ଗଳ୍ପ

ମେଧାବିନୀ

Dr Ajit Kumar Tripathy's odia story Medhaabini

ସେଥିପାଇଁ ମୁଁ ମୋର ବର ଠିକ୍ କରି ଦେଇଛି । ସେ ଆମ ସ୍କୁଲ୍‌ରେ ମାଷ୍ଟ୍ର ଅଛି । ଆମର ଗାନ୍ଧର୍ବ ମତରେ ବେଲପାହାଡ଼ରେ ବାହାଘର ଚାରି ମାସ ହେଲା ହୋଇଯାଇଛି । ମୁଁ ଏବେ ମା’ ହେବାକୁ ଯାଉଛି । ଜଲଦି ମୋ ବାହାଘର ସେ ମାଷ୍ଟ୍ର ସାଥିରେ କରିଦେ । ନ ହେଲେ ମୁଁ ରେଜିଷ୍ଟ୍ରି ବାହାଘର କରିଦେବି ।

ମେଧାବିନୀ

-: ପୂର୍ବରୁ :-

ମୋ ବଡ଼ପୁଅ ପ୍ରସନ୍ନ ମିଶ୍ର ଏଇଠି ଡାକ୍ତର ଅଛି କୋଲ୍ ଇଣ୍ଡିଆ ଡାକ୍ତରଖାନାରେ । ମେଡ଼ିସିନ୍ ସ୍ପେସିଆଲିଷ୍ଟ୍ । ବେଲପାହାଡ଼ରେ ତା’ର ଭଲ ନାଁ । ଏଇ ବର୍ଷେ ମଧ୍ୟରେ ଜାଣିଗଲେଣି ସମସ୍ତେ । କହିଲୁ, ତୋ ବୋଉ କ’ଣ ତୋତେ ଜଣାଇଛି ? ଥରେ ଛାଡ଼ବାଡ଼ ହୋଇଗଲେ କିଏ କାହା ଖବର ରଖେ । ଆମ ପଡ଼ିଶାଘର ଝିଅଟିଏ ପଢେ଼ ତୁମ ସ୍କୁଲ୍‌ରେ । ସେ ତୋ ନାଁ କହିଲାରୁ ମୁଁ ଜାଣିଲି ତୁ ଅଛୁ ଏଇଠି ।

ସୁଜାତାର ପ୍ରଶ୍ନ- “ମଉସା କେମିତି ଅଛନ୍ତି ?”

: ଭଲ ଅଛନ୍ତି, ବ୍ରହ୍ମଗିରିରେ ତାଙ୍କର ଚାଲିଛି ଦି’ଟା ଲୁଗା ଦୋକାନ । ସାନପୁଅ ଏବେ ଦେଇଛି ଗୋଟିଏ ଇଲେକ୍ଟ୍ରିକାଲ୍ ସାମାନର ଦୋକାନ । ମୁଁ ପ୍ରାୟ ଥାଏ ଗାଁରେ । ଏବେ ବଡ଼ପୁଅ ଡାକିଥିଲା ପାଖକୁ । ଭାବିଥିଲି ବେଲପାହାଡ଼ ଆସି ପାଞ୍ଚ ଛଅ ମାସ ରହିଯିବି । ଏକୁଟିଆଟା ସେ ବେଳେବେଳେ ହଇରାଣ ହେଇଯାଉଛି । ଖାଇବା ପିଇବା ଠିକ୍ ରହୁନାହିଁ । ହେଲେ ମୋତେ ଫେରିଯିବାକୁ ପଡୁଛି ଆଜି ।

ମାଉସୀ, ତମର ଛୋଟ ଝିଅଟିଏ ଥିଲା ବୋଲି ମନେ ପଡୁଛି ମୋର । ମୋ’ଠୁ ବୋଧେ ଥିଲା ଦୁଇବର୍ଷ ଖଣ୍ଡେ ସାନ । ସେ ଏବେ କେଉଁଠି ? ଶୁଣିଥିଲି, ସେ କୁଆଡେ଼ ଖୁବ୍ ଭଲ ପାଠ ପଢୁଥିଲା ।

ସୁଧା ମାଉସୀ କହିଲା, “ଆଲୋ ତୋର ମନେ ପଡୁଛି ଏତେ ପିଲାଦିନର କଥା । ତାକୁ ତିନି ବର୍ଷ ବେଳେ ତୋତେ ପାଞ୍ଚ ବର୍ଷ । ସେତେବେଳେ ତମେ ସବୁ ଆସିଥିଲ ଗାଁରେ ଦଶପନ୍ଦର ଦିନ ରହିବାକୁ । ତୋ ବଡ଼ଭାଇର ଥିଲା ବ୍ରତଘର । ତମେ ଦିହେଁ ସେଇ କିଛି ଦିନ ଏକାଠି ଖେଳିଥିଲ । ତା’ପରେ ହୁଏତ କେହି କାହାରିକୁ ଦେଖିନାହଁ ।”

ହଁ ହଁ, ମୁଁ ପଚାରୁଛି ତାରି କଥା । ସୁଜାତା କହିଲା, “ତା ନାଁ ଥିଲା ନିବେଦିତା । ଡାକ ନାଁ କୁନି, ହଁ ନା ? ସେ କ’ଣ କରୁଛି ଏବେ ?”

ସେଇ କୁନି ପାଇଁ ତ ମୁଁ ଫେରି ଯାଉଛି ଗାଁକୁ । ସୁଧା ମାଉସୀ ଜଣାଗଲେ ସାମାନ୍ୟ ଚିନ୍ତିତ ହେଲା ଭଳି ।

କ’ଣ ହେଲା ? ତା’ର ବାହାଘର ଠିକ୍ ହୋଇଗଲା କି ? ପଚାରିଲା ସୁଜାତା ।

ସେ ଭାଗ୍ୟ ମୋର କେଉଁଠି ଅଛି ? ଝିଅଟା ପିଲାଦିନେ ଖୁବ୍ ଭଲ ପଢୁଥିଲା । ସବୁବେଳେ କ୍ଲାସ୍ରେ ହେଉଥିଲା ଫାଷ୍ଟ୍ । ୟୁ.ପି., ଏମ୍.ଇ., ମାଟ୍ରିକ୍ ସବୁଥିରେ ପାଇଲା ସ୍କଲାର୍ସିପ୍ । ମାଟ୍ରିକ୍‌ରେ ତ ପାଇଲା ନ୍ୟାସନାଲ୍ ସ୍କଲାର୍ସିପ୍ । ପ୍ଲସ୍ ଟୁ ସାଇନ୍ସ ପରୀକ୍ଷାରେ ହେଲା ଓଡ଼ିଶାରେ ପଞ୍ଚମ ।

ଏକା ଜିଦ୍ କଲା ପଢ଼ିବ ଇଞ୍ଜିନିୟରିଂ । ଆମର ଏଠି ଏତେ କଲେଜ୍ ଥାଉ ଥାଉ ସେ ଓଡ଼ିଶାରେ ନପଢ଼ି ପଢ଼ିଲା ଆନ୍ଧ୍ରର ୱାରଙ୍ଗଲ୍ ଏନ୍.ଆଇ.ଟି.ରେ । ମୁଁ ଶୁଣିଛି ଦେଶର ନମ୍ୱର ପାଞ୍ଚ ଏନ୍.ଆଇ.ଟି. ଭାବେ ତା’ର ନାମ ଅଛି ।

ସେଠି ଯାଇ ବହୁତ ସ୍ମାର୍ଟ ହୋଇଗଲା କୁନି । ଡିବେଟ୍ କମ୍ପିଟିସନ୍, ଟେନିସ୍, ଚେସ୍, ଡ୍ରାମା, ଡ୍ୟାନ୍ସ ସବୁଥିରେ କଲା ନାଁ । କପ୍, ପୁରସ୍କାର, ସାର୍ଟିଫିକେଟ୍ ଗଦା କରି ଆଣିଲା ଘରକୁ । ତା’ ବାପା କହିଲେ ମୋ ଝିଅ ରଖିବ ସାରା ଦେଶରେ ମୋ ନାଁ ।

ମୁଁ ମନା କରୁଛି, ଝିଅ ପିଲାଟାକୁ ଏତେ ମୁହଁ ଦିଅନାହିଁ । କ’ଣ ହେଲା ଭଲ ପଢ଼ିଲା ଯେ । ଆଜିକାଲି ସବୁ ପରୀକ୍ଷାରେ ତ ଝିଅ ଫାଷ୍ଟ୍ ହେଉଛନ୍ତି । ଏମିତି କ’ଣ ହେଲା ନୂଆ କଥା । ମୁଁ କହିଲି, ଓଡ଼ିଶାରେ ରାଉରକେଲା ବା ବୁର୍ଲାରେ ପଢ଼ିବାକୁ ବାଧ୍ୟ କର । ଏତେ ଦୂରକୁ ଛାଡ଼ନି । ମୋ କଥା କେହି ଶୁଣିଲେ ନାହିଁ ।

ସୁଜାତା କହିଲା- “ଆଜିକାଲି ତ ଅନେକ ଝିଅ ରାଜ୍ୟ ବାହାରେ ପଢୁଛନ୍ତି ଇଞ୍ଜନିୟରିଂ, ମେଡ଼ିକାଲ୍, ଏମ୍.ସି.ଏ., ବାୟୋଟେକ୍ନୋଲଜି, ଏମ୍.ବି.ଏ. । ଏକୁଟିଆ ଯିବା ଆସିବା । ତା’ପରେ ସେଠାରେ ବା ଅନ୍ୟ ରାଜ୍ୟରେ ଚାକିରୀ ମଧ୍ୟ କରୁଛନ୍ତି ବର୍ଷ ବର୍ଷ ଧରି ଆମ ରାଜ୍ୟରୁ ବହୁ ଦୂରରେ । ଅର୍ଜୁଛନ୍ତି ବହୁତ ପଇସା । ପ୍ଲେନ୍‌ରେ ଯିବା ଆସିବା କରୁଛନ୍ତି । ତୁମେ ଏତେ ବ୍ୟସ୍ତ କାହିଁକି ହେଉଛ ଯେ ?”

ଆଲୋ ଶୁଣୁ କ’ଣ ହେଲା । ଇଲେକ୍ଟ୍ରୋନିକ୍ସ ଟେଲି କମ୍ୟୁନିକେସନ୍‌ରେ ଇଞ୍ଜିନିୟରିଂ ପାଶ୍ କଲା ଫାଷ୍ଟକ୍ଲାସ୍ ଅନର୍ସ ସହ । ପରୀକ୍ଷା ସରିବା ପୂର୍ବରୁ କ୍ୟାମ୍ପସ୍ ରିକ୍ରୁଟ୍‌ମେଣ୍ଟ୍‌ରେ ପାଇଗଲା ସୋନି ଏରିକ୍ସନ୍ କମ୍ପାନୀରେ । ଶୁଣିଛି, ମଲ୍ଟି ନ୍ୟାସନାଲ୍ କମ୍ପାନୀ ଭିତରେ ତାଙ୍କର ଫିଲ୍ଡରେ ସେ ଗୋଟିଏ ବଡ଼ କମ୍ପାନୀ ।

ଚାକିରୀ ମିଳିଲା ତାକୁ ସିଙ୍ଗାପୁରରେ । ଝିଅର ଏକା ଜିଦ୍ ସେ ସିଙ୍ଗାପୁର ଯିବ । ମୁଁ ବହୁତ ମନା କରୁଥିଲି । ଏକୁଟିଆ ଝିଅଟାକୁ ବିଦେଶ ଛାଡ଼ିବି ନାହିଁ ।

ମୋ କଥା କେହି ଶୁଣିଲେ ନାହିଁ । ଝିଅ ସିଙ୍ଗାପୁର ଗଲା । ଆଲୋ ମାଆ, ସେଠି ଯାଇ ରହିଲା ଗୋଟିଏ ପଞ୍ଜାବୀ ଟୋକା ସାଙ୍ଗେ ।

ସେଇଟା କୁଆଡେ଼ ସେଇ ସୋନି କମ୍ପାନୀର ଇଞ୍ଜିନିୟର୍, ୟା’ଠୁ ଦି’ବର୍ଷ ସିନିୟର୍ । କଥା ନାହିଁ, ବାର୍ତ୍ତା ନାହିଁ । ଝିଅ ଆମ ଘରକୁ ଖବର ପଠାଇ ଦେଲା ସେ ତାକୁ ରେଜିଷ୍ଟ୍ରି ବାହା ହୋଇଯାଇଛି ।

ଦିହେଁ କୁଆଡେ଼ କଲେ ଖୁବ୍ ମଉଜ । ଦିହେଁ ମିଶି କମାଉଥିଲେ ତିନିଲକ୍ଷ ଟଙ୍କା ମାସକୁ । ଆମେ ଭାବିଲୁ ଗଲା ଚିନ୍ତା । ହେଲେ ଏ ମଜା ରହିଲା ନାହିଁ ବେଶୀଦିନ ।

ଆଲୋ ବାର ମାସ ଯାଇଛି ନା ନାହିଁ ସେ ଟୋକା ସୋନି କମ୍ପାନୀ ଚାକିରୀ ଛାଡ଼ି ଏକୁଟିଆ ପଳାଇଲା ଆମେରିକା । ମୋ ଝିଅକୁ ଲୁଚାଇ ଭିସା କାଗଜପତ୍ର ତିଆରି କରି ଆମେରିକାରେ ପ୍ରୋକ୍ଟର୍ ଏଣ୍ଡ୍ ଗ୍ୟାମ୍ୱଲ୍‌ରେ ପାଇଗଲା ଚାକିରୀ । ମୋ ଝିଅ ସାଙ୍ଗେ ସବୁ ସମ୍ପର୍କ କାଟି ଦେଇ ରେଜିଷ୍ଟ୍ରି ଡାକରେ ପଠାଇଦେଲା ଡାଇଭର୍ସ ନୋଟିସ୍ । ଝିଅ ପରେ ବୁଝିଲା ବେଳକୁ ତା’ର କୁଆଡେ଼ ଆମେରିକାରେ ଅଛି ଆଗରୁ ସ୍ତ୍ରୀଟାଏ । ପୁଅଟାଏ ଦେଢ଼ବର୍ଷର । ଏଠି ସିଙ୍ଗାପୁରରେ ରହିଲାବେଳେ ୟା’କୁ ବାହା ହୋଇ ପଡ଼ିଲା ଖାଲି ମଉଜ ପାଇଁ ।

ସେ ଟୋକା ପଞ୍ଜାବୀ । କିନ୍ତୁ ଭାରତୀୟ ନୁହେଁ । ସେ ଆମେରିକାନ୍ ସିଟିଜେନ୍ । ତା’ ନାଁରେ କୁନି ଭାରତକୋର୍ଟରେ କେଶ୍ ବି କରିପାରିବ ନାହିଁ । ସିଙ୍ଗାପୁରରେ ବି ନୁହେଁ ।

ସାନପୁଅ ମୋ ପାଖକୁ ଖବର ପଠାଇଛି, କୁନି ଆସି ଏବେ ଘରେ ହାଜର । ପେଟରେ ଦି’ମାସର ଗର୍ଭ । ମୁଁ ଯାଉଛି ତାକୁ ବୁଝାଶୁଝା କରିବା ପାଇଁ । ସାନପୁଅ ମୋତେ କହୁଛି-

– କୁନି ଆଗ ସେ ଚାକିରୀ ଛାଡ଼ି ଚାଲିଆସୁ । ଏଠି ଆମେ ତା’ ବାହା ହବା କଥା କାହାକୁ କହିବା ନାହିଁ । ପେଟ ସଫା କରିଦେଲେ କଥା ସରିଲା ।

ଏତେ ଭଲ ପଢ଼ି ଲାଭ କ’ଣ ହେଲା କହ ମା’ । ତମେ ଯଦି ମଣିଷ ଚିହ୍ନି ପାରିଲ ନାହିଁ । ପଇସାର ସୁଅରେ ଭାସିଗଲ । ସେ ନିଆଁରଡ଼ ପାଠରେ ଲାଭ କ’ଣ- ଏନ୍.ଆଇ.ଟି. ହେଉ ଆଇ.ଆଇ.ଟି. ହେଉ । ପଇସା ଅର୍ଜନର ମେସିନ୍ ସେମାନେ ତିଆରି କରୁଛନ୍ତି । ମଣିଷ ତିଆରି କରୁନାହାନ୍ତି ।

ସୁଧାମାଉସୀଙ୍କୁ ସୁଜାତା ବୁଝାଇବାକୁ ଯାଇ କହିଲା, “ମାଉସୀ, ଏ ସବୁ ତ ଇଞ୍ଜିନିୟରିଂ, ମେଡ଼ିକାଲ୍ ଆଉ ଏମ୍.ବି.ଏ. ଝିଅଙ୍କ ପାଇଁ ଆଜିକାଲି ନିହାତି ମାମୁଲି କଥା । ଆପଣଙ୍କ ଝିଅକୁ ସେ ଠକି ଦେଇ ବାହା ହୋଇଗଲା ସେଇଟା ଦୁଃଖର କଥା । କିନ୍ତୁ କିଏ ଜାଣୁଛି ସେ ବାହାଘର କଥା ଏଠି ?

ଏବେ ତ ଲିଭ୍-ଇନ୍ ରିଲେସନସିପ୍‌ରେ ଦୁଇତିନିଥର ଆବୋରସନ୍ ହେବା ସାଧାରଣ କଥା ହୋଇଗଲାଣି । ତା’ପରେ ବାହାଘର କୁଆଡେ଼ ଗାଧୋଇ ଯାଉଛି । ତେଣୁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ।” ସୁଜାତା ସୁଧା ମାଉସୀଙ୍କୁ ବୁଝାଇ କହିଲା ।

“କୁନିକୁ ମୁଁ ବୁଝାଇ ଦେବି । ସେ ଏତେ ଉଚ୍ଚଶିକ୍ଷିତା ଆଉ ମଡ଼ର୍ଣ୍ଣ । ଏଥିରେ ଆପଣଙ୍କୁ ବ୍ୟସ୍ତ କରୁଛି କାହିଁକି ? ସେ ଛୁଟି ଦୁଇମାସ ନେଇ ପେଟ ସଫା କରିଦେଉ । ଦୁଇମାସର ଗର୍ଭପାତରେ କିଛି ଅସୁବିଧା ନାହିଁ । ଆମେ ତା’ ମ୍ୟାରେଜ୍ ସାର୍ଟିଫିକେଟ୍ ଆଉ ଡାଇଭୋର୍ସ ନୋଟିସ୍ ଦେଖାଇଲେ କୌଣସି ଡାକ୍ତର ବି ଆବୋରସନ୍‌କୁ ମନା କରିବ ନାହିଁ । ଭଲ କ୍ଲିନିକ୍‌ରେ କରାଇବା । ପରେ ସିଙ୍ଗାପୁର ଯାଇ ସେଠି କମ୍ପାନୀକୁ ନୋଟିସ୍ ଦେଉ । ସୋନି କମ୍ପାନୀ ଚାକିରୀଟା ଛାଡ଼ି ଦେଉ । ସେ କମ୍ପାନୀରେ ଆଉ ତା’ର ଇଜ୍ଜତ ରହିବ ନାହିଁ । ଅନ୍ୟମାନେ ନାନା ସୁବିଧା ନେବାକୁ ଚେଷ୍ଟା କରିବେ ।

କୁନି ଏଠାକୁ ଚାଲିଆସୁ । ଆମର ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, କଲିକତା, ପୁଣେ, ଅହମଦାବାଦ୍, ଭୁବନେଶ୍ୱରରେ ଚାକିରୀ ଯାହାକୁ ଯେତେ । ଭଲ ହେଲା, ଆପଣ ଘରକୁ ଯାଉଛନ୍ତି । କାହାରିକୁ କିଛି କହିବେ ନାହିଁ । ମଉସା ଓ ସାନପୁଅକୁ ମଧ୍ୟ କୁହନ୍ତୁ ସେମାନେ ମୁହଁ ଚୁପ୍ ରଖିବେ । ଏଥିରେ ନର୍ଭସ୍ ହୋଇ ଘରକୁ ପଳାଇ ଆସିବା ବୋଧେ ଅନ୍ୟ ରାଜ୍ୟର ଝିଅ କେହି କରିନଥାନ୍ତେ । ଅନ୍ୟ ଆଡେ଼ ତ ଲିଭ୍-ଇନ୍, ଦି’ମାସିଆ ବାହାଘର, ଚାରି ମାସିଆ ଡାଇଭର୍ସ, ଆବୋରସନ୍ ଏସବୁ ଚୁଡ଼ାଭଜା ଖାଇଲା ଭଳି ହେଲାଣି ।”

ଏମିତି ଗପୁଗପୁ ରାତି ସାତଟା ବାଜିଲା । ବାଟରେ କେତେ ଯାଗାରେ ବସ୍ ରହିଲା- କିଏ ଓହ୍ଲାଇଲେ, କିଏ ଚଢ଼ିଲେ ଏମାନଙ୍କୁ ଖବର ନାହିଁ । ବ୍ରହ୍ମଗିରି ବସ୍‌ଷ୍ଟାଣ୍ଡ ଆସିଗଲା ।

ସୁଜାତା ପହଞ୍ଚିଲା ଘରେ । ବୋଉକୁ ଆଗ ମାରିଲା ମୁଣ୍ଡିଆ । ତା’ପରେ ବାପାଙ୍କୁ । ବୋଉ ଅତି ଖୁସିରେ ତାକୁ କୁଣ୍ଢାଇ ଗେଲ କଲେ । ସୁଜାତା ବୋଉ ପାଖରେ ରାତି ଭୋଜନ ପରେ ଯାଇ ଗେହ୍ଲେଇ ହୋଇ ଶୋଇ ଆରମ୍ଭ କଲା ଗପ ।

ବୋଉ, ମନେଅଛି ପିଲାଦିନେ ମୋ ସାଙ୍ଗରେ ପଢୁଥିଲା ଅର୍ଚ୍ଚନା ମିଶ୍ର । ଏସ୍.ପି.ଙ୍କ ଝିଅ । ବହୁତ ଭଲ ପାଠ ପଢୁଥିଲା । ତୁ ସବୁବେଳେ ମୋତେ ଗାଳି ଦେଇ କହୁଥିଲୁ ମୁଁ ତା’ ଚାକରାଣୀ ସାଙ୍ଗେ ସରି ହେବିନାହିଁ । ସେ ପଢ଼ିଲା ଡାକ୍ତରୀ । ସବୁ ଟୋକାଙ୍କ ସଙ୍ଗେ ଏତେ ମିଶିଲା ଯେ ଏମ୍.ବି.ବି.ଏସ୍. ପାଶ୍ କଲାବେଳକୁ ତା’ର ହେଲାଣି ଦୁଇଥର ଆବୋରସନ୍ । ହାଉସମ୍ୟାନ୍‌ସିପ୍ ବେଳେ ଆଉ ଥରେ । ତା’ର ଯାହା ଖ୍ୟାତି ହେଲାଣି ତାକୁ ଭଲ ବର ମିଳିବେ କି ନାହିଁ କେଜାଣି । ସୁନ୍ଦରୀ ବୋଲି ଭାରି ଗର୍ବ ଥିଲା ତା’ର । ଏବେ ହୋଇଛି କଣ୍ଟା ଭଳି ଚେହେରା । ଶେଥା ପଡ଼ିଗଲାଣି ।

ତୋର ବନ୍ଦନା ମହାନ୍ତି କଥା ମନେଅଛି । ଚିଫ୍ ଇଞ୍ଜିନିୟରଙ୍କ ଝିଅ । ଆମ ଘରକୁ ସେ ଆସୁଥିଲା ଅନେକଥର । ସବୁଠୁ ଭଲ ଛାତ୍ରୀ ବୋଲି ସବୁ ପୁରସ୍କାର ସ୍କୁଲ୍‌ରେ ନଉଥିଲା ସେ । ଇଞ୍ଜିନିୟରିଂ ପଢ଼ିଲା ବାଙ୍ଗାଲୋର୍‌ରେ । ତା’ପରେ କଲା ଏମ୍.ଟେକ୍. । ଏବେ ସେଇଠି ଚାକିରୀ କରୁଛି । ଯେତେ ବାହାଘର ପ୍ରସ୍ତାବ ତାକୁ ବାପା ମା’ ଦେଲେ ସବୁ ମନା କରିଦେଲା ।

ଏବେ ଖବର ଆସିଛି ସେ କୁଆଡେ଼ ଗୋଟେ କମ୍ପାନୀରେ ଚାକିରୀ କରୁଛି ମାସକୁ ଅଶୀହଜାର ଟଙ୍କାରେ । ରହୁଛି ବର୍ଷେ ହେଲାଣି ଗୋଟିଏ ମୁସଲମାନ୍‌ ଅଟୋରିକ୍ସା ଡ୍ରାଇଭର୍ ସଙ୍ଗେ । ଏବେ ବାପା ମା’ଙ୍କୁ ଚିଠି ଲେଖି ଦେଇଛି । ସେ ତାକୁ ବାହା ହେବ । ସେ ଅଟୋ ଡ୍ରାଇଭର୍‌ର ଆଗରୁ ଅଛି ଆଉ ଗୋଟିଏ ସ୍ତ୍ରୀ । ଆମ ବନ୍ଦନା ଏବେ ହୁସ୍ନାରା ବେଗମ୍ ହୋଇଯାଇଛି ଇସ୍ଲାମ୍ ଧର୍ମ ଗ୍ରହଣ କରି । ଇସଲାମ୍‌ରେ ଜଣେ ମରଦ କୁଆଡେ଼ ଚାରିଟା ଯାଏ ବାହା ହେଇ ପାରିବେ ।

ଆଉ ଜଣକ କଥା ଶୁଣ । ତୁ ତାକୁ ଚିହ୍ନିନୁ । ସେ ଥିଲା ସିନିୟର୍ ଆଡ଼ଭୋକେଟ୍ ରମେଶ ଦଣ୍ଡପାଟଙ୍କ ଝିଅ । ଏଠି ଏମ୍.କମ୍.ରେ ଗୋଲ୍ଡ ମେଡ଼ାଲ୍ ପାଇଲା ପରେ ଏମ୍.ବି.ଏ. କରିବାକୁ ଯାଇଥିଲା ଦିଲ୍ଲୀ । ବର୍ଷକୁ ବାରଲକ୍ଷ ଟଙ୍କା ଖର୍ଚ୍ଚ କରି ତା’ ବାପା ତାକୁ ଦୁଇବର୍ଷ ବିଦେଶୀ ବିଶ୍ୱବିଦ୍ୟାଳୟରେ ଏମ୍.ବି.ଏ. ପଢ଼ାଇଲେ ।

ଦିଲ୍ଲୀରେ କ’ଣ ବଡ଼ ଚାକିରୀଟାଏ ପାଇଲା ବୋଲି ତା’ ବାପା ସମସ୍ତଙ୍କୁ କହିଲେ । ତିନିବର୍ଷ ହେଲାଣି ସେ ଦିଲ୍ଲୀରେ ଅଛି । ଘରକୁ ଆସିନାହିଁ । ଆମର ଜଣେ ସାଙ୍ଗ ତାକୁ ଦିଲ୍ଲୀରେ ଦେଖି ବୁଝାବୁଝି କଲାବେଳକୁ ସିଏ ନା ଏମ୍.ବି.ଏ. ପାଶ୍ କରିଛି ନା ଚାକିରୀ କରୁଛି । ପଢୁପଢୁ ହୋଟେଲ୍‌ରେ, କ୍ଲବ୍‌ରେ ଅଏସ୍ କରି କରି ମଦ ପିଇ ନଷ୍ଟ କଲା ସମୟ । ଏବେ ଦିଲ୍ଲୀରେ ସେ କ’ଣ କରୁଛି ଜାଣିଚୁ ? ସେ ହୋଇଛି ହାଇସୋସାଇଟି କଲ୍‌ଗାର୍ଲ । ମାସକୁ ଛଅ ସାତଥର କଲ୍‌ରେ ଯାଇ ସାତ ଆଠ ଲକ୍ଷ ଟଙ୍କା କମଉଛି ।

ତା’ର ଦି’ଟା କାର୍ ଓ ଆଉ ନିଜର ବଡ଼ ଫ୍ଲାଟ୍ ଅଛି । ଆମ ରାଜ୍ୟରେ ସମସ୍ତେ ଜାଣୁଛନ୍ତି ସେ ଦିଲ୍ଲୀରେ କେଉଁ ଗୋଟାଏ ବଡ଼ ଫାର୍ମରେ ଚାକିରୀ କରୁଛି ।

ତା’ ବାପା କହୁଛନ୍ତି, ତା’ ପାଇଁ ତା’ ଠାରୁ ବେଶୀ ପଇସା ପାଉଥିବା ଯୋଗ୍ୟବର ମିଳୁନାହାନ୍ତି । ପ୍ରକୃତରେ ସେ ତିନିପାଞ୍ଜିରୁ ଗଲାଣି ।

ବୋଉକୁ ଶୋଇ ପଡ଼ିବାର ଦେଖିଲା ସୁଜାତା ।

ତୁ ଶୋଇପଡ଼ନି ବୋଉ । ମୋ କଥା ଶୁଣ୍ । ତୁ ତ ମୋ ପାଇଁ ବାହାଘର ଠିକ୍ କଲୁ ନାହିଁ । ମୁଁ ଦିନକୁ ଦିନ ଅସୁନ୍ଦରୀ ହୋଇଯାଉଛି । ମୁଁ ତ ଏଇ ମାଷ୍ଟ୍ରାଣୀ ଚାକିରୀରେ ବୁଢ଼ୀ ହୋଇଯିବି । ମତେ ଆଉ କିଏ ବାହାହେବ ଯେ । ସେଥିପାଇଁ ମୁଁ ମୋର ବର ଠିକ୍ କରି ଦେଇଛି । ସେ ଆମ ସ୍କୁଲ୍‌ରେ ମାଷ୍ଟ୍ର ଅଛି । ଆମର ଗାନ୍ଧର୍ବ ମତରେ ବେଲପାହାଡ଼ରେ ବାହାଘର ଚାରି ମାସ ହେଲା ହୋଇଯାଇଛି । ମୁଁ ଏବେ ମା’ ହେବାକୁ ଯାଉଛି । ଜଲଦି ମୋ ବାହାଘର ସେ ମାଷ୍ଟ୍ର ସାଥିରେ କରିଦେ । ନ ହେଲେ ମୁଁ ରେଜିଷ୍ଟ୍ରି ବାହାଘର କରିଦେବି । ଘରକୁ ଆଉ ଆସିବି ନାହିଁ ।

ନିଦ ଚାଉଁକିନା ଭାଙ୍ଗିଗଲା ବୋଉଙ୍କର । ବୋଉ ପାଟିକରି ଉଠିଲେ । ଆଲୋ ତୁ କ’ଣ କଲୁଲୋ । କହି ସେ ହଠାତ୍ ମୂର୍ଚ୍ଛା ହୋଇଗଲା । ସୁଜାତା ଆଦୌ ଭାବିନଥିଲା ଯେ ଏ ସମ୍ୱାଦରେ ବୋଉ ଏତେ ରିଆକ୍ଟ କରିବେ । ସେଥିପାଇଁ ଆଗରୁ ତିନିଟା ଝିଅଙ୍କର ଦଶା ଦୁର୍ଦ୍ଦଶା କଥା କହି ତାଙ୍କ ମନକୁ ପ୍ରସ୍ତୁତ କରିଥିଲା । କିନ୍ତୁ ନିଜ ଝିଅ କଥା ଶୁଣିଲା ବେଳକୁ ମା’ ମନ ବୋଧେ ଧୈର୍ଯ୍ୟ ରଖିପାରିଲା ନାହିଁ । ସୁଜାତା ବାପାଙ୍କୁ ଓ ଭାଇଙ୍କୁ ଖବର ଦେଲା । ସମସ୍ତେ ଦଉଡ଼ି ଆସିଲେ । ମୁହଁରେ ପାଣି ଛାଟି ଅଧଘଣ୍ଟା ପରେ ବୋଉର ଚେତା ଆସିଲା ସମସ୍ତଙ୍କ ମିଳିତ ଚେଷ୍ଟାରେ ।

ଯେମିତି ଚେତା ଆସିଲା ବୋଉ ଆରମ୍ଭ କରିଦେଲା ଡକାପାରି କାନ୍ଦିବା ।

ସୁଜାତା କହିଲା ବୋଉ- “ଏ ଡ୍ରାମା ବନ୍ଦକର । ମୁଁ ତୋତେ କେବଳ ଥଟ୍ଟାରେ ଚିଡେ଼ଇବାକୁ କହିଲା ବେଳକୁ ତୁ ସତରେ ବିଶ୍ୱାସ କରିଗଲୁ । ତିନି ପର ଘର ଝିଅଙ୍କ କଥା ଯାହା ଶୁଣିଲୁ ସେ ସବୁ ସତ । ତୁ ଶେଷକୁ ମୋ କଥା ବି ସତ ମଣିଲୁ ।

ମୋ କଥା ସମ୍ପୂର୍ଣ୍ଣ ମିଛ । ତୋ ନିଜ ଝିଅ ଉପରେ କେତେ ବିଶ୍ୱାସ ଓ ଆସ୍ଥା ଅଛି ମୁଁ ପରୀକ୍ଷା କରି ଦେଖୁଥିଲି । ତୋ ଝିଅ ଆଇ.ଆଇ.ଟି., ଏନ୍.ଆଇ.ଟି., ମେଡ଼ିକାଲ୍ ବା ମ୍ୟାନେଜମେଣ୍ଟ୍ ପଢ଼ି ନାହିଁ ସିନା ସେ କିନ୍ତୁ ନିଜ ଚରିତ୍ରକୁ ଠିକ୍ ରଖିଛି । କୌଣସି ଦାଗ ଲାଗିବାକୁ ସେ ଦେଇନାହିଁ ନିଜଠାରେ । କେବେ ଦେବ ନାହିଁ ମଧ୍ୟ । ଘରୁ ବାହାରେ ପଢ଼ି, ଚାକିରୀ କରି, ଅଜସ୍ର ପଇସା କମାଇ ହୋଟେଲ୍‌ରେ , କ୍ଲବ୍‌ରେ ନାଚି, ମଦପିଇ ଅନେକ ଅତ୍ୟନ୍ତ ମେଧାବିନୀ ଝିଅ ନିଜ ଚରିତ୍ରକୁ ନିର୍ମଳ ରଖି ପାରୁନାହାନ୍ତି । ଏ କଥା ତୋତେ ଜଣାଇ ଦେବା ମୋର ଉଦ୍ଦେଶ୍ୟ ଥିଲା । ଭାବିଲି ଟିକିଏ ମଜା କରିଦେବା । ତୁ ବୋକୀ ଏକବାରେ ଫ୍ଲାଟ୍ ।

ମୋ ସୁନା ବୋଉଲୋ, ମୋ କଥା ଅଲଗା । ମୁଁ ଅପେକ୍ଷା କରିବି ବାପା ଓ ତୁ ମୋ ପାଇଁ କେଉଁଠୁ ରାଜପୁତ୍ର କି ଦେବତାଟିଏ ଠିକ୍ କଲେ ଯାଇ ମୁଁ ବାହା ହେବି । ମୁଁ ଅବଶ୍ୟ ତାକୁ ପସନ୍ଦ କରିବା ଦରକାର କିମ୍ୱା ସେ ମୋତେ ପସନ୍ଦ କରିବା ଦରକାର । ତା’ ବିଷୟରେ ସବୁ ଯାଞ୍ଚ ନିଜେ କରାଇବି । ସବୁଆଡେ଼ ସବୁ ଠିକ୍ ନ ହେଲେ ମୋ ବାହାଘର ହେବନାହିଁ ।

ତୁ ମୋ ନାଁରେ ଯାହା ଶୁଣିବୁ ହଠାତ୍ ବିଶ୍ୱାସ କରି ଏମିତି ମୂର୍ଚ୍ଛା ହୋଇଯିବୁ ନାହିଁ । ମୋତେ ପଚାରି ଦେଉଥିବୁ । ମୁଁ ତୋତେ କେବେ ମିଛ କହିବିନାହିଁ । ତୋ ରାଣ ।

ଲୋକେ କହିବେ, ମା’ର ଯେତେବେଳେ ମୂର୍ଚ୍ଛା ବେମାରୀ ଅଛି ଝିଅର ଏହି ବେମାରୀ ନିଶ୍ଚୟ ଥିବ । ବାହାହେଲା ପରେ ବାହାରିବ । ତା’ପରେ ମୋତେ ଆଉ କିଏ ବାହା ହେବ ? ଶେଷକୁ ତୋରି ପାଇଁ ବୁଢ଼ୀ ହୋଇଯିବି, କୁଆଁରୀ ରହିଯିବି ।” ହସି ହସି କହିଲା ସୁଜାତା ।

ତୋର ମନେ ଥିବ ବାପା ସବୁବେଳେ ଆମକୁ କହୁଥିଲେ- “ବିବାହଟା ଗୋଟାଏ ବସ୍‌ଯାତ୍ରା । ଏଠି ଦେଖି ଚାହିଁ ଠିକ୍ ବସ୍‌ରେ ଟିକେଟ୍ କରି ଲକ୍ଷ୍ୟସ୍ଥଳ ଠିକ୍ କରି ଯାତ୍ରା ନ କଲେ ସେ ବସ୍ ତୁମକୁ କେଉଁଠି ନେଇ କେଉଁଠି ଛାଡ଼ିବ ଠିକଣା ନାହିଁ ।

ଏଠି ତମର ଏମ୍.ସି.ଏ. ଏମ୍.ଡ଼ି., ଏମ୍.ବି.ଏ., ଚାର୍ଟାର୍ଡ, ପି.ଏଚ୍.ଡ଼ି. କିଛି କାମ ଦେବନାହିଁ । କେବଳ ଚରିତ୍ରଟି ଠିକ୍ ରଖିଲେ ଜୀବନ ଯୁଦ୍ଧରେ ଜୟ ହେବ । ତୋର ଓ ବାପାଙ୍କର ଉପଦେଶ ମୁଁ ଜୀବନସାରା ମନେ ରଖିଛି ଓ ରଖିବି । ଏମ୍.ଏ.ବି.ଇଡ଼ି.ର ମାଷ୍ଟ୍ରାଣୀ ହେଲେ କ’ଣ ହେଲା ମୁଣ୍ଡ ଉଚ୍ଚା କରି ଚାଲୁଥିବି ଓ ତୁମ ମୁଣ୍ଡ କେବେ ବି ନଇଁବାକୁ ଦେବିନାହିଁ ।”

ବୋଉଙ୍କ ମୁହଁରେ ଫୁଟି ଉଠିଲା ହସ । ସୁଜାତାର କାନଟାକୁ ଧରି ସେ ମୋଡ଼ି ଦେଇ କହିଲା, “ମୋ ସାଙ୍ଗରେ ଚାଲାକି କରୁଛୁ । ଟୋକୀ, ତୁ ପୂର୍ବଭଳି ସେମିତି ଫାଜିଲ୍ ଅଛୁ ଆଜିଯାଏ ଦେଖୁଛି ।”

ତା’ପରଦିନ ସକାଳୁ ସୁଧାମାଉସୀ ଆସିଲେ ବୁଲି । ସୁଜାତା ବୋଉ ତାଙ୍କୁ ଦେଖି ବହୁତ ଖୁସି ହେଲେ । ଅନେକ ସମ୍ଭାଷଣ ଓ କଥା ପରେ ସୁଧା ମାଉସୀ ତାଙ୍କ ବଡ଼ପୁଅ ଡାକ୍ତର ପ୍ରସନ୍ନ ପାଇଁ ମାଗିଲେ ସୁଜାତାର ହାତ ଏବଂ କହିଲେ, “ସୁଜାତା ସାଙ୍ଗେ ବେଲପାହାଡ଼ରୁ ବସ୍‌ରେ ବ୍ରହ୍ମଗିରି ଆସିବା ବାଟରେ ସେ ମନେ ମନେ ତାକୁ ବାଛି ନେଇଥିଲେ ତାଙ୍କର ବଡ଼ ବୋହୂ କରିବା ପାଇଁ ।”

ଲୋକପ୍ରିୟ ଲେଖା

To Top