ଗଳ୍ପ

ଶୋକାତୁରା

Dr Sharat Chandra Parida's odia Story Shokaaturaa

ଅନ୍ୟମାନେ ଏହି କାନ୍ଦଣାକୁ ବାରବାର ଆକଟ କରିବାରୁ ସେ ଏବେ କେହି ନ ଶୁଣି ପାରିଲା ପରି କାନ୍ଦେ ।

ଶୋକାତୁରା

“ମୋ ଧନରେ, ମୋ ଗଳାମାଳାରେ. . . ତୁ ତ ମୋ ପୁଅ ଯାକରେ ହୀରା. . . ମୋତେ କେତେ ବୁଝାଉ ଥିଲୁରେ. . . ମୁଁ ବଡ଼ ହୋଇ ଗଲେ ତୋର କିଛି ଦୁଃଖ ରହିବ ନାଇଁ. . . ଦୁଃଖରେ ଭସାଇ ଦେଇ କୁଆଡ଼େ ଯାଇ ରହିଲୁରେ. . .”ବୋଉ ଏମିତି ଗୁମୁରି ଗୁମୁରି କାନ୍ଦେ । କୋଉଠି କେତେବେଳେ ତା’ର ମନେ ପଡ଼ିଯାଏ କେହି ଜାଣେ ନାଇଁ । କେତେବେଳେ ଗୁହାଳ ପୋଛିଲା ବେଳେ, ପୁଣି ଦାଣ୍ଡ ଦୁଆର ଖରକିଲା ବେଳେ ପୁତ୍ର ବିଚ୍ଛେଦର ଦୁଃଖ ତା’ ମନ କୋଣରେ ଜାଗି ଉଠେ । ଆଖି ବତୁରି ଯାଏ । ପ୍ରଥମେ ପ୍ରଥମେ ଜୋର୍ କାନ୍ଦୁଥିଲା । ଅନ୍ୟମାନେ ଏହି କାନ୍ଦଣାକୁ ବାରବାର ଆକଟ କରିବାରୁ ସେ ଏବେ କେହି ନ ଶୁଣି ପାରିଲା ପରି କାନ୍ଦେ ।

ମୋର ହେତୁ ପାଇଲା ଦିନୁ ମୁଁ ତ ହେଲି ମୋ ବଡ଼ ଭାଇର ଜଗୁଆଳି । ଅବଶ୍ୟ ଭାଇ ସ୍କୁଲ ଯିବାବେଳେ ମୋର ଦାୟିତ୍ୱ ନ ଥାଏ । ରାମ ଭାଇ ଟୁନା ଭାଇ ଭଳି ତାଙ୍କ ସାଙ୍ଗମାନଙ୍କ ଉପରକୁ ସେ ଦାୟିତ୍ୱଟି ହସ୍ତାନ୍ତରିତ ହୋଇଯାଏ । ଘରୁ ଯିବା ଠାରୁ ପହଞ୍ଚିବା ପର୍ଯ୍ୟନ୍ତ ବୋଉ ନିଶ୍ଚିନ୍ତ ଥାଏ । ମାତ୍ର ଭାଇ ପାଠ ଛାଡ଼ିବା ଠାରୁ ମୁଁ ଅନ୍ୟ ଭାଇମାନଙ୍କ ମଧ୍ୟରେ ବଡ଼ ଥିବାରୁ ମୁଁ ପାଲଟି ଗଲି ଏକାନ୍ତ ବିଶ୍ୱସ୍ତ ଦେହରକ୍ଷୀ ।

ମୁଁ ଦୁଇ ବର୍ଷ ତଳେ ଘରୁ କିଶନନଗର ଯାଉଥିଲି । ଭାବିଲି ଚାଲି ଚାଲି ଯିବି । ମହାନଦୀର ମହାଶୋଭା ଉପଭୋଗ କରି କରି ଗଲେ ମନକୁ ବହୁତ ଆନନ୍ଦ ମିଳିବ । ଏବେ ମହାନଦୀରେ ମହାପୋଲ ତିଆରି ହୋଇଛି । ଆଖି ଭରି ଦେଖିବାର ସୁଯୋଗ ମିଳିବ । ଆଗେ ପୋଲ ଫୋଲ କିଛି ନଥାଏ । ମହାନଦୀର ଭୁସା ବାଲିରେ ରୀତିମତ କସରତ କରିବାକୁ ପଡ଼େ । ବାଲି ଭିତରେ ଲୁଚି ରହିଥିବା ଗୋଖରା କଣ୍ଟା ପାଦ ସହିତ ବେଳେ ବେଳେ ବିଶ୍ୱାସଘାତକତା କଲେ । ସେ ଦିନମାନଙ୍କ ଅନୁଭୂତି ଆମ ପିଢ଼ି ସରିଲେ ଜନମାନସରୁ ପୁରାପୁରି ପୋଛି ହୋଇଯିବ । ନଈ ମଝିରେ ପଠା । ପଠାର ଦୁଇପଟେ ପାଣି । ଠିକ୍ ସମୟରେ ଡଙ୍ଗା ମିଳିବ କି ନାଇଁ ମନରେ ଦକା । ପୋଷାକ ବଦଳାଇ ବା ଟେକା ଟେକି କରି ପାଣିରେ ପଶିଲେ ଡଙ୍ଗାକୁ ଧରିବାକୁ ହୁଏ । ଯେମିତି ବଡ଼ ଦେଉଳକୁ ଯିବାକୁ ହେଲେ ସିଂହାସନରର ପୂର୍ବରୁ ଗୋଡ଼ ଧୋଇ ପ୍ରବେଶ କରାଯାଇଥାଏ । ଓହ୍ଲାଇଲା ବେଳକୁ ମଧ୍ୟ ସେଇ ଦଶା । ହଉ ପଛେ, ସେ ଅନୁଭୂତି ଥିଲା ସମ୍ପୂର୍ଣ୍ଣ ନିଆରା । ଦେଶ ଆଗେଇବା ସହିତ ପୁରୁଣା ଅନୁଭୂତିରେ କଳଙ୍କି ଲାଗି ଗଲାଣି । ଆମ ଗାଁ ବୋଇଲେ ମହାନଦୀ ଓ ଚିତ୍ରୋତ୍ପଳା ମଝିରେ । ସତେ ଯେମିତି ଗଣେଶଙ୍କ ଉଭୟ ପଟରେ ଋଦ୍ଧି ଓ ସିଦ୍ଧି ସମୟ ସୁଅରେ ପ୍ରବାହମାନ । ଏକ ଟାପୁରେ କହିଲେ ଭୁଲ୍ ହେବ ନାଇଁ । ଏକ ତ୍ରିକୋଣଭୂମି । ବନ୍ୟା ଆମର ଅପ୍ରିୟ ହେଲେ ମଧ୍ୟ ଚିର ପରିଚିତ । ଏଇ ଯେମିତି ଆମେ କେତେକ ଲୋକଙ୍କ ମୁହଁ ଦେଖିବାକୁ ଇଚ୍ଛା ନ କଲେ ଆମ ଆଖି ସାମ୍ନାରେ ସେ ମୁହଁଗୁଡ଼ାକ ଆପଣା ଛାଏଁ ଆସି ଦେଖା ଦିଅନ୍ତି । ଆମର ଫସଲ ଧୋଇଯାଏ ବୋଲି ଆମେ ଧୋଇଆ । ନଈ ଆରପାରିରେ ଗାଁ ବୋଲି ନଈ ସେପାରିଆ । କୋଳଥ ପ୍ରଚୁର ଫଳେ ବୋଲି କୋଳଥିଆ । ଏମିତି ସ୍ନେହ ସରାଗରେ କେତେ ନାଁ ଦେଇଥାନ୍ତି କିଶନନଗର ଓ ସାଲେପରୁ ଅଞ୍ଚଳର ନଈପାରି ହଉ ନଥିବା ଲୋକେ ।

ମୁଁ ଘର ଠାରୁ ଯେତିକି ଦୂରକୁ ଯାଉଥାଏ ଏକଲାପଣ ସେତିକି ବଢ଼ି ବଢ଼ି ଯାଉଥାଏ । ବାଟରେ ପଡ଼େ ଢିଅ ବୋଇଲେ । ତା’ପରେ ଆସେ ହରିପୁର । ହରିପୁର ସରେ ରାଧାକାନ୍ତ ତୋଟାମଠରେ । ଅବଶ୍ୟ ଘରୁ ବାହାରିଲା ପରେ ପାଣୁଆ ଅଜା ଓ ଟୁନା ଭାଇନା- ଏମିତି ଦୁଇଜଣଙ୍କର ଘର ଛାଡ଼ି ଦେଲେ ଆଉ କାହାର ଘରଦ୍ୱାର ରାସ୍ତାକୁ ଲାଗି ନାଇଁ । ମଣିଷମାନଙ୍କର ଗମନାଗମନର ସାନ୍ଦ୍ରତା ମଧ୍ୟ କମ୍ । ନିଛାଟିଆ ରାସ୍ତାଟା ବନ୍ଧୁତା କରିଛି ନିର୍ଜନ ନଈବନ୍ଧ ସହିତ । ବାଟରେ ପୁଣି ଗାଁ ମଶାଣି ଖରିପଡ଼ିଆ । ଅସଂଖ୍ୟ ଦେହାବଶେଷର ମୁକ ସାକ୍ଷୀ । ପିଲାବେଳୁ ଡରି ଡରି ଆସି ବୁଢ଼ା ହେଲୁଣି । ଆଉ କ’ଣ ମରିବା ଯାକେ ଡରୁ ଥିବୁ । ଡରର ପୁଣି ଗୋଟାଏ ବୟସ ଅଛି କି ନାଇଁ । ରାଧାକାନ୍ତ ମଠର ତୋଟାବନ୍ଧରୁ ବାଟ କାଟିଗଲେ ଗୋଟାଏ ବାଲିକୁଦା ପାରି ହେବାକୁ ପଡ଼େ । ସେ ତ ବାଲିକୁଦା ନୁହେଁ ଭୟର କୁଦା । କାହିଁକି କେଜାଣି ତା’ର ଗୋଟି ଗୋଟିକିଆ ଆମ୍ୱଗଛ, ବୁଦି ବୁଦିକିଆ କଣ୍ଟାବଣ ଉପରେ ଆଖି ବୁଲି ଆସିଲେ ସତେ ଯେମିତି ସବୁତକ ଡର ଭୟ ସାଉଁଟି ହୋଇ ଆସି ମନ ଭିତରେ ଜମା ହୋଇଯାଏ । ହଉ ଘରୁ ଯେତେବେଳେ ଗୋଡ଼ କାଢ଼ିଚି ଆଉ ଡରିବି କାହାକୁ । ସାହସ ବାନ୍ଧି ଦମ୍ଭର ବାଡ଼ି ଧରି ନଈବନ୍ଧ ଆଡ଼କୁ ମୁହାଁଇଲି ।

ମହାନଦୀ ଓ ତା’ର ପଠା ନଈକୂଳିଆ ଲୋକମାନଙ୍କର ଈଶ୍ୱର ଦତ୍ତ ମଶାଣି । କେଉଁ ମାନ୍ଧାତା ଅମଳରୁ ଶବମାନଙ୍କର ଏହା ପ୍ରିୟ ଭୂମି, ପରମ ଶାନ୍ତିସ୍ଥଳ । ସତେ ଯେମିତି ଗଙ୍ଗାକୂଳ । ଅସଂଖ୍ୟ ଶବ ପୋତା ହୋଇଚି ଏହାର ପବିତ୍ର ବାଲି ଭିତରେ । ପୋଡ଼ା ହୋଇଛନ୍ତି ନଈ ପଠାରେ । ଭସେଇ ଦିଆ ଯାଇଚି କୂଳ ଖାଉଥିବା ନଈ ଜଳରେ । ସତେ ଯେମିତି ଶବମାନଙ୍କ ପାଇଁ ମହାନଦୀ ପାଲଟି ଯାଇଚି ଆଦର ମା’ର କୋଳ । ଥାନେ ଥାନେ ଏଣେ ତେଣେ ବିକ୍ଷିପ୍ତ ହୋଇ ଅଧାପୋଡ଼ା ଅବସ୍ଥାରେ ପଡ଼ି ରହିଚି ହେଂସ, କାଠ, ବାଉଁଶ, ଛାଞ୍ଚୁଣି ଶବମାନଙ୍କର ସ୍ମୃତି ବହନ କରି । ବେଳେ ବେଳେ ପୋତା ହୋଇଥିବା ଶବକୁ ବାଲି ଭିତରୁ ଖୋଳି ଆବିଷ୍କାର କରନ୍ତି ହେଟା ଓ ବିଲୁଆ । ଛଡ଼ାପଡ଼ା କରି ଛିଣ୍ଡେଇ ଖାଇ ଯାନ୍ତି ମାଂସବୋଳା ହାଡ଼କୁ । ରାଜରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୋକେ ମାଲ ଲୁଟି ନେଲାପରି । କେତେବେଳେ କେମିତି ଗାଁର ବୁଲା କୁକୁରମାନେ ମଡ଼ାର ଗନ୍ଧ ପାଇ ଧା’ନ୍ତି ମହାନଦୀକୁ କାଳେ ଖଣ୍ଡେ ମାଂସ ହାଡ଼ ଭାଗରେ ପଡ଼ିଯିବ କି ! ଖଣ୍ଡେ ପାଇଗଲେ ମହାନନ୍ଦରେ ଗାଁକୁ ଧା’ନ୍ତି । ଲୋକେ ଚିହ୍ନେଇ ଦିଅନ୍ତି ଏଇଟା ଅମୁକ ଲୋକର ହାଡ଼ । ମା’ ମଧ୍ୟ ନିଜ ପୁଅର ଏ ହାଡ଼ ଦେଖି କରୁଣ ଭାବରେ ଚାଇଁ ରହେ ।

କିଶନନଗର ଗଲାବେଳେ ରାଧାକାନ୍ତ ମଠ ପାଖରେ ଜନ ବସତିର ଚିହ୍ନକୁ ଛାଡ଼ି ଯିବାକୁ ହୁଏ । ବହୁ ପୁରୁଣା ମଠ । ଜରାଜୀର୍ଣ୍ଣ ଅବସ୍ଥା । କର୍ପୂର ଉଡ଼ିଯାଇ ଖଣ୍ଡେ କନା ଯାହା ପଡ଼ି ରହିଚି । ଶୋଷ ହେଲେ ସେଠାକୁ ଯାଇ କୂଅ ପାଣି ମୁନ୍ଦାଏ ପିଉ । ଭୟ କଟଉ । ସେହି ତୋଟା ସହିତ ମୋର ସ୍ମୃତି ଚିର ସବୁଜ । ଅଙ୍ଗେନିଭା କଥା ମନ ପରଦାରେ ଆପେ ଆପେ ଆଙ୍କି ହୋଇଯାଏ ମନେ ନ ପକାଇଲେ ମଧ୍ୟ । ମୁଁ ସେତେବେଳେ ଷଷ୍ଠ କି ସପ୍ତମରେ ପଢୁଥିଲି । ବଡ଼ ଭାଇ ହେମନ୍ତଙ୍କ ସହିତ କିଶନନଗର ହାଟକୁ ମିଶି ଯାଇଥିଲୁ । ମିଶି କରି କ’ଣ ମ ! ସେହି ଅଙ୍ଗରକ୍ଷୀ ଭୂମିକାରେ କହିଲେ ଠିକ୍ ହେବ । କିଠି ପନିପରିବାର ବୋଝ ଥିଲା ଭାଇଙ୍କ ମୁଣ୍ଡରେ । ମୁଁ ଯାଉଥଲି ଖାଲି କି ଛୋଟ ବ୍ୟାଗ୍ କିଛି ହାତରେ ଧରିଥିଲି କିଛି ମନେ ପଡୁନାଇଁ । ଭାଇଙ୍କ ବଳିଷ୍ଠ ଚେହେରା । ସେ ସବୁଥିରେ ସକ୍ରିୟ । ଦେହରେ କାଠେ ବଳ । ହେଲେ ବେଳେ ବେଳେ ଯେଉଁଠି ପଡ଼ିଯାନ୍ତି ସେଠୁ ଉଠି ପାରନ୍ତି ନାଇଁ । ହାତ ମୁଠା ମୁଠା ହୋଇ ଯାଏ । ସର୍ବାଙ୍ଗ ଥରିବାକୁ ଲାଗେ । ପାଟିରୁ ଲାଳ ଗଡ଼େ ଆଖି ଖୋସି ହୋଇଯାଏ । ଚେତା ରହେ ନାଇଁ । କିଛି ଅସ୍ପଷ୍ଟ ଶବ୍ଦର ଉଦ୍ଗିରଣ ହୁଏ । ମୋ ବିନା ଯଦି କୁଆଡ଼େ ଚାଲି ଯା’ନ୍ତି ଆଉ ଫେରିବାରେ ଡେରି କରନ୍ତି ବୋଉ ମୋତେ ପଠାଇ କହେ- “ଆରେ, ଭାଇ ଅମୁକ କାମରେ ଅମୁକ ଜାଗାକୁ ଯାଇଥିଲା । ପିଲାଟା ଏ ପର୍ଯ୍ୟନ୍ତ ଫେରିଲା ନାଇଁ । ଗଲୁ ଗଲୁ, ଟିକେ ଦେଖିବୁ ଭାଇ କୁଆଡ଼େ ଗଲା । ବିପଦ କେଉଁଠି ଲୁଚି ବସି ଥିବ ଝାମ୍ପି ପଡ଼ିବ କିଏ ଜାଣେ ରେ !” ଏହି ମାତ୍ରାଦେଶ ପାଇ ମୁଁ ଚିନ୍ତିତ ହୋଇପଡ଼େ । ମୋର ପାଦର ଗତି ପଢ଼ିଯାଏ । ଆଶା ଆଶଙ୍କାରେ ଜଡ଼ସଡ଼ ହୋଇ ଖୋଜିଲା ଆଖିକୁ ଚାରିଆଡ଼େ ପହଁରେଇ ପହଁରେଇ ଆଗକୁ ମାଡ଼ିଚାଲେ । ଭାଇଙ୍କୁ ପ୍ରକୃତିସ୍ଥ ଦେଖି ଦେଲେ ମୋର ହୋସ୍ ପଶେ ।

ମହାନଦୀରେ ପୋଲ ଦିନେ ହେବ ଏ ସ୍ୱପ୍ନ ମଧ୍ୟ ଆମେ ଦେଖି ପାରୁ ନ ଥିଲୁ । ପାଣିରେ ପଶି ଯିବାକୁ ହେଉଥିଲା ନଈରେ । ରଜ ଘଡ଼ି । ନଈ ଧାରରେ ଅଳ୍ପ ଜଳ । ଡଙ୍ଗା ଚାଲି ପାରିବ ନାଇଁ । ତେଣୁ ଆଣ୍ଠୁଏ ହେଉ ଜଙ୍ଘେ ହେଉ ଅଣ୍ଟାଏ ହେଉ ପାଣିରେ ନ ପଶିଲେ ଆର ପାରିକୁ ଯିବା ନୋହିବ । ପାଣିରେ ପଶିଲା ବେଳକୁ ଭାଗବତ ଗୋସାଇଁଙ୍କୁ ଡାକେ- ପ୍ରଭୁ, ଏ ପାଣି ଭିତରେ ଭାଇଙ୍କର କିଛି ନ ହେଉ । ଆଖପାଖରେ ତ କେହି ନାହାଁନ୍ତି । ମୁଁ ଏ ବିଶାଳ ଶରୀରକୁ ତ ସମ୍ଭାଳି ପାରିବି ନାଇଁ । ପୁଣି ଧରୁ ଧରୁ ଯଦି ମୋ ହାତ ଭାଇଙ୍କ ହାତରେ ଜାବ ପଡ଼ିଗଲା କଥା ସରିଲା । ଚାହୁଁ ଚାହୁଁ ଦି’ଭାଇଙ୍କର ସଲିଳ ସମାଧି ହୋଇଯିବା ବିଚିତ୍ର ନୁହେଁ । ମନ କଥା ମନରେ ରଖି ପାଣି ପାରି ହେଲୁ । ହାଟ କାମ ସାରିଲୁ । ପୁଣି ଫେରନ୍ତାରେ ମହାନଦୀର ଜଳଧାର ପାରି ହେଲୁ । ରାଧାକାନ୍ତ ମଠ ତୋଟାରେ ଯେମିତି ପହଞ୍ଚିଲୁ ଭାଇ କହିଲେ, “ଟିକିଏ ରହ ! ଦେଖିଲୁ, ଜାମୁକୋଳି କେମିତି ଗଛରେ ପାଚି ପେନ୍ଥା ପେନ୍ଥା ହୋଇ ତଳକୁ ନଟକିଚି । ତୁ ତଳେ ଥା’, ମୁଁ ଗଛରେ ଚଢୁଚି । ମୁଁ କୋଳି ତୋଳିବି । ତୁ ଗୋଟେଇ ଟୋକେଇରେ ରଖିବୁ ।” ମୋର ମନା ସେ ମାନିଲେ ନାଇଁ । ହୁଦସ୍ତ କିନା ଗଛରେ ଚଢ଼ିଗଲେ । ଦୁଇ କ୍ଷେପରେ ଡାଳପାଖ କୋଳିପେନ୍ଥା ପାଖରେ ପହଞ୍ଚିଗଲେ । ତଳୁ ପ୍ରାୟ ତିରିଶ ଚାଳିଶି ଫୁଟ ଉଚ୍ଚା ହେବ । ଗୋଟିଏ କି ଦୁଇଟି ଡାଳରୁ କୋଳି ତୋଳିଛନ୍ତି କି ନାଇଁ ଦେହରେ ଥିବା ରୋଗଟା ହରିଣକୁ ବାଘ ମାଡ଼ି ବସିଲା ପରି ମାଡ଼ି ବସିଲା । ଆଖି ପିଛୁଳାକେ ରଖିଥିବା ଡାଳରୁ ପାଦ ଦି’ଟା ଖସିଗଲା । ଜାମୁ ଡାଳରେ ହାତ ଜାବ ପଡ଼ିଗଲା । କିଛି ସମୟ କମ୍ପମାନ ଅବସ୍ଥାରେ ଜାବରେ ଝୁଲି ରହିଲେ । ମୁଁ ବିକଳ ହୋଇ ଚିତ୍କାର କରିବାକୁ ଲାଗିଲି- “କିଏ କେଉଁଠାରେ ଅଛ ଦୌଡ଼ି ଆସ, ମୋ ଭାଇକି ରକ୍ଷା କର ।'” ଦୈବାତ୍ ହରିପୁରର ନିମାଇ ବୋଲି ଜଣେ ଯୁବକ ସେଇ ପାଖ ଦେଇ ଯାଉ ଥିଲେ । ମୋର ଡାକ ଶୁଣି ଦୌଡ଼ି ଆସିଲେ ।

ସେ ଧଇଁ ସଇଁ ହୋଇ କହୁଥାନ୍ତି- “ହେମ ! ତୁ ସେହି ଡାଳକୁ ସେହିପରି ଧରିଥା’ । ମୁଁ ତୋ ପାଖକୁ ଯାଉଚି । ବ୍ୟସ୍ତ ହୁଅନା ।” ଏହା କହି ସଜିଲ ହୋଇ ଗଛରେ ଚାରି ପାଞ୍ଚଫୁଟ ଚଢ଼ିଛନ୍ତି କି ନାଇଁ ଭାଇଙ୍କ ହାତ ଗୋଡ଼ ସବୁ ଗଛଡ଼ାଳରୁ ଖସି ଗଲାଣି । ମୋତେ କିଛି ବୁଦ୍ଧିବାଟ ଦେଖା ଯାଉ ନଥାଏ । ଗଛରୁ ଖାଡ଼ ପଡ଼ିଲା ପରି ତଳକୁ ତଳ ଥିବା ବିଭିନ୍ନ ଡାଳରେ ଦେହ ହାତ ଗୋଡ଼ ମୁଣ୍ଡ ବାଡ଼େଇ ପିଟି ହୋଇ ଭାଇ ତଳେ ପଡ଼ିଗଲେ । କାଦୁଅ ମେଞ୍ଚାଟା ପରି ପଡ଼ି ରହିଲେ ଯେ ଆଉ ଉଠି ପାରିଲେ ନାଇଁ । ମୁହଁରେ ପାଣି ଛାଟିଲା ପରେ କିଛି ସମୟ ମଧ୍ୟରେ ସାଷ୍ଟମ ହେଲେ । ଘରକୁ ବାଟୋଇଙ୍କ ହାତରେ ଖବର ଗଲା । ବାପା ବ୍ୟସ୍ତ ହୋଇ ବୋଉ କାନ୍ଦି କାନ୍ଦି ମୋ ପାଖରେ ପହଞ୍ଚିଲେ । ଆର୍ଥିକ ଅବସ୍ଥା ଭାରି ଖରାପ ଥିଲା । ବାପାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । କଟକ ବଡ଼ ଡାକ୍ତରଖାନା ନେବାକୁ ହେବ । କେଉଁଠୁ ଏଡ଼େଗୁଡ଼ାଏ ଟଙ୍କା ଧାର ଆସିବ । ଯାହା ହେଉ ମିଶ୍ରଘର ଯଦୁଆ ଅଜା ପରିସ୍ଥିତିର ଗମ୍ଭୀରତା ହୃଦୟଙ୍ଗମ କଲେ । ହାତ ଉଧାର କିଛି ଟଙ୍କା ଦେବାରୁ ବାପା ଆଉ କିଛି ଗାଁ ଲୋକଙ୍କ ସାହାଯ୍ୟରେ ଭାଇଙ୍କୁ କଟକ ନେଲେ । ବୋଉ ମଧ୍ୟ ଲୁଗାପଟା ଧରି ସାଙ୍ଗରେ ଗଲା । ଧନହାନି ପ୍ରାଣପୀଡ଼ା ସହ ମାସକ ଯାକେ ମେଡ଼ିକାଲ୍ରେ ରହିଲେ । ପ୍ଲାଷ୍ଟର ଗୋଡ଼ ଧରି ଭାଇ ଫେରିଲେ ଘରକୁ ।

ତା’ପରେ

ଲୋକପ୍ରିୟ ଲେଖା

To Top