କେନ୍ଦ୍ରରେ ଚରଣ ସିଂହଙ୍କ ମନ୍ତ୍ରୀମଣ୍ଡଳର ୧୯୭୯ ମସିହାରେ ପତନ ଘଟିବା ପୂର୍ବରୁ ଜନତା ଦଳ ତିନିଭାଗରେ ବିଭକ୍ତ ହୋଇ ସାରିଥିଲା । ଚରଣ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଜନତା ଦଳର ଅନ୍ୟତମ ଅଂଶୀଦାର ରୂପେ ଓଡ଼ିଶାର ଜନତା ଦଳ ରହିଥିଲେ । ଓଡ଼ିଶାର କଂଗ୍ରେସ ଦଳ ସେତବେଳକୁ ଶ୍ରୀମତୀ ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ଦଳ ଭାବରେ ରହିଥିଲା । ଏହି ବିଭାଜନ ଫଳରେ ଜନତା ଦଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ସମଗ୍ର ଭାବରେ ଜନତା ଦଳ ଉପରୁ ଲୋକଙ୍କ ବିଶ୍ୱାସ ତୁଟି ଯାଇଥିଲା । ଏହି ପରିପ୍ରେକ୍ଷୀରେ ୧୯୮୦ ମସିହା ଜୁନ୍ମାସରେ ଓଡ଼ିଶା ବିଧାନସଭା ପାଇଁ ଯେଉଁ ଅଷ୍ଟମ ସାଧାରଣ ନିର୍ବାଚନ ହେଲା ସେଥିରେ କଂଗ୍ରେସ ଦଳ ବିପୁଳ ବିଜୟ ହାସଲ କରି ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱହରେ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ପୁଣି ୧୯୮୫ ମସିହାରେ ଯେଉଁ ନବମ ସାଧାରଣ ନିର୍ବାଚନ ହେଲା ସେଥିରେ ମଧ୍ୟ କଂଗ୍ରେସ ଦଳ ପୂର୍ବ ନିର୍ବାଚନ ପରି ବିଜୟ ହାସଲ କରି ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ତେଣୁ କଂଗ୍ରେସ ମନ୍ତ୍ରୀମଣ୍ଡଳ ୧୯୮୦ ଜୁନ୍ ମାସ ଠାରୁ ୧୯୯୦ ଫେବୃଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ କାଳ ସ୍ଥାୟୀ ହୋଇଥିଲା ଓ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏତେ ଦୀର୍ଘକାଳ ଧରି କୌଣସି ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରି ନଥିଲେ । ଏହା ପୂର୍ବରୁ ନବକୃଷ୍ଣ ଚୌଧୁରୀ ସାଢ଼େ ୬ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଏହି ଦଶବର୍ଷ ଭିତରେ ଓଡ଼ିଶାର ଦୁଇଟି ବୃହତ୍ କେନ୍ଦ୍ର ଶିଳ୍ପସଂସ୍ଥା ଆଲୁମିନିୟମ୍ ଶିଳ୍ପ କାରଖାନା ଓ ପାରାଦ୍ୱୀପ ଫସଫେଟସ୍ ସାର କାରଖାନାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଥିରୁ ଉତ୍ପାଦନ ଆରମ୍ଭ ହୋଇଥିଲା । ଏହି ଦୁଇଟି ଜାତୀୟ କରଣ କେନ୍ଦ୍ର ଶିଳ୍ପ ସଂସ୍ଥା ଜାତୀୟ ସ୍ତରରେ ଉତ୍ପାଦନ କ୍ଷେତ୍ରରେ ଏବେ ମଧ୍ୟ ଅଗ୍ରଣୀ ହୋଇ ରହିଛନ୍ତି । ଏହାଛଡ଼ା ଏହା ସମୟରେ ଦ୍ରୁତ ଶିଳ୍ପ ପ୍ରସାର ପାଇଁ ଉଦ୍ୟମ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ଏହି ସମୟ ଭିତରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ଯେପରି ବିଳମ୍ୱ ନ ହୁଏ ସେଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି କରିବା ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯାଇଥିଲା । ଗ୍ରାମାଞ୍ଚଳର ଗରିବ ଓ ବେକାରମାନଙ୍କୁ କାମ ଯୋଗାଇ ଦେବା ଓ ଥଇଥାନ କରିବା ପାଇଁ ଆଇ.ଆର୍.ଡି.ପି. ଓ ଜବାହାର ରୋଜଗାର ଯୋଜନା କେନ୍ଦ୍ର ସରକାରଙ୍କ ସହାୟତାରେ କାର୍ଯ୍ୟକାରୀ ହୋଇଥିଲା ଓ ଶିକ୍ଷିତ ବେକାର ଯୁବକମାନଙ୍କୁ କ୍ଷୁଦ୍ର ଶିଳ୍ପ ଓ କୃଷିଭିତ୍ତିକ ଶିଳ୍ପ ଯୋଗାଇ ଦେବା ପାଇଁ ଆଉ ଏକ ପରିକଳ୍ପନା କାର୍ଯ୍ୟକାରୀ କରାଯାଇଥିଲା ।
ଏହି ମନ୍ତ୍ରୀମଣ୍ଡଳର ପ୍ରଥମ ଭାଗରେ ୧୯୮୦ ଠାରୁ ୧୯୮୩ ମସିହା ପର୍ଯ୍ୟନ୍ତ ଓଡ଼ିଶାର ବହୁ ଅଞ୍ଚଳରେ ବନ୍ୟା, ମରୁଡ଼ି ଓ ବାତ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଥିବା ଯୋଗୁଁ ଓଡ଼ିଶାର ବହୁ ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ପାଞ୍ଚମାସ ଧରି ଶତକଡ଼ା ୫୦ ଭାଗ ପର୍ଯ୍ୟନ୍ତ ବିଦୁ୍ୟତ୍ ଶକ୍ତି ଯୋଗାଣ କମାଇ ଦିଆଯିବାରୁ ଶିଳ୍ପ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ମନ୍ତ୍ରୀମଣ୍ଡଳର ଶେଷଭାଗରେ ଓଡ଼ିଶା ବିଧାନସଭାର ଶାସକ ଦଳର ୭୧ ଜଣ ସଭ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ପରିବର୍ତ୍ତନ କରିବା ପାଇଁ କଂଗ୍ରେସ ଉଚ୍ଚ କର୍ମକର୍ତ୍ତାଙ୍କୁ ଜଣାଇଥିଲେ ଏବଂ ଶେଷ ପର୍ଯ୍ୟନ୍ତ ସେମାନେ ଏହି ଦାବିରେ ଦୃଢ଼ ରହି ଏ ସମ୍ପର୍କରେ ଦିଲ୍ଲୀକୁ ଯାଇ କଥାବାର୍ତ୍ତା କରିଥିଲେ ।
ଏହି ପରିପ୍ରେକ୍ଷୀରେ ୧୯୯୦ ମସିହା ଫେବୃଆରୀ ମାସରେ ଓଡ଼ିଆ ବିଧାନସଭା ପାଇଁ ଦଶମ ସାଧାରଣ ନିର୍ବାଚନ ହେଲା । ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନେତୃତ୍ୱ ପରିବର୍ତ୍ତନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗୋଷ୍ଠୀ ଓ ପ୍ରଦେଶ କଂଗ୍ରେସ ଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ ହୋଇ ନିର୍ବାଚନ ପ୍ରତିଦ୍ୱନ୍ଦିତା କଲେ ଏବଂ ନିର୍ବାଚନବେଳେ ମଧ୍ୟ ଉଭୟ ଗୋଷ୍ଠୀ ଭିତରେ ସଂଘର୍ଷ ଲାଗି ରହିଥିଲା । ଏହାଛଡ଼ା ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧିଙ୍କ ବିରୁଦ୍ଧରେ ବୋଫରସ୍ ଦୁର୍ନୀତି ଅଭିଯୋଗ ଲୋକଙ୍କୁ ପ୍ରଭାବିତ କରିଥିଲା । ଫଳରେ ଏହି ନିର୍ବାଚନରେ କଂଗ୍ରେସ ଦଳ ଶୋଚନୀୟ ଭାବରେ ପରାଜିତ ହେଲା ।