ପାଞ୍ଚଯୁଗ ବସନ୍ତର ଅନ୍ତରାଳେ
ପଛକୁ ଫେରି ଚାହିଁଲେ ମନେପଡ଼େ
ପିଲା ଦିନ ସ୍କୁଲ କଥା ।
ଆଉ ଗଣେଷ ସରସ୍ୱତି ପୂଜାଦିନ
ଫସଲ ଭଲ ହୋଇଥିଲେ..
ଭୋଜିଭାତର ଚାନ୍ଦା ଦେବାକୁ ବାଧ୍ୟ ।
ମରୁଡ଼ି ବା ବଢ଼ି ଯେବେ କରନ୍ତି ତାଣ୍ଡବ
କେବଳ ପୂଜା ଭୋଗ ରେ ଚଳେ କାମ ।
ପିତଳ ଥାଳିରେ ରଢ଼ନିଆଁ ରଖି ଇସ୍ତ୍ରୀ
ବଟନ୍ ବଦଳରେ ସେପ୍ଟିପିନ୍ ଲାଗେ ।
ଭସାଣି କେବେବି ନଥିଲା ଏମିତି
ଡ଼ି.ଜେ. କ’ଣ ? କାହାକୁ ବା ଜଣାଥିଲା ?
ଉପାସରେ ପୁଷ୍ପାଞ୍ଜଳିକୁ ଉଦରର ଅପେକ୍ଷା
ଭୋକିଲା ପେଟର ଦୌରାତ୍ମ୍ୟ ଅସହ୍ୟ ।
ବ୍ରାହ୍ମଣ ସେଦିନ ଘରୁ କୁଣ୍ଡେ ଖାଇ ଆସେ
ସବୁ ପୂଜା ସାରି ପହଞ୍ଚେ ସ୍କୁଲ୍ରେ ।
ଦିନ ତିନିଟା ଉପରେ ବାଜିଯାଏ
ନିୟମ ତ ପୁଷ୍ପାଞ୍ଜଳି ପରେ ପ୍ରସାଦ ସେବନ ।
ଅନ୍ୟ ଉପାୟ ନାହିଁ, ପୁଷ୍ପାଞ୍ଜଳିରେ ଫୁଲ
ଫୋପଡ଼ ମାରିଲା ପରି ଫିଙ୍ଗି ଦିଆହୁଏ ।
ଭୋକରେ ପେଟ ଆଉଟୁ ପାଉଟୁ
ଜୁଳୁଜୁଳିଆ ପୋକ ଆଖିରୁ ବାହାରନ୍ତି ।
ଚକାମାଲି ପାରି ସ୍କୁଲ ବାରଣ୍ଡାରେ ବସୁ
ଅନ୍ନର ଅପେକ୍ଷାରେ- ପତ୍ରରେ ଲାଗୁ ଲାଗୁ ଚଳୁ ।
ମନ୍ତ୍ରକୁ କାହାର ଧୈର୍ଯ୍ୟ ? ବିସର୍ଜନ ଦିନ କାନ୍ଧ ନାଲି
ଗାଳି ସହ ଗରମ ଶୋରିଷ ତେଲ ମାଲିସ୍ ହୁଏ ।
ମନରେ କିଛି କିଛି ମଗାଯାଏ ଠାକୁରଙ୍କୁ
ଗୁରୁ ଓ ଗୁରୁଜନଙ୍କୁ ପ୍ରଣାମ କରାଯାଏ ଭକ୍ତିରେ ।
କୁଆଡ଼େ ଗଲା ସେ ଦିନ ? ଆଜି ..?
ଆଜି କିନ୍ତୁ ସେ ସବୁ ସାତ ସପନ ।
ପାଶ୍ଚାତ୍ୟ ଦେଶର ଅବିକଳ ନକଲ
ଭସାଣି ଆୟୋଜନ ଆଗ, ପୂଜା ପରେ ।
ଡ଼ି.ଜେ. ସହ ମେଲୋଡ଼ି ବ୍ରାସ୍ ବ୍ୟାଣ୍ଡ
ରଙ୍ଗିନ୍ ପାଣି ବଳରେ ଟି-ସାର୍ଟ ଖୋଲା ଡ଼୍ୟାନ୍ସ ।
ମୌଳିକତା ମିଳେଇ ଯାଉଛି ଦିନୁ ଦିନ
ଆମେ ସତରେ ! କୁଆଡ଼େ ଯାଉଛେ ?
