“ମୋ ଠେଇଁ ଏ କାମ ଆଉ ହୋଇ ପାରୁନାହିଁ ! ତମେ କିପରି କ’ଣ କରୁଛ କର ? ” ଧଇଁସଇଁ ହୋଇ ପାହାଚରୁ ଓହ୍ଲାଉ ଓହ୍ଲାଉ କାଳିନ୍ଦୀ ବାବୁଙ୍କ ଉଦ୍ଧେଶ୍ୟରେ ବଡ଼ ପାଟିରେ ଶୁଣାଇ କହି ଉଠିଲେ ଦମୟନ୍ତୀ ।
କିଛିଦିନ ହେବ ପତ୍ନୀଙ୍କର ଏହି ଧାରାବାହିକ ଅଭିଯୋଗ ସହିତ ବେଶ୍ ଅଭ୍ୟସ୍ତ ହୋଇ ଯାଇଥିଲେ ସେ । ସୁତରାଂ ପ୍ରତିକ୍ରିୟାଶୂନ୍ୟ ଭାବେ ଦାଣ୍ଡଘରେ ବସି ରହି ସକାଳେ ଆଖି ବୁଲେଇ ଆଣିଥିବା ଖବରକାଗଜ ପୃଷ୍ଠାକୁ ନିଘାଦେଇ ପଢିବାରୁ ନିଜକୁ ବିରତ ରଖିଲେ ନାହିଁ । ନିଜର ପ୍ରତିବାଦର ସ୍ୱର ଫଳପ୍ରଦ ନ ହୋଇ ପ୍ରତିଧ୍ୱନି ପରି ପୁଣି ତାଙ୍କ ପାଖକୁ ଲେଉଟି ଆସିବା ଦେଖି ଦମୟନ୍ତୀ ବାଟଭାଙ୍ଗି ରାଗ ଗରଗର ହୋଇ ପଶି ଆସିଥିଲେ ଦାଣ୍ଡଘର ମଧ୍ୟକୁ । ଅନ୍ୟଥା ଏବେ ଠାକୁର ଘର ଯାଇ ସନ୍ଧ୍ୟାଧୂପ ଦେବା ତାଙ୍କର ଧରାବନ୍ଧା କାମ ଥିଲା ।
ଟେବୁଲ ଉପରେ ଚାବିନେନ୍ଥାକୁ କଚାଡି ପୁଣି ଥରେ ତାଙ୍କ ଉତ୍ଥାପିତ ସମସ୍ୟା ପ୍ରତି ଆଖି ବୁଜିଦେଇଥିବା ସ୍ୱାମୀଙ୍କ ଧ୍ୟାନ ଭାଙ୍ଗିବାକୁ ଯାଇ କହି ଉଠିଲେ, “ମୋର ଆଉ ବଳ ବୟସ ଅଛି ଯେ ଚାବିନେନ୍ଥା ଧରି ସକାଳେ ପରସ୍ତେ ଦି’ ମହଲା ଯାଏଁ ଚଢି ସବୁ ଘର ଖୋଲି ଝାଡୁ କରିବି; ପୁଣି ସନ୍ଧ୍ୟାରେ ଆଉ ଥରେ ଚଢି ଝରକା କବାଟ ବନ୍ଦ କରି ତାଲା ପକାଉଥିବି । ସହଜେ ତ ମୋର ଆଣ୍ଠୁଗଣ୍ଠି ବାତ ! ଏତେଥର ଉପର ତଳ ହେଲା ବେଳକୁ ଦେହକଷ୍ଟ ବଳି ଯାଉଛି । ମୋ ଦ୍ୱାରା ଆଉ ଏ କାମ ହେଇ ପାରିବ ନାହିଁ… କହି ଦଉଛି ।”
ଦମୟନ୍ତୀଙ୍କ ଏହି ଅତିଷ୍ଠ ଆଚରଣ ତାଙ୍କୁ ଯେତେ ବିସ୍ମୟ କରି ନ ଥିଲା, ମାତ୍ର ସେ ଉଠାଇଥିବା ଅଭିଯୋଗ ପଛର ବାସ୍ତବତା ତାଙ୍କୁ ଏକ ପ୍ରକାର ବିବ୍ରତ କରିବାକୁ ଆରମ୍ଭ କରିଦେଇଥାଏ ।
ଦାଣ୍ଡ ଘରେ ଜଳୁଥିବା ସଫା ଏଲ୍ଇଡି ବଲ୍ବର ଆଲୁଅ ତଳେ ସୁଦ୍ଧା ଖବର କାଗଜର ଛାପା କଳା ଅକ୍ଷର ସବୁ ଏକାଠି ମିଶି ପତ୍ନୀଙ୍କ ଚେତାବନୀ ସହ ତାଳଦେଇ ପିନ୍ଧିଥିବା ପାୱାର ଚଷମାର କାଚକୁ ଅବରୁଦ୍ଧ କରିଦେବା ପରି ଲାଗୁଥାଏ । ଯେତେଦୂର ଯାଏଁ ଚାହିଁଲେ ବି ଏହାର ସମାଧାନର ବାଟ ତଥାପି ତାଙ୍କୁ ଦିଶୁଥାଏ ଜାଳୁଜାଳୁ ।
ମୁହଁ ଖୋଲି ନ କହିଲେ ବି ଏ ସବୁ ପଛରେ ଦମୟନ୍ତୀଙ୍କ ସାମ୍ରାଜ୍ୟବାଦୀ ଅଭିଳାଷ ଯେ ଦାୟୀ ତାହା ସେ ଠିକ୍ ଜାଣନ୍ତି । ତଳ ଚାରି ବଖରା ଘର ଏମିତିରେ ଚଳିବାକୁ କୋଉ ନିଅଣ୍ଟ ହେଉଥିଲା ଯେ ଉପରେ ପୁଣି ତା’ ଉପରେ ଘର କରିବାକୁ ମନ ବଳେଇଲେ । କହିଲାକୁ, ଓଲଟି ଯୁକ୍ତି ରଖିଥିଲେ, “ମଲା, ଦି’ଝିଅ ଦି’ପୁଅଙ୍କୁ ଘର ଚାରି ବଖରା ଛିଣ୍ଡୁଥିଲା । ପାଠଶାଠ ପଢି ଯେଝା ସଂସାର ଗଢି ଯିଏ ଯୋଉଠି ବାସ କଲେ ବି ଏଠେଇଁ ବଡ ଯାନିଯାତ୍ରା ଭଲମନ୍ଦରେ ଆସୁଛନ୍ତି ନା’ ନାହିଁ । ସହଜେ ତ ଦିନୁ ଦିନ ସଂସାରର କାୟା ବଢି ଚାଲିଛି ! ତା’ ସାଙ୍ଗକୁ ପଟ୍ଟନାୟକ ଘରର ପିଲାମାନେ ଆଗରୁ ଯେମିତି ଗାଁ ପୋଷ୍ଟମାଷ୍ଟରର ପୁରୁଣା କୋଠାକୁ ଆବୋରି ପଡି ରହିଥିଲେ, ସେମିତି ରହିବେ କି ? ହକ ପଇସା କମଉଛନ୍ତି ଯେତେବେଳେ ଘର ଠିଆ କରିବେନି କାହିଁକି ?”
ତାଙ୍କ ଏକବାଗିଆ ଅକାଟ୍ୟ ଯୁକ୍ତି ଓ ବିସ୍ଫାରିତ ଆଖି ଆଗରେ ହାର୍ ମାନିବାକୁ ପଡିଥିଲା ସେତେବେଳେ କାଳିନ୍ଦୀ ବାବୁଙ୍କୁ । ମାତ୍ର ଭଲକରି ହୃଦ୍ବୋଧ କରିଥିଲେ ଯେ ଆଗକୁ ଦମୟନ୍ତୀଙ୍କର ଏହି ଅଭିଳଷିତ ରାଜଉଆସ ଷୋଳ ଅଣାରୁ ପନ୍ଦର ଅଣା ଦିନ ତୁଚ୍ଛାଟାରେ ଖାଲି ପଡି ରହିବ ।
ଯମୁନାଟା ଥିଲା ପର୍ଯ୍ୟନ୍ତ ଏସବୁ ଜଟିଳତାକୁ ଯେ ଦିନେ ଭୋଗିବାକୁ ପଡିବ କେବେ ଭାବିପାରି ନ ଥିଲେ । ହଁ, ପିଲାମାନେ ତାଙ୍କ ବାଟରେ ଚାକିରି ବାକିରି କରି ଦୂରଦୂରାନ୍ତ ଜାଗାରେ ରହୁଛନ୍ତି । ବର୍ଷକୁ ଥରେ ଅଧେ ଚାରି ପାଞ୍ଚ ଦିନ ରହି ପୁଣି ଫେରି ଯାଉଛନ୍ତି । କିଛି ଜଣା ପଡୁ ନ ଥିଲା । କିନ୍ତୁ ଯମୁନା ଦିନେ ଗାଁ ଛାଡି ଯେ ଭୁବନେଶ୍ୱରକୁ ଯାଇ ପୁଅ ପାଖରେ ରହିଯିବ, ଏଇଟା ତାଙ୍କର କଳ୍ପନା ବାହାରେ ଥିଲା । ଏକରକମ ସେ ହିଁ ତାଙ୍କ ଘରଟାକୁ ଚଳେଇ ନେଉଥିଲା । ଦୁଇଓଳି ଆସି ବାସନମଜା, ଘର ଓଳା, ପରିବାକଟାଠୁଁ ଆରମ୍ଭ କରି ସକାଳ ସଞ୍ଜ ତଳ ଉପର ବୁଲି ପିଲାମାନଙ୍କ କୋଠରି ଖୋଲି ଝାଡିବା ପୁଣି ତାଲା ପକେଇବା ଆଦି ରୁଟିନ୍ ବନ୍ଧା କାମକୁ ଛାଡି ଘରର ଛୋଟ ମୋଟ କାର୍ଯ୍ୟରେ ଦମୟନ୍ତୀଙ୍କୁ ସାହାଯ୍ୟ କରି ଆସୁଥିଲା । ହେଲେ, ତା’ ପୁଅ ମାଟ୍ରିକ୍ରେ ଫେଲ୍ ହେବା ପରେ ପାଠ ଛାଡି ସିଧା ଚାଲି ଯାଇଥିଲା ଭୁବନେଶ୍ୱର । ଦି’ ବର୍ଷ କାଳ ମଞ୍ଚେଶ୍ୱରରେ କୋଉ ଗୋଟେ ଫ୍ୟାକ୍ଟ୍ରିରେ ଲେବର୍ କାମ କରୁ କରୁ ଏବେ ମିସ୍ତ୍ରୀ କାମ କଲାଣି । ଲେବର୍ ପଇସାରେ ନିଅଣ୍ଟ ହଉଥିଲା । ଏବେ ଭଲ ରୋଜଗାର କଲାଣି । ମେସ୍ ଛାଡି ରହିବା ପାଇଁ ଅଲଗା ଘର ଖଣ୍ଡେ ନେବାପରେ ବୋଉକୁ ନେଇ ଯାଇଛି ଗାଁରୁ । ସେବେଠାରୁ ଦମୟନ୍ତୀଙ୍କ ଭାଗ୍ୟରେ ଘାଣ୍ଟି ହେବା ଦଶା ପଡି ଯାଇଛି ଯେମିତି ।
ଗାଁରେ ଖୋଜିଲେ କି ଆଖି ପକେଇଲେ ଯମୁନାର ବିକଳ୍ପ ଆଉ କେହି ନାହାନ୍ତି । ସାହିରେ କାହାକୁ କେତେବେଳେ ଖୋଜିଲେ ଆସି ଆସି ପାଖ ଘରୁ ପୁତୁରାବୋହୂ ଟିକେ ଛିଡା ହୁଏ । ନ’ ହେଲେ ଆଉ କେହି ନାହିଁ ।
ଏ ଦଶା ଖାଲି ତାଙ୍କର ନୁହେଁ, ଗାଁର ଅଧିକାଂଶ ପାଠୁଆ ଚାକିରିଆ ଘରର । ବୟସ୍କ ବୁଢାବୁଢୀ ଯେତେ ଘର କାମୁଡି ପଡି ରହିଛନ୍ତି ଗାଁରେ । ପିଲାମାନେ ସବୁ ରୋଜଗାର ଖୋଜି ବାହାରେ । ଖାଲି ଚାଷକୁ ବା ଆଉ କିଛି ଛୋଟମୋଟ ବୃତ୍ତିଙ୍କୁ ଆବୋରି ଯେତିକି ରହି ଯାଇଛନ୍ତି ଯାହା ।
ଗଲା ରବିବାର ଭାଣିଜୀ ମଞ୍ଜୁ ଫୋନ୍ କରିଥିଲା । ଅହମ୍ମଦାବାଦ ମହାନଗର ନିଗମରେ ଟାଉନ୍ ପ୍ଲାନର୍ ରୂପେ ଚାକିରି କରେ । ଦୂରରେ ରହିଲେ ସୁଦ୍ଧା ମଝିରେ ମଝିରେ ମାମୁଁ ମାଇଁଙ୍କ ଭଲମନ୍ଦ ପଚାରି ବୁଝେ । ବୁଝୁ ବୁଝୁ କଥା ଯାଇଁ ଦମୟନ୍ତୀଙ୍କ ଆଥ୍ରାଇଟିସ୍ ପାଖରେ ଅଟକି ଯାଇଥିଲା । ବିବ୍ରତ ଓ ଗମ୍ଭୀର ହୋଇ ଗାଁର କ୍ରମଶଃ କ୍ଷୟିଷ୍ଣୁ ଚିତ୍ର କଥା ତା’ ଆଗରେ ବଖାଣିଥିଲେ ସେ । ସବୁ ଶୁଣି ସେପଟୁ ଦୁଇଟି ଶବ୍ଦରେ ଡେମୋଗ୍ରାଫିକ୍ ଚେଞ୍ଜ୍ କଥା ଉଠାଇ ଦେଶର ଜନସଂଖ୍ୟାର ବିବର୍ତ୍ତନଜନିତ ଏହା କେବଳ ତାଙ୍କ ଗାଁର ନୁହେଁ, ସାରା ଦେଶର ଏକ ଅର୍ଥନୈତିକ ସାମାଜିକ ବାସ୍ତବତା ବୋଲି ଭାଣିଜୀ ବୁଝାଇ କହିଥିଲା ।
ଛୋଟରୁ ବଡ଼ ସହର । ଶିଳ୍ପନଗରୀରୁ ଆରମ୍ଭ କରି ମହାନଗର ଯାଏଁ ସବୁଠି ଦ୍ରୁତ କଳେବର ବଦଳି ଚାଲିଛି । ଲୋକେ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଧାଉଁଛନ୍ତି । ଗାଁ ଛାଡି ଏହି ସବୁ ସହରକୁ ଚାଲି ଆସୁଛନ୍ତି । ସୁତରାଂ ଯମୁନାର ଗାଁ ଛାଡି ମଞ୍ଚେଶ୍ୱରର ରୋଜଗାରିଆ ପୁଅ ପାଖକୁ ପଳେଇ ଯିବାଟା ତା’ ପାଇଁ ସେତେ ବିଚିତ୍ରତାରେ ଭରା ଖବର ନ ଥିଲା । ଯୋଉଟାକି ଏ ଦୁଇ ଜଣଙ୍କ ପାଇଁ ଥିଲା !
ଏହା ପରଠୁଁ ସିଏ ମଧ୍ୟ ଏଇ ଏକରକମ ଉଚ୍ଛନ୍ନ ପଡ଼ି ଯାଇଥିବା ଗାଁ କଥା ଭାବିବାକୁ ଆରମ୍ଭ କରି ଦେଇଥିଲେ । ସେ ଫେରି ଚାହୁଁଥିଲେ ପାଖାପାଖି ଚାଳିଶ ବର୍ଷ ପଛକୁ । ଇଣ୍ଟରମିଡିଏଟ୍ ପାସ୍ କରିବା ପରେ ତାଙ୍କୁ ବି ଏକାଧିକ ଚାକିରିର ସୁଯୋଗ ମିଳିଥିଲା ସହରରେ । ସେହି ବିଷୟରେ ନିଷ୍ପତ୍ତି ନେବା ପାଇଁ ଘରକୁ ଚିଠି ଲେଖିଥିଲେ । ଦି’ହପ୍ତା ପରେ ଗାନ୍ଧୀ ବିଚାରରେ ଅଟଳ ଆସ୍ଥା ରଖୁଥିବା ବାପାଙ୍କଠୁ ଦୁଇ ପୃଷ୍ଠାର ଲେଖା ଏକ ଚିଠି ଭରା ଲଫାପାରେ ଆସି ପହଞ୍ଚିଥିଲା ପୂର୍ବ ଛାତ୍ରାବାସ ଠିକଣାରେ । ଯାହାର ନିର୍ଦ୍ଧେଶିତ ସାରାଂଶ ଉକ୍ତି ଥିଲା, “ଆମ ଘରର ଜମିବାଡି ଯେତେ, ତାହାକୁ ଯଦି ସଠିକ୍ ଦେଖାଚାହାଁ କରି ପାରିବୁ, ତେବେ ନିଜ ପରିବାର ସହ ଆଉ କେତେ ଜଣଙ୍କ ପେଟକୁ ବି ଅନେଇ ପାରିବୁ । ମୋ ଠେଇଁ ଅଟକି ଯାଇଥିବା ଗାନ୍ଧିଜୀଙ୍କ ଅଧୁରା ଗ୍ରାମ ସ୍ୱରାଜର ସ୍ୱପ୍ନକୁ ପୁଅ ହୋଇ ସାକାର କରିବା ତୋର କ’ଣ କର୍ତ୍ତବ୍ୟ ନୁହେଁ?”
ସୁତରାଂ, ସହରୀ ମୋହ ତୁଟାଇ ଗାଁକୁ ଫେରି ଆସିଥିଲେ କାଳିନ୍ଦୀ ବାବୁ । ଚାଷବାସ ବୁଝାସୁଝା ସହ ଗାଁର ସାମୟିକ ହିତକୁ ଦେଖିଲେ । ତା’ ସହିତ ପୋଷ୍ଟ ଅଫିସ୍ର ମୁଖିଆ ଦାୟିତ୍ୱ ବି ସମ୍ଭାଳିଲେ ।
ତାଙ୍କୁ ଲାଗୁଥାଏ ଯେମିତି ଦେଶର ଏଇ କେଇ ଦଶନ୍ଧିର ସୁଦୃଶ୍ୟ ଯାତ୍ରାପଥରେ କେଉଁଠି କିଛି ଅଭାବ ରହି ଯାଇଛି ? ଯେମିତି କିଛି ଶୂନ୍ୟତା ରହି ଯାଇଛି ? ଯୋଜନା ସବୁ ସହରର ଛକ ପାଖରେ ହିଁ ଅଟକି ଯାଇଛି । ସେଇ ଲାଗି ଗାଁର ସବୁଜ ହସ ଧୀରେ ଧୀରେ ଉଜୁଡି ଚାଲିଛି ବିଲକୁଲ୍ ଦମୟନ୍ତୀଙ୍କ ଏହି ଅଭିଳଷିତ ଘର ପରି । ସ୍ୱପ୍ନ ଓ ବାସ୍ତବତା ଭିତରେ ଥିବା ଖାଲିପଣ ପରି ।
ବିବଶତାରେ ଭରା ତାଙ୍କ ମଗ୍ନ ଚୈତନ୍ୟର ଆକଳନକୁ କ୍ଷାନ୍ତ କରାଇ ହଠାତ୍ ଟେବୁଲ ଉପରେ ଥିବା ମୋବାଇଲ୍ଟା ବାଜି ଉଠିଲା । ସାନ ପୁଅର ଫୋନ୍ ଥିଲା ଦିଲ୍ଲୀରୁ, “ବାପା ଏଠି ଅସହ୍ୟ ଗ୍ରୀଷ୍ମପ୍ରବାହ ଚାଲିଛି । ପିଲାମାନଙ୍କ ପକ୍ଷରେ ସହିବା ମୁସ୍କିଲ୍ ! ମୁଁ କାଲି ଟ୍ରେନ୍ରେ ସେମାନଙ୍କୁ ଧରିକି ଯାଉଛି । ପୂରା ମାସେ ପାଇଁ ଗାଁରେ ଛାଡି ଆସିବି ।” ତା’ ସ୍ୱରରେ ଅନାହତ ଆତଙ୍କ ଓ ଅତର୍ଚ୍ଛାପଣ ବେଶ୍ ବାରି ହୋଇ ପଡୁଥାଏ ।
“ହଉ ହଉ… ଭଲ କଲୁ । ରହ… ଏ ଖବର ମୁଁ ତୋ ବୋଉକୁ କହିଦେଉଛି ।” ପ୍ରଥମେ ବ୍ୟସ୍ତହୋଇ ପଡୁଥିଲେ ବି କାଳିନ୍ଦୀ ବାବୁଙ୍କ ଓଠରେ ଏକ ସାମୟିକ ଆସ୍ୱସ୍ତିର ଖବର ପ୍ରାପ୍ତି ପରି ସ୍ମିତ ହସର ଚମକ ଖେଳି ଉଠିଲା ।
ଖୁସିରେ ସେ ପତ୍ନୀ ଦମୟନ୍ତୀଙ୍କ ଉଦ୍ଧେଶ୍ୟରେ ଦାଣ୍ଡଘରେ ବସି ଡାକ ଛାଡ଼ିଲେ, “ଏଇ ଶୁଣୁଛ ! ମଣ୍ଟୁ ଆସୁଛି ପିଲାଙ୍କୁ ଧରି । ମାସକ ପାଇଁ ଏଠି ଛାଡିବ । ତମ ମୁଣ୍ଡ ଉପରୁ ଦୁଃଖର ବାଦଲ କିଛି ଦିନ ଟଳିଗଲା ବୋଲି ଜାଣ !”
