିଛି ସାଙ୍ଗାତିକ ଅପରାଧ ଘଟାଏ ! ଲୋକଟା ଏତେ ନିର୍ଲଜ । ପୁଣି ତା’ ସହିତ ଆଉ ଜଣେ…ତା’ ସାହାଯ୍ୟକାରୀ । ସାଲନ୍‌ରୁ ଫେରିବା ବେଳେ ବହୁତ ଭୋକ ଲାଗୁଥିଲା । ଭାବିଥିଲା ରାସ୍ତାରେ କିଛି ଖାଇନେବ । କିନ୍ତୁ ସେ ଲୋକକୁ ଦେଖି ସବୁ ଭୋକ ମିଳାଇଗଲା । ଏବେ ଆଲମାରିରେ ଅଧଖୋଲା ପାଉଁରୁଟି ପ୍ୟାକେଟ୍ ପଡ଼ିଥିଲା । ବାହାର କରି ସେ ପରଖିଲା । ଟିକେ ଟାଣ ଲାଗୁଛି । ଚଳିଯିବ, ପାଣି ସହିତ ।

ସେ ଚଉକିିରେ ବସିପଡ଼ିଲା, ହାତରେ ପାଉଁରୁଟି ଓ ପାଣି ଗ୍ଲାସ୍‌ଟିଏ ଧରି । ପୁରୁଣା କାଠ ଚଉକିଟି କେଁ କେଁ ଶବ୍ଦ ନରମିଗଲା । ଚଉକିର ପାଶ୍ୱର୍ବାହୁଟିଏ ଭାଙ୍ଗି ଯାଇଛି । ପାଉଁରୁଟିକୁ ସେ ପାଣିରେ ବୁଡ଼େଇଲା । ସାମ୍ନାରେ ଖଟିଆଟିଏ । ତା’ ଉପରେ ଏକ ଗୋଳାପି ଧଡ଼ି ଥିବା ଧଳା ଶାଢ଼ିର ଆସ୍ତରଣ । କାହାର ଅପେକ୍ଷାରେ ଯେମିତି ଖଟିଆକୁ ଆଉଜି ପଡ଼ିଛି ବଙ୍କୁଳି ବାଡ଼ିଟିଏ । ଷ୍ଟୁଲ ଉପରେ ଚଷମା ।

ଏଇତ, ଖଟରେ ଜେଜୀ ଶୋଇଛି । ରୁଗ୍ଣ, ଅସହାୟ, ମୃତବତ୍ । ଷ୍ଟୁଲ ଉପରେ ଅଇଁଠା ବାସନ । ଖୁଡ଼ୀ ଖୁଆଇ ଦେଇଯାଇଛି । ବଳକା ଭାତ ତରକାରୀ କୋଣରେ ଥୁଆ ହେଇଛି । ଏମିତି କାହାର ଦୟାରେ ଜେଜୀକୁ ଛାଡ଼ି ଦେଇଯିବା ଭଲ ଲାଗେନା ବା ଲାଗୁନଥିଲା! …ଏବେ ତ ସିଏ ଗତ, ସବୁ ସ୍ମୃତି ।

ମନର କୋଉ କୋଣରେ ଏକ ଅସ୍ୱସ୍ତିକର ଅପରାଧବୋଧ ଧକ୍କା ଦେଇ ଚାଲିଲା । ହଠାତ୍ ବଜ୍ରପାତ ହେଲା । ଧିରେ ଧିରେ ବର୍ଷାର ପ୍ରକୋପ କମି କମି ଆସିଲା ଓ ମନ୍ଦ ମନ୍ଦ ଶୀତଳ ପବନରେ ତା ଆଖି ମୁଦି ହେଇ ଆସୁ ଆସୁ ଅନାବନା ଭାବନାର ସୁଅ ଦିଗ ବଦଳେଇ ନିଜ ଉପରେ କେନ୍ଦ୍ରୀଭୂତ ହେଲା ।

ଏହି ଚେହେରା ସକାଶେ ସେ କେବେ କାହା ସହିତ ଖୋଲାଖୋଲି ମିଶେନା । ଏହି ‘ବର୍ମିଜ୍ ବର୍ମିଜ୍’ ଚେହେରା ପାଇଁ । ତା’ ଜେଜୀ ବର୍ମା (ମ୍ୟାଆଁମାର)ର ମୂଳ ବାସିନ୍ଦା । ଆଉ ସେ ତ ତାଙ୍କରି ବଂଶଜ । ପୁଣି ଭାବନା ମୋଡ଼ ବଦଳେଇଲା । ସ୍ମୃତିର ଆଉ ଏକ ପରସ୍ତକୁ ଖୁରଖୁରେଇଲା । ଯେମିତି ଗତ କିଛି ମାସ ତଳେ ତା ଚର୍ମରେ ବଢ଼ିଥିବା ଯାଦୁ…କୁଣ୍ଡେଇବାକୁ ଭଲ ଲାଗେ ପୁଣି ଅଳ୍ପ ଅଳ୍ପ କଷ୍ଟ ହୁଏ ।

“ସୁ !…ଆଉ ଗୋଟେ ପିଠା ନେ… । ଜେଜୀର ଆଗ୍ରହ ଆଗରେ ସେ ବିବଶ ହେଇପଡ଼େ । “ଜାଣିଛୁ… ତୋ ଜେଜେ ଆଉ ମୁଁ , ପେଟରେ ତୋ ବାପା…ସେତେବେଳେ ସେ ଦୁର୍ଗମ ପାହାଡ଼ି ଉପତ୍ୟକା ଓ କଳାଦାନ (ଛିମ୍ତୁଇପୋଇ) ନଦୀ ଡଙ୍ଗାରେ ପାର ହେଇ ଆସୁଥିଲୁ, ତା’ପରେ ପୁଣି ପାଦରେ ଚାଲି ଚାଲି । ଓଃ ! ଦୀର୍ଘଦିନ ପରେ ଆମେ ଭାରତ ସୀମାରେ ପ୍ରବେଶ କଲୁ । କି କଷ୍ଟ …”

ଜେଜୀ ଆରମ୍ଭ କରିଦିଏ ତା’ର ସେ ଦିନର କାହାଣୀ । ଏହି କାହାଣୀ…ବା ତା ଜେଜେ ଜେଜୀଙ୍କ ଜୀବନରେ ଘଟିଯାଇଥିଲା ଚରମ ବାସ୍ତବତା, ସେ ବୋଧେ ଶହେ ଥର ଶୁଣି ସାରିଥିବ । ତଥାବି ନୂଆ ନୂଆ ଲାଗେ । ଆଉ ଆଜି ବି ସେହିଁ କାହାଣୀ ତା’ର ସବୁ ଭୟ, ଏକାକୀତ୍ୱକୁ ଦୂରେଇ ମନକୁ ଦୃଢ଼ କରେ ।

“୧୯୪୨… ଜାନୁୟାରୀ ମାସର ଏକ ମନୋରମ ବାଇଗେଣି ସନ୍ଧ୍ୟା । କିନ୍ତୁ, ସେଦିନ ମୋତେ କାହିଁକି ବହୁତ ମାଡ଼ି ମାଡ଼ି ପଡ଼ୁଥିଲା । ବାପା ମା’ଙ୍କ କଥା ତ ମନେ ନାହିଁ, କିନ୍ତୁ ମୋ ବଡ଼ ଭଉଣୀଟି ମୋର ସବୁକିଛି । ଆଉ ମୋ ମାଉସୀ, ଯେ ଆମକୁ ଲାଳନ ପାଳନ କରିଛନ୍ତି, ତାଙ୍କ କବଳରୁ ତ ମୁଁ କେବେଠାରୁ ଖସି ସାରିଥିଲି ।

“କବଳରୁ …ମାନେ?”

“ସବୁ ବେଳେ ଅନୁଶାସନ, ଏଇଟା କରନା, ସେଇଠା କର, ମୁଁ ତ ତୋ ଜେଜେଙ୍କୁ ଗୋପନରେ ବାହା ହେଇଗଲି ଓ ଘର ଛାଡ଼ିଲି । କିନ୍ତୁ ମଝି ମଝିରେ ମୁଁ ଲୁଚି କରି ବଡ଼ ଭଉଣୀକୁ ଦେଖା କରେ । ଆଉ ସେଦିନ ବି ଶେଷ ଥର ପାଇଁ ତାକୁ ଦେଖା କଲି । ମୋ ପାଇଁ ତୋ ଜେଜେ ହିଁ ସବୁ କିଛି । ଭାରତରୁ ତୋ ଜେଜେ ଆମର ସେଠାକୁ ମଜୁରି ଖଟିବାକୁ ଚାଲିଆସିଥିଲେ । କିନ୍ତୁ ପରେ ଭାରତୀୟ ବିରୋଧି ମନୋଭାବକୁ ଦେଖି ତୋ ଜେଜେ ଦେଶ ଛାଡ଼ିବାକୁ ବାଧ୍ୟ ହେଲେ । ତେଣୁ ଘରେ କାହାକୁ ନଜଣାଇ ଆମେ ବିବାହ କରିନେଲୁ ଓ ଦୁଇ ମାସ ଭିତରେ ଦେଶ ଛାଡ଼ିଲୁ । ସେତେବେଳ ଯୁଦ୍ଧର ଘନଘଟା ମାଡ଼ି ଆସୁଥାଏ । ଜାପାନୀ ସୈନ୍ୟଙ୍କ ଅନୁପ୍ରବେଶ ଓ ବୋମାମାଡ଼ ସହିତ ରଙ୍ଗୁନ ତଥା ଆଖପାଖ ସହରରେ ବସବାସ କରୁଥିବା ଉତ୍ପୀଡ଼ିତ ଅନେକ ଭାରତୀୟ ସେ ଦେଶ ଛାଡ଼ିବାକୁ ବାଧ୍ୟ ହେଲେ । ଆଉ ମୁଁ ମଧ୍ୟ, ମୁଁ ସେତେବେଳକୁ ଦୁଇ ମାସର ଗର୍ଭବତୀ ।” ବାସ୍ ଏତିକି କହି ସେ ଚୁପ୍ ହେଇଯାଏ । ସେ ମନେ ପକାଇବାକୁ ଚେଷ୍ଟା କରେ ଟିକିନିକି କଥା ସବୁ । କିନ୍ତୁ ବାର୍ଦ୍ଧବ୍ୟଜନିତ ସ୍ମୃତିଭ୍ରଂଶ ବାଧକ ସାଜେ ।

…ଆଉ ସୁ’ ଉଠିଯାଇ ନିଜ ଭୃଗୋଳ ବହିରେ ଖୋଜି ବୁଲେ, ‘ବ୍ରହ୍ମଦେଶ’, ଯାହାର କିଛି ନା କିଛି ତା ଧମନୀରେ ପ୍ରବାହିତ ।

ନିଜକୁ ନିଜେ ପଚାରେ, ସେଠାକାର ମୂଳ ଅଧିବାସୀଙ୍କ ଭାରତୀୟ ବିରୋଧି ମନୋଭାବ କାହିଁକି ଥିଲା ସେ କାଳରେ । ଯେମିତି ଭାରତ-ପାକିସ୍ଥାନ ବିଭାଜନ ସମୟରେ ଅନେକ ଲୋକ ପାକିସ୍ଥାନ ଛାଡ଼ି ଭାରତ ପଳାଇ ଆସିଲେ, ସେମିତି ତ କିଛି ପରିସ୍ଥିତି ଉପୁଜି ଥିଲା କି ?

ପାଉଁରୁଟିଗୁଡ଼ିକରୁ କେତେ ଖଣ୍ଡ ସେ ବିଲେଇକୁ ଦେଲା, ପାଣି ତକ ଢକ୍ ଢକ୍ କରି ପିଇଗଲା; ଅତୀତର ପୃଷ୍ଠାରୁ ବାସ୍ତବତାକୁ ଫେରିଆସିଲା ।

ବର୍ମିଜ ସଂସ୍କୃତିରେ ଧରାଯାଏ ଯେ ବିଲେଇ ଦେହରେ କୌଣସି ପବିତ୍ର ଆତ୍ମା ବାସ କରନ୍ତି । ବିଲେଇଟିକୁ କୋଳକୁ ଉଠାଇ ନେଲା । “କ’ଣ ଏଇ ବିଲେଇ ଭିତରେ ମୋ ଜେଜୀ ଏବେ ବିଦ୍ୟମାନ?” ଯେଉଁ ବର୍ଷ ଜେଜୀ ଚାଲିଗଲା, ସେଇ ବର୍ଷରେ ହିଁ କେଉଁଠୁ ଏ ବିଲେଇ ଆସିଲା । ଯେତେ ତଡ଼ିଲେ ବି ଗଲାନି ।

ବିଲେଇଟି ଛାଟିପିଟି ହେଇ କୋଳରୁ ଡ଼େଇଁପଡ଼ିଲା । ଦୁଆର ବନ୍ଧରେ ଚାରିଟି ବିଲେଇ ଛୁଆଙ୍କ ପାଖକୁ ଗଲା । ସୁ’ ବାଡ଼ିଟେ ଧରି ଗୋଡ଼େଇ ଗଲା ବହେ ପିଟିଲା ସେମାନଙ୍କୁ ଅତି ନିଷ୍ଠୁରତା ସହ । ଘରଦୁଆର ଅପରିଷ୍କାର କରୁଛନ୍ତି । କେତେ ଛୁଆ ଜନ୍ମ କରୁଛି ଏ ବିଲେଇଟା ? ଗତବର୍ଷ ତ ତା’ର ସବୁ ଛୁଆଙ୍କୁ ମାଙ୍କଡ଼ ଗୋଟାଇ ନେଇଥିଲେ । କପାଳରେ ହାତ ଦେଇ ସୁ’ ଗୁଣଗୁଣେଇଲା ।

ସହର ଉପକଣ୍ଠ, ପଞ୍ଚାୟତ ଅଞ୍ଚଳରେ ଏହି ଘର ତିଆରି ହେଇନଥିଲା ଯେତେବେଳେ । ସେମାନେ…ମାନେ ବାପା, ଜେଜୀ, ମିକି-ଶୂଆ- ଓ ସୁ’ ରହୁଥିଲେ ଏକ ଭଡ଼ା ଘରେ, ସରରାଞ୍ଚଳର ମଝିମଝିଆ ମଝି । ଆଠ ବର୍ଷ ତଳେ ।

ସେ କଲେଜରେ ପଢ଼ୁଥିବା ବେଳୁ ହିଁ ତାକୁ ଜାଣିଥିଲା । ଆଜି ଭୟଙ୍କର ଲାଗୁଥିବା ଓ ଏବେ ତା ପିଚ୍ଛା କରୁଥିବା ଲୋକଟି ଯେତେବେଳେ ଓଲିଉଡ଼ରେ ଛୋଟମୋଟ ଭୂମିକାରେ ଅଭିନୟ କରୁଥିଲା ଓ ୪୧ ବର୍ଷରେ ବି ସଂଘର୍ଷ ଜାରିରଖିଥିଲା । ତେଣୁ ପୋଷାକ ପରିଚ୍ଛଦ, କେଶ ବିନ୍ୟାସ ଓ ଢ଼ଙ୍ଗଢ଼ାଙ୍ଗରେ ଅନ୍ୟମାନଙ୍କଠୁ ବାରି ହେଇପଡ଼ୁଥିଲା । ସାମ୍ନାସାମ୍ନି ହେଇଗଲେ ସେ ବାଟ ଓଗାଲିଲା ଭଳି ଠିଆ ହେଇଯାଏ । ତା’ଆଖିର କେଉଁ ଏକ ମାଧକତାରେ ଆକର୍ଷିଯାଇ ସୁ’ ମଧ୍ୟ ଅଟକିଯାଏ କିଛି ମୁହୂର୍ତ୍ତ । କଲେଜ ପଢ଼ା ଓ ବିଉଟି ପାର୍ଲରରେ ପାର୍ଟଟାଇମ୍ କାମବ୍ୟସ୍ତ ସୁ ଏକ ବେକାର ଅପେକ୍ଷାକୃତ ବୟସ୍କ ଲୋକ ଆଡ଼କୁ ଢଳିବା ଆରମ୍ଭ କଲା , ଏକ ବିଚିତ୍ର ଆକର୍ଷଣରେ ।

ବିନା କୌଣସି ବାକ୍ୟବିନିମୟରେ ପ୍ରାୟ ଏଇ ଧାରାରେ ଦୁଇ ବର୍ଷ ଏମିତି ଚାଲିଲା ପରେ ଦିନେ ତା’ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରି ସୁ’ବ୍ୟସ୍ତ ହେଇପଡ଼ିଲ କାହିଁକି ? ବୋଧହୁଏ କେବଳ ସେଇ ଚାହାଣୀର ଭୋକିଲା ଥିଲା ସେ । କେବଳ ଚାହାଣୀ ହିଁ ଥିଲା ଆଉ ସବୁ ଯେମିତି କି ଲୋକଟିର ଚରିତ୍ର, ଅତୀତ ସବୁ ମଳିନ ପଡ଼ୁଥିଲା, ଧିରେ ଧିରେ ଅଭ୍ୟସ୍ତ ହେବାକୁ ଲାଗିଥିଲା ଏ ସବୁ ସହ ।

ମନେ ମନେ ଖୁସି ହେଉଥିଲା, ଯାହା ହେଉ କିଏ ତ ଜଣେ ଅଛି ଯେ ତା’ର ଅସ୍ତିତ୍ୱକୁ ଅଣଦେଖା କରୁନି; ଚେପଟା କିନ୍ତୁ ଲମ୍ବା ନାକ, ଗାଢ଼ କଳା ଲମ୍ବା ବେଣୀ କିନ୍ତୁ ମାତ୍ର ୫ ଫୁଟର ଅବୟବ, ଶ୍ୟାମାଙ୍ଗୀ, ମୋଟି ଓ ଅନ୍ୟଠାରୁ ବାରି ହେଇପଡ଼ୁଥିବା ଚେହେରା । ନାମ ବି ସେମିତି ତିନୋଟି ଶବ୍ଦ, ସୁ ମି ମିମା । ଏଇ ନାମଟି ଜେଜେମା ଦେଇଥିଲେ । ପ୍ରଥମ ନାମଶବ୍ଦଟି ତାଙ୍କ ଜନ୍ମମାଟି ମାନେ ବର୍ମା/ମ୍ୟାଆଁମାର ପ୍ରତି ଆବେଗିକ ମମତା ଓ ଦ୍ୱିତୀୟ ଓ ତୃତୀୟ ଶବ୍ଦଟି ତାଙ୍କ ପୁତ୍ର ‘ମିଆଙ୍ଗ’ ପ୍ରଥମ ଅକ୍ଷର ଅନୁସାରେ । ଏଇ ଚେହେରା ସକାଶେ କେହି କେହି କୌତୁହଳପୂର୍ଣ୍ଣ ଦୃଷ୍ଟିଟିଏ ଫିଙ୍ଗିଦେଇ ନିଜ ବାଟରେ ଚାଲିଯାଉଥିଲେ ।

ବେଳେ ବେଳେ ଇଛା ହୁଏ ସେ ଯାଇପାରନ୍ତା କି ମ୍ୟାମାଁମାର । ଇଣ୍ଟରନେଟ୍‌ରେ ସେ ଖୋଜି ବୁଲେ ସେଠାକାର ଗାଁଗହଳିର ଦୃଶ୍ୟକୁ । ସେଠାକାର ବୌଦ୍ଧ ସନ୍ୟାସୀଙ୍କ ସମାହାରର ଚିତ୍ର, ଭିଡ଼ିଓ ତା’ ଚେତନାରେ ଭରିଦିଏ ଦିବ୍ୟବୈରାଗ୍ୟ । ସେ ଯଦି ସେଠି ଥାଆନ୍ତା ତ ବୌଦ୍ଧ ସନ୍ୟାସିନୀ ଦୀକ୍ଷା ଗ୍ରହଣ କରିନେଇଥାନ୍ତା । ଏମିତି ସବୁ ପରପ୍ସର ବିରୋଧି ଭାବନାରେ ସେ କେବେ ହୁଏ ଆହ୍ଲାଦିତ ତ କେବେ ବିଷାଦିତ ।

କିନ୍ତୁ ଧିରେ ଧିରେ ଲୋକଟିର ଅସଲ ଚେହେରା ସହିତ ପରିଚିତ ହେଉଥିଲା ସେ । ଦିନେ ରାସ୍ତା ପାର ହେଉ ହେଉ ସୁ ସେ ଲୋକଟିକୁ କହୁଥିବାର ଶୁଣିଲା, “ଅପରେସନ କରିଥିଲେ ଗୋଡ଼ ଠିକ୍‌ ହେଇଥାଆନ୍ତା ।” ତା’ଉଦ୍ଧେଶ୍ୟରେ ଶୁଣେଇ ଶୁଣେଇ କୁହାଯାଉଥିବା କଥା ଶୁଣି ଖରାପ ଲାଗିଲା ଅବଶ୍ୟ, ଓଃ ! ଚେହେରାର ଯେଉଁ ଦୋଷକୁ ସେ ଅତ୍ୟନ୍ତ ଚେଷ୍ଟା କରି ଆଡ଼େଇ ଯାଏ ମନେ ପଡ଼ିଗଲା । ଜନ୍ମରୁ ତା’ ଡାହାଣ ଗୋଡ଼ଟି ବାମ ଗୋଡ଼ଠୁ ଅପେକ୍ଷାକୃତ ସାମାନ୍ୟ ଛୋଟ । ଏ ସବୁ କଥା ଶୁଣି ମୁହଁ ଶୁଖେଇ ଚାଲି ଯାଉଯାଉ ସେ ପୁଣି ଶୁଣିଲା, “ବାଃ ଭାଇ ୪୨ ବର୍ଷ ବୟସରେ ୨୫ ବର୍ଷିଆ ସୁନ୍ଦରୀ ଝିଅଟେ ପାଇଲ ।”

ସେ କହୁଥିଲା, “ଆଉ କ’ଣ ଅପେକ୍ଷା କରିବାର ବୟସ ଅଛି ନା ମୋର କିଏ ଅଛନ୍ତି ବୁଝିଦେବାକୁ…କେତେ ଦିନ ନିଜେ ରୋଷେଇ କରି ଖାଇବି । ଘର ଭଡ଼ା ଆଉ ଇ-କାର୍ଟ ଡେଲିଭରୀ ଚାକିରୀରୁ ଯାହା ମିଳୁଛି ସେଥିରେ ଚଳିବାକୁ ପଡ଼ିବ । ଅବଶ୍ୟ ଝିଅଟି ଶିକ୍ଷୟତ୍ରୀ ଚାକିରିଟାଏ କରିଛି ଓ ଦୁଇ ଲକ୍ଷ ନଗଦ ଦେବାକୁ ଶଶ୍ୱର ଘର ଲୋକେ ରାଜି ।”

ସୁ’ର ମନ ଦବି ଗଲା, ଆଖି କୋଣରେ ଢଳ ଢଳ ହେଲେ ଲୁହ ଦୁଇ ବୁନ୍ଦା, କିନ୍ତୁ ବର୍ଷିଲେନି । “ତା’ ହେଲେ ମୁଁ କ’ଣ ସେ ଲୋକକୁ ଭଲପାଉଥିଲି ।” ନିଜକୁ ନିଜେ ପଚାରିଲା । କିନ୍ତୁ ଏବେ ସେ ନିଜ ଚେହେରା ପ୍ରତି ଅଧିକ ଧ୍ୟାନ ଦେବା ଆରମ୍ଭ କରିଦେଇଥିଲା; ଅନେକ ପ୍ରସାଧନ ସାମଗ୍ରୀ ବ୍ୟବହାର ସହିତ କୁତ୍ରିମ/ପ୍ରାକୃତିକ ଉପଚାର/ପରୀକ୍ଷା-ନିରୀକ୍ଷା କରୁଥିଲା ନିଜ ଚେହେରାର । ଶାରୀରିକ ଦୋଷ ଥାଇ ବି ନିଜକୁ ଖୁବ୍ ଆକର୍ଷଣୀୟ କରିପାରିଲା ।

୧୬ ଜୁନ ୨୦୧୬

ଗତ ମାସରେ କିଣିଥିବା ଫିକା ବାଇଗେଣୀ ଶରାରା ପିନ୍ଧି ସେ ମୁହଁରେ କି୍ରମ ଲଗାଇଲା । ହାଇ ହିଲ ସାଣ୍ଡଲଟି ପିନ୍ଧି ଝରକା ସବୁ ବନ୍ଦ କରୁ କରୁ ମନେ ପଡ଼ିଗଲା ଗତ କେତେ ମାସ ହେବ ତା’ ସହିତ ଘଟିଯାଉଥିବା ଅବାଂଛିତ ଘଟଣା ସମୂହକୁ । ସେ ପାଣିରେ ମୁହଁ ଧୋଇପକାଇଲା, ପୋଷାକଟି ଖୋଲି ପକାଇ ଏକ ବଡ଼ ଜରି ବ୍ୟାଗରେ ପୁରାଇଲା । ଏକ ଧଳା ସଲୱାଲ କମିଜ ପିନ୍ଧି ସହ ହଳଦିଆ ଓଡ଼ଣୀ ପକେଇ ସେ ବାହାରିପଡ଼ିଲା । ଆଜି ସହକର୍ମୀ ଉର୍ମିର ବାହାଘର, ତେଣୁ ଭଲ ପୋଷାକଟିଏ ତ ପିନ୍ଧିବାକୁ ପଡ଼ିବ । ଘରୁ ବାହାରିବାକୁ ଜମାରୁ ଇଚ୍ଛା ହେଉନଥିଲା ତା’ର । ରାସ୍ତା ଉପରକୁ ଆସି ବି ଯିବା ନଯିବା ଦ୍ୱନ୍ଦ୍ୱରେ ଥିଲା ।

ସଂନ୍ଧ୍ୟା ୭:୧୫ । ଟାଉନ ବସ୍‌ରେ ଉଠିଲା ସେ । ସିଟ୍‌ସବୁ ପ୍ରାୟ ଖାଲି ଥିଲା । ଯା’ ହେଉ । ଆଜି ସେ ଲୋକ ନଥିଲା । “ଭଲ ହୁଅନ୍ତା ଲୋକଟା ଯଦି ସବୁ ଦିନ ପାଇଁ…ସେମିତି ତ ସେ, ମୋତେ ଏକୁଟିଆ ଛାଡ଼ିବାର କୌଣସି ସମ୍ଭାବନା ଦେଖୁନି ।” ପାଖରେ କେହି ବସିବାର ଶବ୍ଦରେ ସେ ଚମକିପଡ଼ି ଘୁଞ୍ଚି ଆସିଲା ବେଳକୁ ଦେଖିଲା ସେ ଲୋକଟି ତା’ର ଅତି ନିକଟରେ । ସୁ ଉଠିପଡ଼ି ଡ୍ରାଇଭରକୁ କହିଲା, “ଏଇଟା ପରା ମହିଳାମାନଙ୍କ ପାଇଁ ସଂରକ୍ଷିତ?”

“ମ୍ୟାଡାମ ସେ ଏଇ ଆଗରେ ଓହ୍ଳେଇଯିବେ । ଟିକେ ଆଡ଼ଜଷ୍ଟ କରିନିଅନ୍ତୁ”, କହି କଣ୍ଡକ୍ଟରଟି ଟିକେଟ କାଟିବାରେ ବ୍ୟସ୍ତ ରହିଲା । “ଡ୍ରାଇଭରକୁ ବି ଶିଖେଇଦେଇଛି ବୋଧେ ।” ଏମିତି କିଛି ସନ୍ଦେହ ମନରେ ଭରି ମୁହଁଟା ବିକୃତ କରି ଝରକା ବାହାରକୁ ଅନାଇ ବସିଲା ସୁ’ ।

“ଜାଣେ ତମେ ମୋ ଉପରେ ରାଗିଛ । ମୁଁ ଅନ୍ୟତ୍ର ବିବାହ କରିଗଲି ବୋଲି । ସେ ଫିସ୍ ଫିସ୍ ତା କାନ ପାଖରେ କହିଲା । କିନ୍ତୁ ଏବେ ବି ସମୟ …ଅଛି । ତା’ ଛଡ଼ା ମୁଁ ଯେତିକି ଜାଣେ ତୁମେ ଏବେ ପୂରା ଏକୁଟିଆ । ସେ ଅଧଗଢ଼ା ଘରେ କ’ଣ ତୁମେ ଏକଲା ରହିବ?” ଚମକି ପଡ଼ିଲା ସୁ । ମନେ ମନେ ଭାବିଲା ଇଏ କୋଉ ‘ରାଗ’ କଥା କହୁଛି । ତା’ପ୍ରତି ଯାହା ମନରେ ଥିଲା ତାହା କେବଳ ଏକ ଚପଳ ବୟସର ଉତ୍ତେଜନା ମାତ୍ର ଥିଲା । ବଡ଼ ବଡ଼ ଆଖିରେ ତା’ ଆଡ଼େ ଅନାଇଲା ସୁ’ । କିନ୍ତୁ ଲୋକଟି ତ ନିର୍ବିକାର ଚିତ୍ତରେ ଚୁପ ରହିଲା । ସ୍ଥିର ଦୃଷ୍ଟି ତା’ର ଲାଖିରହିଥିଲା ବସ୍‌ର ପ୍ରବେଶ/ପ୍ରସ୍ଥାନ ଦ୍ୱାରକୁ । “କିଏ କହିଗଲା ଏତେ କଥା ତା’ହେଲେ?” “ଯାହା ଶୁଣିଲି କ’ଣ ମୋ କଳ୍ପନା ଥିଲା ତା’ହେଲେ? ମୁଁ ଏତେ ଅନ୍ୟମନସ୍କ ହେଇପଡ଼ୁଛି ଯେ?” ମନେହେଲା, ବସ୍‌ର ସବୁ ଯାତ୍ରୀ ଯେମିତି ତାକୁ ଦେଖୁଛନ୍ତି, କେହି ଆଶ୍ଚର୍ଯ୍ୟ ହେଇ, କେହି କେହି ଯେମିତି ଥଟ୍ଟା କରୁଛନ୍ତ, ପରସ୍ପର ସହିତ ତା ବିଷୟରେ କଥା ହେଉଛନ୍ତି । ଲୋକଟିର ଗନ୍ତବ୍ୟ ଆସିଯାଇଥିଲା । ତା’ ହାତ ସୁ’ର ହାତକୁ ଛୁଇଁବାକୁ ଚେଷ୍ଟା କଲା ଯେମିତି । ନା ଏହା ପୁଣି ମସ୍ତିସ୍କର ଉଦ୍ଭଟ ପରିକଳ୍ପନା ? ଅତି ସନ୍ତର୍ପଣରେ ହାତ ଆଡ଼େଇ ବସିଲା ସୁ’ । ସେ ଲକ୍ଷ୍ୟ କଲା ତା ପଛେ ପଛେ ତା’ର ଅନ୍ୟ ସାଥିଟି ବି ଓହ୍ଳାଇଗଲା, ତା’ ଆଡ଼େ ଚାହିଁଚାହିଁ, ଓଠରେ ସ୍ମିତ ଖେଳାଇ । ତା’ ଦେହଟା କେମିତି ଝିମ୍ ଝିମ୍ ହେଇଗଲା । “ଏତେ ସାହସ ! ଏମାନେ ତା’ହେଲେ ପୁଣି ମୋର ପିଛା କରୁଥିଲେ !!!”

ଅସ୍ଥିର ଚିତ୍ତରେ କିନ୍ତୁ ମନକୁ ଦୃଢ଼ କରି ଲୋକ ଦୁଇଟି ପଛରେ ଓହ୍ଳାଇଗଲା ସେ । ପିଛା କଲା । ସେ ଲୋକଟିର ସାଥି ଏକ ଘର ପାଖରେ ଅଟକିଗଲା । ଗେଟ ଖୋଲିଲା । “ଓଃ ! ଏଇ ଘରଟା ତା’ ହେଲେ… ।” ଚୁପ୍‌ଚାପ ସେ ଘର ସାମ୍ନାରେ ଥିବା ପାନ ଦୋକାନୀ ବାରଣ୍ଡାକୁ ଉଠିଯାଇ ପଚାରିଲା, “ମାଉସୀ ସେ ଘରଟି କାହାର?” “କାଇଁ କ’ଣ ହେଲା?” ଟିକେ ରୁକ୍ଷ ଭାବେ ପଚାରିଲା ସ୍ତ୍ରୀଲୋକଟି ।

“ସେ ଲୋକ ଆଉ ଜଣେ ଲୋକ ସହିତ ମିଶି ମୋତେ ସବୁବେଳେ ପିଛା କରୁଛି ।”

“ନା! ନା! ସେ ତ ସେମିତି ନୁହଁନ୍ତି, ତାଙ୍କର ତ ପିଲାଛୁଆ ଅଛନ୍ତି, ହେଇ ତାଙ୍କ ଝିଅ ଯାଉଛି” । ଏକ ଷୋହଳ / ସତର ବର୍ଷର ଝିଅଟିଏ ଘରୁ ବାହାରି ସାଇକେଲ ଚଢ଼ି ଚାଲିଗଲା ।”

କିଛି ସାହାଯ୍ୟ ନମିଳିଲା ନାହିଁ । ଅନ୍ତତଃ ଜଣଙ୍କର ମନରେ ତ ଏ ଦୁଷ୍ଟ ଲୋକର ଚରିତ୍ର ପ୍ରତି ସନ୍ଦେହ ତ ଉପୁଜାଇପାରିଲା । ଚୁପ୍‌ଚାପ୍ ଗଳି ପାର ହେଇ ଅଟୋ ଷ୍ଟାଣ୍ଡରେ ପହଞ୍ଚିଲା । ପୋଲିସ୍‌ରେ ଅଭିଯୋଗ କଲେ କାମ ସରନ୍ତା । “କିନ୍ତୁ କେହି ଯଦି ଓଲଟା ମୋ ଚରିତ୍ର ଉପରେ ସନ୍ଦେହ କରେ । ସେମାନେ ଯଦି କଥାଟାକୁ ଗୁରୁତ୍ୱ ସହ ନ ନିଅନ୍ତି ତ?”

ଏମିତି କେତେ କ’ଣ ଭାବୁ ଭାବୁ ସେ ଘରେ ପହଞ୍ଚି ଯାଇଥିଲା । ଥମ୍ କରି ଚଉକିି ଉପରେ ବସିଗଲା ସାମ୍ନାରେ ପଡ଼ିଥିବା ଖଟକୁ ଚାହିଁ । ତା’ ହାତ ମୁଠା ମୁଠା ହେଇଗଲା । ସାମ୍ନା ଡ୍ରେସିଂ ଟେବୁଲରେ ଆଇନାରେ ଭାସି ଉଠିଲା ସୁଦୂର କେଉଁ ଅତୀତର ଘଟିଯାଇଥିବା କିଛି ଦୃଶ୍ୟ । ଜେଜୀ ବି ଫଟୋରୁ ତାକୁ ଅନାଇ ରହିଥିଲା । ଆଖିରେ ଆଖିଏ ସନ୍ଦେହ । କେତେବେଳେ ଆଶ୍ୱସ୍ତି ଲାଗେ ଯେ ସେ ତାକୁ ଏତେ ଯନ୍ତ୍ରଣାରୁ ମୁକ୍ତି ଦେଇପାରିଲା ତ ଆଉ କେତେବେଳେ ମନେ ପଡ଼େ ସେଦିନ ଜେଜୀ ଶିଖେଇଥିବା ମାଗି ନୁଡ଼ୁଲୁସ୍ ଓ ମାଛରେ ପ୍ରସ୍ତୁତ ଏକ ପ୍ରକାରର ସୁଆଦିଆ ବର୍ମିଜ ବ୍ୟଞ୍ଜନ ରାନ୍ଧିଥିଲା । ନିଦରୁ ଉଠିଲେ ଖାଇବ ବୋଲି । କିନ୍ତୁ ଅସହ୍ୟ ମେରୁଦଣ୍ଡ ଜନିତ ଯନ୍ତ୍ରଣା ପୁଣି ତା’ ଜେଜୀକୁ କରିଥିଲା ଅସ୍ତବ୍ୟସ୍ତ । ସୁ’ ଜାଣିଶୁଣି ତାକୁ ଔଷଧ ଦେବାରେ ଅବହେଳା କରୁଥିଲା ଓ କ୍ରମଶଃ ତା’ ଜେଜୀର ସ୍ୱାସ୍ଥ୍ୟରେ ଅବନତି ଦେଖାଗଲା ଓ ଦିନେ ତାକୁ ସବୁ ଜଞ୍ଜାଳରୁ ମୁକ୍ତି ଦେଇ ଜେଜୀ ଅଫେରା ରାସ୍ତା ଧରିଲା ।

ଏବେ ସୁ’ ଉଠିପଡ଼ି ପଙ୍ଖାର ଗତି ବଢ଼ାଇଲା । ସେ ଝାଳନାଳ ହେଇଯାଉଥିଲା । ରୋଷେଇ ଘରକୁ ଯାଇ ସକାଳର ସିଝା ଆଳୁ, ଚିଙ୍ଗୁଡ଼ି ସିଝା, ଟମାଟୋ, ଲଙ୍କା,ରସୁଣ ଓ ଅଦା ମିଶେଇ ଏକ ପ୍ରକାରର ବର୍ମିଜ ସାଲାଡ଼ ପ୍ରସ୍ତୁତ କଲା ଓ ‘ଗପି’ (ଶୁଖୁଆରୁ ପ୍ରସ୍ତୁତ ଏକ ପ୍ରକାର ମ୍ୟାମାଁଆର ସସ୍)ତା ଉପରେ ଢାଳି ଖାଇଲା ।

ଆଜି କାହିଁକି ସେ ଏତେ କାକୁସ୍ତ ? ନିଜକୁ ସୁରକ୍ଷା ଦେଇପାରୁନି । ଏହା ନିଶ୍ଚୟ କୃତ୍ୟକର୍ମ । କାଲି ଯଦି ତା’ ସହିତ କିଛି ହେଇଯାଏ ତ…ଖୁଡ଼ୀଙ୍କ ପାଖକୁ ପଳାଇବ କି ? ଏମିତି ଏକୁଟିଆ ରହିବା ନିରାପଦ ନୁହେଁ ଜମା । “ନା..ନା…ମୋତେ ଏହି ଯନ୍ତ୍ରଣା ସହିବାକୁ ପଡ଼ିବ ।” ସେ କରିଥିବା ହତ୍ୟା ପାଇଁ ଓ ବହୁ ବର୍ଷ ପୂର୍ବେ ସେ ଲୋକର ଅଯାଚିତ ନଜର ଆଡେଇ ନଯାଇ, ତା’କୁ ପ୍ରୋତ୍ସାହନ ଦେବା । ହତ୍ୟା…ହିଁ ତ…ପ୍ରଥମେ ନିଜ ଜନ୍ମିତ ସନ୍ତାନ ଓ ପୁଣି…ପୁଣି…ଜେଜୀ ।

ଅନେକ କଷ୍ଟରେ ଅର୍ଥ ଯୋଗାଡ଼ କରି ତାକୁ ବିବାହ ଦେଇଥିବା ଆପେ(ପିତା) ଓ ଜେଜୀର ପଣତ କାନି ତଳେ ଶାନ୍ତିରେ ରହିବ ବୋଲି ସେ ଶାଶୁ ଘରୁ ତିନି ମାସର ଗର୍ଭବତୀ ଅବସ୍ଥାରେ ଫେରିଆସିଲା । ସଂପୂର୍ଣ୍ଣ ଶର୍ଯ୍ୟାଶାୟୀ ତା ‘ଆପେ’ ର ସେବା କରୁ କରୁ ସେ ଅଥୟ ହେଇପଡ଼ୁଥିଲା । ତେଣୁ ଗର୍ଭସ୍ଥ ଶିଶୁଟିକୁ ସଂସାରରେ ଭୂମିଷ୍ଠ କରାଇବାକୁ ସେ ଥିଲା କୁଣ୍ଠିତ । ଏମିତି ଏକ ମାନସିକ କାତରବସ୍ଥାରେ ହିଁ ସେ ପୁଣି ଲୋକଟିର ସଂସ୍ପର୍ଶରେ ଆସିଥିଲା । ନଚାହିଁଲେ ବି ଯେମିତି, ତା ସାମ୍ନାକୁ ଜାଣି ଶୁଣି ଆସିବା, ନିଜକୁ ସଜେଇ ହେଇ, ତାକୁ ଦେଖେଇ ହେଇ ପଡ଼ୋଶୀଙ୍କ ସହିତ କଥା କହିବା ତା’ର ନିତିଦିନିଆ ଅଭ୍ୟାସରେ ପରିଣତ ହେଇଗଲା । ବୋଧହୁଏ ଏହା ଥିଲା ବାସ୍ତବଠାରୁ ଦୂରେଇଯିବାର ଏକ ବାହାନା । କିନ୍ତୁ ଏହାଠାରୁ ଆଗକୁ ବଢ଼ିବା ଲାଗି ତା’ର ସାହସ ନଥିଲା ଯେମିତି । ଏମିତିକି ସେ ଆଜି ପର୍ଯ୍ୟନ୍ତ ତା ନାମ ବି ଜାଣିନାହିଁ ।

୧୧ ସେପ୍ଟମ୍ବର ୨୦୧୬

“ସେ ତ କାହିଁ ଆଉ ଦେଖା ଯାଉ ନାହିଁ । ଯାହା ହେଉ …ଏ ସାହିର କେତେ ଲୋକଙ୍କୁ କହିବାରୁ ବୋଧେ ଲୋକ ଦି’ଜଣ ଡରିଯାଇ ନିଜ ଭୁଲ ବୁଝିପାରିଲେ । “ତଥାପି କେମିତି ଏକ ଅସ୍ୱସ୍ତିକର ଅନୁଭବ କଲା ସେ । ସେ ତ ହାଲ୍କା ଅନୁଭବ କରିବା କଥା । ସୁ’ କ’ଣ ତା’ର ଅଭାବକୁ ଅନୁଭବ କରୁଛି । ନା…ନା ..ଖରାପ ଲାଗୁଛି ଯେ ଲୋକ ଦି’ଜଣ ଅତି ସହଜରେ ଖସିଗଲେ । ସେମାନଙ୍କ ଅପରାଧ ଚପିଗଲା । ସେ ଯେଉଁ ମାନସିକ ଯନ୍ତ୍ରଣା ପାଇଲା ବର୍ଷେ ଧରି ତାହାର କୌଣସି ଉଚିତ୍ ପ୍ରତିକାର ହେଇପାରିଲାନି ତ! ଭଲ ହେଇଥାଆନ୍ତା ଯଦି ତାକୁ ପାନେ ଦେଇଥାଆନ୍ତା । ଏମିତି ବି ସେ ଏକ ହତ୍ୟା କରିସାରିଛି । କେଉଁଠୁ ଆଣ୍ଟିସେପନ୍ଟିକ ର ଗନ୍ଧ ଆସୁଛି? ଆଣ୍ଟିସେପନ୍ଟିକ ର ଗନ୍ଧ ଓ ଧଳା ଚାଦର ଦେଖିଲେ ଏବେ ବି ମାଡ଼ି ମାଡ଼ି ପଡ଼େ ।

“ସେ ଲୋକ ସହିତ ମୁଁ ଚଳିପାରିବିନି ।” ସୁ’ କହୁଥିଲା ।

“ତୁ କହୁଥିଲୁ ଗର୍ଭବତୀ ବୋଲି ? ଜେଜୀ ପଚାରିଲେ ।

ନଜର ତଳକୁ କରି ସେ ଜେଜୀର ଦୃଷ୍ଟିରୁ ବଞ୍ଚିବାକୁ ଶତ ଚେଷ୍ଟିତ ଥିଲା । ସେ ତ ନିଜ ଗର୍ଭରେ ବଢ଼ୁଥିବା ଭୃଣଟିକୁ ସ୍ୱାମୀ ପ୍ରତି କ୍ରୋଧ ଓ ଘୃଣା ଯୋଗୁଁ ନଷ୍ଟ କରିବାକୁ ଚାହୁଁଥିଲା । କିନ୍ତୁ କରି ପାରିନଥିଲା । କଥାର ମୋଡ଼ ବଦଳାଇବାକୁ ଯାଇ ସେ ତାଙ୍କ ଘରକୁ ଯା’ଆସ କରୁଥିବା ବିଲେଇଟିକୁ ଧରି ପକାଇ କହିଲା, “ଆଚ୍ଛା ଜେଜୀ, ତମର ସେଠି ବିଲେଇକୁ ବହୁତ ସମ୍ମାନ ଦିଅନ୍ତି ନା ! ଆଉ ବାସ୍ ଜେଜୀ ଅନ୍ୟମନସ୍କ ହେଇ ଗପିଚାଲିଲା, ତା’ର ଅତି ପରିଚିତ ଶୈଶବ ଦେଶର ସଂସ୍କୃତି ବିଷୟରେ…

ନିଜ ସାଧ୍ୟମତେ ମା’ଛେଉଣ୍ଡ ସୁ’କୁ ତା’ ପିତା ବିବାହ ଦେଇଥିଲେ । କିନ୍ତୁ ବିବାହର ଦୁଇ ବର୍ଷ ପରେ ସୁ’କଲିକତାରୁ ଫେରିଆସିଲା ବାପା ଓ ଜେଜୀ ପାଖକୁ । ଯଦି ସେତେବେଳେ ସେ ନିଜ ଜନ୍ମିତ ଶିଶୁଟିର ହତ୍ୟା କରିପାରିଲା, ଏତେ ନିଷ୍ଠୁର ହେଇପାରିଲା ତ ଏବେ ଏ ଘଟଣାରେ ସେ ଏତେ ନରମ ପଡ଼ିଗଲା କାହିଁକି ? ଭୟରେ କି ଯେ ତା’ର ପୂର୍ବର ସେହି ଜଘନ୍ୟ ଅପରାଧ ଧରା ପଡ଼ିଯିବ କାଳେ । ସେଦିନ ସେ ବହୁତ କ୍ଳାନ୍ତ ହୋଇପଡ଼ିଥିଲା । ଜ୍ୱରରେ ପୀଡ଼ିତ ନିଜ ମାସକର ଶିଶୁଟିକୁ ଜେଜୀ ଆଣିଥିବା ଔଷଧ ଖୁଆଇବାକୁ ଭୁଲିଯାଇ ସେ ନିଜେ ଭୋଜନ କରି ଶୋଇପଡ଼ିଥିଲା । ନିଦ ଭାଙ୍ଗିଲା ଜେଜୀର ଚିତ୍କାରରେ । ସେତେବେଳକୁ ଶିଶୁଟି ଜଡ଼ ପାଲଟିସାରିଥିଲା ।

ସେ ପୁଣି ଚାଲିଲା ତା’ର ପୂର୍ବ ପରିଚିତ ଅତୀତର ଭଡ଼ା ଘରେ ରାସ୍ତାରେ । ସେତେବେଳକୁ ସନ୍ଧ୍ୟା ୮.୩୦ । ତା’ର ସେଥି ପ୍ରତି ନିଘା ନଥିଲା । ରାସ୍ତାକଡ଼ର କନିଅର ଗଛଛାୟାରେ ଠିଆ ହେଇ ସେ ନଜର ପକାଇଲା ସେ ଏକ ଦ୍ୱିତଳ କୋଠା ଆଡ଼େ । ଗେଟ୍‌ ବାହାରେ ଠିଆ ହେଇଥିଲା ଲୋକଟିର ବାଇକ୍ । ଏହି ସମୟରେ ଗେଟ୍ ଭିତରୁ ବାହାରି ଆସିଲା ସେ ଲୋକଟି ଓ ତା’ ସହିତ ଏକ ପଚିଶ/ସତେଇଶ ବର୍ଷର ଝିଅଟିଏ । ପଛରେ ଏକ ସ୍ତ୍ରୀଲୋକ, କାଖରେ ଏକ ୩/୪ ବର୍ଷର ଛୁଆ । “ଜଲଦି ଫେରିବ”, କହିଲା ସ୍ତ୍ରୀଲୋକଟି ।

“ଏ ସ୍ତ୍ରୀଟି କେତେ ସରଳ । ତା’ ସ୍ୱାମୀର ଚରିତ୍ର ବିଷୟରେ ସଂପୂର୍ଣ୍ଣ ଅନବିଜ୍ଞ । ଏଇ ସେମାନେ ଚାଲିଗଲେ ।” ତା’ ପାଖ ଦେଇ ଗଲା ବେଳେ ସୁ’ ଲକ୍ଷ୍ୟ କଲା ଲୋକଟି ଝିଅଟିର ହାତକୁ ପଛରୁ ଟାଣି ଆଣିି ତା’ ଅଣ୍ଟାରେ ଗୁଡ଼ାଇ ଧରିବାକୁ ବାଧ୍ୟ କଲା । ଝିଅଟା ଟିକେ ଦୋ ଦୋ ପାଞ୍ଚ ହେଉଥିଲା ତ ଟିକେ ଲାଜେଇ ଯାଉଥିଲା ।

ଆବେଗର ଏକ ତଡ଼ିତ୍ ପ୍ରବାହରେ ସେ ବୋହିଯାଇ ସେଇ କୋଠା ଆଡ଼େ ପାଦ ବଢ଼ାଇଲା । ତା’ ସ୍ତ୍ରୀକୁ ଏସବୁ ଜଣାଇବା ଦରକାର । ପୁଣି ମଝି ରାସ୍ତାରେ ସେ ଅଟକି ଗଲା । କ’ଣ ଦରକାର? ତାକୁ ସେ…ଅଲଗା ବାଗରେ… । ପାଖର କୋଉ ଘରୁ କମେଡ଼ି ସୋ ର ହାସ୍ୟରୋଳ ଭାସି ଆସୁଥିଲା । ଓଃ ! ଯେତେସବୁ କୁତ୍ରିମତା । ! ଗଳିରୁ ବାହାରି ମୁଖ୍ୟରାସ୍ତାରେ ଚାଲିଲା…ଗୋଡ଼କୁ ପ୍ରାୟ ଘୋସାରି ଘୋସାରି ।

ସେ ରାତି ପରେ ସୁ’ ତାକୁ ଆଉ ଭେଟିନଥିଲା । ମନ କହୁଥିଲା, ଭଲ ହେଲା ରକ୍ଷା ମିଳିଲା ।

ସୁ’ ଏବେ ବିୟୁଟି ସାଲନରୁ ଅଯଥାରେ ଛୁଟି ନେଉଥିଲେ ବି ଘରେ ରହୁନଥିଲା । ଷ୍ଟେସନ ପାଖ ବୁଦ୍ଧ ମନ୍ଦିରରେ ଯାଇ କିଛି ସମୟ ବିତେଇ ପୁଣି ଇଆଡ଼େ ସିଆଡ଼େ ବୁଲି ଘରକୁ ଫେରୁଥିଲା । ସେକେଣ୍ଡ ହ୍ୟାଣ୍ଡ ସ୍କୁଟିଟିଏ କିଣି ଚଲେଇବା ଅଭ୍ୟାସ କରୁଥିଲା । ଆଉ ଏକ କାମ ବି ଥିଲା । ସେ ଲୋକ ଉପରେ ନଜର ରଖିବା । କିନ୍ତୁ କିଛି ଦିନ ହେବ ତା’ର ଅନ୍ୟ ସାଥିକୁ ସେ ଆଉ ଦେଖୁନାହିଁ । “ମୋ ପଛରେ ପଡ଼ିବାକୁ ସେ ହିଁ ୟାକୁ ନିଶ୍ଚୟ ପ୍ରବର୍ତ୍ତାଇଥିଲା ।” କିନ୍ତୁ ମସ୍ତିସ୍କରେ ଭୟଙ୍କର ବିଚାର ସବୁ ଚାଲୁଥିଲା । ସେଦିନ ବୁଦ୍ଧ ମନ୍ଦିରରୁ ବାହାରୁ ବାହାରୁ ତା ‘ଉପରେ ନଜର ପଡ଼ିଗଲା ସୁ ମି ମିମାର ।

ଯେବେ ଶିକାର ସ୍ୱୟଂ ଶିକାରୀ ଭୂମିକାରେ ଅବତୀର୍ଣ୍ଣ ହୁଏ…ତେବେ…

୨୨ ମେ’ ୨୦୧୭, ଅପରାହ୍ନ ୫ଟା

ସୁଶାନ୍ତ ନିଜ ପୁରୁଣା କଳା ବାଇକ୍ ଚଲାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ବାରମ୍ବାର ଚେଷ୍ଟା ସତ୍ୱେ ବିଫଳ ହେଉଥିଲା । ଇଆଡ଼େ ସିଆଡ଼େ ତା’ର ଚିରାଚରିତ ଭାବହୀନ ମୁହଁଟି ଉଠାଇ ନଜର ବୁଲଉ ଥିଲା । କିଏ ତା’ ଅସହାୟତା ଦେଖୁନି ତ ! ତା’ ମୁହଁରୁ କୌଣସି ବି ଭାବନା ପଢ଼ିବା ଅସମ୍ଭବ ଥିଲା । କିନ୍ତୁ ପର ମୁହୂର୍ତ୍ତରେ ତା’ ଦୃଷ୍ଟିରେ ଏକ ସ୍କୁଟି ପଡ଼ିଲା ଓ ସେଇଠି ହିଁ ଲାଖିରହିଲା । “ସେକେଣ୍ଡ ହାଣ୍ଡ ସ୍କୁଟି ହେଇଥିବ”, ତାକୁ ପୁଣି ଲାଗିଲା ଯେମିତି ଝିଅଟି ଜାଣିଶୁଣି ତା’ ସାମ୍ନାକୁ ଆସୁଛି । “ବାଃ ! ସୀମା ପାଇଁ ବି ଏମିତି ସ୍କୁଟିଟାଏ କିଣି ହୁଅନ୍ତା ଯଦି, ସେ ସ୍କୁଲକୁ ଯାଇପାରନ୍ତା, ୟା ତା’ଠୁ ଲିପ୍ଟ ମାଗନ୍ତା ନାହିଁ । ଘରଭଡ଼ା ଲଗେଇ ଯାହା ଚଳିଯାଉଛି ।”, ସୁଶାନ୍ତ ମନେ ମନେ ନିଜ ଆର୍ଥିକ ପରିସ୍ଥିତିର ଆକଳନ କରୁଥିଲା ।

ବିଗତର ସ୍ମରଣ ତା ଚେତନାକୁ ଧୂଆଳିଆଁ କରିଦେଉଥିଲା । କେହି ସାଙ୍ଗ ନା ସାଥି…କିଛି ରୋଜଗାର ନାହିଁ । କାହା ଘରକୁ ବି ଯିବାକୁ ଭଲ ଲାଗେନି…ସମସ୍ତେ ବିବାହିତ..ଏତେ ବଡ଼ ପୁଅ ଝିଅଙ୍କ ବାପା..ଆଉ ସେ…ଏମିତି ନିଃସଙ୍ଗତା ପଣକୁ ଦୂରେଇଥିଲା ତା ପାଖ ପଡ଼ୋଶୀ, ସେ ଝିଅଟି ପରିବାର । ଏମିତି ଟାଇମ୍‌ ପାସ…ଚାହିଁ ଚାହିଁ ଯିବା, ତା’ ପ୍ରତି ଗତିବିଧି ଉପରେ ନଜର ରଖିବା । ଝିଅଟା ବି ତା’ ଆଡ଼କୁ ଢଳିଲା ଭଳି ଲାଗୁଥିଲା । କିନ୍ତୁ ଟିକେ ଛୋଟି, କ’ଣ ହେଲା ସେଥିରୁ । ପୁଣି ସମସ୍ତେ ଭୁଲିଯାଇଥିବା ତା’ ବାହାଘରର କଥା ଉଠିଲା, ତ କେତେ ପ୍ରସ୍ତାବ ପଡ଼ିଲା ଓ ସେ ସେଇଥିରେ ହିଁ ବ୍ୟସ୍ତ ରହିଲା ।

କେଇଦିନ ହେବ ସେ ନୁହେଁ ବରଂ ସୁ ମି ମିମା ନିଜେ ନିଜେ ହିଁ ଦେଖା ଦେଉଛି । ଏଠି, ସେଠି…ଆଉ ଆଜି ବି…କିନ୍ତୁ ଆଉ ତ ଲୁଚୁନି, ଉପେକ୍ଷା କରୁନି । ହଠାତ୍ ଏ ପରିବର୍ତ୍ତନ କାହିଁକି ? ସୁଶାନ୍ତ ତା ଚିରାଚରିତ ଢଙ୍ଗରେ କଣେଇ ଚାହିଁଲା । ତା ମୁହଁ ସାରା ଛାଇଥିଲା ତୀବ୍ର ଘୃଣା , ଆକ୍ଷେପର ଓ ଅନୁରାଗ (?) ମିଶ୍ରିତ ବଳହ ପରସ୍ତ ।

ସେ ତରତର ହେଲା ସେ ସ୍ଥାନରୁ ଖସିି ଯିବାପାଇଁ କିନ୍ତୁ ଗାଡ଼ିଟା ଷ୍ଟାର୍ଟ ହେଉନି ଯେ…ସୁ’ ଇଆଡ଼େ ତଥାପି ଅନେଇଛି । ବୋଧହୁଏ ରାସ୍ତା ପାର ହେବାକୁ ଅପେକ୍ଷା କରିଛି । ସୁଶାନ୍ତ ଇ-କାର୍ଟ ଅଫିସ ଭିତରରେ ପଶି ଯିବାକୁ ଚେଷ୍ଟା କଲା ବେଳେ ଅନୁଭବ କଲା ଏକ କ୍ଷୀଣ ଅପରାଧବୋଧ…ଯେମିତି ଜାଣିଶୁଣି ସେ ଚିହ୍ନା ପରିଚିତ, କି ସାହାଯ୍ୟ ପାଇଁ ହାତ ପାତିଥିବା କେହି ଅସହାୟକୁ ଆଡ଼େଇ ଚାଲିଯିବାକୁ ଚେଷ୍ଟା କରୁଛି । ପଛକୁ ବୁଲି ଚାହିଁଲା ସେ…ସୁ’ ଧିରେ ଧିରେ ଇଆଡ଼େ ଆସୁଛି । “ସେ ବିବାହିତ ବୋଧେ କି କ’ଣ? କେଜାଣି…ପୁଣି କାହିଁକି ନିଜ ସ୍ୱାମୀ ସହିତ ଏପରି ବିଶ୍ୱାସଘାତକତା କରୁଛି ? ନା…ନା ସେ ବୋଧେ ଇଆଡ଼େ ଔଷଧ ଦୋକାନ ଆଡ଼େ ଆସୁଛି…ମୁଁ ବେକାରରେ…”

ତା ନାକ ଉପରେ ଏକ ବୁନ୍ଦା ପାଣି ପଡ଼ିଲା ତ ଆଖି ଉଠାଇ ଉପରକୁ ଚାହିଁଲା । ଆକାଶରେ କଳାହାଣ୍ଡିଆ ମେଘ…ମୌସୁମୀର ସହଜ ପ୍ରବେଶ ନା କୌଣସି ଝଡ଼ର ପ୍ରାରମ୍ବିକ ସୂଚନା? ସେ ଯା ହେଉ ଏବେ ଜୀବନ ବେଶ ସୁନ୍ଦର ଲାଗୁଛି…ସେ ଆଉ ଏସବୁରେ ମନ ଲଗେଇବାକୁ ଚାହେଁନି । ସେ ଅଫିସ୍‌ର କାଚ ଦରଜା ସେ ପଟ ଦେଖିଲା । ନିଜ ଓଜନଦାର ଶରୀରକୁ ସେ ସେହି ଛୋଟ ପ୍ଳାଷ୍ଟିକ ଚଉକିିରେ ଅଜାଡ଼ି ଦେଇଥିଲା । ବାହାରେ ବର୍ଷା ଆରମ୍ଭ ହେଇଗଲାଣି । ଓଦା ହେଲେ ଆଣ୍ଠୁ ଗଣ୍ଠି ବେମାରୀଟା ପୁଣି ବାହାରି ପଡ଼ିବ । ଦୁଇ ମାସ ତଳେ ହେଇଥିଲେ ସେ ଚାହିଁଥାଆନ୍ତା ସୁ’ ଏଇଠି ଅଟକି ଯାଆନ୍ତା କି? ବର୍ଷା ଟିକେ ଥମିଗଲା ପରେ ସେ ପୁଣି ବାହାରିଗଲା । ଚାରିଆଡ଼କୁ ଟିକେ ନଜର ବୁଲାଇଲା, ସେ ଝିଅ ଚାଲିଗଲାଣି ନା ତଥାବି ତା’ ପିଛା କରୁଛିି?

ସୁ’ ହାତରେ ପ୍ୟାକେଟ୍‌ଟିଏ ଥିଲା । ତା’ ଚେହେରାର ଆତ୍ମବିଶ୍ୱାସ ଓ ସନ୍ତୋଷର ରହସ୍ୟମୟ ଆଭାକୁ ଦେଖି ସୁଶାନ୍ତ ଆଚମ୍ବିତ ହେବା ସହ କୌଣସି ଅଜଣା ବିପଦର ଗନ୍ଧରେ ବିଚଳିତ ବୋଧ କଲା ।

ଅନେକ ଉଲ୍ଲସିତ ଅନୁଭବ ହୁଏ ଯଦି ଶିକାର ତା’ ଶିକାରୀର ପିଛା କରେ; ଭୂମିକା ବଦଳିଯାଏ । କେତେ ଭଲ ଲାଗେ ଯେବେ ପୀଡ଼ିତ ସ୍ୱୟଂ ଉତ୍ପୀଡ଼ନ ଆରମ୍ଭ କରେ ବା ସ୍ୱୟଂ ତା’ର ଉତ୍ପୀଡ଼ନକାରୀର ପିଛା କରିବା ଆରମ୍ଭ କରିଦିଏ । ତା ଔଦ୍ଧତ୍ୟ, ଦମ୍ଭ, ଚିନ୍ତା କରିବାର ଶକ୍ତିକୁ ଅସ୍ତବ୍ୟସ୍ତ କରିପକାଏ; ଶିକାରୀ ମନରେ ସନ୍ଦେହ, ଭୟ ଓ କୌତୁହଳର ଫେଣ୍ଟା ଫେଣ୍ଟି ମିଶ୍ରଣ ତାକୁ ଅବଶ କରୁଥିବାର ଦେଖି ଶିକାର ଆତ୍ମହରା ହୁଏ । ତା ଆତ୍ମବିଶ୍ୱାସ ବଢ଼ିଯାଏ ।

ସୁଶାନ୍ତ ସେଠାରୁ ତ୍ୱରିତ୍ ଉଠିପଡ଼ି ବାଇକ୍ ନିକଟକୁ ଗଲା । ଘରେ ଜଲଦି ପହଞ୍ଚିବା ହିଁ ଏବେ ତା’ର ନିହାତି ଦରକାର । ସବୁ କୋଳାହଳ, ସବୁ ଶବ୍ଦ ଯେମିତି ଥମିଯାଇଥିଲେ । ସେ ଶୁଣିପାରୁଥିଲା ତା’ପଛରେ କେବଳ ଜଣଙ୍କ ପଦଘାତ; ନିଜ ଫୋନ୍‌ ଯେ କେବେଠାରୁ ରିଂ କରିଚାଲିଛି ସେ ଶୁଣିପାରିନଥିଲା ।

୫:୨୦

ବର୍ଷା ଆରମ୍ଭ ହେଇଗଲାଣି । ସୁ’ ଅନୁଭବ କଲା ଲୋକଟି ଜାଣେ ସେ ତାକୁ ଲକ୍ଷ୍ୟ କରୁଛି ତେଣୁ ଅଖାଡ଼ୁଆ ଅନୁଭବ କରୁଥିଲା । ଏତେ ଜୋରରେ ପବନଟା ବୋହୁଛି । ବର୍ଷା ଟିକେ ଥମିଗଲା ପରେ ଲୋକଟି ତା’ ଦଦରା ବାଇକ୍‌କୁ ଷ୍ଟାର୍ଟ କଲା, ଅବଶ୍ୟ ଚାରିଆଡ଼କୁ ଟିକେ ନଜର ବୁଲାଇନେଲା ଯେମିତି ଜାଣିବା ଲାଗି ଯେ ସୁ’ ତା’ ପିଛା କରୁନି ତ ।

“ଶୁଣ ! ତୁମ ଗାଡ଼ି ଖରାପ ହେଇଯାଇଛି କି ? ମୁଁ ତୁମକୁ ଲିପ୍ଟ ଦେଇପାରେ ।” ଆଗ୍ରହ ଅପେକ୍ଷା ନିର୍ଦେଶ ଭଳି ପ୍ରତୀତ ହେଉଥିଲା ସୁ’ର ସ୍ୱର ।

ଲୋକଟି ଆବାକାବା ହେଇ ଚାହିଁରହିଲା । ସୁ’ ନିଜେ ବି ସ୍ତବ୍ଧ ରହିଗଲା କେଇ ମିନିଟ, ଏହା ଭାବି ଯେ ତା’ଠି ଏତେ ସାହସ ଆସିଲା କେଉଁଠୁ ? ସାହସ ଆସିଯାଏ ଯଦି ଶତ୍ରୁର ଶକ୍ତି ଆକଲନ କରିହୁଏ । ସୁ’ ବୁଝିସାରିଥିଲା ବୋଧହୁଏ ଏମାନେ କେବଳ ପିଛା କରିବେ, ଟିକେ ମଜା ଉଠାଇବା ପାଇଁ, କୌଣସି ପ୍ରକାର ଅନ୍ୟ ବଦମାସି କରିବେନି…ଲୋକଟିର ସାଥୀର ସାହିପିଲାଙ୍କୁ ଜଣାଇ ଦେଲା ପରେ ସୁ’ ଲକ୍ଷ୍ୟ କରିଥିଲା ସେମାନଙ୍କ ଆଖିରେ ଭୟ ଭାବ ।

“ତୁମ ସ୍ତ୍ରୀ ଚାକିରୀ କରୁଛନ୍ତି କି? ସେଦିନ ସ୍କୁଲ ବାହାରେ ତାଙ୍କୁ ଦେଖିଲି ତ…”

ସେ ଆଡ଼େଇ ଯାଇ ଚୁପ୍‌ଚାପ୍ ଚାଲିଯିବାକୁ ଚେଷ୍ଟା କଲା ଯେମିତି ଜମା ସୁ’କୁ ଚିହ୍ନି ନାହିଁ ।

ମନେ ମନେ ହସୁଥିଲା ସୁ । ଗତ କେଇମାସର ଏମିତି ଆତଙ୍କିତ ମୁହୂର୍ତ୍ତ ମାନଙ୍କୁ ମନେ ପକାଇ । “ଏହି ଲୋକକୁ ମୁଁ ଏତେ ଡରୁଥିଲି ।” ସୁ’ ମନେ ମନେ ଅନୁମାନ ଲଗାଇଲା ଲୋକଟିର ମନରେ ଚାଲିଥିବା ଭାବନାଝଡ଼ ବିଷୟରେ ।

ଲୋକଟି ବୋଧେ ଭାବୁଥିଲା, “ସେ କ’ଣ ପାଇଁ ଏମିତି ପିଛା କରୁଛି । ସ୍ୱାମୀ ସହିତ ଚଳିପାରିଲାନି କି?” ତଥାପି ସେ ଶଙ୍କିତ ଜଣାପଡ଼ୁଥିଲ…ଏହି କେତେ ଦିନ ତଳେ ସେ ଏମିତି ସୁ’ର ପିଛା କରୁଥିଲା ବୋଲି ସେ କିଛି ଲୋକଙ୍କ ସହାୟତାରେ ପ୍ରତିଶୋଧ ନେବାକୁ ଚାହୁଁନି ତ? “ଏମିତି ଟିକେ ମଜା ନେଉଥିଲି…କିଛି କ୍ଷତି ତ କରିନି ନା… ।”

ଭଲ ଲାଗୁଥିଲା ଲୋକଟିର ନାଚାର ଅବସ୍ଥା । ଲୋକଟି ହଠାତ୍ ଚାଲିବା ଆରମ୍ଭ କଲା ଓ ସମୀପସ୍ଥ ବିଦେଶୀ ମଦ ଦୋକାନରେ ପଶିଗଲା । ପନ୍ଦର ମିନିଟ ପରେ ବୋତଲଟିଏ କାଗଜରେ ଗୁଡ଼ାଇ ଧରି ବାହାରକୁ ଆସିଲା ଓ ମୋବାଇଲରେ ସମୟ ଦେଖିଲା; ସୁ ବି ହାତ ଘଣ୍ଟା ପରଖିଲା…ଅପରାହ୍ଣ୍ନ ୫:୨୨ଟା ।

ଦୂରରୁ ଏସବୁ ଲକ୍ଷ୍ୟ କରୁଥିବା ସୁ ଭାବୁଥିଲା, ବିଦେଶୀ ମଦ କିଣିବାକୁ ସାମର୍ଥ୍ୟ ଆସିଲା କେଉଁଠୁ? ଇଏ କୌଣସି ଅପରାଧି ଗ୍ୟାଙ୍ଗ ସହିତ ଜଡ଼ିତ ନାହିଁ ତ? “ଯଦି ତା’ସାଥିମାନଙ୍କୁ ଡାକି ଯଦି ମୋତେ ହଇରାଣ କରେ ।” ଆଜି ପାଇଁ ଏତିକି ବୋଲି ଭାବି ସୁ ଘରମୁହାଁ ହେଲା । ପୁଣି ବିଚାରିଲା ତା’ର ଅନ୍ୟ ସାଥିଟିର ଘର ବାଟେ ଦେଇ ଯିବି । ସେ ଲୋକଟି ତା’ର ଚିରାଚରିତ ଜାଗାରେ ଅର୍ଥାତ୍ ଗଣେଣ ପୂଜା ମଣ୍ଡପରେ ବସିଥିଲା । ସୁ’କୁ ଦେଖିଲା, ପୁଣି ମୁଣ୍ଡ ତଳକୁ କରିନେଲା ।

୦୯ ଜୁଲାଇ ୨୦୧୭

ବେଶ୍ କିଛି ଦିନର ଅନ୍ତରାଳ ପରେ ….

ଘରୁ ବାହାରିଲା ବେଳେ ପରିବାକଟା ଛୁରୀଟିକୁ ବଡ଼ ରୁମାଲରେ ଗୁଡ଼ାଇ ବ୍ୟାଗରେ ରଖିଲା ସୁ’ । ମନ କହୁଥିଲା, ଛାଡ଼ । କିନ୍ତୁ ଏକ ଜିଦ୍‌ରେ ଅଟଳ ଥିଲା ଯେମିତି ।

ସକାଳ ସମୟ ୫:୨୫

ଓମଫେଡ଼ ଷ୍ଟଲ ନିକଟରେ ଲୋକଟିକୁ ଦେଖି ସ୍କୁଟିି ଅଟକାଇଲା ।

“ଶୁଣ…”, ସୁ ଡାକିଲା । ଚମକିପଡ଼ି ଲୋକଟି ପଛକୁ ବୁଲି ଚାହିଁଲା । ହାତରେ ତା’ର କ୍ଷୀର ପ୍ୟାକେଟ୍‌ଟି ।

କିନ୍ତୁ ଲୋକଟି ମୁହଁ ବୁଲାଇ ଚାଲିଯିବାକୁ ବସିଲା । କେହି ଜଣେ ଚିହ୍ନା ମଣିଷକୁ ଦେଖି ଦୌଡ଼ିଗଲା, “ଆରେ…ନୀଳକଣ୍ଠ ଭାଇ…ଟିକେ ଲିପ୍ଟ ଦେବ କି?”

ସେ ନୀଳକଣ୍ଠ ପାଖକୁ ଯିବାକୁ ଉଦ୍ୟତ ହୁଅନ୍ତେି ସୁ’ ପାଖକୁ ଲାଗି ଆସିଲା, “ଟିକେ ଶୁଣିବ, କିଛି କଥା ଅଛି ।” ସେ ତାକୁ ଆଁଟା କରି ଚାହିଁଲା । “ଚାଲ କେଉଁଠି ବସିବା”, ସୁ’ କହିଲା ।

ସୁ’ ତାକୁ ଏକ ଶିବ ମନ୍ଦିର ପ୍ରାଙ୍ଗଣକୁ ରାସ୍ତା କଡ଼େଇ ନେଲା । ପାହାଚଗୁଡ଼ିକ କିଛି ସମୟ ପୂର୍ବର ବର୍ଷା ଯୋଗୁଁ ଓଦାଳିଆ ଥିଲା । ଲୋକଟି ଯେମିତି ଡରିଡରିି ଚାରିଆଡ଼କୁ ଦେଖୁଥିଲା । କିଏ ଚିହ୍ନା ପରିଚିତ ଯଦି ଦେଖିନିଏ ତ? ଶ୍ରାବଣ ମାସ ସୋମବାର ହେତୁ ମନ୍ଦିରରେ ବହୁତ ଗହଳି ଥିଲା । ସୁ ତାର ହାବଭାବକୁ କଣେଇ କଣେଇ ଲକ୍ଷ୍ୟ କରୁଥିଲା । ସେ ତାକୁ ନିକଟସ୍ଥ ଏକ ପାଶ୍ୱର୍ ଠାକୁରାଣୀଙ୍କ ଅପେକ୍ଷାକୃତ ନିର୍ଜନ ଛୋଟିଆ ମନ୍ଦିର ଆଡ଼େ ରାସ୍ତା କଡ଼େଇ ନେଲା । ଲୋକଟି ମନେ ପକାଇବାକୁ ଚେଷ୍ଟା କରୁଥିଲା ଆଜି କେଉଁ ବାର ବା କ’ଣ କିଛି ପର୍ବ ଅଛି? ଏଠାକୁ ତାକୁ ଡାକିିନି ତ ଅପମାନ ଦେବାକୁ?

“କେତେ ଅଜବ କଥା ନା, କାଲି ଯାଏ ମୁଁ ତମର ଷ୍ଟକିଙ୍ଗ୍କୁ ଡରୁଥିଲି । ଆଜି ମୁଁ ହିଁ ତୁମ ପିଛା କରି ତୁମକୁ ମୋ ସହିତ ଆଣିଲି । ସତ କହିବାକୁ ଗଲେ, ମୁଁ ହି ତମକୁ ସବୁବେଳେ ପିଛା କରୁଥିଲି । ସେତେବେଳେ ବି ।” ସୁ କଣ୍ଠରେ ଥିଲା ଏକ ଅଜବ ମାଧକତା । ସେ ସୁ’ ଉପରେ ଏକ ପ୍ରଶ୍ନିଳ ଦୃଷ୍ଟି ପହଁରେଇ ଆଣିଲା ।

ସୁ’ର ସ୍ୱରରେ ବି ଥିଲା ଅନ୍ତରଙ୍ଗତାର ତରଙ୍ଗ; ପ୍ରତିଶୋଧ କି ଆକ୍ରୋଶର ଲେଶ ମାତ୍ର ପ୍ରତିଫଳନ ନଥିଲା । ତେଣୁ ଲୋକଟି ବି କିଛିଟା ଆଶ୍ୱସ୍ତ ହେଲା । ମୁଣ୍ଡ ତଳକୁ ପୋତି, ରୁମାଲରେ ମୁହଁର କିଛି ଅଂଶ ଘୋଡ଼ାଇ ବସିଥିଲା, କେଉଁ ଏକ ଅପେକ୍ଷାରେ । କୌଣସି ଏକ ଚୁମ୍ବୀକୟ ଶକ୍ତିରେ ବଶୀଭୂତ ହେଇ ସେ ସୁ’ର ଅନୁଧାବନ କରିଥିଲା, ଆଜି ବି ; ୧୦ ବର୍ଷ ତଳେ ବି; ଗତ କେଇ ମାସ ହେବ ବି ।

ସୁ’ ତା ହାତ ଲୋକଟିର ଆଙ୍ଗୁଠି ଉପରେ ରଖିଲା ଧିରେ । କରେଣ୍ଟ ଲାଗିଲା ପରି ଲୋକଟି ହାତ ଉଠାଇ ନେଲା ଓ ଚାରିଆଡ଼େ ଚାହିଁଲା । ବର୍ଷା ଛାଡ଼ିଯାଇଥିଲା । ସୂର୍ଯ୍ୟଙ୍କ ନରମ ଆଗମନ ହେଇସାରିଥିଲା । କିନ୍ତୁ କାହିଁକି ଯେ ସେ ନରି କଥାରେ ପଡ଼ି ଏହାର ପିଛା କରୁଥିଲା, ଏହି କଥା ଲୋକଟିର ଅର୍ନ୍ତଦାହ କରିଚାଲିଲା । ହାତେ ଦୂରରେ ଏକ ତରୁଣ ଦମ୍ପତି ହାତ ଧରାଧରି ହେଇ ଚାଲୁଥିଲେ ।

ନିଜ ଶରୀରର ଝାଳ ଗନ୍ଧ ସହିତ ପାଉଡର ତଥା କଲୋଗର ମିଶ୍ରିତ ମିଠା ଦୁର୍ଗନ୍ଧରେ ଲୋକଟି ଥିଲା ନିର୍ବିକାର । କେହି ଦେଖୁନାହିଁ ତ ! ତା’ର ଅନେକ ଚିହ୍ନା ପରିଚିତ ସକାଳ ସମୟରେ ମନ୍ଦିର ଆସନ୍ତି । ସେ ନିଜ ହାତ ମୁହଁ ଉପରେ ଘୋଡ଼ାଇ ରଖିଲା, ଯେମିତି ହଠାତ୍ ତାକୁ କେହି ଚିହ୍ନିପାରିବେନି । ମୋବାଇଲ ରିଂରେ ସେ ଅପ୍ରସ୍ତୁତ ହେଇପଡ଼ିଲା । ତରତର ହେଇ ସେ ସମସ୍ତଙ୍କ ଦୃଷ୍ଟି ଆଢୁଆଳ କରି ଧରିଲା । ସୁ’ ତା’ ପାଖକୁ ଘୁଞ୍ଚି ଆସିଲା । ସମ୍ଭବତଃ ତାକୁ ସୁରକ୍ଷା ଦେବା ଉଦ୍ଧେଶ୍ୟରେ, ଯଦି କେହି ଦେଖିନିଏ ତ!

“ନରି ! କୁହ !…ଓଃ କେତେବେଳେ! ଚାଲିଗଲା !!! ବଡ଼ିକୁ ଘରକୁ ନେଇଆସିଲେଣି ? ହଉ ମୁଁ ଯିବି ତାଙ୍କ ଘର ଆଡ଼େ”, କହି ସେ ଫୋନ୍‌ କାଟିଦେଲା ଓ ଥମ୍ ହେଇ ବସିଲା । ନରି ବାଥ ରୁମରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବାର ଦେଖି ତା’ର ଘର ଲୋକମାନେ ଜାଣିଲେ ଘଂଟାଏ ପରେ । ମେଡ଼ିକାଲ ନେଇଥିଲେ…କିନ୍ତୁ !

ଲୋକଟିର ଦେହ ହାତ ଅବଶ ଲାଗୁଥିଲା, ହଠାତ୍ ଭୀଷଣ କ୍ଲାନ୍ତ ଅନୁଭବ କଲା । ସେ ଓ ନରି ସୁ’କୁ ଅପେକ୍ଷା କରୁଥିଲେ, ନରିର ଘର ରାସ୍ତାରେ । ଯଦିଓ ସେ କିଛି ଦିନ ହେଲା ଆଉ ଏସବୁ କରୁନି, ନରି ଗତକାଲିି ଫୋନ କରିଥିଲା ସେସବୁ ମନେ ପକାଇ, ପୁଣି ଆରମ୍ଭ କରିିବାକୁ ପ୍ରବର୍ତ୍ତାଇଥିଲା । ଆଗରୁ ତାକୁ ତୀବ୍ର ଈର୍ଷା ହେଉଥିଲା ଜାଣି ଯେ ସେ ଏକ ଭଲ ସୁଯୋଗକୁ ହାତଛଡ଼ା କରିଦେଲା, ଜଣେ ଚାକିରିଆ ଝିଅ ସୁ’କୁ । ଭାବିଥିଲା ଯଦି ପୁଣି ସେହି ପୁରୁଣା ଦିନ ଫେରିଆସନ୍ତା । କିନ୍ତୁ ପରେ ଶିକ୍ଷୟତ୍ରୀ ସୀମା ସହିତ ବିବାହ ପରେ ସେ ନିଜ ସଂସାରରେ ସୁଖୀ ଥିଲା; ଗତ କେଇ ମାସ ହେବ ତା’ର ମନୋବୃତ୍ତି ପୁଣି ବଦଳି ଗଲା, ଏହି ଝିଅ ପ୍ରତି ବିବାହ ପୂର୍ବର ମନୋଭାବ ପୁଣି ଫେରିଆସିଲା । କିନ୍ତୁ ଏମିତି ଖାଲି ଟାଇମ୍ ପାସ୍ ପାଇଁ ଆଜି ପୁଣି ସେମାନେ ଛକି ଥାଆନ୍ତେ ।

“ଆରେ…ବହୁତ ଦିନ ପରେ କ’ଣ? ଏ କିଏ..ତୁମ ଶାଳୀ?” କେହି ଜଣେ ପରିଚିତ ସ୍ତ୍ରୀଲୋକ ନିକଟକୁ ଆସି ପଚାରିଲେ ।

“ନାହିଁ ଅନୀ ନାନୀ…ଏମିତି ମୋ ଭଉଣୀର ସାଙ୍ଗ, ଦେଖା ହେଇଗଲା ତ…”, କହି ସେ ପାହାଚ ତଳକୁ ତରତର ହେଇ ଗଲାବେଳେ ସୁ’ ପାଖକୁ ଦୌଡ଼ି ଆସି କହିଲା, “ମୋ ମୋବାଇଲ ନଂ…”

“ମୁଁ ଦେଖା ହେବି…କହି ସେ ମନ୍ଦିରରୁ ବାହାରି ପାଶ୍ୱର୍ଗଳି ଦେଇ ମୁଖ୍ୟ ରାସ୍ତାରେ ପହଞ୍ଚିବାକୁ କ୍ଷିପ୍ରତାର ସହ ଗଲାବେଳେ ରାସ୍ତାରେ ଗଦା ହେଇଥିବା କିଛି ପଥର ଖଣ୍ଡରେ ଝୁଣ୍ଟି ପଡ଼ିଲା ଓ ଆଘାତପ୍ରାପ୍ତ ହେଲା । ନିଜକୁ ସମ୍ଭାଳି ଉଠୁ ଉଠୁ ସେ ଦେଖିଲା ସୁ’ ନିଜ ବ୍ୟାଗ ଭିତରୁ ଏକ ବଡ଼ ଛୁରୀ ବାହାର କରୁଛି । ଲୋକଟି ଆଖିରେ ଆତଙ୍କର ଛାୟା ସ୍ପଷ୍ଟ ଜଣାପଡ଼ୁଥିଲା ।

ସୁ’ ସେଇଠି ଠିଆ ହେଇଥିଲା…ଏକ ରହସ୍ୟମୟ ସ୍ମିତ ଲାଖି ରହିଥିଲା ତା ଓଠରେ ।

ଠିକ୍‌ ଏମିତି ଦିନେ ସୁ’ ଦିନ ପରେ ଦିନ, ମାସ , ବର୍ଷ ଅତିବାହିତ କରିଥିଲା ଭୟାର୍ତ୍ତ , ଆତଙ୍କିତ ହୋଇ । ସୁ ଲକ୍ଷ୍ୟ କଲା ଲୋକଟିର ମୁଣ୍ଡ ଫାଟିଯାଇଛି, ରକ୍ତର ଏକ ସରୁ ଧାର ତା ନାକ ଉପରେ ଦେଇ ବୋହିଆସୁଛି । ଗଳି ମୁଣ୍ଡରେ କିଛି ସାଇକେଲ ଆରୋହୀଙ୍କୁ ଦେଖି ସୁ’ ହଡ଼ବଡ଼େଇ ଯାଇ ଛୁରୀଟିକୁ ବ୍ୟାଗରେ ପୁରାଇ ଦେଲା ଓ ସେଠାରୁ ପଛକୁ ଫେରି ମନ୍ଦିର ଭିତରକୁ ପୁନଃ ପ୍ରବେଶ କଲା ।

୨୨ ଅଗଷ୍ଟ ୨୦୧୭

ସୁ ମି ମିମା ଜିନିଷପତ୍ର ବନ୍ଧାବନ୍ଧି କରି ସାରିଥିଲା । ରାତି ନ’ଟାରେ ଟ୍ରେନ, କଲିକତାକୁ । ତା’ପରେ ବୋଧେ…ମ୍ୟାମାଁଆର ।

ଘର ଚାରିଆଡ଼େ ସେ ଶେଷ ଥର ପାଇଁ ବୁଲିଆସିଲା । କିଏ ଜାଣେ ପୁଣି କେବେ ସେ ଏଠାକୁ ଫେରି ପାରିବ କି ନା ? ବିଲେଇଟି ଆସି ତା’ ଦେହରେ ଘଷିହେଲା । ସେ ଗୋଡ଼ ଆଡ଼େଇନେଲା । ଆଉ କୌଣସି ମୋହ ରଖିବାକୁ ଚାହୁଁନି ସେ ଏ ଘର ପ୍ରତି । ତା’ ଜେଜୀର ସବୁ ଜିନିଷ ସେ ବିକି ଦେଇଛି । କିନ୍ତୁ ଏଇଟା ରହିଯାଇଛି ଯେ ! ବଙ୍କୁଳି ବାଡ଼ିଟା । କେମିତି ଖଟ ତଳକୁ ଖସିପଡ଼ିଥିଲା । ଶକ୍ତ ମଜବୁତ୍ କାଠରେ ତିଆରି । କିଛି ବର୍ଷ ପୂର୍ବେ, ମ୍ୟାମାଁଆରରୁ ଜେଜୀର ଝିଆରୀ ଆସିଥିଲେ । ସେ ଆଣିଥିଲେ । ଆଜି ତା ମନରେ ଗ୍ଳାନି ଦୂରେଇ ଯାଇ ଆତ୍ମବିଶ୍ୱାସରେ ଭରିଉଠୁଥିଲା । ନିଜ ପୂର୍ବକୃତ ସବୁ ତାକୁ ଯୁକ୍ତିଯୁକ୍ତ ଲାଗୁଥିଲେ । କିନ୍ତୁ ଏବେ ଏ ବଙ୍କୁଳି ବାଡ଼ିଟି ହଠାତ୍ ତାକୁ ଝାଙ୍କିଦେଲା । ସେ ସେଇଟିକୁ କୋଣରେ ଆଉଜେଇ ଦେଇ ଯିବା ପାଇଁ ଥରବର ହେଇଉଠିଲା । ୯’ଟା ବାଜିବାକୁ ୪୦ ମିନିଟ୍ । ତାକୁ ଶୀଘ୍ର ଷ୍ଟେସନ୍‌ରେ ପହଞ୍ଚିବାକୁ ହେବ । ଓଃ ବହୁତ ଗରମ । ଘର ଭିତରୁ ଯେମିତି ବାମ୍ଫ ବାହାରୁଛି । କେଉଁଠୁ ଗଣେଣ ମେଢ଼ ବିସର୍ଜନଯାତ୍ରା ଚାଲିଛି ।

କିନ୍ତୁ ଦୂରରେ ଏକ ଛାୟା ତା’ ଆଡ଼କୁ ଆସୁଥିବାର ଦେଖି ସେ ଚମକି ପଡ଼ିଲା । ପୋଲିସ୍ ??

ବିଲେଇଟା ପୁଣି ଆସି ତା’ ବାଟ ଓଗାଲିଲା । ସେ ତାକୁ କୋଳକୁ ଉଠାଇନେଲା । ସମ୍ଭବତଃ ସେ ଡରି ଯାଇଥିଲା । ବିଲେଇ ଦେହର ଉଷୁମକୁ ସେ ନିଜ ଭିତରକୁ ଟାଣି ଧରିବାକୁ ଚେଷ୍ଟା କଲା । ଛାୟାଟି କିଛି ସମୟ ଛିଡ଼ା ହେଲା । ପୁଣି ବୁଲିପଡ଼ି ଚାଲିଗଲା । ଜେଜୀ?? ଏକ କମ୍ପନ ତା ଦେହରେ ଖେଳିଗଲା । ଆଜି ପର୍ଯ୍ୟନ୍ତ ସେ ଜେଜୀକୁ କେବେ ଅନୁଭବ କରିନାହିଁ । ତେବେ କ’ଣ …ନା ନା ଯେତେ ସବୁ ଉଦ୍ଭଟ କଳ୍ପନା । ନା ପୁଣି ସେହି କି? ଏକ ଲମ୍ବା ସବଳ ଛାୟା । ସେ ବିଲେଇଟିକୁ ଜାକି ଧରିଲା । ବିଲେଇଟି ତାକୁ ଚାଟିବାକୁ ଲାଗିଲା । ସେ ଘରର ପାଚେରୀ ପାଖକୁ ଗଲା । ବଙ୍କୁଳି ବାଡ଼ିଟିକୁ ଉଠାଇନେଲା । ଘର ଭିତରକୁ ପୁଣି ଫେରି ଯାଇ ଏକ ବଡ଼ ବ୍ୟାଗରେ ବିଲେଇଟିକୁ ପୂରେଇଲା । ବିଲେଇ ଛୁଆଗୁଡ଼ିଏ କେଉଁଠି ଥିଲେ ତା’ ଗୋଡ଼ ପାଖରେ ଭିଡ଼ିମୋଡ଼ି ହେଲେ । ଦୂର ଦୂର କରି ସେ ତା’ ଲଗେଜ ସହିତ ବିଲେଇଥିବା ବ୍ୟାଗଟିକୁ ଧରି ବାହାରକୁ ଆସିଲା । ଛୁଆଁଗୁଡ଼ିକ ମା’କୁ ନ ପାଇଁ ବିକଳ ହେଇ ମିଆଁଉ ମିଆଁଉ ହେଉଥାଆନ୍ତି । ସେ ବାଧ୍ୟ ହେଇ ବିଲେଇଟିକୁ କାଢ଼ି ଟିକେ ଗେଲ କରି ତଳେ ଛାଡ଼ିଦେଲା । ଘରେ ତାଲା ପକେଇ ସେ ମୁଖ୍ୟ ରାସ୍ତାକୁ ଉଠିଲା । ଆରକ୍ଷିତ ଅଟୋଟି ପହଞ୍ଚିବାରୁ ଅଟୋଟିରେ ନିଜ ଜିନିଷପତ୍ର ଲଦିଲା । ଗାଡ଼ି ନିର୍ଦ୍ଧିଷ୍ଟ ପଥରେ ଆଗେଇଲା । ସୁ’ ତଥାପି ପଛକୁ ଅନାଇ ଦେଖୁଥିଲା ସେ ଛାୟାକୃତି ତା’ର ପିଛା କରୁନି ତ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top