ଗଳ୍ପ

ବିଶ୍ୱାସର ବସୁନ୍ଧରା

Laxmidhara Nayak's odia story Bishwaasara Basundharaa

ଯାହାଙ୍କୁ ଜାଣିବାକୁ ମୁନିଋଷି ବି ସମର୍ଥ ହୋଇନାହାନ୍ତି, ତାଙ୍କ ସମ୍ପର୍କରେ ମଣିଷ ଛାର, ଜାଣିପାରିଛି ବୋଲି ଦମ୍ଭ ଧରିବା ଠିକ୍ ନୁହେଁ । ସେ ରାଗିବେ ତ. . . ଯାହା ଦେଇଛନ୍ତି, ମୁହୂର୍ତ୍ତକରେ ତାକୁ ନେଇଯିବାରେ କିଏ ବାଧା ଦେଇପାରିବ ।

ବିଶ୍ୱାସର ବସୁନ୍ଧରା

ଲୀନା ପଚାରୁଥାଏ ସୁଧାଦେବୀଙ୍କୁ- “କହିଲ ବୋଉ ! ନିଜକୁ ପରିପୂର୍ଣ୍ଣା ରମଣୀଟିଏ ବୋଲି ଭାବିଲ କେବେଠୁ ? ତୁମ ପୁଅକୁ ଗର୍ଭରେ ସାଇତିଲା ପରେ . . . ନା, ତାଙ୍କୁ ଜନ୍ମ ଦେଲା ପରଠୁ. . . କିମ୍ୱା, ସେ ତୁମକୁ ବୋଉ ଡାକିଲା ସମୟରେ ?”

ଶାଶୂ ସୁଧାଦେବୀ ଫିଲୋସଫିର୍ ରିଟାୟାର୍ଡ ଅଧ୍ୟାପିକା ତ. . . ବୋହୂ ଲୀନା ଜୀବବିଜ୍ଞାନ । ଚାକିରୀରେ ଥାଇ, ମାଟର୍ନିଟି ଲିଭ୍‌ରେ ଅଛି । ଆଡ଼ଭାନ୍ସ ଷ୍ଟେଜ୍ । ଆଉ ଚାରିଛଅ ଦିନର ସମସ୍ୟା ।

ଲୀନା ନିଜ ପଲଙ୍କରେ ଶୋଇ, କେତେ କ’ଣ ଭାବୁଭାବୁ ଏମିତି ପ୍ରଶ୍ନ ପଚାରୁଛି ଶାଶୂଙ୍କୁ- ଜାଣିବାକୁ. . . ନାରୀ କେତେବେଳେ ପରିପୂର୍ଣ୍ଣା ହୁଏ । ହାତଗଣ୍ଠି ପଡ଼ିଲା ସମୟରୁ. . . ନା, କୁମାରୀତ୍ୱ ଅର୍ପଣ କଲାବେଳେ- ଇହକାଳ ପରକାଳର ସ୍ୱାମୀ ଦେବତାଙ୍କୁ ।

ସୁଧାଦେବୀ ରାଧାଦାମୋଦରଙ୍କ ବିମାନ ଆଗରେ ବସି, ସପ୍ତଆଳତିରେ କର୍ପୂର ଭରୁଛନ୍ତି- ପାଖ ବଖରାର ଠାକୁର ଘରେ । ତଲ୍ଲୀନା ଥାଆନ୍ତି- ପୂଜା ଆରାଧନାର କୋମଳ ସନ୍ଧ୍ୟାରେ । ତାଙ୍କୁ ଶୁଭୁନଥାଏ- ବୋହୂର ପ୍ରଶ୍ନ । ଏଣେ, ଲୀଳାର ବ୍ୟଗ୍ରତା ବି ତାକୁ ସଚେତନ କରୁନଥାଏ. . . ଏଇଟା ଶାଶୂଙ୍କ ପୂଜାର ବେଳ ।

ବିବାହର ଚଉଦବର୍ଷ ପରେ, ପ୍ରଥମ ଗର୍ଭ ଲୀନାର ।

ସୁଧାଦେବୀ ଭାବୁଛନ୍ତି- ଗର୍ଭର ସନ୍ତାନ ତ. . . ତାଙ୍କ ରାଧାଦାମୋଦରଙ୍କ ଭିତରୁ କେହି । ତାଙ୍କରି ପାଦ ପାଖରେ ମୁଣ୍ଡ କୋଡ଼ିକୋଡ଼ି, ଅଶ୍ରୁ ଢାଳି, ପ୍ରାର୍ଥନା କରିଆସିଛନ୍ତି ସେ – ପ୍ରଭୁ ହେ ! ବୋହୂଟା ପିଲାଲୋକ । ବିଜ୍ଞାନର ଅଧ୍ୟାପିକା । ଡାର୍ଉଇନ୍‌ଙ୍କ ବିବର୍ତ୍ତନବାଦରେ ତା’ର ବିଶ୍ୱାସ । ଏହିପାଇଁ ସେ ଡାକ୍ତରୀ ଚିକିତ୍ସାରେ ଚଉଦବର୍ଷ କାଳ ରହିଲା । ଫଳ ନ ଫଳିଲାରୁ ସିନା, ଆଜି ଝାଉଁଳା ଲତାର ଅବସ୍ଥାରେ. . . ସେ ତୁମକୁ ଆଶ୍ରା କରି, ଫଳ ଧରିଛି । ସଂସାରର ସବୁ ଘଟୁଛି ଜୈବିକ କ୍ରିୟାରୁ. . . ଏପରି ଧାରଣା ତା’ଠାରୁ ଘୁଞ୍ଚିଯିବାରୁ ସିନା, ତୁମ ଦୁହିଁଙ୍କୁ ଆଶ୍ରା କଲା ।

ବାଳୁତ କାଳୁ ବିଶ୍ୱାସ ରଖିନି ବୋଲି, ତାକୁ କ୍ଷମା କରି ଦିଅ ମୋ ରାଧାଦାମୋଦର । ଯେଉଁ କଷି ଧରେଇଛ, ତାକୁ ନିର୍ବିଘ୍ନରେ ଡେମ୍ଫରୁ ତୋଳି ଆଣି, ଲୀନା କୋଳରେ ଧରାଇ ଦିଅ ପ୍ରଭୁ । ବଂଶ ରକ୍ଷା କର । ବଂଶର କେହି ନ ରହିଲେ, କିଏ ଏଠି ତୁମର ପୂଜା କରିବ ? ଶଙ୍ଖ ଫୁଙ୍କିବ । ଆଳତି କିଏ କରିବ ? ଏଠି ତୁମେ ଅପୂଜା ରହିଯିବ ଯେ ଠାକୁରେ । ଅଳି ପୂର୍ଣ୍ଣକର ମୋ ଯୁଗଳଦେବତା ।

ଲୁହ ଝରାଇ, ଏମିତି ପ୍ରାର୍ଥନା କରିଚାଲିଛନ୍ତି ସୁଧାଦେବୀ । ଏବେ ଲୀନା ଆସନ୍ନ ପ୍ରସବା । ପୂଜା ଆରାଧନାରେ ଆହୁରି ତଲ୍ଲୀନତା ବଢ଼ିଯାଇଛି । ସୁଧାଦେବୀଙ୍କର ମଗ୍ନତା ଏପରି ଯେ. . . ପାଖ ବଖରାରୁ ଲୀନା କିଛି ପଚାରୁଛି, ସେ ଶୁଣିପାରୁ ନାହାନ୍ତି ।

ପୁଅ ପ୍ରଣୟ. . . ଗାଇନିକ୍ ସ୍ପେସିଆଲିଷ୍ଟ୍ ।

ତାକୁ ସେ ମନା କରି କହିଛନ୍ତି- ଗର୍ଭ ପରୀକ୍ଷା କରି କହିବ ନାହିଁ- ରାଧା ଆସୁଛି କି, ଦାମୋଦର । ଯିଏ ବି ଆସୁ, ତା’ ଯୋଗୁଁ ବଂଶରକ୍ଷା ହେଉ । ଯାହାଙ୍କୁ ଜାଣିବାକୁ ମୁନିଋଷି ବି ସମର୍ଥ ହୋଇନାହାନ୍ତି, ତାଙ୍କ ସମ୍ପର୍କରେ ମଣିଷ ଛାର, ଜାଣିପାରିଛି ବୋଲି ଦମ୍ଭ ଧରିବା ଠିକ୍ ନୁହେଁ । ସେ ରାଗିବେ ତ. . . ଯାହା ଦେଇଛନ୍ତି, ମୁହୂର୍ତ୍ତକରେ ତାକୁ ନେଇଯିବାରେ କିଏ ବାଧା ଦେଇପାରିବ । ଯିଏ ସୃଷ୍ଟି କରୁଛନ୍ତି, ଧ୍ୱଂସ ତାଙ୍କ ପାଇଁ କିବା କଥା । ତାଙ୍କ କାମ ପାଇଁ ତାଙ୍କରି ଆଶିଷ ଲୋଡ଼ା ତ ।

ସୁଧାଦେବୀଙ୍କର ବିଶ୍ୱାସ ଏପରି ।

ପୂଜାଘର ପାଖ ବଖରାରେ ଲୀନା ଶୋଇଛି ପଲଙ୍କ ଶେଯରେ । ଗୋଡ଼ପାଖ ବଡ଼ ଦର୍ପଣଟିରେ ତା’ର ସାରା ଶରୀର ଭିତରୁ, ଫୁଲିଲା ପେଟଟି ବିଶେଷ ଭାବରେ ଆକର୍ଷିତ କରୁଛି ତାକୁ । ଯେମିତି. . . ଗର୍ଭ ମଧ୍ୟରୁ ହଜାରେ ବସନ୍ତର ସୁଗନ୍ଧଝରା ଫୁଲ ସବୁ ବାହାରି ଆସି, ମହକିତ କରୁଛନ୍ତି ତା’ର ମନ ହୃଦୟକୁ । ପେଟ ଭିତରେ ଟିକେ ବି ଖେଳିଗଲେ ତା’ ସନ୍ତାନ. . . ଚଉଦବର୍ଷ କାଳର ଅହରହ ତାତିଲା ଛାତିକୁ ସମଗ୍ର ଶରୀର ସହିତେ ସୁବାସିତ ଚନ୍ଦନ ଜଳରେ ସ୍ନାନ କରାଇ ଦେଉଚି କିଏ. . . ତାକୁ ଏମିତି ଲାଗୁଛି ।

ରାଧାଦାମୋଦର କି ? କେବଳ ରାଧା ନା, କେବଳ ଦାମୋଦର ?

ନାହିଁ ନ ଥିବା ଭକ୍ତି କି ଆନନ୍ଦ ତା’ଠି । ଛାତିରେ ଯେମିତି କି ଜାଗା ନାହିଁ. . . ସେ ସବୁ କ୍ଷଣକ୍ଷଣର ଅମାପ ଆନନ୍ଦଙ୍କୁ ଗୋଟାଇ ଗୋଟାଇ, ସାଇତି ରଖିବାକୁ ।

ଶାଶୂଙ୍କ ସନ୍ଧ୍ୟା ଆରାଧନା ଆଡ଼କୁ ତା’ର ନଜର ନାହିଁ । ନିଜ ଭାବନାରେ ମଗ୍ନା । ପଲଙ୍କରେ ଥାଇ ବଡ଼ ପାଟିରେ ପଚାରୁଛି- “ବୋଉ ! ଲତାଟା ଖରା ତାତିରେ ଶୁଖି ଶୁଖି ଝାଉଁଳି ଯାଉଥିଲା ବେଳେ, ଏ ଫୁଲର ବୋଝରେ ଚେଇଁ ଉଠିଲା କେମିତି ? ଲତାର ଆନନ୍ଦକୁ କ’ଣ ମାପି ହେବ ? କହିହେବ- ଏ ଆନନ୍ଦ କେମିତି, ନା, ଏ ଆନନ୍ଦକୁ ନିଜେ ଖାଲି ଅନୁଭବ କରୁଥିବ ଲତା. . . ବାଣ୍ଟିବନି ସମସ୍ତଙ୍କୁ । ନା. . . ସମସ୍ତେ ଲତାର ଏ ଆନନ୍ଦକୁ ନୀରବରେ ଉପଭୋଗ କରୁଥିବେ. . . ଲତାର ଅଜାଣତରେ । ପ୍ରକାଶ କରୁନଥିବେ ।”

ସୁଧାଦେବୀଙ୍କୁ କିଛି ଶୁଭୁନାହିଁ ।

ବାଁ ହାତ ମୁଠାରେ ପୂଜା ଘଣ୍ଟିଟିକୁ ଟିଣିଟିଣି କରି, ଡାହାଣ ହାତରେ ସପ୍ତ ଆଳତିର ସଧୀର ଶିଖାକୁ ଲହରାଇ ଲହରାଇ, ଓଁ ବ୍ରହ୍ମଙ୍କ ରୈଖିକ ରୂପ ଆଙ୍କୁଛନ୍ତି- ଶୂନ୍ୟରେ ଶୂନ୍ୟରେ । ରାଧାଦାମୋଦରଙ୍କୁ ସାଂକେତିକ ଅର୍ଦ୍ଧଚନ୍ଦ୍ର ଓ ତା’ର ଠିକ୍ ମଝିରେ ବିନ୍ଦୁଟିଏ ପରି ସ୍ଥାପନା କରି, ଶୂନରେ ଶୂନ୍ୟରେ ପ୍ରକୃତି ଓ ପରମଙ୍କୁ ଭକ୍ତି ଓ ପ୍ରୀତିରେ ରୂପ ଦେଉଛନ୍ତି. . . ସେହି ଅରୂପଙ୍କର ସ୍ୱରୂପ ଆଙ୍କି ଆଙ୍କି ।

ଓଁ ବ୍ରହ୍ମ ଓ ଚନ୍ଦ୍ରବିନ୍ଦୁଙ୍କ ମାର୍ମିକ ଭାବନାକୁ ହୃଦୟରେ ସାଇତି. . . ସୁଧାଦେବୀ ବାରମ୍ୱାର ସପ୍ତଆଳତିକୁ ତରଙ୍ଗାୟିତ କରିଚାଲିଛନ୍ତି ।

ତାଙ୍କ ପାଇଁ ତ ବିଭୋର ବେଳା ।

ଗୋଟିଏ ନିଶ୍ଚୁପ ପ୍ରାର୍ଥନା କେବଳ- ବିଚାରୀ ନିର୍ବୋଧା ଲୀନାକୁ ଉଦ୍ଧାର କରିଦିଅ ଯୁଗଳ ଦେବତା । ରୂପ ହେଇ, ଓହ୍ଲାଇ ଆସ. . . ସ୍ୱର ହେଇ, ଝରିଚାଲ ।

ଏଣେ ଲୀନା. . . ଆଇନାରେ ତା’ ପେଟ ଆଡ଼େ ଚାହିଁ ଚାହିଁ ଭାବୁଛି- ନାଁଟିଏ କ’ଣ ଦେବ. . . ତା’ ଗଳାମାଳିର ! ! ଏମିତି ନାଁଟିଏ ବାଛିବା ପାଇଁ ସେ ଶାଶୂଙ୍କୁ କହିବ, ଯାହା ପୁଅ ଓ ଝିଅର ନାଁକୁ ବୁଝାଉଥିବ । ଆସିନାହିଁ ନା ବାହାରକୁ, ଜାଣିହେଇନି- ପୁଅ କି, ଝିଅ ! ଯିଏ ଆସୁ ବି, ଆସିବା ଆଗରୁ ଗର୍ଭର ସନ୍ତାନ ପାଇଁ ନାଁଟିଏ ବାଛିବାରେ ଚମତ୍କାର ଆନନ୍ଦ ଥାଏ । ତା’ ପାଇଁ ଯେତେ ଯେତେ ସୁନ୍ଦର ଭାବନା କରାଯାଉଥାଏ. . . ସେମିତି ଗୁଣରେ ଓହ୍ଲାଇ ଆସେ ସେ ମା’ କୋଳକୁ ।

ପୂଜାଘରେ ସୁଧାଦେବୀ ଆଳତି କରୁ କରୁ, ଦୀପଜ୍ୟୋତି ବନ୍ଦନା କରୁଛନ୍ତି- ଲୀନା କାନରେ ବାଜିଲା ଏହି ଦୀପଜ୍ୟୋତିର ଭାବବିଭୋର ସ୍ୱର । କୌଣସି ମତେ, ସେ ନିଜ ଚେଷ୍ଟାରେ ଉଠିଆସିଲା ପୂଜାଘରକୁ । ତଳେ ବସିପାରୁନି ବୋଲି, ଚୌକିଟିରେ ବସି, ହାତ ଯୋଡ଼ିଲା । ଏ ଯାଏ ସୁଧାଦେବୀଙ୍କୁ ଜଣା ବି ଯାଇନି ଯେ. . . ଲୀନା ପହଞ୍ଚିଲାଣି ।

ଭକ୍ତିରସ ଭରିଗଲା ଲୀନା ଛାତିରେ । ତା’ର ମନ କହିଲା- ଚଉଦବର୍ଷ ଧରି, ଶାଶୂ ତାହାର ଅନେକ ଅଶ୍ରୁ ଝରାଇ ଚାଲିଛନ୍ତି- ରାଧାଦାମୋଦରଙ୍କ ଚରଣରେ । କେବଳ ତାରି କୋଳପୂରିବା ପାଇଁ । ସ୍ୱାମୀ ପ୍ରଣୟଙ୍କର ସମସ୍ତ ଡାକ୍ତରୀ ଚିକିତ୍ସା ବିଫଳ ହେଲା ପରେ, ସେ ବି ଶାଶୂଙ୍କ କଥାରେ, ହାତ ଟେକିଦେଲେ- ରାଧାଦାମୋଦରଙ୍କ ଉଦ୍ଦେଶ୍ୟରେ । ସବୁ ବଦଳିଗଲା । ଦୁଃଖ, ନିରାଶା ଓ ବିଫଳତା ଘୁଞ୍ଚିଗଲା । ଏସବୁ ତ କେବଳ ଶାଶୂଙ୍କ ପୂଜା ଆରାଧନା ଯୋଗୁଁ । ତାଙ୍କର ପୂଜାରେ ଭକ୍ତି ହିଁ ଭକ୍ତି କେବଳ. . . ନାତି କି ନାତୁଣୀଟିଏ ପାଇଁ ।

ସୁଧାଦେବୀ ଶାଶୂ. . . ନା, ମା’. . . ନା, ସଂସାରମଙ୍ଗଳ ମନାସୁଥିବା ଦେବୀ ଜଣେ ! !

ଏବେ ସୁଧାଦେବୀଙ୍କ ସହିତ ଲୀନା ଆବୃତ୍ତି କଲା- “ଓଁ. . . ପୂର୍ଣ୍ଣମିଦଃ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ. . . ।”

ଏହାପରେ ଶାଶୂବୋହୂ ଦୀପଜ୍ୟୋତିର ଆଭା ମଣ୍ଡଳରେ ପାପୁଲି ବୁଲାଇ, ତାହାର ସାତ୍ତ୍ୱିକ ଉଷ୍ମସ୍ପର୍ଶ ମୁହଁରେ ନେଲେ । ଲୀନାର ଅନ୍ତରାତ୍ମା ଭକ୍ତି ବିଭୋଗ ହୋଇଗଲା । ଭାବିଲା- ତା’ ମନରେ ଯେଉଁ ପବିତ୍ର ଭାବନା ଖେଳିଯାଉଛି ତାହା ଯୋଗୁଁ, ପେଟର ଛୁଆଟି ବି ବିଭୋର ହେଇଯାଉଥିବ । କାରଣ, ମା’ର କର୍ମ ଓ ଚିନ୍ତାର ପ୍ରତିଫଳନ, ଗର୍ଭର ସନ୍ତାନର ମାନସିକ ବିକାଶକୁ ପ୍ରଭାବିତ କରିଥାଏ ବୋଲି ସେ ପଢ଼ିଛି ।

ତା’ର ଇଚ୍ଛା ହେଉଥାଏ- ରାଧାଦାମୋଦରଙ୍କ ଯୁଗଳ ମୂର୍ତ୍ତିକୁ କୁଣ୍ଢାଇ ଧରି, ଏକାକାର ହେଇଯାଆନ୍ତା । ଅଲିଅଳୀ ଝିଅଟିର ଜିଦ୍ଦି ପୂରଣ ପରେ, ସେ ଯେମିତି ବାପାମା’ଙ୍କ ଛାତିରେ ଲୋଟିଯାଏ. . . ସେପରି କରନ୍ତା । କିନ୍ତୁ ପେଟ ଏତେ ଭାରି ଯେ. . . ଉଠିବାକୁ ବଳ ପାଉନାହିଁ । ହୃଦୟର ସହିତ, ସମଗ୍ର ଆତ୍ମନିବେଦନ ଭାବକୁ, ରାଧାଦାମୋଦରଙ୍କ ପାଦରେ ଅଜାଡ଼ି ଦେଲା ଲୀନା । ମନେ ମନେ କହିଲା- “ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ । ଦେହର ବାହାର, ଅଭ୍ୟନ୍ତର, ମନ ଓ ହୃଦୟ. . . ସବୁ ତ ତୁମର । ଯାହା ତୁମର ଇଚ୍ଛା ।”

ପୂଜାଘରେ ବିଭୋରା ଲୀନା କୁଳଦେବତାଙ୍କ ଆଗରେ ହାତଯୋଡ଼ି, ମୃଦୁ ମୃଦୁ ହସୁଥାଏ । ଚୁପ୍‌ଚୁପ୍ କହୁଥାଏ- “ବୈଶାଖର ଅସହ୍ୟ ତାତିକୁ ତୁମେ ଚେତନାର ମୃଦୁଳ ମଳୟରେ ଭିଜାଇ ଦେଲ ପ୍ରଭୁ । ଏତେ ବର୍ଷଯାଏ ପାଖରେ ପାଇ ମଧ୍ୟ . . . ତୁମର ମହତ୍ତ୍ୱ ବୁଝୁନଥିଲି ବୋଲି, ମୋର ପରୀକ୍ଷା ନେଉଥିଲ, ନାଇଁ । ଏବେ ଆଉ ଯିବି କୁଆଡ଼େ । ଯାହାକୁ ସାଇତିଛ ଏ ପେଟରେ, ମୋ ସହିତ ସେ ବି କେବେ ତୁମ ସେବାରୁ ଘୁଞ୍ଚିବ ନାହିଁ. . . ଏପରି ବିଶ୍ୱାସ ଭରି ରଖିଛି ମନରେ । ମା’ର ଶୁଭଚିନ୍ତା. . . ସନ୍ତାନଠି ରୂପପାଏ । ତା’ କର୍ମରୁ ଫୁଟିଉଠେ ।”

. . . ରାଧାଦାମୋଦର ! ତୁମେ ତ ଦୁଇଟି ଅଙ୍ଗରେ ଗୋଟିଏ ରୂପ !

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top