ରେ ଆତ୍ମନ

ନିଶ୍ଚଳ ତତ୍ତ୍ୱେ ଜୀବନ ମୁକ୍ତି

Pradipta Sundar Moharana's odia re atman article Nischala Tattwe Jeebana Mukti Part One

ଆତ୍ମାର ସ୍ୱରୂପ ସମ୍ବନ୍ଧରେ ଅଧିକ ବର୍ଣ୍ଣନା କରିବାକୁ ଯାଇ ଶ୍ରୀକୃଷ୍ଣ ପୁର୍ନଜନ୍ମର ତଥ୍ୟକୁ ଅର୍ଜୁନଙ୍କୁ କହୁଛନ୍ତି ଏବଂ ପୁର୍ନଜନ୍ମକୁ ଏକ ଦୈନନ୍ଦିନ କାର୍ଯ୍ୟ ସହିତ ତୁଳନା କରିଛନ୍ତି ।

ରେ ଆତ୍ମନ! ନିଦ୍ରା ପରିହରି,
ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ
ନିଃଶବ୍ଦ ଜୀବନସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ
ରେ ଆତ୍ମନ! ନିଦ୍ରା ପରିହରି । ୧ ।

ଜାତ ହୋଇଥିବା ପ୍ରତ୍ୟେକ ଜୀବ ଶରୀର ମୃତ୍ୟୁ ନାମକ ଲୌକିକସତ୍ୟର ସମ୍ମୁଖୀନ ହୁଏ । ତେବେ, ଭକ୍ତ କବି ମଧୁସୂଦନ ରାଓଙ୍କର ଏହି ସମ୍ବୋଧନ “ରେ ଆତ୍ମନ!”, କାହାଠାରୁ ଆରମ୍ଭ ? ଓ କାହାପାଇଁ ଉଦ୍ଦିଷ୍ଟ?

ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମାଦପରିହାର୍ଯ୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି । । ୨୭ । ।

(ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ ।
ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ । )

ଇଂରାଜୀରେ ଗୋଟିଏ ଲୋକପ୍ରିୟ ଢଗ ଅଛି, “As certain as death” – “ମୃତ୍ୟୁ ପରି ସୁନିଶ୍ଚିତ” । ବେଞ୍ଜାମିନ୍ ଫ୍ରାଙ୍କଲିନ କହିଥିଲେ: “କେବଳ ମୃତ୍ୟୁ ଏବଂ ସରକାର ଆଦାୟ କରୁଥିବା କର ଜୀବନରେ ସୁନିଶ୍ଚିତ ଅଟେ” । ଅବଶ୍ୟ କରରେ ବ୍ୟତିକ୍ରମ ଆସିପାରେ, କିନ୍ତୁ ଜୀବ ଜୀବନରେ ସବୁଠାରୁ ବଡ ସତ୍ୟ ଏହା ଯେ, ଆମେ ସମସ୍ତେ ଦିନେ ମୃତ୍ୟୁ ମୁଖରେ ପଡ଼ିବା । ମନସ୍ତତ୍ତ୍ୱବିତ୍‌ମାନେ ମୃତ୍ୟୁର ଭୟକୁ ଜୀବନର ସବୁଠାରୁ ବଡ଼ ଭୟ ରୂପେ ବିବେଚନା କରନ୍ତି । ପତଞ୍ଜଳୀ ଯୋଗ ଦର୍ଶନରେ ମଧ୍ୟ ‘ଅଭିନିବେଶ’ ଅର୍ଥାତ୍ ଯେ କୌଣସି ମୂଲ୍ୟରେ ବଞ୍ଚି ରହିବାର ପ୍ରଚେଷ୍ଟାକୁ ମାୟିକ ବୁଦ୍ଧିର ଏକ ଗୁଣ ଭାବରେ ବର୍ଣ୍ଣନା କରାଯାଇଛି । ଯାହାର ଜନ୍ମ ହୁଏ, ତା’ର ମୃତ୍ୟୁ ସୁନିଶ୍ଚିତ । ତେଣୁ ଯେତେବେଳେ କୌଣସି ଘଟଣା ନିଶ୍ଚିତ, ତା ପାଇଁ ଅନୁଶୋଚନା କାହିଁକି? – ଏକଥା ଶ୍ରୀକୃଷ୍ଣ କୁହନ୍ତି । ମହାଭାରତରେ ‘ଯକ୍ଷପ୍ରଶ୍ନ’ ରେ ଏହିପରି ଏକ ଘଟଣା ବର୍ଣ୍ଣନା କରାଯାଇଛି । ବନବାସ ସମୟରେ, ଦିନେ ଜଙ୍ଗଲରେ ବୁଲୁଥିବା ସମୟରେ ପାଣ୍ଡବମାନେ ତୃଷାଗ୍ରସ୍ତ ହୋଇ ଏକ କୂଅ ନିକଟରେ ପହଞ୍ଚିଲେ । ଯୁଧିଷ୍ଠିର ଭୀମଙ୍କୁ ସେମାନଙ୍କ ପାଇଁ ପାଣି ଆଣିବାକୁ କହିଲେ । ଭୀମ ଯେତେବେଳେ କୂଅ ପାଖକୁ ଗଲେ, କୂଅ ଭିତରୁ ଜଣେ ଯକ୍ଷ କହିଲେ, “ପ୍ରଥମେ ମୋର ପ୍ରଶ୍ନର ଉତ୍ତର ଦେଲେ ହିଁ ମୁଁ ତୁମକୁ ପାଣି ନେବାକୁ ଅନୁମତି ଦେବି” । ଭୀମ ତାଙ୍କ କଥାକୁ କର୍ଣ୍ଣପାତ ନ କରି ପାଣି କାଢିବାକୁ ଉଦ୍ୟତ ହୁଅନ୍ତେ ଯକ୍ଷ ତାଙ୍କୁ କୁଅ ମଧ୍ୟକୁ ଟାଣି ନେଲେ । କିଛି ସମୟ ପରେ ଭୀମ ନ ଫେରିବାର ଦେଖି, ଯୁଧିଷ୍ଠିର ବ୍ୟସ୍ତ ହୋଇ ଅର୍ଜୁନଙ୍କୁ କ’ଣ ହୋଇଛି ଦେଖିବା ପାଇଁ ଏବଂ ପାଣି ଆଣିବା ପାଇଁ ପଠାଇଲେ । ଅର୍ଜୁନ ଯେତେବେଳେ କୁଅ ନିକଟରେ ପହଞ୍ଚିଲେ, ତାଙ୍କୁ ମଧ୍ୟ ଯକ୍ଷ କହିଲେ, “ ମୁଁ ତୁମ ଭାଇଙ୍କୁ ବନ୍ଦୀ କରିସାରିଛି । ମୋର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବା ପୂର୍ବରୁ ପାଣି ନେବା ପାଇଁ ଚେଷ୍ଟା କର ନାହିଁ । ଅର୍ଜୁନ ମଧ୍ୟ ତାଙ୍କ କଥା ଶୁଣିଲେ ନାହିଁ, ଏବଂ ଯକ୍ଷ ତାଙ୍କୁ ମଧ୍ୟ କୁଅ ମଧ୍ୟକୁ ଟାଣିନେଲେ । ତାପରେ ନକୁଳ ଓ ସହଦେବ ସେଠାକୁ ଗଲେ ଏବଂ ସେମାନଙ୍କର ମଧ୍ୟ ସେହି ଦଶା ହେଲା । ଶେଷରେ ଯୁଧିଷ୍ଠିର ନିଜେ କୁଅ ନିକଟକୁ ଆସିଲେ । ଏଥର ମଧ୍ୟ ଯକ୍ଷ କହିଲେ, ତୁମେ ଯଦି କୁଅରୁ ପାଣି ପିଇବାକୁ ଚାହୁଁଛ ତାହେଲେ ମୋ ପ୍ରଶ୍ନର ଉତ୍ତର ଦିଅ, ନଚେତ୍ ତୁମ ଚାରି ଭାଇଙ୍କ ପରି ତୁମକୁ ମଧ୍ୟ ମୁଁ କୁଅ ଭିତରକୁ ଟାଣିନେବି । ଯୁଧିଷ୍ଠିର ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ରାଜି ହେଲେ । ବାସ୍ତବରେ ମୃତ୍ୟୁର ଦେବତା ଯମରାଜ ହିଁ ଛଦ୍ମ ବେଶରେ ଯକ୍ଷ ରୂପରେ ଥିଲେ । ସେ ଷାଠିଏଟି ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ଯୁଧିଷ୍ଠିର ସଠିକ ଭାବେ ଦେଇଥିଲେ । ତନ୍ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା: କିମ୍ ଆଶ୍ଚର୍ଯ୍ୟମ୍‌? ସଂସାରରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କ’ଣ? ଯୁଧିଷ୍ଠିର ଉତ୍ତର ଦେଲେ:

ଅହନ୍ୟହନି ଭୂତାନି ଗଚ୍ଛନ୍ତୀହ ଯମାଳୟମ୍
ଶେଷାଃ ସ୍ଥିରତ୍ୱମ୍ ଇଚ୍ଛନ୍ତି କିମାଆଶ୍ଚର୍ଯ୍ୟମତଃ ପରମ୍

(ମହାଭାରତ)

“ପ୍ରତି ମୁହୂର୍ତ୍ତରେ ଲୋକେ ମରୁଛନ୍ତି । ଜୀବିତ ରହିଥିବା ଲୋକେ ଏହିସବୁ ଘଟଣା ଦେଖୁଛନ୍ତି, କିନ୍ତୁ ତଥାପି ସେମାନେ ଚିନ୍ତା କରୁନାହାନ୍ତି ଯେ ଦିନେ ସେମାନେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିବେ । ଏହାଠାରୁ ବଳି ଆଶ୍ଚର୍ଯ୍ୟ ଆଉ କ’ଣ ହୋଇପାରେ ? ଶ୍ରୀକୃଷ୍ଣ ଏହି ଶ୍ଲୋକରେ ବୁଝାଉଛନ୍ତି ଯେ ଜୀବନର ଅନ୍ତ ଅନିବାର୍ଯ୍ୟ ଅଟେ, ତେଣୁ ଜ୍ଞାନୀ ବ୍ୟକ୍ତି ଏପରି ଏକ ନିଶ୍ଚିତ ଘଟଣା ପାଇଁ ଅନୁଶୋଚନା କରିବା ଉଚିତ ନୁହେଁ ।

ଯାବତ୍ ସଂଜାୟତେ କିଞ୍ଚିତ୍ ସତ୍ତ୍ୱଂ ସ୍ଥାବରଜଙ୍ଗମମ୍ ।
କ୍ଷେତ୍ରକ୍ଷେତ୍ରଜ୍ଞସଂଯୋଗାତ୍ ତଦ୍‌ବିଦ୍ଧି ଭରତର୍ଷଭ । । ଗୀତା ୧୩.୨୭ । ।

(ତୁମେ ସଂସାରରେ ଯାହାସବୁ ଅଚଳ ଏବଂ ସଚଳ ପ୍ରାଣୀ ଦେଖୁଛ,
ସେଗୁଡ଼ିକୁ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କର ସମାହାର ରୂପରେ ଜାଣ । )

ଶ୍ରୀକୃଷ୍ଣ ଯାବତ୍ କିଞ୍ଚିତ୍ ଶବ୍ଦର ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ଯେଉଁସବୁ ପ୍ରାଣୀ ଶରୀର ରହିଛି । ” ତାହା ଯେତେ ବିଶାଳ ବା କ୍ଷୁଦ୍ରାତିକ୍ଷୁଦ୍ର ହୋଇଥାଉ ନା କାହିଁକି, ସମସ୍ତଙ୍କର ଜନ୍ମ କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କ ସଂଯୋଗରେ ହୋଇଥାଏ । ତେବେ, ସେ ଆତ୍ମନ୍ କ’ଣ କ୍ଷେତ୍ରଜ୍ଞ ନା ଆଉ କେହି ?

ନ ଜାୟତେ ମ୍ରିୟତେ ବା କଦାଚି-
ନ୍ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ
ନ ହନ୍ୟତେ ହନ୍ୟମାନେ ଶରୀରେ । । ଗୀତା ୨.୨୦ । ।

ଆତ୍ମାର ଜନ୍ମ ନାହିଁ ବା ତା’ର ମୃତ୍ୟୁ ନାହିଁ । ଏମିତି ସମୟ ନଥିଲା ଯେତେବେଳେ ଏହାର ଅସ୍ତିତ୍ୱ ନଥିଲା ବା
ଏମିତି ସମୟ ନାହିଁ ଯେତେବେଳେ ଏହାର ଅସ୍ତିତ୍ୱ ରହିବ ନାହିଁ ।

ଆତ୍ମାର ଜନ୍ମ ନାହିଁ; ଏହା ଚିରନ୍ତନ, ଅମର ଏବଂ ଶାଶ୍ୱତ ଅଟେ । ଶରୀର ନଷ୍ଟ ହେବା ସହିତ ଏହା ନଷ୍ଟ ହୁଏ ନାହିଁ । ଆତ୍ମାର ଶାଶ୍ୱତ, ଯାହା ନିତ୍ୟ ଏବଂ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱରେ । ଅନିତ୍ୟର ଛଅ ପ୍ରକାର ପରିବର୍ତ୍ତନ ଯଥା; ଅସ୍ତି, ଜାୟତେ, ବର୍ଦ୍ଧତେ, ବିପରିଣମତେ, ଅପକ୍ଷୀୟତେ ଓ ବିନଶ୍ୟତି , ଅର୍ଥାତ୍ ଗର୍ଭବାସ, ଜନ୍ମ, ବୃଦ୍ଧି, ବଂଶବୃଦ୍ଧି, କ୍ଷୟ ଏବଂ ମୃତ୍ୟୁ ହୋଇଥାଏ । କିନ୍ତୁ ଆତ୍ମା ନିତ୍ୟ ତେଣୁ ଏହାର ଏହି ଛଅ ପ୍ରକାର ପରିବର୍ତ୍ତନ ହୋଇ ନ ଥାଏ । ଏସବୁ ପରିବର୍ତ୍ତନ, ଶରୀର (କ୍ଷେତ୍ରଜ୍ଞର କ୍ଷେତ୍ର) ର ହୋଇଥାଏ, ଆତ୍ମାର ନୁହେଁ । ଯାହାକୁ ଆମେ ମୃତ୍ୟୁ କହୁ ତାହା କେବଳ ଶରୀରର ବିନାଶ ଅଟେ, କିନ୍ତୁ ଅମର ଆତ୍ମା ଏହି ଶାରୀରିକ ପରିବର୍ତ୍ତନରେ ପ୍ରଭାବିତ ହୁଏ ନାହିଁ । ବେଦରେ ଏହା ସମ୍ବନ୍ଧରେ ବାରମ୍ବାର ଗୁରୁତ୍ୱାରୋପଣ କରାଯାଇଛି । ଗୀତାର ଏହି ଶ୍ଳୋକ ସଦୃଶ କଠୋପନିଷଦରେ ଏକ ଶ୍ଳୋକ ଅଛି ।

ନା ଜାୟତେ ମ୍ରିୟତେ ବା ବିପଶ୍ଚିନ୍ନାୟଂ କୁତଶ୍ଚିନ୍ ନ ବଭୂବ କଶ୍ଚିତ୍‌
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ । (୧.୨.୧୮)

“ଆତ୍ମାର ଜନ୍ମ ନାହିଁ କି ଏହାର ମୃତ୍ୟୁ ନାହିଁ । ଏହା କାହାଠାରୁ ଉତ୍ପନ୍ନ ହୋଇ ନ ଥାଏ ଅବା ଏହାଠାରୁ କେହି ଉତ୍ପନ୍ନ ହୁଅନ୍ତି ନାହିଁ । ଏହା ଅଜନ୍ମା, ଚିରନ୍ତନ, ଅମର ଏବଂ ଚିରାୟୁ ଅଟେ । ଶରୀର ନଷ୍ଟ ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ । ”

ପୁନଃ ବୃହଦାରଣ୍ୟକ ଉପନିଷଦ କହେ:

ସ ବା ଏଷ ମହାନ୍ ଅଜ ଆତ୍ମାଜରୋଽମରେଽମୃତେଽଭୟଃ । (୪.୪.୨୫)

“ଆତ୍ମା ଦୀପ୍ତିମୟ, ଅଜନ୍ମା, ମୃତ୍ୟୁରହିତ, ଜରାରହିତ, ଅମର ଏବଂ ନିର୍ଭୟ ଅଟେ । ”

ଅବ୍ରାହମିକ ଧର୍ମାବଲମ୍ବୀ ସଂପ୍ରଦାୟ କେବଳ ମନୁଷ୍ୟଠାରେ ଆତ୍ମାର ଅବସ୍ଥିତି ସ୍ୱୀକାର କରନ୍ତି, କିନ୍ତୁ ଅନ୍ୟ ପ୍ରାଣୀଙ୍କର ମଧ୍ୟ ଆତ୍ମା ଥିବା କଥା ସ୍ୱୀକାର କରନ୍ତି ନାହିଁ । ଏହି ସିଦ୍ଧାନ୍ତ ହେତୁରୁ ଅବ୍ରାହମିକ ଧର୍ମାବଲମ୍ବୀଙ୍କ ମଧ୍ୟରେ, ଅନ୍ୟ ପ୍ରାଣୀଙ୍କ ପ୍ରତି ହିଂସାକୁ ମଧ୍ୟ ସମର୍ଥନ କରିଥାଏ । କିନ୍ତୁ ବୈଦିକ ଦର୍ଶନ ଅନୁଯାୟୀ, ଯେଉଁଠି ବି ଚେତନା ଅଛି, ସେଠାରେ ନିଶ୍ଚିତ ଭାବରେ ଆତ୍ମା ଉପସ୍ଥିତ ରହିଛି । ଆତ୍ମା ବିନା ଚେତନାର ଅବସ୍ଥିତି ନାହିଁ । ଏଥିପାଇଁ ଭାରତୀୟ ସନାତନ ଅହିଂସା ଆଚରଣ କରାଯାଇ ସମଗ୍ର ବସୁଧାକୁ କୁଟୁମ୍ବ ଭାବରେ ପରିଗଣନା କରାଯାଏ ।

ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ସାର୍ ଜେ.ସି. ବୋଷ୍‌, ପରୀକ୍ଷା ଦ୍ୱାରା ପ୍ରମାଣିତ କରିଥିଲେ ଯେ ବୃକ୍ଷ, ଯେଉଁମାନେ କି ଅଚର ପ୍ରାଣୀ ଅଟନ୍ତି, ସେମାନେ ମଧ୍ୟ ସମ୍ବେଦନାକୁ ଅନୁଭବ କରି ପ୍ରତିକ୍ରିୟା ଦେଖାଇ ପାରନ୍ତି । ତାଙ୍କ ପରୀକ୍ଷା ପ୍ରମାଣିତ କରିଥିଲା ଯେ ମଧୁର ସଂଗୀତ ବୃକ୍ଷଙ୍କ ବୃଦ୍ଧିରେ ସାହାଯ୍ୟ କରେ । ଯେତେବେଳେ ଜଣେ ଶିକାରୀ ବୃକ୍ଷ ଡାଳରେ ବସିଥିବା ଏକ ପକ୍ଷୀକୁ ଗୁଳିମାରେ, ବୃକ୍ଷର ତରଙ୍ଗକୁ ଦେଖିଲେ ମନେହୁଏ ସତେ ଯେପରି ପକ୍ଷୀଟି ପାଇଁ ସେ କାନ୍ଦୁଛି । ବଗିଚାର ଯତ୍ନ ନେଉଥିବା ମାଳି ଯେତେବେଳେ ବଗିଚାରେ ପ୍ରବେଶ କରେ, ବୃକ୍ଷମାନେ ଆନନ୍ଦ ଅନୁଭବ କରନ୍ତି ।

ବୃକ୍ଷମାନଙ୍କର ତରଙ୍ଗରେ ପରିବର୍ତ୍ତନ ପ୍ରକାଶ କରିଥାଏ ଯେ ସେମାନେ ମଧ୍ୟ ଚେତନା ଧାରଣା କରନ୍ତି ଏବଂ ଆବେଗର ଆଭାସକୁ ଅନୁଭବ କରିପାରନ୍ତି । ଏହି ସବୁ ଅବଲୋକନ ଶ୍ରୀକୃଷ୍ଣଙ୍କ କଥନର ପୁଷ୍ଟି କରିଥାଏ ଯେ ସମସ୍ତ ପ୍ରାଣୀ ଚେତନାଯୁକ୍ତ ଅଟନ୍ତି: ସେମାନେ ଚେତନାର ଉତ୍ସ ନିତ୍ୟ ଆତ୍ମା ଏବଂ ଜଡ ମାୟିକ ଶରୀରର ସମ୍ମିଶ୍ରଣ ଅଟନ୍ତି । ତେବେ କଅଣ ଏହି ଜୀବ ଆତ୍ମା କ୍ଷେତ୍ରକୁ ତ୍ୟାଗ କରି ଆଉ ଏକ କ୍ଷେତ୍ର ମଧ୍ୟରେ ପ୍ରବିଷ୍ଟ ହୁଏ ?

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ
ନବାନି ଗୃହ୍‌ଣାତି ନରୋଽପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣ୍ଣା-
ନ୍ୟନ୍ୟାନି ସଂଯାତି ନବାନି ଦେହୀ । । ଗୀତା ୨. ୨୨ । ।

(ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିଥାଆନ୍ତି,
ସେହିପରି ମୃତ୍ୟୁ ସମୟରେ ଆତ୍ମା ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ଏକ ନୂତନ ଶରୀର ଧାରଣ କରେ । )

ଆତ୍ମାର ସ୍ୱରୂପ ସମ୍ବନ୍ଧରେ ଅଧିକ ବର୍ଣ୍ଣନା କରିବାକୁ ଯାଇ ଶ୍ରୀକୃଷ୍ଣ ପୁର୍ନଜନ୍ମର ତଥ୍ୟକୁ ଅର୍ଜୁନଙ୍କୁ କହୁଛନ୍ତି ଏବଂ ପୁର୍ନଜନ୍ମକୁ ଏକ ଦୈନନ୍ଦିନ କାର୍ଯ୍ୟ ସହିତ ତୁଳନା କରିଛନ୍ତି । ଯେତେବେଳେ ଆମେ ପରିଧାନ କରୁଥିବା ବସ୍ତ୍ର ଛିନ୍ନ ଏବଂ ଅଦରକାରୀ ହୋଇଯାଏ, ଆମେ ତାହାକୁ ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରୁ । ଏପରି କରିବା ଦ୍ୱାରା ଆମେ ନିଜକୁ ପରିବର୍ତ୍ତନ କରି ନ ଥାଉ । ସେହିପରି ଆତ୍ମା ନିଜର ପୁରାତନ ଅବକ୍ଷୟ ପ୍ରାପ୍ତ ଶରୀର ତ୍ୟାଗ କରି ଅନ୍ୟତ୍ର ଏକ ନୂତନ ଶରୀର ଧାରଣ କଲାବେଳେ, ଏହାର କୌଣସି ପରିବର୍ତ୍ତନ ହୁଏ ନାହିଁ ।

-ତା’ପରେ –

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top