ଗଳ୍ପ

ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ

Laxmidhara Nayak's odia story Meghabhartti Aakaashare Bijuli Chenaae

ଆମେ ସବୁ କିଣାବିକା ହୁଅନ୍ତି . . . ଭିନ୍ନ ଭିନ୍ନ ବାଗରେ । ନାରୀ ସବୁବେଳେ ଅନ୍ୟର ଆଶ୍ରିତା. . . ବାସ୍ତବରେ ଏହା ହିଁ ଘଟି ଚାଲିଚି । ଏବେ ଆଉ କିଛି କହିବାକୁ ଅବସର ନାହିଁ ଆପଣଙ୍କ ହାତରେ, ଆସନ୍ତୁ. . .

ମେଘଭର୍ତ୍ତି ଆକାଶରେ ବିଜୁଳି ଚେନାଏ

-: ପୂର୍ବରୁ :-

ବାଲ୍‌କୋନିର ମାର୍ବଲ ପାହାଚରୁ ଚନ୍ଦ୍ରକାନ୍ତା ବୟସର ଜଣେ ବିବାହିତା ରମଣୀ ଓ ତାଙ୍କ ହାତ ଧରି ଆଠ ଦଶ ବର୍ଷର ଝିଅଟିଏ. . . ଉପରକୁ ଉଠିଲେ । ଗହମ ରଙ୍ଗର ପୋଷାକକୁ ଗୋରା ଦେହ. . . ସବୁ ମିଶି ଦେହ ଦେହ ଲାଗୁଛି ।

କିଏ ଏମାନେ ? ମା’ ଝିଅ ପରି ଲାଗୁଚନ୍ତି ? ଦେହ-ବେପାରୀ ଜଣେ ସାନ ଝିଅଟିକୁ ଧରି ଆସନ୍ତା କାହିଁକି ? ଏ କି ପ୍ରହେଳିକା ?

ମହିଳା ଜଣକ ପହଞ୍ଚୁ ପହଞ୍ଚୁ ଚନ୍ଦ୍ରକାନ୍ତାଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ ଓ ଝିଅଟି କହିଲା- “ଆଣ୍ଟି. . . ପ୍ରଣାମ୍ !”

ଚନ୍ଦ୍ରକାନ୍ତାର ବିସ୍ମୟ ଆହୁରି ବଢ଼ିଗଲା ।

ହଠାତ୍ ସେ କହିଲା- “ଜାଣନ୍ତି କି. . . ମୁଁ ଏବେ ଏଡ୍ସ ରୋଗର ଶିକାର । ମୋର ବୁନ୍ଦାଏ ରକ୍ତ ସଂକ୍ରମଣ ପାଇଁ ଯଥେଷ୍ଟ । ମୋ ଓଠର ସ୍ପର୍ଶ ଆହୁରି ଭୟଙ୍କର । ଅଜାଣତରେ ଯେତେଲୋକଙ୍କୁ ରୋଗୀ କରିସାରିଲିଣି. . . ଜାଣିବାରେ ସେପରି ଅପରାଧ ମୁଁ କରିପାରିବି ନାହିଁ । ଯଦି ଆପଣଙ୍କର ଇଚ୍ଛା ଥାଏ- କେହି, ଶତ୍ରୁକୁ ଆପଣ ମୋ ଦ୍ୱାରା ଏଡ୍ସ-ଦଣ୍ଡ ଦେବେ. . . ତାହା ସମ୍ଭବ ହେବନି ।” ମୁଁ ତାକୁ ଜଣାଇ ଦେବି ।

ଭଦ୍ର ମହିଳା କହିଲେ- “ଆମ ସମ୍ଭ୍ରାନ୍ତ ସମାଜର. . . ଆପଣ ଗୋପନୀୟ ପଣ୍ୟ ପଦାର୍ଥ । ମୁଁ ଆପଣଙ୍କୁ କିଣିସାରିଚି । କିଣିବା ପୂର୍ବରୁ, ସବୁ ଜାଣିଚି । ଆପଣ ବୋଧହୁଏ ବୁଝି ସାରିଥିବେ- ଆମ ସମାଜରେ, ନାରୀର ସ୍ୱତନ୍ତ୍ରତା ଓ ଅଧିକାରବୋଧ. . . ସବୁତକ ଆଇନି ଅନ୍ତର୍ଗତ । ଆମେ ସବୁ କିଣାବିକା ହୁଅନ୍ତି . . . ଭିନ୍ନ ଭିନ୍ନ ବାଗରେ । ନାରୀ ସବୁବେଳେ ଅନ୍ୟର ଆଶ୍ରିତା. . . ବାସ୍ତବରେ ଏହା ହିଁ ଘଟି ଚାଲିଚି । ଏବେ ଆଉ କିଛି କହିବାକୁ ଅବସର ନାହିଁ ଆପଣଙ୍କ ହାତରେ, ଆସନ୍ତୁ. . .”

ଚନ୍ଦ୍ରକାନ୍ତା ଅନ୍ତତଃ ଏତିକି ବୁଝିଲା-ଏଡ୍ସ ପରି ମହାମାରୀ କବଳରୁ ଆଉ ତା’ ଦେହ କେତେଦିନ ବା ବଞ୍ଚିବ । ବରଂ ଏ ରାକ୍ଷସଟା କବଳରୁ ମୁକ୍ତି ପାଇଯାଉ । ତେଣିକି ଏ ସ୍ତ୍ରୀଲୋକଟା ଦ୍ୱାରା ଆଉ ଯାହା ହେଉ ।

ଏବେ ସହର ଛାଡ଼ି କାର୍ ଚାଲିଥାଏ. . . ବିସ୍ତୀର୍ଣ୍ଣ ସବୁଜ ଶସ୍ୟକ୍ଷେତ୍ରକୁ ଦୁଇ ପାର୍ଶ୍ୱରେ ରଖି, କେଉଁଠିକୁ ଲମ୍ୱିଥିବା କଳା ମୁଚୁମୁଚୁ ପିଚୁ-ସଡ଼କରେ । ଜ୍ୱର ଯୋଗୁଁ ଚନ୍ଦ୍ରକାନ୍ତାକୁ ଶୀତ ଲାଗୁଥାଏ । ଥରୁଥାଏ ତା’ ଓଠ ଅଧର । ଡ୍ରାଇଭିଂ କରୁଥିବା ସେହି ମହିଳା ରିମୋର୍ଟ ସୁଇଚ୍ ଦାବି, ଚାରୋଟିଯାକ ଡୋର୍-ଗ୍ଲାସ୍ ଉପରକୁ ଉଠାଇଲେ ।

ଝିଅକୁ କହିଲେ-ଆଣ୍ଟିଙ୍କୁ ମୋ ସ୍କାର୍ଫରେ ଢାଙ୍କିଦେ ଗୁଡୁନୁ. . . । ଚନ୍ଦ୍ରକାନ୍ତା ପଚାରିଲା- “କିଏ ଆପଣ ? କାହିଁକି ମୋ ପାଇଁ ପ୍ରହେଳିକା ହେଉଚନ୍ତି ?? କ’ଣ ଆପଣଙ୍କର ଉଦ୍ଦେଶ୍ୟ ???”

କୌଣସି ଉତ୍ତର ତା’ ପାଇଁ ନଥିଲା. . . ।

ଦୀର୍ଘ ସମୟ ପରେ. . . କାର୍ ଅଟକିଲା- ଗୋଟେ ପ୍ରଶସ୍ତ ବାରଣ୍ଡାଥିବା ତିନିମହଲା ବଙ୍ଗଳାର ପୋର୍ଟିକୋ ତଳେ । କମ୍ପାଉଣ୍ଡ ୱାଲ୍ ଚାରିଆଡୁ ଘେରି ରହିଚି ସେ ହବେଲୀକୁ । ଯେଯାଏ ଦିଶୁଚି. . . ଦିଶୁଚି କେବଳ ଦେଶୀ ବିଦେଶୀ ଫୁଲର ଶୃଙ୍ଖଳିତ ଗଛ-ଲତା, ପବନରେ ଥରି ଥରି, ପରସ୍ପରକୁ ନିର୍ମଳ ପ୍ରେମ ଅଜାଡ଼ି ଚାଲିଛନ୍ତି । ମାଳୀମାନେ କାମ କରୁଛନ୍ତି ।

ଚନ୍ଦ୍ରକାନ୍ତା ବୁଝିଗଲା- ଗୋଟେ ସାଧାରଣ ଘରକୁ ସେ ଆସି ନାହିଁ । ଏତେ ବଡ଼ ଲୋକ । ଫୁଲର ମହକ. . . ଫୁଲର ସୁଷମାରେ ଯାହାଙ୍କ ଜୀବନ. . . କି ଖରାପ ଇଚ୍ଛାରେ ତାକୁ ପ୍ରୟୋଗ କରିବେ କେଜାଣି ।

ବିତ୍ତଶାଳୀ ଚିଦମ୍ୱର ଓ ବିଭବଶାଳିନୀ ଏ ମହିଳା. . . ଏଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ ଦେଖୁଥିଲା ଚନ୍ଦ୍ରକାନ୍ତା – ସେ ଭୟଙ୍କର ଭାବରେ ସ୍ୱାର୍ଥୀ ନିଷ୍ଠୁର ପୁରୁଷ . . . ଏ ଦରଦୀହୃଦୟା କୋମଳ ମନର ନାରୀ । ନାରୀ ଜଣେ ବୁଝିବ କି. . . ନାରୀର ଯନ୍ତ୍ରଣା !

ସେହି ମା’ ଝିଅ ଚନ୍ଦ୍ରକାନ୍ତାକୁ ଦୁଇ ପାଖରୁ ଆଶ୍ରୟ ଦେଇ, ଡ୍ରଇଂରୁମ୍‌କୁ ନେଲେ । ସେଠି ପହଞ୍ଚିଲା କ୍ଷଣି, ପାଦ ସ୍ଥିର ହେଇଗଲା. . . ଚନ୍ଦ୍ରକାନ୍ତାର ! ! !

ତା’ ସାମ୍ନାରେ- ଯୌବନର ପ୍ରଥମ ପ୍ରିୟ. . . ଲିଭ୍ ଇନ୍ ରିଲେସନ୍‌ଶିପ୍‌ର ପଥୀକୃତ ବନ୍ଧୁ. . . ତା’ ନଷ୍ଟଗର୍ଭ ସନ୍ତାନର ବାପା. . . ଶୁଣି ବିବାହ ବେଦୀକୁ ନ ଆସି, ସାଜିଥିବା ପଳାତକ ବର. . . ଅମ୍ଳାନ ! ! ! କମ ଉଚ୍ଚର କାଚ ଟେବୁଲ୍‌ଟି ଉପରେ ବଙ୍କେଇ ହେଇ ବସି, . . . କଳା ପଡ଼ିସାରିଚି ଗୋରା ଚେହେରା ।

ମୁହଁସାରା ବିଷର୍ଣ୍ଣତା ଛାଇ ହେଇ ରହିଚି ।

ଦି’ଧାର ଲୁହ ଝରିଆସିଚି ଗାଲ ଉପରକୁ ।

ଓଠ ଚହଲି ଉଠୁଚି କିଛି କହିବାକୁ. . . କହି ହେଉନି ।

ସବୁ ଯନ୍ତ୍ରଣା ଢାଳି ଦେଲା ପରେ. . . ଆଉ କି ଯନ୍ତ୍ରଣା ଅଛି ଯେ. . . ସେ ଚନ୍ଦ୍ରକାନ୍ତାକୁ ଦିଅନ୍ତା. . . କି, କହନ୍ତା ! ! !

ଚନ୍ଦ୍ରକାନ୍ତା ଆଖିରେ ଲୁହର ଝଡ଼ ।

ତା’ର ଏଇବେଳେ. . . ଅମ୍ଳାନର ଏଇ ରୂପ ଦେଖିବାକୁ ଥିଲା ???

ସାନ ଷ୍ଟୁଲଟି ଉପରେ ଥାଳିଟିଏ. . . ।

ତା’ ଉପରେ ମୋଡ଼ା ହେଇ ରଖାଯାଇଚି- ଟଗର ଓ ଗୋଲାପପାଖୁଡ଼ା ମିଶା ଗଜରା ହାରଟିଏ । ସେହି ମହିଳା ହାରଟିକୁ ଆଣି, ଚନ୍ଦ୍ରକାନ୍ତା ହାତରେ ଧରାଇଲେ । କହିଲେ- “ଅମ୍ଳାନଙ୍କ ବେକରେ ଲମ୍ୱାଇ ଦିଅ. . . ଦିଦି ! ସେ ଏଇଦିନରୁ ଅପେକ୍ଷା କରି କରି ପାଗଳ ହେଇଚନ୍ତି. . . ପାଗଳ ହେଉ ହେଉ, ପାରାଲିସିସ୍‌ରେ ପଡ଼ି ମୂକ ପାଲଟିଚନ୍ତି ।”

ଲୁହର ଝଡ଼. . . ଏବେ ଲୁହର ବନ୍ୟା ଯେପରି ।

କୂଳକିନାରା ମାନୁ ନାହିଁ- ଚନ୍ଦ୍ରକାନ୍ତା ଆଖିରେ ।

ଗୁଡୁନୁ. . . ସେଇ ସାନ ଝିଅଟି, ବଡ଼ କଥାଟିଏ କହୁଚି- ତାହା ଧୈର୍ଯ୍ୟର ସବୁ ବନ୍ଧବାଡ଼ ଭାଙ୍ଗି ଦେଉଚି ।

“. . . ଆଣ୍ଟି ! ମୋ ଡାଡୀ ତୁମକୁ ବହୁତ ଝୁରୁଚନ୍ତି । ଏବେ ବି ଝୁରୁଚନ୍ତି । ଚନ୍ଦ୍ରା ଚନ୍ଦ୍ରା ବୋଲି ସମସ୍ତଙ୍କୁ ଡାକିଚନ୍ତି । ମୋତେ ବି. . . ମମୀକୁ ବି । ଯାହାକୁ ଦେଖିଚନ୍ତି ତମପରି. . . ଚନ୍ଦ୍ରା ଚନ୍ଦ୍ରା କହି, ମୂର୍ଚ୍ଛା ଯାଇଚନ୍ତି । ତମକୁ ଖୋଜି ଖୋଜି ଥକି ପଡ଼ିଲା ପରେ. . . ଡାଡୀଙ୍କର ଏପରି ଦଶା ।”

ଗୁଡୁନୁର ଆଖି ଲୁହରେ ପୁରି ଆସିଲା. . . ଶବ୍ଦ ଏପଟ ସେପଟ ହେଲା ।

ତା’ ମମୀ କହିଲେ-

“. . . ତମ ବିବାହ ବେଦୀକୁ ଯିବା ଆଗରୁ, ମୁହଁ ହିଁ ୟା’ଙ୍କୁ ମୋ ଲୋକ ଲଗାଇ, ଉଠାଇ ଆଣିଥିଲି ଦିଦି । ତାଙ୍କର ପ୍ରତିଭା ମୋତେ ପାଗଳ କରିଥିଲା । ଜାଣି ନ ଥିଲି ଯେ. . . ତମେ ଦୁହେଁ ଆଗରୁ ସହମତିର ଜୀବନ ଜୀଇଁଥିଲ । ତମ ଜୀବନରେ ଯାହା ଯାହା ଘଟିଗଲା. . . ସେ ପାଇଁ ମୁଁ ଅପରାଧୀ । ଅମ୍ଳାନଙ୍କର ଟିକେ ବି ଦୋଷ ନାହିଁ ।”

. . . ମୁଁ ତାଙ୍କର ସ୍ତ୍ରୀ ହେଲି ସିନା. . . ସେ କେବେ ବି ମୋର ସ୍ୱାମୀ ଅର୍ଥରେ ସ୍ୱାମୀ ହେଲେ ନାହିଁ । ନିଜର ଝିଅକୁ ବି ନାଁ ଦେଲେ- ଚନ୍ଦ୍ରା ! ଅହରହ ତାଙ୍କର ଅନ୍ତରାତ୍ମା ଗୋଟିଏ ନାରୀକୁ ହୃଦୟଭରି ଭଲ ପାଉଥିଲା. . . ସେ ତମେ ।

. . . ହାତ ଯୋଡୁଚି, ଗୋଡ଼ ଧରୁଚି । କ୍ଷମା ମାଗୁଚି । ତମର ଅମ୍ଳାନ. . . ଚିରକାଳ ଅମ୍ଳାନ । ତାଙ୍କୁ ଶାନ୍ତିଦିଅ ଦିଦି ।

ଚନ୍ଦ୍ରକାନ୍ତା ଥରି ଥରି, କାନ୍ଦି କାନ୍ଦି, ଅମ୍ଳାନ ପାଖକୁ ଗଲା ଓ ତା’ ବେକରେ ଫୁଲ ମାଳାଟିକୁ ଲମ୍ୱାଇ ଦେଲା କ୍ଷଣି. . . ଥରି ଉଠିଲା ସେହି ପ୍ରସ୍ତର ମୂର୍ତ୍ତି ପରି ଦେହ । ପ୍ରାଣହୀନ ପରି ଦେହରେ. . . ଜୀବନ ପଶିଗଲା ଯେପରି ।

ଜଣେ ମୁଗ୍ଧ ପ୍ରେମିକର ହାତ ପରି, ତାହାର ଅଚଳ ହାତ ଦୁଇଟି ସଚଳ ହେଇ, ଚନ୍ଦ୍ରକାନ୍ତାଙ୍କୁ ଆଲିଙ୍ଗନ କଲେ । ନିବିଡ଼ ଆଲିଙ୍ଗନ. . . । ସମ୍ପୂର୍ଣ୍ଣ ଆଲିଙ୍ଗନ . . . ।

. . . କିନ୍ତୁ ଚନ୍ଦ୍ରକାନ୍ତା, ତାକୁ ଚୁମାଟିଏ ଦେଲା ନାହିଁ । ଦେଇପାରିଲା ନାହିଁ । ଯାହା ପାଇଁ ଯେତେ ଘୃଣା. . . ତାହା ପାଇଁ ସେତେ ଲୁହ ତା’ ଆଖିରେ । କେବଳ ଲୁହ ।

ଲୋକପ୍ରିୟ ଲେଖା

To Top