ଗଳ୍ପ

ଅଧର୍ମ ବିତ୍ତ

Byaasakabi Fakir Mohan Senapati's odia story Adharma Bitta

ନାଉରିଏ ଜାଣନ୍ତି, ଉଇଁ ନ ଦିଶେ ହସି ପଶେ, ବାପ ବୋଲେ ପୁତା ନିଶ୍ଚେ ବରଷେ । ନଈ ଦୂଇ କୂଳ ଲୋକେ ଛଡ଼ି ହୋଇ ଅନାଇଛନ୍ତି । ନାଉରିଆ ଭାରି ଆନନ୍ଦରେ ହରିବୋଲ ଦେଇ ନାଆ ବାହି ଯାଉଛନ୍ତି ।

ଅଧର୍ମ ବିତ୍ତ

-: ପୂର୍ବରୁ :-

ଯୁଧିଷ୍ଠିର ସାହୁ କୁବେର ସାହୁର ନାମ ଶୁଣିଥିଲେ, ଦେଖା ସାକ୍ଷାତ୍ ନ ଥିଲା । କୁବେର ସାହୁ ନଦୀ କୂଳରେ ଅଛନ୍ତି ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡିକରେ ବସି ନଦୀ ପାରି ହୋଇଗଲେ । କୁବେର ଖବର ନେଉଥାଏ, ଯୁଧିଷ୍ଠିରଙ୍କ ପହଞ୍ଚିବାବେଳକୁ କୁବେର ସାହୁଏ ଧ୍ୟାନରେ ବସିଛନ୍ତି । ଘଣ୍ଟାଏ ଦି’ଘଣ୍ଟା ବିତିଗଲା, ଧ୍ୟାନ ଭାଙ୍ଗୁନାହିଁ । ଧ୍ୟାନ ଦେଖି ଯୁଧିଷ୍ଠର ତ ତରଳି ଗଲେଣି । ଧ୍ୟାନ ଭାଙ୍ଗିଲା । କୁବେର ସାହୁ ଯିମିତି ଖବର ପାଇଛି, ଧାଇଁ ଯାଇ ଯୁଧିଷ୍ଠିରଙ୍କ ଗୋଡ଼ ତଳେ ପଡ଼ିବାକୁ ଯାଉଥିଲା, ଯୁଧିଷ୍ଠିର କହିଲେ, “ହାଁ ହାଁ । ଏ କ’ଣ କରୁଛନ୍ତି- ଏ କ’ଣ କରୁଛନ୍ତି ?” ଆପଣ ଧର୍ମପରାୟଣ, ମୁଁ ପାପୀ, ମୋ ଗୋଡ଼ ତଳେ ପଡ଼ିବେ । କୁବେର କହିଲେ, “ଏ କ’ଣ ? ଆପଣ ସ୍ୱଜାତିର ମଉଡ଼ମଣି ! ଘଣ୍ଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ ।” ଯୁଧିଷ୍ଠିର କହିଲେ, “ନାହିଁ, ମୁଁ ଆପଣଙ୍କର ଧ୍ୟାନଭଙ୍ଗ କରାଇଲି ପରା । ମୋତେ କ୍ଷମା କରନ୍ତୁ ।” ଦୁଇଜଣ କୁଣ୍ଢିଆକୁଣ୍ଢେଇ ହୋଇ ଏ କହୁଛି ମୋତେ କ୍ଷମା କରନ୍ତୁ, ସେ କହୁଛି ମୋତେ କ୍ଷମା କରନ୍ତୁ । ଦୁଇଜଣ ସାଷ୍ଟାମ ହୋଇ ଖଣ୍ଡିଏ କମ୍ୱଳରେ ବସିଲେ । ଯୁଧିଷ୍ଠିର ପ୍ରସ୍ତାବ କଲେ, “ଆଜ୍ଞା, ଆପଣ ହେଲେ ଆମ ଜାତିର ମଉଡ଼ମଣି । ମୋ କୁଡ଼ିଆ ପାଖରେ ପଦାରେ ନୀତି ବଢ଼ାଇବେ, ମୋର ଯେ ମହାପାପ ହେବ । ଉଠି ଆଜ୍ଞା ହେଉ- ବିଜେ କରନ୍ତୁ- ମୋ କୁଡ଼ିଆରେ ପାଦଧୂଳି ଦେଉନ୍ତୁ । ମୋ କୁଡ଼ିଆଖଣ୍ଡ ପବିତ୍ର ହେଉ ।”

ଦୁଇ ସାହୁ ଯାଇ ଠାକୁର ମେଲାରେ ବସିଲେ । ଠାକୁର ଆଗରେ ଆସନରେ ବସିବାକୁ ମନା, ଦୁହେଁ ଯାକ ଭୂଇଁରେ ବସିଲେ । ରାତି ଅଧଯାଏଁ ଦୁଇ ସାହୁଙ୍କ ମଧ୍ୟରେ କଥାଭାଷା ଚଳିଲା । ଏ କଥା, ସେ କଥା, ବେପାର ବଣିଜ କଥା ହେଉ ହେଉ ବିଭା ପ୍ରସଙ୍ଗ ପଡ଼ିଗଲା । କୁବେର କହିଲେ, “ମୁଁ ବାପାଙ୍କ ମୁହଁରୁ ଢେରଥର ଶୁଣିଛି, ଆଗେ ଗଡ଼ଜାତ ମୋଗଲ ବନ୍ଦୀ ମଧ୍ୟରେ ବି ନେଣ ଦେଣ ଚଳୁଥିଲା । ଦୁଇ କି ତିନି ବୋଡ଼ି ସରିକି ଗଡ଼ଜାତ କନ୍ୟା ମୋଗଲବନ୍ଦୀରେ ଥିଲେ, ମୋଗଲ ବନ୍ଦୀ କନ୍ୟା ବି ଗଡ଼ଜାତରେ ଥିଲେ । ନିହାତି ଦୂରଦୂରାନ୍ତ ବୋଲି ଊଣା ଅଧିକ ପଚାଶ ବର୍ଷ ହେଲା ବିଭା, ନେଣ ଦେଣ ବନ୍ଦ ।” କଥା ଚଳୁ ଚଳୁ ପଦ୍ମାବତୀ ସଙ୍ଗରେ ବିଦ୍ୟାଧରର ବିଭା ପ୍ରସଙ୍ଗ ସ୍ଥିର ହୋଇଗଲା । କୁବେର କହିଲା, “ଆଜ୍ଞା, ମୁଁ ମୋଗଲବନ୍ଦୀ କାମ ଚଳାଇବି, ବିଦ୍ୟାଧର ବର୍ଷଯାକ ଏହି ଠାରେ ରହି କାମ ଚଳାଇବ । ବିଦେଇ ତ ଆପଣଙ୍କ ପୁଅ ହେଲା । ପିଲାଲୋକ, ଜାତି ବେବସା ବୁଝି ନାହିଁ । ଆପଣଙ୍କ ଚରଣ ଧୂଳି ତା’ ମୁଣ୍ଡରେ ଲାଗିଲେ ସବୁ ଶିଖିଯିବ ଯେ ।” ବିଭା ବିଷୟରେ ଆଉ କିଛି ସନ୍ଦେହ ନାହିଁ । ଏକାବେଳକେ ଦିନ ଠିକ୍ ହୋଇଗଲା, ଆସନ୍ତା ମକର ଶୁକ୍ଳ ସପ୍ତମୀ । ବଡ଼ ଘର କଥା ବଡ଼ ବାଜେ, ଦିନକ ମଧ୍ୟରେ କିଲ୍ଲାର ଅଧାଅଧି ଲୋକ ଜାଣିଗଲେ, କୁବେର ସାହୁ ପୁଅ ବିଦ୍ୟାଧର ସଙ୍ଗରେ ଯୁଧିଷ୍ଠିର ସାହୁ ଝିଅ ପଦ୍ମାବତୀର ବିଭା ।

ବିଭା ପ୍ରସଙ୍ଗ ଛିଡ଼ିବା ବାସି ଦିନ ସନ୍ଧ୍ୟାବେଳେ ଦୁଇ ସମ୍ୱନ୍ଧୀ ଦେବତାଙ୍କ ନାଟମନ୍ଦିରରେ ବସିଛନ୍ତି । କୁବେର ସାହୁ ଏ କଥା ସେ କଥା ଉତ୍ତାରେ କହିଲେ, “ସମୁଧିଏ ! ସୋନପୁରରେ ମୋର ଢେର୍ କାମ ଥିଲା, ଦେଖଛି ମୋର ଯିବାର ହେଉ ନାହିଁ । ଏଇ ବୁଝନ୍ତୁ, ମକର ମାସ ତ ମକର ମାସ, ଛାଡ଼ି ଦେଉନ୍ତୁ, କକଡ଼ାଟା ଚଳୁଛି, ଏଇଟା ବି ଧରୋଟ ଭିତରେ ନୁହେଁ । ବାକି ରହିଲା ସିଂହ କତିରୁ ଧନୁଯାଏ ମଝିରେ ପାଞ୍ଚଟା ମାସ । ଏହି ମଧ୍ୟରେ ସବୁ ଆୟୋଜନ ଠିକ୍ ଠିକଣା କରିବାକୁ ହେବ । ତା’ ପୁଣି ନାଆ ଉଠାଣି ମାମଲା, ବାଟରେ ଊଣା ପୂରା ମାସେ କାଳ ଛାଡ଼ି ଦେଉନ୍ତୁ । ମାସ ଚାରିଟା ରହିଲା ହାତରେ । ମୁଁ କହୁଛି, କାଲି ସକାଳେ ଚାଲିଯାଏ ।” ଆଜ୍ଞା ! କ’ଣ ଆଜ୍ଞା ହେଉଛି ! ଯୁଧିଷ୍ଠିର ସାହୁଏ ଦଣ୍ଡେ ଆଖିବୁଜି ବସି କହିଲେ, “ଆଉ ଯୋଡ଼ାଏ ଦିନ ରହିଗଲେ ଭଲ ହୁଅନ୍ତା ପରା । ହେଉ, ଆପଣ ଯେପରି ଭଲ ବୁଝନ୍ତି, କରନ୍ତୁ ।”

ମକ୍ରାମପୁରରେ ଚହଳ ପଡ଼ି ଯାଉଛି, ସାହୁଙ୍କର ପୁଅ ବିଦ୍ୟାଧରର ବିଭା । ହେଲେ, ଗୋଟାଏ ଶ୍ରେଣୀ ଲୋକଙ୍କ ଘରେ ରହି ପଡ଼ିଛି । କୋଡ଼ିଏ ଖଣ୍ଡ ଗାଁରେ ସାହୁର ଦୁଇ ତିନି ଶ’ ଭଳି ଖାତକ । ଧାନ ବୋଲ, ଟଙ୍କା ବୋଲ, ତା’ ଘରୁ ନ ଖାଇଛି କିଏ ? ସାହୁ ସମସ୍ତଙ୍କୁ ଧରି ବସିଛି, ପୁଅର ବିଭା, ନ ହେଲେ ନୁହେଁ । ନୋହିଲେ ମୂଳଟା ଥାଉ, କଳନ୍ତରଟା ଛିଡ଼ାଇ ଦିଅ । ପଇସାଏ ବି କଳନ୍ତର ରଖିବ ନାହିଁ । ଆଜି ଭୋଦୁଅ ମାସ, ଲୋକଙ୍କ ଘରେ ଟଙ୍କା ତ ଟଙ୍କା, ପୀତାନଳିତା ମଞ୍ଜି ନାହିଁ ଯେ ଦେବେ । ଜଣ ଜଣକ ଘରେ ଯୋଡ଼ା ଯୋଡ଼ା ପିଆଦା । ସମସ୍ତେ ସାହୁ ଦୁଆରେ ଓପାସ ଭୋକରେ ପଡ଼ି ଡକା ଛାଡ଼ିଛନ୍ତି, ଶୁଣୁଛି କିଏ ? ଥୋକେ ଖାତକ ଦଶ ବାର ବରଷର ପୁରୁଣା କରଜାର ମୂଳ କଳନ୍ତର ହିସାବ କରି ତମସୁକ ରେଜିଷ୍ଟରୀ କରାଇଦେଇ ରିହାଇ ପାଇଲେ । ତମସୁକରେ ବିଲବାଡ଼ି ଘର ଦୁଆର ସବୁ ବନ୍ଦ ରହିଲା । ସାହୁଆଣୀ ସବୁ ଶୁଣୁଥିଲେ । ଦୁଇଦିନ ହେଲା ଅନ୍ନ ଛାଡ଼ି ବସିଲେଣି । ଗୋଟିଏ ବୋଲି ପୁଅ, ତାଙ୍କ ଇଚ୍ଛା, ଶୁଭ କାର୍ଯ୍ୟଟା ମଙ୍ଗଳରେ ହେଉ । ନା, କିଛି ନୋଉଣୁ ଶହକୁ ଶହ ଲୋକ ରଡ଼ି ଛାଡ଼ିଛନ୍ତି, ଧର୍ମ ଏତେ ସହିବ କିଆଁ । ବେକରେ ପଟକା ପକାଇ ସାହୁ ଗୋଡ଼ ତଳେ ପଡ଼ିଗଲେ, ଢେର କାକୁତି କଲେ, ଢେର କାନ୍ଦିଲେ, ଫଳ ହେଲା କ’ଣ ନା, ସ୍ୱାମୀ ପାଖରୁ କଟୁକଥାରେ ଗାଳି ଗୁଲଜ ଗୁଡ଼ାଏ । ମାଇପି ଲୋକ କ’ଣ କରିବେ, ମାତ୍ର ତୁନି ହେଲେ ନାହିଁ । କରଣମାନଙ୍କୁ ଡାକି ମାଆ ପୁଅ କଅଁଳରେ, କେତେକ ହାକିମି ବୋଲିରେ ବୁଝାଇ ଦେଲେ, “ଖବରଦାର ! କାହାକୁ କଷ୍ଟ ଦେଇ ଟଙ୍କା ଅସୁଲ କର ନାହିଁ । ସାହୁ କରଣଙ୍କୁ ଗାଳି ଫଜିତ କରୁଛି, କାହିଁକି ଟଙ୍କା ଅସୁଲ ହେଉ ନାହିଁ । ହଁ ହିସାବ ହେଉଛି, ହଁ ଟିପା ଲେଖାଯାଉଛି”- ଏମିତି କରି ଦିନ କାଟିଲେ । ଯେଉଁ ଜାଗାରେ ସାହୁ ନିତାନ୍ତ ଜଗିବସେ, ସାହୁଆଣୀ ତୁନି ତୁନି ଟଙ୍କା ଗଣି ଦିଅନ୍ତି ।

ଏଣେ ବିଭା ସରଞ୍ଜାମ କିଣାକିଣି ଧୂମ୍ ଲାଗିଛି । ବାଣବାଲା ଆଗତୁରା ବଇନା ଧଇଳା, ଲୁଗା ମୋଟକୁ ମୋଟ କଚେରୀ ଘରେ ଜମା, ମସଲାମସିଲି କିଣିବା ଲାଗି ଯୋଡ଼ାଏ କରଣ କଟକ ଧାଇଁଲେ । ହେଲେ ସାହୁଟା ଏଟା ଭଲ ଲାଗୁନାହିଁ । ତାହାର ଇଚ୍ଛା, ପୁଅ ବିଭା ବାହାନାରେ ଖାତକଙ୍କ ପାଖରୁ ଟଙ୍କା ରୁଣ୍ଡାଇ ନେବ । ସାହୁଆଣୀ ବାପ ଜଣେ ଧନବନ୍ତ ଲୋକ ଥିଲା- ସେ ନିର୍ବଂଶ, ତାହାର ସବୁ ସମ୍ପତ୍ତି ସାହୁଆଣୀ ପାଇଛନ୍ତି । ସାହୁଆଣୀଙ୍କର ଇଚ୍ଛା, ନିର୍ବଂଶିଆ ଧନ ଘରେ ରଖିବେ ନାହିଁ, ଦାନପୁଣ୍ୟରେ ଖରଚ କରିବେ । ତାଙ୍କ ଦାନ ଦିଆନିଆ ପୁଅ ବି ଜାଣେ ନାହିଁ । ସାହୁଆଣୀଙ୍କର ଇଚ୍ଛା, ପୁଅର ମଙ୍ଗଳକୃତ୍ୟ ଖୁବ୍ ଆଡ଼ମ୍ୱରରେ ହେଉ, ସମସ୍ତେ ଖାଇ ପିଇ ଆନନ୍ଦ ଉତ୍ସବ କରନ୍ତୁ । ବାକ୍ସ ଏକାବେଳକେ ଉଦୁଆଁ । ସାହୁ ଏକଥା ସବୁ ଜାଣେ । ପୁଅ ବିଭାକୁ ପଇସାଏ ବି ଛାଡୁନାହିଁ, ପୁଣି ବଳକା ଖରଚ ଦେଖି ଭାରି ଦିକ୍‌ଦାର ।

ପନ୍ଦର ଖଣ୍ଡ ସରକି ଚକଚକିଆ ନାଆ, ଗୁଡ଼ାଏ କାଠୁଆ ସଜ ହେଲା । ପୁରୋହିତ ବ୍ରହ୍ମା, ଜ୍ୟୋତିଷ, କରଣ, ଟାଣୁଆ ଟାଣୁଆ କେତେ ଜଣ ଦେଶ ଲୋକ, ଭଣ୍ଡାରୀ, ଗଉଡ଼ ଷାଠିଏ ସତୁରୀ ଜଣ ସରିକି ଲୋକ ବର ଗହଣରେ ଯିବେ । ନଈରେ ଉଛୁଣିକା ପାଣି ଛିନ୍ ଛୋଟ- ହରିଣି ଖୋଳିବା କାଠୁଆ ହତା ଯନ୍ତ୍ର ଧରି କୋଡ଼ିଏ ସରିକି ମୂଲିଆ ବି ସଙ୍ଗରେ ଯାଉଛନ୍ତି । ଉଠାଣି ଯିବାକୁ ଚବିଶ ପଚିଶ ଦିନରୁ ଊଣା ଲାଗିବ ନାହିଁ । ହେଲେ, ସାହୁଣୀ ଦେଢ଼ ମାସର ରୋଷେଇ ସରଞ୍ଜାମ, ଜଳଖିଆ ସରଞ୍ଜାମ ଦେଲେ । ଖଞ୍ଜ ଅଖଞ୍ଜ ଅଛି, କେଜାଣି ବାଟରେ ମଠ ହୋଇଯିବ ।

ସାହୁଆଣୀ ଯେପରି ଦାନଶୀଳା, ଦୟାବତୀ- ସେହି ପରି ସବୁ କାମକୁ ଆଗ । କାଉ କା’ କତିରୁ ଅଧରାତି ଯାଏ ଚରଖି ପରି ଘୁରୁଥିବେ, ଟିକିଏ ହେଲା ହାଲିଆ ହୋଇ ପଡ଼ିବାକୁ ନାହିଁ । ଘର ଖନ୍ଦାରେ ଦୁଇ ଓଳି ଶହେ ଖଣ୍ଡ ଯାଏ ପତ୍ର ପଡ଼େ । ହାଡ଼ିଆଣୀ, ପାଲୁଣୀଗୁଡ଼ା ପାଛିଆ ଗୋଟିଏ ଗୋଟିଏ ଧରି ବାଡ଼ିଦୁଆର ପଟରେ ବସିଥାନ୍ତି । ସାହୁଆଣୀ ସମସ୍ତଙ୍କ କଥା ବୁଝନ୍ତି । ସମସ୍ତଙ୍କୁ ଦେଇ ଥୋଇ ଆପେ ଖାଆନ୍ତି । ସାହୁଆଣୀ କଥା କେହି ବୁଝିବାକୁ ନାହିଁ, ମାତ୍ର ପୁଅ ବିଦ୍ୟାଧର, ମା’ ଖାଇଲା ନ ଖାଇଲା ବୁଝେ- ବାଧିକା ପଡ଼ିଲେ ପାଖରେ ବସି ଗୋଡ଼ ହାତରେ ହାତ ବୁଲାଏ ।

ଆଜି ପୁଷ ୧୫ ଦିନ, ବରଯାତ୍ରା ପାଇଁ ଠିକ୍ ହୋଇଛି । ନଈକୂଳରେ ଅଧକୋଶ ଯାଏଁ ନାଆ କାଠୁଆ ଧାଡ଼ିକି ଧାଡ଼ି ଖଟା । ନାଉରିଆମାନେ ଆହୁଲା, କାତ, ନା-ଟଣା ଦଉଡ଼ି, ହରିଣିଖୋଳା ହତା ଯନ୍ତ୍ର ଧରି ହାଜର । କୋଡ଼ିଏ ଖଣ୍ଡ ସରିକି ଗାଁରୁ ପିଲାପିଲି ଧରି ମାଇକିନିଆ ମରଦ ନଈ ଦୁଇ କୂଳରେ କାତାର ଦେଇ ଛିଡ଼ା ହୋଇଛନ୍ତି । କିଛି ଦୂର ନଈବାଲିରେ ଢୋ’ ଢୋ’ କରି ଗଛବାଣ ଫୁଟିଲା । ସଙ୍ଗେ ସଙ୍ଗେ ଶଙ୍ଖ ହୁଳହୁଳି ଉଛୁଳି ପଡ଼ିଲା । ସମସ୍ତେ ବିଦ୍ୟାଧରକୁ ସୁଖ ପାନ୍ତି, ମନ ମଧ୍ୟରେ ତାହାର ମଙ୍ଗଳକାମନା କଲେ । ବରଯାତ୍ରା ଆଗରୁ ଘର ଅଗଣା ଭିତରେ ପିଣ୍ଡି ଉପରେ ନାନ୍ଦୀମୁଖୀ ଶ୍ରାଦ୍ଧ ବଢ଼ିଲା । ବିଦ୍ୟାଧର ବେଦୀରୁ ଉଠି ମା’ ପାଖକୁ ମେଲାଣି ଘେନିବାକୁ ଯାଇ ଗୋଡ଼ ତଳେ ପଡ଼ିଲା, ମା’ ପାଦରୁ ଧୂଳି ନେଇ ମୁଣ୍ଡରେ ଲଗାଇଲା । ମା’ ତୁଳସୀ ମୂଳରୁ ମାଟି ନେଇ ତା’ ମୁଣ୍ଡରେ ଚିତା କରିଦେଲେ । ତେତିକି ବେଳେ ବିଦ୍ୟାଧର ମା’ ମୁହଁକୁ ଅନାଇ ଦେଖିଲା, ମୁହଁଟି ସିଠୁଆ କଳା ପଡ଼ିଯାଇଛି । ଆଖି ଡୋଳା ଯୋଡ଼ାକ ଭିତରକୁ ପଶିଗଲାଣି । ବିଦ୍ୟାଧର ଚମକି ପଡ଼ି କହିଲା, “ଏ କ’ଣ ମା’ ? ତୁ ଇମିତିକା ଦିଶୁଛୁ କିଆଁ ? ଜର ହେଲାଣି କି ? ମୁଁ ଶୁଣୁଛି, ଚାରିଦିନ ହେଲା ତୁ ଖୁଁ ଖୁଁ କାଶୁଛୁ । ନା, ନା ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁ ।”

ମା’- “ଏ କ’ଣରେ ବାପ ! ଏ କି କଥା ? ଏତେବେଳେ କ’ଣ ଏପରି କଥା କହନ୍ତି ? ବାଟକେ ତୋତେ ଗ୍ରାମଦେବତୀ ରକ୍ଷା କରିବେ, ଜଗନ୍ନାଥ ମହାପ୍ରଭୁ କଲ୍ୟାଣ କରିବେ । ମୋର କିଛି ହୋଇନାହିଁ । ଏହି କେତେ ଦିନ ଭାରି ଭିଡ଼ ପାଇଟିରେ ଲାଗିଥିଲି, ଖିଆପିଆ ଠିକ୍ ନ ଥିଲା । ଗ୍ରାମ-ଦେବତୀଙ୍କୁ ଦଣ୍ଡବତ କରି ଦହିମାଛ କରି ଯା’ ।”

“ମଙ୍ଗଳଂ ଭଗବାନ୍ ବିଷ୍ଣୁଃ”-

ମନ୍ତ୍ର ପଢ଼ି ପୁରୋହିତ ବର ଅନୁକୂଳ କରାଇ ଦେଲେ ।

ହରିପୁରରେ ପହଞ୍ଚିବାକୁ ହାତଗଣନ୍ତା ଠିକ୍ ପଚିଶ ଦିନ ଲାଗିଲା । ସଙ୍ଗରେ ଦଫେ ଗୋଟିପୋ ଗାଆଣିଆ ଥିଲେ । ଭଲ ଜାଗା ପାଇଲେ ଦିନେ ଦିନେ ସଞ୍ଜବେଳେ ନାଟ ନାଆଣ ହୁଏ । ନଦୀକୂଳ ପାଖିଆ କୋଶକ ବାଟରୁ ଲୋକେ ଧାଇଁ ଆସି ଗାଆଣ ଶୁଣନ୍ତି ।

ଯୁଧିଷ୍ଠିର ସାହୁଙ୍କ ଘର କୋଶକ ଦୂରରୁ ସଞ୍ଜବେଳୁ ରୋଷନାଇ ଲାଗିଲା । କଟକୀ ଭୂଇଁଚମ୍ପା, ଚନ୍ଦ୍ରଉଦିଆ, ଗଛବାଣ ସଙ୍ଗରେ ଯାଇଥିଲା । ଯୁଧିଷ୍ଠିର ସାହୁ ବି ଢେର ବାଜା, ବାଣ ଠିକ୍ କରିଥିଲେ । ଦଶ କୋଶ ବାଟରୁ ଲୋକେ ଚୂଡ଼ା ଚାଉଳ ବାନ୍ଧି ରୋଷନାଇ ଦେଖିବାକୁ ଆସିଥିଲେ । ବାହୁଡ଼ିବା ବେଳେ ବୋଲାବୋଲି ହୋଇ ଗଲେ, ଗୋଟାଏ ରଜାପୁଅ ବାହାରେ ବି ଏତେ ଆଟୋପ ହେବ ନାହିଁ ।

ବିଭା ବଢ଼ିଲା, ଅଷ୍ଟମଙ୍ଗଳା ବି ହୋଇଗଲା । ଏବେ ବର କନ୍ୟା ବିଦା କଥା । ହଁ ଆଜି, ହଁ କାଲି, ହଁ ଆସନ୍ତା ଶୁକ୍ରବାର-ରବିବାର ଏହିପରି କରୁ କରୁ ମାସେ କାଳ ବିତିଗଲାଣି । ଶେଷରେ ଦିନେ ଯୁଧିଷ୍ଠିର ସାହୁ କୁବେର ସାହୁଙ୍କୁ କହିଲେ, “ସମୁଧିଏ ! ନଈରେ ନାହିଁ ଜଳ-ଢେର ଜାଗା ହରିଣି ଖୋଳିବାକୁ ହେବ- ଢେର ବିଳମ୍ୱ ହେବ । ଏଣେ ଖରା ପଡ଼ି ଆସିଲାଣି । ତୁମ ଆମ କଥା ଯାହାହେଉ, ପିଲାଯୋଡ଼ାକ ଯାଉଛନ୍ତି, ପୋଇଲୀ ପରିବାରୀ ଦି’ଜଣ ସଙ୍ଗରେ ଥିବେ, ସେମାନଙ୍କର ବଡ଼ କଷ୍ଟ ହେବ । ମୁଁ କହୁଛି, ଗହଣ ଲୋକଙ୍କୁ ବିଦା କରି ଦେଉନ୍ତୁ, ପିଲାଟି ଆଉ ଆପଣ ଦୁଇଜଣ ରହନ୍ତୁ । ପହିଲୁ ଆଷାଢ଼, ଯିମିତି ନଈରେ ପିତାପାଣି ପଡ଼ିବ, ନାଆ ମେଲି ଦେବେ । ଆପଣ କ’ଣ ଏବେ ପରଲୋକ ଯେ ଜଗିଜାଗି କଥା କହିବି । ଏହି ଦେଖନ୍ତୁ, ଚଞ୍ଚଳ ସବୁ ଆୟୋଜନ କରିବାକୁ ପଡ଼ିଲା, ପିଲାମାନଙ୍କୁ ତ ଦି’ଖଣ୍ଡ ଗହଣାଗାଣ୍ଠି ଦେବାକୁ ହେବ । ଦେଖୁଛନ୍ତି ତ ପୁଞ୍ଜାଏ ବଣିଆ ଦିନ ରାତି ପାଇଟିରେ ଲାଗିଛନ୍ତି । ଚଞ୍ଚଳର କାମ ନୁହେଁ- ଟିକିଏ ମଠ ନ ହେଲେ ସବୁ ଠିକ୍ ହୋଇ ପାରିବ ନାହିଁ । ଆଉ ଆଉ ପାଞ୍ଚ ଚିଜ ତ ହେବାକୁ ହେବ । ଆଠଖଣ୍ଡ ନାଆ ଗହଣରେ ଦେବି, ତିଆରି ସରି ନାହିଁ । ନଈକୂଳରେ ଯାଇ ଦେଖନ୍ତୁ, ଅଧାଅଧି ବି ହୋଇ ନାହିଁ ।” କୁବେର ସାହୁ ମନ ମଧ୍ୟରେ ଭାଳିଲା, ଏହି ତ ଷୋଳଗୋଡ଼ିଆ ସାତଖଣ୍ଡ ନାଆ ତିଆରି ଲାଗିଛି, ଗହଣାଗାଣ୍ଠି ବି ତିଆରି ଲାଗିଛି, ପିଲାଟା ଘରକୁ ଚଞ୍ଚଳ ଯାଇ କ’ଣ କରିବ । ପଇସାର ଫନ୍ଦି ଫିକରରେ ମନ ନାହିଁ, ମା’ ପୁଏ ଯୋଡ଼ାକଯାକ ୟା’ଙ୍କୁ ଦିଅ, ତାଙ୍କୁ ଦିଅ, ଘରୁ ଚିଜବସ୍ତ ବାଣ୍ଟରେ ଲାଗିଥିବେ । ଉଛୁଣିକା ଏତିକି ଲାଭ, ବୁଢ଼ା ଆଖି ବୁଜିଲେ ସବୁ ମୋର । ନା ନା, ବୁଢ଼ାର ମନ ଭାଙ୍ଗିବା ଭଲ ନୁହେଁ । ଘର ପାଖରେ କୁବେର ସାହୁ ମୁହଁରୁ କେବେ କେହି ଠାକୁର ନାମ ଶୁଣିନାହିଁ, ସବୁବେଳେ କଳନ୍ତର ଲାଭ ହିସାବ । ହରିହରପୁରକୁ ଆସିବା ଦିନୁ ସବୁବେଳେ ମୁହଁରେ ଜଗନ୍ନାଥେ-ଜଗନ୍ନାଥେ-ନୀଳାଚଳନାଥ ଲାଗି ରହିଛି । କୁବେର ଆଖି ବୁଜି କହିଲା, “ହେଉ ହେଉ, ସମୁଧିଏ । ଆପଣ ଯାହା ଆଜ୍ଞା କରିବେ, କିଏ ଅନାସ୍ଥା କରିବ । ଆପଣ ତ ସବୁ ଜାଗାର ମାଲିକ ।” ଗହଣର ସବୁ ଲୋକଙ୍କୁ ବିଦା କରି ଦିଆଗଲା, କେବଳ ବାପେ ପୁଅ ଆଉ କେତେଟା ଚାକର ରହିଲେ ।

କୁବେର ସୋନପୁର, ବୌଦ ସବୁ କୋଠିର କରଣ କାରବାରିଆଙ୍କୁ ଲେଖି ଦେଲା, ମଫସଲରେ କିଛି ପାଉଣା ରଖିବ ନାହିଁ । ସବୁ ନାଁରେ ସଉଦା ବୋଝାଇ କରି ପହିଲୁ ଆଷାଢ଼ରେ, ଯିମିତି ନଈରେ ପିତାପାଣି ପଡ଼ିବ, ହରିହରପୁର ଘାଟରେ ନାଆ ଧରି ହାଜର ହୋଇଯିବ । ଏଣେ ଘରଠାରେ ସାହୁଆଣୀ ବିଛଣା ଧରିଲେଣି । କବିରାଜ କହିଲା, “ଏଇଟା ରାଜଯକ୍ଷ୍ମା- ଶିବଙ୍କ ଅସାଧ୍ୟ । କରଣମାନଙ୍କୁ ଡାକି ସାହୁଆଣୀ ସାବଧାନ କରାଇଦେଲେ ଖବରଦାର ! ହରିହରପୁରକୁ ମୋ ବେମାରୀ କଥା ଲେଖିବ ନାହିଁ, ପୁଅ ଶୁଣିଲେ ଘାବରିଯିବ ।”

ବିଦ୍ୟାଧର ଶ୍ୱଶୁର ଘରେ ରାଜଭୋଗରେ ଅଛି । କନ୍ୟାଟି ଯେମନ୍ତ ସୁନ୍ଦରୀ, ଗୁଣବତୀ, ସେହିପରି ପତିବ୍ରତା । ତେବେ ବି ଆଠଦିନକୁ ଆଠଦିନ ଘରପାଖରୁ ମା’ଙ୍କ ସମ୍ୱାଦ ନ ପାଇଲେ ଆକୁଳ ହୋଇ ପଡ଼େ । ଶେଷ ଚିଠିରୁ ଶୁଣିଲା, ମା’ଙ୍କ ବେମାରୀ ଭଲ ହୋଇଗଲାଣି, ଏବେ ସେ ନିଶ୍ଚିନ୍ତ । ତେବେ ମା’ ବୋହୂକୁ ଦେଖୁ, ଏହି କଥା ମନରେ କରି ବେଳେ ବେଳେ ଚଞ୍ଚଳ ହୋଇପଡ଼େ ।

ସୁଖର ଦିନ ଘୋଡ଼ା ଛୁଟିଲା ପରି ଧାଇଁଛି । ଯୁଧିଷ୍ଠିର ସାହୁ ଘରେ ଆନନ୍ଦ ଉତ୍ସବରେ ଚାହୁଁ ଚାହୁଁ ଚାରିମାସ ଚାଲିଗଲା । କନ୍ୟା ବିଦା ପାଇଁ ଯାହା ଯାହା ଲୋଡ଼ା, ସବୁ ଠିକ୍ ଠାକ୍ ହୋଇଗଲାଣି । ଦଶଖଣ୍ଡ ନୂଆ ତିଆରି ନାଆ ତୁଠରେ ଧାଡ଼ି କରି ଖଟା ହୋଇଛି । ସବୁ ନାଆ ଚିତ୍ର ବିଚିତ୍ର ମଣ୍ଡନୀ, ଦୁଇ ମଙ୍ଗରେ ଫର ଫର ହୋଇ ପତାକା ଉଡୁଛି । ଏଗୁଡ଼ିକ ଯୌତୁକ ନାଆ । ସେଥି ମଧ୍ୟରେ ଯୋଡ଼ାଏ ନାଆ ସୁନ୍ଦର ମଣ୍ଡନୀ । ଖଣ୍ଡକରେ ଝିଅ, ଆଉ ଖଣ୍ଡ କରେ ଜୁଆଇଁ ବସି ଯିବେ । ଆଷାଢ଼ ମାସ ଯିମିତି ପଶିଛି, ନାଆସବୁ ବୋଝେଇ ଲାଗିଲା । ବାସନ ପେଡ଼ି, ଆଡ଼ଖର, ଲୁଗା ପେଡ଼ି, ଶିଳ, ଶିଳପୁଆ, ଛାଞ୍ଚୁଣିମୁଠା ଯାଏ ଘରକରଣା ଜିନିଷ, ଦୁଇ ବରଷ ଚଳିବା ମାଫିକ ଦାନ୍ତକାଠି ଖଣ୍ଡକ ସୁଦ୍ଧା ଛ’ଖଣ୍ଡ ନାଆଁରେ ବୋଝେଇ ହେଉଛି । ଯୁଧିଷ୍ଠିର ସାହୁର ତାଗିଦ- “ଖବରଦାର, ବୁଝି ସୁଝି ଦିଅ, ଝିଅ ଦୁଇ ବରଷଯାଏ ଶ୍ୱଶୁର ଘରେ ପାଣି ମନ୍ଦାକ ଛାଡ଼ି ଯେମନ୍ତ ଆଉ କିଛି ଛୁଇଁବ ନାହିଁ । ଲୋକେ ବୋଲନ୍ତି, ଯୌତୁକ ଜିନିଷର ଦାମ ପଚାଶ ହଜାର ଟଙ୍କାରୁ ଊଣା ନୁହେଁ ।”

କୁବେର ସାହୁର ଦୂରଦୂରାନ୍ତର କୋଠିମାନଙ୍କରୁ ତିରିଶଖଣ୍ଡ ସରିକି ନାଆ ସରକ ବୋଝେଇ କରି ସେଠାରେ ଉପସ୍ଥିତ । ନାଆସବୁ ପୁରା ବୋଝାଇ ପାଣି ଲହଡ଼ି ଚାଳକୁ ଛୁଇଁ ଦେଉଛି । କୋଶେଯାଏ ସବୁ ନାଆ ଖଟା ହୋଇଛି । ଆଜ ହୁଁ ଦେଖଣାହାରୀମାନେ ମଫସଲରୁ ଆସି କୂଳରେ କାତାର ଦେଲେଣି ।

ଆଷାଢ଼ କୃଷ୍ଣ ଦଶମୀ ଦିନ ଯାତ୍ରା ଠିକ୍ ହେଲା । ରଥ କାଠ ମେଲାଣି ଭଳିଆ ପାଣିକୁ ଚାହିଁ ବସିଛନ୍ତି- ନୋହିଲେ ନାଆସବୁ ଭୀଷ୍ଣ ପାରି ହୋଇ ପାରିବ ନାହିଁ । ଠିକ୍ ପୂରା ପାଣି ବି ହୋଇଗଲା । ଆଜି ଯାତ୍ରାର ଦିନ ହଜାର ହଜାର ଦେଖଣାହାରୀ ନଈ ଦୁଇ କୂଳରେ କାତାର ଦେଇ ଛିଡ଼ା ହୋଇଛନ୍ତି । ଗୋଟାଏ ଗୋଟାଏ ନାଆରେ ଚାରି ଚାରିଜଣ ଆହୁଲା ଧରି ଛିଡ଼ା ହୋଇଗଲେ । ପଛରେ ମଙ୍ଗଧରା । ଆଗ ମଙ୍ଗ ଉପରେ ବାଟ-କଢ଼ାଣିଆ ଛିଡ଼ା । ଏହି କଢ଼ାଣିଆ ନ ହେଲେ ନାଆ ଭୀଷ୍ମ ପାର ହୋଇ ପାରିବ ନାହିଁ ।

ଆଠମଲ୍ଲିକ ଉପରକୁ ମୁଣ୍ଡାପଡ଼ି ଗାଁଠାରୁ କଇଁତ୍ରା ଗଡ଼ଯାଏ ଷୋଳ ସତର ମାଇଲ ଭିତରେ ଭୀଷ୍ମ ପଡ଼େ । ବଡ଼ ବଡ଼ ପଥର ସବୁ ମୁଣ୍ଡ ଟେକି ନଦୀମଧ୍ୟରେ ସଭା କରି ବସିଲା ପରି ବସିଛନ୍ତି । ବଢ଼ିପାଣିରେ ସେହି ପଥର ସବୁ ବୁଡ଼ିଗଲେ ତା’ ଉପର ଦେଇ ନାଆ ସବୁ ଭାସିଯାଏ । କେତେ ପଥର ବୁଡ଼େ ନାହିଁ । ଗୁଡ଼ାଏ ପଥର ଉପରେ ଚା’ଖଣ୍ଡେ, ଚାରି ଆଙ୍ଗୁଳ ଜଳ । ନାଉରୀକୁ ପଥର ଦିଶେ ନାହିଁ । ଏ ଭୀଷ୍ମ ଜାଗାଟାରେ ନଈ କମ୍ ଓସାର ଯୋଗୁଁ ପାଣିର ଭାରି ତୋଡ଼, ଘଣ୍ଟାକ ମଧ୍ୟରେ କୋଡ଼ିଏ ମାଇଲ ବାଟ ନାଆଁ ଭାସିଯାଏ । ସେହି ଭୀଷ୍ମ ମଧ୍ୟରେ ଅଙ୍କା ବଙ୍କା ସାପଚଳ ପରି ବାଟ । ନାଆଁ ସେହିବାଟେ ଯାଏ । ସେ ବାଟଟା କଢ଼ାଣିଆକୁ ଜଣା । ସେ ଜାଗାରେ ପାଣିର ଭାରି ତୋଡ଼, ପଥରରେ ବାଜି ଏପରି ଶବ୍ଦ କରେ ଯେ, କଢ଼ାଣିଆ କଥା ପଛ ମଙ୍ଗଧରାକୁ ଶୁଭେନାହିଁ । କଢ଼ାଣିଆ ଦୁଇ ହାତରେ ବାଟ ଠାରି ଦେଉଥାଏ । ଭୀଷ୍ମ ପାର କରି ଦେଇ ବାଟକଢ଼ା କଇଁତ୍ରଗଡ଼ଠାରେ ନାଆରୁ ଓହ୍ଲାଇ ପଡ଼େ । ତା’ କାମ ଛିଡ଼ିଲା । ତିନିଦିନ ହେଲା ଶ୍ରବଣା ପଶିଥିଲା, ଭାରି ପାଣି, ଭାରି ଝଡ଼ । କାଲି ସଞ୍ଜରୁ ପାଣି ଛାଡ଼ିଛି । ସକାଳେ ଆକାଶ ନିର୍ମଳ, ସୂର୍ଯ୍ୟଦେବତା ଜ୍ୱଳନ୍ତସୁନା ପେଣ୍ଡୁ ପରି ଉଇଁ ଆସିଲେ । ଫେର ଥରେ ସାହୁ ଘର ଭିତରୁ ଭାରି କାନ୍ଦଣା ଶଙ୍ଖ ହୁଳହୁଳି ଶୁଭିଲା । ବର କନ୍ୟା ନାଆଁରେ ବସିଲେ । ଜେ ଜେ ଗଙ୍ଗାମାତା କହି କହି ନାଉରୀମାନେ ଆଗେ ବରକନ୍ୟା ନାଆ ମେରି ଦେଲେ, ତା’ ପଛକୁ ତା’ ପଛକୁ ସବୁ ନାଆଁ ମେଲି ଗଲା । ଦୁଇ କୂଳରୁ ହଜାର ହଜାର ହରିବୋଲ ପକାଉଅଛନ୍ତି ।

ଆଗ ନାଆଁ ଭାସି ଯାଇ ଦୁଇକୋଶ ଦୂର ଶ୍ୟାମପୁର ଗାଁ ସଳଖରେ ଯିମିତି ପହଞ୍ଚିଛି, ସୂର୍ଯ୍ୟ ଦେବତା ବୁଡ଼ିଗଲେ । ନାଉରିଏ ଜାଣନ୍ତି, ଉଇଁ ନ ଦିଶେ ହସି ପଶେ, ବାପ ବୋଲେ ପୁତା ନିଶ୍ଚେ ବରଷେ । ନଈ ଦୂଇ କୂଳ ଲୋକେ ଛଡ଼ି ହୋଇ ଅନାଇଛନ୍ତି । ନାଉରିଆ ଭାରି ଆନନ୍ଦରେ ହରିବୋଲ ଦେଇ ନାଆ ବାହି ଯାଉଛନ୍ତି । ଯୋଡ଼ିଏ ନାଆ ଖଜା ପିଠା ବୋଝେଇ, ନାଆଁ ଖଟାଇ ଖାଇବେ । ଏତିକିବେଲେ ଉତ୍ତର ପଶ୍ଚିମ କୋଣରୁ ହେଁସଖଣ୍ଡ ପରି ଖଣ୍ଡେ ସାନ ଧୂଳିଆ ମେଘ ଉଇଁ ଆସିଲା । ସିଲିସିଲି ପବନ ଝଲକିଲା । ନାଉରିଏ ଡରିଗଲେ । ଆଉ ସମସ୍ତେ ବାହାଣରେ ଲାଗିଛନ୍ତି । “ଜେ ଜେ- ଗଙ୍ଗା ମାତା କି ଜେ” ଗୀତ ଗାଇ ଆହୁଲା ବାହୁଛନ୍ତି । ନାଆ ଯିମିତି ମୁଣ୍ଡପଡ଼ା ଗାଁ ମୁଣ୍ଡ ଛୁଇଁଛି, କଥା ପଦକେ ଗୋଟା ଆକାଶ ମେଘ ଘୋଡ଼େଇ ପକାଇଲା, ସଙ୍ଗେ ସଙ୍ଗେ ପବନ, ତା’ ପଛକୁ ପାଣି । ପବନ ତ ପବନ, ଏପରି ଘୁଙ୍ଗୁଡ଼ିଆ ପବନ କାଳେ ସକାଳେ ଦେଖିବାର ନାଇଁ । ବେତନାସି ଗୋଛାରେ ବାଡ଼େଇଲା ପରି ନାଉରୀମାନଙ୍କ ଦେହକୁ ପାଣି ଛାଟ ମାରୁଛି । ଦିନଯାକ ବରଷା ଖାଇ ଯେଉଁମାନେ ନାଆଁ ବାହିଯାନ୍ତି, ଦଣ୍ଡକ ମଧ୍ୟରେ ସେ ନାଉରୀ ଗୁଡ଼ାକ ହାଲିଆ ହୋଇ ପଡ଼ିଲେଣି । ଦୁଇ କୂଳରୁ ଡାକ ପଡ଼ିଛି, ନାଉରୀ, କୂଳ ଭିଡ଼ା, କୂଳ ଭିଡ଼ା । ବାଟକଢ଼ା ଡାକୁଛି, ମଙ୍ଗୁଆଳ କୂଳ ଦେଖା ଆରେ କୂଳ ଦେଖା । ନାଆଁ କ’ଣ ମଙ୍ଗ ମାନୁନି । ଘୁଙ୍ଗୁଡ଼ିଆ ପବନ ନାଆର ଆଗ ମଙ୍ଗ ପଛକୁ କରି ଦେଉଛି, ତେବେ ନାଆଁକୁ ଚକ ପରି ବୁଲାଇ ଦେଉଛି । ନଈ କୂଳର ଭାରି ପୁରୁଣା ଆମ୍ୱ ବର, ଓସ୍ତ ଗଛଗୁଡ଼ାକ ମାରିଷ ଗଛପରି ଉପୁଡ଼ି ପଡ଼ିଛି । ପୂର୍ବାଳି ଗୋଟାଏ ଭାରି ଦାମକା ପବନ ବଡ଼େଇ ଦେଲା । ନାଆଁ ଉପର ମଙ୍ଗଧରା, ବାହାଣିଆ, ବାଟକଢ଼ା, ସବୁ ଗୁଡ଼ାକ ଝୂର୍‌ଝାପ୍ କରି ନଈରେ ପଡ଼ିଗଲେ । ତଣ୍ଟିଆ ଦେଇ ସେମାନଙ୍କୁ କିଏ ଯେମନ୍ତ ପାଣିରେ ମାଡ଼ିଦେଲା । ନାଆଗୁଡ଼ାକ ଗୋଟାକ ଉପରେ ଗୋଟାଏ ବାଡ଼େଇ ହେଉଛନ୍ତି । ଗୁଡ଼ାଏ ଠୋକର ଖାଇ ଭାଙ୍ଗି ଗୁଣ୍ଡା ହୋଇଗଲାଣି । ଆଉ ଦଣ୍ଡେ ସତାର କରିଥିଲେ ନାଆଁ ସବୁ ସୁଅ ପାଣିରେ ପଡ଼ି ଭାସି ଯାଇଥାନ୍ତା, ମାତ୍ର କଇଁତ୍ରାଗଡ଼ ମୁଣ୍ଡରେ ନଈ ମଝିରେ ଗୋଟାଏ ବଡ଼ ଭୀଷ୍ମ ମହାକାଳ ଦୂତ ପରି ଛିଡ଼ା ହୋଇଥିଲା, ସବୁ ନାଆଁ ତା’ ଉପରେ ବାଡ଼େଇ ହୋଇ ଭାଙ୍ଗି ଚୂନା ହୋଇଗଲା । ଖଣ୍ଡେ ନାଆଁ ବର୍ତ୍ତି ପାରିଲା ନାହିଁ । ମନୁଷ୍ୟ ବା ବୋଝାଇ ଜିନିଷ କାହାରି ଚିହ୍ନବର୍ଣ୍ଣ ନାହିଁ, ଗୁଡ଼ାଏ ପଟା ଭାସି ଭାସି ଯାଉଛି । ଯୁବତୀଟି କିପରି ଲୁଗା ପାଲଟିବ । ହଠାତ୍ ହାତରେ ନଜର ପଡ଼ିଗଲା, ଆଙ୍ଗୁଳିରେ ମୁଦି । ଆପଣା ମୁଦି ବୋଲି ଚିହ୍ନିଲା ଆଉ ସନ୍ଦେହ ନାହିଁ । ଲୁଗା କାହିଁ ? ଆପେ ତ ଦି’ଛୁଟିଆ- ଆପଣ ପାଛୁଡ଼ା ଖଣ୍ଡ ଯୁବତୀକୁ ପିନ୍ଧାଇ ଦେଇ ତା’ ଦେହର କାଦୁଅ ପାଣି ପୋଛି ପକାଇଲା ।

ଶ୍ୟାମ ସାହୁ ବିଦେଇର ନିଘନ ମଳାଶୁର । ଘର ଜୋରମେ ଇଲାକା ଖାଲପାଳ । ସାହୁ ଜଣେ କାରବାରିଆ ମଧ୍ୟ ଭଳି ଲୋକ । ବିଭା ସମୟରେ ବିଦ୍ୟାଧର ତାକୁ ଚିହ୍ନିଥିଲା, ଘର ଠିକଣା ଜାଣିଥିଲା । ଯୁବତୀର ଚେତା ବସୁ ନାହିଁ । ନାଆଁରେ ସବୁବେଳେ ଉହ୍ମେଇରେ ନିଆଁ ଥାଏ । ଲୁଗା ପେଣ୍ଡୁଳା କରି ବିଦ୍ୟାଧର ଯୁବତୀକୁ ସେକୁଥାଏ । ରାତି ଆଉ ପିଛିଲା ପହରେ ସରିକି ଅଛି, ବିଦ୍ୟାଧର ନାଉରୀମାନଙ୍କୁ ଡାକି କହିଲା, “ତୁମ୍ଭେମାନେ ଯେବେ ଦିନ ପହରକ ଭିତରେ ନାଆଁ ନେଇ ଖାଲପାଳ ତୁଠରେ ଭିଡ଼ାଇ ପାରିବ, ଜଣକା ପାଞ୍ଚ ପାଞ୍ଚ ଟଙ୍କା ବକ୍ସିସ୍ ଦେବି ।” ନାଉରୀମାନେ ବସି ବିଚାର କଲେ ଖାଲପାଳ ଏଠାକୁ ଚାରିକୋଶ ବାଟ- ଏତେବେଳେ ନାଆଁ ମେଲି ଦେଲେ କସ୍ତାକସ୍ତିରେ ନାଆଁ ପହଞ୍ଚିଯିବ । ଆକାଶରେ ଆଉ ମେଘ ନାହିଁ, ଟିକିଏ କାଳିଜହ୍ନିଆ ପଡ଼ିଗଲା । ନାଆଁଟା ଦକ୍ଷିଣ କୂଳ ଧରି ଯାଉଥିଲା । ଖାଲପାଳ ହେଉଛି ଉତ୍ତର କୂଳରେ । ଯିମିତି ରାତି ପାହିଛି, ନାଉରିଏ ନାଆଁ ମେଲି ଦେଲେ ।


ଯୁବତୀ ଗୋଟିଏ କୋମଳ ବିଛଣାରେ ପଡ଼ିଛି, ଚେତା ନାହିଁ । ନାକରେ ତୁଳା ଦେଇ ଦେଖାଗଲା, ଅଳ୍ପ ଅଳ୍ପ ପବନ ଚାଲିଛି । ଗ୍ରାମର ପୁରୁଣା ବୈଦ୍ୟ ବଳେଇ ବାହିନୀପତି ଭଲରୂପେ ନାଡ଼ି ଚିପି କହିଲେ, “କେବଳ ଇନ୍ଦ୍ରିୟ ଦୈର୍ବଲ୍ୟ- ବିପଦର ଆଶଙ୍କା ନାହିଁ ।” ଲାଗ ଲାଗ ତିନିପାନ କସ୍ତୁରୀଭୂଷଣ ରସ, ଅଦାରସ ମହୁ ଅନୁପାନରେ ପିଆଇ ଦେଇ କହିଲେ, “ଏହି ଔଷଧର କ୍ରିୟା ଆରମ୍ଭ ହେଲେ ଚେତନା ବସିବ ।” ଘଟଣାର ତୃତୀୟ ଦିନ ଉପରଓଳି ଯୁବତୀ ଟିକିଏ ଆଖି ମେଲି ଦେଖିଲା, ଗୋଟିଏ ପ୍ରୌଢ଼ା ସ୍ତ୍ରୀ ପାଖରେ ବସି ଧୀରେ ଧୀରେ ତା’ ଦେହରେ ହାତ ବୁଲାଉଛି । ଯୁବତୀର ଚେତା ବସିଲାଣି । ଅତି କ୍ଷୀଣ ସ୍ୱରରେ ତାକୁ ପଚାରିଲା, “ମୁଁ କେଉଁଠି ଅଛି ?” ପ୍ରୌଢ଼ା ଅତି ଧୀରେ, ଅତି କୋମଳରେ କହିଲା, “ମା’ ପଦ୍ମବତୀ ! ମୁଁ ପରା ତୋ ମାଉସୀରେ- ମୋତେ କ’ଣ ଚିହ୍ନିପାରୁ ନାହୁଁ ?” ପଦ୍ମା ଉଠି ବସିଲାଣି । କାନ୍ଥବାଡ଼ ଧରି ସକାଳ ସଞ୍ଜ ଟିକିଏ ଟିକିଏ ଚାଲବୁଲ ହୁଏ । ବୈଦ୍ୟରାଜଙ୍କ ବ୍ୟବସ୍ଥା ଟିକିଏ ଟିକିଏ ଦୁଧ ଦିଆଯାଉଛି, ଅନ୍ନ ପଥ୍ୟ ଦିଆଯାଇ ନାହିଁ ।

ଝିଅ ଜୁଆଇଁ ପହଞ୍ଚିବା କ୍ଷଣି ସାହୁ ଚାରିଜଣ ଭେଣ୍ଡିଆ ପାଇକ ହାତରେ ଯୁଧିଷ୍ଠିର ସାହୁ ପାଖକୁ ଭାଷା ଚାଳି ଦେଇଥିଲା । ଆଜି ଦଶମ ଦିନ । ତିରିଶ ଜଣ ବଣୁଆ ଆପଟ ଚାରିଖଣ୍ଡ ପାଲିକି ଧରି ହରିହରପୁରରୁ ଆସି ଉପସ୍ଥିତ । ଯୁଧିଷ୍ଠିର ସାହୁ ଲେଖିଛନ୍ତି, “ବାଟରେ ଆଠ ଜାଗା ଟପା ଆପଟ ବସିଲା । ତଡ଼େଦମ୍ ଝିଅ ଜୁଆଇଁଙ୍କୁ ଧରି ମଉସା ମାଉସୀ ଆସିବ । ଚାରି ଦିନ ବାଟ ଦୁଇ ଦିନରେ ଆସିବ । କିଛି ମଠ କରିବ ନାହିଁ ।” ମହା ଆନନ୍ଦରେ, ଉତ୍ସବରେ ଯୁଧିଷ୍ଠିର ସାହୁ ଝିଅ ଜୁଆଇଁଙ୍କୁ ଘରକୁ ନେଲେ । କେତେ ଦିନ ପର୍ଯ୍ୟନ୍ତ ମନ୍ଦିରରେ ହରିଲୁଟ, କୀର୍ତ୍ତନ, ବୈଷ୍ଣବ ଖନ୍ଦା, ପ୍ରସାଦ ସେବା ଚାଲିଲା ।

ଘୋର ଦୁର୍ଯୋଗ, ଘୋର ଦୁର୍ଦ୍ଦିନ ଉତ୍ତାରେ ତରୁଣାରୁଣ ଆଲୋଡ଼ ବଡ଼ ପ୍ରୀତିକର, ବଡ଼ ଆନନ୍ଦ ଦାୟକ ଜଣାଯାଏ । ବିଦ୍ୟାଧର, ପଦ୍ମାବତୀ ଦୁଇଜଣ ଦିନରାତି ଚକୁଆ ଚକୋଈ ପରି ଉଆସ ଭିତର ପଦ୍ମାବତୀ ଖଞ୍ଜାରେ ବସି ଆନନ୍ଦ ଉତ୍ସବରେ ଦିନ କାଟୁଥାନ୍ତି । ନାଆଁ ଭଙ୍ଗାଠାରୁ ବରଷେ କାଳ କିଏ କିପରି ଥିଲା, ସେହି ଦୁଃଖକାହାଣୀ କେହି କାହାକୁ ପଚାରି ନାହିଁ । ଆଜି କଥା କଥାକେ ସେହି କଥା ପଡ଼ିଗଲା । ବିଦ୍ୟାଧର କହିଲା, “ନାଆଁ ଯିମିତି ଭାଙ୍ଗିଗଲା, ମୁଁ ଖଣ୍ଡେ ପଟା ଉପରେ ପେଟେଇ ପଡ଼ି ଭାସୁଥାଏ । ତୁମେ କୁଆଡ଼େ ଗଲ, ଅନାଇଲି । ତୁମେ ବି ଖଣ୍ଡେ ପଟା ଉପରେ ପଡ଼ି ଭାସୁଥିଲ, ଥରେ କେବଳ ଦେଖିଥିଲି । ପଛନ୍ତେ ଶୁଣିଲି, ତହିଁ ଆରଦିନ ସକାଳେ ନଦୀ ମଧ୍ୟରେ ଭାସି ଭାସି ଯାଉଥିଲି, ଖଣ୍ଡେ ନାଆର ନାଉରୀମାନେ ଦେଖି ମୋତେ ଉଠାଇନେଲେ । ଚାରି ଦିନ ବାଦେ ମୋର ଚେତା ବସିଲା, ଅନାଇ ଦେଖିଲି, ଗୋଟାଏ ବଡ଼ ଘରେ ଶୋଇଛି । ପଛନ୍ତେ ଶୁଣିଲି, ସେଇଟା ଗୋବିନ୍ଦପୁର ଗାଁର ଗୋପାଳଜୀ ମଠ, କଟକଠାରୁ ଦୁଇକୋଶ ତଳକୁ । ବୁଢ଼ା ମହନ୍ତ ଲଳିତା ଦାସ ବାବାଜୀ ମୋତେ ବଞ୍ଚାଇବା ପାଇଁ ଖୁବ୍ ଯତ୍ନ କରୁଥାନ୍ତି । ମାସକ ବାଦେ ଚାଲିବୁଲି ପାରିଲି । ତୁମ ବାପା ଯେଉଁ ସୁନା ଗବତାରଟା ଦେଇଥିଲେ, ଅଣ୍ଟାରେ ଥିଲା, ମହନ୍ତକୁ ଦେଲି । ବିକି ମୋ ପିଛେ ଖରଚ କରିବାକୁ କହିଲି । ମହନ୍ତ ନାହିଁ ନାହିଁ କରି ନେଲେ । ମୋର ଟିକିଏ ବଳ ଆସିଥାଏ, ତୁମ କଥା, ବାପାଙ୍କ କଥା ମନରେ ପଡ଼ିଲେ ପୁଣି ଦଶ ପନ୍ଦର ଦିନ ପଡ଼ିଯାଏ । ଏହିପରି ଆଠ ଦଶ ମାସ କାଳ ବିତିଗଲା । କଟକ ଜିଲ୍ଲାରେ ବାପାଙ୍କର ନାମଡ଼ାକ । ଲଳିତା ଦାସେ ବାପାଙ୍କ ନାମ ଶୁଣି ମୋତେ ଆହୁରି ଅଧିକ ଯତ୍ନ କଲେ, ଆମ ଘରଠାକୁ ଖବର ପଠାଇଲେ । ଲୋକେ ବାହୁଡ଼ି ମୋ ମାତାଙ୍କ ବିଯୋଗ କଥା କହିଲେ । ମୁଁ ଆହୁରି ବି ମାସେଯାଏ ବିଛଣାରେ ପଡ଼ି ରହିଲି । ତହିଁ ଉତ୍ତାରେ ସ୍ଥିର କଲି, ଘରକୁ ଯିବି ନାହିଁ ସନ୍ନ୍ୟାସୀ ହୋଇ ତୀର୍ଥରେ ବୁଲିବି । ଦେହରେ ବଳ ହେବାରୁ ଚାଲି ଚାଲି ଘରକୁ ଗଲି । ଘରେ ଯାଇ ଯାହା ଦେଖିଲି ଦଣ୍ଡେ ରହିବାକୁ ଇଚ୍ଛା ବଳିଲା ନାହିଁ । ପୁରୋହିତ ଦିବାକର ଦ୍ୱିବେଦୀ, ଶାସନର ଆଉ ଆଉ ଯେଉଁମାନଙ୍କର ଜମି ବାପା ନିଲାମରେ ଧରି ନେଇଥିଲେ, ଡକାଇ ସମସ୍ତ ଜମି ଫେରାଇ ଦେଲି । ରେଜେଷ୍ଟରୀ, ଅରେଜେଷ୍ଟରୀ ଗୁଜା ଯେତେ ଦଲିଲ ଥିଲା, ଆଉ ଧାନ କରଜା ପାଞ୍ଚି, ସବୁ ପୋଡ଼ି ପକାଇ ଖାତକମାନଙ୍କୁ ଖବର ଦେଲି, ଆଉ ସେମାନଙ୍କୁ ଟଙ୍କା ଦେବାକୁ ହେବ ନାହିଁ । ଧାନ, ଗୋରୁ, ବାସନକୁସନ ଯାହା କିଛି ଥିଲା, ଦେଶ ଲୋକଙ୍କୁ ବାଣ୍ଟି ଦେଇ ଦିନେ ରାତିରେ କାହାକୁ କିଛି ନ କହି ଘରୁ ବାହାରି ଆସିଲି । ମନରେ କଲି, ଆଉ ତ ଗୁରୁଜନ କେହି ନାହିଁ, ଶ୍ୱଶୁରଙ୍କୁ ଶେଷ ଦର୍ଶନ କରି ତାଙ୍କ ପାଦଧୂଳି ମୁଣ୍ଡରେ ଦେଇ ବାହାରି ଯିବି । କଟକଯାଏ ଆସିଲି । ଝାଡ଼ ମୂଲକରେ ବାପାଙ୍କୁ ସମସ୍ତେ ଜାଣନ୍ତି । ମହାନଦୀକୂଳ ଗଡ଼ଗଡ଼ିଆ ପାଖ ଘାଟରେ ଖଣ୍ଡେ ସୋନପୁରୀ ନାଆଁରେ ଉଠି ବସିଲି ।” ଆସୁ ଆସୁ ଲଙ୍ଗଳକଣ୍ଟାଠାରେ- ପଦ୍ମବତୀ ପଣନ୍ତକାନିରେ ବିଦ୍ୟାଧର ମୁହଁ ବୁଜି ଧରି କହିଲା, “ଆଉ କିଛି କହ ନା ।” ବିଦ୍ୟାଧର ଆତ୍ମକାହାଣୀ ବର୍ଣ୍ଣନା ସମୟରେ ପଦ୍ମା ଆଖିରୁ ଦୁଇଧାର ଲୋତକ ବହୁଥାଏ ।

ବିଦ୍ୟାଧର କହିଲା, “ଏବେ ତୁମ କଥା କହ ।” ପଦ୍ମା ମୁହଁ ପୋଛି ଆତ୍ମକାହାଣୀ କହିବାକୁ ଲାଗିଲା, “ମୁଁ ଲଙ୍ଗଳକଣ୍ଟା ଦନେଇ ଦଳେଇ ଘରେ ଥିଲି । ଦଳେଇ ଗାଁ ମଧ୍ୟରେ ଥିଲାବାଲା ଲୋକ । ଗ୍ରାମର ସମସ୍ତ ଲୋକ ମାନନ୍ତି । ଘର ଆଗରେ ଗୋଟିଏ ଠାକୁର ମନ୍ଦିର କରିଛି, ସଦାବର୍ତ୍ତ ଦିଏ । ଶୁଣିଲି, ମୁଁ ତୁଠରେ ଅଚେତ ହୋଇ ପଡ଼ିଥିଲି । ଦଳେଇଘର ମାଇପେ ମୋତେ ଗୋଟାଇ ଘେନି ଯାଇଥିଲେ । ଦଳେ ଆଉ ତା’ ଭାର୍ଯ୍ୟା ମୋତେ ବଡ଼ ଆଦରରେ ରଖିଥିଲେ, ଝିଅରୁ ବଳି ସ୍ନେହ କରନ୍ତି । ମୋ ପାଇଁ ମନ୍ଦିରରୁ ପ୍ରସାଦ ଆସେ । ମୁଁ କାନ୍ଦିଲେ ଦଳେଇ ଭାର୍ଯ୍ୟା ସାନ୍ତ୍ୱନା ଦିଏ, ମୋତେ ବାପା ପାଖକୁ ପଠେଇ ଦେବାକୁ କହେ । ଦଳେଇ ଯିମିତି ଧାର୍ମିକ, ତା’ ପୁଅଟା ସେହିପରି କୁଳାଙ୍ଗାର, ପାଷଣ୍ଡ । ମଦ, ଆପୁ, ଗେଞ୍ଜଇ କିଛି ନିଶା ତାକୁ ଅଣ୍ଟେ ନାହିଁ । ଘରେ ଯୁବତୀ ବୋହୂ, ତାକୁ ଅନାଏ ନାହିଁ । ଗାଁ ବୋହୂ ଝିଅ ତା’ ଡରରେ ଘରୁ ବାହାରନ୍ତି ନାହିଁ । ମୋ ଉପରେ ଅତ୍ୟାଚାର କରେ, ନାନା କୁକଥା କହେ । ଦଳେଇ ଭାର୍ଯ୍ୟା ସେଥିଲାଗି ମୋତେ କାନିଗଣ୍ଠିଲି କରି ରଖିଥାଏ । ମୁଁ ବି ତା’ ଶରଣ ପଶିଥାଏ । ତଥାପି ଟିକିଏ ବେଳ ପାଇଲେ ମୋତେ ନାନା କୁକଥା କହେ । ଆଉ ସହିପାରିଲି ନାହିଁ । ସେଦିନ ରାତିରେ ବୁଡ଼ି ମରିବା ପାଇଁ ଆସିଥିଲି । ଦୁଷ୍ଟଟା ବାଟରେ ଧରିଥିଲା, ତୁମେ ରକ୍ଷା କଲ । ତେତେବେଳେ ତୁମକୁ ଚିହ୍ନି ନ ଥିଲି । ମନରେ କଲି, ପ୍ରଭୁ ସ୍ୱର୍ଗରୁ ଓହ୍ଲାଇ ଆସି ମୋତେ କୋଳ କରି ନେଲେ ।”

ଯୁଧିଷ୍ଠିର ସାହୁ ଆଉ ବିଷୟ ଅଶୟ କିଛି ବୁଝେ ନାହିଁ । ଝିଅ ଜୁଆଇଁଙ୍କୁ ସବୁ ସମର୍ପି ଦେଇ ଦିନରାତି ବସି ହରିନାମ ଜପୁଥାଏ ।

ଲୋକପ୍ରିୟ ଲେଖା

To Top