ଗଳ୍ପ

ପରାଜିତ ଈଶ୍ୱର

Pradip Nayak's odia story Paraajita Ishwara

ଶଳା ଅଜନ୍ମା, କାହା ଅଭିଶାପରୁ ତୁ ଆସି ମୋରି ଘରେ ଜନ୍ମ ନେଲୁରେ ହତାଭାଗା । ଦିନ ଆଠଟା ଯାଏ ଶୋଇବୁ ।

ପରାଜିତ ଈଶ୍ୱର

ମାନସ ସ୍ୱପ୍ନ ଦେଖୁଚି ସିଏ ମରିଯାଇଚି । ସୁତରାଂ ସିଏ ନିଦରେ ଖୁସି । ଅବଶ୍ୟ ତା’ ଖୁସି ଆଉ କିଏ ଦେଖିଚି ସେମିତି କିଛି ତା’ର ମନେ ପଡୁନି । କିନ୍ତୁ ସିଏ ଖୁସି ହଉଚି । ଖୁସିର ଶବ୍ଦଗୁଡ଼ା ତା’ ପାଟିରୁ ବାହାରି ପବନରେ ମିଶିଯିବା ପୂର୍ବରୁ କିଛି ଅଂଶ ସିଏ ଶୁଣିପାରୁଚି । ଠିକ୍ ସେତିକିବେଳେ ନିଦ ଭାଙ୍ଗୁଚି । ନିଦ ଭାଙ୍ଗିଯିବା ନେଇ ସିଏ କମ୍ ମନଦୁଃଖ କରିନାହିଁ । ସତରେ ଏମିତି ଗୋଟେ ସ୍ୱପ୍ନ ଭାଙ୍ଗିଯିବାର ନଥିଲା ।

କେଇ ଘଡ଼ି ଦିନ ଯାଏ ସ୍ୱପ୍ନର ସେଇ ସୁଖଦୁଃଖ ମିଶ୍ରିତ ଅନୁଭବରୁ ତା’ର ମୁକ୍ତି ନାହିଁ । ଏମିତିକି ଏବେବି ଭାବୁଚି ସିଏ ମରି ଯାଇଚି । ଏବଂ ଖୁସି ଅଛି । ମାନସ ବୋଲି କେହି ଜଣେ ଥିଲା ବା ଅଛି ଏବେ ତା’ ଅନୁଭବର ବାହାରେ ।

ପାହାନ୍ତି ପହରରୁ ଗୋଟେ ଘୁଁ-ଘୁଁ ଶବ୍ଦ ପରିବାରର ସମସ୍ତଙ୍କ ନିଦ ଭାଙ୍ଗି ଦିଏ । ଅବଶ୍ୟ ଏସବୁ ଦେହସୁହା ହେଇଗଲା ପରେ ଏବେ ସେଇ ଶବ୍ଦର ବିରକ୍ତିକର ଉପଦ୍ରବ ମଧ୍ୟରେ ଶୋଇବାକୁ ପଡ଼େ । ଗ୍ରାଇଣ୍ଡର ଚଲାଇ ଯେଉଁ ପଞ୍ଚାବନ ବର୍ଷର ବୁଢ଼ୀ ଚକୁଳି ପାଇଁ ଆଣ ପ୍ରସ୍ତୁତ କରେ ସେ ଲୋକକୁ ଘରେ ବୋଉ କୁହାଯାଏ । ସେବତୀ, ଏ ଘରେ ତା’ର ଏବେକା ସ୍ଥିତି ଏହିପରି. . . ।

ବଡ଼ିଭୋରୁ ଚକୁଳି ପାଇଁ ଆଣ ବାଟେ । ଗୋଟେ ଚୁଲା, ତାଉଆ, ପାଣିଡ଼ବା ଆଉ ରାତିରୁ ସିଝେଇଥିବା ଆଳୁକୁ ସାଇକେଲ ପଛରେ ଲଦି ସୂଚନାଭବନ ପଛପଟ ଛକର ବଉଳଗଛ ମୂଳକୁ ଯାଏ । ଏସବୁ ଜିନିଷକୁ ସାଇକେଲରେ ଲଦି ସେଠି ପହେଞ୍ଚଇବା ଦାୟିତ୍ୱ ମାନସର । ଗଛ ମୂଳେ ସକାଳର ବେପାର ମେଲିଯାଏ । ତାଉଆର ତତଲା ତେଲ ଉପରେ ସେଁ-ସେଁ ହେଇ ଚକୁଳି ଆଣ ଲେସି ହେଇଗଲା ବେଳକୁ ସକାଳୁ ସକାଳୁ ମଜୁରୀ ପାଇଁ ସଜବାଜ ହେଇ ବାହାରୁଥିବା ମୂଲିଆ, କାମତୁଣୀମାନଙ୍କର ଭିଡ଼ ଲାଗିଥାଏ । ସହରିଆ ବାବୁମାନେ ସେଇଠୁ ନିଜ ମୂଲିଆଙ୍କ ପାଇଁ ଚକୁଳି, ଆଳୁଚକଟା ନେଇ ଯାଆନ୍ତି ।

ସେବ ବୁଢ଼ୀର ଚକୁଳି, ତା’ ସାଙ୍ଗକୁ ମସଲା ଦିଆ ଆଳୁ ଚକଟା ଖାଇବାକୁ ସକାଳ ପହରଟା ଭିଡ଼ ଲାଗେ । ବୁଢ଼ୀ ଗୋଟେ ପ୍ଲାଷ୍ଟିକ୍ ଡବାରେ ଠଣ ଠଣ କରି ପଇସା ପକେଇ ଦିଏ । କାଗଜ ନୋଟ୍ ଗୁଡ଼ାକୁ ଓଦା ସରସର ହାତରେ ଧୁଡୁଧୁଡୁ ଛାତିର ଜାମା ତଳେ ଗୁଞ୍ଜି ଦିଏ । ଜାଣେ ଡବାରେ ଟଙ୍କା ରହିବ ତ ମାନସ ହାତରୁ ନିସ୍ତାର ନାଇଁ । ଆଉ କେତେଥର ସେମିତି ଯେ ନ ହେଇଚି ନୁହେଁ । ସେମିତି ହେଲେ ପରିବାରର ଅଖ ଚକ ସବୁ ବନ୍ଦ ।

ପ୍ରତି ସକାଳୁ ମାନସ ନାମକ ଯୁବକଟି ଆଖି ମଳିମଳି ଉଠେ । ପ୍ରଚୁର ନିଦ ଆଖିରେ ବୋଳି ହୋଇ ରହିଥାଏ । ତଦ୍ଜନିତ ବିରକ୍ତିଭାବ ନିରବରେ ଟହଲ ମାରୁଥାଏ ମୁହଁ ଉପରେ, ତା’ ଅଳସ ଅଳସ ଦେହ ଉପରେ । ତଥାପି ସେ ନିଃଶବ୍ଦରେ ଉଠେ । ସାଇକେଲକୁ ଥରେ କଚାଡ଼ି ଦେଇ ଚକାକୁ ଦେଖେ । ସବୁ ଜିନିଷକୁ ମାପଚୁପ କଲାପରି ଅଭ୍ୟସ୍ତ ହାତରେ ରଖେ ସାଇକେଲ ପଛରେ ଓ ଗଡ଼ାଏ ଛକ ଯାଏ । ଯଦି ସେତିକି କାମରେ ଟିକେ ବିଳମ୍ୱ ହୁଏ ଅବଶିଷ୍ଟ ବଞ୍ଚିଥିବା ମାନସକୁ ମରିଯିବାକୁ ସଅଁପେ ବୁଢ଼ା ଦିବାକର । ବଡ଼ପାଟିରେ ତଡ଼େ- ଶଳା ଅଜନ୍ମା, କାହା ଅଭିଶାପରୁ ତୁ ଆସି ମୋରି ଘରେ ଜନ୍ମ ନେଲୁରେ ହତାଭାଗା । ଦିନ ଆଠଟା ଯାଏ ଶୋଇବୁ । ଏଡ଼େ ଭେଣ୍ଡାଟାକୁ ଏ ବୟସରେ ଆମକୁ ପୋଷିବାକୁ ଭାଗ୍ୟରେ ବିଧାତା ଲେଖିଚିରେ. . . ।

ଦିବାକର ! ଇଏ ଆଉ ଗୋଟାଏ ଗ୍ରହ । ପାକଳ, କଠୋର ଗ୍ରହ । ଦଶ କୋଡ଼ିଏ ବର୍ଷରୁ ମାନସ ଦେଖି ଆସୁଛି ଏ ବୁଢ଼ାକୁ । ଯେମିତି ଚେହେରା ସେମିତି ବ୍ୟବହାର । ଚିକ୍କଣ କଳା, ଠେଙ୍ଗଣ ବୁଢ଼ା । ବୟସ ସତୁରି ଉପରେ, ଅବିକା ଇଟା ଖଣ୍ଡେ ଉଠେଇବାର ଜୁ’ ନାଇଁ କିନ୍ତୁ ପଥରଟାଏ ମାରି ଘାଇଲା କରି ଦେବାର ପୂରାକୁ ପୂରା ଅଧିକାର ତା’ ହାତରେ । କିଏ ଦେଇଚି ଏ ଅଧିକାର ତାକୁ ଏସବୁ ପଚାରି ହୁଏନା । ଅଥଚ ଏମିତି ଗାଳି ଗୁଲଜ କରିବାର ପୂରା ସ୍ୱାଧୀନତା ତା’ ହାତରେ । ଓଃ ! ବେଳେବେଳେ ତ ବୁଢ଼ା ମୁହଁରୁ ଭାରି ଅଖାଡୁଆ କଥା ଗୁଳିପରି ବାହାରି ଆସି ବିନ୍ଧିଦିଏ ମାନସକୁ । ସେ କଥା ଶୁଣିଲେ ଜରଦା ପାନ ଚୋବେଇ ମୁଣ୍ଡ ଘୁରେଇ ଅନ୍ଧାର ମାଡ଼ି ଆସିଲା ପରି ଲାଗେ । ତଥାପି ମୁକ୍ତି ନଥାଏ ବୁଢ଼ାର ଦୌରାତ୍ମ୍ୟରୁ । ବୁଢ଼ା କିଏ କି ? ଘରେ କେହି ବି ତା’ ମୁହଁ ଉପରେ କଥା କହିବାର ହିମ୍ମତ ରଖିନାହାନ୍ତି କେମିତି ?

ମାନସ ଶୁଣିଚି, ବୁଢ଼ା ମହାନଗର ନିଗମରେ ଚାଳିଶ ବର୍ଷର ନିଷ୍ଠାପର ଝାଡୁଦାର । କିଛିବର୍ଷ ସଚିବାଳୟ ପରିସର ପୁଣି କିଛି ବର୍ଷ ବିଧାନସଭା ଗେଟ୍ ପାଖ ସଫା କରିବା ଦାୟିତ୍ୱରେ ଥିଲା । ବୁଢ଼ାର ନିଷ୍ଠାପର ଝାଡୁମରା ପାଇଁ ମୁନିସପାଲ୍ଟି ବାଲା ତାକୁ ଇମାନ୍ଦାର ସାର୍ଟିଫିକେଟ୍ ଦେଇଛନ୍ତି । କଉ ଗୋଟେ ବିଦେଶ ମନ୍ତ୍ରୀ ବିଧାନସଭାକୁ ପଶୁ ପଶୁ ସଫେଇକୁ ଦେଖି ତାରିଫ୍ କରିଥିଲେ । ଏବଂ ସେଇ ଶ୍ରେୟକୁ ବିକିଭାଙ୍ଗି ବୁଢ଼ା ଘର ଚଳେଇଥିଲା । ଏବେ ଅବସର ନେବା ପରେ ମାସକୁ ଦି’ହଜାର ପେନ୍‌ସନ୍ ବି ପାଉଚି । ହାଃ. . . ଇମାନ୍ଦାରୀ ! ପୁଣି ଝାଡୁମରାରେ ! ଗୋଟେ ବିଶିଷ୍ଟ କାମ କରି ପକେଇଚି ତ । ୟା’ ବଃ ଯାବତ୍ୟ ମଇଳା ସଫା କରି କରି ବୁଢ଼ାର ଦେହହାତ କାହିଁକି ପାଟିଟା ବି ମଇଳା ହେଇଯାଇଚି । ଆବର୍ଜନାରେ ପୂରି ଯାଇଚି । ନଇଲେ ଏମିତିକା ଗନ୍ଧିଆ କଥା କହନ୍ତା କି ? ମଢ଼କୁ ଶାଗୁଣା ଜଗିବା ପରି ଏବେ ଘରର ସବୁଥିରେ ତା’ର ଆଖି । କିଏ ଗଲା, କିଏ ଆଇଲା, କିଏ କ’ଣ କଲା ନକଲା, କ’ଣ ନ ହେଲା. . . ଓଃ !

ସକାଳ ହେଲେ ବୁଢ଼ା ପୁରୁଣା ଅଭ୍ୟାସର ପୁନରାବୃତ୍ତି କରେ । ଝାଡୁ ଧରି ଘର ବାହାର ଝାଡୁ କରେ । ଚା’ ବିସ୍କୁଟ୍ ଖାଇ ବସିଯାଏ ପ୍ୟାକିଂ କାମରେ । କଉ ଗୋଟେ କମ୍ପାନୀର ଜିନିଷକୁ ଜରିରେ ପ୍ୟାକିଂ କରେ । ମୁଦ ଦିଏ । କିଛି ପଇସା ଆସିଗଲେ ହାତକୁ, ଅନ୍ୟମାନଙ୍କ ଉପରେ ତାଉ ଖାଏ- ହେଇ ଦେଖ. . . ଦେଖ, ଭଗବାନ ହାତଗୋଡ଼ ଦେଇଚି । ଚଳିବା ଯାଏ କାମରେ ଲାଗିଚି । ବସି ଖାଇଲେ ବେମାର ହବନି । ଏକଥା କାହାକୁ କହେ । କିଏ ବୁଝୁ କି ନ ବୁଝୁ ମାନସ ବୁଝେ । କଥା ନୁହଁ ତ ସହସ୍ରମୁଖୀ ତୀର । ବୁଢ଼ା କ’ଣ ରାମାୟଣ ଯୁଗରେ ଜନ୍ମି ଥିଲା କି ? କଉଠୁ ପାଇଲା ଏ ତୀର ? ଟିଭିରେ ଦେଖିଚି ରାମ ରାବଣ ଯୁଦ୍ଧ ବେଳେ କିଏ ଗୋଟା ତୀର ମାରୁଚି, ଅଥଚ ସେଇଟା ଉପରକୁ ଉଠି ଶହେଟା ହେଇଯାଉଚି । ବୁଢ଼ା ସେମିତି ବିଦ୍ୟା ହାସଲ କରିଚି କି ? ଏମିତି ତୀରରେ ବୁଢ଼ୀ ମଧ୍ୟ ବେଳେବେଳେ ଘାଇଲା । ଭଉଣୀ ରେବତୀ ଆଉ ମାନସ ଏମାନେ ଜୀବନ୍‌ମୃତ । ଏବେ ରେବତୀ ନାହିଁ । ବାହା ହେଇ ଚାଲିଗଲାନି ଯେ ବୁଢ଼ା ଦାଉରୁ ରକ୍ଷା ପାଇଗଲା ।

ମାନସ ମନେ ମନେ ଅରାଏ ଜାଗା ଖୋଜେ । ବାଡ଼ିପଟୁ ଦାଣ୍ଡପଟ । କଉଠି ହେଲେ ଫାଙ୍କା ନାହିଁ । କଉଠୁ କଉଠୁ ଗୋଟେଇ ଆଣି ବୁଢ଼ା କବାଡ଼ିବାଲାଙ୍କ ପାଇଁ ଗଦେଇଚି ଭଙ୍ଗା ସାଇକେଲ, ପୁରୁଣା କାଟୁନ, କାଚ ବୋତଲ, ଭଙ୍ଗା ଟିଣ, ରଦ୍ଦି ଲୁହା ଲକ୍କଡ଼ । ଅନେଇ ବସିଚି ସେଠୁ ବି ଦି ପଇସା ହାତକୁ ଆସିବ । ହେଲେ ମାନସ ଯେଉଁ କାମ ପାଇଁ ଜାଗା ଟିକେ ଖୋଜେ ସେମିତିକା ଜାଗା ପାଏ ନାହିଁ । ସମସ୍ତଙ୍କ ଦେଖିବା ପରି ଜାଗା । ଯେଉଁଠି ବୁଢ଼ାର ଗୋଟେ ଷ୍ଟାଚ୍ୟୁ ବନେଇବ । ଇଟା ପିଣ୍ଡି କରି ବୁଢ଼ା ମଲା ପରେ ତା’ ପ୍ରତିମୂର୍ତ୍ତି ଥୋଇବ । ଯିଏ ଆସିବ ସିଏ ଦେଖୁଥିବ । ମନେ ମନେ ହଉ ପଛେ କହୁଥିବ- ଆହାଃ. . . ଗାନ୍ଧୀବୁଢ଼ା ଜେରକ୍ସ କପି । ହା-ତ୍ ! ସେତକ ବି ୟା’ ଭାଗ୍ୟରେ ଜୁଟିବ କି ନାଇଁ । ବୁଢ଼ା ପଛରେ ମାନସ ଦାନ୍ତ କଡ଼ମଡ଼ କରେ- ମର୍ ମର୍‌ରେ ବୁଢ଼ା ତୁ । ଅନ୍ୟମାନଙ୍କୁ ମାରି ମାରି କେବେ ଆଉ ତୁ ମରିବୁରେ ।

ବୁଢ଼ା ମରେ ନାହିଁ କି ପ୍ରତିମୂର୍ତ୍ତି ତିଆରି ହେଇ ପାରେନା । କି ଅମରଲଡୁ ଖାଇଚି କି ବୁଢ଼ା ! ମନେହୁଏ ଈଶ୍ୱର ବୁଢ଼ା ସାଙ୍ଗରେ କିଛି ସଲାସୁତରା କରିଚି କି ! ସମସ୍ତଙ୍କୁ ନ ମାରିବା ଯାଏ ସିଏ ମରିବନି । ଏଇ ଯେମିତି ଈଶ୍ୱର ନିଜେ । କଉଠି ଅଛି ଜଣା ନାଇଁ । କାହାର କ’ଣ କରେ ଜଣା ନାଇଁ । ଅଥଚ ଯେଉଁଠିକି ଯାଅ, ଯାହା ପାଟିରେ ଶୁଣ ଭଗବାନ ଅଛନ୍ତି ପରା, ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି । ସିଏ ପରା ବଡ଼ଲୋକ । ଘୋଡ଼ା ଅଣ୍ଡା- ନା । ବଡ଼ଲୋକ. . . !

ଶଳେ କିଛି ଚାଟୁକାର ଅଛନ୍ତି । କଉ ମାନ୍ଧାତା ଅମଳର କଥା କହି କହି ଏତିକି ବୁଲେଇ ଭୂତେଇ ଏ ମଣିଷଗୁଡ଼ାଙ୍କୁ ରଖିଚନ୍ତି ଯେ କହିବାର ନୁହଁ । ଅଦେଖା ଅଶୁଣା କଥାକୁ ଏମିତି ଢଙ୍ଗରେ କହୁଛନ୍ତି ଯେମିତି ମଣିଷ କିଛି କରେ ନାହିଁ । ଯାହା କରେ ସେଇ ଈଶ୍ୱର । ସିଏ ନ ଚାହିଁଲେ ସୂର୍ଯ୍ୟଚନ୍ଦ୍ର ଆତଯାତ ହୁଅନ୍ତି ନାହିଁ । ଦିନ ରାତି ହୁଏ ନାହିଁ, ପବନ ବହେ ନାହିଁ । ସବୁ ବାଜେ କଥା । ମାନସକୁ ଲାଗେ ମଣିଷ ପରସ୍ପରକୁ ଈର୍ଷା କରୁଥିବା କାରଣରୁ ଏମିତି ହୁଏ । କେହି ମଣିଷ ଯଦି କିଛି କରୁଚି ତା’ ନାଆଁକୁ ପ୍ରଚାର କଲେ କାଳେ ସିଏ ବଡ଼ ହେଇଯିବ, ଦିଅ ଯାହା ହଉଚି ତାରି ମୁଣ୍ଡରେ ଶ୍ରେୟ ଢାଳି ଦିଅ, କଥା ଶେଷ । ଈଶ୍ୱରଃ !

କାଇଁ ମାନସ ପରି ଗୋଟେ ଭେଣ୍ଡିଆକୁ କିଛି ତ ଦେଇପାରିଲେ ନାହିଁ ଈଶ୍ୱର । ଧନ- ନା ମନ, ନା- ଆଉ କିଛି । ଦଶ ବାର ବର୍ଷ ବେଳୁ ବ୍ୟାଣ୍ଡ ପାର୍ଟିରେ ଝାଡ଼ବତୀ କାନ୍ଧେଇ ବୁଲିଲା । ଅନ୍ଧାରରେ ମୁହଁ ଲୁଚେଇ ଅନ୍ୟକୁ ଆଲୁଅ ଦେଖେଇଲା ଦୀର୍ଘ ଚାରିବର୍ଷ । କଉଠି ଧାଡ଼ି ଭାଙ୍ଗିଲା ତ ମାଲିକର ଗାଳି, ଲାତ । କଉଠି ଟ୍ରକ୍ ଡାଲାରେ ବୁହା ହେଲା ତ ଗାଡ଼ିରୁ ପଡ଼ି ଗୋଡ଼ ଭାଙ୍ଗିଲା । ରୋଷଣି ସାଙ୍ଗରେ ଚାଲିଚି ତ ଚାଲିଚି, ପେଟରେ ଭୋକ ମଲା । ପାଦ ବଥା ହେଲା ତ ବସିପଡ଼ିବାର ଜୁ’ ନାଇଁ । ବାସ୍ତବରେ ଯେଉଁ ବୟସ ଥକ୍କିବାର ବୟସ ନୁହଁ, ରଙ୍ଗୀନ୍ ପ୍ରଜାପତି ପରି ଉଡ଼ି ବୁଲିବାର, ସେଇ ବୟସରେ ସିଏ ଦିଶୁଥିଲା ଟି-ଟ୍ୱେଣ୍ଟିରେ ଛକା, ଚଉକା ମାଡ଼ ଖାଉଥିବା ବୋଲ୍ର ପରି । ମାଡ଼ ଖାଅ, ପୁଣି ବଲଧରି ଫେର ବୋଲିଂ ମାର୍କ ଉପରକୁ । ନିସ୍ତାର ନାହିଁ । ମାନସର ରାତି ଅନିଦ୍ରା କାରଣରୁ ଗୋଡ଼ହାତ କାଲୁଆ ମାରିଯାଏ । ଦେହ ମନ କ୍ଳାନ୍ତ ବିବଶ ହେଇପଡ଼େ । ମାଲିକଠୁ ମିଳୁଥିବା ପଇସାକୁ କ୍ରୋଧରେ ବୋଉ ମୁହଁକୁ ଫୋପାଡ଼ି ଦିଏ ।

ସାରାଟା କୈଶୋର ମାନସକୁ କଷ୍ଟ ହିଁ କଷ୍ଟ ଦେଇଚି । ସେଥି କି ସେ ଭ୍ର୍ରକ୍ଷେପ କରିନାହିଁ । ବାପାର ତାଗିଦ୍, ବୋଉର ଅଭାବୀ ମୁହଁ ତାକୁ ପୁଣି ଫେରେଇ ଦେଇଚି ରାତି ପରେ ରାତି ଝାଡ଼ବତୀ ମୁଣ୍ଡେଇବାକୁ । ଆଜି ବି ମନେପଡ଼େ ସେଇଦିନର ଗୋଟେ ଘଟଣା, ଯାହା ମାନସର ଜୀବନକୁ ନୂଆ ଗୋଟେ ମୋଡ଼ ଦେଲା । ଲଜ୍ଜା ହିଁ ଲଜ୍ଜା । କଅଁଳ ମନର ସବୁଜ ପତ୍ର ଉପରେ ଏସିଡ୍ ଢାଳି ଦେବା ପରି ଅନ୍ତର୍ଦାହ ।

ଝାଡ଼ବତୀ କାନ୍ଧେଇ ତା’ପରି ପୁଅଝିଅମାନେ ଧାଡ଼ିରେ ଚାଲନ୍ତି । ସେମାନଙ୍କ ଭିତରୁ ସୁରକି ଥିଲା ଅନ୍ୟତମ । ତାରି ବୟସର । ଅବଶ୍ୟ ବ୍ୟାଣ୍ଡପାର୍ଟିରେ ଅନେକ ମାତବରୀ ମଣିଷଙ୍କ ସାଙ୍ଗରେ ମିଶିଗଲା ପରେ ବୟସ ନ ବଢୁଣୁ ଅଭିଜ୍ଞତା ଦି’ପାଦ ଆଗକୁ ଆଗେଇ ଯାଏ । ଟିକେ କଥାରେ ମାଲିକର ଦୋ’ ଅକ୍ଷରି । ବାଜାବାଲାଙ୍କର ବେହିଆମି ତାକୁ ଯୁଆନ କରିଦେଇଥିଲା । ସୁରକି ଝାଡ଼ବତୀ ମୁଣ୍ଡେଇ ଚାଲୁଥିବାବେଳେ ମାନସର ଆଖି ବାରବାର ଚାଲିଯାଏ ତା ଛାତି ଉପରକୁ । ନହନହକା ସୁରକିର କଟୀ ଉପରକୁ । ଜାଣି ଜାଣି ସୁରକି ପଛପଟେ ସିଏ ଆଣ୍ଠୁ ବଜେଇ ଦେଇଚି । ଏସବୁ ଭାବ ଦୋସ୍ତି ସହଜ ସହଜରେ ହେଇଚି । ତା’ର କାରଣ ତାକୁ ଏତିକି ଜଣା, ତା’ର ଆଉ ସୁରକିର କାମ ଏକା, ବୟସ ବି ଏକା ।

ଧାଡ଼ିରେ ଚାଲୁଥିବାବେଳେ ଟିକେ ଅନ୍ଧାରରେ ସୁଯୋଗ ମିଳିଲେ ମାନସ ସୁରକି କି ଛୁଇଁଚି । ସୁରକି ଚୁପ୍ । ଧୀରେ ଚିମୁଟି ଦେଇଚି । ସୁରକି କିଛି କହି ନାହିଁ । ବରଂ ମୁଚକି ମୁଚକି ହସର କେରାଏ ମଧୁମାଳତୀ ଫିଙ୍ଗି ଦେଇଚି ପଛରେ ବଦମାସି କରୁଥିବା ମାନସ ଆଡ଼କୁ । ଧାଡ଼ି ଆଗେଇ ଚାଲିଚି । ବାଜା ବାଜୁଚି । କନିଆଁ ଘର ପାଖେଇ ଆସୁଚି । ଗୀତର ମୋଡ଼ ବଦଳୁଚି । ଧୂମ ଧଡ଼ାକିଆ ଦ୍ୱିଅର୍ଥବୋଧକ ଗୀତକୁ ଛାଡ଼ି ଗୀତ ଶୁଭୁଚି- ବର ଆସିବ ବୋଲି ତମ ଘରେ ଚହଳ ପଡ଼ିବ । ହୁଳହୁଳି ଫୁଲ ଚନ୍ଦନ ଦେଇ ମୋତେ ବନ୍ଦେଇବ । ବର ଚେହେରା ଦେଖିବା ପାଇଁ ଲାଗିଥିବ ଭିଡ଼ । ମୁଁ ଚନ୍ଦନ ଚିତା ପଗଡ଼ି ପିନ୍ଧି. . . ସାଜିଥିବା ବର. . . ଇତ୍ୟାଦି ଇତ୍ୟାଦି । ପାହାନ୍ତି ପହରକୁ ଏ ଗୀତର ଭାବ ମାନସ ଆଖିରେ ସ୍ୱପ୍ନର କାନଭାସ ତିଆରି କରୁଚି । ସିଏ ବର ସାଜିଚି । ମଥାରେ ଚନ୍ଦନଟୋପା, ମୁଣ୍ଡରେ ପଗଡ଼ି ଆଉରି କେତେ କ’ଣ । ପାଖରେ ସୁରକି କନିଆଁ ବେଶରେ । ଓଢ଼ଣା ତଳେ ତା’ ମୁହଁ. . . ଆଃ. . . !

ତା’ପରେ

ଲୋକପ୍ରିୟ ଲେଖା

To Top