ଗଳ୍ପ

ପରାଜିତ ଈଶ୍ୱର

Pradip Nayak's odia story Paraajita Ishwara

ସିଏ ଆଜିବି ବୁଝେ ଈଶ୍ୱର ହଉଚି ମଣିଷର ଏକମାତ୍ର ପ୍ରତିବାଦୀ, ପ୍ରତିଦ୍ୱନ୍ଦ୍ୱୀ । ସବୁବେଳେ ସେ ଚାହେଁ ପ୍ରତିପକ୍ଷ ଦୁର୍ବଳ ହଉ ।

ପରାଜିତ ଈଶ୍ୱର

-: ପୂର୍ବରୁ :-

ଗହଳି ଭିତରେ ମାନସ ମନକୁ ମନ ଟାଣି ହେଇ ଯାଇଚି ସୁରକି ଆଡ଼କୁ । ବର ବରଣି ବେଳର ଗହଳି । ଠେଲାପେଲା କନିଆ ଘର ଲୋକେ । ବାରିକ, ବ୍ରାହ୍ମଣ ଠେଲି ଆସୁଛନ୍ତି ପାଲିଙ୍କି ଆଡ଼କୁ । ମାନସର ଖୁବ୍ ନିକଟରେ ସୁରକି ଓ ତା’ର ଦେହ । ସିଏ ସୁରକିକୁ ନିଜ ଆଡ଼କୁ କୋଳେଇ ଆଣିବାକୁ ଯାଉଚି. . . ।

ଧଡ଼ାସ୍-ସ୍-ସ୍ !

ବର ପାଲିଙ୍କି ପାଖରେ ହଇଚଇ । କ’ଣ ହେଲା, କ’ଣ ହେଲା ?

କାହାରି ତ କିଛି ହେଲା । ବରର ପାଦଧୂଅ, ବରଣି, ପଛକୁ ପଛ ଯାହା ଯାହା ଚଳଣି ସବୁ ହେଲା । କିଛି ବି ଅଟକି ନାହିଁ । କେବଳ ଅଟକିଚି ମାନସ ଛାତିର ସ୍ପନ୍ଦନ । ମାଲିକର ମୁଥ, ଚାପୁଡ଼ା, ଗୋଇଠା ସବୁଗୁଡ଼ା ଧୂମ୍ଧୂମ୍ ବସି ଯାଉଚି ତା’ ଉପରେ । ମାଡ଼ଖାଇ ବାପାଲୋ’-ବୋଉଲୋ’ ରଡ଼ି ଛାଡୁଚି ସିଏ । ଏ ଗାଲକୁ ଆଉଁସି ଦେଲା ବେଳକୁ ଆର ଗାଲରେ ସଟାକ୍ । ଆଃ. . . ଆଃ. . . ହେଇ ଗଡ଼ି ଯାଇଚି ମାନସ । ରାସ୍ତା ଉପରେ ଝାଡ଼ବତୀଟା ଖସି ଚୁନାଚୁନା ହେଇ ବିଛେଇ ପଡ଼ିଚି । ଘେରି ଦେଖୁଥିବା ଲୋକମାନଙ୍କର ସମବେଦନାହୀନ ଆଖି, ବେପରୁଆ ଭାବରେ ଚାଲି ଯାଉଥିବା ଭାବ ମାନସକୁ ଲଜ୍ଜା ସମୁଦ୍ରରେ ଫୋପାଡ଼ି ଦଉଚି । ଟିକିଏ ଦୂରରେ ବେଦନାଭରା ଚାହାଁଣିରେ ଠିଆ ହେଇଚି ସୁରକି । ଗୁଡ଼ାଏ ତାତ୍ସଲ୍ୟ ଭିତରେ ସମବେଦନାର ଦୁଇଟି ଆଖି ମାନସକୁ । ପୌରୁଷକୁ ଆହୁରି ଯନ୍ତ୍ରଣା ଦଉଚି । ଇଚ୍ଛା ହଉଚି ତା’ ନିଜ ଯନ୍ତ୍ରଣା ପାଇଁ ନୁହଁ ବରଂ ସବୁ ବିନୟ ପ୍ରକାଶ କରି କହନ୍ତା ସୁରକିକୁ ଏମିତି ଦୁଃଖୀ କରାନଯାଉ ।

ସେଇ ଘଟଣା ପରଠୁ ମାନସ ଛାଡ଼ି ଦେଇଚି ବ୍ୟାଣ୍ଡ୍‌ପାର୍ଟି କାମ । ସୁରକିଠୁ କାମରେ ଦୂରେଇ ଗଲେ ବି ମନରେ ଆହୁରି ନିକଟତର କରି ରଖିଚି । କେତେବେଳେ କେମିତି ଅନ୍ୟ କାମଧନ୍ଦାରୁ କିଛି ପଇସା ହାତକୁ ଆସିଗଲା ତ ସୁରକି ପାଇଁ କିଣିଚି ଡ୍ରେସ୍, ଚପଲ, ଅନ୍ତର୍ବସ୍ତ୍ର, କ୍ରିମ୍ ଇତ୍ୟାଦି । ତା’ ହାତରେ ଜିନିଷ ସବୁକୁ ଦେଖି ଦେଲେ ସୁରକି ଆକଟ ମିଶା ପରିହାସ କଲେ- କ’ଣ ବାହାଘର ଆଗରୁ ସବୁ ପଇସା ସାରିଦେବ ନା କ’ଣ ? ଆମ ପିଲାପିଲିଙ୍କ ପାଇଁ କିଛି ରଖିବ ନା- ନାଇଁ ?

ସୁରକି ପଚାରେନା ବ୍ୟାଣ୍ଡ୍‌ପାର୍ଟି ଛାଡ଼ିବା ପରେ ମାନସ କ’ଣ କରୁଚି ? କେତେ ରୋଜଗାର କରୁଚି ? ସଂସାରକୁ ଚଳେଇ ପାରିବ କି- ନା ? କେବଳ ତା’ ଝୁମ୍ପୁଡ଼ି ଘରକୁ ପ୍ରୀତିର ଫୁଲ ପାଖୁଡ଼ାରେ ରାସ୍ତାଟିଏ ସଜେଇ ଦିଏ ମାନସ ପାଇଁ । କଥା ହେଉଥିଲାବେଳେ ଏତିକି କହେ- ତମେ ମର୍ଦ୍ଦପୁଅ, କିଛି ବି ରୋଜଗାର ନକର, ମୁଁ ମନଦୁଃଖ କରିବିନି । ହେଲେ ବ୍ୟାଣ୍ଡ୍‌ପାର୍ଟି ଛାଡ଼ି ଦେଇଚ ସେତିକି ମୋ ପାଇଁ ଗର୍ବ । ଏତିକିରେ ମାନସ ଛାତି କୁଣ୍ଢେମୋଟ ହେଇଯାଏ । ସୁରକିକୁ ନିଜ ଆଡ଼କୁ ଟାଣି ଆଣି ଚୁମା ଦିଏ । ତା’ ହାତ ପହଁରିଯାଏ ସୁରକିର ଦେହ ବଲ୍ଲରୀରେ । ତା’ ପାଗଳା ହାତକୁ ନିଜ ଛାତି ଉପରେ ଜାବୁଡ଼ି ଧରେ ସୁରକି । ମାନସ ସୁରକି ଝୁମ୍ପୁଡ଼ିରୁ ଫେରେ ।

ସତକୁ ସତ ବ୍ୟାଣ୍ଡ୍‌ପାର୍ଟି ଛାଡ଼ିବା ପରେ କାମଧନ୍ଦା କିଛି ନାହିଁ । ମନଟା ଛଟପଟ । ଘର ଭିତରେ ବୁଢ଼ାର ଗାଳି, ବୋଉର ଶୁଖିଲା ମୁହଁ ଏସବୁ ଭଲ ଲାଗେନା ମାନସକୁ । ତା’ ଭିତରେ ଗୋଟେ ଗୋଟେ ମଧୁର କୋଳାହଳ ତାକୁ ଏସବୁରୁ ଅନ୍ୟମନସ୍କ କରି ପକାଏ । ଆତ୍ମା ଭିତରେ ତୁହାଇ ତୁହାଇ ଉଠେ, ହେ ଈଶ୍ୱର ! ଏ ଦୁନିଆଁରେ ତମରି ପୂଜା କେବଳ ଲୋଭ ଆଉ ମୃତ୍ୟୁ ପାଇଁ । ଏବେ ତ ମୁଁ ଏସବୁକୁ ପାର କରି ସାରିଲିଣି । ଏଠି ତ ଯେତେ ଅଛନ୍ତି ସମସ୍ତେ ତମରି ସ୍ତୁତି ଗାନରେ ମାତିଚନ୍ତି । ସେମାନେ ସମସ୍ତେ ଭୟରୁ ହିଁ ଏମିତି ଭକ୍ତି କରୁଛନ୍ତି । ମୋତେ କିନ୍ତୁ ଆଉ ଫସାଅନି ଈଶ୍ୱର, ମୁଁ ତମ ପାଲରେ ଆଉ ପଡ଼ିବିନି । ନା-ମୋର ମୃତ୍ୟୁର ଭୟ ଅଛି, ନା ଅମରତ୍ୱର ଲୋଭ । ଆଶାତୁର ମଣିଷମାନେ ତ ଈର୍ଷା ଆଉ ଅହଂକାରର ଉପାସକ । ଏମାନଙ୍କ ମଝିରେ ରହି ମୋ ସୁରକି କଥା ଚିନ୍ତା କରିବାକୁ କେହି ନାହିଁ । ତା’ ଚିନ୍ତା କରିବାକୁ ହେଲେ ମୋତେ ହିଁ କିଛି ଗୋଟାଏ କରିବାକୁ ହେବ ।

ମାନସ କୋଇଲା ଡିପୋରେ କାମ କରିବାକୁ ରାଜି ହେଇଚି । ଅଳ୍ପ ଦରମାରେ ହଉ ପଛେ ସକାଳୁ ସଞ୍ଜ ଘରଠୁ ମୁକ୍ତି । ସଞ୍ଜକୁ କଳାଭୂତ ହେଇ ଫେରିବା ବେଳେ ବୋଉର ବିକଳ ଚାହାଁଣି, ବୁଢ଼ାବାପାର ବଙ୍କା ତେଢ଼ା କଥା କାନରେ ପଡ଼େ । ତାକୁ ଲାଗେ ଏସବୁଥିରୁ ମୁକ୍ତି କିଏ ଦବ ? କଉ ଉପାସନା ପୀଠ, ମଠ, ମନ୍ଦିର ନା- ସୁରକିର ଝୁମ୍ପୁଡ଼ି ? କିଏ ତା’ ମନରେ ଟିକିଏ ଶାନ୍ତି ଦବ ? ମନେ ମନେ ସ୍ଥିର କଲା ଏବେ ସୁରକିର ଝୁମ୍ପୁଡ଼ି ନୁହଁ ବରଂ ସୁରକି କି ନେଇ ଆସିବାକୁ ହବ ନିଜ ପାଖକୁ । ଏମିତିରେ ତା’ ବୟସ ବି ଗଡ଼ିଯାଉଚି । ତା’ର ମାଆ ମରିଗଲା ପରେ ପରେ ସିଏ ଏକଲା ।

ମାନସ ରାତିରେ ଖୁବ୍ ଗଭୀର ନିଦରେ ଶୋଇବାକୁ ଚେଷ୍ଟା କରେ । ଦିନର କ୍ଳାନ୍ତିକୁ ଭୁଲିଯିବାକୁ ଚାହେଁ । କିନ୍ତୁ ଏଇସବୁ ଚିନ୍ତା ମୁଣ୍ଡରେ ପଶିଗଲେ ନିଦ କୁଆଡୁ ଆସନ୍ତା । ପୁଣି ସକାଳୁ ଡିପୋକୁ ବାହାରିଗଲେ ସବୁ ଭୁଲି ଯାଏ । ଡିପୋରେ ଯେତେବେଳେ ବିଶେଷ କାମ ନଥାଏ ସେ ବସି ବସି ବୁଝିବାକୁ ଚେଷ୍ଟା କରେ ଈଶ୍ୱରଙ୍କୁ । ତାଙ୍କ ସ୍ଥିତି କ’ଣ ? ରଙ୍ଗ କ’ଣ ? ଲାଗେ ସବୁ ରଙ୍ଗକୁ ମିଶେଇ ଦେଲେ ଯାହା ଦିଶେ ସେମିତି । କୋଇଲା ଧୂଳି ପଟଳ ପରି କୁହୁଡ଼ିଆ, ଅସ୍ପଷ୍ଟ । ସ୍ଥିତି ମଧ୍ୟ ଏକାପରି । ସେଠୁ ମନ ଫେରାଏ ସୁରକି କଥାକୁ । ତା’ର ଗୋଟାଏ ରଙ୍ଗ ଅଛି । ଅଛି ବି ସ୍ଥିତି । ବେଳ ଅବେଳରେ ତା’ଠୁ ଆଶ୍ୱାସନାର ପାଣି ଗ୍ଲାସଟେ ମିଳିବାର ସମ୍ଭାବନା ମଧ୍ୟ ଅଛି । ହେଲେ ଈଶ୍ୱରଙ୍କଠାରୁ କ’ଣଟା ମିଳିବ । କିଛି ନୁହଁ ।

ବହୁ ଭାବିଚିନ୍ତି ସୁରକି କି ଘରକୁ ଆଣିବା ସ୍ଥିର କରି ସାରିଚି । ମାନସ ଏକଥା ଘରେ ମଧ୍ୟ ଜଣେଇ ଦେଇଚି । ପରବାଏ କରିନି କିଏ କ’ଣ କହିବ ବୋଲି ? ହଁ ଆହୁରି ଜଣେଇ ଦେଇଚି, ପଇସା ନାହିଁ । ତେଣୁ ବାଣ ରୋଷଣି, ଭୋଜିଭାତ କିଛି ହବନି । ସୁରକି କି କହିଚି ସବୁ ନାହିଁ ନାହିଁ ଭିତରେ ଗୋଟିଏ ସତ ଯେ ତୁ ଅଛୁ ମୁଁ ଅଛି । ଆମ ଘରକୁ ତତେ ନେଇଯିବି ।

ଘର ଭିତରେ ମାନସ ଶୁଣେ ବୁଢ଼ାବୁଢ଼ୀ ଦି’ଜଣଙ୍କର ତା’ ବାହାଘର ନେଇ ଟଣାଓଟରା । ବୁଢ଼ା କହୁଚି- “ଜାତି ନାହିଁ, ପତି ନାହିଁ, ବାରବୁଲି ହୋଇ ଝିଅଟା କୁଆଡ଼େ ବୁଲୁଥେଲା । କ’ଣ ନା- ସିଏ ହବ ବୋହୂଃ !” ବୁଢ଼ୀ କହୁଚି- “ପୁଅ ତ କହୁଚି ବେଦୀ ବନ୍ଦାପନା ନାହିଁ କି ଭୋଜିଭାତ । ବ୍ରାହ୍ମଣ ଆସିବେନି । କ’ଣ ନା ବାହାଘର ! ଛି !”

ମାନସ ବସି ବସି ସବୁ ଶୁଣେ । ସେଇ ପୁରୁଣା କଥା, ପୁରୋହିତ, ମନ୍ତ୍ରପାଠ, ହୋମ, ହାତଗଣ୍ଠି ୟା’କୁ ଛାଡ଼ି ଲୋକଗୁଡ଼ା ଆଉ କିଛି ଭାବି ପାରନ୍ତିନି । ଏସବୁରୁ କ’ଣ ମୁକ୍ତି ନାହିଁ । ମନଟା ଚିଡ୍-ଚିଡ୍ । ନା, ଏସବୁ କିଛି ବି ହବ ନାହିଁ । ଯାହା ବି ହେଇଯାଉ, ସିଏ ଆଜିବି ବୁଝେ ଈଶ୍ୱର ହଉଚି ମଣିଷର ଏକମାତ୍ର ପ୍ରତିବାଦୀ, ପ୍ରତିଦ୍ୱନ୍ଦ୍ୱୀ । ସବୁବେଳେ ସେ ଚାହେଁ ପ୍ରତିପକ୍ଷ ଦୁର୍ବଳ ହଉ । ତାକୁ ଈଶ୍ୱର କରି ଉଚ୍ଚରେ ବସଉ । ତା’ ପାଖରେ ହାତଯୋଡ଼ି ରହିଥାଉ ।

ମାନସ ଭିତରକୁ ପଶିଆସୁଚି ତା’ ଅତୀତ କୈଶୋର । ପ୍ରତିବାଦ କରିଉଠୁଚି ମନ । ସ୍ୱତଃ ତା’ ପାଟିରୁ ବାହାରି ଯାଉଚି ନା-ନା-ନା ।

ସିଏ ଆଜିଯାଏ ଯେତେଥର ଭାବିଚି ସେଇ ବ୍ୟାଣ୍ଡ୍‌ପାର୍ଟି ବେଳର ଘଟଣାକୁ ସେତେଥର ଶେଷ ବିନ୍ଦୁରେ ପହଞ୍ଚିଛି ଯେ ସେଇଦିନ ତା’ ମୁଣ୍ଡ ଉପରର ଝାଡ଼ବତୀ ତା’ ଅସାବଧାନତାର ସୁଯୋଗ ନେଇ ଯେଉଁ ଜଣକ ଠେଲି ଖସେଇ ଦେଇଚି ତଳକୁ । ସେ ଲୋକ ଅନ୍ୟ କେହି ନୁହେଁ ଈଶ୍ୱର ହିଁ ! ସିଏ ହିଁ ତା’ ଭଲ ପାଇବା, ତା’ ସୁଖଶାନ୍ତିର ପ୍ରତିବାଦୀ । ଈର୍ଷାକାରୀ ! ତା’ ନହେଲେ ଅନ୍ୟ କାହା ମୁଣ୍ଡରୁ ଏମିତିକି ସୁରକି ମୁଣ୍ଡରୁ ବି ଖସି ନାହିଁ ଝାଡ଼ବତୀ । ଏମିତିକି ତା’ ଜୀବନର ଏମିତି ଗୋଟେ ମୁହୂର୍ତ୍ତରେ. . . । ସତରେ ମଣିଷକୁ ଦୁଃଖ ଦେଇ ସେ ଦୁଃଖହାରୀ । ଦୈନ୍ୟତା ଦେଇ ଦୀନବନ୍ଧୁ । ମାନସ ଭିତରର ଝଡ଼ ତାକୁ ବିକ୍ଷୁବ୍ଦ କରି ଦେଇଚି । ସେ ଭୁସ୍ କରି ଉଠିଲା ବସିବା ସ୍ଥାନରୁ । ଆଉ ଚାଲିଲା । ସୁରକି ଘର ଯାଏ କେମିତି ଆସିଲା ସଚେତନ ନୁହଁ । ଘର ଭିତରକୁ ନଇଁ ନଇଁ ପଶିଗଲା । ଅଳ୍ପ ଅନ୍ଧାର ଭିତରେ ସୁରକି ଶୋଇଚି । ହୁଏତ ଆଜି କାମ ନାହିଁ । ନ ହୁଏତ ଗତକାଲି କଉ ପାର୍ଟି କାମରେ ରାତି ବିଳମ୍ୱରେ ଘରକୁ ଫେରି ଦିନବେଳା ବିଶ୍ରାମ ନଉଚି । ତାକୁ ଏମିତି ଏକଲା ଝୁମ୍ପୁଡ଼ି ଭିତରେ ଆଉ ରହିବାକୁ ଦବ ନାହିଁ । ବୋଉର ବେଦୀବନ୍ଧା, ପୁରୋହିତ, ମନ୍ତ୍ରପାଠ ପୂର୍ବରୁ ହିଁ ସୁରକି ବୋହୂ ହବ । ସୁରକି ଘରକୁ ଗଲାପରେ କଉଠି କରିବ କରୁ ସେ ବେଦୀ ବନ୍ଦାପନା, ହୋମ, ହାତଗଣ୍ଠି ।

ମାନସ ସୁରକି ପାଖରେ ବସିଲା । ଖଣ୍ଡେ ପତଳା ଚଟେଇ ବିଛେଇ ମାଟି ଚଟାଣ ଉପରେ ଶୋଇଚି ସୁରକି । ସିଏ ତା’ ଆସିବା କାରଣ ମଧ୍ୟ କହିଲା । ହାତଧରି ବସେଇଲା, ସୁରକି ଉଠୁ ଉଠୁ ଟିକେ ମୁରୁକି ହସି ଦେଲା । କାହିଁକି କେଜାଣି ସବୁଦିନ ତା’ ମୁହଁକୁ ଦେଖୁଥିବାବେଳେ ଆଜିର ଏ ହସଟା ତା’ ଆଖିକି ଭାରି କୁହୁଡ଼ିଆ ଲାଗିଲା । ମାନସ କେବଳ ଚାହିଁ ରହିଚି । ହଜାରେ ପ୍ରଶ୍ନବାଚୀ କିଏ ଯେମିତି ଟଙ୍ଗେଇ ଦେଇଚି ତା’ ମୁହଁରେ । ସୁରକି ସେମିତି ହସୁଚୁ । ଉଠି ବସିଲା ପରେ ସିଏ ମାନସ କାନରେ ଏମିତି ଗୋଟାଏ କଥା କହିଲା ଯାହାକୁ ଶୁଣୁ ଶୁଣୁ ମାନସ ଛାତି ଭିତରେ ମଧୁର ବିସ୍ଫୋରଣ । ଖୁସିରେ ପାଗଳ ପ୍ରାୟ । ମାନସ ଆନନ୍ଦ ଗଦ୍ ଗଦ୍ ହୋଇ ପଚାରିଲା- “କେତେ ମାସ ?”

– “ତିନି ମାସ ।”

– ତା’ହେଲେ ଏବେ ଆମେ ଦୁଇରୁ ତିନି । ବାହାଘର ଆଉ କ’ଣ ଦରକାର । ମାନସ ହସିଲା ବିଜୟୀର ହସ । ତା’ର ମନେହେଲା ସେ ପ୍ରଥମ ଥର ପାଇଁ ଈଶ୍ୱରଙ୍କୁ ପରାସ୍ତ କରି ପାରିଚି ।

ଲୋକପ୍ରିୟ ଲେଖା

To Top