ଅଣୁଗଳ୍ପ

ସାପୁଆ କେଳା – ଏକ ଅପୂର୍ଣ୍ଣ ସ୍ୱପ୍ନର କରୁଣ କାହାଣୀ

Dr Pradeep Kumar Panda's odia short story Sapuaa Kela - Eka Apurnna Swapnara Karuna Kahani

ହଁ ବାବୁ, ଏଇ ରାସ୍ତାଟା ମୋର ଜୀବନର ଭାତହାଁଡି । ଲୋକମାନେ ଆଏସନ , କିଛି ସମିୟା ଠାଡ ହେଇ ଦେଖସନ, କିଛି ଟଙ୍କା ଦେଇ ଚାଲିଯାଏସନ । ଏନ୍ତା ଦିନ କଟସି ।

ସହରର ଚଞ୍ଚଳ ଜୀବନ ମାନେ ନିରନ୍ତର ଦୌଡ଼ । ଲୋକମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ନିଜ କାମରେ ବ୍ୟସ୍ତ ରହନ୍ତି । କେହି ନିଜ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଦୌଡ଼ୁଛନ୍ତି, କେହି ପରିବାରର ଦାୟିତ୍ୱ ପାଇଁ ଜୀବନ ସହିତ ଯୁଦ୍ଧ କରୁଛନ୍ତି । ସେହି ଅନବରତ ଗତିଶୀଳ ଜୀବନର ମଧ୍ୟରେ ଗୋଟିଏ ଦିନ ମୋର ଦୃଷ୍ଟି ରାସ୍ତା କଡ଼ରେ ବସିଥିବା ଜଣେ ଯୁବକ ଉପରେ ପଡ଼ିଲା ।

ସେ ଥିଲେ ଜଣେ ସାପୁଆ । ତାଙ୍କ ସାମ୍ନାରେ ଥିଲା କେତୋଟି ପୁରୁଣା ବାଉଁଶର ପେଡି ଓ ଏକ ବିନ । ସେ ବିନ ବଜାଉଥିଲେ, ଆଉ ବାଉଁଶର ପେଡିରୁ ମୁଣ୍ଡ ଉଠାଇ ଏକ ସାପ ତାହାର ଦୋଳନରେ ନାଚୁଥିଲା । ଚାରିପାଖରେ କିଛି ଲୋକ ଭିଡ଼ କରି ଦେଖୁଥିଲେ, କିଛି ଲୋକ ମନୋରଞ୍ଜନ ପାଇଁ ହସୁଥିଲେ, ଆଉ କିଛି ଲୋକ ଏକ ଦୁଇ ଟଙ୍କା ତାଙ୍କ ସାମ୍ନାରେ ଫିଙ୍ଗି ଦେଇ ଚାଲିଯାଉଥିଲେ ।

ମୁଁ କିଛି ସମୟ ଦୂରରୁ ସେହି ଦୃଶ୍ୟକୁ ଦେଖୁଥିଲି । କିନ୍ତୁ ମୋ ମନରେ ଅଜଣା ଉତ୍ସୁକତା ଜନ୍ମ ନେଲା । ଖେଳ ସରିବା ପରେ ମୁଁ ଧୀରେ ତାଙ୍କ ପାଖକୁ ଯାଇ ପାଖରେ ବସିଲି ।

ଯୁବକଟି ମୋତେ ଦେଖି ହାଲୁକା ହସିଲା । ସେହି ହସରେ ଥିଲା କ୍ଲାନ୍ତି, ଥିଲା ଜୀବନର ଅନେକ ଅଭିଜ୍ଞତାର ଛାୟା ।

ମୁଁ ପଚାରିଲି— “ଭାଇ, ତୁମର ନାମ କ’ଣ?”

ସେ ଧୀରେ କହିଲା— “ମୋର ନାମ କେଳା । ଲୋକମାନେ ମୋତେ ‘ସାପୁଆ କେଳା’ ବୋଲି ଡାକନ୍ତି ।”

ମୁଁ ପଚାରିଲି – “ଭାଇ, ତୁମେ ପ୍ରତିଦିନ ଏଠି ବସୁଛ କି?”

ସେ ହଳୁକ ହସି କହିଲେ – “ହଁ ବାବୁ, ଏଇ ରାସ୍ତାଟା ମୋର ଜୀବନର ଭାତହାଁଡି। ଲୋକମାନେ ଆଏସନ , କିଛି ସମିୟା ଠାଡ ହେଇ ଦେଖସନ, କିଛି ଟଙ୍କା ଦେଇ ଚାଲିଯାଏସନ। ଏନ୍ତା ଦିନ କଟସି।”

ମୁଁ ଆଶ୍ଚର୍ଯ୍ୟରେ ପଚାରିଲି – “ସାପ ସହିତ ଖେଳ କରିବାକୁ ତୁମକୁ ଡରଭୟ ଲାଗେନି କି ?”

ସେ ଅଲ୍ପ ଗମ୍ଭୀର ହେଇ କହିଲେ – “ଡରଭଏ ତ ଲାଗେ ବାବୁ । ହେଲେ ପେଟର ଭୁଖ ଡରଭଏଠାନୁ ବଡ଼ । ଇ ସାପଟା ମୋର ଶତ୍ରୁ ନୁହେଁ, ମୋର ସାଙ୍ଗ । ଇତାର ସଙ୍ଗେ ମୋର ଜୀବନ ଚାଲିଛେ ।”

ମୁଁ ପୁଣି ପଚାରିଲି – “ଏହି କାମ କିପରି ଶିଖିଲ ?”

ସେ ଦୂରକୁ ଚାହିଁ କହିଲେ – “ଇଟି ଆମର ପୁରନା ପେଶା । ମୋର ବାପା ଭି ସାପୁଆ ଥିଲେ, ତାକର ଠାନୂ ଶିଖିଛେ । ଛୋଟବେଳୁ ସାପ ସଙ୍ଗେ ମୋର ଚିନ୍‌ହାପଏଚାନ । ହେଲେ ଏବେ ଲୋକମାନେ ପୁରନା ଖେଳ ଦେଖିବାକେ ଅଧିକା ମନ ନାଇଁ ଦେବାର । ତଥାପି ଇ ପେଶା ଛାଡ଼ି ଆଉ କିଛି ନାଇଁ ଜାଣି ।”

ତାଙ୍କ କଥା ଶୁଣି ମୋ ମନରେ ଏକ ଗଭୀର ଭାବନା ଜାଗ୍ରତ ହେଲା । ସହରର ଚଞ୍ଚଳ ଜୀବନରେ ଆମେ ସଫଳତା ଓ ସ୍ୱପ୍ନ ପାଇଁ ଦୌଡ଼ୁଛୁ, କିନ୍ତୁ ଏହି ଯୁବକ ପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ପରମ୍ପରାକୁ ଧରି ଜୀବନ ସଂଘର୍ଷ କରୁଛନ୍ତି ।

ଶେଷରେ ମୁଁ କହିଲି – “ତୁମର ଜୀବନ ନିଶ୍ଚୟ ଅତ୍ୟନ୍ତ କଷ୍ଟକର।”

ସେ ଶାନ୍ତ ଭାବରେ କହିଲେ – “ଜୀବନକେ କଷ୍ଟ ହେଲେ ଭି ବାବୁ, ଇ ପୃଥିବୀନେ ବଞ୍ଚିବା ଲାଗି ଆଶାଟା ହିଁ ସବୁଠାନୁ ବଡ଼ ଶକ୍ତି।”

ମୁଁ ତାଙ୍କ ପାଖରେ ବସି ଦୁଇପଦ କଥା କହିବାକୁ ଲାଗିଲି । କିଛି ସମୟ ପରେ ସେ ବିନଟାକେ ତଳେ ଥୁଇ କରି ଏକ ଦୀର୍ଘଶ୍ୱାସ ନେଲା । ମନେ ହେଲା, ତାଙ୍କ ହୃଦୟର ଗଭୀରରେ ଲୁଚିଥିବା ଏକ ଦୀର୍ଘ କାହାଣୀ ବାହାରିଆସିବାକୁ ଚାହୁଁଛି ।

ସେ କହିଲା—

“ଭାଇ, ମୋର ଜୀବନର କଥା ଶୁନଲେ ଆପନ ବୁଝିପାରିବେ—

ଜୀବନ କେତେ ଅଜବ ଆର୍ କେତେ କଡା।”

ସେ ନିଜ କାହାଣୀ କହିବାକୁ ଆରମ୍ଭ କଲା।

“ମୁଇଁ ଛୁଆ ବେଳେ ବହୁତ ଭଲ ପଢ଼ୁଥିଲି। ମୋ ଆଜ୍ଞା ମାନେ ସବୁବେଳେ କହୁଥିଲେ—

‘ବାବୁ, ତୁମେ ଏକ ଦିନ ବଡ଼ ମଣିଷ ହେବ।’

ସେହି କଥା ଶୁଣି ମୋର ମନଥି ଅନେକ ସ୍ୱପ୍ନ ଜନମ ନେଉଥିଲା।”

ସେ ଅଳ୍ପକ୍ଷଣ ଆକାଶକୁ ଦେଖିଲା।

“ମୋର ସବୁନୁ ବଡ଼ ସ୍ୱପ୍ନ ଥିଲା—
ମୁଇଁ ପଢ଼ିଲେଖି ଚାକିରି କରିବି ।
ମୋ ବୁଆମାଆଙ୍କୁ ସୁଖସୁବିଧା ଦେବି ।
ମୋ ଅଜାକେ ସହରର ବଡ଼ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବି ।”

ଏହି କଥା କହିବା ସମୟରେ ତାଙ୍କ ମୁହଁରେ ଏକ ଆଶାର ଆଲୋକ ଚମକିଉଠୁଥିଲା । କିନ୍ତୁ ତୁରନ୍ତ ସେହି ଆଲୋକ ଧୀରେ ଧୀରେ ମ୍ଲାନ ହୋଇଗଲା ।

ସେ କହିଲା — “ମୋର ଅଜା ବହୁତ ଦିନ ଧରି ରୋଗଥି ପଡି ଥିଲେ।

ତାଙ୍କୁ ଦେଖିଲେ ମୋର ମନ କଷ୍ଟ ପାଉଥିଲା।

ମୁଇଁ ଭାବୁଥିଲି—

ଦିନେ ମୁଇଁ ତାଙ୍କୁ ବଡ଼ ଡାକ୍ତରଖାନାକେ ନେଇଯିବି, ଭଲ ଚିକିତ୍ସା କରାଇବି।”

ତାଙ୍କ ସ୍ୱର ଧୀରେ କମ୍ପିତ ହେଲା।

“ହେଲେ ଭାଗ୍ୟ ଆମର ସାଥୀ ନାଇଁ ଦେଲା।

ଆମେ ବହୁତ ଗରିବ ଥିଲୁ।

ଠିକ ଚିକିତ୍ସା ନାଇଁ ମିଳିବାର ଲାଗି ଅନେକ କଷ୍ଟ ପାଇ ମୋ ଅଜା ପରପାରିକେ ଚାଲିଗଲେ ।”

ସେ ମୁଣ୍ଡ ନୁଆଇଲା ।

“ସେହି ଦିନ ମୋତେ ଲାଗିଲା—
ମୋର ସବୁ ସପନ ଭଙ୍ଗିଗଲା ।”

କେଳା ପୁଣି କହିଲା— “ଅଜାଙ୍କ ମୃତ୍ୟୁ ପରେ ଆମ ଘରର ଅବସ୍ଥା ଆଉ ଖରାପ ହୋଇଗଲା ।

ମୋ ବାପା ଜଣେ ସାପୁଆ ।

ସେ ସାପ ଖେଳ ଦେଖାଇ ଘର ଚଲାଉଥିଲେ । ହେଲେ ତାଙ୍କର ଶରୀର ଦିନକେ ଦିନ ଦୁର୍ବଳ ହୋଇଯାଉଥିଲା ।”

ସେ ଦୀର୍ଘଶ୍ୱାସ ନେଲା ।

“ସେହି ସମୀଆଥି ମୋର୍ ପାଠପଢ଼ାଥି ଭି ରଶି ବନ୍ଧା ହୋଇଗଲା ।

ସ୍କୁଲ ଯିବାର ବନ୍ଦ ହୋଇଗଲା ।

ରଶି ବନ୍ଧା ହୋଇଗଲା ମୋର ସପନଥି ।”

ସେ ପେଡିରେ ଥିବା ସାପଟିକୁ ଦେଖି କହିଲା—

“ତା’ର ଉତରୁ ବାପାଙ୍କୁ ସହାଯ୍ କରବାକେ ମୁଇଁ ଇ ସାପ ଖେଳାଇବାର ବୃତ୍ତି ଧଏଲି ।

ସାପ ସଙ୍ଗେ ଖେଳିବା ଶିଖଲି ।

ବିନ ବଜାଇବା ଶିଖଲି ।”

ସେ ହାଲୁକା ହସିଲା— “ଲୋକମାନେ ଇତାକେ ମନୋରଞ୍ଜନ ଭାବସନ। ହେଲେ ଇଟା ଆମର ଲାଗି ଜୀବନ ସଙ୍ଗେ ଯୁଦ୍ଧ ଆଏ।”

ସେ ପୁଣି କହିଲା— “ଜୀବନକେ ବାଜି ଲଗେଇ ସାପ ଖେଳ ଦେଖେଇବାକେ ପଡ଼ସି । ଯଦି ଭୁଲ ହୋଇଯାଏ, ଘଢକେ ଜୀବନ ଶେଷ ।”

ତାଙ୍କ ସ୍ୱରରେ ଥିଲା ଦାର୍ଶନିକ ଭାବନା ।

“ଯେନ କିଛି ରୋଜଗାର ହେସି, ସେଥି ମୋର ବୁଢା ବୁଆମାଆଙ୍କର ସଙ୍ଗେ କୁଟୁମ ଚଲେ ।ସେଥି ଭି ସବୁ ଦିନ ସମାନ ନୁହେ ।”

ସେ କହିଲା—
“ଏନ୍ତା ଦିନ ଭି ଆଏସି— ଦିନ ସାରା ବସି ରହିଲେ ଭି ଗୁଟେ ଟଙ୍କା ନାଇଁ ମିଳେ । ସେହି ଦିନ ସାରା କୁଟୁମକେ ଭୁକେ ରହିବାକେ ପଡ଼ସି ।”

ତାଙ୍କ ଆଖିରେ ଗଭୀର ଦୁଃଖର ଛାପ ଦେଖାଯାଉଥିଲା ।

ସେ ଧୀରେ କହିଲା—

“ଭାଇ, ମୁଇଁ ଆଏଜ ଭି କେବେ କେବେ ଭାବୁଛେ— ଯଦି ମୋର ଅଜା ବଞ୍ଚିଥାଏତେ… ଯଦି ମୋତେ ପଢ଼ବାର ସୁଯୋଗ ମିଳିଥାଏତା…”

ସେ ଚୁପ୍ ହୋଇଗଲା।

ସୂର୍ଯ୍ୟ ଧୀରେ ଅସ୍ତମିତ ହେଉଥିଲା।

ରାସ୍ତାର ଭିଡ଼ ଆଉ ବଢ଼ିଯାଉଥିଲା।

କେଳା ପୁଣି ଖେଳ ଆରମ୍ଭ କରିବାକୁ ବିନ ବଜାଇବାକୁ ପ୍ରସ୍ତୁତ ହେଉଥିଲା । ସାପୁଆ କେଳାର ବିନ ଶୁଣି ସାପଟି ପେଡିରୁ ମୁଣ୍ଡ ଉଠାଇ ନାଚିବାକୁ ଲାଗିଲା ।

ଲୋକମାନେ ତାଳି ପିଟିଲେ ।

କିନ୍ତୁ ଏବେ ମୋ ପାଇଁ ସେହି ଦୃଶ୍ୟ କେବଳ ଖେଳ ନୁହେଁ ।

ସେଥିରେ ଦେଖାଯାଉଥିଲା ଏକ ଯୁବକର ଭଙ୍ଗା ସ୍ୱପ୍ନ, ତାଙ୍କ ସଂଘର୍ଷ ଓ ସମାଜର କଠୋର ସତ୍ୟ ।

ସେହି ଦିନ ଘରକୁ ଫେରୁଥିବା ବେଳେ ମୋ ମନରେ ଏକ ଗଭୀର ଚିନ୍ତା ଜନ୍ମ ନେଲା—

ଜୀବନର ସତ୍ୟ କାହାଣୀ ଅନେକ ସମୟ ରାସ୍ତା କଡ଼ରେ ବସିଥାଏ ।

ଆମେ ତାକୁ ଦେଖୁଥାଉ, କିନ୍ତୁ ବୁଝିପାରୁନାହୁଁ ।

ସାପୁଆ କେଳାର କାହାଣୀ ମୋତେ ଶିଖାଇଦେଲା—

ସ୍ୱପ୍ନ ଭଙ୍ଗିଯାଇପାରେ, କିନ୍ତୁ ଜୀବନର ସଂଘର୍ଷ କେବେ ବନ୍ଦ ହୁଏନାହିଁ ।

ସେ ଆଜିମଧ୍ୟ ବିନ ବଜାଉଛି, ସାପ ନଚାଉଛି—

କିନ୍ତୁ ସେହି ବିନର ସୁର ମଧ୍ୟରେ ଲୁଚିଛି ଏକ ଅପୂର୍ଣ୍ଣ ସ୍ୱପ୍ନର କରୁଣ ସଙ୍ଗୀତ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top