ଗଳ୍ପ

ଅମୃତ ମୁହୂର୍ତ୍ତ

Banka Bihari Das's Odia Story AMRUTA MUHURTTA

ନିଶ୍ଚୟ ବିଫଳ ହେବାକୁ ପଡ଼ିବ । ତେବେ ଏ ଦିଗରେ ଚେଷ୍ଟା କଲେ କ୍ଷତି କ’ଣ ? ଚେଷ୍ଟା କରି ପରାଜିତ ହେଲେ ଗୋଟାଏ ଗୌରବ ଅଛି ।

ଅମୃତ ମୁହୂର୍ତ୍ତ

-: ପୁର୍ବରୁ :-

କଟକ ଅଫିସ୍‌ରେ କାର୍ଯ୍ୟବ୍ୟସ୍ତ ଥାଇ ମଧ୍ୟ ମମ୍‌ଙ୍କୁ ଦେଖା କରିବାକୁ ଯାଏ । ମମ୍ କିନ୍ତୁ କେବେ ବିଛଣାରୁ ଉଠିବାର ଦେଖିନି । ମୁଁ ଗଲେ ସେ ମୋତେ ସ୍ନେହ ଓ ଶ୍ରଦ୍ଧାରେ ବୁଡ଼େଇ ଦିଅନ୍ତି । ଏତେ ଶ୍ରଦ୍ଧା ଓ ସ୍ନେହ ଜନ୍ମପର ଏପର୍ଯ୍ୟନ୍ତ ପାଇନଥିଲି । ମମ୍‌ଙ୍କ ଖବର ବୁଝାବୁଝି ମାମୁଁ କରୁଛନ୍ତି । କୌତୂହଳରେ ମମ୍‌ଙ୍କୁ କହିଲି- “ମମ୍ ! ଚାଲ ପୁଣି ସେହି ଗ୍ରାମ ପରିସରକୁ ଫେରିଯିବା ।” ମମ୍ କହିଲେ- “ଏବେ ଯାଇଥାନ୍ତି, କିନ୍ତୁ ମୋର ଅସୁସ୍ଥତା ପାଇଁ ଯିବା ସମ୍ଭବ ନୁହେଁ । ମୋର ଗୋଟାଏ କାମ କରିପାରିବୁ ?”

କ’ଣ କୁହ ।

ମମ୍ କହିଲେ- “ତୋ ବାବାଙ୍କୁ ଏଠାକୁ ଆଣିପାରିବୁ ? ” ହତଚକିତ ହୋଇ କେତେ ସମୟ ମମ୍‌ଙ୍କ ମୁହଁକୁ ଚାହିଁ ରହିଲି । ପରେ କହିଲି- “ମୁଁ ଚେଷ୍ଟା କରିବି ନିଶ୍ଚୟ ।” ମୋ ଘରକୁ ଫେରିଲାବେଳେ ଭାବିଲି ବୋଧହୁଏ ଏହା ଏକ ପରିବର୍ତ୍ତନର ଅୟରାମ୍ଭ । ପୁରାତନରୁ ନୂତନ ଏବଂ ନୂତନରୁ ଅତ୍ୟାଧୁନିକ ଭଳି । ମୁଁ ପୁଅଭାବେ ବାପା ଏବଂ ମମ୍‌ଙ୍କର ସୁଖ ସଂସାରକୁ ଏଇ ପରିଣତ ବୟସରେ ଏକ କରିପାରିଲେ ଏକ ନୂତନତ୍ୱର ସ୍ୱାଦ ଅନୁଭବ କରିପାରିବି । ଅନ୍ଧକାରରୁ ଆଲୋକର ସନ୍ଧାନ ମିଳିବ ନିଶ୍ଚିତ । ଗ୍ରାମ ସଭ୍ୟତାର ପରିସମାପ୍ତ ହୋଇ ନଗର ବା ସହରାଞ୍ଚ ସଭ୍ୟତାର ପରିପ୍ରକାଶ ହୋଇପାରେ, କିନ୍ତୁ ବାପାଙ୍କର ଦୀର୍ଘଦିନର ନିରବତା, ଗମ୍ଭୀର ଭାବ ଏବଂ ଅନ୍ୟମାନଙ୍କ ପ୍ରତି ବିରକ୍ତିଭାବ ନିଶ୍ଚୟ ପ୍ରତିବନ୍ଧକ ସୃଷ୍ଟି କରିପାରେ । ମମ୍‌ଙ୍କୁ ଏଠାରୁ ଗାଁକୁ ନବା ସମ୍ପୂର୍ଣ୍ଣ ଅସମ୍ଭବ । ଦ୍ୱନ୍ଦର ପରିସୀମା ମୋ ମନକୁ ଆଚ୍ଛାଦିତ କରି ରଖିଲା । କ’ଣ କରାଯାଇପାରେ ? ଯାହା କଲେ ମଧ୍ୟ ସମ୍ଭବ ହେବନି । ଅୟସକାନ୍ତ ନିଶ୍ଚିତ ପରାଜିତ । ନିଶ୍ଚୟ ବିଫଳ ହେବାକୁ ପଡ଼ିବ । ତେବେ ଏ ଦିଗରେ ଚେଷ୍ଟା କଲେ କ୍ଷତି କ’ଣ ? ଚେଷ୍ଟା କରି ପରାଜିତ ହେଲେ ଗୋଟାଏ ଗୌରବ ଅଛି ।

ଅଫିସ୍‌ରୁ ଛୁଟି ନେଇ ଗାଁକୁ ଗଲି । ଗାଁରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ପ୍ରାୟ । ସୂର୍ଯ୍ୟ ପଶ୍ଚିମ ଆକାଶରେ ଅସ୍ତ ହୋଇଥିଲେ ମଧ୍ୟ ଲାଲ୍ କିରଣ ଆକାଶରେ ବିଛୁଡ଼ି ହୋଇଛି । ଆକାଶରେ ପକ୍ଷୀମାନେ ଶବ୍ଦ କରି ମୋ ଭଳି ବାହୁଡ଼ି ଯାଉଛନ୍ତି ନିଜ ନିଜ ଘରକୁ । ନଦୀର ସ୍ରୋତ ସବୁଦିନ ଭଳି କୁଳୁକୁଳୁ ହୋଇ ଗଡ଼ି ଚାଲିଛି ସାଗରରେ ମିଶିବା ପାଇଁ । ଧୀରେ ଧୀରେ ପିଚୁ ରାସ୍ତା ଛାଡ଼ି ନାଲି ଗୋଡ଼ି ରାସ୍ତା ଦେଇ ଗହଳିଆ ଆମ୍ୱଗଛ ମୂଳେ ପହଞ୍ଚିଲା ବେଳକୁ ଆମକୁ ଆମ କୋଠା ଘରଟି ସବୁଜ କ୍ଷେତ ମଙ୍ଗରେ ଏକା ଏକା ମୁଣ୍ଡଟେକି ଠିଆ ହୋଇଛି । ଲକ୍ଷ୍ୟ କଲି ବାପା ପଦା ପାଖ ବାରଣ୍ଡାରେ ଚୌକି ଉପରେ ବସି ଚାହିଁ ରହିଛନ୍ତି ଦୂର ଦିଗ୍‌ବଳୟ ଆଡ଼େ । ବାପାଙ୍କ ପାଖରେ ପହଞ୍ଚି ସମ୍ମାନ ଜଣାଇ ଘର ଭିତରକୁ ଗଲି । ରଘୁକାକାଙ୍କ ମୋ ଉପରେ ବହୁତ ଅଭିମାନ । ମୁଁ ଯେ ଏଥର ଘରକୁ ବହୁଦିନ ପରେ ଆସିଛି ତା’ର କାରଣ ଦେବାକୁ ପଡ଼ିଲା । ମୁଁ କହିଲି- “ବୁଝିଲ ରଘୁକାକା । ମୁଁ ଏହା ଭିତରେ ମମ୍‌ଙ୍କ ସନ୍ଧାନ ପାଇଛି । ସେ ଶଯ୍ୟାଶାୟୀ । ବିଛଣାରୁ ଉଠିବାର କ୍ଷମତା ନାହିଁ । ବୋଧହୁଏ ବେଶିଦିନ ନୁହେଁ । ତାଙ୍କରି ପାଖରେ ମୋ ସମୟ ଅତିବାହିତ ହୋଇଛି । ସେ ମୋତେ ଦେଖି ତାଙ୍କର ସମସ୍ତ ସ୍ନେହ ଶ୍ରଦ୍ଧା ମୋ ଉପରେ ଅଜାଡ଼ି ଦେଲେ । ତାଙ୍କ ସେବା କରୁ କରୁ ଏଠାକୁ ଆସି ପାରିଲି ନାହିଁ ।” ରଘୁକାକାର ଆଖି ଛଳଛଳ ହେଲା । ମୁଁ ପୁଣି କହିଲି- “ତମେ ବ୍ୟସ୍ତ ହୁଅନି । ସୁବିଧା ଦେଖି ତମକୁ ନେଇଯିବି ।”

ଅନ୍ଧାର ହୋଇଯାଇଥିଲେ ମଧ୍ୟ ଚନ୍ଦ୍ରମାଙ୍କ କୋମଳ କିରଣ ପରିବେଶକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରି ତୋଳିଲା । ମୁଁ ସେହି କିରଣର ଆନନ୍ଦ ଉପଭୋଗ କରିବାକୁ ନଦୀ କୂଳକୁ ଗଲି । ଗାଁ ଭିତରକୁ ଯାଇ ସାଧାରଣ ଲୋକମାନଙ୍କ ସହ ମିଶିବାର ଇଚ୍ଛା ଥିଲେ ମଧ୍ୟ ଯାଇ ପାରିଲିନାହିଁ । ବେଶ୍ କିଛି ସମୟ ନଦୀର ଧାର ପାଖେ ପାଖେ ବୁଲାବୁଲି କରୁଥିବା ସମୟେ ମନେପଡ଼ିଲା ମମ୍‌ଙ୍କର କେଇପଦ କଥା- “ବାବା ! ତତେ ତୋ ବାପା କେବେ ବି ବାହା କରିବେ ନାହିଁ । ମୁଁ ସେ କଥା ଜାଣେ । ତୁ ଏଠିକି ଆସିବା ପରେ ତୋ ପାଇଁ ଆମ ପଡ଼ିଶାରେ ଥିବା ରସିକବାବୁଙ୍କ ଝିଅ ମିନି ସହ ବାହାଘର ସ୍ଥିର କରିଛି । ମୁଁ ଥାଏ ବା ନ ଥାଏ ତୋ ବାହାଘର ସେଇଠି ହେବ । ମୁଁ କଥା ଦେଇସାରିଛି । ରଘୁ ମଉସା ସେ ଦାୟିତ୍ୱ ନେଇ କରିବେ ।” ମୋତେ ହସ ଲାଗିଲା । ଯେଉଁଠି ବାପା ଏବଂ ମମ୍‌ଙ୍କ ମନ ମିଳୁନି ଏବଂ ଯେଉଁଠି ଉଭୟ ଦୀର୍ଘଦିନ ସେମାନେ ପୃଥକ ରହିଲେଣି ସେଠି ପୁଣି ମୋ ବାହାଘର ମମ୍ ଠିକ୍ କରିବେ ଆଉ ବାପା ସେ କଥା ଗ୍ରହଣ କରିବେ, ଏହା ସମ୍ପୂର୍ଣ୍ଣ ଅସମ୍ଭବ । ସେ କଥା ଆଦୌ ଚିନ୍ତା କରାଯାଇନପାରେ । ଜୀବନର ନଈ ଏମିତି ବହିଯିବ । କେତେବେଳେ ସାଗର ରୂପକ ମହାକାଳରେ ଲୀନ ହେବ । ରାତି ଅଧିକ ହେଲା । ଘରକୁ ଫେରିଲି । ରଘୁକାକା ଅପେକ୍ଷାରତ । ମୋର ଡେରି ହେବାର ଦେଖି ବ୍ୟସ୍ତ । କହିଲା- “କୁଆଡ଼େ ଚାଲିଯାଇଥିଲ ସାନବାବୁ ?” ଏମିତି ବୁଲୁବୁଲୁ ଟିକେ ଡେରି ହେଲା ।

ତା’ପରେ

ଲୋକପ୍ରିୟ ଲେଖା

To Top