ଗଳ୍ପ

ଶୋକାତୁରା

Dr Sharat Chandra Parida's odia Story Shokaaturaa

ସତେ ଯେମିତି କୌଣସି ଏକ ଅଦୃଶ୍ୟ ଶକ୍ତି ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତିକୁ ଯମ ଦୁଆରୁ ଫେରାଇ ଆଣିଚି । ଭଗବାନଙ୍କ ପାଖରେ ଅଜସ୍ର କୃତଜ୍ଞତା ଜଣାଇ ପାଞ୍ଚ ମିନିଟ୍ ସେଠାରେ ଭାଇଙ୍କି ବସାଇ ଦେଲି ।

ଶୋକାତୁରା

-: ପୂର୍ବରୁ :-

ଆଉ ଦିନେ ଦୁଇ ଭାଇ ମିଶି ପିଉସୀ ଘରକୁ ବାହାରିଲୁ । ଖଣ୍ଡସାହି ପାଖରେ ତେନ୍ତଲପୁର । ଆମେ ଚିତ୍ରୋତ୍ପଳା ନଈ ପାରି ହୋଇ ବଟେଶ୍ୱରରେ ପହଞ୍ଚିଲୁ । ବଟେଶ୍ୱର ଗାଁ ଦେହ ଘଷି ହୋଇ ଯାଇଚି ପଟ୍ଟାମୁଣ୍ଡାଇ କେନାଲ । ତିନି ମୁହାଁଣି ପର୍ଯ୍ୟନ୍ତ ଏହି ବଡ଼ କେନାଲ ବନ୍ଧ ହିଁ ଆମର ବାଟ । ଗୋଟିଏ ପାର୍ଶ୍ୱରେ ଚିତ୍ରୋତ୍ପଳା ନଈ, ନଈବନ୍ଧ ଦେହରେ ପଟ୍ଟାମୁଣ୍ଡାଇ କେନାଲ । ରାସ୍ତାରେ ମହରମ ପଡ଼ିଚି । ପାଦ ପୂରା ନାଲିଧୂଳିର ଆବରଣରେ ରକ୍ତିମ ଦେଖା ଯାଉଥାଏ । ହାପ୍ ପ୍ୟାଣ୍ଟ ପିନ୍ଧି ନାଳ ବନ୍ଧେ ବନ୍ଧେ ଚାଲିଥାଉ । ଆଗକୁ ଥାଏ ନାନା ପ୍ରସ୍ତର ମୂର୍ତ୍ତିରେ ପରିପୂର୍ଣ୍ଣ ଐତିହ୍ୟମୟ ବ୍ରହ୍ମାବଣ । ତାପରେ କେନ୍ଦୁପାଟଣା ଲକ୍ । ନାଳ କୋଳରେ ଭର୍ତ୍ତି ପାଣି । ଦେଖିବାକୁ କାଚକେନ୍ଦୁ ପରି ସଫା । ବିଭିନ୍ନ ସାଇଜର ବିଭିନ୍ନ କିସମର ମାଛ ସବୁ ସତେ ଯେମିତି ଆମକୁ ଦେଖି ମନ ଖୁସିରେ ଲାଞ୍ଜ ହଲାଇ ପହଁରୁଥାନ୍ତି । ମୁକ୍ତ ସୂର୍ଯ୍ୟ କିରଣ ସେମାନଙ୍କ ଦେହରେ ପଡ଼ିଲେ ହୀରା ପରି ଚକ୍‌ଚକ୍ ଦେଖା ଯାଉଥାନ୍ତି । ସେହି ମାଛ ଗୁଡ଼ାକ ଦଳବଳ ଘେନି ବନ୍ଧକଡ଼ରେ ପାଣି ଭିତରେ ନିର୍ଭୟରେ ଲାଞ୍ଜ ହଲାଇ ଖେଳୁଥିବାର ଦୃଶ୍ୟ ଭାରି ମଜାଦାର । ମନ ହେଉଥାଏ ଗୋଟାଏ ଧରି ପକାନ୍ତି କି । ନାଳର ନୀଳ ଜଳରାଶି, ଜଳର ସୁଅ, ସୁଅରେ ମାଛର ଖେଳ ଦେଖି ଦେଖି ଆଠ ଦଶ କିଲୋମିଟର ବାଟ କଟିଯାଏ । ନଈ କୂଳିଆ ପବନ, ସୂର୍ଯ୍ୟଙ୍କ କୋମଳ କିରଣ, ମେଘମୁକ୍ତ ଆକାଶ ତଳେ ଗଲାବେଳେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାଣ ପୁଲକି ଉଠୁଥାଏ ।

ହଠାତ୍ ମୋ ଦୃଷ୍ଟିକୁ ଆସିଲା ଭାଇ ନିଶାସକ୍ତ ହେଲା ପରି ଟଳମଳ ହେଉଛନ୍ତି । ଭାଇ ଭାଇ ଦୁଇଥର ଡାକିଲା ପରେ ପ୍ରତ୍ୟୁତ୍ତର ନାଇଁ । ଆଖି ନାଲି ପଡ଼ି ଆସିଲାଣି । ଅବସ୍ଥା ବୁଝିବାକୁ ମୋତେ ଆଉ ସମୟ ଲାଗିଲା ନାଇଁ । ମୁଁ ପାରୁ ପର୍ଯ୍ୟନ୍ତେ ତାଙ୍କୁ ଜାବୁଡ଼ି ଧରିଲି । ମାତ୍ର ତାଙ୍କର ବଳ ଏ ସମୟରେ ଶହେ ଗୁଣ ବଢ଼ିଯାଇଥାଏ । ମୁଁ ଯେମିତି ତାଙ୍କ ପାଖରେ ହାତୀ ପାଖରେ ମଶା ପରି । ବନ୍ଧ ଉପରେ ତାଙ୍କୁ ଆୟତ୍ତରେ ରଖିବା ପାଇଁ ଶତ ଚେଷ୍ଟା କଲି । କିନ୍ତୁ ଡାହାଣୀ ଗ୍ରାସିଲା ପରି ସେ ମୋତେ ଠେଲି ଦେଇ ନାଳପାଣିରେ । ନାଳ ପାଣି ଦେଖି ମୁଁ ଡରି ଗଲିଣି । ପାଣି ତିନିରୁ ଚାରି ପୁରୁଷ ହେବ । ଶୁଖିଲା ଜାଗାରେ ତ ପାରିଲି ନାଇଁ, ପାଣି ଭିତରେ କଣ ପାରିବି । ମୁଁ ଜଳକା ପାଲଟିଗଲି । ଯାହା ଭାଗ୍ୟରେ ଥିବ ହେବ । ଭାବିଲି ଜଗି ଜଗି ଆଜି ପାରିଲି ନାଇଁ । ସମସ୍ତେ ମୋ ଦୋଷ ଦେବେ, ତୁ ଥାଉ ଥାଉ… ନା ନା । ଏ ଅଶୁଭ ଚିନ୍ତାଗୁଡ଼ାକ କାହିଁକି ମନରେ ଥାନ ଦେବି । ପ୍ରଭୁଙ୍କୁ ଡାକୁଥାଏ । ପ୍ରଭୁ ଭାଗବତ ଗୋସାଇଁ । ରକ୍ଷା କର । ତୁମେ ହିଁ ଭରସା । ଅରକ୍ଷିତକୁ ତୁମେ ହିଁ ସାହା । ମୁଁ ଖାଲି ଯାହା ବାଆକୁ ବତା । ହଠାତ୍ କଣ ହେଲା କେଜାଣି ମୋତେ ଚମକାଇଁ ସେ ଯେମିତି ଜୋସ୍‌ରେ ପାଣି ଭିତରକୁ ପଶି ଯାଇଥିଲେ ସେମିତି ନାଳ ବନ୍ଧ ଉପରକୁ ଉଠି ଆସିଲେ । ଶୂନ୍ୟେ ଶୂନ୍ୟେ । ସତେ ଯେମିତି କୌଣସି ଏକ ଅଦୃଶ୍ୟ ଶକ୍ତି ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତିକୁ ଯମ ଦୁଆରୁ ଫେରାଇ ଆଣିଚି । ଭଗବାନଙ୍କ ପାଖରେ ଅଜସ୍ର କୃତଜ୍ଞତା ଜଣାଇ ପାଞ୍ଚ ମିନିଟ୍ ସେଠାରେ ଭାଇଙ୍କି ବସାଇ ଦେଲି । ମଗଜ ଥଣ୍ଡା ହେଲା ପରେ ପୁଣି ଅସମାପ୍ତ ଯାତ୍ରା ଆରମ୍ଭ କଲୁ । ମନ ସବୁବେଳେ ପାପ ଛୁଉଁ ଥାଏ । କୋଉ ମୁହୂର୍ତ୍ତରେ କୋଉ ଅଘଟନ, ଦୁର୍ଘଟନ ଘଟିଯାଇପାରେ ।

ଭାଇ ଭାରି ମାଛ ପ୍ରିୟ । ପାଣି ସଙ୍ଗେ ବନ୍ଧୁତା ନ କଲେ ମାଛ କୋଉଠୁ ମିଳିବ । ଏଣେ ନିଆଁ ପାଣିକୁ ଡର । ବାପା ସବୁବେଳେ ବାରଣ କରନ୍ତି । ବୋଉକୁ କିଏ ପଚାରେ । ତେଣୁ ଭାଇ ଲୁଚି ଛପି ବଜା ମୁଗୁରା ନେଇ କୋଉଠି ଦଣ୍ଡାରେ ବିଲରେ ଜୋରରେ ବସାଇ ଦେଇ ଆସନ୍ତି । ବାପାଙ୍କ ଅଜାଣତରେ ବନ୍ଶୀ ଧରି କେତେବେଳେ ପୋଖରୀରେ କେତେବେଳେ ଗଡ଼ିଆରେ ନଚେତ୍ ପୋଲ ଉପରେ ହାଜର । ବାପା ଅନେକ ଥର ଏସବୁ ମାଛଧରା ସରଞ୍ଜାମ ଭାଙ୍ଗି ଦେଇଥାନ୍ତି । ତଥାପି ଭାଇ ବାପାଙ୍କ ଅଦେଖାରେ ପୁଣି ବନ୍ଶୀ ତିଆରି କରି ମାଛଧରା ଅଭିଯାନରେ ବାହାରି ପଡ଼ନ୍ତି । ବାପା ଭାଇ ଓ ବୋଉ ମଧ୍ୟରେ ସବୁବେଳେ ଚାଲିଥାଏ ଛକାପଞ୍ଝାର ଖେଳ । ଏକ ଶୀତଳ ଯୁଦ୍ଧ । ବୋଉ ବିଚରା ବାପାଙ୍କ ଆକଟ ଓ ଭାଇଙ୍କ ଅବାଧ୍ୟତା ମଝିରେ ଚକିରେ ଜାଇ ରଗଡ଼ି ହେଲା ପରି ଚୁରି ହୋଇ ଯାଉଥାଏ । ଅନେକ ଗାଳି ଶୁଣେ ବୋଉ । ନିରବରେ ଅଶ୍ରୁ ଝରାଏ । ମୋ ବଡ଼ ପୁଅ । ଜୀଇଁ ବଞ୍ଚି ରହିଲେ ଆମ ଦୁଃଖ ତ ଦୂର କରିବ । ମୋ ରଙ୍କରତନ ସେ ।

ଥରେ ମୁଁ ବାପାଙ୍କ ସହିତ ସାଲେପୁର ପରିବା ହାଟକୁ ଯାଉଥିଲି । ଅଗଷ୍ଟ ମାସ । ଚାରିଆଡ଼େ ସମୁଦ୍ରପରି ଜଳମୟ । ପ୍ରବଳ ବର୍ଷାରେ ଖାଲ ଢିପ ସବୁ ସମାନ । ମାଟି ରାସ୍ତା କାଦୁଅରେ ପଚ ପଚ । ଟିକିଏ ଅସାବଧାନତାରେ ପାଦ ପଡ଼ିଗଲେ ଚିକିଟା ମାଟିରେ ନିରାଶିଆ କଚଡ଼ା ଖାଇବାକୁ ହୁଏ । ଆମେ ଘରୁ ବାହାରିଲୁ ନଟା ବେଳେ । ସକାଳୁ ସକାଳୁ ଭାଇ ବନ୍ଶୀ ଧରି ମାଛମରା ନିଘାରେ ଘରୁ ବାହାରି ଯାଇଛନ୍ତି । ଏକଥା ବୋଉ ଜାଣେ । ଏକଥା ମୁଁ ସୂଚନା ପାଇଥାଏ । ବାପା ଏ ବିଷୟରେ ବିନ୍ଦୁବିସର୍ଗ ଜାଣି ନଥିଲେ । ବ୍ୟସ୍ତତା ଭିତରେ ହାଟକୁ ଗଲାବେଳେ ଖାଲି ବୋଉକୁ ପଚାରି ଥିଲେ ହେମ କୁଆଡ଼େ ଗଲା । ହଁ, ଏଇଠି କୋଉଠି ଥିବ ହାଲୁକେଇ ଉତ୍ତର ଦେଇଥିଲା । ବାପା ମଧ୍ୟ ତରତର ହୋଇ ଆଉ କଥାଟାକୁ ନ ଉଖୁରେଇ ହାଟକୁ ବାହାରି ପଡ଼ିଥିଲେ । ବାପା ଆଗେ ଆଗେ ମୁଁ ପଛେ ପଛେ । ଆମ ଗାଁ ମୁଣ୍ଡ ତୋଟା ପାରି ହେଲା ପରେ ପଡ଼େ ପତିଘର, ଦୋବେଇ ଘର ଓ ତାପରେ ମିଶ୍ରଘର । ମୁଁ ଘରୁ ପାଦ କାଢ଼ିଲା ବେଳେ ମୁଁ ମନେ ମନେ ଭାଇଙ୍କ କଥା ଭାବୁଥାଏ । ଭାଇ ଯେଉଁଠିକି ବନ୍ଶୀ ପକାଇବା ପାଇଁ ଯାଇଥିଲେ ବୋଉକୁ ସେ ଠିକଣା ଜଣାଥିଲା । ମୋତେ ମଧ୍ୟ ଅଜଣା ନ ଥିଲା । ଖାଲି ବାପାଙ୍କୁ ବନ୍ଶୀ ପକାଇବା ଘଟନା ବା ବନ୍ଶୀ ପକାଇବା ଥାନ ବିଷୟରେ କିଛି ଜଣା ନଥିଲା । କାଦୁଅ ରାସ୍ତାରେ ଦେଖି ଚାହିଁ ପାଦ ପକାଇବାରେ ମନ । ମୋର ମନ ଦିଭାଗରେ ବିଭକ୍ତ । ଅଧେ ପାଦ ଓ ରାସ୍ତାରେ ଆର ଅଧା ଭାଇକି ସନ୍ଧାନ କରିବାରେ । ମିଶ୍ରସାଇ ସେ ମୁଣ୍ଡରେ ଗ୍ରାମ ଠାକୁରାଣୀଙ୍କ ଏକ ପୋଖରୀ ମହନିକ । ଖରାଦିନେ ପ୍ରାୟ ଶୁଖିଯାଏ । ବର୍ଷାଦିନେ କିନ୍ତୁ ସାଗର ଭଳି ବିସ୍ତୃତ ଓ ଦୀର୍ଘ ହୋଇଯାଏ । ଉତ୍ତର ପଶ୍ଚିମ ଦିଗକୁ ଦଳଗୋହିରି । ଦଳଗୋହିରି ପାଟର ଜଳ ପୋଖରୀର ଜଳ ମିଶି ଏକ ମହାସାଗରର ଭ୍ରମ ସୃଷ୍ଟି କରନ୍ତି । ପୋଖରୀଠାରୁ ଆମ ପାଦଚଲା ରାସ୍ତା ଅଧା କିଲୋମିଟରରୁ ସାମାନ୍ୟ ଉର୍ଦ୍ଧ୍ଵ ହେବ । ମଝିରେ ସ୍ୱର୍ଗତ୍ କ୍ଷୀରସାର୍‌ଙ୍କ ଘରଢ଼ିଅ । ବାଡ଼ି ବଗିଚା, ଗଛବୃଛ । ଏମାନଙ୍କ ଉହାଡ଼ରେ ପୋଖରୀର ତିନି ଚତୁର୍ଥାଂଶ ଅଦୃଶ୍ୟ ଥାଏ । ମାତ୍ର ଏକ ଚତୁର୍ଥାଂଶ ମୋତେ ଦୃଶ୍ୟମାନ ହେଉଥାଏ । ମୋ ପାଖରେ ଯାହା ଖବର ଥିଲା ଭାଇ ଏଇ ପୋଖରୀକି ବନ୍ଶୀ ପକାଇବା ପାଇଁ ଆସିଛନ୍ତି । ବୃକ୍ଷଭେଦୀ ଦୃଷ୍ଟିରେ ମୁଁ ଖୋଜୁଥାଏ ଭାଇଙ୍କୁ । କିଛି ସମୟ ଉତ୍ତାରେ ମୁଁ ଦେଖିବାକୁ ପାଇଲି ସଫେଦ ପାଣିର ମଧ୍ୟ ଭାଗରେ ଏକ କଳା ଅଂଶ ଚନ୍ଦ୍ରରେ ଶଶ ପରି ଦେଖା ଯାଉଚି । ପ୍ରଥମେ ମୋତେ ତାହା ଥିର ଲାଗିଲା । ନିରୀକ୍ଷଣ କଲା ପରେ ଜାଣି ପାରିଲି କଳା ଅଂଶଟି ଥିର ଥିଲେ ମଧ୍ୟ କିଛି ଗୋଟାଏ ତଳ ଉପର ହେଉଚି । କଳା ଅଂଶଟି ଏକମାତ୍ର ମାଟିହୁଡ଼ା ଉପରେ ଭାଇଙ୍କ ମୁଣ୍ଡ । ଚଳମାନ ପଦାର୍ଥଟି ବନ୍ଶୀର ଛଡ଼ । ତାଙ୍କ ଠାରୁ ପ୍ରାୟ ପଚାଶ ମିଟର ଦୂରରେ ଏକମାତ୍ର ଝଙ୍କାଳିଆ ବରଗଛ । ସତେ ଯେମିତି ପ୍ରଳୟ କାଳର ବଟବୃକ୍ଷ । ଭାଇଙ୍କ ଚାରିପଟେ ଜଳର ଭଣ୍ଡାର । ସୂର୍ଯ୍ୟ କିରଣରେ ଦୂରକୁ ଉଜ୍ଜ୍ୱଳ ଦେଖା ଯାଉଥାଏ ।

ମୋ ମନର ପରଦାରେ ନାଚିଗଲା ଏକ ଅଭାବନୀୟ ଦୃଶ୍ୟ । ସୃଷ୍ଟି ହେଲା ଏକ ଅପରିଛନିଆ ଭାବାନ୍ତର । କଅଁଳ ହୃଦୟରେ କଠୋର ଘଟନାର କଳ୍ପନାର ମାୟାଜାଲ । ଯଦି ଏଭଳି ଦୁଃସ୍ଥିତିରେ ଭାଇ ହଠାତ୍ ଚରମ ବ୍ୟାଧିର ପରମ ଶିକାର ହୋଇଯାନ୍ତି ତେବେ କଣ ହେବ । କିଏ ପାଣିରେ ପଡ଼ିଗଲା ବୋଲି ଦେଖିବା କି ହାଁ ହାଁ କରି ଧାଇଁ ଯିବାକୁ କାଉ କୋଇଲିଟିଏ ବି ନାଇଁ । ଉଭୟ ପାର୍ଶ୍ୱରେ ମହାଶୂନ୍ୟରେ ଖାଲି ପାଣି ହିଁ ପାଣି । ଆଖି ଲାଲ ପଡ଼ିବା, ପାଟିରୁ ଲାଳ ଗଡ଼ିବା, ଦେହରେ କମ୍ପନ ଓ ଚେତା ବୁଡ଼ିବା ପାଣି ଭିତରେ ହିଁ ସଂଘଟିତ ହେବ । ଚେତା ଫେରିବା ପୂର୍ବରୁ ଶ୍ୱାସରୁଦ୍ଧ ହୋଇ ପ୍ରାଣଟା ଚାଲି ଯାଇଥିବ ଦେହକୁ ସାତ ପର କରି । ସେ ଆଉ ପାଣିରୁ ଉଠି ପାରିବେ ନାଇଁ । ପାଣି ତାଙ୍କ ପ୍ରାଣ ନେଇଯିବ । ବାପାଙ୍କୁ ଭାଇଙ୍କ ବିଷୟ ସାମାନ୍ୟ ଇଙ୍ଗିତ ଦେବା ଅର୍ଥ ଏକ ମହାଭାରତ ସୃଷ୍ଟି କରିବା । ହାଟବାଟ ସବୁ ଭାଇଙ୍କ ପାଖରେ ସରିଯିବ । ଭୟ ଓ ଆଶଙ୍କାରେ ବାପାଙ୍କୁ କିଛି ନ କହି ତାଙ୍କ ଅନୁଗତ ହୋଇ ପଛେ ପଛେ ଅନୁସରଣ କରୁଥାଏ । ଆମେ ହାଟକୁ ଯାଉଚୁ । ହାଟ ସାରି ଫେରିବା ବେଳକୁ ଜଣେ ଯାଇ ଦୁଃସମ୍ୱାଦ ଦେଇ କହିବେ- ହେମ ଆଉ ନାଇଁ । ଏଁ, ଏ କି ପାପ ନିଉଛଣା କଥା ମୋ ମନ ଆକାଶରେ କଳା ବାଦଲ ହୋଇ ଭାସି ଯାଉଚି । ମୁଁ ପ୍ରକୃତିସ୍ଥ ହେଲି ।

ମନର କୋଉ ଏକ କୋଣରୁ ଧୂମକେତୁ ପରି ସହସା ଆସି ଅବଚେତନ ମନର କୋଉ ଏକ ଦୂର ଦିଗ୍‌ବଳୟକୁ ଭାସି ଭାସି ଚାଲିଗଲା ଏ ଦୁର୍ଭାବନା । ବାପ ପୁଅ ନଈ ପାରି ହେଲୁ । ହାଟକାମ କରିବାରେ ମଜ୍ଜି ଗଲୁ । ହଜାର ହଜାର ହାଟୁଆଙ୍କ ଗହଳରେ ଘୁ ଘୁ ହୋଇ କମ୍ପି ଉଠୁଥାଏ ସାଲେପୁର ପରିବା ହାଟ । ସବୁ କାମ ସାରି ବାହୁଡ଼ିବାକୁ ପ୍ରସ୍ତୁତ ହେଉଚୁ । ସମ୍ପର୍କୀୟ ନାଥିଆ ଦାଦା ମର୍ମଛେଦୀ ଖବର ଦେଇ ଛଳଛଳ ଆଖିରେ କହିଲେ- ଭାଇ, ହେମ ଆଉ ନାଇଁ । ବାପା ମୁଣ୍ଡରେ ହାତ ଦେଇ ହଠାତ୍ ଧୂଳି ଉପରେ ବସି ପଡ଼ିଲେ । ସତେ ତାଙ୍କ ହୃତ୍ସ୍ପନ୍ଦନ ବନ୍ଦ ହୋଇଯିବ କି । ମୁହଁରେ ଖେଳିଗଲା ହତାଶାର କାଳିମା । କିଛିକ୍ଷଣ ନିରବରେ ବିତିଗଲା ପରେ ମୁଁ ଯାଇ ଉଠାଇଲି ବାପା, ଘରକୁ ଚାଲ । ମୋର ପାଟି ମଧ୍ୟ ଖନି ବାଜି ଯାଉଥାଏ । ବାଟରେ ନାଥିଆ ଦାଦା କହି ଚାଲିଥାନ୍ତି, ଭାଉଜ ରୋଷେଇବାସ ସାରି ଅନ୍ୟ ପିଲାମାନଙ୍କୁ ଖାଇବାକୁ ଦେଲେ ।

ହେମକୁ ଅପେକ୍ଷା କଲେ । ଫେରିବାର ବେଳ ଗଡ଼ିଯିବାରୁ ବ୍ୟସ୍ତ ହେଲେ । ଧୀରେ ଧୀରେ ବ୍ୟସ୍ତତା ସନ୍ନିପାତ ଜରର ତାତି ପରି ବଢ଼ିବାକୁ ଲାଗିଲା । ସେ ତ କେବେ ମହନିକ ପୋଖରୀ ଦେଖି ନ ଥିଲେ । ପାଖ ପଡ଼ିଶାଙ୍କୁ ନେହୁରା ହୋଇ କହିଲେ- ହେମ ଯାଇଥିଲା ବନ୍ଶୀ ପକାଇବାକୁ ମହନିକ ପୋଖରୀକୁ । ସେ ପୋଖରୀକୁ ଟିକେ ଗଲା । ମୋତେ କାହିଁ ଭଲ ଲାଗୁ ନାଇଁ । କେତେ କହିବା ପରେ ଜଣେ ଅଧେ କିଏ ଗଲେ । ସେଠାରେ କେହି ନାହାନ୍ତି ବୋଲି ଫେରି ଆସି ରିର୍ପୋଟିଂ କରିଦେଲେ ।

ବେଳ ଯହୁଁ ଅଧିକା ହେଲା ମା ମନ ଆଉ ବୁଝିଲା ନାଇଁ । ନିଜେ ପଚାରି ପଚାରି ସେ ପୋଖରୀ ପାଖକୁ ଗଲା । ହେମ ହେମ ବୋଲି କେତେ ଡାକିଲା । ଯାହାକୁ ଦେଖିଲା ପଚାରିଲା, ୟାଡ଼େ ମୋ ହେମ ଆସିଥିଲା, ଦେଖିଚ । କିଏ କହିଲା ହଁ ସକାଳେ ୟାଡ଼େ ଆସୁଥିଲା ମୁଁ ଦେଖିଚି । ଆଉ କିଏ କହିଲା ହଁ ଏ ପୋଖରୀରେ ବନ୍ଶୀ ପକାଉଥିଲା, ମୁଁ ଦେଖିଚି । କିଏ କହିଲା ପୋଖରୀ ହୁଡ଼ାରେ ବସିଥିଲା ମୁଁ ଦେଖିଚି । କେହି କହିଲା ନାଇଁ ପୋଖରୀରୁ ଫେରୁଥିବାର ଦେଖିଚି ବୋଲି । ଜଳରେ ତେଲ ପଡ଼ିଲେ ଚାରିଆଡ଼େ ତତ୍‌କ୍ଷଣ ମାଡ଼ିଗଲା ପରି ଏ ଖବରଟା ଆଖ ପାଖ ଲୋକଙ୍କ ଭିତରେ ଚହଟି ଗଲା । ମା ମନ ପାପ ଛୁଇଁଲା । ତା ପୁଅ ଆଉ କୁଆଡ଼େ ଯାଇ ନାଇଁ । ଏଇ ଜଳଭରା ପୋଖରୀ ଭିତରେ କେଉଁଠି ଆତ୍ମଗୋପନ କରିଚି । କଣ ହୋଇଚି ବୋଲି ଜାଣିବାକୁ ଧୀରେ ଧୀରେ ଲୋକେ ଜମା ହେବାକୁ ଲାଗିଲେ । ପୋଖରୀ କୂଳରେ ଥାଟ ପଟାଳି ମଣିଷ । ଦୁଇ ତିନି ଜଣ ସାହସ କରି ପାଣି ଭିତରେ ବୁଡ଼ି ଖୋଜିବାକୁ ଲାଗିଲେ । ଦେଖିଲା ବେଳକୁ ପୋଖରୀର ଗୋଟିଏ ପାର୍ଶ୍ୱରେ ହେମର ଦେହ ଜଣେ ବୁଡ଼ାଳିର ଗୋଡ଼ରେ ବାଜିଲା । ଦ୍ୱିତୀୟ ଡୁବା ମାରି ସେ ହେମର ଦେହକୁ ଧରି ପାଣି ଉପରକୁ ଆଣିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆହାଃ ଅଠର ବର୍ଷର ଗଜା ଭେଣ୍ଡିଆ ପୁଅଟା ଚାଲିଗଲା ।

ଏକଥା ସରୁ ସରୁ ଆମେ ଘର ପାଖାପାଖି ହୋଇ ଯାଇଥିଲୁ । ମୋର ପିଲାମନରେ ଏକ ଅହେତୁକ ଭୟ ଓ ଦୋଷୀ ଦୋଷୀ ଭାବନା ବାଗୁଡ଼ି ଖେଳ ଖେଳୁଥିଲା । ବାପାଙ୍କ ପୁଅ ଚାଲିଗଲା, ମୋର ଭାଇ ଚାଲିଗଲେ । ଏକ ଅସହାୟ କରୁଣ ବିଳାପରେ ବିଳପି ଉଠୁଥିଲା ହୃଦୟ । ଚାରିଆଡ଼େ ଖାଲି ଖାଁ ଖାଁ ଲାଗୁଥାଏ । ଭାଇର ମୁହଁ ଖାଲି ଦିଶି ଯାଉଥାଏ । ଘରେ ପହଞ୍ଚିଲା ବେଳକୁ ଏକ କାରୁଣ୍ୟର ନିରବତା ରାଜୁତି କରୁଥାଏ । ଏହା ଥିଲା କାନ୍ଦ ବୋବାଳି ବର୍ଷା ପରର ନିଃଶବ୍ଦତା । ଆମକୁ ଦେଖି ହୃଦ ଫଟା କରୁଣ କ୍ରନ୍ଦନ ରୋଳରେ ଘରଦ୍ୱାର ଫାଟି ପଡ଼ିଲା ପୁଣି ଥରେ । ମଲା ପୁଅଟାକୁ ଘୋଡ଼େଇ ଘାଡ଼େଇ ଲମ୍ୱ କରି ଶୁଆଇ ଦେଇଥାନ୍ତି ଦୁଆର ମଝିରେ । ମୋ ବୋଉ ମୁଣ୍ଡକୋଡ଼ି ଛାତି ବାଡ଼େଇ ଡହଳ ବିକଳ ହେଉଥାଏ । ବାପା ମୁହଁ ଉପରୁ ଲୁଗା କାଢ଼ି ଦଣ୍ଡେ ବଡ଼ ପୁଅର ମୁହଁକୁ ଶେଷଥର ପାଇଁ ନିରୀକ୍ଷଣ କଲେ । ଦୁଇଟୋପା ଅମାନିଆ ଲୁହ ଝରି ପଡ଼ିଲା ଭାଇର ମୁଣ୍ଡ ଉପରେ । ପାଖ ଲୋକେ ବାପା ବୋଉଙ୍କୁ କେତେ ବୁଝାଇ ଥିଲେ, ଯମ କଞ୍ଚା ପାଚିଲା କଣ କିଛି ବୁଝେ । ଯିଏ ଯେତିକି ଦିନ ପାଇଁ ଆସିଥିଲା ।

ନାଥିଆ ଦାଦା ଟିକେ ସାହାସିଆ ଲୋକ । ଆଉ ଡେରି କାହିଁକି, ଚାଲ । ଶବକୁ ଏଠାରେ ପକାଇ ରଖିବାରେ କି ଲାଭ । ଏଇ ମହାନଦୀର ମହାବାଲିରେ ମୋ ଭାଇଙ୍କୁ ନେଇ ପୋତି ଦେଇ ଆସିଲେ । ମୁଁ କ୍ରିୟା ଧରିଲି । ଭାଇ ବିଷୟରେ ସେଇ ଦିନୁ କେହି କିଛି କାହାକୁ ପଚାରନ୍ତି ନାଇଁ ।

କିନ୍ତୁ ସନ୍ତାନ ଯାର କଲିଜା ଟୁକୁଡ଼ା ସେଇ ମମତାମୟୀ ମା ତାର ପୁଅକୁ କେମିତି ଭୁଲି ପାରନ୍ତା । ଗାଧେଇ ଗଲାବେଳେ ବାଟରେ, ରୋଷେଇ କଲାବେଳେ ଚୁଲି ପାଖରେ, ଝାଡୁ କଲାବେଳେ ଦାଣ୍ଡ ଦୁଆରେ, ଗୋବର ପୋଛିଲା ବେଳେ ଗୁହାଳେ ପୁତ୍ର ଶୋକରେ ପ୍ରଥମେ ପ୍ରଥମେ ରାହା ଧରି କାନ୍ଦୁଥିଲା । ଆଖିରୁ ଲୁହ ଶୁଖିଗଲା ପରେ ତଣ୍ଟି ପଡ଼ିଗଲା ପରେ ସେ ଆଉ ଶବ୍ଦାୟିତ କ୍ରନ୍ଦନ କରିପାରୁ ନାଇଁ । ଖାଲି ପର୍ବପର୍ବାଣି ଆସିଲେ ପୁଅ କଥା ବେଶି ମନେ ପଡ଼େ । ଟିକେ କାନ୍ଦୁ କାନ୍ଦୁ ଭାବ ବିହ୍ୱଳ ହୋଇ ପଡ଼େ । ରୋଷେଇ କରି ସାରିଲା ପରେ ବା ଘରକୁ କିଛି ଭଲ ମିଠା କିଏ ଆଣିଲେ ବୋଉ ନେଇ ବାଡ଼ି ପଟେ ପତ୍ରରେ ପ୍ରଥମେ ଦେଇଆସେ । ମୋ ଗଣ୍ଠିକଟାଟା ଅନେଇଥିବ କହି । ପାହାଡ଼ର ଛାତି ଫଟେଇ ଖଣିଜ ପଦାର୍ଥ ଉତ୍ତୋଳନ କରି ସାରିଲା ପରେ କୁଳୁକୁଳୁ ହୋଇ ଛନଛନିଆ ଝରଣା କଣ ଆଉ ଝରେ । ନା, ଖାଲି ଧୂଳି ଉପରକୁ ଉଡ଼େ । ବୋଉର ଆଖିରୁ ଲୁହ ଝରେ ନାଇଁ । ତା ଛାତିରେ କୋହ ଜମାଟ ବାନ୍ଧିଲେ ସେ ଭାଇର ଗୁଣ, ଭାଇ କହିଥିବା କଥା, ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଗୁଣୁଗୁଣୁ ହୋଇ ଗୁମୁରି ଗୁମୁରି କାନ୍ଦେ । ମୁଁ ସେତେବେଳେକୁ ହାଇସ୍କୁଲ ପଢ଼ିଲିଣି । ମୁଁ ନିରବତାରେ ପାଠପଢ଼ାରେ ମନୋନିବେଶ କଲେବେଳକୁ ବୋଉର ଗୁଣୁଗୁଣୁ ଗୁଞ୍ଜରଣ ଫାଙ୍କା ପବନରେ ଭାସି ଆସି ମୋ କାନରେ ବାଜେ । ମୋ ହୃଦୟ ଭିତରେ ପଶି ମନ୍ଥନ ସୃଷ୍ଟି କରେ । ଅବ୍ୟକ୍ତ ବେଦନାରେ ଶିହରିତ ହୋଇଉଠେ ମୋର ସର୍ବାଙ୍ଗ ।

ଏ ଦୁର୍ଘଟନା ଚାରି ଦଶନ୍ଧି ପୂର୍ବର । ମୁଁ ଅଛି ଶହ ଶହ କିଲୋମିଟର ଦୂର ଅଗନାଅଗନି ଜଙ୍ଗଲ ପାହାଡ଼ ଘେରା ଜନବସତିରେ । ମୋ ଭିତର ବାହାର ନିରବ ଶୂନ୍ୟ ହୋଇଗଲେ ମୋ କାନରେ ଆଜି ବି ଶୁଣାଯାଏ ବୋଉର ସେ ଗୁଣୁଗୁଣୁ କାନ୍ଦ… ।

ଲୋକପ୍ରିୟ ଲେଖା

To Top