ଗଳ୍ପ

ମେଧାବିନୀ

Dr Ajit Kumar Tripathy's odia story Medhaabini

ସରକାର ପଚାଶ କିଲୋମିଟର ରାସ୍ତାରେ ତିନୋଟି ହଲ୍ଟ ପାଇଁ ବନ୍ଦୋବସ୍ତ କଲେ, ପାଞ୍ଚ ଜାଗାରେ ଗାଡ଼ି ରହିବ ।

ମେଧାବିନୀ

ଦିନବେଳା ଦୀର୍ଘ ସମୟ ବସଯାତ୍ରା ନିଶ୍ଚୟ ବିରକ୍ତିକରି । ସୁଜାତା ପାଇଁ କିନ୍ତୁ ଏଥର ନ ଥିଲା ଅନ୍ୟ ଉପାୟ । ରାତି ବସ୍ ଦୁଇଟିରୁ କୌଣସିଟିରେ ମିଳିଲା ନାହିଁ ଟିକେଟ୍ । ମଝିରେ ବସ୍ ବଦଳାଇ ହୁଏତ ଯାଇ ହୋଇଥାଆନ୍ତା । କିନ୍ତୁ ରାତି ବସ୍‌ର ଆଉ ମଜା କେଉଁଠି, ଯଦି ପାହାନ୍ତା ଚାରିଟାବେଳେ କେଉଁଠି ଓହ୍ଲାଇ ସକାଳୁ ଧରିବାକୁ ପଡ଼ିବ ଆଉ ଗୋଟିଏ ବସ୍ ।

ସୁଜାତା ନିଷ୍ପତ୍ତି ନେଲା ସେ ଯିବ ବେଲପାହାଡ଼ରୁ ବ୍ରହ୍ମଗିରି ଯାଉଥିବା ଦିନବେଳା ଏକ୍ସପ୍ରେସ୍ ବସ୍‌ରେ । ଦିନବେଳା ଅବଶ୍ୟ ବସ୍‌ଗୁଡ଼ିକ କେବଳ ନାମକୁ ମାତ୍ର ଏକ୍ସପ୍ରେସ୍ । ଟିକେଟ୍ ପାଇଁ ଏକ୍ସପ୍ରେସ୍ ବସ୍‌ର ପଇସା, କିନ୍ତୁ ମନ ଇଚ୍ଛା ଗାଡ଼ି ରହିବ, ଛାଡ଼ିବ । ସେହି ଏକା ଦୂରତ୍ୱକୁ ନେବ ଦୁଇଘଣ୍ଟା ଅଧିକ ସମୟ । କେଉଁଠି ମିଲ୍ସ ପାଇଁ ଅଧ ଘଣ୍ଟାଏ ଜାଗାରେ ପଚାଶ ମିନିଟ୍ ରଖିଲାଣି ତ ଆଉ କେଉଁଠି ଚା’, ଜଳଖିଆ ପାଇଁ ପନ୍ଦର ମିନିଟ୍ ଜାଗାରେ ରଖିଲାଣି ଅଧଘଣ୍ଟାଏ । ତା’ଛଡ଼ା ଛାତ୍ରଛାତ୍ରୀମାନେ ବି ବିଭିନ୍ନ ସ୍ଥାନରେ ଉଠିବେ ଓହ୍ଲାଇବେ । ତାଙ୍କୁ ଟିକେଟ୍ ମାଗିବ କିଏ ? ଅଟକାଇବ କିଏ ?

ସରକାର ପଚାଶ କିଲୋମିଟର ରାସ୍ତାରେ ତିନୋଟି ହଲ୍ଟ ପାଇଁ ବନ୍ଦୋବସ୍ତ କଲେ, ପାଞ୍ଚ ଜାଗାରେ ଗାଡ଼ି ରହିବ । ଯଦି ଆସନ୍ତାକାଲି ପାଞ୍ଚଟିଯାକ ସ୍ଥାନ ପାଇଁ ବସ୍ ରହିବା ପାଇଁ ଅନୁମତି ମିଳିଗଲା, ତେବେ ତା’ପରେ ସାତଟି ସ୍ଥାନରେ ରହିବ । ଏକ୍ସପ୍ରେସ୍ ବସ୍‌କୁ ଅଟକାଇବାରେ ହିଁ ତ ନେତୃତ୍ୱର ସାଫଲ୍ୟ ଓ ପରେ ତାକୁ ଟିକେଟବାଲା ହଲ୍ଟରେ ପରିଣତ କରିବାରେ ରାଜନୈତିକ କ୍ଷମତାର ପରୀକ୍ଷା ।

ବସାଘରୁ ଅଟୋରେ ବସଷ୍ଟାଣ୍ଡକୁ ଆସୁ ଆସୁ ଏତେ କଥା କାହିଁକି ଯେ ଭାବୁଛି ଜାଣିପାରୁ ନଥିଲା ସୁଜାତା । ପାଞ୍ଚମାସ ପରେ ଘରକୁ ଆସୁଛି ସେ । ବେଲପାହାଡ଼ରେ ସରସ୍ୱତୀ ବିଦ୍ୟା ମନ୍ଦିର ବିଜ୍ଞାନ ଓ ଗଣିତ ଶିକ୍ଷୟିତ୍ରୀ ଭାବେ ସେ ଯୋଗ ଦେବାର ହେଲାଣି ଦେଢ଼ବର୍ଷ । ଏଥି ମଧ୍ୟରେ ଘରକୁ ମାତ୍ର ଆସିପାରିଛି ଦୁଇଥର । ସରକାରୀ ସ୍କୁଲ୍‌ରେ ସିନା ଅନେକ ଛୁଟି, କିନ୍ତୁ ଘରୋଇ ସ୍କୁଲ୍‌ରେ, ବିଶେଷ କରି ସରସ୍ୱତୀ ଶିଶୁ ମନ୍ଦିରରେ ଛୁଟି ବହୁତ କମ୍ । ଗ୍ରୀଷ୍ମଛୁଟି ମାତ୍ର ପନ୍ଦର ଦିନ । କେବେ ଗଣେଶ ଓ ସରସ୍ୱତୀ ପୂଜା ଛାଡ଼ିଦେଲେ ସବୁ ଛୁଟିଦିନ ସମସ୍ତଙ୍କୁ କରିବାକୁ ହୁଏ ଅକ୍ଳାନ୍ତ ପରିଶ୍ରମ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଟପ୍ ଏକ ଶହ ଭିତରେ ରଖିବାକୁ ଚେଷ୍ଟା କରନ୍ତି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ । ଫଳାଫଳ ହୁଏ ଖୁବ୍ ଭଲ ।

ଏଇ ଆସିଗଲା ବସ୍‌ଷ୍ଟାଣ୍ଡ । ବସ୍ ଛାଡ଼ିବାକୁ ଆଉ ଦଶ ମିନିଟ୍ ବାକି । ନିଜ ସିଟ୍‌ରେ ଯାଇ ବସିଗଲା ସୁଜାତା । ହ୍ୟାଣ୍ଡବ୍ୟାଗ୍‌ରୁ ଗୋଟିଏ ମ୍ୟାଗାଜିନ୍ ବାହାର କରି ରଖିଦେଲା ବ୍ୟାଗ୍‌ଟିକୁ ମୁଣ୍ଡ ଉପର ଜାଗାରେ । ଲେଡ଼ିଜ୍ ସିଟ୍ ମିଳିଥିଲା । ପାଖରେ କିଏ ବସିବ ଏ ଆଶଙ୍କା ନଥିଲା । କିନ୍ତୁ ଥିଲା ଏକ ସାଧାରଣ ଉତ୍ସୁକତା !

ବସ୍ ଛାଡ଼ିବାକୁ ଛାଡ଼ିବାକୁ ହେଲାଣି । ଏତିକିବେଳେ ଜଣେ ବୟସ୍କା ଭଦ୍ରମହିଳା ଆସି ବସିଲେ ପାଖ ସିଟ୍‌ରେ । ବୟସ ଷାଠିଏରୁ ପଞ୍ଚଷଠୀ ଭିତରେ ହେବାର ଅନୁମାନ । ସୁଜାତା ମନେ ପକାଇବାକୁ ଚେଷ୍ଟା କଲା ତାଙ୍କୁ ହୁଏତ ଅନେକ ଦିନ ତଳେ ଦେଖିଛି, କିନ୍ତୁ କିଛି ମନେ ପଡ଼ିଲା ନାହିଁ ।

ଗାଡ଼ି ଚାଲିବାର ଦଶମିନିଟ୍ ପରେ ପ୍ରଥମେ କଥା ଆରମ୍ଭ କଲା ସୁଜାତା । ଆପଣ କେଉଁଯାଏ ଯିବେ ?

ମୁଁ ଶେଷ ପର୍ଯ୍ୟନ୍ତ ଯିବି, ବ୍ରହ୍ମଗିରି ! କହିଲେ ଭଦ୍ରମହିଳା ।

ଆରେ, ତା’ମାନେ ଆମେ ପୂରା ବାଟଟା ଯିବା, ଏକାଠି ଯିବା । ମୋର କି ଭାଗ୍ୟ । ବାଟ ଭଲରେ କଟିଯିବ । ଦିନବେଳା ବସ୍‌ରେ ବାଟ ପାସେଞ୍ଜର ବେଶୀ । ଚଢୁଥାନ୍ତି ଓହ୍ଲାଉଥାନ୍ତି । କି ବିରକ୍ତିକର ! ସୁଜାତା ବେଶ୍ ଖୁସି ହୋଇଗଲା ।

ଭଦ୍ରମହିଳା କହିଲେ, “ମୁଁ ଜାଣେ, ତୁ ବ୍ରହ୍ମଗିରି ଯାଉଛୁ । ତୁ ସିନା ମୋତେ ଚିହ୍ନି ପାରୁନାହୁଁ । ମୁଁ ତୋତେ ଠିକ୍ ଚିହ୍ନି ନେଇଛି । ତୁ ଏଇଠି ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଜ୍ଞାନ ଶିକ୍ଷୟିତ୍ରୀ ଅଛୁ । ତୁ ବ୍ରହ୍ମଗିରି ପାଖ ଗାଁ ସାରଙ୍ଗଧରପୁର ଚକ୍ରଧର ମିଶ୍ରଙ୍କର ଝିଅଟି । ତୋ ବୋଉ ନା ଶଶୀକଳା ।”

ସୁଜାତାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏ ଭଦ୍ରମହିଳା ତାକୁ ଜାଣିଛନ୍ତି ପିଲାଦିନୁ । ସେ ତାଙ୍କୁ ଆଦୌ ମନ ପକାଇ ପାରୁନାହିଁ ।

କ୍ଷମା ମାଗିଲା ଭଳି କହିଲା, “ପିଲାଦିନୁ ଗାଁକୁ ଆମର ବିଶେଷ ଯିବା ଆସିବା ତ ନାହିଁ । ବାପା ତ ଯେଉଁ ଚାକିରୀ କଲେ ସେଥିରେ ଓଡ଼ିଶା ସାରା ବଦଳି । ତେଣୁ ଛାତ୍ରୀ ଜୀବନରେ ବୁଲା ହୋଇଛି ଚାରଟି ଜିଲ୍ଲା । ହୁଏତ ସମୁଦାୟ ଦୁଇ ତିନିଥର ଯାଇଥିବି ଗାଁକୁ । ବାପା ଯଦି ଅବସର ପରେ ଗାଁରେ ରହିବାକୁ ନିଷ୍ପତ୍ତି ନେଇ ନଥାନ୍ତେ, ତେବେ ହୁଏତ ମୁଁ ଆଜି ଭୁବନେଶ୍ୱର ଯାଉନଥାନ୍ତି । ମୋତେ କ୍ଷମା କରନ୍ତୁ । ଆପଣଙ୍କର ପରିଚୟଟା ଦିଅନ୍ତୁ ଏଥର ।”

ଭଦ୍ରମହିଳା କହିଲେ, “ତୋ ବୋଉଠୁ ପିଲାଦିନେ କେବେହେଲେ ସୁଧା ମାଉସୀ ନାଁ ଶୁଣିଥିବୁ । ମୁଁ ସେହି ସୁଧା ମାଉସୀ । ଗାଁରେ ତମ ଘରଠୁ ତିନି ଘର ଛାଡ଼ି ଆମ ଘର । ତୋ ବୋଉ ଆଉ ମୁଁ ଏକାଦିନ ବାହା ହୋଇ ଆସିଥିଲୁ ସାରଙ୍ଗଧରପୁର ।”

ଗାଁର ପ୍ରଥମ ମାଟ୍ରିକ୍ୟୁଲେଟ୍ ବୋହୂ ଥିଲୁ ଆମେ ଦୁଇଜଣ । ସାଇପଡ଼ିଶା ଆମକୁ ଦେଖୁଥିଲେ ଆଶ୍ଚର୍ଯ୍ୟ ହୋଇ । ଖୁବ୍ ଭଲ ପାଉଥିଲେ ସମସ୍ତେ ।

ସୁଜାତାର ଅନେକ କିଛି କଥା ପଡ଼ିଗଲା ମନେ । ସଙ୍ଗେସଙ୍ଗେ ସେ ନଇଁପଡ଼ି ତାଙ୍କ ପାଦ ଛୁଇଁ ନମସ୍କାର କଲା । ସୁଧା ମାଉସୀ ତାକୁ କୋଳେଇ ନେଲା ଭଳି ଧରି କଲେ ଆଶୀର୍ବାଦ ।

ଅଭିମାନ ଭରାକଣ୍ଠରେ କହିଲା, ସୁଜାତା- “ମାଉସୀ ଆପଣ ଜାଣନ୍ତି ଏଇଠି ଅଛି, ଥରେ ହେଲେ ଆପଣ ଘରକୁ ଡାକି ନଥାନ୍ତେ । ମୁଁ ଆପଣଙ୍କ ସଙ୍ଗେ କଥା ହେବି ନାହିଁ ।”

ଆଲୋ, ଅଭିମାନ କରୁଛୁ କାହା ଉପରେ ? ତମ ଘର ସାଙ୍ଗରେ ଆମର କେତେ ବର୍ଷ ହେଲା ଆଉ କିଛି ସମ୍ପର୍କ ନାହିଁ କହିପାରିବୁ ? କୋଡ଼ିଏ ବର୍ଷ ହେଲା ରଖିନାହାନ୍ତି କେହି କାହାରି ଖବର । ଏବେ ତୋ ବାପା ରିଟାୟାର୍ ହେଲା ପରେ ଗାଁକୁ ଗଲେ ବୋଲି ତମେ ସବୁ ଗାଁକୁ ଆସୁଛ । ତୋ ବୋଉ କ’ଣ କାଲି ଯାଏ ଜାଣିଥିଲା ମୁଁ କେଉଁଠି ଅଛି ? ଏବେ ଗାଁରେ ଦି’ମାସ ହେଲା ରହିଲାଣି ନିଶ୍ଚୟ ଶୁଣିଥିବ, ମୁଁ ବେଲପାହାଡ଼ରେ ଅଛି ବଡ଼ପୁଅ ପାଖରେ ।

ତା’ପରେ

ଲୋକପ୍ରିୟ ଲେଖା

To Top