ଗଳ୍ପ

ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ

Laxmidhara Nayak's odia story Meghabhartti Aakaashare Bijuli Chenaae

ପଚା ଦରବକୁ ସଜ କରି ବିକିବାର କଳା ମୋତେ ବେଶ୍ ଜଣା । ତୁ ବ୍ୟସ୍ତ ହ ନା । ଆଜି ତୋତେ ନେଇ ଶେଷ ସଉଦା କରିଚି । ତୋ ରକ୍ତ ପରୀକ୍ଷାରୁ ଜଣାପଡ଼ିଚି- ତୁ ଜଣେ ଏଡ୍ସ ରୋଗୀ ।

ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ

-: ପୂର୍ବରୁ :-

ଚନ୍ଦ୍ରାକାନ୍ତା କହିଲା- “ବନ୍ୟାସୁଅରେ ଭାସି ଯାଉଥିବା କୁଟାଖିଏ ମୁଁ । ନିଶ୍ଚିହ୍ନ ହେବା ଆଗରୁ ଆପଣ ମୋତେ ନିଶ୍ଚିତ ଆଶ୍ରୟ ଦେଇ, ଅପାର କରୁଣା କରିଛନ୍ତି । କିଛି ବି ସମ୍ପତ୍ତି ଆବଶ୍ୟକ ନାହିଁ, କେବଳ ଆପଣଙ୍କ ସେବା କରି କରି. . . ଆପଣଙ୍କ ଆଗରେ ଚାଲିଯାଏ ମୁଁ ।”

ଅର୍ଥଲୋଭା ସୁରୂପକୁ ପ୍ରଥମ କିସ୍ତିରେ ପାଞ୍ଚ ଲକ୍ଷ ଟଙ୍କା ଦେଇ ଦେଲେ, ଅଫିସର୍ ଚିଦମ୍ୱର ବାବୁ । ଡିଭୋର୍ସ ହେଇଗଲା ପରେ, ଆଉ ଦଶଲକ୍ଷ ଟଙ୍କା ଦେବାର କଥା କରି. . . ଚନ୍ଦ୍ରକାନ୍ତାକୁ ନେଇଗଲେ ନିଜ ଘରକୁ । କହିଥିଲେ କାର୍‌ରେ- ମନକୁ ସଜାଡ଼ି ନେ ମା’ । ସ୍ୱୟଂବର ପରି. . . ଜଣେ ଜଣେ ସୁନ୍ଦର ପ୍ରାର୍ଥୀ ବାଛି ବାଛି ଆଣିବି ତୋ ପାଖକୁ । ଯେ ତୋର ପସନ୍ଦ, ସେ ହିଁ ହେବ ମୋର ଜ୍ୱାଇଁ । ସବୁ ସମ୍ପତ୍ତି ତୁମ ଦୁହିଁଙ୍କର । ଆଉ କିଏ ଅଛି କି ମୋର. . . ସେସବୁ ଭୋଗ ଦଖଲ କରିବ ।

. . . ଏବେ ଚନ୍ଦ୍ରକାନ୍ତାକୁ ଲାଗିଲା- ଅମ୍ଳାନ, ସୁରୂପ ଓ ଚିଦମ୍ୱର. . . କେହି କାହାଠୁ ଊଣା ନୁହଁନ୍ତି । ସମସ୍ତଙ୍କର ଇଚ୍ଛା ଏକାପ୍ରକାର । ଛଳନା ଓ ପ୍ରତାରଣା ! ଆଖୁଖଣ୍ଡ ପରି ଚୋଷି ଚୋଷି ପିଇଛନ୍ତି ସେମାନେ ତାକୁ । ପଚରା କଚରା ପରି କରିସାରିଚନ୍ତି ବିଚାରୀକୁ । ଏ ଯାଏ ହଜାରେରୁ କମ୍ ଯୁବକ ତୁରଣ ଆସିନାହାନ୍ତି- ଏ ସ୍ଵୟମ୍ବରକୁ ଉପଭୋଗ କରିବାକୁ । ଚନ୍ଦ୍ରକାନ୍ତାର ସୌନ୍ଦର୍ଯ୍ୟ ପାଗଳ କରିଚି ସେମାନଙ୍କୁ ଟଙ୍କା ଫିଙ୍ଗିବାର ପ୍ରତିଯୋଗିତା ସେମାନଙ୍କ ଭିତରେ । ଚିଦମ୍ୱରଙ୍କ ବେପାରର ମୂଳଧନ ବହୁଗୁଣ ବଢ଼ି ସାରିଲାଣି ।

. . . ଆଜି ଚିଦମ୍ୱର ତାଙ୍କର ପୃଥୁଳ ଦେହକୁ ହଲାଇ ଦୋହଲାଇ ଆସିଲେ ତ. . . ଚନ୍ଦ୍ରକାନ୍ତା ତା’ ଆର୍ମକୁଶନରୁ ଉଠିପାରିଲା ନାହିଁ । ସେ ଏହା ଆଗରୁ ବାଲ୍କୋନିରୁ ଚାହିଁ ରହିଥିଲା ଦୂର ଆକାଶକୁ । ଝୋଙ୍କା ଝୋଙ୍କା ପବନ ସହିତ କଥା ହେଉଥିଲା. . . ସମୟ ପାଖରେ ଦୁଃଖ ଅଜାଡ଼ି, ତା’ ପାଇଁ ଟିକେ ଅଟକି ଯିବାକୁ କାକୁତି ହେଉଥିଲା । କୁଣ୍ଡମାନଙ୍କରେ ହସୁଥିବା ଫୁଲସବୁଙ୍କ ପାଖରୁ ମୁହଁ ବୁଲାଉଥିଲା । ମର୍ମ ବେଦନାରେ ଜଳୁଥିଲା ବିଚାରୀ ।

ଚିଦମ୍ୱର କହିଲେ- “ମା’ ! ଅବିମାନ କରିଚୁ ? କଥା ହେବୁନି ମା’ ?”

– ମା’ ସମ୍ୱୋଧନର ମାନେ କ’ଣ ତମେ ଜାଣକି ଅଫିସର୍ ?

. . . ନାଇଁ. . . ! ଯୋଉ ଲୋକଟା ବାପାର ଅର୍ଥ ବୁଝେନା, ମା’ର ବୁଝନ୍ତା କେମିତି ? ତୁ ବାପା ବୋଲି ଡାକିଲୁ. . . ମୁଁ ବାପା କି ? ସେମିତି. . . ମୁଁ ଝିଅ ବୋଲି କହିଲି. . . ତୁ ଝିଅ ନୁହଁ, ନା ! ସମ୍ପର୍କ ଓ ସମ୍ୱୋଧନର ମାନେ କିଛି ନାହିଁ ପରିବର୍ତ୍ତିତ ସମୟରେ । ସବୁ ଟଙ୍କା ବଦଳରେ ପାଇହୁଏ ।

ଚନ୍ଦ୍ରକାନ୍ତା ଦୁଇ ପାପୁଲିରେ ମୁଣ୍ଡକୁ ଚାପିଧରି, ତଳକୁ ମୁହଁ କଲା । ଘୃଣାରେ ତା’ ଛାତି ଜଳୁଥାଏ ତ. . . ଜରରେ ଦେହ ପୋଡୁଥାଏ ।

ମାସେ ହେଲା ସବୁବେଳେ ଉଷୁମ୍ ରହୁଥିଲା ଦେହ । ଆଜି ସହି ନ ହେବା ପରି ତାତି । ରକ୍ତ ନାଳିରେ ଯେମିତି ଯନ୍ତ୍ରଣାର ସୁଅ ବହୁଚି । ବାରମ୍ୱାର ଶୋଷ ଲାଗୁଚି । କଡ୍‌ମଡ୍ ହେଉଚି ଦେହ । ଆଖି ତଳ କଳା ପଡ଼ିଆସିଲାଣି । ତଥାପି ବିଶ୍ରାମ ନାହିଁ ତା’ ଶରୀରକୁ । ଏ ଚଣ୍ଡାଳ ଆସିଚି ମାନେ. . . କାହାକୁ ଧରିକି ଆସିଥିବ । ଏ ଆଗେ ଆଗେ. . . ସେ ପଛେ ପଛେ । ଏଇ ଧାରା ସବୁବେଳେ . . . ।

ଚିଦମ୍ୱର କହୁଥାନ୍ତି- “କୋଉଠି ହଜିଗଲୁ କି ମା’ ?”

ହାତ ଯୋଡ଼ି ଦେଲା ଚନ୍ଦ୍ରକାନ୍ତା. . . ।

. . . ଆଜିକ ପାଇଁ କ୍ଷମା କର । ଏ ଶାଢ଼ି ଖଣ୍ଡକର ଓଜନ ମଧ୍ୟ ସହିପାରୁନି ଦେହ । ପାଦ କମ୍ପୁଚି । ଚାଲି ହେଉନି । ଆଜିର ଗ୍ରାହକକୁ କାଲି ଆସିବାକୁ କୁହ । ମତେ କିଛି ମେଡ଼ିସିନ୍ ଦିଅ. . . ।

– ମୁଁ ବେପାରୀରେ ମା’ ! ଚିଦମ୍ୱର କହିଲେ- “ପଚା ଦରବକୁ ସଜ କରି ବିକିବାର କଳା ମୋତେ ବେଶ୍ ଜଣା । ତୁ ବ୍ୟସ୍ତ ହ ନା । ଆଜି ତୋତେ ନେଇ ଶେଷ ସଉଦା କରିଚି । ତୋ ରକ୍ତ ପରୀକ୍ଷାରୁ ଜଣାପଡ଼ିଚି- ତୁ ଜଣେ ଏଡ୍ସ ରୋଗୀ । ତୋତେ ନେଇ, ଆଉ କି ବେପାର କରାଯାଇପାରେ । ଏବେ ବିଛଣା ଧରିବାର ପୂର୍ବ ଅବସ୍ଥା । ଏଇ ବେଳରେ କେହି ତତେ ସବୁଦିନ ପାଇଁ ନେଇଯାଉ. . . ଯେତିକି ଟଙ୍କା ବରଂ ଦେଉ । ତୁ ତ ଅନେକ ଦେଇସାରିଲୁଣି, ନା ।”

ଏଡ୍ସ କାରଣରୁ. . . ତା’ ସାରା ଦେହରେ ଏ ପୂର୍ବ ଲକ୍ଷଣ, ଏହା ଜାଣିଲା ପରେ, ଚନ୍ଦ୍ରକାନ୍ତା ଖୁସି ହୋଇଗଲା । ଯାହା ହେଉ. . . ତା’ ପାଇଁ ଶେଷ ଯନ୍ତ୍ରଣାର ବେଳା ଆସିଗଲା । ବଞ୍ଚିବାର ଲୋଭରେ. . . ବିନା ସ୍ୱାର୍ଥରେ ପ୍ରତି ମୁହୂର୍ତ୍ତରେ ମରୁଥିଲା ସେ- ବହୁ ପୁରୁଷଙ୍କ ଶଯ୍ୟାଶାୟିନୀ ହେଇ, ଏବେ ତ ଆଉ ସେପରି ଯନ୍ତ୍ରଣା ରହିବ ନାହିଁ । କିନ୍ତୁ ସେ ବିସ୍ମୟରେ ବୁଡ଼ିଗଲା ଯେ. . . ଏମିତି ନିର୍ବୋଧ କିଏ ଥିବ. . . ଯିଏ ତାକୁ ଏପରି ଅବସ୍ଥାରେ ନେଇ ବେପାର କରିବ । ଏ କଥା ସେ ପଚାରିଲା ବି ଚିଦମ୍ୱରଙ୍କୁ ।

ସେ କହିଲେ- “ବେପାରରେ ସଚ୍ଚୋଟତା ହେଉଚି ସବୁଠୁ ବଡ଼ ପୁଞ୍ଜି । ତା’ର ଶେଷ ମାଲିକକୁ ସେ ଚନ୍ଦ୍ରକାନ୍ତାର ଜୀବନ ଇତିହାସର କୋଣ ଅନୁକୋଣର ବିବରଣ ଦେବା ସହିତ, କହି ସାରିଛନ୍ତି ଯେ- ବିଚାରୀ ଏବେ ଏଡ୍ସ ରୋଗାକ୍ରାନ୍ତ ଥିଲେ ବି. . . ସୌନ୍ଦର୍ଯ୍ୟ ମଳିନ ହେଇନି । ଆହୁରି ବର୍ଷେ ଦି’ବର୍ଷ କାମରେ ଲାଗି ପାରିବ ।” ଚିଦମ୍ୱର ପୁଣି କହିଲେ-

“. . . ଗ୍ରାହକ ମହିଳାଟିକୁ କେହି ପାଗଳୀ କହୁ, କି ଭାବପ୍ରବଣା. . . ତୋ ଫୋଟୋ, ଦେଖିଲା ପରେ, ପାଞ୍ଚଲକ୍ଷ ଟଙ୍କା ବିନିମୟରେ କିଣାବିକା ସାରିଚି । ଏବେ କେବଳ ଗୁଡ୍ସ ଡେଲିଭରୀ ଦେବାର ସମୟ । ଆଉ ମା’ ! ବିସ୍ମୟ ୟା’କୁ ହିଁ କୁହାଯାଏ. . . ଏପରି ବିସ୍ମୟ କିଛି ନ ଘଟିଲେ, ପୃଥିବୀ ସୁନ୍ଦର ହୁଏନା । ସୁନ୍ଦର ପୃଥିବୀର ସେହି ସୁନ୍ଦରୀ ମହିଳା ସାଥିରେ, ମୋ ସୁନ୍ଦରୀ ଚନ୍ଦ୍ରକାନ୍ତା ମା’ର ବିଦାୟ ବେଳା ଆସିଗଲା. . . ଏଇ ପ୍ରାୟ ।”

ତାପରେ

ଲୋକପ୍ରିୟ ଲେଖା

To Top